ସଞ୍ଜୟ ଗୋପେ କେବେ ବି ପାଦ ଖସେଇ ନାହାନ୍ତି:- କାରଣ ସେ କେବେ ପାଦ ଉଠେଇ ନାହାନ୍ତି। ୧୮ ବର୍ଷ ବୟସ୍କ ସଞ୍ଜୟ ଆଜୀବନ ହ୍ୱିଲ୍ ଚେୟାରରେ ହିଁ ଅଛନ୍ତି। ମୁଁ ତାଙ୍କୁ ବାଙ୍ଗୋରେ ଭେଟିଲି। ଝାଡ଼ଖଣ୍ଡର ପୂର୍ବି (ପୂର୍ବ) ସିଂହଭୂମ ଜିଲ୍ଲାରେ ଯଦୁଗୁଡ଼ା ସହର (ଜନଗଣନାରେ ଯଦୁଗୋରା ଭାବରେ ସୂଚୀବଦ୍ଧ ହୋଇଥିବା)ର ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ଼ର ଖଣି ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅଛି ଏହି ଗାଁ।
ଭାରତ ସରକାରଙ୍କ ଅନୁଷ୍ଠାନ ୟୁସିଆଇଏଲ୍ ୧୯୬୭ ମସିହାରେ ଏଠାରେ ନିଜର ପ୍ରଥମ ଖଣି ଖନନ କରିଥିଲା। ଯଦୁଗୁଡ଼ା ଓ ଏହାର ନିକଟସ୍ଥ ଅନ୍ୟ ଛଅଟି ଖଣିର ଖଣିଜପଥରକୁ ହଳଦିଆ ଖଣ୍ଡ (ୟୁରାନିୟମ ଅକ୍ସାଇଡ଼ର ଏକ ମିଶ୍ରଣ)ରେ ପରିଣତ କରାଯାଏ। ଏହାକୁ ହାଇଦ୍ରାବାଦସ୍ଥିତ ଆଣବିକ ଇନ୍ଧନ ପରିସରକୁ ପଠାଇ ଦିଆଯାଏ।
ଯେତେବେଳେ ସଞ୍ଜୟଙ୍କୁ ଦୁଇ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ଚିନ୍ତିତ ପିତାମିତା ତାଙ୍କୁ ୟୁସିଆଇଏଲ୍ ଡାକ୍ତରଖାନାକୁ ନେଇ ଯାଇଥିଲେ। କାରଣ ସେପର୍ଯ୍ୟନ୍ତ ସେ ଚାଲିବା ଆରମ୍ଭ କରିନଥିଲେ। ତାଙ୍କ ବାପା ଜଣେ ଦିନ ମଜୁରିଆ ଓ ମା’ ଏସବୁ ଗାଁର ଅଧିକାଂଶ ଲୋକଙ୍କ ପରି ଶସ୍ୟକ୍ଷେତରେ କାମ କରନ୍ତି। ଖୁବ୍ କମ୍ ଜଣ ୟୁସିଆଇଏଲ୍ ଖଣିରେ କାମ କରନ୍ତି। ଅନ୍ୟମାନେ କୁହନ୍ତି, ସେମାନଙ୍କୁ ଖଣିରେ କାମ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକି ପୂରଣ ହେଲାନାହିଁ। ଡାକ୍ତରଖାନାରେ ଥିବା ଡାକ୍ତର ସଞ୍ଜୟଙ୍କ ପିତାମାତାଙ୍କୁ ଆଶ୍ୱାସନା ଦେଲେ ଯେ ବ୍ୟସ୍ତ ହେବାର କିଛି ନାହିଁ। ତେଣୁ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କଲେ, କିନ୍ତୁ ସେମାନଙ୍କ ପୁଅ କେବେ ବି ପ୍ରଥମ ପାଦ କ’ଣ କୌଣସି ପାଦ ପକାଇଲା ନାହିଁ।
ବାଙ୍ଗୋ ଗାଁର ଅଧିକାଂଶ ପିଲାଙ୍କ ମଧ୍ୟରୁ ସଞ୍ଜୟ ଜଣେ, ଯେଉଁମାନେ ଜନ୍ମଗତ ବିକଳାଙ୍ଗତା ନେଇ ଜନ୍ମ ହୋଇଛନ୍ତି କିମ୍ବା ସେହି କାରଣରୁ ମୃତ୍ୟୁବରଣ କରିଛନ୍ତି। (୨୦୧୧ ଜନଗଣନା ଅନୁଯାୟୀ) ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୮୦୦ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାନ୍ତାଳ, ମୁଣ୍ଡା, ଓରାଓଁ, ହୋ, ଭୂମିଜ ଓ ଖରିଆ ଜନଜାତିର। ୨୦୦୭ ମସିହାରେ ଇଣ୍ଡିଆନ ଡକ୍ଟରସ୍ ଫର୍ ପିସ୍ ଆଣ୍ଡ ଡେଭେଲପମେଣ୍ଟ ନାମକ ଏକ ଗୋଷ୍ଠୀର ଅଧ୍ୟୟନ ଅନୁଯାୟୀ, ଖଣିଠାରୁ ୩୦-୩୫ କି.ମି. ଦୂରରେ ଥିବା ଜନବସତି ତୁଳନାରେ ଖଣି ନିକଟରେ (୦-୨.୫ କି.ମି.) ଥିବା ଗ୍ରାମମାନଙ୍କରେ ଏପରି ସମସ୍ୟା ଥିବା ପିଲାମାନଙ୍କର ମୃତ୍ୟୁ ହାର ୫.୮୬ ଗୁଣ ଅଧିକ।
ଏସବୁ ଗ୍ରାମମାନଙ୍କରେ ମହିଳାମାନଙ୍କ ଗର୍ଭପାତ ହାର ମଧ୍ୟ ଅଧିକ। ଖଣିରେ କାମ କରୁଥିବା କିମ୍ବା ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ୟୁରାନିୟମ ପଥର ପ୍ରକ୍ରିୟାକରଣ ପରେ ଅବଶିଷ୍ଟ ରହୁଥିବା ବିଷାକ୍ତ କାଦୁଅ ପୋଖରୀ ନିକଟରେ ରହୁଥିବା ଅନେକ ଲୋକ କ୍ୟାନସର ଓ ଯକ୍ଷ୍ମା ପରି ରୋଗରେ ମୃତ୍ୟୁବରଣ କରିଛନ୍ତି।
ଭାରତୀୟ ତଥା ଅନ୍ତଃରାଷ୍ଟ୍ରୀୟ ବୈଜ୍ଞାନିକମାନେ ବହୁ ଆଗରୁ ସତର୍କ କରାଇ ଦେଇଛନ୍ତି ଯେ, ଉପରୋକ୍ତ ବିକଳାଙ୍ଗତା ଓ ରୋଗ ଉଚ୍ଚ ବିକିରଣସ୍ତର ଓ ତେଜଷ୍କ୍ରିୟ ପଥରଗୁଣ୍ଡ ସହ ସଂଯୁକ୍ତ। ଏହି ତେଜଷ୍କ୍ରିୟ ବର୍ଜ୍ୟ କାଦୁଅ ପୋଖରୀ ନିକଟସ୍ଥ ଗ୍ରାମମାନଙ୍କ ପାଇଁ ଏହାର ବିପଦ ଅଧିକ କାରଣ ଗ୍ରାମବାସୀମାନେ ଯେକୌଣସି ପ୍ରକାରେ ହେଲେ ମଧ୍ୟ ଏସବୁ ଜଳର ସଂସ୍ପର୍ଶରେ ଆସନ୍ତି। ତେବେ ୟୁସିଆଇଲ୍ ନିଜ ୱେବସାଇଟରେ ସୂଚିତ କରିଛି। “ଏହି ରୋଗଗୁଡ଼ିକ..... ବିକିରଣ କାରଣରୁ ନୁହେଁ ବରଂ କୁପୋଷଣ, ମ୍ୟାଲେରିଆ ଓ ଅସ୍ୱାସ୍ଥ୍ୟକର ରହିବା ପରିବେଶ ଇତ୍ୟାଦି (ଗ୍ରାମମାନଙ୍କରେ) କାରଣରୁ”।
ପୂର୍ବ ସିଂହଭୂମର ଯଦୁଗୁଡ଼ା, ଭାତିନ୍, ନରୱା ପାହାଡ଼, ବାଗଜତା, ତୁରାମଡିହ, ମହୁଲଡିହ ଏବଂ ବନ୍ଦୁହୁଡାଙ୍ଗରେ ୟୁସିଆଇଏଲର ସାତଟି ଖଣି ଅଛି। ଏଠାରେ ବିକିରଣ ବିଷାକ୍ତତା ପ୍ରସଙ୍ଗ ସର୍ବୋଚ୍ଚ ଅଦାଲତରେ ଜନସ୍ୱାର୍ଥ ମାମଲା ସମେତ ଅନ୍ୟ ଅଦାଲତରେ ବିଚାର ପ୍ରକ୍ରିୟାରେ ସାମିଲ ହୋଇଛି। ୨୦୦୪ରେ ସୁପ୍ରିମକୋର୍ଟରେ ଏକ ତିନିଜଣିଆ ବେଞ୍ଚ ଏହି ଜନସ୍ୱାର୍ଥ ମାମଲାଟିକୁ ଖାରଜ କରିଦେଇଥିଲେ। ଆଟମିକ୍ ଏନର୍ଜି କମିଶନ ଦ୍ୱାରା ପ୍ରଦତ୍ତ ଏକ ସତ୍ୟପାଠ, ଯେଉଁଥିରେ କୁହାଯାଇଥିଲା, “ୟୁରାନିୟମ୍ ବର୍ଜ୍ୟର କୁପ୍ରଭାବକୁ ଅଟକାଇବା ଓ ନିୟନ୍ତ୍ରିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି”କୁ ସୁପ୍ରିମକୋର୍ଟ ବିଶ୍ୱାସ କରିଥିଲେ। ଯଦୁଗୁଡ଼ା ଓ ଏହାର ଆଖପାଖରେ ଜନ ଆନ୍ଦୋଳନର ନେତୃତ୍ୱ ନେଇଥିବା ବିକିରଣ ବିରୋଧୀ ଝାଡ଼ଖଣ୍ଡ ଅନୁଷ୍ଠାନ ଦେଶର ୟୁରାନିୟମ୍ ଚାହିଦା ପାଇଁ ଗ୍ରାମବାସୀମାନେ କି ପ୍ରକାର ମୂଲ୍ୟ ଦେଇଛନ୍ତି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଚେଷ୍ଟା କରୁଛି।
ଅନୁବାଦ: ଓଡ଼ିଶାଲାଇଭ୍