ୟେଲ୍ଲପନ୍ ବିସ୍ମିତ ଏବଂ କ୍ରୋଧିତ ଅଛନ୍ତି।
‘‘ଆମେ ଏକ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ସଂପ୍ରଦାୟ ନୁହଁ। [ତା’ ହେଲେ] ଆମକୁ କ’ଣ ପାଇଁ ସେମ୍ବାନନ୍ଦ ମାରାବର କିମ୍ବା ଗୋସାଙ୍ଗି ଭାବେ ଚିହ୍ନଟ କରାଯାଉଛି?’’
‘‘ଆମେ ହେଉଛୁ ଶୋଲାଗା’’, ୮୨ ବର୍ଷୀୟ ବ୍ୟକ୍ତିଜଣକ ନିର୍ଣ୍ଣାୟକ ଭାବେ କହିଲେ। ‘‘[ସରକାର] ଆମକୁ ପ୍ରମାଣ ମାଗୁଛନ୍ତି। ଆମେ ଏଠାରେ ରହିଛୁ ଏବଂ ବଞ୍ଚିଛୁ। ସେହି ପ୍ରମାଣ କ’ଣ ଯଥେଷ୍ଟ ନୁହେଁ? ଆଧାର ଆଣ୍ଟେ ଆଧାର । ୟେଲିଣ୍ଡା ତାରଲି ଆଧାର ? [ପ୍ରମାଣ! ପ୍ରମାଣ![ ସେମାନେ ତାହାହିଁ ଚାହାନ୍ତି ]।’’
ତାମିଲନାଡୁ ମଦୁରାଇ ଜିଲ୍ଲାର ସାକ୍କିମଙ୍ଗଳମ୍ ଗାଁର ବାସିନ୍ଦା ୟେଲ୍ଲପନଙ୍କର ସଂପ୍ରଦାୟ ଚାବୁକ ମାରିବା ଅଭ୍ୟାସ କରନ୍ତି ଏବଂ ସ୍ଥାନୀୟ ଭାବେ ଚତାଇ ସଂପ୍ରଦାୟ ରୂପେ ସେମାନେ ପରିଚିତ। କିନ୍ତୁ ଜନଗଣନାରେ ସେମାନେ ସେମ୍ବାନନ୍ଦ ମାରାବର ଭାବେ ଚିହ୍ନିତ ହୋଇଛନ୍ତି ଏବଂ ସେମାନଙ୍କୁ ସର୍ବାଧିକ ପଛୁଆ ବର୍ଗ(ଏମବିସି) ଶ୍ରେଣୀ ଅଧୀନରେ ରଖାଯାଇଛି।
ସେ ଯୋଗ କଲେ, ‘‘[ଜନଗଣନା] ସର୍ବେକ୍ଷକମାନେ ଆମ ନିକଟକୁ ଆସନ୍ତି, କିଛି ପ୍ରଶ୍ନ ପଚାରନ୍ତି ଏବଂ ସେମାନଙ୍କ ଇଚ୍ଛା ଅନୁସାରେ ଯେକୌଣସି ଶ୍ରେଣୀ ଅଧୀନରେ ଆମକୁ ସୂଚୀବଦ୍ଧ କରନ୍ତି।’’
ୟେଲ୍ଲପନ୍ ଆକଳନ କରାଯାଇଥିବା ୧୫ କୋଟି ଭାରତୀୟଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କୁ ଭୁଲ୍ ଭାବେ ଚିହ୍ନଟ କରାଯାଇଛି ଏବଂ ବର୍ଗୀକୃତ କରାଯାଇଛି। ଏହି ସଂପ୍ରଦାୟଗୁଡିକ ମଧ୍ୟରୁ ଅନେକଙ୍କୁ ଏକଦା ଔପନିବେଶିକ ଶାସନ ସମୟରେ ବନାଯାଇଥିବା ଅପରାଧୀ ଜନଜାତି ଆଇନ୍, ୧୮୭୧ଅନୁସାରେ ‘ବଂଶାନୁକ୍ରମିକ ଅପରାଧୀ’ ଭାବେ ବିବେଚନା କରାଯାଉଥିଲା। ୧୯୫୨ ମସିହାରେ ଏହି ଆଇନର ଉଚ୍ଛେଦ ହେଲା ଏବଂ ସଂପ୍ରଦାୟଗୁଡିକୁ ଡି-ନୋଟିଫାଏଡ୍ ଟ୍ରାଇବସ୍(ଡିଏନଟିଏସ) ବା ଯାଯାବର ସଂପ୍ରଦାୟ(ଏନଟିଏସ) ଭାବେ ସନ୍ଦର୍ଭିତ କରାଗଲା।
ଅଣବିଜ୍ଞପିତ ଯାଯାବର ଏବଂ ଅର୍ଦ୍ଧ ଯାଯାବର ଜନଜାତିଙ୍କ ଲାଗି ଥିବା ଜାତୀୟ ଆୟୋଗଙ୍କର ୨୦୧୭ ମସିହାର ଏକ ସରକାରୀ ରିପୋର୍ଟ ଅନୁସାରେ ‘‘ସର୍ବୋତ୍ତମ ମଧ୍ୟରେ ଅସଂପୂର୍ଣ୍ଣ ଏବଂ ସବୁଠୁ ଖରାପ ମଧ୍ୟରେ ଅପର୍ଯ୍ୟାପ୍ତ। ଅଧିକାଂଶ ମାମଲାରେ ସେମାନେ ସାମାଜିକ ପଦାନୁକ୍ରମର ସବୁଠୁ ତଳ ପାହାଚରେ ରହିଥାନ୍ତି, ଅନେକ ସମୟରେ ସେହି ପୂର୍ବାଗ୍ରହଗୁଡ଼ିକର ସାମ୍ନା କରିଥାନ୍ତି ଯାହାକୁ ଔପନିବେଶିକ ଶାସନ ସମୟରେ ବନାଯାଇଥିଲା।’’
ପରବର୍ତ୍ତୀ ସମୟରେ ଏହି ସଂପ୍ରଦାୟଗୁଡ଼ିକ ମଧ୍ୟରୁ କିଛିକୁ ଅନୁସୂଚୀତ ଜନଜାତି(ଏସଟି), ଅନୁସୂଚୀତ ଜାତି (ଏସସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭଳି ଅନ୍ୟ ଶ୍ରେଣୀର ପର୍ଯ୍ୟାୟଭୁକ୍ତ କରାଗଲା। ୨୦୧୭ର ରିପୋର୍ଟରେ ଆହୁରି କୁହାଯାଇଛି ଯେ, ତଥାପି ୨୬୯ଟି ସଂପ୍ରଦାୟକୁ ଅଦ୍ୟାବଧି କୌଣସି ଶ୍ରେଣୀରେ ଗଣନା କରାଯାଇନାହିଁ। ଏହା ସେମାନଙ୍କୁ ଶିକ୍ଷା ଏବଂ ରୋଜଗାର, ଭୂମି ଆବଣ୍ଟନ, ରାଜନୈତିକ ଭାଗିଦାରୀ ଏବଂ ଅନ୍ୟ କ୍ଷେତ୍ରରେ ସଂରକ୍ଷଣ ଭଳି ସେମାନଙ୍କର ଉଚିତ ସାମାଜିକ କଲ୍ୟାଣ ଉପାୟରୁ ସେମାନଙ୍କୁ ବଞ୍ଚିତ କରୁଛି ।
ଏହି ସଂପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ୟେଲ୍ଲପନଙ୍କ ଭଳି ପଥପ୍ରାନ୍ତ କଳାକାର, ସର୍କସ କଳାକାର, ଭାଗ୍ୟ କହୁଥିବା ଲୋକେ, ସାପୁଆକେଳା, ଛୋଟ ଗହଣା ବିକ୍ରେତା, ପାରମ୍ପରିକ ଉପଶମକାରୀ, ଦଉଡିରେ ଚାଲୁଥିବା ଲୋକେ ଏବଂ ‘ମୁଣ୍ଡ ଟୁଙ୍ଗାରୁଥିବା’ ଷଣ୍ଢ ହ୍ୟାଣ୍ଡଲର ପ୍ରମୁଖ ସାମିଲ। ସେମାନଙ୍କର ଜୀବନ ପ୍ରବାସୀ ହୋଇଥିବା ବେଳେ ଜୀବିକା ଦୁର୍ବଳ ହୋଇଥାଏ। ସେମାନେ ଏବେ ମଧ୍ୟ ଯାଯାବର କାରଣ ସେମାନଙ୍କର ରୋଜଗାର ପ୍ରତିଦିନ ନୂଆ ଗ୍ରାହକ ଯୋଗାଡ଼ କରିବା ଉପରେ ନିର୍ଭର କରେ। କିନ୍ତୁ ପିଲାମାନଙ୍କ ପାଠପଢା ଲାଗି ସେମାନଙ୍କର ଏକ ବସତି ରହିଛି ଯେଉଁଠାକୁ ସେମାନେ ପର୍ଯ୍ୟାୟକ୍ରମେ ଆସିଥାନ୍ତି।
ତାମିଲନାଡୁରେ ପେରୁମଲ ମାଟ୍ଟୁକରନ୍, ଡୋମାରା, ଗୁଡୁଗୁଡୁପଣ୍ଡି ଏବଂ ଶୋଲାଗା ସଂପ୍ରଦାୟଗୁଡ଼ିକ ଜନଗଣନାରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି କିମ୍ବା ଏମବିସି ଭାବେ ସୂଚୀବଦ୍ଧ ହୋଇଛନ୍ତି। ସେମାନଙ୍କର ସ୍ୱତନ୍ତ୍ର ପରିଚୟକୁ ଅଣଦେଖା କରି ସେମାନଙ୍କୁ ଆଦିୟାନ୍, କାଟ୍ଟୁନାୟକନ୍ ଏବଂ ସେମ୍ବାନନ୍ଦ ମାରବର ସଂପ୍ରଦାୟ ମଧ୍ୟରେ ରଖାଯାଇଛି। ଆହୁରି ଅନେକଙ୍କୁ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟରେ ସମାନ ଭାବେ ଭୁଲ୍ ବର୍ଗୀକୃତ କରାଯାଇଛି, ଯଦି ଗଣନା କରାଯାଏ।
ପେରୁମଲ ମାଟ୍ଟୁକରନ୍ ସଂପ୍ରଦାୟର ଜଣେ ସଦସ୍ୟ ପାଣ୍ଡି କହିଲେ, ‘‘ଆମ ପିଲାମାନେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ବିନା କୌଣସି ସୁଯୋଗ ପାଉନାହାନ୍ତି। ବିନା ସମର୍ଥନରେ ଅନ୍ୟମାନଙ୍କ [ଅଣ ଡିଏନଟିଏସ ଏବଂ ଏନଟିଏସ୍] ମଧ୍ୟରେ ଆମେ ଉନ୍ନତି କରିବୁ ବୋଲି ଆଶା କରିବା ଅନୁଚିତ।’’ ତାଙ୍କ ସଂପ୍ରଦାୟର ଲୋକମାନେ ସେମାନଙ୍କର ସୁସଜ୍ଜିତ ଷଣ୍ଢକୁ ନେଇ ଘର ଘର ବୁଲି ପରିବାର ପୋଷଣ କରିଥାନ୍ତି। ଏହି ସଂପ୍ରଦାୟ ମଧ୍ୟ ବୁମ ବୁମ୍ ମାଟ୍ଟୁକରନ ଭାବେ ପରିଚିତ ଏବଂ ସେମାନେ ଭିକ ବଦଳରେ ଭାଗ୍ୟ କହିବା ସହିତ ଭକ୍ତି ଗୀତ ମଧ୍ୟ ଗାୟନ କରିଥାନ୍ତି। ୨୦୧୬ରେ ସେମାନେ ଅନୁସୂଚୀତ ଜନଜାତି ଶ୍ରେଣୀର ଆଖ୍ୟା ପାଇଲେ ଏବଂ ସେମାନଙ୍କୁ ଆଦିୟାନ ସଂପ୍ରଦାୟ ମଧ୍ୟରେ ରଖାଗଲା। ସେମାନେ ଏହାଯୋଗୁ ଖୁସି ନାହାନ୍ତି ଏବଂ ପେରୁମଲ ମାଟ୍ଟୁକରନ୍ ଭାବେ ପରିଚିତ ହେବାକୁ ଚାହାନ୍ତି।
ପାଣ୍ଡି ଏବେ ମଧ୍ୟ କହୁଛନ୍ତି ଯେତେବେଳେକି ତାଙ୍କର ପୁଅ ଧର୍ମଦୋରାଇ ସଜେଇ ହୋଇଥିବା ଏକ ଷଣ୍ଢ ଉପରେ ହାତ ବୁଲାଇ ଘରକୁ ଫେରିଲେ। ତାଙ୍କ କାନ୍ଧରେ ସେ ତାଙ୍କର ସଂଗ୍ରହ ବ୍ୟାଗକୁ ଝୁଲାଇଛନ୍ତି ଏବଂ ତାଙ୍କ ହାତର ଭିତର ପାଖରେ ‘ପ୍ରାକ୍ଟିକାଲ ରେକର୍ଡ ବୁକ୍’ ନାମରେ ଏକ ବଡ଼ ବହି ରହିଛି।
ଧର୍ମଦୋରାଇ ମଦୁରାଇର ସାକ୍କିମଙ୍ଗଳମରେ ଥିବା ସରକାରୀ ହାଇସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ର। ସେ ବଡ଼ ହେଲ ଜଣେ ଜିଲ୍ଲାପାଳ ହେବାକୁ ଚାହାନ୍ତି ଏବଂ ତାହା ହାସଲ କରିବାକୁ ତାଙ୍କୁ ସ୍କୁଲରେ ରହିବାର ଆବଶ୍ୟକତା ରହିଛି। ତେଣୁ ଯେତେବେଳେ ତାଙ୍କୁ ସ୍କୁଲ ପାଇଁ ୭ଟି ବହି କିଣିବାର ଥିଲା ଏବଂ ତାଙ୍କ ବାପା ପାଣ୍ଡି ତାଙ୍କୁ ଦେଇଥିବା ୫୦୦ ଟଙ୍କା ସପ୍ତମ ବହି ଲାଗି ଅପର୍ଯ୍ୟାପ୍ତ ଥିଲା ସେ ମାମଲାକୁ ନିଜ ହାତକୁ ନେଲେ।
ନିଜର ଉଦ୍ୟମରେ ଖୁସି ହୋଇ ସେ କହିଲେ, ‘‘ମୁଁ ଷଣ୍ଢ[ସୁସଜ୍ଜିତ] ସହ ୫ କିଲୋମିଟର ଗଲି ଏବଂ ୨୦୦ ଟଙ୍କା ସଂଗ୍ରହ କଲି। ମୁଁ ସେହି ଟଙ୍କାରେ ଏହି ବହି କିଣିଛି।’’
ତାମିଲନାଡୁରେ ସର୍ବାଧିକ ୬୮ଟି ଡିଏନଟି ସଂପ୍ରଦାୟ ରହୁଛନ୍ତି-ଏବଂ ଦ୍ୱିତୀୟ ସର୍ବାଧିକ ସଂଖ୍ୟା ୬୦ଟି ଏନଟି ସଂପ୍ରଦାୟ ରହୁଛନ୍ତି। ଏବଂ ସେଥିଲାଗି ପାଣ୍ଡି ଧର୍ମଦୋରାଇଙ୍କର ଶିକ୍ଷା ପ୍ରାପ୍ତ କରିବାର ସମ୍ଭାବନା ଖୁବ୍ କମ୍ ବୋଲି ଭାବୁଛନ୍ତି। ଯେଉଁ ଲୋକଙ୍କ ନିକଟରେ ଦୀର୍ଘ ସମୟ ଧରି ଏସଟି ମାନ୍ୟତା ରହିଛି ସେମାନଙ୍କୁ ଲକ୍ଷ୍ୟ କରି ସେ କହିଲେ, ‘‘ଆମେ ଅନ୍ୟ ବହୁଲୋକଙ୍କ ସହ ପ୍ରତିନ୍ଦ୍ୱନ୍ଦିତା କରୁଛୁ। ତାମିଲନାଡୁରେ ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ପଛୁଆବର୍ଗ (ବିସି), ଅତି ପଛୁଆ ବର୍ଗ (ଏମବିସି), ବଣିୟାର, ଡିଏନଟିଏସ୍, ଏସସି ଏବଂ ଏସଟିମାନଙ୍କୁ ୬୯ ପ୍ରତିଶତ ସଂରକ୍ଷଣ ଦିଆଯାଇଛି।
*****
ମହାରାଜା କହିଲେ, ‘‘ଯେଉଁ ଗାଁ ଦେଇ ଆମେ ଯାଇଥାଉ ଯଦି ସେଠାରେ କିଛି ହଜିଯାଏ ତା’ ହେଲେ ଆମକୁ ସର୍ବପ୍ରଥମେ ଦୋଷୀ ଆଖ୍ୟା ଦିଆଯିବ। କୁକୁଡା, ଗହଣା, ପୋଷାକ-ଯାହାବି ଏବଂ ସବୁକିଛି ହଜିଗଲେ ଆମକୁ ଅପରାଧୀ ବୋଲି ମାନି ନିଆଯାଏ, ଜେଲରେ ଭର୍ତ୍ତି କରାଯାଏ, ପିଟାଯାଏ ଏବଂ ଅପମାନିତ କରାଯାଏ।’’
ପ୍ରାୟ ୩୦ ବର୍ଷୀୟ ଆର. ମହାରାଜା ପଥପ୍ରାନ୍ତ କଳାକାରମାନଙ୍କର ଡୋମାର ସଂପ୍ରଦାୟର ଅନ୍ତର୍ଭୁକ୍ତ। ସେ ଶିବଗଙ୍ଗା ଜିଲ୍ଲାର ମନମଦୁରାଇରେ ଏକ ବନ୍ଦି (ଅସ୍ଥାୟୀ ଶିବିର)ରେ ତାଙ୍କ ପରିବାର ସହ ରହୁଛନ୍ତି। ତାଙ୍କ ବସତିରେ ୨୪ଟି ପରିବାର ରହିଛି ଏବଂ ମହାରାଜାଙ୍କ ଘର ଏକ ତିନିଚକିଆ ଗାଡ଼ି ଯାହାକୁକି ପ୍ୟାକ୍ କରିହେବ ଏବଂ ଦମ୍ପତି ଓ ସେମାନଙ୍କର ଜିନିଷପତ୍ରକୁ ପରିବହନ କରିବା ଲାଗି ବ୍ୟବହାର ହୋଇଥାଏ। ସେମାନଙ୍କର ପୂରା ଘର ଏବଂ କାମ କରିବା ଉପକରଣ-ଗଦି, ତକିଆ ଏବଂ ଏକ କିରୋସିନ ଷ୍ଟୋଭ୍ ସହିତ ଏକ ମେଗାଫୋନ୍, ଅଡିଓ କ୍ୟାସେଟ ପ୍ଲେୟାର, ରଡ୍ ଏବଂ ଗୋଲାକୃତି ଜିନିଷଗୁଡ଼ିକ ଯାହାକୁକି ସେମାନଙ୍କର ସୋ ଲାଗି ସେମାନେ ବ୍ୟବହାର କରନ୍ତି ତାହା ସେମାନଙ୍କ ସହ ଯାଇଥାଏ।
‘‘ମୋ ପତ୍ନୀ [ଗୌରୀ] ଏବଂ ମୁଁ ସକାଳୁ ଆମର ବନ୍ଦି ଲାଗି ବାହାରୁ। ଆମେ ତିରଥପୁର ପହଞ୍ଚୁ ଯାହାକି ଏଠାରୁ ପ୍ରଥମ ଗାଁ ଏବଂ ସେହି ଗାଁ ବାହାରେ ଆମର ବନ୍ଦି [ଶିବିର] ଲଗାଇବା ଏବଂ ଗାଁରେ ସୋ ଚଳାଇବା ଲାଗି ଗାଁର ଥଲାଇଭାର [ମୁଖିଆ଼] ଙ୍କ ନିକଟରୁ ଅନୁମତି ମାଗୁ। ଆମେ ମଧ୍ୟ ଆମର ଲାଉଡସ୍ପିକର ଏବଂ ମାଇକ୍ରୋଫୋନ ଲାଗି ବିଦ୍ୟୁତ ସଂଯୋଗ ପାଇଁ ଅନୁମତି ମାଗିଥାଉ।’’
ଯଦି ସେମାନଙ୍କୁ ଅନୁମତି ମିଳେ, ସେମାନେ ଗାଁ ସାରା ବୁଲି ସେମାନଙ୍କର ପ୍ରଦର୍ଶନ ସଂପର୍କରେ ଘୋଷଣା କରନ୍ତି ଏବଂ ତା’ ପରେ ଅପରାହ୍ନ ପ୍ରାୟ ୪ଟା ସମୟରେ ସୋ’ ଏକ ଘଣ୍ଟା ଲାଗି ସର୍କସ ଷ୍ଟଣ୍ଟ ସହ ଆରମ୍ଭ ହୋଇଥାଏ ଏବଂ ଦ୍ୱିତୀୟ ଘଣ୍ଟାରେ ରେକର୍ଡ କରାଯାଇଥିବା ସଙ୍ଗୀତରେ ଫ୍ରିଷ୍ଟାଇଲ ନୃତ୍ୟ ପରିବେଷଣ କରାଯାଏ। ସୋ’ ଶେଷ ହେବା ପରେ ସେମାନେ ଦର୍ଶକଙ୍କ ନିକଟରୁ ଚାନ୍ଦା ମାଗିବାକୁ ଯାଇଥାନ୍ତି।
ଡୋମାରମାନଙ୍କୁ ଔପନିବେଶିକ କାଳରେ ଅପରାଧିକ ଜନଜାତି ଭାବେ ସୂଚୀବଦ୍ଧ କରାଯାଇଥିଲା। ଯଦିଓ ଅଣ ବିଜ୍ଞପିତ କରାଯାଇଛି, ‘‘ସେମାନେ ନିରନ୍ତର ଭୟର ବାତାବରଣରେ ରହୁଛନ୍ତି। ପୋଲିସର ଅତ୍ୟାଚାର ଏବଂ ଭିଡ଼ ହତ୍ୟାଗୁଡ଼ିକ ଏକ ସାଧାରଣ ଘଟଣା’’, ସଂପ୍ରଦାୟର ଅଧିକାର ପାଇଁ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ଟିଇଏନଟି(ଦ ଏମ୍ପାପାୱାରମେଣ୍ଟ ସେଣ୍ଟର ଅଫ୍ ନୋମାଡସ ଆଣ୍ଡ ଟ୍ରାଇବସ) ସୋସାଇଟି, ମଦୁରାଇର ସଂପାଦକ ଆର. ମାହେଶ୍ୱରୀ କହିଲେ।
ସେ କହିଲେ ଯେ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଉପଜାତି (ଅତ୍ୟାଚାର ନିରୋଧକ) ଆଇନ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଉପଜାତିଙ୍କୁ ଭେଦଭାବ ଏବଂ ହିଂସାରୁ ଆଇନଗତ ସୁରକ୍ଷା ଦେଇଛି, ତେବେ ବିଭିନ୍ନ ଆୟୋଗ ଏବଂ ରିପୋର୍ଟ ଏ ସଂପର୍କରେ ଯୁକ୍ତି ଉପସ୍ଥାପନ କଲେ ମଧ୍ୟ ଡିଏନଟିଏସ୍ ଏବଂ ଏନଟିଏସଙ୍କ ଭଳି ଦୁର୍ବଳ ସଂପ୍ରଦାୟ ଲାଗି କୌଣସି ସାମ୍ବିଧାନିକ ଏବଂ ଆଇନଗତ ସୁରକ୍ଷା ଉପଲବଧ ନାହିଁ।
ମହାରାଜା କହନ୍ତି, ଡୋମାର କଳାକାରମାନେ ଘରକୁ ଫେରିବା ପୂର୍ବରୁ ସମୟ ସମୟରେ ଏକ ବର୍ଷ ଯାଏ ଯାତ୍ରା କରନ୍ତି। ଗୌରୀ ଯୋଗ କଲେ, ‘‘ଯଦି ବର୍ଷା ହୁଏ କିମ୍ବା ପୋଲିସ ଆମର ପ୍ରଦର୍ଶନରେ ବାଧା ସୃଷ୍ଟି କରେ, ଆମେ ସେଦିନ କିଛି ରୋଜଗାର କରିପାରୁନା।’’ ପରଦିନ ସେମାନେ ସେମାନଙ୍କର ବନ୍ଦି କୁ ପରବର୍ତ୍ତୀ ଗାଁକୁ ନେଇଥାନ୍ତି ଏବଂ ରୁଟିନର ପୁନରାବୃତ୍ତି ହୁଏ।
ସେମାନଙ୍କର ୭ ବର୍ଷୀୟ ପୁଅ ମଣିମାରନଙ୍କର ଔପଚାରିକ ଶିକ୍ଷା ଏକ ସାମୂହିକ ସାମୁଦାୟିକ ପ୍ରୟାସ। ସେ କହିଲେ, ‘‘ବର୍ଷେ ଧରି ମୋ’ ଭାଇଙ୍କର ପରିବାର ସେଠାରେ ରହିଥାଏ ଏବଂ ପିଲାମାନଙ୍କର ଦେଖାଶୁଣା କରିଥାଏ, ସମୟ ସମୟରେ ମୋର ଦାଦା [ସେମାନଙ୍କର] ଦେଖାଶୁଣା କରନ୍ତି।’’
*****
ନିଜର ଉତ୍କର୍ଷ ଦିନରେ ରୁକ୍ମିଣୀଙ୍କର ଷ୍ଟଣ୍ଟ ତାଙ୍କର ଦର୍ଶକଙ୍କୁ ସାମୁହିକ ଭାବେ ବିସ୍ମିତ କରିଦେବାକୁ ବାଧ୍ୟ କରୁଥିଲା। ସେ ତାଙ୍କ କେଶରେ ବଡ, ଓଜନିଆ ପଥରକୁ ଉଠାଇ ପାରୁଥିଲେ ଏବଂ ତାଙ୍କର ଏବଂ ଅନ୍ୟଜଣେ ବ୍ୟକ୍ତିଙ୍କ ମଝିରେ ଏକ ଧାତୁର ରଡକୁ ବଙ୍କା କରିଦେଉଥିଲେ। ଆଜି ମଧ୍ୟ ସେ ତାଙ୍କର ଅଗ୍ନି ଷ୍ଟଣ୍ଟ, ଶରୀରକୁ ବ୍ୟବହାର କରି ଏକ ଧାତୁର ରଡ଼କୁ ଘୂରାଇବା, ସୂତା କାଟିବା ଏବଂ ଆହୁରି ଅନେକ ଷ୍ଟଣ୍ଟ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି।
୩୭ ବର୍ଷୀୟା ଡୋମାର ସଦସ୍ୟ ବା ପଥପ୍ରାନ୍ତ ସର୍କସ ସଂପ୍ରଦାୟର ସଦସ୍ୟ ଏବଂ ତାମିଲନାଡୁ ଶିବଗଙ୍ଗା ଜିଲ୍ଲାର ମନମଦୁରାଇରେ ରହନ୍ତି।
ରୁକ୍ମିଣୀ କହନ୍ତି ତାଙ୍କୁ ନିରନ୍ତର ଅନୁପଯୁକ୍ତ ଟିପ୍ପଣୀ ମାଧ୍ୟମରେ ହଇରାଣ କରାଯାଇଥାଏ। ‘‘ପ୍ରଦର୍ଶନ ସମୟରେ ଆମେ ମେକଅପ୍ ନେଉ ଏବଂ ରଙ୍ଗୀନ ପୋଷାକ ପିନ୍ଧୁ ଏବଂ ପୁରୁଷମାନେ ତାକୁ ଏକ ନିମନ୍ତ୍ରଣ ଭାବେ ଦେଖନ୍ତି। ଆମକୁ ଅନୁଚିତ ଭାବେ ସ୍ପର୍ଶ କରାଯାଏ, ଗାଳିଗୁଲଜ କରାଯାଏ ଏବଂ ଆମକୁ ଆମର ‘ଦାମ୍’ ପଚରାଯାଏ।’’
ପୁଲିସ ସହାୟତା କରେ ନାହିଁ। ଯେଉଁ ପୁରୁଷମାନଙ୍କ ବିରୋଧରେ ସେମାନେ ଅଭିଯୋଗ କରନ୍ତି ସେମାନେ ଖରାପ ଅନୁଭବ କରନ୍ତି ଏବଂ ରୁକ୍ମିଣୀ କହନ୍ତି, ‘‘ସେମାନେ ଆମ ବିରୋଧରେ ମିଥ୍ୟା ଚୋରି ମାମଲା ଦାଏର କରନ୍ତି ଯାହା ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ଆମକୁ ଜେଲରେ ପୂରାଇ ଦିଏ ଏବଂ ପିଟେ।’’
୨୦୨୨ରେ ହିଁ ସ୍ଥାନୀୟ ଭାବେ କଲାଇକୁଟାଡିଗାଲ ଭାବେ ପରିଚିତ ଏହି ଏନଟି ସଂପ୍ରଦାୟ ଅନୁସୂଚୀତ ଜାତି (ଏସସି) ଭାବେ ସୂଚୀବଦ୍ଧ ହୋଇଥିଲା।
ରୁକ୍ମିଣୀଙ୍କର ଅନୁଭବ ପୂର୍ବତନ ଡିଏନଟିଏସ ଏବଂ ଏନଟିଏସଙ୍କ ଲାଗି କିଛି ଅସାଧାରଣ ନୁହେଁ। ଅପରାଧିକ ଜନଜାତି ଆଇନର ଉଚ୍ଛେଦ ହୋଇସାରିଛି କିନ୍ତୁ କିଛି ରାଜ୍ୟ ଅଭ୍ୟାସଗତ ଅପରାଧୀ ଆଇନ ଆଣିଲେ ଯାହାକି ସମାନ ପଞ୍ଜୀକରଣ ଏବଂ ନଜର ରଖିବା ପ୍ରକ୍ରିୟା ଆବଶ୍ୟକ କରେ। ଫରକ ହେଲା ଏବେ ପୂରା ସଂପ୍ରଦାୟଗୁଡିକୁ ନୁହେଁ କିଛି ଲୋକଙ୍କୁ ପ୍ରାୟତଃ ଟାର୍ଗେଟ କରାଯାଉଛି।
ସଂପ୍ରଦାୟ ଏହି ଗାଁରେ ଅସ୍ଥାୟୀ ତମ୍ବୁ, ଗାଡ଼ି ଏବଂ ଇଟା ଏବଂ ପଥର ସଂରଚନାଗୁଡ଼ିକର ଏକ ଶିବିରରେ ରହନ୍ତି। ସମାନ ସଂପ୍ରଦାୟର ରୁକ୍ମିଣୀଙ୍କର ପଡୋଶୀ ୬୬ ବର୍ଷୀୟ ପଥପ୍ରାନ୍ତ ସର୍କସ କଳାକାର ସେଲଭି ତାଙ୍କ ସହ ଯୌନ ଉତ୍ପୀଡନ କରାଯାଇଥିବା କହନ୍ତି। ୪ଟି ପିଲା, ଦୁଇଟି ପୁଅ ଏବଂ ଦୁଇଟି ଝିଅଙ୍କର ମା’ କହିଲେ, ‘‘ଗାଁର ପୁରୁଷ ଲୋକମାନେ ରାତିରେ ଆମ ତମ୍ବୁ ଭିତରକୁ ଆସନ୍ତି ଏବଂ ଆମ ପାଖରେ ପଡ଼ି ରହନ୍ତି। ସେମାନଙ୍କୁ ତଡ଼ିବା ଲାଗି ଆମେ ଅପରିଷ୍କାର ରହୁ। ଆମେ ଆମର କେଶ କୁଣ୍ଡାଇ ନଥାଉ, ସ୍ନାନ କରୁନା କିମ୍ବା ସଫା ପୋଷାକ ପିନ୍ଧୁନା। ତଥାପି, ବଦମାସମାନଙ୍କୁ ରୋକା ଯାଇପାରେନାହିଁ।’’
ସେଲଭିଙ୍କର ସ୍ୱାମୀ ରଟ୍ଟିନାମ ଯୋଗ କଲେ, ‘‘ଯେତେବେଳେ ଆମେ ଯାତ୍ରା କରୁ, ଆପଣ ଆମକୁ ଚିହ୍ନି ପାରିବେ ନାହିଁ। ଆମେ ସେତେବେଳେ ଅପରିଷ୍କାର ଥାଉ।’’
ସଂପ୍ରଦାୟର ଜଣେ ଯୁବତୀ ତୟମ୍ମାଙ୍କୁ ୧୯ ବର୍ଷ ଏବଂ ସେ ସନାଥିପୁଡୁକୁଲାମରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି। ସେ ନିଜ ଜନଜାତିରେ ସ୍କୁଲ ଶିକ୍ଷା ଶେଷ କରିଥିବା ପ୍ରଥମ ଲୋକ ହେବେ।
ହେଲେ ଏକ କଲେଜରେ ‘‘କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ଲାଗି’’ ତାଙ୍କର ସ୍ୱପ୍ନକୁ ତାଙ୍କର ବାପା ମାଙ୍କର ଅନୁମତି ମିଳିବାର ସମ୍ଭାବନା ନାହିଁ।
‘‘ଆମ ଭଳି ସଂପ୍ରଦାୟର ଝିଅଙ୍କ ଲାଗି କଲେଜ ସୁରକ୍ଷିତ ନୁହେଁ। [ସେମାନଙ୍କୁ] ସ୍କୁଲରେ ‘ସର୍କସ ପୋଡାର୍ଭା ଇଭା’ [ସର୍କସ କଳାକାର] ଭାବେ ଧମକାଯିବା ସହିତ ଭେଦଭାବ କରାଯାଇଥାଏ। କଲେଜରେ ଏହି ସ୍ଥିତି ଆହୁରି ଖରାପ ହେବ।’’ ଏ ସଂପର୍କରେ ଆଗକୁ ଚିନ୍ତା କରି ତାଙ୍କର ମା’ ଲାଚମୀ ଯୋଗ କଲେ, ‘‘ଏହାଛଡା ତାକୁ ପ୍ରବେଶ କିଏ ଦେବ? ଏବଂ ଯଦି ବି ସେ ଏକ କଲେଜ ଯାଏ, ତା’ ହେଲେ ଆମେ କିପରି ଏଥିଲାଗି ଟଙ୍କା ଦେବୁ?’’
ଟେଣ୍ଟର ମାହେଶ୍ୱରୀ ବୁଝାଇଲେ, ସେଥିଯାଗୁ ଏହି ସଂପ୍ରଦାୟର ଝିଅମାନଙ୍କୁ କମ୍ ବୟସରେ ବିବାହ କରାଇ ଦିଆଯାଇଥାଏ। ସେଲଭି କହିଲେ, ‘‘ଯଦି କିଛି ଭୁଲ୍ ହୋଇଗଲା [ଯୌନ ଉତ୍ପୀଡନ, ବଳାତ୍କାର ଏବଂ ଗର୍ଭଧାରଣ] ତା’ ହେଲେ ତାଙ୍କୁ ସଂପ୍ରଦାୟ ମଧ୍ୟରେ ବି ବହିଷ୍କୃତ କରାଯିବ ଏବଂ ତାଙ୍କର ବିବାହର କୌଣସି ସମ୍ଭାବନା ରହିବ ନାହିଁ।’’
ଏହି ସବୁ ସଂପ୍ରଦାୟର ମହିଳାମାନଙ୍କ ଲାଗି ଏହା ଏକ ଡବଲ ଝଟକା-ସେମାନଙ୍କୁ କେବଳ ନିଜ ଜନଜାତି ବିରୋଧରେ ନୁହେଁ, ବରଂ ସେମାନଙ୍କ ଲିଙ୍ଗ ବିରୋଧରେ ବି ଭେଦଭାବ ସହିବାକୁ ହେବ।
*****
୩ଟି ପିଲାଙ୍କର ମା’ ୨୮ ବର୍ଷୀୟ ହମସାବଳୀ କହିଲେ, ‘‘ମୋତେ ୧୬ ବର୍ଷ ହୋଇଥିବା ସମୟରେ ମୋର ବିବାହ ହୋଇଥିଲା। ମୁଁ ଶିକ୍ଷିତ ନୁହେଁ। ଲୋକଙ୍କୁ ସେମାନଙ୍କର ଭାଗ୍ୟ କହି ମୁଁ ଜୀବନଯାପନ କରୁଛି। କିନ୍ତୁ ଏହି କାମ ମୋର ପିଢି ସହ ସମାପ୍ତ ହୋଇଯିବା ଉଚିତ୍। ସେଥିଯୋଗୁ ମୁଁ ମୋର ସବୁ ପିଲାଙ୍କୁ ସ୍କୁଲ ପଠାଉଛି।’’
ଗୁଡୁଗୁଡୁପଣ୍ଡି ସଂପ୍ରଦାୟର ହମସାବଳୀ ଭାଗ୍ୟ କହିବା ଲାଗି ମଦୁରାଇ ଜିଲ୍ଲାର ଗାଁଗୁଡିକରେ ଯାତ୍ରା କରନ୍ତି। ଗୋଟିଏ ଦିନରେ ସେ ଏଠାରେ ମଧ୍ୟ ତାମିଲନାଡୁରେ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଯାଏ ତାପମାତ୍ରାରେ ୧୦ କିଲୋମିଟର ଯାଏ ଚାଲି ପ୍ରାୟ ୫୫ଟି ଘର ଯାଆନ୍ତି। ୨୦୦୯ ମସିହାରେ ତାଙ୍କ ବସତିର ବାସିନ୍ଦାମାନେ କାଟ୍ଟୁନାୟକନ୍- ଏକ ଅନୁସୂଚୀତ ଜନଜାତି (ଏସଟି) ଭାବେ ବର୍ଗୀକୃତ ହେଲେ।
‘‘ଆମକୁ ଏହି ସବୁ ଘରୁ କିଛି ଖାଦ୍ୟ ଏବଂ ମୁଠାଏ ଶସ୍ୟ ମିଳିଥାଏ। କିଛି ଲୋକ ଆମକୁ ଟଙ୍କାଏ କିମ୍ବା ୨ ଟଙ୍କା ଦିଅନ୍ତି,’’ ସେ ମଦୁରାଇ ସହରର ଜେଜେ ନଗର, ମଦୁରାଇ ଜିଲ୍ଲାର ଥିରୁପରାକୁଣ୍ଡ୍ରମ୍ ସହରରେ ପ୍ରାୟ ୬୦ଟି ପରିବାରକୁ ନେଇ ଥିବା ବସ୍ତିରେ, ନିଜର ଘରେ କହନ୍ତି ।
ଗୁଡୁଗୁଡୁପଣ୍ଡି ସଂପ୍ରଦାୟର ଏହି ବସ୍ତିରେ ନା ବିଜୁଳି ସଂଯୋଗ ଅଛି ନା ସଫେଇର ସୁବିଧା। ବସ୍ତିର ଆଖପାଖରେ ଥିବା ଘଞ୍ଚ ବୁଦାଳିଆ ଅଞ୍ଚଳରେ ଖୋଲାରେ ଶୌଚ କରିବା ଯୋଗୁ ସାପ କାମୁଡିବା ଏକ ସାଧାରଣ ଘଟଣା। ହମସାବଳୀ ଇଶାରାରେ କହିଲେ, ‘‘ଏଠାରେ ଏମିତି ସାପ ଅଛନ୍ତି ଯେଉଁଗୁଡ଼ିକ କୁଣ୍ଡଳୀ ଆକାରରେ ଗୁଡେଇ ହୋଇଯାନ୍ତି ଏବଂ ମୋର ଅଣ୍ଟା ଉପର ଯାଏ ଉଠିଥାନ୍ତି।’’ ଯେତେବେଳେ ବର୍ଷା ହୁଏ, ତମ୍ବୁରୁ ପାଣି ଗଳେ, ସେତେବେଳେ ଅଧିକାଂଶ ପରିବାର ଏକ ‘ଅଧ୍ୟୟନ କେନ୍ଦ୍ର’, ଏକ ଏନଜିଓ ପକ୍ଷରୁ ନିର୍ମିତ ଏକ ବଡ଼ ହଲରେ ରାତି ବିତାଇଥାନ୍ତି।
କିନ୍ତୁ ତାଙ୍କର ରୋଜଗାର ତାଙ୍କର ୧୧, ୯ ଏବଂ ୫ ବର୍ଷୀୟ ୩ଟି ପିଲାଙ୍କୁ ଖାଦ୍ୟ ଖୁଆଇବା ଲାଗି ଯଥେଷ୍ଟ ନୁହେଁ। ‘‘[ମୋ] ପିଲାମାନେ ଏଠାରେ ସବୁବେଳେ ଅସୁସ୍ଥ ରହନ୍ତି। ଡାକ୍ତର କହୁଛନ୍ତି, ‘ଭଲ ଖାଅ, ପିଲାମାନେ ଶକ୍ତି ଏବଂ ରୋଗ ପ୍ରତିରୋଧକ ପାଇଁ ପୋଷଣ ଆବଶ୍ୟକ କରନ୍ତି।’ ମୁଁ ସେମାନଙ୍କୁ କେବଳ ରାସନ୍ ଚାଉଳ ଏବଂ ରସମରେ ପ୍ରସ୍ତୁତ ଦଲିୟା ଖୁଆଇ ପାରିବି।’’
ଏବଂ ଏଥିଲାଗି ସେ ଦୃଢ ଭାବେ କହନ୍ତି, ‘‘ଏହି କାମ ମୋ ପିଢି ସହ ଶେଷ ହୋଇଯିବା କଥା।’’
ଏହି ସବୁ ସମୂହର ଅନୁଭବକୁ ବର୍ଣ୍ଣନା କରି ବି. ଆରି ବାବୁ କହନ୍ତି, ‘‘ଏକ ସାମୁଦାୟିକ ପ୍ରମାଣପତ୍ର କେବଳ ଏକ ଶ୍ରେଣୀ ପରିଚୟ ପତ୍ର ନୁହେଁ, ବରଂ ଏକ ମାନବାଧିକାର ପ୍ରାପ୍ତିର ସାଧନ।’’ ବାବୁ ମଦୁରାଇର ଆମେରିକାନ କଲେଜରେ ପ୍ରଫେସର ଅଛନ୍ତି।
ସେ ଯୋଗ କଲେ ସେହି ସାର୍ଟିଫିକେଟ୍, ‘‘ସାମାଜିକ ନ୍ୟାୟ ପାଇଁ ଏବଂ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସମାବେଶନକୁ ସୁନିଶ୍ଚିତ କରିବା ଲାଗି ଦଶନ୍ଧି ଧରି ଚାଲିଆସୁଥିବା ଭୁଲକୁ ଦୂର କରିବାକୁ ସେମାନଙ୍କର ପ୍ରମାଣପତ୍ର।’’ ସେ ଏକ ଅଣ-ବ୍ୟବସାୟିକ ୟୁ-ଟ୍ୟୁବ୍ ଚ୍ୟାନେଲ ବଫୁନର ପ୍ରତିଷ୍ଠାତା ଯାହାକି ମହାମାରୀ ଏବଂ ଏହାଜନିତ ଲକଡାଉନ୍ ସମୟରେ ତାମିଲନାଡୁରେ ଅବହେଳିତ ସଂପ୍ରଦାୟ ସାମ୍ନା କରିଥିବା କଷ୍ଟର ଦସ୍ତାବିଜକରଣ କରିଥିଲା।
*****
ସନ୍ନାଥିପୁଡୁକୁଲାମରେ ନିଜ ଘରେ ଗର୍ବିତ ଭାବେ ନିଜର ଭୋଟର ଆଇଡି କାର୍ଡ ଦେଖାଇ ଆର. ସୁପ୍ରାମଣି କହିଲେ, ‘‘ମୁଁ ଏହିସବୁ ନିର୍ବାଚନ [୨୦୨୧ରେ ହୋଇଥିବା ତାମିଲନାଡୁ ରାଜ୍ୟ ବିଧାନସଭା ନିର୍ବାଚନ] ରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭୋଟ ଦେଲି।’’ ଆଧାର ଭଳି ଅନ୍ୟ ସରକାରୀ କାଗଜପତ୍ର ମଧ୍ୟ ଏନଜିଓଗୁଡିକ ସହାୟତାରେ ମିଳିଛି।
ସେ କହିଲେ, ‘‘ମୁଁ ଶିକ୍ଷିତ ନୁହେଁ। ତେଣୁ ଅନ୍ୟ କିଛି କରି ରୋଜଗାର କରିପାରିବି ନାହିଁ। ସରକାର ଆମକୁ କିଛି ଧନ୍ଦାମୂଳକ ଶିକ୍ଷା ଏବଂ ଏକ ଋଣ ଦେବା ଆବଶ୍ୟକ। ଏହା ସବୁ ଆତ୍ମନିର୍ଭର ହେବାରେ ସହାୟକ ହୋଇପାରିବ।’’
ଫେବୃଆରୀ ୧୫, ୨୦୨୨ରେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରାଳୟ ଡିଏନଟିଏସ୍(ସିଡ୍) ମାନଙ୍କର ଅର୍ଥନୈତିକ ସଶକ୍ତୀକରଣ ଲାଗି ଯୋଜନା ଆରମ୍ଭ କଲା। ଏହା ‘‘ବାର୍ଷିକ ୨.୫୦ ଲକ୍ଷ କିମ୍ବା ତା’ଠାରୁ କମ୍ ରୋଜଗାର କରୁଥିବା ଏବଂ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କର ସମାନ ଯୋଜନାରୁ ଅନ୍ୟ ସେହିଭଳି ଲାଭ ପାଉନଥିବା ପରିବାରଗୁଡ଼ିକ ଲାଗି ଉଦ୍ଦିଷ୍ଟ ଥିଲା।’’
ପ୍ରେସ ରିଲିଜରେ ମଧ୍ୟ ଏହିସବୁ ସଂପ୍ରଦାୟଗୁଡିକ ପ୍ରତି ହୋଇଥିବା ଅନ୍ୟାୟ କଥା ସ୍ୱୀକାର କରାଯାଇଛି ଏବଂ ୨୦୨୧-୨୦୨୨ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୫-୨୬ ଯାଏ ୫ ବର୍ଷର ସମୟ ମଧ୍ୟରେ ହାରାହାରି ଭାବେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।’’ ଜନଗଣନା ପ୍ରକ୍ରିୟା ଶେଷ ହୋଇନଥିବାରୁ ଅଦ୍ୟାବଧି କୌଣସି ସଂପ୍ରଦାୟ କିଛି ଟଙ୍କା ପାଇନାହାନ୍ତି।
ସୁପ୍ରାମଣି କହିଲେ, ‘‘ଆମକୁ ସମ୍ବିଧାନରେ ଏସସି ଏବଂ ଏସଟିଙ୍କ ଭଳି ଏକ ସ୍ୱତନ୍ତ୍ର ପରିଚୟ ମାନ୍ୟତା ମିଳିବା ଆବଶ୍ୟକ। ଆମେ ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତ ନୁହେଁ ବୋଲି ସୁନିଶ୍ଚିତ କରିବାକୁ ଏହା ପ୍ରଥମ ପଦକ୍ଷେପ ହେବ।’’ ସେ କହନ୍ତି ସେମାନଙ୍କୁ ସେମାନଙ୍କର ଠିକ୍ ପରିଚୟ ଦେବାଲାଗି ଏକ ଉଚିତ ଜନଗଣନାଠାରୁ କମ୍ ଆଉ କିଛି ଯଥେଷ୍ଟ ହେବନାହିଁ।
ଏହି ଆଲେଖ୍ୟ ୨୦୨୧-୨୦୨୨ ଏସିଆ ପାସିଫିକ୍ ଫୋରମ୍ ଅନ୍ ୱିମେନ୍, ଲ ଆଣ୍ଡ ଡେଭଲପମେଣ୍ଟ(ଏପିଡବ୍ଲ୍ୟୁଏଲଡି) ମିଡିଆ ଫେଲୋସିପର ଅଂଶବିଶେଷ ଭାବେ ପ୍ରାୟୋଜିତ ଥିଲା।
ଅନୁବାଦ: ଓଡ଼ିଶାଲାଇଭ୍