ଖଣ୍ଡେ ଚିରା କାଗଜ କଣ୍ଟାଯୁକ୍ତ କାନ୍ଥରେ ଝୁଲି ପବନରେ ଉଡ଼ୁଛି, ଏହାର ହଳଦିଆ ପୃଷ୍ଠ ଉପରେ ଅତି ଅସ୍ପଷ୍ଟ ଭାବେ ‘ବେଆଇନ’ ଏବଂ ‘ଜବରଦଖଲ’ ଶବ୍ଦ ଦେଖାଯାଉଛି ଏବଂ ଏଥିରେ ଦିଆଯାଇଥିବା ‘ଉଚ୍ଛେଦ’ର ଚେତାବନୀ କାଦୁଅରେ ଲୁଚିଯାଇଛି । ଏକ ଦେଶର ଇତିହାସ ଏହାର କାନ୍ଥରେ ସୀମିତ ରହିପାରିବ ନାହିଁ । ଏହା ଉତ୍ପୀଡ଼ନ, ସାହସିକତା ଏବଂ ବିପ୍ଳବର ପ୍ରତୀକକୁ ପାର କରି ଦୁର୍ବଳ ସୀମାଠାରୁ ଉର୍ଦ୍ଧ୍ୱରେ ଏବଂ ଆକାଶରେ ଉଡ଼ି ବୁଲିଥାଏ।
ସେ ସଡ଼କ ଉପରେ ପଥର ଏବଂ ଇଟା ଗଦା ହୋଇଥିବା ଦେଖୁଛି । ରାତିରେ ତା’ ଘର ଭାବେ ବଦଳି ଯାଇଥିବା ଦୋକାନରେ ମାତ୍ର ଏତିକି ବଞ୍ଚିଛି । ୧୬ ବର୍ଷ ପର୍ଯ୍ୟନ୍ତ ଏଠାରେ ସେ ସନ୍ଧ୍ୟାରେ ଚା’ ପିଉଥିଲା ଏବଂ ଦିନରେ ଅନେକ ଲୋକଙ୍କୁ ଚପଲ ବିକ୍ରି କରୁଥିଲା । ଆଜବେଷ୍ଟସ ଛାତ, ସିମେଣ୍ଟ ସ୍ଲାବ ଏବଂ ବଙ୍କା ହୋଇଯାଇଥିବା ଲୁହା ରଡ଼ ମଧ୍ୟରେ ଫୁଟପାଥ ଉପରେ ତା’ର ସାଧାରଣ ସିଂହାସନ - ଧ୍ୱଂସ ପାଇଯାଇଥିବା ଏକ ସମାଧି ଭଳି ଦିଶୁଛି ।
ଏକଦା ଏଠାରେ ଜଣେ ବେଗମ ରହୁଥିଲେ । ଅୱଧର ରାଣୀ ବେଗମ ହଜରତ ମହଲ । ସେ ନିଜ ଘରକୁ ବ୍ରିଟିଶ ଶାସନ ଠାରୁ ମୁକ୍ତ କରିବା ଲାଗି ସାହସର ସହ ଲଢ଼େଇ ଲଢ଼ିଥିଲେ ଏବଂ ତାଙ୍କୁ ବାଧ୍ୟ ହୋଇ ନେପାଳରେ ଆଶ୍ରୟ ନେବାକୁ ପଡ଼ିଲା । ଉପନିବେଶବାଦ ବିରୋଧରେ ଲଢ଼ିଥିବା ଏହି ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ, ଅନେକ ଦିନ ଧରି ଲୋକଲୋଚନକୁ ଆସିପାରିନାହାନ୍ତି । ତାଙ୍କର ଐତିହ୍ୟକୁ ନଷ୍ଟ କରି ଦିଆଯାଇଛି ଏବଂ ଲିଭାଇ ଦିଆଯାଇଛି, କିନ୍ତୁ ସୀମା ଆରପଟେ ଶୀତଳ ପାହାଡ଼ରେ ତାହା ଏବେ ବି ଉଜ୍ଜିବୀତ ହୋଇ ରହିଛି ।
ଏମିତି ଅଗଣିତ ସମାଧି ରହିଛି, ଭାରତୀୟ ଉପମହାଦେଶରେ ପ୍ରତିରୋଧର ଅବଶେଷକୁ ଏମିତି ଭାବେ ଗଭୀର ଗର୍ତ୍ତରେ ପୋତି ଦିଆଯାଇଛି । କିନ୍ତୁ ଅହଂକାର ଓ ଘୃଣାର ଏହି ମାଟିକୁ ଅପସାରଣ କରିବା ଲାଗି କୌଣସି ବୁଲଡୋଜର ନାହିଁ, ପ୍ରତିରୋଧର ଏହି ବିସ୍ମୃତ ମୁଠାକୁ ଖୋଳିବା ପାଇଁ କୌଣସି ମେସିନ ନାହିଁ । ଏମିତି କୌଣସି ବୁଲଡୋଜର ନାହିଁ ଯାହା ଉପନିବେଶବାଦର ଇତିହାସକୁ ଭାଙ୍ଗି ସେହି ସ୍ଥାନରେ ନିର୍ଯାତିତଙ୍କ ସ୍ୱରକୁ ଉପସ୍ଥାପିତ କରିପାରିବ । ଅନ୍ୟାୟ ବିରୋଧରେ ଛିଡ଼ା ହେବାକୁ କୌଣସି ବୁଲଡୋଜର ନାହିଁ । ଏବେ ନାହିଁ ।
ସମ୍ରାଟଙ୍କ ପାଳିତ ପଶୁ
ଏକ ଅଜବ ପଶୁ ଦେଖାଦେଲା
ମୋ ପଡ଼ୋଶୀଙ୍କ ଅଗଣାରେ,
ତା’ର ହଳଦିଆ ରଙ୍ଗର ଚମଡ଼ା
ଥିଲା, ସେ ନାଚୁଥିଲା ।
ଶେଷ ଭୋଜନର ରକ୍ତ ମାଂସ
ଏବେ ବି ତା’ର ପଞ୍ଝା ଓ
ଦାନ୍ତରେ ଲାଗିଛି ।
ସେହି ପଶୁ କର୍କଶ ଶବ୍ଦ
କଲା
ମୁଣ୍ଡ ଉଠାଇଲା
ଆଉ ମୋ ପଡ଼ୋଶୀଙ୍କ ଛାତି ଉପରକୁ
ଝପଟି ଆସିଲା।
ତା’ର କଙ୍କାଳକୁ ଭେଦି
ଗଲା,
ହୃତପିଣ୍ଡକୁ ଚିରିଦେଲା ।
ବେପରୁଆ, ସମ୍ରାଟଙ୍କ
ପାଳିତ ପଶୁ
ତା’ର ହୃତପିଣ୍ଡକୁ କାଢ଼ି ଆଣିଲା
ନିଜର କଳଙ୍କି ଲଗା ହାତରେ
।
ଓଃ, ସେହି ନିଷ୍ଠୁର ପଶୁ!
ହେଲେ, ତା’କୁ ନିରାଶ କରି
ଆଉ ଏକ ନୂଆ ହୃତପିଣ୍ଡ କଅଁଳିଲା
ମୋ ପଡ଼ୋଶୀଙ୍କ ଛାତିର
ଅନ୍ଧାରୁଆ କଙ୍କାଳରେ ।
ଚିତ୍କାର କରି, ପଶୁଟି ଆଉ ଏକ
ହୃତପିଣ୍ଡକୁ ଚିରିଦେଲା ।
ହେଲେ ତା’
ସ୍ଥାନରେ ପୁଣି ଗୋଟିଏ ହୃତପିଣ୍ଡ କଅଁଳିଲା ।
ଆଉ ଏକ ଲାଲ, ଜୀବନରେ
ଭରପୂର
କାରଣ ଭସ୍ମ କରି
ଦିଆଯାଇଥିବା ସବୁ ହୃତପିଣ୍ଡ ସ୍ଥାନରେ ଆଉ ଏକ ନୂଆ ଥିଲା।
ଏକ ନୂଆ ହୃତପିଣ୍ଡ, ଏକ
ନୂଆ ବୀଜ,
ଏକ ନୂଆ ଫୁଲ, ନୂଆ ଜୀବନ,
ଏକ ନୂଆ ଦୁନିଆ ।
ଏକ ଅଜବ ପଶୁ ଦେଖାଦେଲା
ମୋ ପଡ଼ୋଶୀଙ୍କ ଅଗଣାରେ,
ଚୋରି କରି ନେଇଥିବା
ହୃତପିଣ୍ଡ ହାତରେ ଧରି ଏକ ମଲା ପଶୁ ।
ଅନୁବାଦ: ଓଡ଼ିଶାଲାଇଭ୍