‘‘ଯଦି ପାନ୍ (ପାନ ପତ୍ର) ବଞ୍ଚିଥା’ନ୍ତା, ତା’ହେଲେ ସେଥିରୁ (୨୦୨୩ରେ) ମୁଁ ଅତିକମ୍ରେ ଦୁଇ ଲକ୍ଷ ଟଙ୍କା ରୋଜଗାର କରିପାରିଥାନ୍ତି,’’ ଦେଉରୀ ଗାଁର ୨୯ ବର୍ଷ ବୟସ୍କା ମହିଳା ଚାଷୀ କରୁଣା ଦେବୀ ଦୁଃଖ ଓ ନିରାଶାପୂର୍ଣ୍ଣ ସ୍ୱରରେ କୁହନ୍ତି। ବିହାର ନୱାଦା ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ କାରଣରୁ ଜୁନ୍ ୨୦୨୩ରେ କରୁଣା ଦେବୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଏକଦା ସବୁଜିମା ପରିପୂର୍ଣ୍ଣ ରହୁଥିବା ତାଙ୍କର ବରେଜା (ବରଜ)ର ଜାଲି ଏକଦା ପ୍ରସିଦ୍ଧ ମଗହୀ ପାନର ଉଜ୍ଜ୍ୱଳ ପତ୍ରରେ ଭରି ରହୁଥିଲା, ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସେ ଅନ୍ୟମାନଙ୍କ ବରେଜା ରେ କାମ କରିବାକୁ ବାଧ୍ୟ ହୋଇଥିଲେ।
ନୱାଦା ସମେତ ଏକ ଡଜନରୁ ଅଧିକ ଜିଲ୍ଲାରେ ଅନେକ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିଲା। ସେହି ବର୍ଷର ଗ୍ରୀଷ୍ମପ୍ରବାହ ସମ୍ପର୍କରେ ସେ କୁହନ୍ତି, ‘‘ ଲଗତା ଥା କି ଆସ୍ମାନ୍ ସେ ଆଗ୍ ବରସ୍ ରହା ହୈ ଔର୍ ହମ୍ ଲୋଗ୍ ଜଲ୍ ଜାଏଙ୍ଗେ। ଦୋପହର୍ କୋ ତୋ ଗାଓଁ ଏକଦମ୍ ସୁନ୍ସାନ୍ ହୋ ଯାତା ଥା, ଜୈସେ କର୍ଫ୍ୟୁ ଲଗ୍ ଗୟା ହୈ (ଲାଗୁଥିଲା ଯେମିତି ଆକାଶରୁ ନିଆଁ ଖସୁଛି ଏବଂ ଆମେ ସମସ୍ତେ ଏଥିରେ ଜଳିଯିବୁ। ମଧ୍ୟାହ୍ନ ବେଳକୁ ଗାଁ ସମ୍ପୂର୍ଣ୍ଣ ଶୂନ୍ଶାନ୍ ହୋଇଯାଉଥିଲା, ଯେମିତି କର୍ଫ୍ୟୁ ଲାଗିଛି ।)’’ ଜିଲ୍ଲାର ୱାରିସଲିଗଞ୍ଜ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫.୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ଏହାପରେ ୧୮ ଜୁନ୍ ୨୦୨୩ରେ ଦ ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲଗାତାର ଗ୍ରୀଷ୍ମପ୍ରବାହ କାରଣରୁ ବିହାର ଏବଂ ଉତ୍ତର ପ୍ରଦେଶରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଭୀଷଣ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ କରୁଣା ଦେବୀ କୁହନ୍ତି, ‘‘ଆମେ ବରେଜାକୁ ଯାଉଥିଲୁ।’’ ଛଅ କଟ୍ଠା (ପ୍ରାୟ ୮,୦୦୦ ବର୍ଗଫୁଟ) ଜମିରେ ମଗହୀ ପାନ ଚାଷ କରିବା ଲାଗି ଏକ ଲକ୍ଷ ଟଙ୍କା ଋଣ ନେଇଥିବା କାରଣରୁ ସେମାନଙ୍କ ପରିବାର କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନଥିଲା।
ବିହାରରେ ପାନ ପତ୍ରର ବଗିଚାକୁ ବରେଜା ବା ବରେଠା ବୋଲି କୁହାଯାଏ। ଏହାର କୋମଳ ଲଟାଗୁଡ଼ିକ ଅତିଶୟ ଗରମ ସହି ପାରିନଥାଏ ଏବଂ ଏହି କୁଡ଼ିଆ ଭଳି ଢାଞ୍ଚା ସେଗୁଡ଼ିକୁ ଖରାଦିନେ ଅଧିକ ଗରମ ଏବଂ ଶୀତଦିନେ ଅଧିକ ଶୀତ ଲହରୀ ଠାରୁ ସୁରକ୍ଷା ଦେଇଥାଏ। ସାଧାରଣତଃ ଏହାକୁ ବାଉଁଶ, ତାଳ ଓ ନଡ଼ିଆ ବାହୁଙ୍ଗା, କତା, ନଡ଼ା ଓ ହରଡ଼ ଗଛର ନଡ଼ାରେ ତିଆରି କରାଯାଏ। ବରେଜା ଭିତରେ ମାଟିକୁ ଲମ୍ବା ଶିଆର କରି ହଳ କରାଯାଏ। ଗଛକୁ ଏମିତି ଲଗାଯାଏ ଯେମିତି ମୂଳ ପାଖରେ ପାଣି ଜମି ରହିବ ନାହିଁ ଓ ଗଛ ସଢ଼ିବ ନାହିଁ ।
ଗତବର୍ଷର ଭୀଷଣ ଗ୍ରୀଷ୍ମପ୍ରବାହ ମୁକାବିଲା ବିଷୟରେ ମନେ ପକାଇ କରୁଣା ଦେବୀଙ୍କ ସ୍ୱାମୀ କୁହନ୍ତି, ‘‘ଆମେ ଦିନରେ କେବଳ ୨-୩ ଥର ପାଣି ଦେଇପାରୁଥିଲୁ କାରଣ, ଅଧିକ ଜଳସେଚନ କରିବାରେ ଖର୍ଚ୍ଚ ବଢ଼ିଯାଏ। କିନ୍ତୁ ଗରମ ଏତେ ଅଧିକ ହେଉଥିଲା ଯେ ଫସଲ ବଞ୍ଚି ପାରିଲା ନାହିଁ।’’ ସୁନୀଲ ଚୌରାସିଆ (୪୦) କୁହନ୍ତି, ‘‘ଗଛ ଶୁଖିବା ଆରମ୍ଭ କଲା ଏବଂ ଯଥାଶୀଘ୍ର ବରେଜା ନଷ୍ଟ ହୋଇଗଲା।’’ ସେମାନଙ୍କର ପାନ ଚାଷ ସମ୍ପୂର୍ଣ୍ଣ ବରବାଦ୍ ହୋଇଗଲା। ଚିନ୍ତିତ କରୁଣା କୁହନ୍ତି, ‘‘ଋଣ କେମିତି ସୁଝିବି ମୁଁ ଜାଣିପାରୁନାହିଁ।’’
ମଗଧ ଅଞ୍ଚଳରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କୁହନ୍ତି, ଏହି ଅଞ୍ଚଳରେ ପାଣିପାଗ ସ୍ଥିତି ଲଗାତାର ବଦଳୁଛି। ପରିବେଶ ବିଜ୍ଞାନୀ ପ୍ରଫେସର ପ୍ରଧାନ ପାର୍ଥ ସାରଥୀ କୁହନ୍ତି, ‘‘ପୂର୍ବରୁ ପାଣିପାଗର ଏକ ସମାନ ସ୍ଥିତି ରହୁଥିଲା, ଯାହା ଏବେ ନଷ୍ଟ ହୋଇଯାଉଥିବା ଆମେ ଦେଖୁଛୁ। ଅଚାନକ ତାପମାତ୍ରା ବୃଦ୍ଧି ପାଉଛି ଏବଂ ବେଳେବେଳେ ଗୋଟିଏ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହେଉଛି।’’
୨୦୨୨ରେ ସାଇନ୍ସ ଡାଇରେକ୍ଟ ଜର୍ଣ୍ଣାଲ୍ରେ ପ୍ରକାଶିତ ‘ଭାରତର ଦକ୍ଷିଣ ବିହାରରେ ପରିବେଶ ପରିବର୍ତ୍ତନ ଓ ଭୂତଳ ଜଳସ୍ତର ପରିବର୍ତ୍ତନଶୀଳତା’ ଶୀର୍ଷକ ଏକ ଗବେଷଣା ପତ୍ର ରେ କୁହାଯାଇଛି ଯେ, ୧୯୫୮-୨୦୧୯ ମଧ୍ୟରେ ହାରାହାରୀ ତାପମାତ୍ରା ୦.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି । ୧୯୯୦ ଦଶନ୍ଧି ପରେ ମୌସୁମୀ ବର୍ଷାରେ ଭାରୀ ଅନିୟମିତତା ଦେଖିବାକୁ ମିଳୁଛି।
‘‘ ମଗହୀ ପାନ୍ କା ଖେତି ଜୁଆ ଜୈସା ହୈ (ମଗହୀ ପାନ ପତ୍ର ଚାଷ ଜୁଆ ଖେଳ ଭଳି ଅନିଶ୍ଚିତ),’’ ଢେଉରୀ ଗ୍ରାମର ଆଉ ଜଣେ ଚାଷୀ ଅଜୟ ପ୍ରସାଦ ଚୌରାସିଆ କୁହନ୍ତି। ସେ ଅନ୍ୟ ସମସ୍ତ ମଗହୀ ଚାଷୀଙ୍କ ତରଫରୁ ଏ କଥା କୁହନ୍ତି ଯେଉଁମାନେ ଏହାର କ୍ଷତି ସହିସାରିଲେଣି। ‘‘ଆମେ କଠିନ ପରିଶ୍ରମ କରୁ, କିନ୍ତୁ ପାନ ଗଛ ବଞ୍ଚିବ ବୋଲି କୌଣସି ଗ୍ୟାରେଣ୍ଟି ନଥାଏ।’’
ସ୍ଥାନୀୟ ଅଞ୍ଚଳରେ ଲଗାତାର ଖରାପ ପାଣିପାଗ ରହିବା କାରଣରୁ ମଗହୀ ପାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଚୌରାସିୟା ସମାଜର ଲୋକମାନେ ପାରମ୍ପରିକ ଭାବେ ପାନ ଚାଷ କରିଥାନ୍ତି, ଯେଉଁମାନେ ବିହାରରେ ଅତି ପଛୁଆ ବର୍ଗ (ଇବିସି) ଭାବେ ତାଲିକାଭୁକ୍ତ ରହିଛନ୍ତି। ରାଜ୍ୟ ସରକାର ନିକଟରେ କରିଥିବା ଜାତିଗତ ଜନଗଣନା ଅନୁଯାୟୀ ରାଜ୍ୟରେ ଛଅ ଲକ୍ଷରୁ ଅଧିକ ଚୌରାସିୟା ରହୁଛନ୍ତି।
ଢେଉରୀ ଗାଁ ନୱାଦା ଜିଲ୍ଲାର ହିସୁଆ ବ୍ଲକ୍ରେ ରହିଛି। ଗାଁର ଜନସଂଖ୍ୟା ପ୍ରାୟ ୧୫୪୯ (ଜନଗଣନା ୨୦୧୧) ହୋଇଥିବା ବେଳେ ଅର୍ଦ୍ଧାଧିକ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
୨୦୨୩ରେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ୨୦୨୨ରେ ପ୍ରବଳ ବର୍ଷା ହୋଇଥିଲା। ରଞ୍ଜିତ୍ ଚୌରାସିୟା କୁହନ୍ତି, ‘‘ ଲଗ୍ତା ଥା ଜୈସେ ପ୍ରଲୟ ଆନେ ବାଲା ହୋ। ଅନ୍ଧେରା ଛା ଜାତା ଥା ଔର ଲଗାତାର ବରଷା ହୋତା ଥା। ହମ୍ଲୋଗ୍ ଭିଗ୍-ଭିଗ୍କର କ୍ଷେତ୍ ମେ ରହତେ ଥେ (ଲାଗୁଥିଲା ଯେମିତି ପ୍ରଳୟ ଆସିବ। ଚାରି ଆଡ଼େ ଅନ୍ଧାର ହୋଇଯାଉଥିଲା ଏବଂ ଲଗାତାର ବର୍ଷା ହେଉଥିଲା। ଆମେମାନେ ଓଦା ହୋଇ କ୍ଷେତରେ ରହୁଥିଲୁ।’’
ରଞ୍ଜିତ (୫୫) କୁହନ୍ତି ଯେ, ଏହା ପରେ ତାଙ୍କୁ ଜ୍ୱର ବି ହୋଇଥିଲା ଏବଂ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସେ କୁହନ୍ତି, ‘‘ମୋ ଗାଁର ଅଧିକାଂଶ ପାନ ଉତ୍ପାଦନକାରୀ ଚାଷୀଙ୍କକୁ ସେହି ବର୍ଷ କ୍ଷତି ହୋଇଥିଲା। ମୁଁ ପାଞ୍ଚ କଟ୍ଠା (ପ୍ରାୟ୬,୮୦୦ ବର୍ଗଫୁଟ୍)ରେ ପାନ ଲଗାଇଥିଲି। ପାଣି ମାଡ଼ିଯିବା କାରଣରୁ ପାନ ଲଟାଗୁଡ଼ିକ ଶୁଖିଗଲା।’’ ଓଡ଼ିଶାରେ ‘ଅସାନୀ’ ବାତ୍ୟା କାରଣରୁ ତିନି ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା।
ରଞ୍ଜିତ ମଗହୀ ପାନ ଉତ୍ପାଦକ କଲ୍ୟାଣ ସମିତିର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥାନ୍ତି। ସେ କୁହନ୍ତି, ‘‘ଗ୍ରୀଷ୍ମ ପ୍ରବାହ ମାଟିକୁ ଶୁଖାଇ ଦେଇଥାଏ, ଯାହାଫଳରେ ପାନ ବଢ଼ିପାରେ ନାହିଁ ଏବଂ ଅଚାନକ ବର୍ଷା ହେଲେ ଗଛ ଶୁଖିଯାଏ। ଗଛ ନୂଆ ଥିଲା। ଛୋଟ ପିଲାଙ୍କ ଭଳି ସେଗୁଡ଼ିକର ଯତ୍ନ ନେବା ଜରୁରି ଥିଲା। ଯେଉଁମାନେ ଏପରି କଲେ ନାହିଁ ସେମାନଙ୍କ ପାନ ଗଛ ଶୁଖିଗଲା।’’
ରଞ୍ଜିତ କୁହନ୍ତି, ୨୦୨୩ରେ ସେ ବାରମ୍ବାର ଜଳ ସିଞ୍ଚନ କରିବା କାରଣରୁ ତାଙ୍କର ପାନ ଗଛ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସୁଦ୍ଧା ବଞ୍ଚି ରହିଥିଲା। ‘‘ମୁଁ ଏହାକୁ ଅନେକ ବାର ପାଣି ଦେଇଥିଲି। ବେଳେବେଳେ ଦିନକୁ ୧୦ ଥର ଦେଉଥିଲି।’’
ସାଥୀ ମଗହୀ ଚାଷୀ ଏବଂ ପଡ଼ୋଶୀ ଅଜୟ କୁହନ୍ତି, ଖରାପ ପାଗ କାରଣରୁ ସେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଥର କ୍ଷତି ସହିଛନ୍ତି। ୨୦୧୯ରେ ସେ ଚାରି କଟ୍ଠା (ପ୍ରାୟ ୫,୪୪୪ ବର୍ଗଫୁଟ) ଜମିରେ ପାନ ଚାଷ କରିଥିଲେ। ଭୀଷଣ ଥଣ୍ଡା କାରଣରୁ ସେସବୁ ଫସଲ ନଷ୍ଟ ହୋଇଯାଇଥିଲା। ଅକ୍ଟୋବର ୨୦୨୧ରେ ଗୁଲାବ୍ ବାତ୍ୟା କାରଣରୁ ପ୍ରବଳ ବର୍ଷ ହୋଇଥିଲା ଏବଂ ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲା। ଏ ବିଷୟରେ ସେ କୁହନ୍ତି, ‘‘ମୋର ଦୁଇ ବର୍ଷରେ ସବୁ ମିଶାଇ ଦୁଇ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା।’’
*****
ପାନ ଲଟାଗୁଡ଼ିକ ହଲିବା ଓ ଖସିପଡ଼ିବାରୁ ସୁରକ୍ଷିତ ରଖିବା ଲାଗି ଅଜୟ ଚୌରାସିୟା ସେଥିରେ ବାଉଁଶ ବା ସରକଣ୍ଡା ର ପତଳା ବାଡ଼ି ବାନ୍ଧୁଛନ୍ତି। ହୃଦୟ ଆକୃତିର ଉଜ୍ଜ୍ୱଳ ସବୁଜ ପାନ ପତ୍ର ଝୁଲି ରହିଛି । କିଛି ଦିନ ମଧ୍ୟରେ ସେଗୁଡ଼ିକ ତୋଳିବା ଉପଯୋଗୀ ହୋଇଯିବ।
ଏହି ଘଞ୍ଚ ସବୁଜ ଢାଞ୍ଚା ଭିତରେ ତାପମାତ୍ରା ବାହାର ଠାରୁ ଥଣ୍ଡା ରହିଥାଏ। ଅଜୟ କୁହନ୍ତି ଯେ, ଅତିଶୟ ଗରମ, ଥଣ୍ଡା ଏବଂ ଅତ୍ୟଧିକ ବର୍ଷା ପାନ ଗଛ ପାଇଁ ସବୁଠୁ ଖରାପ ହୋଇଥାଏ। ଟାଣ ଖରା ସମୟରେ ଯଦି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଠାରୁ ଅଧିକ ହୋଇଯାଏ, ତା’ହେଲେ ସେଗୁଡ଼ିକ ଉପରେ ପାଣି ସିଞ୍ଚନ କରିବାକୁ ପଡ଼ିଥାଏ। ସେ ପାଖାପାଖି ପାଞ୍ଚ ଲିଟର ପାଣି ଧରୁଥିବା ମାଟି ପାତ୍ର କାନ୍ଧରେ ଉଠାଇଥା’ନ୍ତି ଏବଂ ହାତ ପାପୁଲିରେ ପାଣି ଛିଞ୍ଚନ୍ତି । ସେ ଧୀରେ ଧୀରେ ପାନ ଲଟା ମାଡ଼ିଥିବା ଶିଆର ଭିତର ଦେଇ ଯିବା ସହିତ ପାଣି ଛିଞ୍ଚିଥା’ନ୍ତି। ସେ କୁହନ୍ତି, ‘‘ଅଧିକ ଗରମ ପାଗ ଥିଲେ, ଆମକୁ ବାରମ୍ବାର ପାଣି ଦେବାକୁ ପଡ଼ିଥାଏ। କିନ୍ତୁ ସେଗୁଡ଼ିକୁ ବର୍ଷା ଓ ଥଣ୍ଡା ଠାରୁ ରକ୍ଷା କରିବା ପାଇଁ କୌଣସି ଉପାୟ ନାହିଁ ।’’
ଗୟାସ୍ଥିତ ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍ଥ, ବାୟୋଲୋଜିକାଲ ଏଣ୍ଡ ଏନଭାୟରନ୍ମେଣ୍ଟ ସାଇନ୍ସର ଡିନ୍ ସାରଥୀ କୁହନ୍ତି, ‘‘ଅନିଶ୍ଚିତ ପାଣିପାଗ ପାଇଁ ଜଳବାୟୁ ପରିବର୍ତ୍ତନ କେତେ ମାତ୍ରାରେ ଦାୟୀ ଯଦିଓ ତା’କୁ ନେଇ କୌଣସି ଅଧ୍ୟୟନ ହୋଇନାହିଁ, କିନ୍ତୁ ପରିବର୍ତ୍ତିତ ପାଗର ସ୍ଥିତି ଜଳବାୟୁ ପରିବର୍ତ୍ତନର ସଂକେତ ଦେଇଥାଏ।’’
ଅଜୟଙ୍କ ପାଖରେ ନିଜର ଆଠ କଟ୍ଠା (ପାଖାପାଖି ୧୦,୦୦୦ ବର୍ଗଫୁଟ) ଜମି ରହିଛି, କିନ୍ତୁ ସେଗୁଡ଼ିକ ଅଲଗା ଅଲଗା ଖଣ୍ଡରେ ବାଣ୍ଟି ହୋଇ ରହିଛି । ସେଥିପାଇଁ ସେ ବାର୍ଷିକ ୫,୦୦୦ ଟଙ୍କା ଭଡ଼ାରେ ତିନି କଟ୍ଠା ଜମି ନେଇଛନ୍ତି ଏବଂ ଭାଗ ଜମିରେ ପାନ ଚାଷ କରିବା ଲାଗି ୭୫,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ୪୦,୦୦୦ ଟଙ୍କା ଋଣ ଆଣିଛନ୍ତି। ଆସନ୍ତା ଆଠ ମାସ ପର୍ଯ୍ୟନ୍ତ ମାସିକ ୬,୦୦୦ ଟଙ୍କା ଲେଖାଏଁ ଦେଇ ସେ ଋଣ ପରିଶୋଧ କରିବେ। ସେପ୍ଟେମ୍ବର ୨୦୨୩ରେ ଆମ ସହ କଥା ହୋଇ ସେ କୁହନ୍ତି, ‘‘ବର୍ତ୍ତମାନ ସୁଦ୍ଧା ମୁଁ ମାତ୍ର ଦୁଇଟି କିସ୍ତିରେ ୧୨,୦୦୦ ଟଙ୍କା ସୁଝିପାରିଛି।
ଅଜୟଙ୍କ ପତ୍ନୀ ଗଙ୍ଗା ଦେବୀ (୪୦) ବେଳେବେଳେ କ୍ଷେତରେ ତାଙ୍କୁ ସହାୟତା କରିଥା’ନ୍ତି ଏବଂ ଅନ୍ୟ ଚାଷୀଙ୍କ କ୍ଷେତରେ ମଜୁରି ମଧ୍ୟ ଖଟନ୍ତି। ନିଜ ମଜୁରି କାମ ବିଷୟରେ ସେ କୁହନ୍ତି, ‘‘ଏହି କାମରେ କଠିନ ପରିଶ୍ରମ ଲାଗିଥାଏ, କିନ୍ତୁ ଆମେ ଦୈନିକ ମାତ୍ର ୨୦୦ ଟଙ୍କା ପାଉ।’’ ତାଙ୍କର ଚାରି ପିଲା - ନଅବର୍ଷର ଝିଅ ଏବଂ ୧୪, ୧୩ ଓ ୬ ବର୍ଷର ତିନି ପୁଅ ସମସ୍ତେ ଢେଉରୀରେ ଥିବା ସରକାରୀ ସ୍କୁଲରେ ପଢ଼ନ୍ତି ।
ଖରାପ ପାଣିପାଗ କାରଣରୁ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଅନ୍ୟ ଚାଷୀଙ୍କ ପାନ କ୍ଷେତରେ କାମ କରିବାକୁ ବାଧ୍ୟ ହେଉଛନ୍ତି, କାରଣ ସେମାନେ ଏହି ଫସଲ ବିଷୟରେ ଜାଣିଛନ୍ତି ।
*****
ମଗଧର ନାମାନୁସାରେ ମଗହୀ ପାନ ପତ୍ରର ନାମକରଣ ହୋଇଛି ଯେଉଁଠି ବିଶେଷ ଭାବେ ଏହି ପାନ ଚାଷ କରାଯାଏ। ବିହାରର ମଗଧ କ୍ଷେତ୍ରରେ ଦକ୍ଷିଣ ବିହାରର ଗୟା, ଔରଙ୍ଗାବାଦ, ନୱାଦା ଏବଂ ନାଳନ୍ଦା ଜିଲ୍ଲା ରହିଛି । ଚାଷୀ ରଞ୍ଜିତ ଚୌରାସିୟା କୁହନ୍ତି, ‘‘ମଗହୀ ଗଛର ପ୍ରଥମ ଚାରା ଏଠାରେ କେମିତି ପହଞ୍ଚିଲା କେହି ଜାଣନ୍ତି ନାହିଁ, କିନ୍ତୁ ଅନେକ ପିଢ଼ି ଧରି ସ୍ଥାନୀୟ ଅଞ୍ଚଳରେ ଏହି ଚାଷ ହୋଇ ଆସୁଛି। ଆମେ ଶୁଣିଛୁ ଯେ ପ୍ରଥମ ଚାରା ମାଲେସିୟାରୁ ଆସିଥିଲା।’’ ପାନ ପତ୍ରକୁ ନେଇ ରଞ୍ଜିତଙ୍କ ମନରେ ବିଶେଷ ଆଗ୍ରହ ରହିଛି ଏବଂ ସେ ହିଁ ପାନ ପତ୍ରର ଭୌଗଳିକ ସଙ୍କେତକ (ଜିଆଇ) ଟ୍ୟାଗ୍ ପାଇଁ ଆବେଦନ କରିଥିଲେ ।
ମଗହୀ ପାନ ପତ୍ର ଛୋଟ ପିଲାଙ୍କ ହାତ ପାପୁଲି ଆକାରର ହୋଇଥାଏ, ଅର୍ଥାତ୍ ୮ରୁ ୧୫ ସେଣ୍ଟିମିଟର ଲମ୍ବା ଏବଂ ୬.୬ରୁ ୧୨ ସେଣ୍ଟିମିଟର ଚଉଡ଼ା। ଛୁଇଁଲେ ବାସ୍ନା ଓ କୋମଳ ଅନୁଭବ ହେଉଥିବା ଏହି ପତ୍ରରେ ପ୍ରାୟତଃ କୌଣସି ଫାଇବର୍ ନଥାଏ, ତେଣୁ ପାଟିରେ ଖୁବ୍ ଶୀଘ୍ର ମିଳେଇ ଯାଏ। ଏହା ଏକ ବିଲକ୍ଷଣ ଗୁଣ, ଯାହା ଏହି ପାନପତ୍ରକୁ ଅନ୍ୟ ପ୍ରଜାତି ତୁଳନାରେ ଉନ୍ନତ କରିଥାଏ। ଏହାର ସ୍ଥାୟିତ୍ୱ ମଧ୍ୟ ଅଧିକ ହୋଇଥାଏ। ତୋଳିବା ପରେ ଏହାକୁ ୩-୪ ମାସ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବ।
ରଞ୍ଜିତ କୁହନ୍ତି, ‘‘ପତ୍ରଗୁଡ଼ିକୁ ଓଦା କପଡ଼ାରେ ଗୁଡ଼ାଇ ଥଣ୍ଡା ଜାଗାରେ ରଖିବାକୁ ହୁଏ। ତାହା ସଢ଼ି ଯାଇଛି କି ନାହିଁ ସବୁଦିନ ଯାଞ୍ଚ କରିବାକୁ ହୋଇଥାଏ। କୌଣସି ପତ୍ର ସଢ଼ି ଯାଇଥିଲେ ତାହାକୁ ତୁରନ୍ତ ବାହାର କରିବାକୁ ପଡ଼ିଥାଏ ନଚେତ୍ ତାହା ଅନ୍ୟ ପତ୍ରକୁ ମଧ୍ୟ ନଷ୍ଟ କରିଦେଇପାରେ।’’ ତାଙ୍କ ପକ୍କା ଘର ଚଟାଣରେ ବସି ସେ ପାନ ପତ୍ର ବାନ୍ଧୁଥିବାର ଆମେ ଦେଖୁ।
ସେ ୨୦୦ ପତ୍ରକୁ ଗୋଟିଏ ଉପରେ ଗୋଟିଏ ରଖନ୍ତି ଏବଂ ଡେମ୍ଫକୁ ଆରୀରେ କାଟି ଦିଅନ୍ତି। ଏହାପରେ ପତ୍ରଗୁଡ଼ିକୁ ସୂତାରେ ବାନ୍ଧି ସେଗୁଡ଼ିକୁ ବାଉଁଶ ଝୁଡ଼ିରେ ରଖନ୍ତି।
ଚାରା ଲଗାଇ ପାନ ଚାଷ କରାଯାଏ। କାରଣ ଏଥିରେ ଫୁଲ ହୁଏ ନାହିଁ ତେଣୁ ଏହାର ମଞ୍ଜି ମଧ୍ୟ ନଥାଏ। ରଞ୍ଜିତ ଚୌରାସିୟା କୁହନ୍ତି, ‘‘ଜଣେ ଚାଷୀଙ୍କ ଫସଲ ନଷ୍ଟ ହେଲେ ଅନ୍ୟ ଜଣେ ଚାଷୀ ତାଙ୍କୁ ପୁଣିଥରେ ଫସଲ କରିବା ଲାଗି ନିଜ ଉତ୍ପାଦିତ ଚାରା ଦେଇଥା’ନ୍ତି। ଆମେ ଏଥିପାଇଁ ପରସ୍ପର ଠାରୁ କେବେ ଟଙ୍କା ନେଇନଥାଉ।’’
ପାନ ଲଟା ବରେଜା ରେ ବଢ଼ିଥାଏ ଏବଂ ଗୋଟିଏ କଟ୍ଠା (ପ୍ରାୟ ୧,୩୬୧ ବର୍ଗଫୁଟ) ଜମିରେ ଗୋଟିଏ କଟ୍ଠା ବରେଜା ତିଆରି କରିବା ଲାଗି ପ୍ରାୟ ୩୦,୦୦୦ ଟଙ୍କା ଖର୍ଚ୍ଚ ହୁଏ। ଦୁଇ କଟ୍ଠା ପାଇଁ ଖର୍ଚ୍ଚ ପାଖାପାଖି ୪୫,୦୦୦ ଟଙ୍କା ଛୁଇଁଯାଏ। ମାଟିକୁ ଲମ୍ବା ଓ ଗହିରିଆ ନାଳ ଭଳି କରି ହଳ କରାଯାଏ ଏବଂ ଯେଉଁଠି ମାଟି ଜମା ହୋଇଯାଏ ସେଠାରେ ଚାରା ଲଗାଯାଏ ଯାହାଫଳରେ ପାଣି ମୂଳ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ, କାରଣ ମୂଳରେ ପାଣି ଜମା ହେଲେ ଚାରା ପଚି ଯିବାର ଆଶଙ୍କା ରହିଥାଏ।
ଗୋଟିଏ ବର୍ଷର ଜୀବନ କାଳ ମଧ୍ୟରେ ଗୋଟିଏ ମଗହୀ ପାନ ଗଛରୁ ଅତିକମରେ ୫୦ଟି ପତ୍ର ହୋଇଥାଏ। ସ୍ଥାନୀୟ ବଜାର କିମ୍ବା ଉତ୍ତରପ୍ରଦେଶ ବନାରସର ପାଇକାରୀ ମଣ୍ଡିରେ ଗୋଟିଏ ପତ୍ର ଏକ ଟଙ୍କା କିମ୍ବା ଦୁଇ ଟଙ୍କାରେ ବିକ୍ରି ହୁଏ। ବନାରସରେ ଦେଶର ସବୁଠୁ ବଡ଼ ପାନପତ୍ର ମଣ୍ଡି ଅଛି ।
୨୦୧୭ରେ ମଗହୀ ପାନ ପତ୍ରକୁ ଜିଆଇ ମାନ୍ୟତା ମିଳିଥିଲା। ମଗଧ ଭୌଗଳିକ କ୍ଷେତ୍ରର ୪୩୯ ହେକ୍ଟର ସ୍ଥାନରେ ସ୍ୱତନ୍ତ୍ର ଭାବେ ଉତ୍ପାଦିତ ହେଉଥିବା ପତ୍ର ପାଇଁ ଜିଆଇ ଟ୍ୟାଗ୍ ମିଳିଥିଲା। ଚାଷୀମାନେ ଜିଆଇ ଟ୍ୟାଗ୍ ପାଇଁ ଉତ୍ସାହିତ ଏବଂ ଆଶ୍ୱସ୍ତ ଅନୁଭବ କରୁଥିଲେ। ହେଲେ କିଛି ବର୍ଷ ବିତିଯିବା ପରେ ମଧ୍ୟ ଏହାର କୌଣସି ଲାଭ ମିଳୁନଥିବା ଚାଷୀମାନେ କୁହନ୍ତି। ରଞ୍ଜିତ ଚୌରାସିୟା କୁହନ୍ତି, ‘‘ସରକାର ମଗହୀର ପ୍ରଚାରପ୍ରସାର କରିବେ ବୋଲି ଆମେ ଆଶା କରୁଥିଲୁ। ଯାହାଦ୍ୱାରା ଅଧିକ ଚାହିଦା ସୃଷ୍ଟି ହେବ ଏବଂ ଆମକୁ ଭଲ ଦାମ୍ ମିଳିପାରିବ। ମାତ୍ର ସେପରି କିଛି ହେଲା ନାହିଁ।’’ ସେ ଆହୁରି କୁହନ୍ତି, ‘‘ଦୁଃଖର ବିଷୟ, ଜିଆଇ ଟ୍ୟାଗ୍ ମିଳିବା ପରେ ମଧ୍ୟ ସରକାର ପାନ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାକୁ ସରକାର ଚାଷ କାମ ବୋଲି ମଧ୍ୟ ଗ୍ରହଣ କରୁନାହାନ୍ତି।’’
ପାନ ପତ୍ର ଚାଷ ବିହାରରେ ଉଦ୍ୟାନ କୃଷି ଅଧୀନରେ ଆସିଥାଏ, ତେଣୁ ଚାଷୀଙ୍କୁ ଫସଲ ବୀମା ଭଳି କୃଷି ଯୋଜନାର କୌଣସି ଲାଭ ମିଳିନଥାଏ। ‘‘କେବଳ ଖରାପ ପାଗ କାରଣରୁ ଫସଲ ନଷ୍ଟ ହୋଇଗଲେ ଆମକୁ କ୍ଷତିପୂରଣ ଆକାରରେ ଯାହା ଲାଭ ମିଳିଥାଏ, କିନ୍ତୁ ଏହି କ୍ଷତିପୂରଣର ପରିମାଣ ହାସ୍ୟାସ୍ପଦ,’’ ରଞ୍ଜିତ ଚୌରାସିୟା କୁହନ୍ତି । ଗୋଟିଏ ହେକ୍ଟର (ପ୍ରାୟ ୭୯ କଟ୍ଠା) ପାଇଁ ତାଙ୍କୁ ମାତ୍ର ୧୦,୦୦୦ ଟଙ୍କାର କ୍ଷତିପୂରଣ ମିଳିଥିଲା। ‘‘ଯଦି ଆପଣ ଏହାକୁ ଗୋଟିଏ କଟ୍ଠା ଆକାରରେ ହିସାବ କରିବେ ତା’ହେଲେ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ କଟ୍ଠା ପାଇଁ ମାତ୍ର ୧୨୬ ଟଙ୍କା ମିଳିଥାଏ।’’ ଏଥିପାଇଁ ଚାଷୀଙ୍କୁ ବାରମ୍ବାର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିଥାଏ ସେଥିପାଇଁ ସେମାନେ ପ୍ରାୟତଃ କ୍ଷତିପୂରଣ ଦାବି କରନ୍ତି ନାହିଁ ବୋଲି ସେ କୁହନ୍ତି।
*****
୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ନିଜର ଫସଲ ହରାଇବା ପରେ ସୁନୀଲ ଓ ତାଙ୍କର ପତ୍ନୀ ଏବେ ଅନ୍ୟ ଚାଷୀଙ୍କ ବରେଜା ରେ କାମ କରୁଛନ୍ତି । ସେ କୁହନ୍ତି, ‘‘ଘର ଚଳାଇବା ପାଇଁ ମଜୁରି ଖଟିବାକୁ ପଡ଼ୁଛି। ପାନ ଚାଷ ଜମିରେ କାମ କରିବା ସହଜ କାରଣ ଆମେ ଆରମ୍ଭରୁ ଏହି କାମ କରି ଆସୁଛୁ, ସେଥିପାଇଁ ଆମେ ପାନ ଚାଷ ଜମିରେ ମଜୁରିଆ ଭାବେ କାମ କରୁଛୁ।’’ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରିବା ପରେ ସୁନୀଲ ଓ ତାଙ୍କ ପତ୍ନୀ କରୁଣା ଦେବୀ ଯଥାକ୍ରମେ ୩୦୦ ଏବଂ ୨୦୦ ଟଙ୍କାର ମଜୁରି ପାଆନ୍ତି । ଏହି ରୋଜଗାର ତାଙ୍କ ଛଅ ଜଣିଆ ପରିବାରର ପେଟ ପୋଷିଥାଏ, ଯେଉଁଥିରେ ୩ ବର୍ଷର ଗୋଟିଏ ଝିଅ ଏବଂ ଏକ, ପାଞ୍ଚ ଓ ସାତ ବର୍ଷର ତିନି ପୁଅ ଅଛନ୍ତି।
୨୦୨୦ରେ କୋଭିଡ୍-୧୯ ଲକଡାଉନ ଯୋଗୁ ମଧ୍ୟ କ୍ଷତି ହୋଇଥିଲା। ‘‘ଲକଡାଉନ ସମୟରେ ଗାଡ଼ିରୁ ବଜାର ପର୍ଯ୍ୟନ୍ତ ସବୁକିଛି ବନ୍ଦ ହୋଇଯାଇଥିଲା। ମୋ ପାଖରେ ଘରେ ୫୦୦ ଢୋଲି (୨୦୦ ପାନ ପତ୍ରର ବିଡ଼ା) ପାନ ଥିଲା। ମୁଁ ସେଗୁଡ଼ିକୁ ବିକ୍ରି କରିନପାରିବାକୁ ସବୁ ପଚିଗଲା,’’ ସେ କୁହନ୍ତି।
କରୁଣା ଦେବୀ କୁହନ୍ତି, ‘‘(ପାନ ପତ୍ର) ଚାଷ ଛାଡ଼ି ଦେବାକୁ
ମୁଁ ତାଙ୍କୁ ବାରମ୍ବାର କହିଥାଏ।’’ କିନ୍ତୁ ସୁନୀଲ ତାଙ୍କ ଚିନ୍ତାକୁ ଏହା କହି ଖଣ୍ଡନ କରିଥା’ନ୍ତି,
‘‘ଏହା ଆମ ପୂର୍ବ ପୁରୁଷଙ୍କ ପରମ୍ପରା। ଆମେ ଏହାକୁ କିପରି ଛାଡ଼ି ପାରିବୁ। ଆଉ ଛାଡ଼ି ଦେଲେ ଆମେ କରିବୁ
କ’ଣ?’’
ବିହାରର ଜଣେ ଶ୍ରମିକ ସଂଗଠନର ନେତାଙ୍କ ସ୍ମୃତିରେ ଜାରି ହେଉଥିବା ଏକ ଫେଲୋସିପ୍ ଅଧୀନରେ ଏହି କାହାଣୀ ଲେଖାଯାଇଛି, ଯିଏକି ରାଜ୍ୟରେ ଅବହେଳିତ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍