ସଂଯୋଗବଶତଃ କ୍ରିଷ୍ଣନ ଯେତେବେଳେ ସେହି କଅଁଳ ଧଳାରଙ୍ଗର ଚୋପା ଲାଗିଥିବା ମିଠା ଫଳକୁ ପାଇଲେ, ସମସ୍ତଙ୍କ ଭିତରେ ଖୁବ୍ ଉତ୍ସାହ ଭରିଗଲା । ସେ ଏହାର ଚୋପା ଛଡ଼ାନ୍ତି, ଭିତରୁ ଗୋଲାପି-ଧଳା ରଙ୍ଗର ଚମକଫୁଟି ବାହାରେ । ଆଉ ୧୨ ବର୍ଷର ଆର୍. ରାଜକୁମାର ଅତି ଆଗ୍ରହରେ ଏଥିରୁ ଖଣ୍ଡେ ଚୋବେଇ ଦିଏ, ତା’ର ଓଠ ବି ଲାଲ ରଙ୍ଗରେ ଚମକି ଉଠେ- ତେଣୁ, ସେ ଓ ଅନ୍ୟ ପିଲାମାନେ ଏହାର ନାଁ ଦେଇଛନ୍ତି ଥାପ୍ପାଟ୍ଟିକାଲ୍ଲି, ଅର୍ଥାତ୍ ‘ଲିପ୍ଷ୍ଟିକ୍ ଫଳ’ । ଅନ୍ୟମାନେ ବି ତାହା ହିଁ କରନ୍ତି, ଫଳଟିକୁ ଚୋବାଇ ଚୋବାଇ ସେମାନଙ୍କ ପାଟି ବି ଲାଲ ହୋଇଉଠେ । ସବୁ ସମୟରେ ଏଭଳି ଏକ ଜଙ୍ଗଲ ଯାତ୍ରା ସେମାନଙ୍କ ପାଇଁ ରୋମାଞ୍ଚକର ।
ଡିସେମ୍ବର ଶେଷଭାଗର ସେହି ସକାଳରେ ସେମାନଙ୍କୁ ବାଟ ଦେଖାଉଥିଲେ ୩୫ ବର୍ଷୀୟ ଜି.ମାନିଗଣ୍ଡନ ଏବଂ ୫୦ ବର୍ଷୀୟ କେ.କ୍ରିଷ୍ଣନ । ଲତାବୁଦା ସଫା କରି ସେମାନେ ଚେରୁକ୍କାନୁର ଗାଁ ପାଖ ବୁଦା ଜଙ୍ଗଲର ଅତି ଭିତରକୁ ଯାଉଥିଲେ ଏବଂ କନ୍ଦା ଚେର ଖୋଳିବାକୁ ଶାବଳ ବ୍ୟବହାର କରୁଥିଲେ । ପିଲାମାନଙ୍କ ମଧ୍ୟରେ ୧.୫ ବର୍ଷର ଶିଶୁରୁ ଆରମ୍ଭ କରି ୧୨ ବର୍ଷ ବୟସର ପିଲା ଥିଲେ । ସେମାନେ ଏବଂ ସେମାନଙ୍କ ପଥ ପ୍ରଦର୍ଶକ, ସମସ୍ତେ ଇରୁଲା ଆଦିବାସୀ ସଂପ୍ରଦାୟର ।
ସେହି ରବିବାର ସକାଳେ, ସେମାନେ କାଟ୍ଟୁ ଭେଲ୍ଲିକିଝାଙ୍ଗୁ ନାମକ ଏକ କନ୍ଦମୂଳର ଲତା ଖୋଜୁଥିଲେ । ମାନିଗଣ୍ଡନ ବୁଝାଇ ଦିଅନ୍ତି, “ଏହାକୁ ଆପଣ ନିର୍ଦ୍ଦିଷ୍ଟ କେତେକ ମାସରେ (ଡିସେମ୍ବର-ଜାନୁଆରୀରେ) ଖାଇପାରିବେ । ଏହା ନରମ ହୋଇଥିଲେ ଭଲ, ନହେଲେ ଖାଇଲା ବେଳେ କୁଣ୍ଡାଇ ହେବ’’ । “ଆମକୁ ପ୍ରଥମେ ଅନ୍ୟ ଲଟାବୁଦା ମଧ୍ୟରୁ ଏହି ଲତାର କାଣ୍ଡ ଚିହ୍ନିବାକୁ ହେବ । ଲତାର ମୋଟେଇକୁ ଦେଖି ଜାଣି ହେବ ଯେ କନ୍ଦ କେତେ ବଡ଼ ହୋଇଥିବ ଏବଂ ଏହାକୁ ପୂରା ପାଇବାକୁ ହେଲେ କେତେ ଗଭୀରକୁ ଖୋଳିବାକୁ ପଡ଼ିବ ।” ଏହି କନ୍ଦ ଖୋଜିବା ବେଳେ ହିଁ ସେମାନେ ଲିପ୍ଷ୍ଟିକ୍ ଫଳ (ସ୍ଥାନୀୟ ଭାଷାରେ ଏହାକୁ ନାଧେଲ୍ଲିପାଝାମ ମଧ୍ୟ କୁହାଯାଏ) ଦେଖିଥିଲେ ।
କିଛି ସମୟ ଏପଟସେପଟ ଦେଖିବା ପରେ, ସେମାନେ କାଟ୍ଟୁଭେଲ୍ଲିଝାଙ୍ଗୁ ନାମକ ଏକ ଉପଯୋଗୀ ଲତା ଦେଖିଥିଲେ ଏବଂ ଏହାର ଚେର ଖୋଳି ବାହାର କରିଥିଲେ । ପଛେ ପଛେ ଯାଇ ସେମାନଙ୍କ କାର୍ଯ୍ୟ ନିରୀକ୍ଷଣ କରୁଥିବା ପିଲାମାନେ ଆଗ୍ରହରେ ଏହାର ଚୋପା ଛଡ଼ାଇ ଖାଇବାରେ ଲାଗିଲେ ।
ସକାଳ ନଅଟାରେ ଘରୁ ବାହାରିଥିବା ଏହି ଦଳ ମଧ୍ୟାହ୍ନ ସୁଦ୍ଧା ଚେରୁକାନ୍ନୁର ଗାଁର ବାଙ୍ଗଲାମେଡୁ ଇରୁଲା ବସ୍ତିକୁ ଫେରିଆସିଥିଲେ । ବସ୍ତିଟି ତାମିଲନାଡୁର ଥିରୁଭାଲୁର ଜିଲ୍ଲା ଅନ୍ତର୍ଗତ ତିରିଟ୍ଟାନି ତାଲୁକାରେ ଥିବା ଏହି ଗାଁଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ।
ମନିଗଣ୍ଡନ୍ ଏବଂ ତାଙ୍କ ସାଙ୍ଗମାନେ ଜଙ୍ଗଲରୁ ସେମାନେ ସଂଗ୍ରହ କରିଥିବା କେତେକ ପରିବା ଓ ଫଳ ମୋତେ ଦେଖାନ୍ତି ।କାଟ୍ଟୁ ଭେଲ୍ଲିକିଝାଙ୍ଗୁ ବ୍ୟତୀତ ସେମାନେ ଆଣିଥିଲେ କୁଟ୍ଟିକିଝାଙ୍ଗୁ, ଯାହାକୁ ଜଳଖିଆ ଭାବେ ଖାଆନ୍ତି:କୋନ୍କିପାଝାମ, ଯାହାକି ଏକ ମିଠାଫଳ:ଥାମାରାଇକିଝାଙ୍ଗୁ, ଯାହା ପୋଖରୀରୁ ମିଳେ ଏବଂ ପରିବା ରୂପେ ରନ୍ଧା ହୁଏ;ମାଟୁ କାଲିମୂଲମ , ଯାହାକୁ ଖାଇବା ପରେ ପାଣି ପିଇଲେ ପାଟିକୁ ମିଠା ମିଠା ଲାଗେ; ଏବଂ କୋଝିକାଲିମୂଲାମ, ଯାହାକୁ ଖାଇଲେ ପେଟ ପୂରିଗଲା ଭଳି ଲାଗେ । ଏଥିରୁ କେତେକକୁ କେବଳ ଇରୁଲାମାନେ ହିଁ ଖାଇଥାଆନ୍ତି ।
ବିଶେଷତଃ କୋଝିକାଲିମୂଲମ୍ ସେତେବେଳେ ଉପଯୋଗୀ ହୋଇଥାଏ. ଯେତେବେଳେ ସେମାନେ ସାଙ୍ଗରେ କିଛି ଖାଇବାକୁ ନ ନେଇ ସକାଳ ୭ଟାରୁ ଜଙ୍ଗଲକୁ ବାହାରି ଯାଆନ୍ତି ଏବଂ ସନ୍ଧ୍ୟା ୫ଟା କି ୬ଟାରେ ଫେରିଆସନ୍ତି । ମାନିଗଣ୍ଡମ୍ କହନ୍ତି, “ଏହାକୁ କଞ୍ଚା ଖାଇହୁଏ ଏବଂ ଖାଇଲେ ପେଟ ପୂରିଯାଏ । ଘଣ୍ଟା ଘଣ୍ଟା ଧରି ଆପଣଙ୍କୁ ଭୋକ ଲାଗିବ ନାହିଁ ।”
ଏହି ଖାଦ୍ୟୋପଯୋଗୀ ଚେର, ଫଳ, କନ୍ଦା ଏବଂ ଔଷଧୀୟ ଗୁଳ୍ମ ଖୋଜିବାକୁ ସେମାନଙ୍କ ମଧ୍ୟରୁ ଅନେକ ନିୟମିତ ଜଙ୍ଗଲକୁ ଯାଆନ୍ତି । ଦୀର୍ଘକାଳ ଧରି ସେମାନଙ୍କ ସଂପ୍ରଦାୟ ଲାଗି ଏସବୁ ଖାଦ୍ୟ ଓ ଔଷଧର ପାରମ୍ପରିକ ଉତ୍ସ ହୋଇ ରହିଆସିଛି । ମାନିଗଣ୍ଡନ୍ ବୁଝାଇ ଦିଅନ୍ତି ଯେ ସାଧାରଣ ରୋଗ ଚିକିତ୍ସାରେ ଏହି ସବୁ ଗୁଳ୍ମ, ଚେର, ଫୁଲ ଓ ଗଛର ଛାଲି ବେଶ୍ ଉପଯୋଗୀ । ଉଦାହରଣସ୍ଵରୂପ, ଅଲସର୍ ଭଳି ପେଟରୋଗର ଉପଶମ ପାଇଁ ଆଲ୍ଲିଥାମାରାଇ ନାମକ ପାଣିରେ ଫୁଟୁଥିବା ଏକପ୍ରକାର କଇଁଫୁଲ, ଏବଂ ଥାମାରାଇକିଝାଙ୍ଗୁ ନାମକ ଏକ ପଦ୍ମ ଚେରକୁ ପାଣିରେ ଫୁଟାଇ ଖିଆଯାଏ ଏବଂ ଚିନ୍ନା ଏଲାଇ ନାମକ ଏକ ପତ୍ରକୁ କୀଟପତଙ୍ଗ କାମୁଡ଼ିବା ଯୋଗୁଁ ହୋଇଥିବା ଘା’ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
ଇରୁଲାମାନଙ୍କୁ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG)ରୂପେ ଜନଜାତି ବ୍ୟାପାର ମନ୍ତ୍ରାଳୟ ଦ୍ଵାରା ତାଲିକାଭୁକ୍ତ କରାଯାଇଛି ଏବଂ ଏହା ଦେଶର ୭୫ଟି ଏବଂ ତାମିଲନାଡୁର ଛଅଟି PVTG ମଧ୍ୟରୁ ଗୋଟିଏ । ସେମାନେ ନୀଳଗିରି ପର୍ବତ ସମେତ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବସବାସ କରନ୍ତି । ପ୍ରାୟତଃ ଗାଁଗୁଡ଼ିକର ଅଣ-ଆଦିବାସୀ ରହୁଥିବା ସ୍ଥାନରୁ ଅଲଗା ହୋଇ ସେମାନେ ରହନ୍ତି ।
ଥଇଥାନ ସ୍ଥଳରେ ଏକ ବେସରକାରୀ ସଂସ୍ଥା ପରିଚାଳିତ ବିଦ୍ୟାଳୟ ପରବର୍ତ୍ତୀ ଶିକ୍ଷା କେନ୍ଦ୍ର ଚଳାଉଥିବା ମାନିଗଣ୍ଡନ କହନ୍ତି, ଅନ୍ୟ ଗାଁ ଲୋକଙ୍କ ସହ ଝଗଡ଼ା ଲାଗିବା ପରେ, ୨୦୦୭ରେ ପ୍ରାୟ ୧୫ଟି ଇରୁଲା ପରିବାର ଚେରୁକ୍କାନୁର ବାଙ୍ଗଲାମେଡୁ ପଲ୍ଲୀକୁ ଚାଲିଆସିଥିଲେ (ସମୟକ୍ରମେ ୩୫ଟି ପରିବାର ଚାଲିଆସିଛନ୍ତି) । ପଲ୍ଲୀର ଅଧିକାଂଶ ବାସଗୃହ ମାଟିରେ ତିଆରି ଛୋଟ ଛୋଟ କୁଟୀର । ହେଲେ ୨୦୧୫ ଏବଂ ୨୦୧୬ ମସିହାରେ ପ୍ରବଳ ବର୍ଷା ଯୋଗୁଁ ବହୁ ଘର ଭାସି ଯିବାରୁ ଏକ ବେସରକାରୀ ସଂସ୍ଥା ଦ୍ଵାରା ୧୨ଟି ପକ୍କା ଘର ନିର୍ମାଣ କରାଯାଇଥିଲା ।
ବାଙ୍ଗଲାମେଡୁର କେହି ହେଲେ ୧୦ମ ଶ୍ରେଣୀରୁ ଆଗକୁ ପଢ଼ିନାହାନ୍ତି । ମାନିଗଣ୍ଡନ ଏବଂ ଶିକ୍ଷା କେନ୍ଦ୍ରର ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୁମତି ରାଜୁ ଚେରୁକ୍କାନୁର ପଞ୍ଚାୟତ ୟୁନିଅନ ମିଡ୍ଲ ସ୍କୁଲ୍ରେ ୮ମ ଶ୍ରେଣୀ ଯାଏ ପଢ଼ିଛନ୍ତି । କ୍ରିଷ୍ଣନ୍ ଆଦୌ ସ୍କୁଲ ଯାଇନାହାନ୍ତି। ସରକାରୀ ମାଧ୍ୟମିକ ସ୍କୁଲ୍ଟି ପ୍ରାୟ ପାଞ୍ଚ କିଲୋମିଟର ଦୂର ଅନ୍ୟ ଏକ ଗାଁରେ ଥିବାରୁ ଅନ୍ୟ ଅନେକ ଛାତ୍ରଛାତ୍ରୀ ୮ମ ଶ୍ରେଣୀରୁ ସ୍କୁଲ୍ ଛାଡ଼ିଛନ୍ତି। ସୁମତି କହନ୍ତି ଯେ କୌଣସି ନୂଆ ସ୍କୁଲକୁ ଯିବା ଛାତ୍ରଛାତ୍ରୀମାନଙ୍କ ପାଇଁ କଷ୍ଟକର କାମ । ଅଟୋରିକ୍ସା ବା ବସ୍ରେ ଯିବାକୁ ହେଲେ ସେମାନଙ୍କୁ ଏକା ଏକା ଦୁଇ କିଲୋମିଟର ଚାଲିବାକୁ ପଡ଼ିବ ଏବଂ ଏହି ଖର୍ଚ୍ଚ ତୁଲାଇବା ସେମାନଙ୍କ ପରିବାର ପକ୍ଷରେ ସମ୍ଭବ ନୁହେଁ ।
ଛୋଟ ଛୋଟ ପଶୁ ଶିକାର କରିବା ଏବଂ ଖାଦ୍ୟୋପଯୋଗୀ ଗଛପତ୍ର ଖୋଜିବା, ଏହି ଦୁଇଟି ଯାକ କାମ ପାଇଁ ତୀକ୍ଷ୍ଣ ପର୍ଯ୍ୟବେକ୍ଷଣ କୌଶଳ ସହିତ ପ୍ରାଣୀମାନଙ୍କ ବ୍ୟବହାର, ସେମାନଙ୍କ ବାସସ୍ଥଳୀ ଏବଂ ସ୍ଥାନୀୟ ଋତୁ ସଂପର୍କରେ ଗଭୀର ଜ୍ଞାନ ଦରକାର
ସ୍ଵଳ୍ପ ଶିକ୍ଷିତ ଇରୁଲାମାନଙ୍କ ପାଇଁ ବିକଳ୍ପ କାର୍ଯ୍ୟପନ୍ଥା ବି ସୀମିତ । ସାଧାରଣତଃ ସେମାନେ ଚେରୁକ୍କାନୁର କିମ୍ବା ଆଖପାଖ ପଞ୍ଚାୟତରେ ଏବଂ ବେଳେବେଳେ ପ୍ରାୟ ୧୨ କିଲୋମିଟର ଦୂର ତିରୁଥାନି ସହରରେ, ଛୋଟ ଛୋଟ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଧାନ କ୍ଷେତରେ କାମ କରନ୍ତି, ଆଖୁ ଓ ବାଉଁଶ ଫସଲ କରନ୍ତି ଏବଂ ଜଳ ଉଦ୍ୟାନରେ କାମ କରନ୍ତି । କେତେଜଣ ଗୃହ ନିର୍ମାଣରେ ଲାଗୁଥିବା ସାବୁକ୍କୁ ଗଛ କାଟନ୍ତି । ଅନ୍ୟମାନେ ତିରୁଥାନି ତାଲୁକର ବିଭିନ୍ନ ସ୍ଥାନରେ ଥିବା ଇଟା ଓ ଅଙ୍ଗାର ଭାଟିରେ କାମ କରନ୍ତି । ଏ ସବୁ କାମ ବର୍ଷର ନିର୍ଦ୍ଦିଷ୍ଟ ଋତୁରେ ମିଳେ ଏବଂ ମିଳିବ କି ନାହିଁ ଠିକ୍ ନଥାଏ । ଏଥିରୁ ସେମାନେ ହାରାହାରି ଦିନକୁ ୩୦୦ ଟଙ୍କା ପାଆନ୍ତି ଏବଂ ଗୋଟିଏ ମାସରେ ପ୍ରାୟ ୧୦ ଦିନ ହିଁ କାମ ମିଳେ । ଅନେକ ସମୟରେ, ସଂପ୍ରଦାୟର ମହିଳାମାନେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (MGNREGA) ଅନ୍ତର୍ଗତ ନିର୍ମାଣ ସ୍ଥଳରେ କାମ କରି ଦିନକୁ ପ୍ରାୟ୧୭୦ ଟଙ୍କା ରୋଜଗାର କରନ୍ତି । ସେଠାରେ ସେମାନେ ଗଛର ଚାରା ଲଗାନ୍ତି, କେନାଲ ଖୋଳନ୍ତି ଏବଂ ବଣୁଆ ଗଛଲଟା ସଫା କରନ୍ତି ।
ସଂପ୍ରଦାୟର ଗୋଟିଏ ଦୁଇଟି ପରିବାର ଛେଳି ପୋଷିଛନ୍ତି ଏବଂ ପାଖ ବଜାରରେ ସେମାନେ ଛେଳି କ୍ଷୀର ବିକ୍ରି କରନ୍ତି । ଆଉ କେତେ ଜଣ ଆଖପାଖର ଅଗଭୀର ହ୍ରଦରୁ ମାଛ ଧରନ୍ତି । ଏବଂ କେତେକ ସମୟରେ, ଜମିରୁ ଧାନ ନେଇ ମାଟି ତଳେ ଗାତ ଖୋଳି ସଞ୍ଚି ରଖୁଥିବା ମୂଷାଙ୍କ ଦାଉରୁ କ୍ଷେତକୁ ରକ୍ଷା କରିବା ଲାଗି ଜମି ମାଲିକମାନେ ଇରୁଲାମାନଙ୍କୁ କାମରେ ଲଗାନ୍ତି । ଇରୁଲାମାନେ ମୂଷାମାନଙ୍କୁ ଗାତରୁ ବାହାର କରିବାକୁ ଧୂଆଁ ଦିଅନ୍ତି ଏବଂ ଜାଲରେ ସେମାନଙ୍କୁ ଧରି ପକାନ୍ତି । ସେମାନେ ଏହାର ମାଂସକୁ ସମ୍ବରରେ ବ୍ୟବହାର କରନ୍ତି ଏବଂ ଗାତରୁ ବାହାର କରିଥିବା ଧାନ ରଖନ୍ତି ।
ସୀମିତ ଆୟ କାରଣରୁ ଇରୁଲାମାନଙ୍କ ପାଇଁ ପରିବା ଓ ମାଂସର ଏକ ଉତ୍ସ ହେଉଛି ଜଙ୍ଗଲ । ମାନିକଣ୍ଡନ୍ କହନ୍ତି, “ଯେତେବେଳେ ଆମ ହାତରେ କାମ ନଥାଏ ଆମେ ଖାଦ୍ୟ ପାଇଁ ଜଙ୍ଗଲକୁ ଯାଉ । ଆମେ ଛୋଟ ଛୋଟ ଜୀବ ଶିକାର କରୁ । ଆମେ ଠେକୁଆ, ଗେଣ୍ଡା, ଗୁଣ୍ଡୁଚି ମୂଷା ଏବଂ କେତେକ ପ୍ରକାରର ପକ୍ଷୀ ଖୋଜୁ ।” ବେଳେବେଳେ, କେତେଜଣ ଚେଷ୍ଟା କରନ୍ତି ଏବଂ ଠେକୁଆ ମାଂସ ଆଣି କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକିଥାଆନ୍ତି । ସେ ଆହୁରି କହନ୍ତି, “କେହି ଜଣେ ଠେକୁଆଟିଏ ପାଇବା ଭାଗ୍ୟର କଥା । ଠେକୁଆଟିଏ ଧରିବା ପାଇଁ ସପ୍ତାହରୁ ୧୦ ଦିନ ଯାଏ ଲାଗିଯାଇପାରେ । କ୍ଵଚିତ୍ ଏଭଳି ହୁଏ ଯେ ଆମେ ଦିନକରେ ୨ରୁ ୩ଟି ଧରିଥାଉ । ଠେକୁଆମାନେ ବୁଲିବା ପାଇଁ ବାହାରକୁ ଆସନ୍ତି ନାହିଁ । ଲମ୍ବା ଲମ୍ବା ବାଡ଼ି ବ୍ୟବହାର କରି ଗହଳିଆ ବୁଦା ଭିତରୁ ଆମକୁ ସେମାନଙ୍କୁ ଘଉଡ଼ାଇବାକୁ ପଡ଼େ, ଯାହା ଦ୍ଵାରା କି ସେମାନେ ଆମ ଫାଶରେ ପଡ଼ନ୍ତି । କିନ୍ତୁ ଠେକୁଆମାନେ ଜହ୍ନ ଆଲୁଅରେ ବି ଖୁବ୍ ଭଲ ଭାବେ ଦେଖିପାରନ୍ତି । ସେମାନେ ଫାଶର ସରୁ ତାରକୁ ଦେଖିପାରନ୍ତି ଏବଂ ଦୌଡ଼ିବା ବେଳେ ଏହାକୁ ଏଡ଼ାଇପଳାଇ ଯାଆନ୍ତି । ତେଣୁ ଆମେ ସେମାନଙ୍କୁ ଧରିବା ପାଇଁ ଅମାବାସ୍ୟା ରାତିରେ ଜଙ୍ଗଲକୁ ବାହାରୁ, ଯେତେବେଳେ କି ଜହ୍ନ ନଥାଏ ।”
ଛୋଟ ଛୋଟ ପଶୁ ଶିକାର କରିବା ଏବଂ ଖାଦ୍ୟୋପଯୋଗୀ ଗଛପତ୍ର ଖୋଜିବା, ଏହି ଦୁଇଟି ଯାକ କାମ ପାଇଁ ତୀକ୍ଷ୍ଣ ପର୍ଯ୍ୟବେକ୍ଷଣ କୌଶଳ ସହିତ ପ୍ରାଣୀମାନଙ୍କ ବ୍ୟବହାର, ସେମାନଙ୍କ ବାସସ୍ଥଳୀ ଏବଂ ସ୍ଥାନୀୟ ଋତୁ ସଂପର୍କରେ ଗଭୀର ଜ୍ଞାନ ଦରକାର । ଇରୁଲାମାନଙ୍କ ମଧ୍ୟରେ ପିଢ଼ି ପରେ ପିଢ଼ିକୁ ଏହି ଜ୍ଞାନ ମିଳିଥାଏ - ଯେମିତିକି ସେହି ରବିବାର ଦିନ କି କ୍ରିଷ୍ଣନ ଏବଂ ମାନିକଣ୍ଡନ୍ ସେମାନଙ୍କ ସହ ଥିବା ପିଲାମାନଙ୍କୁ ଦେଉଥିଲେ । ଚେରାକ୍କାନୁର ପଞ୍ଚାୟତ ସ୍କୁଲ୍ର ଜଣେ ୮ମ ଶ୍ରେଣୀ ଛାତ୍ରୀ ୧୩ ବର୍ଷୀୟା ଆର. ଅନୁଷା କହନ୍ତି, “ଆମେ ସପ୍ତାହର ଶେଷ ଦିନ ଏବଂ ସ୍କୁଲ ଛୁଟିଦିନକୁ ଅପେକ୍ଷା କରି ରହୁ । ସେହି ସମୟରେ ହିଁ ସେମାନଙ୍କ ସହ ଜଙ୍ଗଲକୁ ଯିବା ଲାଗି ଆମ ବାପା-ମାଆମାନେ ଅନୁମତି ଦିଅନ୍ତି ।”
କିନ୍ତୁ, ଏକଦା ଇରୁଲାମାନଙ୍କର ଜାଳେଣି କାଠ, ଖାଦ୍ୟ, ଔଷଧ ଏବଂ ଜୀବିକାର ମୁଖ୍ୟ ସ୍ରୋତ ରୂପେ ଥିବା ଘଞ୍ଚ ବୁଦାର ଜଙ୍ଗଲ ବିଗତ ଦଶନ୍ଧି ଧରି ସଂକୁଚିତ ହେବାରେ ଲାଗିଛି । କେତେକ ସ୍ଥାନରେ ଚାଷବାସ କିମ୍ବା ଆମ୍ବ ବଗିଚା କରିବାକୁ ଜଙ୍ଗଲ ସଫା କରାଯାଇଛି, କେତେକ ସ୍ଥାନ ଘର ତିଆରି ଲାଗି ପ୍ଲଟ୍ରେ ପରିବର୍ତ୍ତିତ ହୋଇଛି ଏବଂ ଆଉ କେତେକ ସ୍ଥାନକୁ ତିରୁଭାଲୁର ଜିଲ୍ଲାର ଅଣ-ଆଦିବାସୀ ଲୋକେ ତାରବାଡ଼ ଘେରାଇ ତାହା ଉପରେ ମାଲିକାନା ଜାହିର କରିଛନ୍ତି ଏବଂ ଇରୁଲାମାନଙ୍କୁ ଭିତରକୁ ପୂରାଇ ଦେଉନାହାନ୍ତି ।
ବନାଞ୍ଚଳ ହ୍ରାସ ଏବଂ ବିକଳ୍ପ କାର୍ଯ୍ୟପନ୍ଥାର ଅନିଶ୍ଚିତତା କାରଣରୁ ଉତ୍ତମ ଶିକ୍ଷା ହିଁ ସେମାନଙ୍କ ପିଲାମାନଙ୍କୁ ଭଲ କାମଧନ୍ଦାର ସୁଯୋଗ ଆଣିଦେବ ବୋଲି ସଂପ୍ରଦାୟର ଅନେକ ଆଶା ବାନ୍ଧିଛନ୍ତି । ହାଇସ୍କୁଲ୍ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିଲେ ହେଁ, ବାଙ୍ଗଲାମେଡୁରେ ଅନେକ ଇରୁଲା ସଂପ୍ରଦାୟର ଛାତ୍ରଛାତ୍ରୀ ଆଗକୁ ଆହୁରି ପଢ଼ିବା ଲାଗି ଚେଷ୍ଟା ଚଳାଇଛନ୍ତି । ମାନିଗଣ୍ଡନଙ୍କ ଶିକ୍ଷା କେନ୍ଦ୍ରରେ ସାଙ୍ଗରେ ଛୋଟ ନାତିକୁ ଧରି ପହଞ୍ଚିଥିବା ତାଙ୍କ ୩୬ ବର୍ଷୀୟା ଭଉଣୀ କେ.କାନ୍ନିଆମ୍ମା କହନ୍ତି.. “ଆମେ ଚାହୁଁଛୁ ଆମ ପିଲାମାନେ ଭଲ ପଢ଼ନ୍ତୁ ଏବଂ ଚାକିରି କରନ୍ତୁ । ଆମେ ଚାହୁଁନାହୁଁ ଯେ ସେମାନେ ଆମ ଭଳି ରୋଜଗାର ଏବଂ ବଞ୍ଚି ରହିବା ପାଇଁ ସଂଘର୍ଷ କରନ୍ତୁ ।”
ଅନୁବାଦ: ଓଡ଼ିଶାଲାଇଭ୍