କୋଚରେ ଗାଁରେ ଥିବା ସନ୍ତୋଷ ହଳଦଣକରଙ୍କ ବଗିଚା ଏକଦା ୫୦୦ ହାପୁସ (ଆଲଫୋନ୍ସୋ ଆମ୍ବ) ଗଛର ଘଞ୍ଚ ସବୁଜିମା ଓ ମିଠା ଫଳରେ ଭର୍ତ୍ତି ହୋଇ ରହିଥିଲା। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ଅନୁର୍ବର ହୋଇପଡ଼ିଛି।
ଅଦିନିଆ ବର୍ଷା ଏବଂ ହଠାତ ତାପମାତ୍ରା ହ୍ରାସବୃଦ୍ଧି କାରଣରୁ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଆଲଫୋନ୍ସୋ ଆମ୍ବ (ମ୍ୟାଙ୍ଗିଫେରା ଇଣ୍ଡିକା ଏଲ) ଚାଷୀଙ୍କ ଉତ୍ପାଦନ ହ୍ରାସ ପାଇଛି। କୋହ୍ଲାପୁର ଏବଂ ସାଙ୍ଗଲୀ ବଜାରକୁ ବିକ୍ରି ପାଇଁ ଯାଉଥିବା ଆମ୍ବ ବହୁ ପରିମାଣରେ କମିଯାଇଛି।
‘‘ଗତ ତିନି ବର୍ଷର ଅବଧି ବେଶ୍ ସମସ୍ୟାବହୁଳ ହୋଇ ରହିଆସିଛି। ଆମ ଗାଁରୁ ୧୦-୧୨ଟି ଗାଡ଼ିରେ ଭର୍ତ୍ତି ଆମ୍ବ ଆମେ ବଜାରକୁ ବିକ୍ରି କରିବାକୁ ନେଉଥିଲୁ। ଏବେ ମାତ୍ର ଗୋଟିଏ ଗାଡ଼ି ଯାଉଛି,’’ ଗୋଟିଏ ଦଶନ୍ଧ ଧରି ଆଲଫୋନ୍ସୋ ଚାଷ କରୁଥିବା ସନ୍ତୋଷ କୁହନ୍ତି।
ସିନ୍ଧୁଦୁର୍ଗ ଜିଲ୍ଲାର ଭେଙ୍ଗୁର୍ଲା ବ୍ଲକରେ ଏହି ଆମ୍ବ ତିନୋଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦିତ ସାମଗ୍ରୀ ମଧ୍ୟରେ ଅନ୍ୟତମ ଥିଲା (୨୦୧୧ ଜନଗଣନା)। ପାଣିପାଗ ଅସ୍ଥିରତାର କୁପ୍ରଭାବ କାରଣରୁ ବ୍ଲକରେ ଆଲଫୋନ୍ସୋ ବଗିଚା ଗୁରୁତର ଭାବେ ପ୍ରଭାବିତ ହୋଇଛି। ହାରାହାରୀ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ୧୦ ପ୍ରତିଶତ ସୁଦ୍ଧା ଉତ୍ପାଦନ ହୋଇନାହିଁ ବୋଲି ଏହି ଚାଷୀ ଜଣଙ୍କ କହିଥାନ୍ତି।
‘‘ବିଗତ ୨-୩ବର୍ଷରେ ଜଳବାୟୁ ପରିବର୍ତ୍ତନ କାରଣରୁ ଅନେକ କ୍ଷତି ହୋଇଛି,’’ ବୋଲି ମହିଳା ଚାଷୀ ସ୍ୱରା ହଳଦଣକର କୁହନ୍ତି। ପାଣିପାଗ ବଦଳିବା କାରଣରୁ ନୂଆ କୀଟଙ୍କ ସଂକ୍ରମଣ ବୃଦ୍ଧି ପାଇଛି। ଥ୍ରୀପ୍ସ ଓ ଜେସିଡ୍ସ (ଯେଉଁମାନଙ୍କୁ ମ୍ୟାଙ୍ଗୋ ହପର ମଧ୍ୟ କୁହାଯାଏ) ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛନ୍ତି ବୋଲି ସେ କହିଥାନ୍ତି।
ଚାଷୀ ଓ କୃଷି ବିଜ୍ଞାନରେ ସ୍ନାତକ ନିଲେଶ ପରମ ଆମ୍ବ ଉପରେ ଥ୍ରୀପ୍ସର ପ୍ରଭାବକୁ ନେଇ ଅଧ୍ୟୟନ କରୁଛନ୍ତି ଏବଂ ସେ ଜାଣିବାକୁ ପାଇଛନ୍ତି ଯେ ‘‘ବର୍ତ୍ତମାନ ଉପଲବ୍ଧ ଥିବା କୌଣସି କୀଟନାଶକ ଏହା ଉପରେ କାମ କରିପାରୁନାହିଁ।’’
ଅମଳ କମିବା ଏବଂ ଲାଭ ମିଳୁନଥିବା କାରଣରୁ ସନ୍ତୋଷ ଓ ସ୍ୱରାଙ୍କ ଭଳି ଚାଷୀମାନେ ଏବେ ଚାହୁଁନାହାନ୍ତି ଯେ ସେମାନଙ୍କ ପିଲାମାନେ ମଧ୍ୟ ଏହି କାମ କରନ୍ତୁ। ‘‘ଆମ୍ବର ବଜାର ଦର ଖୁବ କମ୍ ରହିଛି, ବେପାରୀ ଆମକୁ ଠକୁଛନ୍ତି। ଆମେ ଏତେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଆମର ସବୁ ରୋଜଗାର ଧୂଆଁ ଦେବା ଏବଂ ଶ୍ରମିକଙ୍କ ମଜୁରୀରେ ଖର୍ଚ୍ଚ ହୋଇଯାଉଛି,’’ ସ୍ୱରା କୁହନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍