“ଏଇ ସରକାରଙ୍କୁ ଚାଷୀମାନଙ୍କର କୌଣସି ଚିନ୍ତା ନାହିଁ । ଏହା ବଡ଼ ବଡ଼ କମ୍ପାନିଗୁଡିକର ପକ୍ଷରେ ଅଛି । ସେମାନଙ୍କୁ ଏ.ପି.ଏମ୍.ସି ମଧ୍ୟ ଦିଆଯାଇଛି। ସେମାନେ ସେମାନଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ଓ ଚାଷୀମାନଙ୍କୁ କାହିଁକି ନୁହେଁ ?” ବୋଲି ଶାନ୍ତା କାମ୍ବଲେ, ଉତ୍ତର କର୍ଣ୍ଣାଟକ ଜିଲ୍ଲାର ବେଲାଗାଭୀ ଜିଲ୍ଲାର ବେଲାଗଭୀ ତାଲୁକର କୃଷି ଶ୍ରମିକ, କୁହନ୍ତି ।
ସହରର ମଧ୍ୟ ଭାଗର ମାଜେଷ୍ଟିକ୍ ଅଞ୍ଚଳରେ ଥିବା ସିଟି ରେଳ ଷ୍ଟେସନ୍ ନିକଟରେ ଦ୍ଵିପହରରେ ଏକ ରାସ୍ତା ବିଭାଜକରେ ବସି ସେ ନିଜ ଚାରିପାଖରେ ଶୁଣାଯାଉଥିବା ସ୍ୱର - ‘ କେନ୍ଦ୍ର ସରକାର ଧିକ୍କାର ’ ( ଆମେ କେନ୍ଦ୍ର ସରକାରଙ୍କ ନିନ୍ଦା କରୁଛୁ), ଶୁଣୁଥିଲେ ।
୫୦ ବର୍ଷୀୟ ଶାନ୍ତା, ସାଧାରଣତନ୍ତ୍ର ଦିବସ ବିରୋଧ ରାଲ୍ଲୀରେ ଅଂଶଗ୍ରହଣ କରିବାକୁ ଜାନୁଆରୀ ୨୬ ତାରିଖ ସକାଳୁ ବସ୍ରେ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ । ସେଦିନ ପ୍ରାତଃକାଳରେ, ପୂରା କର୍ଣ୍ଣାଟକର କୃଷକ ଓ କୃଷି ଶ୍ରମିକମାନେ ମାଜିଷ୍ଟିକ୍ରେ ଆସି ପହଞ୍ଚୁଥିଲେ ଯାହାଫଳରେ ସେମାନେ ସେଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଫ୍ରୀଡମ୍ ପାର୍କରେ ପହଞ୍ଚି ଦିଲ୍ଲୀରେ ତିନି ନୂଆ କୃଷି ଆଇନ୍ ବିପକ୍ଷରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଟ୍ରାକ୍ଟର ପରେଡ୍ର ସମର୍ଥନ କରିବା ପାଇଁ ଡକା ଯାଇଥିବା ବୈଠକରେ ସେମାନେ ଯୋଗ ଦେଇପାରିବେ ।
ସେପଟେ, ଶାନ୍ତା , ନିଜ ଅଞ୍ଚଳରେ, ଆଳୁ, ଡାଲି ଜାତୀୟ ଶସ୍ୟ ଓ ଚିନାବାଦାମ ଆଦି ଗଛ ରୋଇ ଓ ଚାଷ ଜମିରୁ ଅଗଚ୍ଛାସବୁ ସଫା କରି ଦିନକୁ ପ୍ରାୟ ଟ୨୮୦ଙ୍କା ଉପାର୍ଜନ କରନ୍ତି । କୃଷି କାମ ନଥିଲାବେଳ ସେ ଏମ୍.ଜି.ଏନ୍.ଇ.ଆର୍.ଇ.ଜି.ଏ କାମ ମଧ୍ୟ କରନ୍ତି । ତାଙ୍କର ଦୁଇ ପୁଅ, ଯେଉଁମାନଙ୍କର ବୟସ ଯଥାକ୍ରମେ ୨୮ ଓ ୨୫ ବର୍ଷ ହେବ, ସେମାନେ ମଧ୍ୟ ଏମ୍.ଜି.ଏନ୍.ଇ.ଆର୍.ଇ.ଜି.ଏ ଅଧୀନରେ ଉପଲବ୍ଧ ହେଉଥିବା କାମ କରନ୍ତି ।
“ତାଲାବନ୍ଦ ସମୟରେ (କୋଭିଡ୍ -୧୯) ଆମ ପାଖରେ ଖାଇବାକୁ ଉଚିତ ଖାଦ୍ୟ କିମ୍ବା ପାଣି ନଥିଲା,” ବୋଲି ସେ କୁହନ୍ତି । ସରକାର କେବେ ମଧ୍ୟ ଆମ ବିଷୟରେ ଚନ୍ତା କରୁନାହାନ୍ତି ।
ରେଳ ଷ୍ଟେସନ୍ର ପାର୍କିଂ ଅଞ୍ଚଳରେ ଚାଷୀମାନଙ୍କର ଗୋଟିଏ ଦଳ ଚିତ୍କାର କରୁଥିଲେ ଯେ, “ଆମକୁ ଏ.ପି.ଏମ୍.ସି ଦରକାର । ନୂଆ ଆଇନ୍ ଫେରାଇ ନିଅ’’।
ଗତ ବର୍ଷ, ସରକାରଙ୍କ ଦ୍ୱାରା ପରିଚାଳିତ ଏ.ପି.ଏମ୍.ସି (କୃଷିଜାତ ଦ୍ରବ୍ୟ ବିପଣନ ସମିତି), ୫୦ ବର୍ଷୀୟ କୃଷ୍ଣା ମୂର୍ତ୍ତୀଙ୍କ ସହାୟତା କରିଥିଲା । ଅନିୟମିତ ବୃଷ୍ଟିପାତ ଯୋଗୁଁ, ବଲ୍ଲାରୀ ଜିଲ୍ଲା ଅନ୍ତର୍ଗତ ବଲ୍ଲାରୀ ତାଲୁକର ବାନାପୁର ଗ୍ରାମର ଚାଷୀମାନେ ସେମାନଙ୍କର କର୍ପାସ୍, ମକା, ରାଗି , ଧନିଆ ଓ ହରଡ଼ ଡାଲି ଆଦି ଫସଲର ଗୋଟିଏ ଭାଗ ହରାଇଥିଲେ । ତାଙ୍କର ୫୦ ଏକର ଚାଷଜମିରେ ଯାହା ବଳକା ରହିଲା, ତାହା ସେ ଏ.ପି.ଏମ୍.ସିକୁ ନେଇ ବିକ୍ରି କରିଥିଲେ । “ଚାଷକାମରେ ବହୁତ ଖର୍ଚ୍ଚ ହୋଇଥାଏ,’’ ବୋଲି ମୁର୍ତ୍ତୀ କହିଲେ । “ଆମେ ଏକର ପିଛା ପ୍ରାୟ ଏକ ଲକ୍ଷ (ଟଙ୍କା) ଖର୍ଚ୍ଚ କରିଥାଉ ଓ ଯାହା ଖର୍ଚ୍ଚ କରୁ, ତାହାର କେବଳ ଅଧା ଫେରିପାଉ।’’
ଯେଉଁ ତିନିଟି ଆଇନ୍ ସମଗ୍ର ଦେଶର ଚାଷୀମାନଙ୍କୁ ଏକତ୍ର କରିଛି, ସେଗୁଡିକ ହେଉଛି ଚାଷୀ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ ( ସଂବର୍ଦ୍ଧନ ଓ ସରଳୀକରଣ) ଅଧିନିୟମ, ୨୦୨୦ ; ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଅଧିନିୟମ, ୨୦୨୦ ସମ୍ବନ୍ଧିତ କୃଷକ (ସଶକ୍ତିକରଣ ଓ ସୁରକ୍ଷା )ଙ୍କ ଚୁକ୍ତି , ; ଅତ୍ୟାବଶ୍ୟକ ବସ୍ତୁ (ସଂଶୋଧନ ) ଅଧିନିୟମ, ୨୦୨୦ । ସେଗୁଡିକୁ ପ୍ରଥମେ ଜୁନ୍ ୫, ୨୦୨୦ ରେ ଅଧ୍ୟାଦେଶ ଭାବେ ପାରିତ କରାଯାଇଥିଲା, ତାପରେ ସେପ୍ଟେମ୍ବର ୧୪ରେ କୃଷି ଆଇନ୍ ରୂପରେ ସଂସଦରେ ଉପସ୍ଥାପନ କରାଗଲା ଓ ସେହି ମାସର ୨୦ ତାରିଖରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଅଧିନିୟମରେ ପରିଣତ କରିଦିଆଗଲା ।
ଚାଷୀମାନେ ଏହି ଆଇନଗୁଡିକ ସେମାନଙ୍କ ଜୀବିକା ଦୃଷ୍ଟିରୁ ବିନାଶକାରୀ ବୋଲି ମନେ କରୁଛନ୍ତି କାରଣ ସେଗୁଡିକ ଚାଷୀ ଓ ଚାଷକାମ ଉପରେ ବଡ କର୍ପୋରେଟଗୁଡିକର କ୍ଷମତାକୁ ବହୁଗୁଣିତ କରିବାରେ ସହାୟକ ହେବ । ଏହି ଆଇନ୍ଗୁଡିକ ପୁଣି ଚାଷୀମାନଙ୍କ ପାଇଁ ସହାୟକ ହେଉଥିବା ପ୍ରମୁଖ ବିଷୟଗୁଡିକୁ ଦୁର୍ବଳ କରିଦେବ, ଯେଉଁଥିରେ ସର୍ବନିମ୍ନ ସହାୟକ ମୁଲ୍ୟ (ଏମ୍.ଏସ୍.ପି) କୃଷି ଉତ୍ପାଦ ବିପଣନ ସମିଦତି (ଏ.ପି.ଏମ୍.ସି), ରାଜ୍ୟ ସଂଗ୍ରହଣ ଓ ଆହୁରି ଅନେକ କିଛି ସାମିଲ ଅଛି । ସେଗୁଡିକୁ ଏଥିପାଇଁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡୁଛି ଯେ ସେଗୁଡିକ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିବ ଯେହେତୁ ସେଗୁଡିକ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଅଣଦେଖା କରି ଆଇନ୍ଗତ ଉପଚାର ଅଧିକାରକୁ ଅକ୍ଷମ କରୁଛି ।
‘ ଓପ୍ପୋଡିଲ୍ଲା ! ଓପ୍ପୋଡିଲ୍ଲା! (ଆମେ ଏହାକୁ ଗ୍ରହଣ କରିବୁ ନାହିଁ) ବୋଲି ବେଙ୍ଗାଲୁରୁରେ ସମସ୍ତ ଚାଷୀ ଗୋଟିଏ ସ୍ୱରରେ କହିଲେ ।
“ଆମେ ତିନୋଟି ଯାକ କ୍ରୁର କୃଷି ଆଇନ୍ର ତୁରନ୍ତ ଅଗ୍ରାହ୍ୟ ପାଇଁ ଦାବି କରୁଛୁ” ବୋଲି କର୍ଣ୍ଣାଟକ ରାଜ୍ୟ ରଇତ ସଂଘ (କେ.କେ.ଆର୍.ଏସ୍)ର ରାଜ୍ୟ ସଚିବ, ପି.ଗୋପାଳ କହିଛନ୍ତି । “ରାଜ୍ୟର ପ୍ରାୟ ୨୫-୩୦ସଂଗଠନ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ପ୍ରାୟ ୫୦,୦୦୦ରୁ ଅଧିକ ଚାଷୀ ଓ ଶ୍ରମିକ କର୍ଣ୍ଣାଟକର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସିଛନ୍ତି । ପଞ୍ଜାବ ଓ ହରିଆଣାର ଚାଷୀମାନେ କେବଳ ଏହାର ବିରୋଧ କରୁଥିବା କେନ୍ଦ୍ର ସରକାରଙ୍କର ଦାବି ସମ୍ପୂର୍ଣ୍ଣ ଭୂଲ ଅଟେ, ବୋଲି ସେ କହିଲେ।
“ସରକାର ଚାଷୀମାନଙ୍କ ବିପକ୍ଷରେ ଅଛନ୍ତି । ଏପରିକି, କର୍ଣ୍ଣାଟକରେ, ମୁଖ୍ୟମନ୍ତ୍ରୀ ବି.ଏସ୍, ୟେଦୁରପ୍ପା ମଧ୍ୟ ସ୍ପଷ୍ଟ ଭାବେ କର୍ପୋରେଟ୍ଙ୍କ ସହିତ ଅଛନ୍ତି । ସେ ବଡ କମ୍ପାନିଗୁଡିକୁ ସୁହାଇବା ପାଇଁ ଭୂମି ସୁଧାର ଅଧିନିୟମରେ ସଂଶୋଧନ କରିଛନ୍ତି (୨୦୨୦ରେ) ଓ ଏକପାଖିଆ ଭାବେ ଗୋ-ହତ୍ୟା ବିଲ୍ ଉପସ୍ଥାପନ କରିଛନ୍ତି.” ବୋଲି ଗୋପାଳ କହିଲେ ।
ରେଳ ଷ୍ଟେସନ୍ ବାହାରେ ମହିଳାମାନଙ୍କର ଏକ ଦଳ ସହିତ ହାବେରୀ ଜିଲ୍ଲାର ଶିଗ୍ଗାଓଁ ତାଲୁକର ୩୬ ବର୍ଷୀୟ ଚାଷୀ ମମତା ଠିଆହୋଇଥିଲେ । ସେ ତାଙ୍କର ୯ ଏକର ଜମିରେ କାର୍ପାସ୍ ଓ ଚିନାବାଦାମ ଚାଷ କରନ୍ତି । “ଆମେ କର୍ପୋରେଟ୍ ମଣ୍ଡି ଚାହୁଁନୁ । ଏହା ପରିବର୍ତ୍ତେ ସରକାର ଏ.ପି.ଏମ୍.ସିକୁ ଆହୁରି ଶକ୍ତିଶାଳୀ କରିବା ଉଚିତ ଓ ମଧ୍ୟସ୍ଥିମାନଙ୍କର ବହିଷ୍କାର କରିବା ଉଚିତ । ସେମାନେ ଚାଷୀମାନଙ୍କଠାରୁ ସିଧାସଳଖ ଶସ୍ୟ କ୍ରୟ କରିବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ଆରମ୍ଭ କରିବା ଉଚିତ,” ବୋଲି ସେ କହିଲେ ।
ତାଙ୍କ ଚାରିପାଖରେ ଥିବା ଜନଗହଳି ଉଚ୍ଚାରଣ କରିବାକୁ ଲାଗିଲେ ଯେ, “ଏହି ନୂଆ ଆଇନ୍ କେବଳ ଅଦାନି, ଅମ୍ବାନିଙ୍କ ପାଇଁ ।’’
ରେଳ ଷ୍ଟେସନ୍ ପାର୍କିଂ ଅଞ୍ଚଳର ଗୋଟିଏ କୋଣରେ, ଯାତ୍ରା କରୁଥିବା ବିରୋଧ ପ୍ରଦର୍ଶନକାରୀମାନଙ୍କୁ ପେପର୍ ପ୍ଲେଟ୍ରେ ଗରମ ଖାଦ୍ୟ ଯୋଗାଯାଉଥିଲା । କିନ୍ନରମାନଙ୍କର ଏକ ରାଜ୍ୟବ୍ୟାପୀ ସଂଗଠନ କର୍ଣ୍ଣାଟକ ମଙ୍ଗଳମୁଖି ଫାଉଣ୍ଡେସନ୍ (କେ.ଏମ୍.ଏଫ୍) ତରଫରୁ ଗରମ ଚାଉଳ ପୁଲାଓ ପ୍ରସ୍ତୁତ କରାଯାଉଥିଲା । “ଏହା ଆମର କର୍ତ୍ତବ୍ୟ । ଆମେ ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଆଣିଛୁ । ସେମାନେ ଉତ୍ପାଦନ କରୁଥିବା ଚାଉଳ ଆମେମାନେ ଖାଉଛେ,” ବୋଲି କେ.ଏମ୍.ଏଫ୍ର ସାଧାରଣ ସମ୍ପାଦକ ଅରୁନ୍ଧତି ଜ. ହେଗ୍ଡେ କହିଲେ ।
ଚିକ୍କାମାଗାଲୁରୁ ଜିଲ୍ଲା ଅନ୍ତର୍ଗତ ତାରିକେରେ ତାଲୁକାରେ କେ.ଏମ୍.ଏଫ୍ର ନିଜସ୍ୱ ପାଞ୍ଚ ଏକର ଜମି ଅଛି ଯେଉଁଥିରେ ସଂଗଠନ ଧାନ, ରାଗି ଓ ଚିନାବାଦାମ ଚାଷ କରିଥାଏ । “ଆମେ ସମସ୍ତେ ଚାଷୀ ପରିବାରରୁ ଆସିଛୁ । ଏଣୁ ଏହି ବିରୋଧ ପ୍ରଦର୍ଶନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଜାଣିଛୁ । ଆମେ ଏହି ସଂଘର୍ଷରେ ଆମ ଭାଗର କାମ କରୁଛୁ” ବୋଲି ଅରୁନ୍ଧତି କୁହନ୍ତି ।
ହେଲେ, ଜାନୁଆରି ୨୬, ମଧ୍ୟାହ୍ନ ୧ ଘଣ୍ଟା ବେଳକୁ, ପୋଲିସ୍ ମାଜେଷ୍ଟିକ୍ ଅଞ୍ଚଳକୁ ପ୍ରତିବନ୍ଧିତ କରିଦେଲା ଓ ପ୍ରଦର୍ଶନକାରୀଙ୍କୁ ସଭାରେ ଯୋଗ ଦେବାପାଇଁ ଫ୍ରୀଡମ୍ ପାର୍କ ଆଡକୁ ଯିବାକୁ ବାରଣ କଲା ।
“ ରାଜ୍ୟ ସରକାର ଗାଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନକୁ ବିରୋଧ କରୁଛନ୍ତି । ଏହା ଅସନ୍ତୁଷ୍ଟ ଲୋକଙ୍କୁ କାବୁ କରିବା ପାଇଁ ପୋଲିସ୍ର ଉପଯୋଗ କରୁଛି,” ବୋଲି କେ.ଆର୍.ଆର୍.ଏସ୍ ନେତା ଗୋପାଳ କୁହନ୍ତି, ଏହାସହିତ, ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ଛାତ୍ରଛାତ୍ରୀ ଓ ଶ୍ରମିକମାନେ ସେମାନଙ୍କର ସହାନୁଭୂତି ପ୍ରକାଶ କରିବାକୁ ସହରକୁ ଆସିଛନ୍ତି, ବୋଲି ସେ କହିଛନ୍ତି ।
ଚରମ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ବଲ୍ଲାରୀର ଜଣେ ଶ୍ରମିକ ଗଙ୍ଗା ଧାନ୍ୱକର୍ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ। “ ଆମେ ବୋକା ନୁହଁ ଯେ ଆମର ଘର, ପରିବାର ଓ ଚାଷଜମି ସବୁକିଛି ଛାଡି ଅକରାଣରେ ବିରୋଧ ପ୍ରଦର୍ଶନ କରିବାକୁ ଏଠାକୁ ଆସିଛୁ । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାବେଳେ ୧୫୦ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ସେଠାରେ ପ୍ରବଳ ଶୀତରେ ମଧ୍ୟ ଉପସ୍ଥିତ ଥିଲେ, ରାସ୍ତା ଉପରେ ଟେଣ୍ଟ ପକାଇ ସେମାନଙ୍କ ପିଲାମାନଙ୍କ ସହିତ ରହୁଥିଲେ ।
ବିରୋଧ ପ୍ରଦର୍ଶନର କାରଣ ବିଷୟରେ, ସେ କହୁନ୍ତି ଯେ “ଏହି ଆଇନ୍ ଲୋକଙ୍କ ପାଇଁ, ଚାଷୀ କିମ୍ବା ଶ୍ରମିକଙ୍କ ପାଇଁ ନଥିଲା। ତାହା କେବଳ କମ୍ପାନିଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ହୋଇଛି । ଆଉ ସେଥିପାଇଁ ଏସବୁକିଛି।’’
ପ୍ରଚ୍ଛଦ ଫଟୋ : ଅଲ୍ମାସ୍ ମାସୁଦ
ଅନୁବାଦ - ଓଡ଼ିଶାଲାଇଭ୍