ପାକିସ୍ତାନ ସୀମାର ପାଖାପାଖି ୪ କିମି ଦୂରରେ ସମଶେର ସିଂ କାମ କରୁଥିବା ତା’ ଭାଇଙ୍କ ଗ୍ୟାରେଜ୍ରେ ଯନ୍ତ୍ରପାତି ତଦାରଖ କରୁଥିଲେ। ଗତ ତିନି ବର୍ଷ ହେଲା ଜଣେ ମେକାନିକ ଭାବେ କାମ କରୁଛନ୍ତି, କିନ୍ତୁ ଇଚ୍ଛାକରି ନୁହେଁ।
୩୫ ବର୍ଷ ବୟସ୍କ ସମଶେର ହେଉଛନ୍ତି ଭାରତ ଓ ପାକିସ୍ତାନ ମଝିରେ ଥିବା ଅଟ୍ଟାରି-ୱାଗା ସୀମାରେ କାମ କରୁଥିବା ଜଣେ ତୃତୀୟ ପିଢ଼ିର କୁଲି। ତାଙ୍କ ପରିବାର କାଗଜପତ୍ରରେ ଅନ୍ୟ ପଛୁଆ ବର୍ଗ ବା ଓବିସି ଭାବେ ଚିହ୍ନିତ ପ୍ରଜାପତି ସମୁଦାୟ ମଧ୍ୟରୁ ଗୋଟିଏ।
ପାକିସ୍ତାନକୁ ଲାଗି ରହିଥିବା ପଞ୍ଜାବର ଏହି ସୀମାଠାରେ ଶହଶହ ଟ୍ରକରେ ଭର୍ତ୍ତି ହୋଇ ସିମେଣ୍ଟ, ଜିପସମ୍ ଏବଂ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ଏକଦା ପ୍ରତିଦିନ ଭାରତକୁ ଆସିବା ପାଇଁ ଏଠାରେ ପହଞ୍ଚୁଥିଲା। ଠିକ୍ ସେହିଭଳି ଟ୍ରକ ଟ୍ରକ ଭର୍ତ୍ତି ବିଲାତି ବାଇଗଣ, ଅଦା, ରସୁଣ, ସୋୟାବିନ ନିଷ୍କର୍ସ ଓ ସୂତା ବଣ୍ଡଲ ତଥା ଅନ୍ୟାନ୍ୟ ସାମଗ୍ରୀ ଏହି ବାଟେ ଭାରତରୁ ପାକିସ୍ତାନ ଭିତରକୁ ପଠା ଯାଉଥିଲା।
ସମଶେର ହେଲେ ପ୍ରାୟ ଦେଢ଼ହଜାର କୁଲିମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କ କାମ ଥିଲା “ସୀମା ପାର କରି ଆଗକୁ ଯାଉଥିବା ଟ୍ରକଗୁଡ଼ିକରେ ସାମଗ୍ରୀସବୁକୁ ଚଢ଼େଇବା ଓ ଓହ୍ଲାଇବା”। ସେହି ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା କାରଖାନା ନାହିଁ, ଅଟ୍ଟାରି-ୱାଗା ସୀମାଠାରୁ ପ୍ରାୟ ୨୦ କିମି ବ୍ୟାସ ପରିମିତ ଅଞ୍ଚଳ ଅନ୍ତର୍ଗତ ଗାଁଗୁଡ଼ିକରେ ରହୁଥିବା ଭୂମିହୀନ ଲୋକମାନେ ସେମାନଙ୍କର ଜୀବିକା ପାଇଁ ଏହି ସୀମାପାର ବାଣିଜ୍ୟ ଉପରେ ନିର୍ଭର କରନ୍ତି।
୨୦୧୯ ରେ ଯେତେବେଳେ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସୁରକ୍ଷାବାହିନୀର ସୈନିକ ନିହତ ହେଲେ ନୂଆ ଦିଲ୍ଲୀ ସେଥିପାଇଁ ଇସାଲାମାବାଦକୁ ଦାୟୀ କଲା। ଏହା ପରେ ପରେ ପାକିସ୍ତାନକୁ ଦିଆ ଯାଇଥିବା ବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ଅନୁକୂଳଯୁକ୍ତ ଦେଶ ବା ‘ମୋଷ୍ଟ ଫେବର୍ଡ ନେସନ’ (ଏମଏଫଏନ) ସ୍ୱୀକୃତିକୁ ଭାରତ ଓହରାଇ ନେଲା ଓ ସେଠାରୁ ଆମଦାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ସୀମା ଶୁଳ୍କ ଲାଗୁ କଲା। ଏହାର ପ୍ରତିବାଦ ସ୍ଵରୂପ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଯୋଗୁଁ ଉପୁଜିଥିବା ଅବସ୍ଥାରେ ପାକିସ୍ତାନ ବାଣିଜ୍ୟ ପ୍ରତିବନ୍ଧକ ଲଗାଇଲା।
୨୦୨୦ ରେ ବ୍ୟୁରୋ ଅଫ ରିସର୍ଚ୍ଚ ଅନ ଇଣ୍ଡଷ୍ଟ୍ରୀ ଆଣ୍ଡ ଇକୋନୋମିକ ଫଣ୍ଡାମେଣ୍ଟାଲସ (ବ୍ରିଫ) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି ଯେ ସୀମା ନିକଟବର୍ତ୍ତୀ ଗାଁଗୁଡ଼ିକରେ ରହୁଥିବା କୁଲିମାନେ ଓ ଅମୃତସର ଜିଲ୍ଲାର ୯୦୦୦ ପରିବାରର ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଅମୃତସରରେ କାମ କରିବାକୁ ହେଲେ ୩୦ କିମି ବସ୍ରେ ଯିବା ଆସିବାକୁ ପଡ଼ିବ - ସେଥିପାଇଁ ୧୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ହେବ। ଶ୍ରମଜୀବୀ ଭାବେ ସେଠାରେ ଦିନକୁ ୩୦୦ ମିଳୁଥିବାରୁ ସମଶେର କହେ, “ଦିନକୁ ମାତ୍ର ୨୦୦ ଟଙ୍କା ଘରକୁ ଆଣିବାର ମାନେ କ’ଣ ହେବ?”
ଶହଶହ କିମି ଦୂରରେ ଥିବା ଦିଲ୍ଲୀଠାରେ କୂଟନୈତିକ ନିଷ୍ପତ୍ତି ନିଆଯାଏ ଓ ଏହି କୁଲିମାନେ ଭାବନ୍ତି ଯେ ସରକାର ସେମାନଙ୍କ କଥା ଶୁଣୁ ନାହାନ୍ତି, ତେଣୁ ସେମାନଙ୍କ ଅଞ୍ଚଳର ସାଂସଦଙ୍କ ମାର୍ଫତରେ ହୁଏତ ସେମାନଙ୍କ ଦାବିକୁ ସେଠାରେ ଦୃଢ଼ ଭାବେ ଶୁଣାଇ ହେବ। ତା’ ସହିତ ସେହି ସାଂସଦ ସୀମା ଖୋଲିବା ଦିଗରେ ପଦକ୍ଷେପ ନେଲେ ସେମାନେ କାମ ଫେରି ପାଇବେ।
ଏବେ ସୀମାଠାରେ କେତେକ ଋତୁରେ କାମ ମିଳୁଛି, ଯେତେବେଳେ ଆଫଗାନିସ୍ତାନରୁ ଫସଲ ନେଇ ଟ୍ରକ ସବୁ ଆସେ। ସମଶେର କହନ୍ତି କି ସେତେବେଳେ ଅଧିକ ବୟସ୍କ କୁଲିଙ୍କୁ କାମ ଦିଆଯାଏ, ଯେଉଁମାନଙ୍କ ପାଇଁ କାମ ଖୋଜି ପାଇବା କଷ୍ଟକର।
ଏଠାକାର କୁଲିମାନେ ଜାଣିଛନ୍ତି ଯେ ପ୍ରତିଶୋଧ ନେବା ମନୋଭାବରେ ସୀମାକୁ ବନ୍ଦ କରାଯାଇଛି। “ପର ଜେଦା ଏଥେ ୧୫୦୦ ବନ୍ଦେ ଆଉନା ଦା ଦେ ଚୁଲେ ଥଣ୍ଡା କରନ ଲାଗେ ଶୌ ବାରି ଶୋଚନା ଚାହିଦା [କିନ୍ତୁ ସେମାନେ ବି ଭାବିବା ଦରକାର ଥିଲା ଯେ କେମିତି ସେମାନଙ୍କ ଯୋଗୁଁ କେତେ ପରିବାରରେ ଚୁଲିରେ ଆଉ ନିଆଁ ଜଳୁନି]”, କହନ୍ତି ସମଶେର।
ପାଞ୍ଚ ବର୍ଷ ହେଲା ଏହି କୁଲିମାନେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଯାଚିକା ଦେଇ ଆସୁଛନ୍ତି, କିନ୍ତୁ ସେଥିରୁ କୌଣସି ଲାଭ ମିଳୁନାହିଁ। ସୀମା ପୁଣି ଖୋଲିବାକୁ ଗତ ପାଞ୍ଚ ବର୍ଷ ହେଲାଣି ରାଜ୍ୟ ଓ କେନ୍ଦ୍ରର ଏମିତି କୌଣସି ସରକାର ନାହିଁ ଯାହାଙ୍କୁ ଆମେ ଆମ ଦାବିପତ୍ର ଦେଇ ନାହୁଁ,” ସେ ପୁଣି ଯୋଗ କରି କହନ୍ତି।
କୌଙ୍କେ ଗାଁର ଜଣେ ଦଳିତ ବର୍ଗର କୁଲି ସୂଚା ସିଂହ କହନ୍ତି, “ବର୍ତ୍ତମାନ ଅମୃତସରର ଏମପି ଥିବା ଗୁରଜିତ ସିଂ ଔଜଲା ହେଉଛନ୍ତି କଂଗ୍ରେସ ଦଳର ଏବଂ ପାର୍ଲିଆମେଣ୍ଟରେ ମୋଦି ସରକାରକୁ ସ୍ଥାନୀୟ ଲୋକଙ୍କ ଜୀବିକା ଅର୍ଜନ ନିମନ୍ତେ ସୀମାକୁ ଖୋଲିବା ପାଇଁ ବହୁତ ଥର କହିଲେଣି। କିନ୍ତୁ ତାଙ୍କ ଦଳ କେନ୍ଦ୍ରରେ କ୍ଷମତାରେ ନଥିବାରୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି”।
କୁଲି କାମ ବନ୍ଦ ହେଇଯିବାରୁ ଦଳିତ ବର୍ଗର ୫୫ ବର୍ଷ ବୟସ୍କ ମଜ୍ବି ଶିଖ୍ ତାଙ୍କ ପୁଅ ସାଙ୍ଗରେ ମିଶି ରାଜମିସ୍ତ୍ରୀ କାମ କରୁଛନ୍ତି ଓ ଦିନକୁ ପାଖାପାଖି ୩୦୦ ଟଙ୍କା ରୋଜଗାର କରୁଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ସମସ୍ତଙ୍କର ମିଳିତ ସହମତି ଲକ୍ଷ କରିବାର କଥା। “ଆମେ ଚାହୁଁଥିଲୁ ଏହି ନିର୍ବାଚନରେ ନୋଟାରେ ଭୋଟ ଦେବାକୁ, କିନ୍ତୁ (କୁଲି ଭାବେ) ଆମ ଜୀବିକା ଅର୍ଜନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି। ବିଜେପିକୁ ଭୋଟ ଦେବାକୁ ଆମେ ଆଦୌ ଚାହୁଁ ନାହୁଁ, କିନ୍ତୁ ଏହା ଦରକାର ପାଲଟିଛି”।
ଜୁନ ୪, ୨୦୨୪ ରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ଗୁରଜିତ ସିଂ ଔଜଲା ଏହି ଆସନରେ ପୁଣି ବିଜୟ ଲାଭ କରିଛନ୍ତି। ସୀମା ରାଜନୀତିରେ ଏଥର ସେ କୌଣସି ପ୍ରଭାବ ପକାଇ ପାରିବେ କି ନାହିଁ ଦେଖିବା କଥା।
ଅନୁବାଦ: ଓଡ଼ିଶାଲାଇଭ୍