ପୋନ୍ ହରିଚନ୍ଦ୍ରନ୍ ଆଶ୍ଚର୍ଯ୍ୟ ହୋଇଗଲେ । “ତୁମେ ମୋ କାହାଣୀ ଶୁଣିବାକୁ ଏଠାକୁ ଆସିଛ? କାହାଣୀ ଶୁଣିବାକୁ ମୋ ପାଖକୁ କେହି ଆସିବାର ମୁଁ ମନେ ପକାଇ ପାରୁନାହିଁ । ଏବଂ ସତକଥା ହେଲା ମୋ’ପାଖରେ କହିବାକୁ ଅଧିକ କିଛି ନାହିଁ ।’’ ୬୦ ବର୍ଷୀୟ ଏହି ବ୍ୟକ୍ତିଜଣକ ଅନ୍ୟମାନଙ୍କର କାହାଣୀ କହି ଗୋଟିଏ ଜୀବନକାଳ ବିତାଇ ସାରିଛନ୍ତି । ନିଜ ଗାଁ କିଲାକୁୟିଲକୁଡି ଓ ସେଠାରୁ ମାତ୍ର ୧୫ କିମି ଦୂରରେ ଥିବା ୨୦୦୦ ବର୍ଷର ପୁରୁଣା ସହର ମଦୁରାଇ ସଂପର୍କରେ ସେ କାହାଣୀ କହିଥାନ୍ତି ।
ତାଙ୍କର ଶ୍ରୋତାଙ୍କ ମଧ୍ୟରେ ନିରକ୍ଷରଠାରୁ ପଣ୍ଡିତ, ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପରିଦର୍ଶନରେ ଆସିଥିବା ଉଚ୍ଚଶିକ୍ଷିତ ଲୋକ ରହିଥାନ୍ତି । ସେମାନେ ସେହି କାହାଣୀକୁ ପୁରସ୍କାର ବିଜୟୀ ଉପନ୍ୟାସରେ ବ୍ୟବହାର କରିଛନ୍ତି, କିଛି ତାକୁ ନେଇ ଫିଲ୍ମ ବନାଇଛନ୍ତି । ବାକି ଅନ୍ୟମାନେ ନୃତତ୍ତ୍ୱସଂପର୍କୀୟ ଗବେଷଣା ପାଇଁ ତାକୁ ବ୍ୟବହାର କରିଛନ୍ତି । ସେ ଆଗ୍ରହ ସହକାରେ ପଚାରିଲେ, ‘‘ଆଜିକାଲି ମୋ ପାଖକୁ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଅଧିକ ପରିଦର୍ଶକ ଆସୁଛନ୍ତି । ପ୍ରଫେସରମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ନେଇ ମୋ ପାଖରୁ କାହାଣୀ ଶୁଣିବାକୁ ଆସୁଛନ୍ତି । ସେହି କାହାଣୀ ମଧ୍ୟରୁ ଆପଣଙ୍କୁ ବି ଗୋଟିଏ କାହାଣୀ କହିବି କି?’’
ଆମେମାନେ କିଲାକୁୟିଲକୁଡ଼ିରେ ବସିଥିଲୁ । ତାହା ପଦ୍ମଫୁଲରେ ପରିପୂର୍ଣ୍ଣ ଏକ ପୋଖରୀ ଏବଂ ଏହି ଅଞ୍ଚଳର ସୁଦୂରପ୍ରସାରୀ ଜୈନ ଗୁମ୍ଫା ମଧ୍ୟରେ ଥିଲା । ଗାଁଟି ମଦୁରାଇ ଜିଲ୍ଲାର ଥିରୁପରାକୁଣ୍ଡ୍ରମ୍ ବ୍ଲକ୍ରେ ଅବସ୍ଥିତ । କାରୁପାସାମୀ ମନ୍ଦିରରେ ବସିଥିବା ଗାଁର ବୟସ୍କ ଲୋକଙ୍କୁ ଆମେ ତାଙ୍କୁ କେଉଁଠି ପାଇବୁ ବୋଲି ପଚାରିଲୁ । ସେମାନେ କହିଲେ, ‘‘ଗୋଟିଏ ଚା’ ଦୋକାନରେ ବା ଘରେ ସେ ମିଳିଯିବେ । କିନ୍ତୁ ଯେତେବେଳେ ତୁମେମାନେ ଏଇଠି ଅଛ, ସେ ଖୁବ୍ ଶୀଘ୍ର ଆସିଯିବେ ।’’ ଏବଂ ସେ ସେଇୟା କଲେ, ତାଙ୍କର ସାଇକେଲ ଚଢି ପହଞ୍ଚିଗଲେ ।
ସେ ଆମକୁ ଅଭିନନ୍ଦନ ଜଣାଇ ଏକାଥରକେ ପ୍ରସଙ୍ଗ ଉପରକୁ ଆସିଗଲେ: ‘‘ଆପଣମାନଙ୍କୁ ଏହି ଗାଁକୁ ଆସିବା ରାସ୍ତା ଟିକେ ଜଟିଳ ଲାଗିଲା ନାହିଁ କି? ଆମର ପୂର୍ବପୁରୁଷମାନେ ଆମକୁ ଆକ୍ରମଣ କରିବାକୁ ଆସୁଥିବା ବ୍ରିଟିଶ ସେନାକୁ ଅଟକାଇ ରଖିବା ଲାଗି ତାକୁ ଏଭଳି ଭାବେ ଡିଜାଇନ୍ କରିଥିଲେ । ସେମାନେ ଏଠାରେ ପହଞ୍ଚିବା ପୂର୍ବରୁ ଆମର ସୂଚନାଦାତାମାନେ ସେମାନଙ୍କର ଗତିବିଧି ସଂପର୍କରେ ଆମକୁ ଜଣାଇ ଦେଉଥିଲେ । ତେଣୁ ସେମାନେ ଯେତେବେଳେ ଆସନ୍ତି ସେତେବେଳେ ଗ୍ରାମବାସୀମାନେ ସେମାନଙ୍କ ସହିତ ଲଢିବାକୁ ପ୍ରସ୍ତୁତ ହୋଇଯାଉଥିଲେ ।’’





