ସେମାନେ ଲୟ ଏବଂ କୁଶଳତା ସହିତ ଆଗକୁ ବଢ଼ୁଥିଲେ-“ରେ ରେଲା ରେ ରେଲା ରେ ରେଲା ରେ”- ଯୁବତୀମାନଙ୍କର ଏକ ଦଳ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ଧଳା ଶାଢ଼ି ଓ ମୁଣ୍ଡରେ ଚମକୁ ଥିବା ଟୋପି ପିନ୍ଧି, ଏକାବେଳେ ତିନି ଥର ଘୁରୁଥିଲେ, ପରସ୍ପରର ହାତକୁ ଧରି, ରେଲା ଗୀତ ଗାଉଥିଲେ ଯାହାକି ଗୋଣ୍ଡ ସମ୍ପ୍ରଦାୟ ମଧ୍ୟରେ ବେଶ ଲୋକପ୍ରିୟ।
କିଛି ସମୟ ପରେ, ଯୁବକମାନଙ୍କର ଏକ ଦଳ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିଲା, ସେମାନେ ମଧ୍ୟ ଧଳା ପୋଷାକ ପିନ୍ଧି ଥିଲେ। ସେମାନଙ୍କର ମୁଣ୍ଡରେ ରଙ୍ଗୀନ ପରରେ ସଜ୍ଜା ହୋଇଥିବା ପଗଡ଼ି ଥିଲା। ସେମାନଙ୍କ ପାଦରେ ବନ୍ଧା ହୋଇଥିବା ଘୁଙ୍ଗୁର ପାଦର ଜଟିଳ ତାଳ ସହିତ ଲୟରେ ବାଜୁଥିଲା,ଏଥିସହିତ ସେମାନେ ନିଜ ହାତରେ ଧରିଥିବା ଛୋଟ ଢୋଲ (ମାଣ୍ଡରି) ବଜାଉଥିଲେ ଏବଂ ରେଲା ଗୀତା ଗାଉଥିଲେ। ପରସ୍ପରର ବାହୁକୁ ଛନ୍ଦି, ଯୁବତୀମାନେ ଯୁବକମାନଙ୍କ ଦଳକୁ ଘେରି ଏକ ଶୃଙ୍ଖଳ ତିଆରି କଲେ। ସେମାନେ ସମସ୍ତେ ନାଚି ଗାଇ ଚାଲିଲେ।
ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ୪୩ ଜଣ ପୁରୁଷ ଏବଂ ମହିଳାମାନଙ୍କୁ ନେଇ ଏକ ମଣ୍ଡଳୀ ଥିଲା, ଏମାନଙ୍କର ବୟସ ୧୬ରୁ ୩୦ ବର୍ଷ ମଧ୍ୟରେ ଥିଲା, ସମସ୍ତେ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲା କେଶକାଲ ବ୍ଲକର ବେଦମାରୀ ଗ୍ରାମରୁ ଆସିଥିଲେ।
ସେମାନେ ରାଜ୍ୟର ରାଜଧାନୀ ରାୟପୁର ଠାରୁ ପାଖାପାଖି ୧୦୦କିମି ଦୂର (ବସ୍ତର କ୍ଷେତ୍ରରେ) ରାୟପୁର-ଜଗଦଲପୁର ରାଜପଥ ନିକଟସ୍ଥ ଏହି ସ୍ଥଳରେ ପହଞ୍ଚିବା ଲାଗି ଏକ ଗାଡ଼ିରେ ୩୦୦ କିମିରୁ ଅଧିକ ରାସ୍ତା ଯାତ୍ରା କରିସାରିଥିଲେ। ଛତିଶଗଡ଼ର ବଲୌଦାବାଜାର-ଭାଟପାରା ଜିଲ୍ଲା ସୋନାଖାନର ଆଦିବାସୀ ରାଜା, ବୀର ନାରାୟଣ ସିଂ ଙ୍କ ବଳିଦାନର ସ୍ମୃତିରେ, ୨୦୧୫ଠାରୁ ୧୦-୧୨ଡିସେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ତିନି ଦିନିଆ ବୀର ମେଳା ପାଇଁ ମଧ୍ୟ ଭାରତର ଆଦିବାସୀ ସମ୍ପ୍ରଦାୟ ଏବଂ ବିଶେଷ କରି ଛତିଶଗଡ଼ର ଅନ୍ୟ ନର୍ତ୍ତକ ମଧ୍ୟ ଏଠାକୁ ଆସିଥିଲେ। ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିଥିବା ରାଜାଙ୍କୁ ଡିସେମ୍ବର ୧୮୫୭ରେ ଉପନିବେଶବାଦୀ ଶାସକମାନେ ଧରି ନେଇଥିଲେ ଏବଂ ତାଙ୍କୁ ରାୟପୁର ଜିଲ୍ଲାର ଜୟସ୍ତମ୍ଭ ଚୌକରେ ଫାଶୀରେ ଝୁଲାଇ ଦେଇଥିଲେ। ସ୍ଥାନୀୟ ଲୋକକଥା ଅନୁଯାୟୀ, ଇଂରେଜମାନେ ତାଙ୍କୁ ଫାଶୀରେ ଝୁଲାଇ ଦେବା ପରେ ତାଙ୍କ ଶରୀରକୁ ଗୁଳିରେ ଉଡ଼ାଇ ଦେଇଥିଲେ।
ପର୍ବ ଆୟୋଜିତ ହେଉଥିବା ସ୍ଥାନ-ରାଜାରାଓ ପାଥର-କୁ ଏକ ଦେବସ୍ଥାନ (ପୂଜା ପାଇଁ ପବିତ୍ର ସ୍ଥାନ) ଭାବେ ଗ୍ରହଣ କରାଯାଇଥାଏ ଯାହାକି ଗୋଣ୍ଡ ଆଦିବାସୀଙ୍କ ଏକ କୁଳ ଦେବତାଙ୍କୁ ସମର୍ପିତ। ତିନି ଦିନିଆ କାର୍ଯ୍ୟକ୍ରମ ଗୀତ ଓ ନୃତ୍ୟରେ ପରିପୂର୍ଣ୍ଣ ହୋଇଥାଏ।
“ରେଲା (ବା ରେଲୋ ବା ରିଲୋ) ଏହି ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିଥାଏ”, ସର୍ବ ଆଦିବାସୀ ଜିଲ୍ଲା ପ୍ରକୋଷ୍ଠର ଅଧ୍ୟକ୍ଷ, ପ୍ରେମଲାଲ କୁଞ୍ଜମ କହିଥାନ୍ତି। “ଯେପରି ଭାବେ ମାଳାରେ ଫୁଲକୁ ଗୁନ୍ଥା ଯାଇଥାଏ, ସେହିପରି ଲୋକମାନେ ପରସ୍ପରର ହାତକୁ ଧରି ନୃତ୍ୟ କରିଥାନ୍ତି। ଶକ୍ତି ଓ ଉତ୍ସାହ ଅନୁଭବ ହୋଇଥାଏ।” ସେ ବିସ୍ତୃତ ଭାବେ କହିଥାନ୍ତି ଯେ ରେଲା ଗୀତର ତାଳ ଓ ପଦ୍ୟ, ଗୋଣ୍ଡୱାନା ସଂସ୍କୃତି (ଗୋଣ୍ଡ ସମ୍ପ୍ରଦାୟର ପରମ୍ପରା)ର ପ୍ରତିନିଧିତ୍ୱ କରିଥାଏ। “ଏହି ଗୀତଗୁଡ଼ିକ ମାଧ୍ୟମରେ ଆମେ ନୂଆ ପିଢ଼ି ନିକଟରେ ନିଜର ଗୌଣ୍ଡୀ ସଂସ୍କୃତିର ବାର୍ତ୍ତା ପହଞ୍ଚାଇଥାଉ”, ପ୍ରେମଲାଲ କହିଥାନ୍ତି।
“ରେଲା ଭଗବାନଙ୍କ ଗୀତ ରୂପ ଅଟେ”, ବାଲୋଦ ଜିଲ୍ଲାର ବାଲୋଦଗାହାଁ ଗ୍ରାମର ଦୌଲତ ମଣ୍ଡଭୀ କହିଥାନ୍ତି। “ଆମ ଆଦିବାସୀ ପରମ୍ପରା ଅନୁଯାୟୀ, ଏହି ଗୀତ ଦେବତାମାନଙ୍କର ଧ୍ୟାନ ଆକର୍ଷଣ କରିବା ଲାଗି ବୋଲାଯାଇଥାଏ। ଯଦି ଆପଣ କଷ୍ଟରେ ଅଛନ୍ତି କିମ୍ବା ଆପଣଙ୍କ ଶରୀରରେ ଅନ୍ୟ କୌଣସି ସମସ୍ୟା ଅଛି, ଆପଣ ରେଲା ନୃତ୍ୟ କଲେ ତାହା ମଧ୍ୟ ଗାଏବ ହୋଇଯିବ। ଏହି ଗୀତ ଆଦିବାସୀ ସମ୍ପ୍ରଦାୟରେ ବିବାହ ସମୟରେ ଏବଂ ଅନ୍ୟ ଅବସରରେ ମଧ୍ୟ ବୋଲାଯାଇଥାଏ।”
ଡିସେମ୍ବର ମାସର ବୀର ମେଳାରେ, ସବୁଠୁ କମ୍ ବୟସର ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ଜଣେ, ଅଷ୍ଟମ ଶ୍ରେଣୀ ଛାତ୍ରୀ, ସୁଖିଆରିଅନ କାଓଡ଼େ କହିଥିଲେ, “ମୁଁ ରେଲାକୁ ଖୁବ ପସନ୍ଦ କରିଥାଏ। ଏହା ଆମ ସଂସ୍କୃତିର ଏକ ଅଂଶବିଶେଷ।” ସେ ମଣ୍ଡଳୀ ସହିତ ସାମିଲ ହେବାକୁ ନେଇ ଉତ୍ସାହିତ ଥିଲେ କାରଣ ଏହାଫଳରେ ତାଙ୍କୁ କଳା ପ୍ରଦର୍ଶନ କରିବା ଲାଗି ବିଭିନ୍ନ ସ୍ଥାନକୁ ଯିବା ଲାଗି ସୁଯୋଗ ମିଳିଥିଲା।
ବେଦମାରୀ ଗ୍ରାମର ଏକ ଦଳ ରେଲା ଗୀତ ସହିତ ଆରମ୍ଭ କଲେ ଏବଂ ହୁଲ୍କୀ ମାଣ୍ଡରୀ ଓ କୋଲାଙ୍ଗ ନୃତ୍ୟ ପରିବେଷଣ କଲେ।
“ମାଣ୍ଡରୀର ପ୍ରଦର୍ଶନ ପାରମ୍ପରିକ ଢଙ୍ଗରେ ହରେଲି ସମୟରେ କରାଯାଇଥାଏ (ଏହି ପର୍ବ ବୀଜ ଅଙ୍କୁରିତ ହେବା ପରେ ଓ ଖରିଫ ଋତୁ ସମୟରେ ଚାଷ ଜମିରେ ଉଠିଥିବା ଚାରାଗଛଗୁଡ଼ିକ ସବୁଜ ହୋଇଯିବା ସମୟରେ ଆରମ୍ଭ ହୋଇଥାଏ ଏବଂ ଦୀପାବଳି ପର୍ଯ୍ୟନ୍ତ ପାଳନ କରାଯାଇଥାଏ)”, ଜଣେ ଆଦିବାସୀ ଜଲେଜ ଛାତ୍ର, ଦିଲୀପ କୁରେତୀ କହିଥାନ୍ତି। ଏହି ଅବଧି ସମୟରେ, ବଡ଼ ଢୋଲ (ମାଣ୍ଡର) ଧରିଥିବା ପୁରୁଷ ଏବଂ ହାତରେ ଝାଞ୍ଜ ଧରିଥିବା ମହିଳାମାନେ ଏକ ସଙ୍ଗେ ନୃତ୍ୟ କରିଥାନ୍ତି।
ପୁସ କୋଲାଙ୍ଗ ଶୀତ ଋତୁରେ ପାଳନ କରାଯାଇଥାଏ, ଯାହା ଡିସେମ୍ବର ଶେଷରେ ଆରମ୍ଭ ହୋଇଥାଏ ଏବଂ ଜାନୁଆରୀ ମଧ୍ୟ ଭାଗ (ଚନ୍ଦ୍ର କ୍ୟାଲେଣ୍ଡରରେ ପୁସ ବା ପୌଷ ମାସ) ପର୍ଯ୍ୟନ୍ତ ଚାଲିଥାଏ। ଗୌଣ୍ଡ ସମ୍ପ୍ରଦାୟର ଯୁବକମାନେ ପୁରୁଷ ରେଲା ଗୀତର ତାଳରେ କୋଲାଙ୍ଗ ନୃତ୍ୟ କରିବା ଲାଗି ପଡ଼ୋଶୀ ଗାଁକୁ ଯାତ୍ରା କରିଥାନ୍ତି-ଏହା ଏକ ଉତ୍ସାହପୂର୍ଣ୍ଣ ଆଥଲେଟିକ ନୃତ୍ୟ ଯାହାକୁ ଠେଙ୍ଗା ସହିତ ପରିବେଷଣ କରାଯାଇଥାଏ, ଯାହାକୁ ବିଶେଷ କରି ଧୱଇ (Woodfordia fruticosa) ଗଛର କାଠରେ ତିଆରି କରାଯାଇଥାଏ।
“ପୁସ କୋଲାଙ୍ଗ ସମୟରେ ଆମେ ଆମର ରାସନ ସାଥିରେ ନେଇ (ଅନ୍ୟ ଗାଁକୁ) ଯାଇଥାଉ, ଯେଉଁଠି ଆମେ ମଧ୍ୟାହ୍ନ ଭୋଜନ ନିଜେ ରାନ୍ଧି ଥାଉ ଏବଂ ଆୟୋଜକ ଗ୍ରାମ ଆମକୁ ରାତିର ଖାଦ୍ୟ ଉପଲବ୍ଧ କରାଇଥାନ୍ତି”, ବେଦମାରୀ ମଣ୍ଡଳୀର ଜଣେ ବରିଷ୍ଠ ନେତା, ସୋମରୁ କୋରମ କହିଥାନ୍ତି।
ପର୍ବ ଓ ନୃତ୍ୟ ସେତିକି ବେଳେ ସମାପ୍ତ ହୋଇଥାଏ ଯେତେବେଳେ ଯାତ୍ରା କରୁଥିବା ମଣ୍ଡଳୀ ରାତିରେ ଆକାଶକୁ ଆଲୋକିତ କରୁଥିବା ପୌଷ ମାସର ପୂର୍ଣ୍ଣିମାର ଠିକ ଗୋଟିଏ ଦିନ ପୂର୍ବରୁ ନିଜ ଗାଁକୁ ଫେରିଥାନ୍ତି।
ଅନୁବାଦ - ଓଡ଼ିଶାଲାଇଭ୍