‘‘ଇନ୍‌ସାନ୍‌ ଅବ୍‌ ଝଗଡ଼େ ସେ ମରେଗା ନା ରଗଡେ ସେ

ମରେଗା ତୋ ଭୁକ୍‌ ଔର ପ୍ୟାସ ସେ’’

‘‘ମଣିଷ ଏବେ ସଂଘର୍ଷରେ ମରିବନି କି ଚାପରେ ବି ନୁହେଁ

ଯଦି ମରିବ ଭୋକ ଆଉ ଶୋଷରେ।’’

ତେଣୁ, କେବଳ ଯେ ବିଜ୍ଞାନ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସତର୍କ ଘଣ୍ଟି ବଜାଉଛି ତାହା ନୁହେଁ ଭାରତର ସାହିତ୍ୟିକ ମହାପୁରାଣଗୁଡ଼ିକ ମଧ୍ୟ ବହୁ ବର୍ଷ ପୂର୍ବରୁ ଏହାକୁ ଠାବ କରିଛନ୍ତି ବୋଲି ମତ ଦିଅନ୍ତି ଦିଲ୍ଲୀର ୭୫ବର୍ଷ ବୟସ୍କ ଚାଷୀ ଶିବଶଙ୍କର। ତାଙ୍କର ବିଶ୍ୱାସ ସେ ୧୬ଶ ଶତାବ୍ଦୀର ମହାକାବ୍ୟ ରାମଚରିତମାନସର ( ଭିଡ଼ିଓ ଦେଖନ୍ତୁ ) ଧାଡ଼ିଗୁଡ଼ିକ ଆବୃତ୍ତି କରୁଛନ୍ତି। ଶଙ୍କର ତାଙ୍କର ମହାକାବ୍ୟ ପଢ଼ିବାରେ କିଛିଟା ଭୁଲ କରିଥାଇ ପାରନ୍ତି ଏବଂ ଆପଣ ମଧ୍ୟ ତୁଳସୀ ଦାସଙ୍କ ମୌଳିକ କବିତାରେ ଏହି ଧାଡ଼ିଗୁଡ଼ିକ ପାଇବା କଷ୍ଟକର ହୋଇପାରେ। କିନ୍ତୁ ଯମୁନା ନଦୀର ପ୍ଲାବନ ଭୂମିରେ ଏହି ଚାଷୀଙ୍କ ଶବ୍ଦଗୁଡ଼ିକ ତାଙ୍କ ନିଜ ସମୟ ସହ ବେଶ୍‌ ଖାପ ଖାଉଥିବା ପରି ମନେହେଉଛି।

ଶଙ୍କର, ତାଙ୍କ ପରିବାର ଏବଂ ଅନେକ ଅନ୍ୟ ଚାଷୀମାନେ କଷ୍ଟକର ବିବରଣୀରେ ତାପମାତ୍ରା, ପାଣିପାଗ ଏବଂ ଜଳବାୟୁରେ ଅନେକ ପରିବର୍ତ୍ତନ ବର୍ଣ୍ଣନା କରନ୍ତି। ଏଗୁଡ଼ିକ ଯେକୌଣସି ସହରାଞ୍ଚଳରେ ଥିବା ବୃହତମ ପ୍ଲାବନଭୂମିଗୁଡ଼ିକ ମଧ୍ୟରୁ ଅନ୍ୟତମ ଏହି ଅଞ୍ଚଳକୁ କିପରି ପ୍ରଭାବିତ କରିଛି ତାହା ବର୍ଣ୍ଣନା କରନ୍ତି। ଯୁମନା ନଦୀର ୧,୩୭୬ କିଲୋମିଟର ମଧ୍ୟରୁ ମାତ୍ର ୨୨ କିଲୋମିଟର ଜାତୀୟ ରାଜଧାନୀ ଅଞ୍ଚଳ ଦେଇ ପ୍ରବାହିତ ହୁଏ ଏବଂ ଏହାର ୯୭ ବର୍ଗ କିଲୋମିଟର ପ୍ଲାବନ ଅଞ୍ଚଳ ଦିଲ୍ଲୀ ଅଞ୍ଚଳର ମାତ୍ର ୬.୫ ପ୍ରତିଶତ। କିନ୍ତୁ ଯାହା ଏକ କ୍ଷୁଦ୍ର ଉପସ୍ଥିତି ପରି ଦେଖାଯାଏ ତାହାର ଜଳବାୟୁକୁ ସନ୍ତୁଳିତ କରିବାରେ ଏକ ବୃହତ ପ୍ରଭାବ ରହିଛି ଏବଂ ଏହା ରାଜଧାନୀ ପାଇଁ ପ୍ରକୃତିର ତାପ ନିରୋଧକ ଭାବରେ କାର୍ଯ୍ୟ କରେ ।

ଏଠାରେ କୃଷକମାନେ ପରିବର୍ତ୍ତନଗୁଡ଼ିକୁ ନିଜ ଭାଷାରେ ଉଲ୍ଲେଖ କରନ୍ତି। ଶିବଶଙ୍କରଙ୍କ ପୁଅ ବିଜେନ୍ଦର ସିଂ କୁହନ୍ତି ୨୫ବର୍ଷ ତଳେ ଏଠାରେ ଲୋକମାନେ ସେପ୍ଟେମ୍ବର ମାସ ବେଳକୁ ହାଲକା କମ୍ବଳ ବ୍ୟବହାର କରିବା ଆରମ୍ଭ କରୁଥିଲେ। ୩୫ବର୍ଷ ବୟସ୍କ ଶ୍ରୀ ସିଂ କୁହନ୍ତି ‘‘ଏବେ’’ “ଶୀତ ଡିସେମ୍ବର ପର୍ଯ୍ୟନ୍ତ ଆରମ୍ଭ ହେଉନାହିଁ। ପୂର୍ବେ ମାର୍ଚ୍ଚ ମାସରେ ହୋଲି ଗରମ ଦିନ ଥିଲା। ଏବେ ଏହା ଶୀତର ଉତ୍ସବ ପରି ପାଳନ କରାଯାଉଛି।’’

Shiv Shankar, his son Vijender Singh (left) and other cultivators describe the many changes in temperature, weather and climate affecting the Yamuna floodplains.
PHOTO • Aikantik Bag
Shiv Shankar, his son Vijender Singh (left) and other cultivators describe the many changes in temperature, weather and climate affecting the Yamuna floodplains. Vijender singh at his farm and with his wife Savitri Devi, their two sons, and Shiv Shankar
PHOTO • Aikantik Bag

ଶିବଶଙ୍କର, ତାଙ୍କ ପୁଅ ବିଜେନ୍ଦର ସିଂ (ବାମ) ଏବଂ ଅନ୍ୟ ଚାଷୀମାନେ ଯମୁନା ପ୍ଲାବନଭୂମିକୁ ପ୍ରଭାବିତ କରୁଥିବା ତାପମାତ୍ରା, ପାଣିପାଗ ଏବଂ ଜଳବାୟୁରେ ଅନେକ ପରିବର୍ତ୍ତନ ବର୍ଣ୍ଣନା କରୁଛନ୍ତି। ବିଜେନ୍ଦର ସିଂ ତାଙ୍କ ପତ୍ନୀ ଏବଂ ଦୁଇପୁଅ, ତାଙ୍କ ମାଆ ସାବିତ୍ରୀ ଦେବୀ ଏବଂ ଶିବଶଙ୍କରଙ୍କ ସହ (ଡାହାଣ)

ଶଙ୍କରଙ୍କ ପରିବାରର ପ୍ରତ୍ୟକ୍ଷ ଅନୁଭୂତି ଏଠାରେ ଅନ୍ୟ ଚାଷୀମାନଙ୍କ ଜୀବନକୁ ମଧ୍ୟ ପ୍ରତିଫଳିତ କରେ। ବିଭିନ୍ନ ଆକଳନ ପ୍ରକାଶ କରେ ଯେ ଯମୁନାର ଦିଲ୍ଲୀତଟ ଆଖପାଖରେ ୫୦୦୦ରୁ ୭୦୦୦ ଚାଷୀ ବାସ କରନ୍ତି। ଏହା ଗଙ୍ଗାର ଦୀର୍ଘତମ ଶାଖାନଦୀ ଏବଂ ପରିମାଣ ଦୃଷ୍ଟିରୁ ଦ୍ୱିତୀୟ ବୃହତ୍ତମ (ଘାଘରା ପରେ)। ଏହି କୃଷକମାନେ ପ୍ରାୟ ୨୪,୦୦୦ ଏକର ଚାଷ କରନ୍ତି, ଯାହାକି ଗତ କେଇ ଦଶକ ତୁଳନାରେ ଅନେକ କମ୍‌। ଏମାନେ ଗୋଟିଏ ବଡ଼ ମହାନଗରର କୃଷକ, କୌଣସି ଅଗମ୍ୟ ଗ୍ରାମୀଣ କ୍ଷେତ୍ରର ନୁହେଁ। ସେମାନେ ସବୁ ସମୟରେ ସେମାନଙ୍କ ଅସ୍ତିତ୍ୱକୁ ଦୁର୍ବଳ କରୁଥିବା ବିକାଶ ସହ ଅନିଶ୍ଚିତତା ନେଇ ବଞ୍ଚନ୍ତି। ନ୍ୟାସନାଲ ଗ୍ରିନ ଟ୍ରିବୁନାଲ (ଏନ୍‌ଜିଟି) ମଧ୍ୟ ପ୍ଲାବନଭୂମିରେ ଅନିୟନ୍ତ୍ରିତ ବେଆଇନ ନିର୍ମାଣକୁ ବିରୋଧ କରି କରାଯାଉଥିବା ପିଟିସନଗୁଡ଼ିକରେ ପ୍ଲାବିତ ହୋଇଗଲାଣି ।

ଅବସରପ୍ରାପ୍ତ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ମନୋଜ ମିଶ୍ର କୁହନ୍ତି, ‘‘ଯଦି ପ୍ଲାବନଭୂମିଗୁଡ଼ିକର କଂକ୍ରିଟକରଣ ଯେମିତି ଚାଲିଛି ସେମିତି ହୁଏ, ତେବେ ଦିଲ୍ଲୀଓ୍ୱାଲାମାନେ ସହର ଛାଡ଼ିବାକୁ ବାଧ୍ୟ ହେବେ କାରଣ ଉଭୟ ଗ୍ରୀଷ୍ମ ଏବଂ ଶୀତରେ ତାପମାତ୍ରା ଅତ୍ୟଧିକ ଏବଂ ଅସହନୀୟ ହୋଇଯିବ’’। ଶ୍ରୀ ମିଶ୍ର ୨୦୦୭ ମସିହାରେ ସ୍ଥାପିତ ହୋଇଥିବା ଯମୁନା ଜିଏ ଅଭିଯାନ (ଦୀର୍ଘଜୀବୀ ହେଉ ଯମୁନା)ର ପୁରୋଧା। ଓ୍ୱାଇଜେଏ ଦିଲ୍ଲୀର ଅଗ୍ରଣୀ ୭ଟି ପରିବେଶ ସଂଗଠନ ଏବଂ ଚିନ୍ତାଶୀଳ ନାଗରିକମାନଙ୍କୁ ଏକତ୍ର କରିଛି ଏବଂ ନଦୀ ଓ ଏହାର ଜୈବ ସଂସ୍ଥାନକୁ ବଞ୍ଚାଇବା ପାଇଁ କାମ କରୁଛି। ‘‘ଏହି ସହର କ୍ରମଶଃ ବଞ୍ଚିବା ଅଯୋଗ୍ୟ ହୋଇଯାଉଛି ଏବଂ ପ୍ରବାସ ଭୀଷଣ ଭାବରେ ବଢ଼ିଥିବା ଦେଖାଯାଉଛି। ଯଦି ଏହା ନିଜର ବାୟୁର ମାନକୁ ସଂଶୋଧନ ନ କରେ ତେବେ ଦୂତାବାସଗୁଡ଼ିକ (ମଧ୍ୟ) ଚାଲିଯିବ।’’

*****

ପୁଣି ସେହି ପ୍ଲାବନଭୂମିଗୁଡ଼ିକରେ ଗତ କେଇ ଦଶକର ଅନିୟମିତ ବୃଷ୍ଟି କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କୁ ସମାନ ଭାବରେ ଯନ୍ତ୍ରଣା ଦେଉଛି।

ଯମୁନା ନଦୀ ଉପରେ ନିର୍ଭର କରୁଥିବା ଏହି ସମୂହଗୁଡ଼ିକ ଏବେ ବି ପ୍ରତିବର୍ଷ ବର୍ଷାକୁ ସ୍ୱାଗତ କରୁଛନ୍ତି। ମତ୍ସ୍ୟଜୀବୀମାନେ ଏଥିପାଇଁ ଯେ ଅତିରିକ୍ତ ଜଳ ନଦୀକୁ ସଫା କରିଦିଏ ଏବଂ ମାଛମାନକୁ ବୃଦ୍ଧି କରିବାରେ ସହାୟକ ହୁଏ ଏବଂ କୃଷକମାନେ ଏଥିପାଇଁ ଯେ, ଏହା ଗୋଟିଏ ପରସ୍ତ ତାଜା ଉର୍ବର ମାଟି ନେଇଆସେ। ଶଙ୍କର ବୁଝାଇ କୁହନ୍ତି, ‘‘ଜମିନ୍‌ ନୟି ବନ୍‌ ଜାତି ହେ, ଜମିନ୍‌ ପଲଟ ଜାତି ହେ, [ମୌସୁମୀ ବର୍ଷାରେ ଜମି ପୁନର୍ଜୀବନ ପାଏ ଏବଂ ବଦଳିଯାଏ]’’। “ଏହା ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରାୟ ପ୍ରତିବର୍ଷ ହେଉଥିଲା। ବର୍ତ୍ତମାନ ବର୍ଷା କମ୍‌ ହେଉଛି, ପୂର୍ବେ ମୌସୁମୀ ଜୁନ୍‌ମାସରେ ଆରମ୍ଭ ହେଉଥିଲା ଏଥର ଜୁନ୍‌ ଓ ଜୁଲାଇ ବି ଶୁଖିଲା ଥିଲା। ବର୍ଷା ବିଳମ୍ବିତ ହେଉଛି ଯାହା ଆମ ଫସଲକୁ ପ୍ରଭାବିତ କରୁଛି।’’

‘‘ଯେତେବେଳେ ବର୍ଷା କମ୍‌ ହୁଏ, ସେତେବେଳେ ନମକ୍‌ [କ୍ଷାରୀୟ ଉପାଦାନ, ଲୁଣ ନୁହେଁ] ପରିମାଣ ମାଟିରେ ବଢ଼ିଯାଏ’’। ଯେତେବେଳେ ଶଙ୍କର ଆମକୁ ତାଙ୍କ କ୍ଷେତ ଦେଖାଉଥିଲେ ସେତେବେଳେ ଏହା କହିଲେ। ଦିଲ୍ଲୀର ପଟ୍ଟୁମାଟି ନଦୀ ଦ୍ୱାରା ଏହାର ପ୍ଲାବନ ଭୂମିରେ ଜମା କରାଯାଉଥିବା ମାଟିର ପରିଣାମ। ଏହି ମୃତ୍ତିକା ବହୁଦିନରୁ ଆଖୁ, ଧାନ, ଗହମ ଏବଂ ଅନେକ ଅନ୍ୟ ଫସଲ ଓ ପନିପରିବାକୁ ସହଯୋଗ ଦେଇଆସିଛି। ଦିଲ୍ଲୀ ଗେଜେଟର ଅନୁଯାୟୀ ୧୯ଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ୩ ପ୍ରଜାତିର ଆଖୁ –ଲାଲ୍ରି, ମିରାଟି, ସୋରଥା -ଏହି ସହରର ଗୌରବ ଥିଲା।

‘‘ଜମିନ୍‌ ନୟି ବନ ଜାତି ହେ, ଜମିନ୍‌ ପଲଟ ଜାତି ହେ, [ମୌସୁମୀ ବର୍ଷା ଦ୍ୱାରା ଏହି ଜମି ପୁନର୍ଜୀବନ ପାଏ ଏବଂ ବଦଳିଯାଏ]’’, ଶଙ୍କର ବୁଝାଇ କୁହନ୍ତି।

ଭିଡିଓ ଦେଖନ୍ତୁ: ‘ଆଜି ସେହି ଗାଁ’ରେ ଗୋଟିଏ ମଧ୍ୟ ବଡ଼ ଗଛ ନାହିଁ’

ଆଖୁ ଖଳାଗୁଡ଼ିକରେ (ପେଡ଼ା ହେଉଥିବା ସ୍ଥାନ) ଗୁଡ଼ (ଗୁଡ଼) ତିଆରି ପାଇଁ ବ୍ୟବହାର ହେଉଥିଲା। ଗତ ଏକଦଶକ ପର୍ଯ୍ୟନ୍ତ ଦିଲ୍ଲୀର ରାସ୍ତାକଡ଼ଗୁଡ଼ିକରେ ଛୋଟ ଅସ୍ଥାୟୀ ଦୋକାନ ଏବଂ ଠେଲା ତାଜା ଆଖୁରସ ବିକ୍ରି କରୁଥିଲେ। ଶଙ୍କର କୁହନ୍ତି, ଏହାପରେ ସରକାର ଆଖୁରସ ବିକ୍ରି କରିବା ପାଇଁ ଆମକୁ ଅନୁମତି ଦେବା ବନ୍ଦ କରିଦେଲେ। ତେଣୁ ଚାଷ ବନ୍ଦ ହୋଇଗଲା। ୧୯୯୦ ଦଶକରୁ - ଆଖୁ ରସ ବିକ୍ରେତାଙ୍କ ଉପରେ ସରକାରୀ କଟକଣା ଥିଲା ଏବଂ ଅଦାଲତରେ ଏଗୁଡ଼ିକ ବିରୋଧରେ କେସ୍‌ କରାଯାଇଥିଲା। ସେ କୁହନ୍ତି, ‘‘ସମସ୍ତେ ଜାଣନ୍ତି ଆଖୁ ରସ ଅସୁସ୍ଥତା ଦୂର କରେ, ଆମ ଶରୀରକୁ ଥଣ୍ଡା କରି ଉତ୍ତାପକୁ କମ୍‌ କରେ’’। ‘‘ମୃଦୁ ପାନୀୟ କମ୍ପାନୀମାନେ ଆମ ଉପରେ କଟକଣା ଜାରି କରାଇଦେଲେ, ସେମାନଙ୍କ ଲୋକେ ମନ୍ତ୍ରୀମାନଙ୍କ ସହ ମେଳି କଲେ ଏବଂ ଆମକୁ ବ୍ୟବସାୟରୁ ଦୂରେଇ ଦିଆଗଲା।’’

ଏବେ ବେଳେ ବେଳେ, ଚରମ ପାଣିପାଗ ରାଜନୈତିକ ପ୍ରଶାସନିକ ନିଷ୍ପତ୍ତି ସହ ମିଶି ବିପର୍ଯ୍ୟୟ ସୃଷ୍ଟି କରେ। ଚଳିତବର୍ଷ ଯମୁନା ନଦୀର ବନ୍ୟା- ଯେତେବେଳେ ଅଗଷ୍ଟ ମାସରେ ହରିୟାନା ହାତନି କୁଣ୍ଡ ନଦୀବନ୍ଧରୁ ପାଣି ଛାଡ଼ିଲା, ଏବଂ ଏହା ଦିଲ୍ଲୀର ବର୍ଷା ସହ କାକତାଳୀୟ ହୋଇଗଲା- ଅନେକ ଫସଲ ଧ୍ୱଂସ କରିଦେଲା। ବିଜେନ୍ଦର ଏଠାରେ ବେଲା ଇଷ୍ଟେଟ୍‌ରେ (ଜାତୀୟ ସ୍ମୃତିସ୍ଥଳ ରାଜଘାଟ ଏବଂ ଶାନ୍ତିବନର ଠିକ୍‌ ପଛରେ ଅବସ୍ଥିତ) ଆମକୁ ଚେପେଟା ହୋଇଯାଇଥିବା ଲଙ୍କା, ଶୁଖିଯାଇଥିବା ବାଇଗଣ ଏବଂ ଦୁର୍ବଳ ହୋଇଥିବା ମୂଳା ଗଛଗୁଡ଼ିକୁ ଦେଖାଇଲେ, ଯାହା ଏହି ଋତୁରେ ତାଙ୍କର ପାଞ୍ଚ ବିଘା (ଏକ ଏକର) ଜମିରେ ଭଲ ଅମଳ ହେବ ନାହିଁ।।

ଏହି ରାଜଧାନୀ ନଗରରେ ଦୀର୍ଘଦିନ ହେବ ଅର୍ଦ୍ଧଶୁଷ୍କ ଜଳବାୟୁ ରହିଛି । ଏହା ୧୯୧୧ରେ ବ୍ରିଟିଶ ରାଜଧାନୀ ହେବା ପୂର୍ବରୁ କୃଷିଭିତ୍ତିକ ରାଜ୍ୟ ପଞ୍ଜାବର ଦକ୍ଷିଣ ପୂର୍ବ ଏକ ଅଂଶ ଥିଲା । ଏବଂ ଏହା ପଶ୍ଚିମରେ ରାଜସ୍ଥାନ ମରୁଭୂମି, ଉତ୍ତରରେ ହିମାଳୟ ପର୍ବତମାଳା ଏବଂ ପୂର୍ବରେ ଭାରତୀୟ-ଗାଙ୍ଗେୟ ସମତଳ ଅଞ୍ଚଳ ଦ୍ୱାରା ପରିବେଷ୍ଟିତ ଥିଲା। (ବର୍ତ୍ତମାନ ସମସ୍ତ ଅଞ୍ଚଳ ଜଳବାୟୁ ପରିବର୍ତ୍ତନ ସହ ଜୁଝୁଛନ୍ତି)। ଏହାର ଅର୍ଥ ହେଉଛି ଅଧିକ ଶୀତ ଋତୁ ଏବଂ ଜଳୁଥିବା ଖରାଦିନ, ମଝିରେ ମୌସୁମୀ ୩ରୁ ୪ମାସ ରକ୍ଷା ଦିଏ।

ବର୍ତ୍ତମାନ ଏହା ଆହୁରି ଅନିୟମିତ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଚଳିତବର୍ଷ ଜୁନ୍‌-ଅଗଷ୍ଟ ଋତୁରେ ଦିଲ୍ଲୀରେ ୩୮ ପ୍ରତିଶତ ବୃଷ୍ଟି ନିଅଣ୍ଟ ହୋଇଛି। ସ୍ୱାଭାବିକ ୬୪୮.୯ ମିମି ତୁଳନାରେ ଏହା ୪୦୪.୧ ମିମି ବୃଷ୍ଟି ପାଇଛି। ପାଞ୍ଚବର୍ଷରେ ଏହା ଦିଲ୍ଲୀରେ ସବୁଠାରୁ ଦୁର୍ବଳ ମୌସୁମୀ।

ଡ୍ୟାମ୍ସ ରିଭର୍ସ ଆଣ୍ଡ ପିପୁଲର ଦକ୍ଷିଣ ଏସିଆ ନେଟଓ୍ୱର୍କର ସମନ୍ୱକ ହିମାଂଶୁ ଥାକ୍କର ଉଲ୍ଲେଖ କରନ୍ତି, ମୌସୁମୀର ଶୈଳୀ ବଦଳୁଛି ଏବଂ ବୁଷ୍ଟିପାତ ବିଚ୍ଛିନ୍ନ ଭାବରେ ହେଉଛି । ‘‘ ଯଦିଓ ବୃଷ୍ଟିପାତର ପରିମାଣ କମ୍‌ ହେଉନି, ବର୍ଷାଦିନଗୁଡ଼ିକର ସଂଖ୍ୟା କମ୍‌ ହେଉଛି। ‘‘ଯେଉଁଦିନମାନଙ୍କରେ ବର୍ଷା ହେଉଛି ସେତେବେଳେ ଏହା ପ୍ରଖର ହେଉଛି। ଦିଲ୍ଲୀ ବଦଳୁଛି ଏବଂ ଏହା ଯମୁନା ଓ ଏହାର ପ୍ଲାବନ ଭୂମିଗୁଡ଼ିକୁ ପ୍ରଭାବିତ କରିବ। ପ୍ରବାସ ସଡ଼କରେ ଯାନବାହନର ସଂଖ୍ୟା ଏବଂ ବାୟୁପ୍ରଦୂଷଣ – ଅଧିକ ହେଉଛି, ଯାହାକି ଉତ୍ତରପ୍ରଦେଶ ଏବଂ ପଞ୍ଜାବର ନିକଟସ୍ଥ ଅଞ୍ଚଳଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆରମ୍ଭ କରିଛି। ସୂକ୍ଷ୍ମ ଜଳବାୟୁଗୁଡ଼ିକ [ଗୋଟିଏ ଛୋଟ ଅଞ୍ଚଳର] ସ୍ଥାନୀୟ ଜଳବାୟୁକୁ ପ୍ରଭାବିତ କରିଥାଏ। ’’

*****

The flooding of the Yamuna (left) this year – when Haryana released water from the Hathni Kund barrage in August – coincided with the rains in Delhi and destroyed several crops (right)
PHOTO • Shalini Singh
The flooding of the Yamuna (left) this year – when Haryana released water from the Hathni Kund barrage in August – coincided with the rains in Delhi and destroyed several crops (right)
PHOTO • Aikantik Bag

ଚଳିତବର୍ଷ ଯମୁନା ନଦୀର ବନ୍ୟା – ଯେତେବେଳେ ହରିୟାନା ହାତନି କୁଣ୍ଡ ନଦୀବନ୍ଧରୁ ଅଗଷ୍ଟରେ ପାଣି ଛାଡ଼ିଲା-ଯାହା ଦିଲ୍ଲୀର ବର୍ଷା ସହ କାକତାଳିୟ ହୋଇଗଲା ଏବଂ ଅନେକ ଫସଲ ନଷ୍ଟ କରିଦେଲା

‘ଯମ୍‌ନା ପାର୍‌କେ ମଟର୍‌ ଲେ ଲୋ’ (‘ଯମୁନା ଆର ପାରିର ଏହି ମଟର ନିଅ’)- ପରିବା ବିକାଳିମାନଙ୍କର ଏହି ଡାକ ଯାହା ଏକଦା ଦିଲ୍ଲୀର ଗଳିଗୁଡ଼ିକରେ ଶୁଣା ଯାଉଥିଲା ତାହା ୧୯୮୦ ଦଶକରୁ ବନ୍ଦ ହୋଇଯାଇଛି । ଏନ୍‌ଭାୟରନ୍‌ମେଣ୍ଟସ୍‌ ଅଫ୍‌ ଦିଲ୍ଲୀ (କଳା ଏବଂ ସଂସ୍କୃତି ଐତିହ୍ୟ ନିମନ୍ତେ ଭାରତୀୟ ଜାତୀୟ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ହୋଇଥିବା)ବହିର ବର୍ଣ୍ଣନା ଅନୁଯାୟୀ,  ପୁରୁଖାଲୋକମାନେ ମନେ ପକାନ୍ତି ଯେ ସହରରେ “ଲକ୍ଷ୍ନୌଇ ଖରଭୁଜା’’ (ଲକ୍ଷ୍ନୌର ତରଭୁଜ) ପରି ତରଭୁଜ ମିଳୁଥିଲା । ନଦୀର ବାଲିଆ ମାଟିରେ ଚାଷ କରାଯାଉଥିବା ଏହି ତରଭୁଜ ମଧ୍ୟ ପ୍ରବାହିତ ବାୟୁ ଉପରେ ନିର୍ଭର କରୁଥିଲା । ପୂର୍ବର ତରଭୁଜଗୁଡ଼ିକ କେବଳ ସବୁଜ ଏବଂ ଓଜନିଆ ଥିଲା(ଅଧିକ ମିଠା ସୂଚୀତ କରୁଥିଲା) ଏବଂ ଗୋଟିଏ ଋତୁରେ ଥରେ ହେଉଥିଲା । ଚାଷ ଶୈଳୀ ବଦଳିବା ନୂଆ ପ୍ରକାରର ବିହନ ନେଇ ଆସିଛି । ଏବେ ତରଭୁଜଗୁଡ଼ିକ ଛୋଟ ଏବଂ ଗାରଗାରିଆ – ନୂଆ ବିହନ ଅଧିକ ଅମଳ ଦେଉଛି କିନ୍ତୁ ଆକାର ଛୋଟ ।

ଦୁଇ ଦଶକ ପୂର୍ବେ ବୁଲା ବିକାଳିମାନେ ଯେଉଁ ସତେଜ ପାଣି ସିଙ୍ଗଡ଼ା ଘରକୁ ଘର ନେଇ ବିକୁଥିଲେ ଏବେ ତାହା ସମ୍ପୂର୍ଣ୍ଣ ହଜିଯାଇଛି । ସେଗୁଡ଼ିକ ନଜଫଗଡ଼ ହ୍ରଦ (ସରୋବର) ନିକଟରେ ଚାଷ କରାଯାଉଥିଲା। ବର୍ତ୍ତମାନ ନଜଫଗଡ଼ ନର୍ଦ୍ଦମା ଏବଂ ଦିଲ୍ଲୀ ଗେଟ୍‌ ନଦ୍ଦର୍ମା ଯମୁନା ପ୍ରଦୂଷଣର ୬୩ ପ୍ରତିଶତ ପାଇଁ ଦାୟୀ ବୋଲି ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଓ୍ୱେବ୍‌ସାଇଟ୍‌ କହୁଛି । ଦିଲ୍ଲୀ କୃଷକ ସମବାୟ ବହୁମୁଖୀ ସମିତିର ସାଧାରଣ ସଂପାଦକ  ୮୦ ବର୍ଷର ବଲ୍‌ଜିତ୍‌ ସିଂ କୁହନ୍ତି, ‘‘ଏବେ ସିଙ୍ଗଡ଼ା ଛୋଟ ଜଳାଶୟଗୁଡ଼ିକରେ ଚାଷ କରାଯାଉଛି’’ । “ଲୋକମାନେ ଦିଲ୍ଲୀରେ ଏହା ଚାଷ କରିବା ବନ୍ଦ କରିଦେଲେଣି କାରଣ ଏହା ଠିକ୍‌ ପରିମାଣର ପାଣି ଏବଂ ପ୍ରଚୁର ଧୈର୍ଯ୍ୟ ଆବଶ୍ୟକ କରେ ।’’ ଆଜିକାଲି ରାଜଧାନୀ ନଗରରେ ଦୁଇଟି ଜିନିଷର ଅଭାବ ଦ୍ରୁତ ଗତିରେ ବଢ଼ୁଛି – ଜଳ ଏବଂ ଧୈର୍ଯ୍ୟ’’।

ବଲଜୀତ ସିଂ କୁହନ୍ତି ଚାଷୀମାନେ ମଧ୍ୟ ସେମାନଙ୍କ ଜମିରୁ ଶୀଘ୍ର ଅମଳ ଚାହାଁନ୍ତି । ତେଣୁ ସେମାନେ ଏମିତି ଫସଲ ଚାଷ କରୁଛନ୍ତି ଯାହା ୨-୩ ମାସ ନେବ ଏବଂ ବର୍ଷରେ ୩-୪ ଥର କରିହେବ । ଯେମିତି କି ଭେଣ୍ଡି, ବିନ୍‌ସ, ବାଇଗଣ, ମୂଳା, ଫୁଲକୋବି । ବିଜେନ୍ଦର କୁହନ୍ତି, ‘‘ନୂତନ ପ୍ରକାରର ମୂଲି (ମୂଳା) ବିହନ ଦୁଇ ଦଶକ ପୂର୍ବେ ବିକାଶ କରାଯାଇଥିଲା ।’’ ଶଙ୍କର କୁହନ୍ତି, ‘‘ବିଜ୍ଞାନ ଅମଳ ବଢ଼ାଇବାରେ ସାହାଯ୍ୟ କରିଛି’’ । “ଆଗେ ଆମେ ୪୫-୫୦ କ୍ୱିଣ୍ଟାଲ୍‌ ମୂଳା [ଏକର ପିଛା] ପାଉଥିଲୁ; ଏବେ ଏହାର ଚାରିଗୁଣ ପାଉଛୁ ଏବଂ ଆମେ ବର୍ଷକୁ ଏହା ତିନିଥର ଚାଷ କରିପାରୁଛୁ ।’’

Vijender’s one acre plot in Bela Estate (left), where he shows us the shrunken chillies and shrivelled brinjals (right) that will not bloom this season
PHOTO • Aikantik Bag
Vijender’s one acre plot in Bela Estate (left), where he shows us the shrunken chillies and shrivelled brinjals (right) that will not bloom this season
PHOTO • Aikantik Bag
Vijender’s one acre plot in Bela Estate (left), where he shows us the shrunken chillies and shrivelled brinjals (right) that will not bloom this season
PHOTO • Aikantik Bag

ବିଜେନ୍ଦରଙ୍କର ବେଲା ଇଷ୍ଟେଟ୍‌ରେ ଏକ ଏକର ଜମି (ବାମ), ଯେଉଁଠାରେ ସେ ଆମକୁ ଝାଉଁଳି ଯାଇଥିବା ଲଙ୍କା ଏବଂ ଶୁଖିଯାଇଥିବା ବାଇଗଣ (ଡାହାଣ) ଦେଖାଇଲେ ଯାହା ଏ ବର୍ଷ ଫୁଲ ଧରିବନି

ଏ ମଧ୍ୟରେ ଦିଲ୍ଲୀରେ କଂକ୍ରିଟ୍‌ ବଢ଼ିବାରେ ଲାଗିଛି, ପ୍ଲାବନ ଭୂମିରେ ବି କିଛି କମ୍‌ ନୁହେଁ । ଦିଲ୍ଲୀର ଆର୍ଥିକ ସର୍ବେକ୍ଷଣ ୨୦୧୮-୨୦୧୯ ଅନୁଯାୟୀ ୨୦୦୦-୨୦୧୮ ମସିହା ମଧ୍ୟରେ ଚାଷ ହେଉଥିବା ଅଞ୍ଚଳ ବାର୍ଷିକ ୨ ପ୍ରତିଶତ ହାରରେ କମ୍‌ ହେବାରେ ଲାଗିଛି । ବର୍ତ୍ତମାନ ସହର ଜନସଂଖ୍ୟାର ୨.୫ ପ୍ରତିଶତ ଏବଂ ଏହାର ପ୍ରାୟ ୨୫ ପ୍ରତିଶତ ଅଞ୍ଚଳ (୧୯୯୧ରେ ୫୦ ପ୍ରତିଶତ ଠାରୁ ଢେର୍‌ କମ୍‌) ହେଉଛି ଗ୍ରାମୀଣ । ରାଜଧାନୀ ନିମନ୍ତେ ମାଷ୍ଟର୍‌ ପ୍ଲାନ୍‌ ୨୦୨୧ରେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ସମ୍ପୂର୍ଣ୍ଣ ସହରୀ କରଣର ଲକ୍ଷ୍ୟ ରଖିଛି ।

ଜାତିସଂଘର ଆକଳନ ଅନୁଯାୟୀ ସହରୀକରଣର ଗତି-ମୁଖ୍ୟ ଭାବରେ ଦ୍ରୁତ ଗତିରେ ଉଭୟ ଆଇନଗତ ଓ ଅବୈଧ ନିର୍ମାଣ ଗତିବିଧି-୨୦୩୦ ମସିହା ବେଳକୁ ଦିଲ୍ଲୀକୁ ଦୁନିଆର ସବୁଠାରୁ ଅଧିକ ଜନବହୁଳ ସହର କରିଦେଇପାରେ। ବର୍ତ୍ତମାନ ୨୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ରାଜଧାନୀ ସେତେବେଳକୁ ଜନସଂଖ୍ୟାରେ ଟୋକିଓ (ବର୍ତ୍ତମାନ ୩୭ ନିୟୁତ)କୁ ଅତିକ୍ରମ କରିଯାଇଥିବ । ନୀତି ଆୟୋଗ ଅନୁଯାୟୀ ଏହା ଆସନ୍ତା ବର୍ଷ ସୁଦ୍ଧା ଭୂତଳ ଜଳ ଶୂନ୍ୟ ହୋଇଯାଇଥିବା ୨୧ଟି ଭାରତୀୟ ସହର ମଧ୍ୟରୁ ଅନ୍ୟତମ ହେବ।

ମନୋଜ ମିଶ୍ର କୁହନ୍ତି, ‘‘ସହରର କଂକ୍ରିଟକରଣର ଅର୍ଥ ହେଉଛି ଅଧିକ ସ୍ଥାନ ପକ୍କା ହେବ, କମ୍‌ ଜଳ ପରିସ୍ରବଣ, କମ୍‌ ସବୁଜିମା… ପକ୍କା ହୋଇଥିବା ସ୍ଥାନଗୁଡ଼ିକ ଉତ୍ତାପ ଶୋଷଣ କରନ୍ତି ଏବଂ ତ୍ୟାଗ କରନ୍ତି।’’

୧୯୬୦ରେ- ଯେତେବେଳେ ଶଙ୍କରଙ୍କ ବୟସ ୧୬ ବର୍ଷ ହୋଇଥିଲା-ଦିଲ୍ଲୀରେ ହାରାହାରି ୧୭୮ଦିନରେ ହିଁ ତାପମାତ୍ରା ଅତିକମ୍‌ରେ ୩୨ ସେଲସିୟସରେ ପହଞ୍ଚୁଥିଲା ବୋଲି ନ୍ୟୁୟର୍କ ଟାଇମ୍ସରେ ଜଳବାୟୁ ଓ ବୈଶ୍ୱିକ ତାପାୟନ ସମ୍ପର୍କରେ ଏକ ଆଲୋଚନାରୁ ପ୍ରକାଶ ପାଇଥିଲା। ୨୦୧୯ ମସିହାରେ ୨୦୫ଟି ଉତ୍ତପ୍ତ ଦିନ ଥିଲା। ଏହି ଶତାବ୍ଦୀର ଶେଷ ସୁଦ୍ଧା ଭାରତର ରାଜଧାନୀ ନଗରରେ ପ୍ରତିବର୍ଷ ୩୦ ଡିଗ୍ରୀ ସେଲସିୟସ ତାପମାତ୍ରାର ଦିବସ ଆଠମାସରୁ ଅଧିକ ହୋଇଯାଇଥିବ ଯାହାକି ବର୍ତ୍ତମାନ ଛଅମାସରୁ କମ୍‌ ରହିଛି।

Shiv Shankar and his son Praveen Kumar start the watering process on their field
PHOTO • Aikantik Bag
Shiv Shankar and his son Praveen Kumar start the watering process on their field
PHOTO • Shalini Singh

ଶିବଶଙ୍କର ଏବଂ ତାଙ୍କ ପୁଅ ପ୍ରବୀନ କୁମାର ସେମାନଙ୍କ ଜମିରେ ପାଣି ମଡ଼ାଇବା ଆରମ୍ଭ କରିଛନ୍ତି।

ଶ୍ରୀ ମିଶ୍ର ଦର୍ଶାନ୍ତି ଯେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲାମ ଏବଂ ଏହାର ଉତ୍ତରରେ ଥିବା ବନ୍ୟା ପାବ୍ଲିତ ସମତଳ ଅଞ୍ଚଳ ମଧ୍ୟରେ ତାପମାତ୍ରାରେ ପ୍ରାୟ ୪ ଡିଗ୍ରୀ ଫରକ ରହିଛି। ସେ କୁହନ୍ତି, ‘‘ଯଦି ପାଲାମରେ ୪୫ ଡିଗ୍ରୀ ସେଲସିୟସ ଥାଏ ତେବେ ଏହି ବନ୍ୟା ପ୍ଲାବିତ ସମତଳ ଅଞ୍ଚଳରେ ତାପମାତ୍ରା ୪୦-୪୧ ଡିଗ୍ରୀ ମଧ୍ୟରେ ଥାଇପାରେ। ଗୋଟିଏ ମହାନଗର ମଧ୍ୟରେ ଏହି ବନ୍ୟା ପ୍ଲାବିତ ସମତଳ ଅଞ୍ଚଳ ଏକ ଉପହାର।’’

*****

ଏନ୍‌ଜିଟିର ସ୍ୱୀକାରୋକ୍ତି ଅନୁଯାୟୀ ଯେହେତୁ ଯମୁନା ପ୍ରଦୂଷଣର ପ୍ରାୟ ୮୦ ପ୍ରତିଶତ ରାଜଧାନୀରୁ ହିଁ ଆସେ, ତା’ହେଲେ ଯଦି ଏହା ଦିଲ୍ଲୀ ‘‘ଛାଡ଼ିଦେବ’’ ତା’ହେଲେ କ’ଣ ହୋଇପାରେ- ଗୋଟିଏ ବିଷାକ୍ତ ସମ୍ପର୍କରେ ଦୁଃଖିତ ପକ୍ଷ ନିମନ୍ତେ ଏକ ତର୍କସମ୍ମତ ପଦକ୍ଷେପ। ଶ୍ରୀ ମିଶ୍ର କୁହନ୍ତି, ‘‘ଦିଲ୍ଲୀର ଅସ୍ତିତ୍ୱ ଯମୁନା କାରଣରୁ ଅଛି, କିନ୍ତୁ ବିପରିତ ଆଡ଼ୁ ନୁହେଁ। ଦିଲ୍ଲୀର ୬୦ ପ୍ରତିଶତରୁ ଅଧିକ ପାନୀୟ ଜଳ ନଦୀର ଉପରମୁଣ୍ଡରେ ଏହାର ଏକ ସମାନ୍ତର କେନାଲକୁ ନିଆ ଯାଇଥିବା ଜଳରୁ ହିଁ ଆସିଥାଏ। ମୌସୁମୀ ନଦୀକୁ ବଞ୍ଚାଏ। ପ୍ରଥମ ବର୍ଷା ଜଳ କିମ୍ବା ପ୍ରଥମ ବନ୍ୟା ପରିସ୍ଥିତିରେ ନଦୀରୁ ପ୍ରଦୂଷଣଗୁଡ଼ିକ ଚାଲିଯାଏ, ଦ୍ବିତୀୟ ଏବଂ ତୃତୀୟ ବନ୍ୟା ସ୍ଥିତିରେ ଏହା ସହରର ଭୂତଳ ଜଳକୁ ପୁନଃ ବୃଦ୍ଧି କରେ। ପ୍ରତି ୫-୧୦ ବର୍ଷା ଆଧାରରେ ନଦୀ ଦ୍ୱାରା ଭୂତଳ ଜଳ ବୃଦ୍ଧି କରାଯାଏ, ଏହି କାମ ଅନ୍ୟ କୌଣସି ଅନୁଷ୍ଠାନ କରିପାରିବ ନାହିଁ। ୨୦୦୮, ୨୦୧୦ ଏବଂ ୨୦୧୩ରେ ଯେତେବେଳେ ଆମେ ବନ୍ୟା ପରିସ୍ଥିତିକୁ ସାମ୍ନା କରିଥିଲୁ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଭୂତଳ ଜଳସ୍ତର ଭରଣା ହୋଇଥିଲା। ଅଧିକାଂଶ ଦିଲ୍ଲୀବାଲା ଏହାକୁ ସ୍ୱୀକାର କରନ୍ତି ନାହିଁ।’’

ସୁସ୍ଥ ପ୍ଲାବିତ ସମତଳ ଅଞ୍ଚଳଗୁଡ଼ିକ ମୁଖ୍ୟ- ସେମାନେ ଜଳକୁ ପ୍ରସାରିତ ହେବାକୁ ଏବଂ ଧିମେଇ ଯିବାକୁ ସ୍ଥାନ ଦିଅନ୍ତି। ସେମାନେ ବନ୍ୟା ସମୟରେ ଅତ୍ୟଧିକ ଜଳ ସଂରକ୍ଷଣ କରନ୍ତି ଏବଂ ମାଟି ତଳେ ଥିବା ଜଳ ଉତ୍ସଗୁଡ଼ିକୁ ଧୀରେ ଧୀରେ ପ୍ରଦାନ କରନ୍ତି। ଏହା କ୍ରମଶଃ ନଦୀକୁ ପୁନଃର୍ଭରଣା କରିବାରେ ସାହାଯ୍ୟ କରେ। ୧୯୭୮ ମସିହାରେ ଯେତେବେଳେ ଯମୁନା ଏହାର ଔପଚାରିକା ସୁରକ୍ଷା ସ୍ତରଠାରୁ ଛଅଫୁଟ ଉପରକୁ ଉଠିଯାଇଥିଲା ସେତେବେଳେ ଦିଲ୍ଲୀ ଏହାର ପ୍ରଳୟଙ୍କରୀ ବନ୍ୟାରେ ଧ୍ୱଂସ୍ତ ହୋଇଯାଇଥିଲା। ଅସଂଖ୍ୟ ଲୋକ ମୃତ୍ୟୁବରଣ କଲେ, ଲକ୍ଷ ଲକ୍ଷ ପ୍ରଭାବିତ ହୋଇଥିଲେ ଏବଂ ଅନେକ ବାସଶୂନ୍ୟ ହୋଇଯାଇଥିଲେ- ଏହା ସହିତ ଫସଲ ଓ ଅନ୍ୟାନ୍ୟ ଜଳଉତ୍ସଗୁଡ଼ିକର କ୍ଷତିକୁ ମଧ୍ୟ ବିସ୍ମୃତ କରାଯାଇପାରିବ ନାହିଁ। ଏହା ଶେଷଥର ପାଇଁ ୨୦୧୩ରେ ନିଜର ବିପଦ ଚିହ୍ନ ଅତିକ୍ରମ କରିଥିଲା। ‘ଯମୁନା ନଦୀ ପରିଯୋଜନା: ନୂଆଦିଲ୍ଲୀ ସହରାଞ୍ଚଳ ପରିସଂସ୍ଥାନ’ (ଭର୍ଜିନିଆ ବିଶ୍ୱବିଦ୍ୟାଳୟ ତତ୍ତ୍ୱାବଧାନରେ ହୋଇଥିବା) ଅନୁଯାୟୀ, ପ୍ଲାବନ ସମତଳ ଅଞ୍ଚଳଗୁଡ଼ିକୁ ନିରନ୍ତର ଜବରଦଖଲର ଭୟଙ୍କର ପରିଣାମ ରହିଛି। ‘‘ଗୋଟିଏ ୧୦୦ ବର୍ଷିଆ ବନ୍ୟା ପରିସ୍ଥିତିରେ ତଟବନ୍ଧଗୁଡ଼ିକ ଭାଙ୍ଗିଯିବ ଏବଂ ପ୍ଲାବନ ସମତଳ ଅଞ୍ଚଳଗୁଡ଼ିକର ତଳୁଆ କ୍ଷେତ୍ରରେ ନିର୍ମିତ ହୋଇଥିବା ସରଞ୍ଚନାଗୁଡ଼ିକ ପୋଛି ହୋଇଯିବ ଏବଂ ଉତ୍ତର ଦିଲ୍ଲୀକୁ ପାଣିରେ ବୁଡ଼ାଇ ଦେବ।’’

Shiv Shankar explaining the changes in his farmland (right) he has witnessed over the years
PHOTO • Aikantik Bag
Shiv Shankar explaining the changes in his farmland (right) he has witnessed over the years
PHOTO • Aikantik Bag

ଶିବ ଶଙ୍କର ବର୍ଷ ବର୍ଷ ଧରି ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିବା ତାଙ୍କ ଚାଷ ଜମିର (ଡାହାଣ) ପରିବର୍ତ୍ତନକୁ ବୁଝାଉଛନ୍ତି

କୃଷକମାନେ ପ୍ଲାବନ ସମତଳ ଅଞ୍ଚଳଗୁଡ଼ିକରେ ଆଉ ଅଧିକ ନିର୍ମାଣ ନ କରିବା ପାଇଁ ସତର୍କ କରାଉଛନ୍ତି। ଶିବଶଙ୍କର କୁହନ୍ତି, “ଏହା ଭୀଷଣ ଭାବରେ ଜଳସ୍ତରକୁ ପ୍ରଭାବିତ କରିବ’’। “ପ୍ରତ୍ୟେକ ଅଟ୍ଟାଳିକା ନିମନ୍ତେ ସେମାନେ ପାର୍କିଂ ପାଇଁ ଗୋଟିଏ ବେସମେଣ୍ଟ ନିର୍ମାଣ କରିବେ। ସେମାନେ କାଠ ପାଇଁ ସୌକିନିଆ ଗଛ ଲଗାଇବେ, କିନ୍ତୁ ଯଦି ସେମାନେ ଫଳଗଛ- ଆମ୍ବ, ପିଜୁଳି, ଡାଳିମ୍ବ, ଅମୃତଭଣ୍ଡା- ତାହା ଅତିକମ୍‌ରେ ଲୋକଙ୍କୁ ଖାଇବା ପାଇଁ ଏବଂ ରୋଜଗାର କରିବା ପାଇଁ ସାହାଯ୍ୟ କରନ୍ତା ଏବଂ ଲୋକମାନେ ଓ ପକ୍ଷୀମାନେ ମଧ୍ୟ ଏହା ଖାଇବାକୁ ପାଆନ୍ତେ।’’

ଔପଚାରିକା ପରିସଂଖ୍ୟାନ ଦର୍ଶାଉଛି ଯେ ୧୯୯୩ ମସିହା ପରଠାରୁ ଯମୁନାକୁ ସଫା କରିବାରେ ଟ. ୩,୧୦୦କୋଟିରୁ ଅଧିକ ଖର୍ଚ୍ଚ ହୋଇସାରିଲାଣି। ବଲଜିତ ସିଂ ଥଟ୍ଟା କରି କୁହନ୍ତି, ‘‘ତା’ହେଲେ କାହିଁକି ଯମୁନା ଆଜି ବି ନିର୍ମଳ ନୁହେଁ?’’

ଦିଲ୍ଲୀକୁ ସବୁକିଛି ଏକାଠି ଆସୁଛି – ଭୁଲ୍‌ ଉପାୟରେ: ସହରରେ ଉପଲବ୍ଧ ହେଉଥିବା ପ୍ରତ୍ୟେକ ଇଞ୍ଚ ସ୍ଥାନରେ ହୃଦୟହୀନ କଂକ୍ରିଟକରଣ; ଯମୁନାର ପ୍ଲାବନଭୂମିରେ ଅନିୟନ୍ତ୍ରିତ ନିର୍ମାଣ ଏବଂ ଏହାର ଅପବ୍ୟବହାର; ଏହି ବୃହତ ନଦୀକୁ ବିଷାକ୍ତ ପ୍ରଦୂଷକ ଦ୍ୱାରା ଅବରୁଦ୍ଧ କରିବା; ଜମିର ଉପଯୋଗରେ ବିପୁଳ ପରିବର୍ତ୍ତନ ଓ ନୂତନ ବିହନ, ଧାରା ଓ ଜ୍ଞାନ କୌଶଳ ଏପରି ପ୍ରଭାବ ଆଣୁଛନ୍ତି ଯାହା ସେମାନଙ୍କର ଉପଯୋଗକାରୀମାନେ ହୁଏତ ଦେଖିପାରୁନାହାଁନ୍ତି, ପ୍ରକୃତିର ତାପ ନିରୋଧର ଅବକ୍ଷୟ, ଅନିୟମିତ ମୌସୁମୀ, ବାୟୁ ପ୍ରଦୂଷଣର ଅସାଧାରଣ ସ୍ତର। ଏହା ଏକ ଭୟଙ୍କର ମିଶ୍ରଣ।

ଶଙ୍କର ଏବଂ ତାଙ୍କ ସହ ଥିବା ଅନ୍ୟ କୃଷକମାନେ ଏହାର କେତେକ ଉପାଦାନ ଚିହ୍ନଟ କରନ୍ତି। ସେ ପ୍ରଶ୍ନ କରନ୍ତି, ‘‘ତୁମେ କେତେ ରାସ୍ତା ତିଆରି କରିବ’’ ? ତୁମେ ଯେତେ କଂକ୍ରିଟ କରିବ ଭୂମି ସେତେ ଅଧିକ ଉତ୍ତାପ ଶୋଷଣ କରିବ। ପ୍ରକୃତିର ପର୍ବତଗୁଡ଼ିକ-ସେମାନେ ମଧ୍ୟ ପୃଥିବୀକୁ ବର୍ଷାଦିନେ ପୁନର୍ଭରଣା ପାଇଁ ସୁଯୋଗ ଦିଅନ୍ତି। ମଣିଷମାନେ କଂକ୍ରିଟରେ ଯେଉଁ ପର୍ବତ ତିଆରି କରୁଛନ୍ତି ତାହା ପୃଥିବୀକୁ ନିଶ୍ୱାସ ନେବା ପାଇଁ କିମ୍ବା ପୁନର୍ଭରଣା ପାଇଁ କିମ୍ବା ବର୍ଷାକୁ ଧରି ରଖିବା ଓ ବ୍ୟବହାର କରିବା ପାଇଁ ଅନୁମତି ଦିଏ ନାହିଁ। ଯଦି ପାଣି ନଥିବ ସେତେବେଳେ ତୁମେ କିପରି ଖାଦ୍ୟ ଚାଷ କରିବ?’’

ପରୀ’ର ଜଳବାୟୁ ପରିବର୍ତ୍ତନ ଉପରେ ଦେଶ ବ୍ୟାପୀ ସମ୍ବାଦ ଗ୍ରହଣ ପରିଯୋଜନା ଏହି ଧାରାକୁ ସାଧାରଣ ଲୋକଙ୍କ ମତାମତ ଓ ପ୍ରତ୍ୟକ୍ଷ ଅନୁଭୂତି ଜରିଆରେ ହାସଲ କରିବା ନିମନ୍ତେ ଏକ ୟୁଏନ୍‌ଡିପି- ସମର୍ଥିତ ପଦକ୍ଷେପ।

ଏହି ପ୍ରବନ୍ଧଟିକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] ଙ୍କୁ [email protected] . ନିମନ୍ତେ ଏକ ସିସି ସହ ଲେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporter : Shalini Singh

শালিনী সিং পারি-র পরিচালনের দায়িত্বে থাকা কাউন্টারমিডিয়া ট্রাস্টের প্রতিষ্ঠাতা অছি-সদস্য। দিল্লি-ভিত্তিক এই সাংবাদিক ২০১৭-২০১৮ সালে হার্ভার্ড বিশ্ববিদ্যালয়ে নিম্যান ফেলো ফর জার্নালিজম ছিলেন। তিনি পরিবেশ, লিঙ্গ এবং সংস্কৃতি নিয়ে লেখালিখি করেন।

Other stories by শালিনী সিং
Editor : P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Series Editors : P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Series Editors : Sharmila Joshi

শর্মিলা জোশী পিপলস আর্কাইভ অফ রুরাল ইন্ডিয়ার (পারি) পূর্বতন প্রধান সম্পাদক। তিনি লেখালিখি, গবেষণা এবং শিক্ষকতার সঙ্গে যুক্ত।

Other stories by শর্মিলা জোশী
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE