‘‘ମୁଁ … ମୁଁ …’’ ଅନ୍ୟମାନଙ୍କ ମଧ୍ୟରୁ କେହି ମୋ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଅମନ ମହମ୍ମଦ ମୋ ପ୍ରଶ୍ନର ଉତ୍ତର ଦେବାକୁ ଆଗ୍ରହୀ ଥିଲେ। ମୁଁ ବିନାୟକ ଚଭିଥି ନିମନ୍ତେ ଚଳିତବର୍ଷର ପେଣ୍ଡାଲ୍ର ମୁଖ୍ୟ ଆୟୋଜକଙ୍କ ସମ୍ପର୍କରେ ୧୨ କିମ୍ବା ଏହାଠାରୁ ଅଧିକ ଛୋଟ ପିଲାମାନଙ୍କର ଗୋଟିଏ ଗୋଷ୍ଠୀକୁ ପ୍ରଶ୍ନ କରିଥିଲି। ଏହି ଗୋଷ୍ଠୀରେ ସବୁଠାରୁ ବଡ଼ ଥିବା ଟି. ରାଗିଣୀ କହିଥିଲେ, ‘‘ସେ ନିଜେ ଏକୁଟିଆ ୨,୦୦୦ ଟଙ୍କା ସଂଗ୍ରହ କରିଥିଲା।’’ ତେଣୁ ଅମନଙ୍କ ଦାବି ଉପରେ କେହି ପ୍ରଶ୍ନ ଉଠାଇ ନଥିଲେ।
ତାଙ୍କର ଆଦାୟ ଏହି ବର୍ଷ ସବୁଠାରୁ ଅଧିକ ଥିଲା: ପେଣ୍ଡାଲ୍ ଆୟୋଜକମାନଙ୍କର ଏହି ଗୋଷ୍ଠୀ ଦ୍ୱାରା ଆଦାୟ କରାଯାଇଥିବା ୩,୦୦୦ ଟଙ୍କାର ଏହା ଦୁଇ-ତୃତୀୟାଂଶ ଥିଲା। ସେମାନେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର ସାଇନଗର ଅଞ୍ଚଳରେ ତାଙ୍କ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକରୁ ଏହି ଦାନ ସଂଗ୍ରହ କରିଥିଲେ।
ଅମନ ମୋତେ କହିଥିଲେ ଏହା ତାଙ୍କର ପ୍ରିୟ ପର୍ବ। ମୁଁ ଆଶ୍ଚର୍ଯ୍ୟ ହୋଇନଥିଲି।
ସାଇନଗରରେ ବିନାୟକ ଚଭିଥି ଉତ୍ସବ ପାଳନ ଶେଷ ହେବାର କେଇ ସପ୍ତାହ ପରେ ୨୦୧୮ର ଏକ ରବିବାର ଚାରି ଜଣ ଛୋଟ ପିଲା ମିଛିମିଛିକା ଅଭିନୟ ଖେଳ ଖେଳୁଥିବାର ମୁଁ ଦେଖିଥିଲି। ତେଣୁ ମୁଁ ଫଟୋଗୁଡ଼ିକ ନେଲି। ଏହି ଖେଳ ପିଲାମାନଙ୍କର ଏକ ପ୍ରିୟ ଖେଳ ‘ ଆଭା ଆପ୍ପାଚି ’ର ଏକ ପରିବର୍ତ୍ତିତ ରୂପ ଥିଲା। ବାଳକଟି ବିନାୟକ ଚଭିଥିରେ ଯେଉଁ ହିନ୍ଦୁ ଦେବତାଙ୍କର ଜନ୍ମଦିନ ପାଳନ କରାଯାଇଥିଲା, ତାଙ୍କର ଅଭିନୟ କରୁଥିଲା। ଦୁଇଜଣ ଅନ୍ୟ ପିଲା ଗଣେଶ ନିମର୍ଜନମ୍ ବା ଭଗବାନଙ୍କ ମୂର୍ତ୍ତି ବିସର୍ଜନର ଅଭିନୟ କରି ତାଙ୍କୁ ଶେଷରେ ତଳେ ବସାଇବା ପାଇଁ ଚାରିପଟେ ବୁଲାଉଥିଲେ।
ଏହି ଛୋଟ ଗଣେଶ ଥିଲେ ଅମନ ମହମ୍ମଦ। ବର୍ତ୍ତମାନ ତାଙ୍କ ବୟସ ୧୧, ସେ ଉପରେ ଥିବା ପ୍ରଚ୍ଛଦ ଫଟୋରେ ପ୍ରଥମ ଧାଡ଼ି (ଏକଦମ୍ ବାମରେ)ରେ ବସିଥିବା ବାଳକ।
ଚଳିତବର୍ଷ ଅଗଷ୍ଟ ମାସରେ ବିନାୟକ ଚଭିଥି ପାଳନ ନିମନ୍ତେ ଅମନ ଏବଂ ତାଙ୍କ ସାଙ୍ଗମାନେ ଗୋଟିଏ ପେଣ୍ଡାଲ୍ରେ ୨x୨ ଫୁଟ ଆକାରର ଭଗବାନଙ୍କ ମୂର୍ତ୍ତି ସ୍ଥାପିତ କରିଥିଲେ – ବୋଧହୁଏ ଏହା ଅନନ୍ତପୁରରେ ସବୁଠାରୁ ଛୋଟ ଥିଲା। ମୁଁ ସେମାନଙ୍କ ପେଣ୍ଡାଲ୍ର ଫଟୋ ଉଠାଇବା ପୂର୍ବରୁ ଏହା ସରି ଯାଇଥିଲା। ପିଲାମାନେ ମୋତେ କହିଥିଲେ ଯେ ସେମାନେ ଏହି ମୂର୍ତ୍ତି ଟ. ୧,୦୦୦ରେ କିଣିଥିଲେ, ଅବଶିଷ୍ଟ ଟ. ୨,୦୦୦ ଏହାକୁ ତିଆରି କରିବା ଓ ସଜାଇବାରେ ଖର୍ଚ୍ଚ ହୋଇଥିଲା। ଏହା ସାଇନଗରର ତୃତୀୟ ଛକରେ ଦରଘାର ଠିକ୍ କଡ଼ରେ ତିଆରି ହୋଇଥିଲା।
ଏଠାରେ ଥିବା ଏହି ଶ୍ରମିକ ଶ୍ରେଣୀର ବସ୍ତିରେ ପିଲାମାନେ ସେମାନଙ୍କ ମନେରହିବା ଦିନରୁ ଏହି ପର୍ବ ପାଳନ କରିଆସୁଛନ୍ତି। ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଅଧିକାଂଶ ଦିନମଜୁରିଆ ଶ୍ରମିକ ଏବଂ ଘରୋଇ ସହାୟିକା କିମ୍ବା ସହରରେ ମଜୁରୀରେ କାମ କରନ୍ତି- ସେମାନେ ମଧ୍ୟ ପିଲାମାନଙ୍କର ବିନାୟକ ଚଭିଥି ଉତ୍ସବ ପାଇଁ ଯୋଗଦାନ ଦିଅନ୍ତି। ଏହି ପେଣ୍ଡାଲ୍ ଆୟୋଜକମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ହେଉଛନ୍ତି ୧୪ ବର୍ଷ ବୟସର ଏବଂ ସବୁଠାରୁ ସାନ ହେଉଛନ୍ତି ୫ ବର୍ଷ ବୟସର।
୧୪ ବର୍ଷ ବୟସ୍କ ରାଗିଣୀ କହନ୍ତି, ‘‘ଆମେ ଉଭୟ ବିନାୟକ ଚଭିଥି ଏବଂ ପିର୍ଲା ପାଣ୍ଡଗା [ରାୟଲସୀମା ଅଞ୍ଚଳରେ ମହରମ] ପାଳନ କରୁ।’’ ପିଲାମାନଙ୍କ ଦୃଷ୍ଟିକୋଣରେ ମହରମ ଏବଂ ବିନାୟକ ଚଭିଥି ପ୍ରାୟ ଏକା ପରି। ଉଭୟ ପର୍ବରେ ଗୋଟିଏ ପେଣ୍ଡାଲ୍ ହେଉଛି ମୁଖ୍ୟ ସ୍ଥାନ ଏବଂ ପିଲାମାନଙ୍କୁ ଏଥିପାଇଁ ଟଙ୍କା ଆଦାୟ କରିବାକୁ ଅନୁମତି ଦିଆଯାଏ। ସେମାନେ ଆଦାୟ କରିଥିବା ଅର୍ଥକୁ ଏକତ୍ର କରି ମୂଳରୁ ଏହାକୁ ଗଢ଼ନ୍ତି। ୧୧ ବର୍ଷ ବୟସ୍କ ଏସ୍. ସାନା କହିଥିଲେ, ‘‘କେମିତି ଘର ତିଆରି କରାଯିବ ସେଥିପାଇଁ ଆମେ ୟୁଟ୍ୟୁବ୍ ଦେଖିଥିଲୁ। ମୁଁ ମାଟି ଆଣିବାରେ ସାହାଯ୍ୟ କରିଥିଲି। ଆମେ ବାଡ଼ି ଏବଂ ଟ୍ୱାଇନେପୁରି [ଝୋଟ ସୂତୁଲି] ଦ୍ୱାରା ପେଣ୍ଡାଲ୍ ତିଆରି କଲୁ। ଏହାକୁ ଘୋଡ଼ାଇବା ପାଇଁ ଆମେ ଏକ ଚାଦର ପକାଇଲୁ ଏବଂ ତା’ ପରେ ଭିତରେ ଆମ ବିନାୟକୁଡ଼ୁ[ଭଗବାନଙ୍କ ମୂର୍ତ୍ତି]ଙ୍କୁ ବସାଇଲୁ।’’
ଏହି ଗୋଷ୍ଠୀର ସବୁଠାରୁ ବଡ଼ ହେଉଛନ୍ତି ରାଗିଣୀ ଏବଂ ଇମ୍ରାନ (ସେ ମଧ୍ୟ ୧୪ ବର୍ଷର), ସେମାନେ ପାଳି କରି ପେଣ୍ଡାଲ୍ ର ଦେଖାଶୁଣା କରୁଥିଲେ। ସାତ ବର୍ଷ ବୟସ୍କ ଏସ୍. ଚାନ୍ଦ ବାଶା କହିଥିଲେ, ‘‘ମୁଁ ମଧ୍ୟ ଏହାର ଦେଖାଶୁଣା କରୁଥିଲି। ମୁଁ ନିୟମିତ ଭାବରେ ସ୍କୁଲ୍ ଯାଏନି। ମୁଁ କିଛି ଦିନ ଯାଏ ଏବଂ କିଛି ଦିନ ଯାଏନି। ତେଣୁ ମୁଁ ଏହାଙ୍କର [ବିନାୟକ ମୂର୍ତ୍ତି] ଦେଖାଶୁଣା କରୁଥିଲି।’’ ପିଲାମାନେ ମଧ୍ୟ ପୂଜା କରନ୍ତି ଓ ପେଣ୍ଡାଲ୍କୁ ଆସୁଥିବା ଦେଖଣାହାରୀଙ୍କୁ ପ୍ରସାଦମ୍ ଦିଅନ୍ତି। ସାଧାରଣତଃ ଏହି ପିଲାମାନଙ୍କ ମଧ୍ୟରୁ ଜଣକର ମାଆ ପ୍ରସାଦମ୍ ବା ମହକଯୁକ୍ତ ଖଟା ଭାତ ରାନ୍ଧନ୍ତି।
ଯେହେତୁ ଅନନ୍ତପୁରର ବିଭିନ୍ନ ଶ୍ରମିକ ଶ୍ରେଣୀ ଅଞ୍ଚଳରେ ଏକ ପ୍ରିୟ ପର୍ବ ହୋଇଥିବାରୁ ଏହାର ଆନନ୍ଦ ଆଉ କେତେ ସପ୍ତାହ ପର୍ଯ୍ୟନ୍ତ ଲାଗି ରୁହେ। ପିଲାମାନେ ମାଟିର ଦେବାଦେବୀ ମୂର୍ତ୍ତି ତିଆରି କରନ୍ତି ଏବଂ କାଠ ଏବଂ ବାଉଁଶ ଖଣ୍ଡରେ ଛୋଟ ପେଣ୍ଡାଲ୍ ତିଆରି କରନ୍ତି; ସେମାନଙ୍କ ଘରୁ ବିଛଣା ଚାଦର ଏବଂ ସେମାନେ ପାଉଥିବା ଅନ୍ୟ ଅଦରକାରୀ ଜିନିଷ ଆଣନ୍ତି ଏବଂ ସେମାନେ ପୁଣି ସେମାନଙ୍କର ପ୍ରିୟ ପର୍ବର ଅଭିନୟ କରନ୍ତି। ବିଶେଷକରି ଚଭିଥି ପରେ ଯେତେବେଳେ ସ୍କୁଲ୍ର ଛୁଟି ଦିନ ପଡ଼େ।
ମିଛିମିଛିକା ଅଭିନୟ ଖେଳ ସହରର ଗରିବ ଅଞ୍ଚଳଗୁଡ଼ିକରେ ଖୁବ୍ ପ୍ରିୟ, ଯେଉଁଠାରେ କଳ୍ପନା ପିଲାମାନଙ୍କୁ ସମ୍ବଳର ଅଭାବକୁ ଅତିକ୍ରମ କରିବାରେ ସାହାଯ୍ୟ କରେ। ମୁଁ ଥରେ ଜଣେ ପିଲା ଗୋଟିଏ ବାଡ଼ି ଧରି ‘ରେଳ ଫାଟକ’ ଖେଳୁଥିବାର ଦେଖିଥିଲି, ଗାଡ଼ିଟିଏ ଅତିକ୍ରମ କଲାବେଳେ ସେ ପ୍ରତ୍ୟେକ ଥର ଏହା ଉଠାଉଥିଲା। ବିନାୟକ ଚଭିଥି ପରେ ହାତୀମୁଣ୍ଡିଆ ଦେବତା ଗଣେଶ ଏହିସବୁ ଖେଳ ମଧ୍ୟରୁ ଅନେକରେ ସ୍ଥାନ ପାଆନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍