ସେମାନଙ୍କର ଦୁଇ-ବଖୁରିଆ ମାଟିଘରେ ଦୁଆର ସାମ୍ନାରେ ଗୋଟିଏ ସପ ପକାଇ ବସିଥିବା କାନ୍ତି ଦେବଗୁରୁ ଏବଂ ତାଙ୍କ ଝିଅ ଧାନମତି ଚୋପା ଛଡ଼ାଯାଇନଥିବା ଧାନକୁ ଲାଲ ସୂତାରେ ବୁଣିବାରେ ବ୍ୟସ୍ତ ଅଛନ୍ତି। ଏହାପରେ ସେମାନେ ଏହାକୁ ବାଉଁଶ ପାତିଆରେ ବାନ୍ଧିବେ ଏବଂ ଏକତ୍ର କରି ହାର ସିଲେଇ କରିବେ। ଏଗୁଡ଼ିକ କାନ୍ତିଙ୍କ ସ୍ୱାମୀ ଗୋପୀନାଥ ଦେବଗୁରୁଙ୍କ ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଏକ ପ୍ରତିମା ଗଢ଼ିବା ପାଇଁ ବ୍ୟବହୃତ ହେବ।
ଗୋପୀନାଥ ଗୋଟିଏ ସୂତା ଯନ୍ତ୍ର ଧରି ଘର ବାହାରକୁ ବାହାରି ଆସନ୍ତି। କାନ୍ତି ଏବଂ ଧାନମତି ଧାନ ହାର ତିଆରି କରିବା ଜାରି ରଖିଥିବା ବେଳେ ସେ ସୂତା ଗୁନ୍ଥନ୍ତି ଏବଂ ଲକ୍ଷ୍ମୀ ପୁରାଣର ଗୋଟିଏ ପଦ ଗାଆନ୍ତି। ୩୫ବର୍ଷ ବୟସ୍କା କାନ୍ତି ବୁଝାଇ କୁହନ୍ତି, ‘‘ଆମେମାନେ ଧାନରେ ଶସ୍ୟର ଦେବୀ ମା’ ଲକ୍ଷ୍ମୀଙ୍କର ଧାନ ପ୍ରତିମା ତିଆରି କରିବାର ଏବଂ ତାଙ୍କ ମହାନତା ଗାନ କରିବାର ପରମ୍ପରା ଜାରି ରଖିଛୁ।’’ ସେ ଏବଂ ତାଙ୍କ ପରିବାର ପାରମ୍ପରିକ ଭାଟ ଦେବଗୁରୁ ବା ଦେବଗୁନିଆ ସମୂହର ଅଙ୍ଗ ଏବଂ ସେମାନେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖୁଦପେଜ ଗାଁ’ରେ ବାସ କରନ୍ତି।
ଦେବଗୁରୁମାନେ ସେମାନଙ୍କର ପୂର୍ବଜମାନଙ୍କଠାରୁ ଲକ୍ଷ୍ମୀପୁରାଣ ଶିଖନ୍ତି ବୋଲି କୁହନ୍ତି, ୪୧ ବର୍ଷ ବୟସ୍କ ଗୋପୀନାଥ। ସେ ଏହି ପୁରାଣର ଏକ ତାଳପତ୍ର ପାଣ୍ଡୁଲିପି ମୋତେ ଦେଖାଇଥିଲେ। ଲକ୍ଷ୍ମୀ ପୁରାଣ ଏକ ୧୫ତମ- ଶତାବ୍ଦୀ କବିତା ଯାହାକି ବଳରାମ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା ଦେବୀ ଲକ୍ଷ୍ମୀଙ୍କ ଏବଂ ପ୍ରଭୂ ଜଗନ୍ନାଥଙ୍କ ସହ ତାଙ୍କର ବିବାହର ପୌରାଣିକ କଥା ଆଖପାଖରେ ଘୂରି ବୁଲେ ଏବଂ ସେ ପାଳନ କରୁଥିବା ରୀତିନୀତି ଓ ଉପବାସଗୁଡ଼ିକୁ ବର୍ଣ୍ଣନା କରିଥାଏ। ଗୋପୀନାଥ ଗୋଟିଏ ତାର ବିଶିଷ୍ଟ ଲକ୍ଷ୍ମୀ ବୀଣା (ବ୍ରହ୍ମ ବୀଣା କିମ୍ବା ଦେବଗୁରୁ ବାଣ ଭାବରେ ମଧ୍ୟ ଜଣାଶୁଣା) ବଜାଇ ଗୀତଟିକୁ ଗାଆନ୍ତି । ଦେବଗୁରୁମାନେ ଏହି ବାଦ୍ୟଯନ୍ତ୍ର ତିଆରି କରନ୍ତି, ଯାହାକି ପ୍ରାୟ ୩ଫୁଟ ଲମ୍ବା, ଏହା ଲାଉ ଏବଂ ବାଉଁଶରେ ତିଆରି ହୋଇଥାଏ।
ଲକ୍ଷ୍ମୀପୁରାଣ ଗାଇବା ବ୍ୟତୀତ ଦେବଗୁରୁ ପରିବାରର ପୁରୁଷମାନେ ମଧ୍ୟ ସେମାନଙ୍କ ପରିବାରର ମହିଳାମାନଙ୍କ ଦ୍ୱାରା ବୁଣାଯାଇଥିବା ଧାନ ହାରରେ ଦେବୀଙ୍କ ପୂଜା ପାଇଁ ପ୍ରତିମା ଏବଂ ରୀତିନୀତି ସାମଗ୍ରୀ- ମନ୍ଦିର ଆକାରର ଆସ୍ଥାନ, ଖେଳଣା ଆକାରର ରଥ ଓ ପାଲିଙ୍କି, କଳସ (ଉର୍ନ) ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରନ୍ତି। ସେମାନେ ମଧ୍ୟ ମାଣ (ଧାନ ମପା) କୁଲା ପଦ୍ମ ଆକୃତିର ସାମଗ୍ରୀ, ଫୁଲଦାନି ଏବଂ କ୍ଷୁଦ୍ରାକୃତ୍ତି ହାତୀ ମୂର୍ତ୍ତୀ ପରି ସାମଗ୍ରୀ ପ୍ରସ୍ତୁତ କରନ୍ତି। କାନ୍ତି କୁହନ୍ତି, ‘‘ଆମେ ଏହି ପରମ୍ପରା ଆମର ପୂର୍ବଜମାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛୁ [ଧାନ କଳା କିମ୍ବା ଧାନ ଲକ୍ଷ୍ମୀ ଭାବରେ ଜଣାଶୁଣା]।
ଏହି ଭାଟମାନେ ବର୍ଷ ସାରା ନୂଆପଡ଼ା ଜିଲ୍ଲା ମଧ୍ୟରେ ଥିବା ଗାଁ’ମାନଙ୍କରେ ବୁଲି ଲକ୍ଷ୍ମୀ ପୁରାଣର ଅଂଶଗୁଡ଼ିକ ବ୍ୟାଖ୍ୟା କରନ୍ତି। ପ୍ରତ୍ୟେକ ସମୟରେ ଏହି ବର୍ଣ୍ଣନା ତିନି ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ମାର୍ଗଶିର ମାସ (ନଭେମ୍ବର-ଡିସେମ୍ବର)ରେ ଏହି ଅବଧି ୪ରୁ ୫ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। ଦେବଗୁରୁମାନେ ମଧ୍ୟ ସେମାନଙ୍କ ଶ୍ରୋତାମାନଙ୍କୁ, ସାଧାରଣତଃ ସେମାନେ ଯାଉଥିବା ପରିବାରର ବିବାହିତ ମହିଳାମାନଙ୍କୁ ଦେବୀଙ୍କ ସହ ସମ୍ପୃକ୍ତ ଉପବାସ ଏବଂ ଅନ୍ୟାନ୍ୟ ରୀତିନୀତି କେମିତି ପାଳନ କରିବାକୁ ହେବ ତାହା ଶିଖାଇଥାନ୍ତି, ଅନେକ ସମୟରେ ସେମାନେ ଏହି ପୁରାଣ ଉପରେ ଆଧାରିତ ଏକ ନାଟକ ଲକ୍ଷ୍ମୀ ପୁରାଣ ସୁଆଙ୍ଗ ମଧ୍ୟ ଶିକ୍ଷା ଦେଇଥାନ୍ତି।
ଗୋପୀନାଥ କୁହନ୍ତି, ‘‘ଏହି କାମ କଷ୍ଟକର, କିନ୍ତୁ ଆମେମାନେ ଆମର ପରମ୍ପରାକୁ ସାଇତି ରଖିବା ପାଇଁ ଏହା କରୁ। ଆମେ ଦେବଗୁରୁ ବାଣ ବଜାଇ, ଲକ୍ଷ୍ମୀ ପୁରାଣ ଗାଇ ଗାଇ ଗାଁ’ରୁ ଗାଁ’କୁ ବୁଲିଥାଉ। ଆମେ ପରିବାରଗୁଡ଼ିକୁ ଭେଟ [ଏକ ଅର୍ପଣ] ଭାବରେ ପ୍ରତିମା ଏବଂ ସାମଗ୍ରୀଗୁଡ଼ିକ ପ୍ରଦାନ କରିଥାଉ ଏବଂ ସେମାନଙ୍କୁ ଦେବୀ ପୂଜା କରିବାକୁ ପ୍ରେରଣା ଦେଇଥାଉ।’’
କେତେକ ଭକ୍ତ ଦେବଗୁରୁମାନେ ଆଣିଥିବା ପ୍ରତିମା ଏବଂ ରୀତିନୀତି ସାମଗ୍ରୀ ଗ୍ରହଣ କରନ୍ତି। ପ୍ରଦାନ କରାଯାଇଥିବା ସାମଗ୍ରୀର ଆକାର ଉପରେ ନିର୍ଭର କରି ଏହି ଭାଟମାନେ ପ୍ରତ୍ୟେକ ସାମଗ୍ରୀ ପାଇଁ ୫୦ରୁ ୧୦୦ଟଙ୍କା ଗ୍ରହଣ କରନ୍ତି କିମ୍ବା ସେମାନେ ଶସ୍ୟ, ଡାଲି ଏବଂ ପନିପରିବା ପାଇଥାନ୍ତି। କିନ୍ତୁ ଦେବଗୁରୁମାନେ କୁହନ୍ତି, ସେମାନେ ବଦଳରେ କେବେ କିଛି ଦେବା ଉପରେ ଜୋର୍ଦିଅନ୍ତି ନାହିଁ। ଗୋପୀନାଥଙ୍କ ସମ୍ପର୍କୀୟ ଭାଇ ୬୦ ବର୍ଷ ବୟସ୍କ ଗୋପୀନାଥ କୁହନ୍ତି, ‘‘ଯଦି ସେ ଅନୁପ୍ରେରିତ ହେଲେ ଏବଂ ଲକ୍ଷ୍ମୀଙ୍କର ଭକ୍ତ ପାଲଟିଲେ ତେବେ ଆମେ ଆମର ଲାଭ ପାଉ।’’ ଗୋପୀନାଥ ମଧ୍ୟ ଖୁଦପେଜ ଗାଁ’ରେ ତାଙ୍କ ପରିବାର ସହ ବାସ କରନ୍ତି ଏବଂ ଗାଁ’ ନୂଆପଡ଼ାର ଖରିଆର ବ୍ଲକ୍ରେ ଅବସ୍ଥିତ।
ଏହି ଭାଟମାନେ ନୂଆପଡ଼ା ଜିଲ୍ଲା ମଧ୍ୟରେ ଲକ୍ଷ୍ମୀ ପୁରାଣର ଗୋଟିଏ ଗୋଟିଏ ଅଂଶ ବର୍ଣ୍ଣନା କରି ଭ୍ରମଣ କରନ୍ତି। ପ୍ରତ୍ୟେକ ଥର ଏହି ବର୍ଣ୍ଣନା ପ୍ରାୟ ତିନିଘଣ୍ଟା ଲାଗିଥାଏ।
କାନ୍ତି ତିନିଦିନରେ ପ୍ରାୟ ୪୦ଟି ହାର ପ୍ରସ୍ତୁତ କରନ୍ତି ଏବଂ ଗୋପୀନାଥ ଗୋଟିଏ ଦିନରେ ୧୦ଟି ମୂର୍ତ୍ତି ତିଆରି କରନ୍ତି। ସେମାନେ ସାଧାରଣତଃ ଭିକ୍ଷା ଭାବରେ ପାଉଥିବା ଧାନ ବ୍ୟବହାର କରନ୍ତି। ବାଉଁଶଗୁଡ଼ିକ ଗାଁ’ର ଚାଷୀଙ୍କଠାରୁ କିମ୍ବା ଖୁଦପେଜାରେ ଥିବା ନଦୀ ନିକଟରୁ ସଂଗ୍ରହ କରାଯାଏ। କେତେକ ସମୟରେ କାନ୍ତି ମଧ୍ୟ ଇଟାଭାଟିରେ ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ନିର୍ମାଣ କ୍ଷେତ୍ରଗୁଡ଼ିକରେ କାମ କରନ୍ତି। ଡିସେମ୍ବରରେ ଅମଳ ଋତୁରେ ସେ ମଧ୍ୟ ଗାଁ’ର ଚାଷୀମାନଙ୍କ ଧାନ କ୍ଷେତରେ କାମ କରନ୍ତି।
ଖୁଦପେଜରେ କେବଳ ଦୁଇ ଦେବଗୁରୁ ପରିବାର- ଗୋପୀନାଥ ଭ୍ରାତାମାନଙ୍କର- ବାସ କରନ୍ତି। ବୟସ୍କ ଗୋପୀନାଥ କୁହନ୍ତି ସମୂଦାୟ ନୂଆପଡ଼ାରେ ଏହି ସମୂହର ପ୍ରାୟ ମାତ୍ର ୪୦ଟି ପରିବାର ଅଛନ୍ତି, ଯେଉଁମାନେକି ଓଡ଼ିଶାରେ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ଭାବରେ ତାଲିକାଭୁକ୍ତ।
ଅତୀତରେ ଦେବଗୁରୁମାନଙ୍କୁ କେବଳ ନିମ୍ନ ଜାତିର ହିନ୍ଦୁ ପରିବାରମାନେ ଲକ୍ଷ୍ମୀପୁରାଣ ଆବୃତ୍ତି କରିବା ପାଇଁ ନିମନ୍ତ୍ରଣ କରୁଥିଲେ। ଉଚ୍ଚ ଜାତିର ମହିଳାମାନେ ମୁଖ୍ୟତଃ ଦେବଗୁରୁମାନଙ୍କଠାରୁ ଲକ୍ଷ୍ମୀ ପ୍ରତିମା କିଣୁଥିଲେ, ବିଶେଷ କରି ମାର୍ଗଶିର ମାସରେ। ସମୟକ୍ରମେ ସେମାନଙ୍କ ପରମ୍ପରା ଦଳିତ ଏବଂ ଆଦିବାସୀ ସମୂହରେ ମଧ୍ୟ ଗ୍ରହଣୀୟ ହୋଇଥିଲା। (ଏହି ପୁରାଣ ଅସ୍ପୃଶ୍ୟତାର କୁନୀତି ବିପକ୍ଷରେ କହିଥାଏ)।
ଗୋପୀନାଥ ସକାଳେ ନିଜ ବାଇସାଇକେଲରେ ବାହାରନ୍ତି ଏବଂ ସନ୍ଧ୍ୟା ସୁଦ୍ଧା ଘରକୁ ଫେରନ୍ତି। କିନ୍ତୁ ଯଦି ତାଙ୍କର ଗନ୍ତବ୍ୟସ୍ଥଳ ଦୂର ହୋଇଥାଏ ସେ ଦିନେ କିମ୍ବା ଦୁଇଦିନ ପାଇଁ ରହିଯାଆନ୍ତି। ତାଙ୍କ ସମ୍ପର୍କୀୟ ଭାଇ ବରିଷ୍ଠ ଗୋପୀନାଥ ଏହି ଦୂରତା ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ମୋପେଡ଼ରେ ସହଜରେ ଅତିକ୍ରମ କରନ୍ତି।
ଅତୀତରେ କାନ୍ତି ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ତାଙ୍କ ଯାତ୍ରାରେ ଯାଉଥିଲେ। ତେବେ ପ୍ରାୟ ୭-୮ବର୍ଷ ତଳେ ସେମାନେ ସେମାନଙ୍କର ପିଲାମାନଙ୍କୁ- ୧୩ ବର୍ଷ ବୟସ୍କା ଧାନମତି ଏବଂ ୧୦ବର୍ଷ ବୟସ୍କା ଭୂମିସୂତାଙ୍କର ଖୁଦପେଜର ସରକାରୀ ସ୍କୁଲରେ ନାମ ଲେଖାଇବା ପରେ ଏହା ବନ୍ଦ କରିଦେଲେ। କାନ୍ତି କୁହନ୍ତି, ‘‘ଆମେ ତାକୁ ସ୍କୁଲକୁ ପଠାଇଲୁ, କାରଣ ବର୍ତ୍ତମାନ ଶିକ୍ଷା ମାଗଣା। ଆମେ ଚାହୁଁ ସେମାନେ ପାଠ ପଢ଼ନ୍ତୁ ଏବଂ ଏହା ସହିତ ଆମର ପାରମ୍ପରିକ କଳା ମଧ୍ୟ ଶିଖନ୍ତୁ। ଏହା ଆମକୁ ଏକ ପରିଚୟ ଦେଇଥାଏ।’’ ସ୍କୁଲର ମଧ୍ୟାହ୍ନ ଭୋଜନ ଯୋଜନା ମଧ୍ୟ ଏକ ନିଷ୍ପତ୍ତିକାରକ। ସେମାନଙ୍କର ସାନ ଝିଅ ୪ବର୍ଷ ବୟସ୍କ ଯମୁନା ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଏ।
ଦେବଗୁରୁମାନଙ୍କ ଧାନ କଳା ପରମ୍ପରା କିନ୍ତୁ କ୍ରମଶଃ ଫିକା ପଡୁଛି। କାନ୍ତି କୁହନ୍ତି ଏହା ସରକାରଙ୍କ ସହଯୋଗ ଆବଶ୍ୟକ କରେ। ବ୍ୟାଙ୍କ ଋଣ ଏବଂ ଗ୍ରାମୀଣ ଆବାସ ସହ ସମ୍ପର୍କିତ ଯୋଜନାଗୁଡ଼ିକ ସେମାନଙ୍କଠାରୁ ଦୂରରେ ଅଛି। କାନ୍ତି କୁହନ୍ତି, ‘‘ସରକାର ଆମକୁ କଳାକାର ପରିଚୟ ପତ୍ର ଦେଇଛନ୍ତି, କିନ୍ତୁ ଏହି କାର୍ଡଗୁଡ଼ିକର କ’ଣ ଉପଯୋଗ, ଯଦି କୌଣ ସି ସହଯୋଗ ନାହିଁ ?’’
ଏହି ସମ୍ବାଦଦାତା ଖରିଆରରେ ଥିବା ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡାଙ୍କୁ ଏହି କାହାଣୀ ପାଇଁ ତାଙ୍କର ସହଯୋଗ ନିମନ୍ତେ ଧନ୍ୟବାଦ ଦେବାକୁ ଚାହାଁନ୍ତି।
ଏହି ପ୍ରବନ୍ଧର ଏକ ସଂସ୍କରଣ ପ୍ରେସ୍ଇନଷ୍ଟିଚ୍ୟୁଟ୍ଅଫ୍ଇଣ୍ଡିଆ ଦ୍ୱାରା ଇସ୍ୟୁ ଅଫ୍ଗ୍ରାସରୁଟ୍ରେ ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍