“ନା, ଆମମାନଙ୍କୁ ଏହି କର୍ଫ୍ୟୁରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଆମେ ଗୋଟିଏ ଦିନ ମଧ୍ୟ ଛୁଟିରେ ରହିଲେ ଚଳିବନି । ଯାହାହେଲେ ମଧ୍ୟ ଲୋକମାନେ ସୁରକ୍ଷିତ ରହିବା ଜରୁରୀ ଅଟେ ଓ ସେଥିପାଇଁ ଆମକୁ ସବୁବେଳେ ସହରକୁ ସଫା କରିବାକୁ ହେବ, ବୋଲି ଚେନ୍ନାଇ ସ୍ଥିତ ଥାଉଜେଣ୍ଡ ଲାଇଟ୍ ଅଞ୍ଚଳର ସଫେଇ କର୍ମଚାରୀ ଦୀପିକା କୁହନ୍ତି ।
ମାର୍ଚ୍ଚ ୨୨ରେ, ସମସ୍ତ ଦେଶବାସୀ ‘ଜନତା କର୍ଫ୍ୟୁ’ କାରଣରୁ ଘରେ ରହିଥିଲେ – ନିଶ୍ଚିତ ଭାବେ କେବଳ ସନ୍ଧ୍ୟା ୫ଟାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ‘କୃତଜ୍ଞତା’ ଜଣେଇବା ପାଇଁ ବାହାରେ ଜମିଥିବା ଭିଡକୁ ଛାଡି । ଯେଉଁମାନଙ୍କୁ କୃତଜ୍ଞତା ଜଣାଗଲା ସେମାନଙ୍କ ମଧ୍ୟରେ ସମ୍ଭବତଃ ସଫେଇ କର୍ମଚାରୀମାନଙ୍କୁ ମଧ୍ୟ ସାମିଲ୍ କରାଯିବା କଥା, ହେଲେ ସେମାନେ ସେଦିନ ଦିନସାରା କାମ କରିଥିଲେ, ଝାଡୁ କରିଥିଲେ, ମେଟ୍ରୋକୁ ସଫା କରିଥିଲେ । “ପୂର୍ବ ତୁଳନାରେ ବର୍ତ୍ତମାନ ଆମ ସେବାର ଅଧିକ ଆବଶ୍ୟକତା ରହିଛି,” ବୋଲି ଦୀପିକା କୁହନ୍ତୁ । “ଆମକୁ ରାସ୍ତାରୁ ଭୂତାଣୁକୁ ପୋଛି ବାହାର କରିବାକୁ ହେବ” ।
ଅନ୍ୟ ସାଧାରଣ ଦିନ ଭଳି, ଦୀପିକା ଓ ଅନ୍ୟମାନେ କୌଣସି ସୁରକ୍ଷା ପ୍ରଦାନକାରୀ ପୋଷାକ ନପିନ୍ଧି ସଫେଇ କାମ କରୁଥିଲେ । ପୂର୍ବରୁ ଏଠାରେ ଅନେକ ଅସୁବିଧା ରହିଥିଲେ ମଧ୍ୟ ଏବେ ପରିସ୍ଥିତି ଅତି ଶୋଚନୀୟ ହୋଇଯାଇଛି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାମରେ ପହଞ୍ଚିବାକୁ ଥିଲା, ଆବର୍ଜନା ପରିବହନ କରିବା ପାଇଁ ଉଦିଷ୍ଟ ଗାଡିରେ ଅତି କଷ୍ଟରେ ଚଢି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ଅନେକ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡିଥିଲା । “ମାର୍ଚ୍ଚ ୨୨ରେ, ମୋତେ ସାଧାରଣ ଦିନ ତୁଳନାରେ ଅଧିକ ରାସ୍ତା ପରିଷ୍କାର କରିବାକୁ ପଡିଥିଲା, ଯେହେତୁ ସେହିଦିନ ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ମୋର ସହକର୍ମୀମାନେ ଆସିପାରିନଥିଲେ” ବୋଲି ଦୀପିକା କୁହନ୍ତି ।
ଏହି ଫଟୋଗ୍ରାଫ୍ଗୁଡିକରେ ଥିବା ଅଧିକାଂଶ ମହିଳା ହେଉଛନ୍ତି କେନ୍ଦ୍ର ଓ ଦକ୍ଷିଣ ଚେନ୍ନାଇର, ଯେପରିକି ଥାଉଜେଣ୍ଡ ଲାଇଟ୍ସ ଓ ଅଲ୍ୱର୍ପେଟ୍ ଓ ଆନ୍ନା ସଲାଇର କିଛି ସ୍ଥାନ । ମହିଳାମାନଙ୍କୁ ସେମାନଙ୍କ ଘର ଯାହା ମୁଖ୍ୟତଃ ଉତ୍ତର ଚେନ୍ନାଇରେ ଅବସ୍ଥିତ, ସେଠାରୁ ଯାତ୍ରା ଆରମ୍ଭ କରି ଏହି ସ୍ଥାନଗୁଡିକରେ ପହଞ୍ଚିବାକୁ ଥିଲା ।
ଏହା ହେଉଛି ଏକ ଅଦ୍ଭୁତ ପ୍ରକାରର କୃତଜ୍ଞତା ଯାହା ସେମାନେ ଏବେ ପାଉଥିବା ଦେଖାଯାଉଛି । ମାର୍ଚ୍ଚ ୨୪ରେ ତାଲାବନ୍ଦ ଘୋଷଣା ହେବା, କର୍ମଚାରୀମାନଙ୍କ ଅଭିଯୋଗ ଏହା ଯେ ସେମାନେ ଏହି ସମୟରେ ଗୋଟିଏ ଦିନ ପାଇଁ ମଧ୍ୟ ଛୁଟିରେ ରହିବା ବିପଦ ମୁଣ୍ଡେଇ ପାରିବେନି । “ସେମାନଙ୍କୁ ଏହା କୁହାଯାଇଛି ଯେ ଯଦି ସେମାନେ ଏବେ ଛୁଟିରେ ରହିବେ, ତାହାହେଲେ ସେମାନଙ୍କୁ ସେମାନଙ୍କ ବୃତ୍ତି ହରାଇବାକୁ ପଡିବ,” ବୋଲି ବି. ଶ୍ରୀନିବାସଲୁ, ସିଆଇଟିୟୁ ସହିତ ଅନୁବନ୍ଧିତ ଚେନ୍ନାଇ କର୍ପୋରେସନ୍ ରେଡ୍ ଫ୍ଲାଗ୍ ୟୁନିୟନ୍ର ସାଧାରଣ ସମ୍ପାଦକ କହିଛନ୍ତି । ଶ୍ରୀନିବାସଲୁ କୁହନ୍ତି ଯଦିଓ ପରିବହନ ପାଇଁ ବସ୍ର ବ୍ୟବସ୍ଥା କରାଯାଇଛି, ତାହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ ଓ ସେଗୁଡିକ ପ୍ରାୟତଃ ବିଳମ୍ବରେ ଆସିଥାନ୍ତି । ଏହି କାରଣରୁ କର୍ମଚାରୀମାନେ ବାଧ୍ୟ ହୋଇ ଆବର୍ଜନା ବୋହିବା ପାଇଁ ଥିବା ଲରିଗୁଡିକ ବ୍ୟବହାର କରୁଛନ୍ତି । ଏଠାରେ ସଫେଇ କର୍ମଚାରୀମାନେ ମାସକୁ ପ୍ରାୟ ୯୦୦୦ଟଙ୍କା ଉପାର୍ଜନ କରନ୍ତି କିନ୍ତୁ ଠିକ୍ ସମୟରେ ସେମାନଙ୍କ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ସେମାନଙ୍କୁ ଦୈନିକ ୬୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । କର୍ଫ୍ୟୁ ଓ ତାଲାବନ୍ଦ ସମୟରେ, ଯେଉଁମାନେ ସରକାରୀ ବସ୍ ବା କର୍ପୋରେସନ୍ ଦ୍ୱାରା ଯୋଗାଯାଇଥିବା ଗାଡିରେ ଚଢି ପାରିଲେ ନାହିଁ, ସେମାନଙ୍କୁ ଚାଲିଚାଲି କାର୍ଯ୍ୟସ୍ଥଳିରେ ପହଞ୍ଚିବାକୁ ପଡିଥିଲା ।“ଏଇ କିଛି ଦିନ ପୂର୍ବେ ଚେନ୍ନାଇ କର୍ପୋରେସନ୍ ସେମାନଙ୍କୁ ସୁରକ୍ଷା ପୋଷାକ ଦେବାକୁ ଆରମ୍ଭ କରିଛି କିନ୍ତୁ ଏହା ଉତ୍ତମ ଗୁଣବତ୍ତା ଯୁକ୍ତ ନୁହେଁ । ସେମାନଙ୍କୁ ମାତ୍ର ଗୋଟିଏ ଥର ବ୍ୟବହାର ଯୋଗ୍ୟ ମାସ୍କ ଦିଆଯାଇଛି ଓ ସେଗୁଡିକୁ ବାରମ୍ବାର ବ୍ୟବହାର କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି । ମ୍ୟାଲେରିଆ କର୍ମଚାରୀମାନଙ୍କ ଏକ ଭାଗ [ଯେଉଁମାନେ ମଶାମାନଙ୍କୁ ବିତାଡିତ କରିବା ପାଇଁ ଫଗିଂ କରିଥାନ୍ତି଼] – କୁ ସୁରକ୍ଷା ପୋଷାକ ପ୍ରଦାନ କରାଯାଇଛି କିନ୍ତୁ ସେମାନଙ୍କ ପାଖରେ ଉଚ୍ଚ ଗୁଣବତ୍ତା ଯୁକ୍ତ ଜୋତା କିମ୍ବା ଗ୍ଲୋଭ୍ସ ନାହିଁ,” ବୋଲି ଶ୍ରୀନିବାସଲୁ କୁହନ୍ତି । ସେ ଆହୁରି କୁହନ୍ତି ଯେ ପ୍ରତି ଜୋନ୍ ପାଇଁ କର୍ପୋରେସନ୍ କିଛି ପରିମାଣର ଅତିରିକ୍ତ ଅର୍ଥ ମଞ୍ଜୁର କରିଛି, କରୋନା ଭୂତାଣୁ ପ୍ରତିରୋଧ ଅଭିଯାନ ପାଇଁ । ହେଲେ, ତାହା ବାସ୍ତବତାରେ ପରିଣତ ହେବା ପାଇଁ କିଛି ସମୟ ଲାଗିବ ।
ଶୂନ୍ଶାନ୍, ଅସ୍ୱାଭାବିକ ଭାବେ ଶାନ୍ତ ରାସ୍ତା ଓ ନିବୁଜ ଭାବେ ବନ୍ଦ ଥିବା କବାଟ ଓ ଝରକା ଆଜିକାଲି ପ୍ରତ୍ୟେକ ଆବାସିକ କ୍ଷେତ୍ରରେ ସଫେଇ କର୍ମଚାରୀମାନେ ଦେଖିବାକୁ ପାଉଥିବା ନିତିଦିନିଆ ଦୃଶ୍ୟରେ ପରିଣତ ହୋଇଛି । “କିନ୍ତୁ ଆମକୁ ଖରାରେ ମଧ୍ୟ କଠୋର ପରିଶ୍ରମ କରିବାକୁ ହେବ ଯାହା ଫଳରେ ସେମାନଙ୍କ ପିଲାମାନେ ଭୂତାଣୁ ଠାରୁ ସୁରକ୍ଷିତ ରହିପାରିବେ । ଆମ ପିଲା ଓ ସେମାନଙ୍କ ସୁରକ୍ଷା ବିଷୟରେ କିଏ ଭାବୁଛି” ବୋଲି ସେମାନଙ୍କ ଭିତରୁ ଜଣେ ପଚାରିଲା । କର୍ଫ୍ୟୁ ପରେ ରାସ୍ତା ଉପରେ ପଡିରହୁଥିବା ଆବର୍ଜନାର ପରିମାଣ କମ୍ ହୋଇଥିବା ବେଳେ ଏବେ ଘରୁ ବାହାରୁଥିବା ଆବର୍ଜନାର ପରିମାଣ ବଢି ଯାଇଛି । “ଏପରି ପରିସ୍ଥିତିରେ, ପ୍ରକୃତରେ ଆମର କର୍ମଚାରୀମାନେ ଜୈବିକ ନିମ୍ନିକରଣ ଯୋଗ୍ୟ ଆବର୍ଜନା ଓ ନିମ୍ନିକରଣ ଅଯୋଗ୍ୟ ଆବର୍ଜନାକୁ ପରସ୍ପରଠାରୁ ଅଲଗା କରିପାରିବେ ନାହିଁ । ଏହାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା ପାଇଁ ଆମେ କର୍ପୋରେସନ୍କୁ ଅନୁରୋଧ କରିଛୁ” ବୋଲି ଶ୍ରୀନିବାସଲୁ କହିଛନ୍ତି । ଏହାସହିତ ଏହି ତାଲାବନ୍ଦ ସମୟରେ ସଫେଇ କର୍ମଚାରୀଙ୍କୁ ପିଇବା ପାଇଁ ପାଣି ଯୋଗାଡ କରିବାରକୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେ ସୂଚୀତ କରିଛନ୍ତି । “ପୂର୍ବରୁ, ସେମାନେ ଯେଉଁଠାରେ କାମ କରୁଛନ୍ତି, ସେଠାରେ କଲୋନୀରେ ରହୁଥିବା ସ୍ଥାନୀୟ ନିବାସୀମାନେ ସେମାନଙ୍କୁ ପାଣି ଦେଉଥିଲେ । ହେଲେ, ଏବେ କେହି ପାଣି ଦେଉନାହାନ୍ତି ବୋଲି ଅନେକ କର୍ମଚାରୀ କହୁଛନ୍ତି ।
ତାମିଲ୍ନାଡୁରେ ପ୍ରାୟ ୨ଲକ୍ଷ ସଫେଇ କର୍ମଚାରୀ ଅଛନ୍ତି ବୋଲି ଶ୍ରୀନିବାସଲୁ କୁହନ୍ତି । କେବଳ ଚେନ୍ନାଇରେ ପ୍ରାୟ ୭୦୦୦ ନିୟମିତ କର୍ମଚାରୀ ଅଛନ୍ତି କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ମଧ୍ୟ ଅପର୍ଯ୍ୟାପ୍ତ ଅଟେ । “୨୦୧୫ର ବନ୍ୟା ଓ ତା’ପର ବର୍ଷର ୱାରଦା ବାତ୍ୟା କଥା ମନେପକାନ୍ତୁ? ଚେନ୍ନାଇରେ ସ୍ଵାଭାବିକ ସ୍ଥିତି ଫେରାଇ ଆଣିବାକୁ ୧୩ଟି ଜିଲ୍ଲାର କର୍ମଚାରୀଙ୍କୁ ଆସିବାକୁ ପଡିଲା ଓ ସେଠାରେ ୨୦ ଦିନ ପରିଶ୍ରମ କରିବାକୁ ପଡିଲା । ଯଦି ଏହା ହେଉଛି ରାଜ୍ୟର ରାଜଧାନୀର ଚିତ୍ର, ତାହାହେଲେ ଜିଲ୍ଲାଗୁଡିକରେ ତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିବ ।”
ଅବସର ଗ୍ରହଣ କରିବା ପୂର୍ବରୁ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେବା କୌଣସି ଅସାଧାରଣ କଥା ନୁହେଁ । “ଆମ ପାଖରେ କୌଣସି ସୁରକ୍ଷା ପୋଷାକ ନଥିବାରୁ ଆମେ ଏହା ମଧ୍ୟରୁ ଯେକୌସି ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ସମ୍ଭାବନା ସବୁବେଳେ ରହିଛି,” ବୋଲି ସେମାନଙ୍କ ମଧ୍ୟରୁ ଜଣେ କୁହନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ନର୍ଦ୍ଦମା ସଫା କରିବାକୁ ସେଥିରେ ପ୍ରବେଶ କରନ୍ତି, ଶ୍ୱାସରୁଦ୍ଧ ହେବା କାରଣରୁ ମରିଯାଆନ୍ତି । କେବଳ ଫେବୃଆରିରେ ତାମିଲନାଡୁର ବିଭିନ୍ନ ନର୍ଦ୍ଦମାରେ ଅତି କମ୍ରେ ପାଞ୍ଚଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
“ସେ ଯାହା ହେଉ, ଲୋକମାନେ ବର୍ତ୍ତମାନ ସେମାନଙ୍କ କୃତଜ୍ଞତା ପ୍ରକାଶ କରୁଛନ୍ତି, କାରଣ ଆମେ ସେମାନଙ୍କ ରାସ୍ତା ସଫା ରଖୁଛୁ ଓ ସଂକ୍ରମଣ ଠାରୁ ସେମାନଙ୍କୁ ସୁରକ୍ଷିତ ରଖୁଛୁ । ବିଭିନ୍ନ ଟେଲିଭିଜନ୍ ଚାନେଲ୍ ପକ୍ଷରୁ ଆମର ସାକ୍ଷାତକାର କରାଯାଇଛି । ହେଲେ, ଏହି କାମ ତ ଆମେ ସବୁବେଳେ କରି ଆସୁଛୁ,” ବୋଲି ସେ କୁହନ୍ତି ।
“ଆମେ ସବୁବେଳେ ସହରକୁ ସଫା ରଖିବା ପାଇଁ କାମ କରିଆସୁଛୁ ଓ ଏଥିପାଇଁ ଆମ ଜୀବନକୁ ବିପଦରେ ମଧ୍ୟ ପକାଉଛୁ। ସେମାନେ କେବଳ ଏବେ ଆମକୁ ଧନ୍ୟବାଦ ଜଣାଉଛନ୍ତି କିନ୍ତୁ ଆମେ ସବୁବେଳେ ସେମାନଙ୍କ ମଙ୍ଗଳ କାମନା କରି ଆସୁଛୁ ।
ତାଲାବନ୍ଦ ସମୟରେ କାମ କରିବା ପାଇଁ ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ପାରିଶ୍ରମିକ ପ୍ରଦାନ କରାଯାଉନାହିଁ ।
ତୁମ ପାଇଁ କେବଳ କୃତଜ୍ଞତା ରହିଛି ।
ଅନୁବାଦ: ଓଡ଼ିଶାଲାଇଭ୍