“ମୁଁ ଜାଣିନାହିଁ ଏସବୁ କ’ଣ, ମୋତେ ଲାଗୁଛି ମୋଦୀଙ୍କ ସହିତ ଏହାର କିଛି ସମ୍ପର୍କ ରହିଛି। ମୁଁ ଏଠାକୁ ଖାଇବା ଲାଗି ଆସୁଛି। ଏବେ ଆମକୁ ଭୋକରେ ଶୋଇବାର ଚିନ୍ତା ନାହିଁ”, ୧୬ ବର୍ଷୀୟା ରେଖା କହିଥାନ୍ତି (ଏ ଷ୍ଟୋରୀରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ଲୋକଙ୍କ ଭଳି, ସେ ମଧ୍ୟ କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ସେ ପୁନଃବ୍ୟବହାରଯୋଗ୍ୟ ଅଳିଆ ଗୋଟାଇବା କାମ କରିଥାନ୍ତି ଏବଂ ସିଂଘୁର ଆନ୍ଦୋଳନସ୍ଥଳୀ ଠାରୁ ପାଖାପାଖି ୮ କିମି ଦୂର, ଉତ୍ତର ଦିଲ୍ଲୀର ଅଲୀପୁରରେ ରହିଥାନ୍ତି।
ସେ ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଂଘୁର ଅବରୋଧ ଅଞ୍ଚଳରେ ଅଛନ୍ତି, ଯେଉଁଠି ସେପ୍ଟେମ୍ବରରେ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ନଭେମ୍ବର ୨୬ ତାରିଖ ଠାରୁ ଆନ୍ଦୋଳନ ଚଳାଇଆସୁଛନ୍ତି। ଆନ୍ଦୋଳନସ୍ଥଳୀ ହଜାର ହଜାର ଲୋକ-କୃଷକ, ସମର୍ଥକ, ଜିଜ୍ଞାସୁ ଓ କେତେଜଣ ସରଳ ଭୋକିଲା ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି, ଯେଉଁମାନେ କୃଷକ ଏବଂ ଗୁରୁଦ୍ୱାରାଗୁଡ଼ିକ ଦ୍ୱାରା ପରିଚାଳିତ ବିଭିନ୍ନ ଲଙ୍ଗରରେ ଖାଦ୍ୟ ଖାଉଛନ୍ତି। ଏହି ଗୋଷ୍ଠୀ ଭୋଜନାଳୟରେ କାମ କରୁଥିବା ଲୋକମାନେ ଖାଇବାକୁ ଆସୁଥିବା ସବୁ ଲୋକଙ୍କୁ ସ୍ୱାଗତ କରିଥାନ୍ତି।
ଏମାନଙ୍କ ମଧ୍ୟରେ ଆଖପାଖ ଫୁଟପାଥ ଏବଂ ବସ୍ତିରେ ରହୁଥିବା ଅନେକ ପରିବାର ସାମିଲ ଅଛନ୍ତି, ଯେଉଁମାନେ ବିରୋଧ ପ୍ରଦର୍ଶନସ୍ଥଳୀକୁ ମୁଖ୍ୟତଃ ଲଙ୍ଗର-ମାଗଣା ଭୋଜନ-ପାଇଁ ଆସିଥାନ୍ତି ଯାହା ସାରା ଦିନ ଚାଲିଥାଏ, ସକାଳେ ପାଖାପାଖି ୮ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ। ଚାଉଳ, ଡାଲି, ପକୋଡ଼ା, ଲଡୁ, ଶାଗ, ମକା ରୁଟି, ପାଣି, ଜୁସ-ଏସବୁ ଜିନିଷ ଏଠାରେ ଉପଲବ୍ଧ ରହିଛି। ସ୍ୱେଚ୍ଛାସେବୀମାନେ ମଧ୍ୟ ବିଭିନ୍ନ ପ୍ରକାରର ଉପଯୋଗୀ ସାମଗ୍ରୀ ଯେପରିକି ଔଷଧ, କମ୍ବଳ, ସାବୁନ, ଚପଲ, ପୋଷାକ ଆଦି ମାଗଣାରେ ବାଣ୍ଟୁଛନ୍ତି।
ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ଜଣେ, ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଘୁମନ କଲାଁ ଗ୍ରାମର ୨୩ ବର୍ଷୀୟ ହରପ୍ରିତ ସିଂ ବିଏସସିରେ ପାଠପଢ଼ୁଛନ୍ତି। “ଆମେ ବିଶ୍ୱାସ କରୁ ଯେ ଏହି ଆଇନ କ୍ଷତିକାରକ”, ସେ କୁହନ୍ତି। “ଆମର ପୂର୍ବପୁରୁଷ ଏହି ଜମିରେ ଚାଷ କରୁଥିଲେ ଏବଂ ଏଗୁଡ଼ିକର ମାଲିକ ଥିଲେ ଏବଂ ଏବେ ସରକାର ଏଥିରୁ ଆମକୁ ବେଦଖଲ କରିବାକୁ ଚାହୁଁଛନ୍ତି। ଆମେ ଏହି ଆଇନ କୁ ବିରୋଧ କରୁଛୁ। ଯଦି ଆମର ରୁଟି ଖାଇବାକୁ ଇଚ୍ଛା ନାହିଁ, କେହି ଆମକୁ ଏହା ଖାଇବା ଲାଗି ବାଧ୍ୟ କିପରି କରିପାରିବ? ଏହି ଆଇନକୁ ରଦ୍ଦ କରିବାକୁ ହେବ।”ଅନୁବାଦ: ଓଡ଼ିଶାଲାଇଭ୍