ହାତଣେର ସରକାରୀ ଡାକ୍ତରଖାନା ମୁଖ୍ୟ ଦ୍ୱାର ସମ୍ମୁଖରେ ଏକ ଅଟୋରିକ୍ସା ଛିଡ଼ା ହୋଇଛି, ଯେଉଁଥିରେ ବସିଥିବା ଜଣେ ମହିଳା ବାରମ୍ବାର ଅଚେତ ହୋଇଯାଉଛନ୍ତି। ଅନ୍ୟ ଜଣେ ମହିଳା ଛାତି ବାଡ଼େଇ ବିଳାପ କରୁଛନ୍ତି: “ମାଝା ସୋନ୍ୟା, ମାଝା ସୋନ୍ୟା, କୁଥେ ଗେଲାରେ ମାଝା ସୋନ୍ୟା -(ମୋ ଗେହ୍ଲା ତୁ କୁଆଡ଼େ ଗଲୁ ରେ ମୋର ଗେହ୍ଲା)?” ପ୍ରତ୍ୟେକ ଦିଗରୁ ଉଚ୍ଚ ସ୍ୱରରେ ଚିତ୍କାର ଶୁଭାଯାଏ। କିଛି ପରିବାର କାଗଜପତ୍ର କାମ ସମ୍ପୂର୍ଣ୍ଣ କରିବାର ପ୍ରୟାସରେ ସାମୁହିକ ଭାବେ ଏକତ୍ରିତ ହୋଇଛନ୍ତି। ଆଉ କିଛି ଅନ୍ୟ ଡାକ୍ତରଖାନାରେ ଶଯ୍ୟା ବ୍ୟବସ୍ଥା କରିବା ଲାଗି ଚେଷ୍ଟା କରୁଛନ୍ତି।
ମଇ ମାସର ପ୍ରାରମ୍ଭରେ ଏବଂ ସୋମବାର ମଧ୍ୟାହ୍ନରେ ଖୁବ ଜୋରରେ ଗରମ ହେଉଛି। ଏବଂ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ହାତଣେ ଗ୍ରାମର ରେଭେରା ଡାକ୍ତରଖାନା ବାହାରେ ସମ୍ପୂର୍ଣ୍ଣ ଭାବେ କୋଳାହଳପୂର୍ଣ୍ଣ ପରିବେଶ ରହିଛି।
ଗୁରୁ ଚୌଧରୀ ଡାକ୍ତରଖାନା ପରିସର ବାହାରେ ଥିବା ଏକ ଗଛ ମୂଳରେ ତିଆରି ହୋଇଥିବା ସିମେଣ୍ଟ ପିଣ୍ଡିରେ ବସିଛନ୍ତି ଏବଂ ଲଗାତାର ଫୋନ କରୁଛନ୍ତି। ସେ ନିଜ ଭିଣୋଇଙ୍କ ମୃତ୍ୟୁ ଖବର ଦେଉଛନ୍ତି। “ ଦେୱାଲା ପ୍ରିୟ ଝାଲା କାଲ ରାତ୍ରୀ” (କାଲି ରାତିରେ ତାଙ୍କର ଦେହାନ୍ତ ଘଟିଛି)”, ସେ ଫୋନରେ ଏହି ବାକ୍ୟକୁ ଦୋହରାଇଥିଲେ। “ସେ ମୋ ପାଇଁ ଭାଇ ଭଳି ଥିଲେ”, ସେ ଉଦାସ ଏବଂ ବ୍ୟଥିତ ହୋଇ ମୋତେ କହିଥିଲେ। “ଏହି ଭିଡିଓକୁ ଦେଖନ୍ତୁ। ଏଇଠି ସେ ଠିକ୍ ଅଛନ୍ତି। ମୋ ଭଉଣୀ ଡାକ୍ତରଖାନାରେ ତାଙ୍କ ସହିତ ଥିଲା। ତାଙ୍କର ଅକ୍ସିଜେନ ବୋତଲରୁ ଲଗାତାର ଲିକ୍ ହୋଇଚାଲିଥିଲା... ସେ ଡାକ୍ତରଙ୍କୁ କହିଚାଲିଥିଲେ ଯେ ଏଠାକୁ ଆସି ତାଙ୍କର ଯାଞ୍ଚ କରନ୍ତୁ....”
ପରିବାର ରେଭେରା ଆସିବା ପୂର୍ବରୁ ଗୁରୁଙ୍କ ଭିଣୋଇ, ୩୫ ବର୍ଷୀୟ ବାମନ ଦିଘାଙ୍କୁ ୨୩ ଏପ୍ରିଲରେ ସେମାନଙ୍କ ଗାଁ ପାଖରେ ଥିବା ଦୁଇଟି ଛୋଟ ଡାକ୍ତରଖାନାକୁ ନିଆଯାଇଥିଲା। “ସେ ଠିକ୍ ଭାବେ ନିଶ୍ୱାସ ନେଇ ପାରୁନଥିଲେ। ତାଙ୍କୁ କିଛିଦିନ ହେବ ଅଧିକ ଜ୍ୱର ମଧ୍ୟ ଥିଲା, ସେଥିପାଇଁ ଆମେ ଡରିଗଲୁ ଏବଂ ତାଙ୍କର ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଲୁ”, ଗୁରୁ କହିଥାନ୍ତି। “ଡାକ୍ତର କହିଲେ ତାଙ୍କୁ ନିମୋନିଆ ହୋଇଛି, କୋଭିଡ ମଧ୍ୟ ହୋଇଥାଇପାରେ, ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ। ଆଖାପାଖର କୌଣସି ଡାକ୍ତରଖାନାରେ ଶଯ୍ୟା କିମ୍ବା ଅକ୍ସିଜେନ ମିଳିନଥିଲା।”
ପରିବାରକୁ ପାଲଘରର ମୋଖାଡ଼ା ତାଲୁକାରେ ଥିବା ସେମାନଙ୍କର ଗ୍ରାମ ତାକପାଡ଼ରୁ ସେହି ଜିଲ୍ଲାର ବିକ୍ରମଗଡ଼ ତାଲୁକାରେ ରାଜ୍ୟ ଦ୍ୱାରା ପରିଚାଳିତ ରେଭେରା ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସରେ ପାଖାପାଖି ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିଲା। ଏହି ତାଲୁକାରେ କୋଭିଡ ପାଇଁ ତିଆରି ହୋଇଥିବା ଏକମାତ୍ର ଡାକ୍ତରଖାନା ରହିଛି, ଯେଉଁଠି କୋଭିଡ ରୋଗୀଙ୍କ ପାଇଁ ୨୦୦ ଶଯ୍ୟା ରହିଛି (ଏଥିମଧ୍ୟରୁ ଅଧା ଆଇସୋଲେସନ ଶଯ୍ୟା ଏବଂ ବାକି ଅକ୍ସିଜେନ, ଭେଣ୍ଟିଲେଟର କିମ୍ବା ଆଇସିୟୁ ଶଯ୍ୟା ରହିଛି, ଏ ସଂକ୍ରାନ୍ତ ତଥ୍ୟ ଜିଲ୍ଲାର ସରକାରୀ ୱେବସାଇଟରେ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦିଆଯାଇନାହିଁ)।
“କୋଭିଡ ପରୀକ୍ଷଣରେ ତିନି ଥର ନେଗେଟିଭ ଆସିବା ସତ୍ତ୍ୱେ, ତାଙ୍କୁ କୋଭିଡ ୱାର୍ଡରେ ଭର୍ତ୍ତି କରାଗଲା। ଭିତରେ ଥିବା ଶଯ୍ୟାରେ ଚଦର କିମ୍ବା ତକିଆ ନଥିଲା। ତାଙ୍କ ପାଖରେ ଗରମ ପାଣି ସୁଦ୍ଧା ନଥିଲା। ସେ ୧୦ ଦିନ ପର୍ଯ୍ୟନ୍ତ ସେହି ୱାର୍ଡରେ ରହିଲେ। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ପରିସ୍ରା କରିପାରୁନଥିଲେ। ତାଙ୍କର ଅବସ୍ଥା ଅଚାନକ ଖରାପ ହୋଇଗଲା। ମୋ ଭଉଣୀ ଡାକ୍ତରଙ୍କୁ ବାରମ୍ବାର କହିବା ଲାଗି ଚାହୁଁଥିଲେ ଯେ କିନ୍ତୁ ସେମାନେ ସମସ୍ତେ ବ୍ୟସ୍ତ ଥିଲେ ଓ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ”, ଗୁରୁ କହିଥିଲେ।
ବାମନ ତାକପାଡ଼ା ଗ୍ରାମର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ କାମ କରୁଥିଲେ। ତାଙ୍କ ପରିବାରରେ-ସେ ଠାକୁର ଆଦିବାସୀ ସମ୍ପ୍ରଦାୟର- ୮ ଓ ୬ ବର୍ଷର ଦୁଇ ଝିଅ ଓ ପତ୍ନୀ, ୩୧ ବର୍ଷୀୟ ମାଳତୀ ଦିଘା ଅଛନ୍ତି। ସେ, ବାମନଙ୍କ ମାତା-ପିତାଙ୍କ ସହିତ, ତାଙ୍କର ଦୁଇ ଏକର ଜମିରେ ଚାଷ କରିଥାନ୍ତି, ଯେଉଁଠି ସେ ମୁଖ୍ୟତଃ ପନିପରିବା, ବାଜରା ଓ ଧାନ ଚାଷ କରିଥାନ୍ତି। “ମୁଁ ଡାକ୍ତରମାନଙ୍କୁ ଡାକି ଡାକି ଥକିଗଲି। ଅକ୍ସିଜେନ ଥିବା ସତ୍ତ୍ୱେ ସେ ଠିକ ଭାବେ ନିଃଶ୍ୱାସ ନେଇପାରୁନଥିଲେ। ଭିତରେ ଅତି ମଇଳା ଥିଲା। ତାଙ୍କର ଠିକ ଭାବେ ଦେଖାଶୁଣା କରାଯାଇଥିଲେ ସେ ଭଲ ହୋଇଯାଇଥାନ୍ତେ, କିନ୍ତୁ ଆମେ ତାଙ୍କୁ ହରାଇଲୁ”, ମାଳତୀ କାନ୍ଦି କାନ୍ଦି କହିଥିଲେ।
ତେବେ, ଡାକ୍ତରଖାନାର ଚିକିତ୍ସା ଅଧୀକ୍ଷକ ମୋତେ କହିଥିଲେ : “ରୋଗୀଙ୍କ ସମ୍ପର୍କୀୟମାନେ ଯାହା ନାହିଁ ତାହା କହିଦେବେ। ଆପଣ ସେମାନଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ। ସେମାନେ ଜାଣିନାହାନ୍ତି ଯେ ଭିତରେ କ’ଣ ହେଉଛି।”
ଡାକ୍ତରଖାନା ବାହାରେ ଅନ୍ୟ ଏକ କୋଣରେ, ମୀନା ପାଗୀ ତଳେ ଉପରେ ପଡ଼ି ରହିଛନ୍ତି। ଆଖାପାଖରେ ଥିବା କିଛି ଲୋକ ତାଙ୍କୁ ଧରିବା ଲାଗି ଚେଷ୍ଟା କରୁଛନ୍ତି। ସେ ଉଠିବା ଲାଗି ଚେଷ୍ଟା କରୁଛନ୍ତି କିନ୍ତୁ ଉଠିପାରୁନାହାନ୍ତି। କିଛି ସମୟ ପରେ, ସେ ଗତିହୀନ ହୋଇ ବସିଯାଉଛନ୍ତି। “ସେ ଆଜି ସକାଳ ଠାରୁ ଏଠୁ କୁଆଡ଼େ ଯାଇନାହାନ୍ତି। ତାଙ୍କର ସ୍ୱାମୀ ମୃତ୍ୟୁବରଣ କରିସାରିଛି ଏବଂ ଏବେ ତାଙ୍କ ପାଖରେ ଚାରି ଜଣ ଝିଅଙ୍କୁ ଛାଡ଼ି ଯାଇଛନ୍ତି”, ଜଣେ ଚାଷୀ ତଥା ତାଙ୍କ ପରିବାରର ନିବିଡ଼ ବନ୍ଧୁ, ଶିବରାମ ମୁକଣେ କହିଥାନ୍ତି।
ଛାତିରେ ପ୍ରବଳ ଯନ୍ତ୍ରଣା ହେବା କାରଣରୁ ମଇ ପହିଲାରେ ୪୮ ବର୍ଷୀୟ ମଙ୍ଗେଶ ଓ ୪୫ ବର୍ଷୀୟା ମୀନା ଆମ୍ବୁଲାନ୍ସରେ ରେଭେରା ଡାକ୍ତରଖାନାକୁ ଆସିଥିଲେ। ଏଥିପୂର୍ବରୁ, ଶିବରାମ କୁହନ୍ତି, ସେହିଦିନ ମଙ୍ଗେଶ ବିକ୍ରମଗଡ଼ ତାଲୁକାର ଖୋସ୍ତେ ଗାଁରେ ଥିବା ନିଜ ଘରୁ ବିକ୍ରମଗଡ଼ ସହରର ଏକ ଡାକ୍ତରଖାନା ପର୍ଯ୍ୟନ୍ତ ନିଜ ମୋଟର ସାଇକେଲରେ ପାଖାପାଖି ୧୫ କିଲୋମିଟର ଚଳାଇ ଆସିଥିଲେ। ମୀନା ବାଇକରେ ତାଙ୍କ ସହିତ ଥିଲା। ସେତେବେଳକୁ ତାଙ୍କୁ ପ୍ରବଳ ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ହେବାକୁ ଲାଗିଲାଣି। ଦୁଇ ଦିନ ପରେ ମଇ ୩ ତାରିଖରେ ମଙ୍ଗେଶଙ୍କର ମୃତ୍ୟୁ ଘଟିଥିଲା।
“ସେହି (ସହରର) ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ରେଭେରାରେ ଭର୍ତ୍ତି ହେବା ଲାଗି କହିଥିଲେ। ସେମାନେ ତାଙ୍କୁ ଏକ ଚିଠି ଦେଲେ ଏବଂ ସେମାନଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଦେଲେ। କିଛି ଘଣ୍ଟା ପରେ ତାଙ୍କୁ ରେଭେରାରେ ଏକ ଶଯ୍ୟା ଦିଆଗଲା”, ଶିବରାମ କହିଥାନ୍ତି। “ତାଙ୍କ ପତ୍ନୀ ମୋତେ କହିଲେ ଯେ ତାଙ୍କୁ ଅକ୍ସିଜେନର ଆବଶ୍ୟକତା ରହିଛି ଓ ତାହା ଦିଆଯିବା ପରେ ସେ ଠିକ୍ ଅନୁଭବ କରୁଥିଲେ। କିନ୍ତୁ ଡାକ୍ତରମାନେ ପରୀକ୍ଷା କଲେ ଓ ତାଙ୍କୁ କୋଭିଡ ସେଣ୍ଟରରେ ଭର୍ତ୍ତି କରାଇଦେଲେ। ସେଠାରେ ସେମାନେ ଦୁଇ ଦିନ ମଧ୍ୟରେ ୧୦-୧୨ଟି ଇଞ୍ଜେକ୍ସନ ଦେଲେ। ପ୍ରତ୍ୟେକ ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ସେଥିପାଇଁ ଆମେ ଅନ୍ୟ ଡାକ୍ତରଖାନାକୁ ନେଇଯିବା ଲାଗି ଯୋଜନା କରୁଥିଲୁ। କିନ୍ତୁ (ମେ ୩ ତାରିଖ) ଅଧା ରାତି ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଲା ଏବଂ ସେମାନେ ତାଙ୍କୁ ଆଇସିୟୁକୁ ନେଇଗଲେ। ଦୁଇ ଘଣ୍ଟା ପରେ ସେମାନେ ତାଙ୍କ ପତ୍ନୀଙ୍କୁ କହିଲେ ଯେ ତାଙ୍କର ମୃତ୍ୟୁ ଘଟିସାରିଛି।”
ମୁଁ ଡାକ୍ତରଖାନାର ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରିବାକୁ ଚାହିଁଲି, କିନ୍ତୁ ସେମାନଙ୍କ ସହିତ ଯୋଗାଯୋଗ ହୋଇପାରିଲା ନାହିଁ।
ମଙ୍ଗେଶ ପାଗି ନିଜର ସାତ ଜଣିଆ ପରିବାରକୁ ପଛରେ ଛାଡ଼ି ଚାଲିଯାଇନ୍ତି-ତାଙ୍କର ବାପା-ମା’, ପତ୍ନୀ ମୀନା ଓ ୧୯, ୧୭, ୧୧ ଓ ୭ ବର୍ଷର ଚାରି ଝିଅ ଅଛନ୍ତି। ସେ ଜଣେ କୃଷକ ଥିଲେ ଏବଂ ପରିବାରର ଗୋଟିଏ ଏକର ଜମିରେ ଧାନ, ଗହମ ଓ ବାଜରା ଚାଷ କରୁଥିଲେ। ସେମାନେ କାତକରୀ ଆଦିବାସୀ ସମ୍ପ୍ରଦାୟର ଏବଂ ଏବେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମୀନାଙ୍କ ମଜୁରି ଟଙ୍କାରେ ବଞ୍ଚିବାକୁ ପଡ଼ିବ- ସେ ନିକଟସ୍ଥ ଚାଷ ଜମିରେ କାମ କରିଥାନ୍ତି ଏବଂ ଦିନକୁ ୧୫୦-୨୦୦ ଟଙ୍କା ରୋଜଗାର କରିଥାନ୍ତି। “ଆମ ଗ୍ରାମରେ ଦୁଇ ମାସ ହେବ (ମହାମାରୀ କଟକଣା) ପ୍ରତିବନ୍ଧକ କାରଣରୁ କିଛି କାମ ମିଳୁନାହିଁ। ପୂର୍ବରୁ ସେମାନଙ୍କର ଟଙ୍କାର ଅଭାବ ରହୁଥିଲା ଏବଂ ଏବେ ସେମାନେ କିପରି ଚଳିବେ ଜଣାନାହିଁ”, ଶିବରାମ କହିଥାନ୍ତି।
ବାମନ ଓ ମଙ୍ଗେଶଙ୍କୁ ଅତିକମରେ ତ’ ଡାକ୍ତରଖାନାରେ ଶଯ୍ୟା ମିଳିଗଲା, ଶ୍ୟାମ ମାଡ଼ୀଙ୍କୁ ତାହା ସୁଦ୍ଧା ଠିକ୍ ସମୟରେ ମିଳିଲା ନାହିଁ। ଏପ୍ରିଲ ମାସର ଅନ୍ତିମ ସପ୍ତାହରେ, ୨୮ ବର୍ଷୀୟ ଶ୍ୟାମଙ୍କୁ ବିକ୍ରମଗଡ଼ ତାଲୁକାର ଯଶବନ୍ତ ନଗର ଗ୍ରାମରେ ଥିବା ନିଜ ଘରେ ଜୋରରେ ଜ୍ୱର ହୋଇଗଲା। “ଆମେ ସେମାନଙ୍କୁ ସ୍ଥାନୀୟ (ସରକାରୀ) ଡାକ୍ତରଖାନାକୁ ନେଇଗଲୁ। ସେଠାରେ ତାଙ୍କୁ ଔଷଧ ଦିଆଗଲା ଏବଂ ସେ ସାମାନ୍ୟ ସୁସ୍ଥ ଅନୁଭବ କଲେ। ଡାକ୍ତରମାନେ କେତେକ ଟେଷ୍ଟ କରିବା ଲାଗି ପରାମର୍ଶ ଦେଲେ ମାତ୍ର ବିକ୍ରମଗଡ଼ର ଏକମାତ୍ର ପାଥୋଲୋଜି ଲ୍ୟାବ ବନ୍ଦ ଥିଲା। କିଛି ଦିନ ପରେ, ଦିନେ ରାତି ପାଖାପାଖି ୩ଟା ବେଳେ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେଲା”, ମହେଶ ମୋରଘା, ନିଜ ପତ୍ନୀ ସୁମିତାଙ୍କ ଭାଇ ସହ ଏପ୍ରିଲ ୨୬ ତାରିଖରେ ଯେଉଁ ଘଟଣା ଘଟିଥିଲା, ତାହା ମନେ ପକାଇ କହିଥାନ୍ତି।
“ଆମେ ପ୍ରଥମେ ତାଙ୍କୁ ଅନ୍ୟ ସରକାରୀ ଡାକ୍ତରଖାନା (ବିକ୍ରମଗଡ଼)କୁ ନେଇ ଯାଇଥିଲୁ। ସେଠାରେ ସେମାନେ ତାଙ୍କୁ କୋଭିଡ କେନ୍ଦ୍ରକୁ ନେଇ ଯିବା ଲାଗି କହିଲେ। ସେ ଏବେ ବି ନିଃଶ୍ୱାସ ନେଇପାରୁନଥିଲେ। ଏବଂ ଆମେ ଏକ ଘରୋଇ ଡାକ୍ତରଖାନାର ଆମ୍ବୁଲାନ୍ସ ପାଇବାରେ ସଫଳ ହେଲୁ। ସେଥିରେ କିଛି ଅକ୍ସିଜେନ ଥିଲା। କିନ୍ତୁ ରେଭେରାରେ ଆମକୁ ତାଙ୍କ ପାଇଁ ଶଯ୍ୟା ମିଳିଲା ନାହିଁ। ଆମେ ଗୁହାରି ହେଲୁ, କିନ୍ତୁ ଡାକ୍ତରମାନେ କହିଲେ, ଗୋଟିଏ ହେଲେ ଶଯ୍ୟା ଖାଲି ନାହିଁ”, ମହେଶ କହିଥାନ୍ତି। ରେଭେରା ଡାକ୍ତରଖାନାରେ ଶଯ୍ୟା ଖୋଜିବାର ପ୍ରଥମ ପ୍ରୟାସ ସକାଳ ପାଖାପାଖି ୮ଟା ସମୟରେ କରାଯାଇଥିଲା।
ପାଲଘର ଜିଲ୍ଲାର ଆଠଟି ତାଲୁକା-ଡହାଣୁ, ଜବାହର, ମୋଖାଡ଼ା, ପାଲଘର, ତଲାସରୀ, ବସଇ, ବିକ୍ରମଗଢ଼, ୱାଡା-ରେ ପାଖାପାଖି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ହାତଣେ ଗ୍ରାମରେ ଥିବା ରେଭେରା ସହିତ ୧୨ଟି ସମର୍ପିତ କୋଭିଡ ଡାକ୍ତରଖାନା ରହିଛି। ସେଗୁଡ଼ିକରେ ମୋଟ ୨୨୮୪ ଆଇସୋଲେସନ ଶଯ୍ୟା, ୫୯୯ ଅକ୍ସିଜେନ ଶଯ୍ୟା, ୪୨ ଆଇସିୟୁ ଶଯ୍ୟା ଓ ୭୫ଟି ଭେଣ୍ଟିଲେଟର ରହିଛି। ଜିଲ୍ଲାର ସରକାରୀ ୱେବସାଇଟରୁ ଜଣାପଡ଼ିଥାଏ ଯେ ୧୨ ମଇରେ ପାଖାପାଖି ଅଧା ଆଇସୋଲେସନ ଶଯ୍ୟା ଓ ଏଥିସହିତ ୭୩ଟି ଅକ୍ସିଜେନ ଶଯ୍ୟା ଉପଲବ୍ଧ ଥିଲା। ସେହି ଦିନ ମାତ୍ର ଗୋଟିଏ ଆଇସିୟୁ ଶଯ୍ୟା ଓ ୩ଟି ଭେଣ୍ଟିଲେଟର ଉପଲବ୍ଧ ରହିଥିଲା।
ଜିଲ୍ଲାରେ ବର୍ତ୍ତମାନସୁଦ୍ଧା ପାଖାପାଖି ୧ ଲକ୍ଷ (୯୯,୫୩୯) କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ଏବଂ୧,୭୯୨ଜଣଙ୍କର ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି।
ଶ୍ୟାମଙ୍କ ପାଇଁ ବ୍ୟସ୍ତ ହୋଇ ଶଯ୍ୟା ଖୋଜିବାର କ୍ରମରେ, ପଙ୍କଜ ପାଟକର, ଯିଏକି ଶ୍ୟାମଙ୍କ ଅନ୍ୟ ଜଣେ ଭଉଣୀ ପୂଜାଙ୍କୁ ବାହା ହୋଇଛନ୍ତି, ଜଣେ ସ୍ଥାନୀୟ ସିପିଏମ କର୍ମୀଙ୍କ ସହିତ ମିଶି, ପାଲଘର ଜିଲ୍ଲାର ୱାଡା ସହରରୁ ଏକ ଅକ୍ସିଜେନ ସିଲିଣ୍ଡର ଆଣିବାରେ ସଫଳ ହେଲେ। “ଆମ୍ବୁଲାନ୍ସରେ ଅକ୍ସିଜେନ ସରିବାକୁ ଥିବା ବେଳେ ଆମେ ଆଉ ଏକ ସିଲିଣ୍ଡର ସହିତ ପହଞ୍ଚିଗଲୁ”, ପଙ୍କଜ ମୋ ସହିତ ଫୋନରେ କଥା ହେବା ସମୟରେ କହିଥଲେ। “ଆମେ ତାଙ୍କୁ ବୋଇସର (ପାଖାପାଖି ୪୦କିମି ଦୂର) କୋଭିଡ କେନ୍ଦ୍ରକୁ ନେଇଗଲୁ। ସେମାନେ ସିଟି ସ୍କାନ ମଧ୍ୟ କରାଇଲେ, କିନ୍ତୁ ସେଠାରେ ମଧ୍ୟ ଆମକୁ ଶଯ୍ୟା ମିଳିଲାନାହିଁ। ଆମେ ଭିୱଣ୍ଡି ଓ ଥାଣେର ଯେକୌଣସି ଡାକ୍ତରଖାନାରେ ଶଯ୍ୟା ପାଇବା ଲାଗି ଅନେକ ଚେଷ୍ଟା କଲୁ”। ଏସବୁ ସହର ବିକ୍ରମଗଡ଼ ଠାରୁ ପାଖାପାଖି ୧୦୦ କିଲୋମିଟର ପରିଧି ମଧ୍ୟରେ ରହିଛନ୍ତି।
“କିନ୍ତୁ ଆମେ ଧୈର୍ଯ୍ୟ ଧରି ରହିପାରିଲୁ ନାହିଁ ଏବଂ ତାଙ୍କୁ ପୁଣିଥରେ ରେଭେରା ଡାକ୍ତରଖାନାକୁ ନେଇଗଲୁ”, ପଙ୍କଜ କୁହନ୍ତି। ରେଭେରାରେ ଶଯ୍ୟା ଖୋଜିବାର ଏହି ଦ୍ୱିତୀୟ ପ୍ରୟାସ ଅପରାହ୍ଣ ୩ ସମୟରେ କରାଗଲା-ପ୍ରଥମ ପ୍ରୟାସ କରାଯିବାର ପାଖାପାଖି ୭ ଘଣ୍ଟା ପରେ। ଆମ୍ବୁଲାନ୍ସର ଭଡ଼ା ୮୦୦୦ ଟଙ୍କା ପରିବାର-ସେମାନେ ଠାକୁର ଆଦିବାସୀ ସମ୍ପ୍ରଦାୟର-ସମ୍ପର୍କୀୟମାନଙ୍କ ଠାରୁ ଉଦ୍ଧାର ନେଇ ପରିଶୋଧ କରିଥିଲେ।
“ଆମେ ସେଠାକାର ଡାକ୍ତରମାନଙ୍କୁ ତାଙ୍କୁ ଭର୍ତ୍ତି କରାଇ ଦେବା ନିମନ୍ତେ ଗୁହାରି କରୁଥିଲୁ, ଏହି ସମୟରେ ଶ୍ୟାମ ଶେଷ ନିଃଶ୍ୱାସ ତ୍ୟାଗ କଲେ”, ପଙ୍କଜ କହିଥାନ୍ତି।
“ସେ ନିଃଶ୍ୱାସ ନେଇ ପାରୁନଥିଲେ”, ଶ୍ୟାମଙ୍କ ଭଉଣୀ ସୁମିତ୍ରା କହିଥାନ୍ତି। “ତାଙ୍କୁ ଡାକ୍ତରଖାନା ନିଆଗଲା କିନ୍ତୁ କେହି ତାଙ୍କୁ ଶଯ୍ୟା ଦେଲେ ନାହିଁ। କେହି ତାଙ୍କୁ ଅକ୍ସିଜେନ ମଧ୍ୟ ଦେଲେ ନାହିଁ। ମୋ ଭାଇ ନିଃଶ୍ୱାସ ନେଇ ପାରିଲା ନାହିଁ। ତାଙ୍କର ନୂଆ କନିଆଁ ଅନେକ ଦିନ ହେବ କିଛି ଖାଇନାହାନ୍ତି। ଯାଇ ଦେଖନ୍ତୁ, ସେ ହତବାକ୍ ହୋଇଯାଇଛନ୍ତି।’’
ଏକ ସ୍ଥାନୀୟ ଅଟୋମୋଟିଭ କମ୍ପାନୀରେ କାମ କରୁଥିବା ଶ୍ୟାମଙ୍କର ଦୁଇ ମାସ ପୂର୍ବରୁ ବାହାଘର ହୋଇଥିଲା। ଯଶବନ୍ତ ନଗର ଗ୍ରାମରେ ତାଙ୍କ ମାତା-ପିତାଙ୍କ ଘରେ ତାଙ୍କର ନବବିବାହିତା ପତ୍ନୀ, ୨୪ ବର୍ଷୀୟା ରୁପାଲୀ, ଗୋଲାପୀ ରଙ୍ଗର ପ୍ଲାଷ୍ଟିକ ଚେୟାରରେ ବାରଣ୍ଡାରେ ବସିଛନ୍ତି। ତାଙ୍କ ଭଉଣୀ ତାଙ୍କର ଯତ୍ନ ନେଉଛନ୍ତି ଏବଂ ଏହା ସୁନିଶ୍ଚିତ କରୁଛନ୍ତି ଯେ ସେ ଯେପରି ତଳେ ପଡ଼ିନଯାଆନ୍ତି। ତାଙ୍କ ସ୍ୱାମୀ ଚାଲିଯିବା ପରେ ସେ କିଛି ଖାଇନାହାନ୍ତି, ଏବଂ ରାଗରେ କହୁଛନ୍ତି : “ଆମେ ଅକ୍ସିଜେନ ପାଇଁ ଭିକ ମାଗି ଚାଲିଥିଲୁ। ତାଙ୍କର କେବଳ ଅକ୍ସିଜେନ ଦରକାର ଥିଲା। ଆପଣଙ୍କୁ କିଛି ହେଲେ ଆପଣମାନଙ୍କ ପାଇଁ ମୁମ୍ବାଇ ସହରର ବଡ଼ ବଡ଼ ଡାକ୍ତରଖାନା ଅଛି। କିନ୍ତୁ ଗାଁରେ ଆମକୁ ଅକ୍ସିଜେନ ଦେବ କିଏ?”
ଅନୁବାଦ: ଓଡ଼ିଶାଲାଇଭ୍