“ସମସ୍ତ ୩୨ଟି ୟୁନିୟନ ପକ୍ଷରୁ (ଯୁବକମାନଙ୍କୁ) ଅନୁରୋଧ କରାଯାଉଛି ଯେ ସେମାନେ କୌଣସି କ୍ଷତି ନକରନ୍ତୁ। କେହି କାହାର କ୍ଷତି କରିବେ ନାହିଁ। କେହି ଝଗଡ଼ା କରିବେ ନାହିଁ। କେହି ମଧ୍ୟ ଆମର ଏହି ସଂଘର୍ଷକୁ ପଣ୍ଡ କରିବେ ନାହିଁ”, ଏପରି ଏକ ଅପିଲ ଶୁଣିବାକୁ ମିଳିଲା। “ସମସ୍ତେ ଦିଲ୍ଲୀ ପୋଲିସ ପକ୍ଷରୁ ଆମକୁ ଦିଆଯାଇଥିବା ନିର୍ଦ୍ଧାରିତ ମାର୍ଗରେ ଚାଲିବେ। ଆମେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବୁ ଯାହାକୁ ସାରା ଦୁନିଆ ଦେଖିବ”, ନେତା ଜଣକ ଟ୍ରାକ୍ଟର ଉପରେ ରଖାଯାଇଥିବା ଲାଉଡସ୍ପିକର ଜରିଆରେ କହିଥିଲେ।
ଏହା ୨୬ ଜାନୁଆରୀ ସକାଳ ୯ ଟା ୪୫ ପାଖାପାଖି ସମୟ ଥିଲା, ଯେତେବେଳେ ଟ୍ରାକ୍ଟରଗୁଡ଼ିକର ଶୋଭାଯାତ୍ରା ମୁଣ୍ଡକା ଇଣ୍ଡଷ୍ଟ୍ରିଆଲ ଏରିୟା ମେଟ୍ରୋ ଷ୍ଟେସନଠାରୁ ଆଗକୁ ବଢ଼ୁଥିଲା, ଏହି ସମୟରେ ଲାଉଡ୍ ସ୍ପିକରରୁ ସ୍ୱର ଶୁଣାଗଲା। ସ୍ୱେଚ୍ଛାସେବୀମାନେ ମାନବ ଶୃଙ୍ଖଳ ତିଆରି କରିବା ଲାଗି ଦ୍ରୁତ ଗତିରେ ଆଗକୁ ବଢ଼ିଲେ ଏବଂ ସମସ୍ତଙ୍କୁ କହିଲେ ଯେ ସେମାନେ ରହିଯାଇ ନେତାମାନଙ୍କର ନିବେଦନ ଶୁଣନ୍ତୁ।
ଏହି ରାଲି ପଶ୍ଚିମ ଦିଲ୍ଲୀର ଟିକିରିରୁ ସକାଳ ୯ଟା ସମୟରେ ଆରମ୍ଭ ହୋଇଥିଲା। ଭିଡ଼ରୁ ‘କିଷାନ ମଜଦୁର ଏକତା ଜିନ୍ଦାବାଦ’ ସ୍ଲୋଗାନ୍ ଶୁଭୁଥିଲା। ଟ୍ରାକ୍ଟର ଶୋଭାଯାତ୍ରା ବ୍ୟତୀତ, ବହୁସଂଖ୍ୟକ ଆନ୍ଦୋଳନକାରୀ ଏବଂ ସ୍ୱେଚ୍ଛାସେବୀ ପଦଯାତ୍ରା କରୁଥିଲେ-କିଛି ଲୋକଙ୍କ ହାତରେ ଜାତୀୟ ପତାକା ରହିଥିଲା, ଏବଂ ଅନ୍ୟମାନେ ନିଜ ନିଜ କୃଷକ ସଂଗଠନର ପତାକା ଧରି ଚାଲିଥିଲେ। “ଆମେ ପାଦରେ ଚାଲି ଚାଲି ଯାଉଥିବା ଲୋକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଟ୍ରାକ୍ଟରରେ ଚଢ଼ିଯାଆନ୍ତୁ କାରଣ ଆମକୁ ଅନେକ ବାଟ ପର୍ଯ୍ୟନ୍ତ ଯିବାକୁ ପଡ଼ିବ”, ଲାଉଡସ୍ପିକରରେ କହୁଥିବା ନେତା ଜଣକ ନିବେଦନ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ପାଦରେ ଚାଲିବା ଜାରି ରଖିଲେ।
ଏହି ଶୋଭାଯାତ୍ରା ସୁଚାରୂ ରୂପରେ ଯେମିତି ହେଉ ଆଗକୁ ବଢ଼ିଚାଲିଥିଲା, ମୁଣ୍ଡକାରେ ରହୁଥିବା ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ବାହାରକୁ ଆସି ରାସ୍ତାକଡ଼ କିମ୍ବା ଡିଭାଇଡର ଉପରେ ଛିଡ଼ା ହୋଇ ସେମାନଙ୍କୁ ଦେଖିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ବହୁ ଲୋକ ନିଜର ଫୋନରେ ଏହି ଅଭୂତପୂର୍ବ ପ୍ୟାରେଡକୁ ରେକର୍ଡ କରିବାକୁ ଲାଗିଥିଲେ, କିଛି ଲୋକ ହାତ ହଲାଉଥିଲେ, ଅନ୍ୟମାନେ ଢୋଲର ତାଳେ ତାଳେ ନାଚୁଥିଲେ।
ମୁଣ୍ଡକା ନିବାସୀମାନଙ୍କ ମଧ୍ୟରେ ୩୨ ବର୍ଷୀୟ ବିଜୟ ରାଣା ମଧ୍ୟ ଥିଲେ। ସେ ନିଜ ଅଞ୍ଚଳ ଦେଇ ଅତିକ୍ରମ କରୁଥିବା କୃଷକମାନଙ୍କ ଉପରେ ଗେଣ୍ଡୁ ଫୁଲ ପକାଉଥିଲେ। “ଯଦି ଫୁଲରେ ରାଜନେତାମାନଙ୍କୁ ସ୍ୱାଗତ କରାଯାଇପାରୁଛି, ତା’ହେଲେ କୃଷକମାନଙ୍କୁ କାହିଁକି ନୁହେଁ?”, ସେ କହିଥିଲେ। ରାଣା ନିଜେ ଜଣେ କୃଷକ, ସେ ମୁଣ୍ଡକା ଗ୍ରାମରେ ଥିବା ନିଜର ୧୦ ଏକର ଜମିରେ ଗହମ, ଧାନ ଓ ଲାଉ ଚାଷ କରିଥାନ୍ତି। “କୃଷକ ସୈନିକମାନଙ୍କ ଠାରୁ କମ୍ ନୁହନ୍ତି”, ସେ କହିଥିଲେ। “ଯଦି ଏ ଦେଶର ସୈନିକମାନେ ସୀମା ଛାଡ଼ିଦେବେ ତା’ହେଲେ ଅନ୍ୟ କେହି ଏ ଦେଶକୁ କବଜା କରି ନେବ। ସେହିପରି କୃଷକମାନଙ୍କ ବିନା ଦେଶ ଭୋକିଲା ରହିବ”।
ଏହି ବିଶାଳ ଟ୍ରାକ୍ଟର ଶୋଭାଯାତ୍ରା -ଭାରତର ୭୨ତମ ଗଣତନ୍ତ୍ର ଦିବସ ଅବସରରେ-୩୨ଟି ଶ୍ରମିକ ସଂଗଠନ ଏବଂ ସଂଗଠନଗୁଡ଼ିକର ମେଣ୍ଟ ଦ୍ୱାରା ଦିଲ୍ଲୀର ତିନୋଟି ପ୍ରମୁଖ ସୀମା-ଟିକ୍ରୀ (ପଶ୍ଚିମରେ), ସିଂଘୁ (ଉତ୍ତର-ପଶ୍ଚିମ) ଏବଂ ଗାଜୀପୁର (ପୂର୍ବରେ)-ରୁ ବାହାର କରିବା ଲାଗି ଆହ୍ୱାନ କରାଯାଇଥିଲା, ଯେଉଁଠି ହଜାର ହଜାର କୃଷକ ୨୬ ନଭେମ୍ବର ୨୦୨୦ଠାରୁ ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ।
ଗଣତନ୍ତ୍ର ଦିବସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଟିକରିରୁ ପାଖାପାଖି ୭,୦୦୦ ଟ୍ରାକ୍ଟର ଚାଲିବାର ସମ୍ଭାବନା ରହିଛି। ଭାରତୀୟ କିଷାନ ୟୁନିଅନ (ଏକତା ଉଗରାହାଁ)ର ଗଣମାଧ୍ୟମ ସଂଯୋଜକ, ସିଂଘାରା ସିଂହ ମାନ ମୋତେ କହିଥିଲେ ଯେ ଟିକରିରୁ ବାହାରିବାକୁ ଥିବା ପ୍ୟାରେଡରେ ସେମାନଙ୍କ ସଂଗଠନରୁ ଅତିକମରେ ୬,୦୦୦ ଟ୍ରାକ୍ଟର ଅଂଶଗ୍ରହଣ କରିଥିଲେ। ଅନ୍ୟପଟେ ପଞ୍ଜାବ କିଷାନ ୟୁନିଅନର ରାଜ୍ୟ ସମିତି ସଦସ୍ୟ, ସୁଖଦର୍ଶନ ସିଂହ ନଟ୍ଟ ମୋତେ କହିଥିଲେ ଯେ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଟ୍ରାକ୍ଟରଗୁଡ଼ିକର ସଂଖ୍ୟା ବିଷୟରେ କେହି ଆକଳନ କରିପାରିବେ ନାହିଁ। ସେ କହିଥିଲେ ଯେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା। ସେ ଆଗକୁ ମଧ୍ୟ କହିଥିଲେ ଯେ ସକାଳ ପାଖାପାଖି ୮ଟା ୪୫ ସମୟରେ ତାଙ୍କ ସଂଗଠନର ସମସ୍ତ ଟ୍ରାକ୍ଟର ଟିକରୀରେ ଛିଡ଼ା ହୋଇଥିଲା। ଆହୁରି ଯେତେବେଳେ ଶେଷ କେତୋଟି ଟ୍ରାକ୍ଟର ଫେରିଆସିଥିଲେ, ସେତେବେଳକୁ ସନ୍ଧ୍ୟା ୬ଟା ବାଜି ସାରିଥିଲା। ସେଥିପାଇଁ ସେଗୁଡ଼ିକୁ କେହି ଗଣତି କରିପାରିନଥାନ୍ତେ।
ଦିଲ୍ଲୀ ପୋଲିସ ଟିକରୀରେ ଆନ୍ଦୋଳନ କରୁଥିବା ନାଙ୍ଗଲୋଇ, ନଜଫଗଡ଼, ଝରୋଦାକଲାଁ, କେଏମପି ଏକ୍ସପ୍ରେସୱେ (ଦିଲ୍ଲୀର ପଶ୍ଚିମ ପରିଧିରେ) ଦେଇ ଅତିକ୍ରମ କରି ଏକ ଗୋଲାକାର ମାର୍ଗ ସୃଷ୍ଟି କରିଥିଲା, ଏବଂ ଏହାପରେ ପୁଣି ସେମାନଙ୍କୁ ଏହି ରାସ୍ତା ଦେଇ ଟିକରୀ ଫେରିବାର ଥିଲା-ଯାହାକି ମୋଟ ୬୪ କିଲୋମିଟର ରାସ୍ତା ଥିଲା। ପ୍ରାରମ୍ଭରେ, ଦିଲ୍ଲୀ ପୋଲିସ ଦ୍ୱାରା ଟିକରି, ସିଂଘୁ ଏବଂ ଗାଜିପୁରରୁ ଆରମ୍ଭ ହେଉଥିବା ଶୋଭାଯାତ୍ରା ପାଇଁ ଦୁଇଟି ମାର୍ଗ ଚୟନ କରାଯାଇଥିଲା। ତେବେ, ଶିଙ୍ଘାରା ସିଂ ମାନ ଅନୌପଚାରିକ ଭାବେ କହିଥିଲେ ଯେ ପୋଲିସ ଏବଂ ୟୁନିଅନ ନେତାଙ୍କ ମଧ୍ୟରେ ନଅଟି ମାର୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ନିଷ୍ପତ୍ତି ନିଆଯାଇଥିଲା।
କିନ୍ତୁ ଅପରାହ୍ଣ ବେଳକୁ, ନାଙ୍ଗଲୋଇ ଚୌକରେ, ଫ୍ଲାଇଓଭରର ଠିକ ତଳେ ସମ୍ପୂର୍ଣ୍ଣ ଭାବେ ଭ୍ରମର ସ୍ଥିତି ସୃଷ୍ଟି ହେଲା। ପୂର୍ବରୁ ନିର୍ଦ୍ଧାରିତ ମାର୍ଗ ଦ୍ୱାରା ନଜଫଗଡ଼ ଯିବା ଲାଗି ଡାହାଣ ଆଡ଼କୁ ମୋଡ଼ିବା ବଦଳରେ କିଛି ବ୍ୟକ୍ତି ଓ କୃଷକମାନଙ୍କର ଛୋଟ ଛୋଟ ସମୂହ ସିଧାସଳଖ ପୀରାଗଢ଼ି ଚୌକ ଆଡ଼କୁ ଯିବା ଲାଗି ପ୍ରୟାସ କଲେ, ଯାହାଫଳରେ ସେମାନେ ସେଠାରୁ ମଧ୍ୟ ଦିଲ୍ଲୀକୁ ଯାଇପାରିବେ। ସ୍ୱେଚ୍ଛାସେବୀ ଏବଂ ସଂଯୋଜକମାନେ ଡାହାଣ ଆଡ଼କୁ ବୁଲି ନଜଫଗଡ଼ ଆଡ଼କୁ ଯାଇଥିବା ମାର୍ଗରେ ଯିବା ଲାଗି ଶୋଭାଯାତ୍ରାକୁ ମାର୍ଗଦର୍ଶନ କରିବା ଜାରି ରଖିଥିଲେ।
ପାଖାପାଖି ୨୦ ମିନିଟ୍ ପରେ, ଟ୍ରାକ୍ଟରରେ ସବାର ହୋଇଥିବା କୃଷକମାନଙ୍କର ଏକ ଦଳ, ଏହି ଟ୍ରାକ୍ଟରରେ ବସିଥିବା କିଛି ଲୋକ ଚିତ୍କାର କରିବା-ଚିଲ୍ଲାଇବା ସମୟରେ, ନାଙ୍ଗଲୋଇ ଚୌକରେ ତିଆରି ହୋଇଥିବା ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକମାନେ ନିଜ ଛାତ ଉପରୁ ଏହି ବିଶୃଙ୍ଖଳା ଦେଖିଲେ, ଅନେକ ଲୋକ ଏହାକୁ ଦେଖିବା ଲାଗି ରାସ୍ତା ଉପରକୁ ଚାଲି ଆସିଲେ। ପୋଲିସ ଘୋଷଣା କରିଚାଲିଥିଲା ଯେ ସେମାନେ ଉପଦ୍ରବୀମାନଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ପୋଲିସ ସ୍ଥିତିକୁ ରେକର୍ଡ କରିବା ଲାଗି ଡ୍ରୋନ ମଧ୍ୟ ନିୟୋଜିତ କଲା।
ବିଶୃଙ୍ଖଳା ମଧ୍ୟରେ, ଦିଲ୍ଲୀର ଗୁରଦିୟାଲ ସିଂ, ଜଣେ ସ୍ୱେଚ୍ଛାସେବୀ, ନାଙ୍ଗଲୋଇ ଚୌକର ଗୋଟିଏ କୋଣରେ ତିଆରି ହୋଇଥିବା ମଞ୍ଚ ଉପରକୁ ଉଠିଲେ ଏବଂ ପୁଣିଥରେ ସମସ୍ତଙ୍କୁ ନଜଫଗଡ଼ ଯାଇଥିବା ସଡ଼କ ଆଡ଼କୁ ଡାହାଣ ଦିଗରେ ବୁଲିବା ଲାଗି ଅନୁରୋଧ କରିଥିଲେ। “ଯଦି ଆମେ ଚାହୁଁଛୁ ଯେ ଆମର ଦାବି ପୂରଣ ହେଉ, ତା’ହେଲେ ଆମକୁ ସଠିକ ମାର୍ଗ (ଦିଲ୍ଲୀ ପୋଲିସ ଦ୍ୱାରା ନିର୍ଦ୍ଧାରିତ ମାର୍ଗକୁ ଅନୁସରଣ କରନ୍ତୁ) ଯିବାକୁ ହେବ। ମୁଁ ସମସ୍ତଙ୍କୁ ଶାନ୍ତି ଓ ପ୍ରେମପୂର୍ବକ ଏହି ଶୋଭାଯାତ୍ରାକୁ ଆଗେଇ ନେବା ଲାଗି ଅନୁରୋଧ କରୁଛି”, ସେ କହିଥିଲେ।
“ଶୋଭାଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ଅନେକ ଲୋକ ପଡ଼ୋଶୀ ଅଞ୍ଚଳରୁ ମଧ୍ୟ ସାମିଲ ହୋଇଥିଲେ। ଆମେ ସମସ୍ତେ ଲୋକମାନଙ୍କୁ ନିର୍ଦ୍ଧାରିତ ମାର୍ଗର ଅନୁସରଣ କରିବା ଏବଂ ଶୃଙ୍ଖଳା ବଜାୟ ରଖିବା ଲାଗି ଲଗାତର ଅନୁରୋଧ କରୁଥିଲୁ। କିନ୍ତୁ ସମସ୍ତଙ୍କ ଉପରେ ନଜର ରଖିବା କଷ୍ଟକର ଥିଲା”, ଯଶବୀର କୌର ନଟ୍ଟ ମୋ ସହିତ କଥା ହେବା ବେଳେ କହିଥିଲେ। ସେ ପଞ୍ଜାବ କିଷାନ ୟୁନିୟନର ରାଜ୍ୟ ସମିତିର ସଦସ୍ୟ ଏବଂ ଟିକରି କ୍ୟାମ୍ପ କରୁଥିବା ଲୋକମାନଙ୍କ ମଧ୍ୟରେ ସାମିଲ ଥିଲେ।
ନାଙ୍ଗଲୋଇ ଚୌକରେ ମଧ୍ୟାହ୍ନ ସମୟରେ ବ୍ୟାଘାତ ସତ୍ତ୍ୱେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମୂଳ ମାର୍ଗରେ ଆଗକୁ ବଢ଼ୁଥିଲା। ଏହି ଶୋଭାଯାତ୍ରାରେ ପଞ୍ଜାବ କିଷାନ ୟୁନିୟନ, ଅଖିଳ ଭାରତୀୟ କିଷାନ ସଭା ଏବଂ ଭାରତୀୟ କିଷାନ ୟୁନିୟନ ଆଦିର କୃଷକମାନଙ୍କର ଟ୍ରାକ୍ଟର ସାମିଲ ହୋଇଥିଲା। ଭାରତୀୟ କିଷାନ ୟୁନିୟନ (ଏକତା ଉଗରାହାଁ)ର ଆଉ ଏକ ଦଳ ନଜଫଗଡ଼ ରୋଡରେ, ବିପରୀତ ଦିଗରୁ ଆସି ସେଥିରେ ସାମିଲ ହୋଇଥିଲା। ସେମାନେ କେଏମପି ଏକ୍ସପ୍ରେସୱେ ମାର୍ଗ ଚୟନ କରିଥିଲେ (ନିର୍ଦ୍ଧାରିତ ମାର୍ଗ ଗୋଲାକାର ଅଟେ-ଟିକରୀରୁ କୌଣସି ବ୍ୟକ୍ତି ନାଙ୍ଗାଲୋଇ ମାର୍ଗ ଧରିପାରିବେ କିମ୍ବା କେଏମପି ରାସ୍ତା ଧରିପାରିବେ, ଉଭୟ ରାସ୍ତା ଆଗକୁ ଯାଇ ଗୋଟିଏ ବିନ୍ଦୁରେ ଏକତ୍ରିତ ହେବେ)
ଟ୍ରାକ୍ଟରରେ ସବାର ହୋଇ ନାଙ୍ଗଲୋଇ-ନଜଫଗଡ଼ ରୋଡ ଦେଇ ଅତିକ୍ରମ କରୁଥିବା ଲୋକମାନଙ୍କ ମଧ୍ୟରେ ହରିୟାଣାର ହିସାର ଜିଲ୍ଲାର ସୁରେବାଲା ଗ୍ରାମର ୩୫ ବର୍ଷୀୟା ପୁନମ ମଧ୍ୟ ସାମିଲ ଅଛନ୍ତି। ସେ ଜାନୁଆରୀ ୧୮ ତାରିଖରେ ତାଙ୍କର ପରିବାର ସହିତ ଆସିଥିଲେ। ସେବେଠାରୁ ବାହାଦୁରଗଡ଼ (ଟିକରି ସୀମା ନିକଟରେ) ଛିଡ଼ା ହୋଇ ନିଜର ଟ୍ରଲିରେ ରହିଥିଲେ। ପୁନମ ଜଣେ ଗୃହିଣୀ, ଯିଏକି କହିଥିଲେ ଯେ ସେ ଏହି ପ୍ୟାରେଡରେ ଭାଗ ନେବା ଲାଗି ହିଁ ଟ୍ରାକ୍ଟର ଚଳାଇବା ଶିଖିଥିଲେ।
“ରାଜପଥରେ, ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସ ଅବସରରେ, କୃଷିକ୍ଷେତ୍ରରେ କାମ କରୁଥିବା କୃଷକଙ୍କ ସମ୍ପର୍କରେ ନାଟକ ପ୍ରଦର୍ଶିତ ହୋଇଥାଏ। କିନ୍ତୁ ଏହା ବାସ୍ତବ ଅଟେ। ଏହି ଶୋଭାଯାତ୍ରା ମାଧ୍ୟମରେ କୃଷକମାନେ ବାସ୍ତବରେ ଏହା ଦର୍ଶାଉଥିଲେ ଯେ ସେମାନେ ଦେଶକୁ ଭୋଜନ ପ୍ରଦାନ କରିଥାନ୍ତି”, ସେ କହିଥିଲେ। “ଯେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ, ମୁଁ ଏଠାରେ ରହିବି। ଯଦି ଏଥିରେ ସମସ୍ତେ ସାମିଲ ହେବେ, ତା’ହେଲେ ଏହା ସଠିକ ଏବଂ ପ୍ରଶଂସନୀୟ କାମ ହେବ।”
ଅନ୍ୟ ଟ୍ରାକ୍ଟରଗୁଡ଼ିକୁ ଅଧିକାଂଶ ପୁରୁଷ ଚଳାଉଥିବା ବେଳେ ମହିଳାମାନେ ଟ୍ରଲିରେ ବସିଥିଲେ। “ଆମେ ଏହା ଦର୍ଶାଇବାକୁ ଚାହୁଁ ଯେ ଆମେ ଆତଙ୍କବାଦୀ ନୋହୁଁ। ଆମେ ମୋଦୀ ସରକାରଙ୍କୁ ଦେଖାଇବାକୁ ଚାହୁଁ ଯେ ଆମର ଏକତାକୁ କେହି ଭାଙ୍ଗି ପାରିବେ ନାହିଁ”, ପଞ୍ଜାବର ସଙ୍ଗରୁର ଜିଲ୍ଲା ମେହଲାନ ଗ୍ରାମର ଯଶବିନ୍ଦର କୌର କହିଥିଲେ, ଯିଏକି ସେହି ଟ୍ରଲିଗୁଡ଼ିକ ମଧ୍ୟରୁ ଗୋଟିଏରେ ବସିଥିଲେ। “ଆମେ ଏହି କଳା କୃଷି ଆଇନକୁ ବିରୋଧ କରିବା ଲାଗି ଏଠାକୁ ଆସିଛୁ। ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର କରାଯିବ ନାହିଁ, ଆମେ ଫେରିବୁ ନାହିଁ। ଆମେ ଶାନ୍ତିପୂର୍ଣ୍ଣ ଭାବେ ନିଜର ବିରୋଧ ପ୍ରଦର୍ଶନ ଜାରି ରଖିବୁ ଏବଂ କୌଣସି କ୍ଷତି କରିବୁ ନାହିଁ।”
ସେ ଓ ଅନ୍ୟ କୃଷକମାନେ ଯେଉଁ କୃଷି ଆଇନଗୁଡ଼ିକୁ ବିରୋଧ କରୁଥିଲେ, ସେଗୁଡ଼ିକୁ ସର୍ବପ୍ରଥମେ, ୫ ଜୁନ, ୨୦୨୦ରେ ଅଧ୍ୟାଦେଶ ଆକାରରେ ପାରିତ କରାଯାଇଥିଲା, ଏହାପରେ ୧୪ ସେପ୍ଟେମ୍ବରରେ କୃଷି ବିଲ୍ ଭାବେ ଉପସ୍ଥାପନ କରାଯାଇଥିଲା। ପରେ ସେହି ମାସର ୨୦ ତାରିଖ ହିଁ ବର୍ତ୍ତମାନର ସରକାର ଅତି ତରବରିଆ ଭାବେ ଏହାକୁ ଆଇନରେ ପରିଣତ କରି ଦେଇଥିଲେ। ଏହି ତିନୋଟି ଆଇନ ହେଉଛି କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସରଳୀକରଣ) ଆଇନ, ୨୦୨୦ ; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ଉପରେ ଚୁକ୍ତି ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦
କୃଷକମାନେ ଏହି ଆଇନଗୁଡ଼ିକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହିସବୁ ଆଇନ ବଡ଼ କର୍ପୋରେଟଗୁଡ଼ିକୁ କୃଷକ ଏବଂ କୃଷି ଉପରେ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ଆଧାରଗୁଡ଼ିକୁ ଦୁର୍ବଳ କରିଦେବ। ଏହି ଆଇନକୁ ଏଥିପାଇଁ ମଧ୍ୟ ସମାଲୋଚନା କରାଯାଉଛି ଯେ ଏହା ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକମାନଙ୍କର ଆଇନଗତ ପଦକ୍ଷେପ ନେବାର ଅଧିକାରକୁ ଅକ୍ଷମ କରିଦେବ।
ଯଶବିନ୍ଦର କୌର ନଭେମ୍ବର ୨୬ ତାରିଖ ଠାରୁ ଟିକରିରେ ଅଛନ୍ତି ଏବଂ ସେଠାରୁ କେବଳ ଦୁଇ ଥର ମେହଲାନ ଗ୍ରାମରେ ଥିବା ନିଜ ଘରକୁ ଫେରିଛନ୍ତି। “ମୁଁ ଗତବର୍ଷ ଅଗଷ୍ଟ ମାସରୁ ଆନ୍ଦୋଳନ ଚଳାଇଛି। ପ୍ରଥମେ ମୁଁ ମୋ ଗାଁରେ ଆନ୍ଦୋଳନ କରିଥିଲି। ଏହାପରେ ଆମେ ଆନ୍ଦୋଳନ କରିବା ଲାଗି ୫ ଦିନ ପାଇଁ ପଟିଆଲା ଜିଲ୍ଲାକୁ ଯାଇଥିଲୁ”, ସେ କହିଥିଲେ। “ଯେତେବେଳେ କୌଣସି ମା’ର ପୁଅ ଏମିତି ଥଣ୍ଡାରେ ବସି ଆନ୍ଦୋଳନ କରୁଛି, ତା’ର ମା’ କିପରି ଭାବେ ଘର ଭିତରେ ବସିପାରିବ?” ସେ ପ୍ରଧାନ ବିଚାରପତି (୧୧ଜାନୁଆରୀରେ)ଙ୍କ ମନ୍ତବ୍ୟ-ମହିଳା, ଶିଶୁ ଓ ବୟସ୍କଙ୍କୁ ଏପରି ଶୀତ ଏବଂ କୋଭିଡ-୧୯ କାରଣରୁ ଆନ୍ଦୋଳନସ୍ଥଳୀରୁ ଫେରି ଯିବା ଲାଗି ‘ରାଜି’ କରାଇବା ଉଚିତ- ଆଡ଼କୁ ଇସାର କରି ପଚାରିଲେ।
ଅନ୍ୟପଟେ ସଙ୍ଗରୁରରେ, ସେମାନଙ୍କ ପରିବାରର ସାତ ଏକର ଜମିରେ ମୁଖ୍ୟତଃ ଗହମ ଓ ଧାନ ଚାଷ କରିଥାନ୍ତି। “ଆମେ ଅନେକ (ଅନ୍ୟ) ଫସଲ ମଧ୍ୟ ଚାଷ କରିପାରିବୁ”, ସେ କହିଥିଲେ। “କିନ୍ତୁ ଏମଏସପି ଦର କେବଳ ଗହମ ଏବଂ ଧାନ ପାଇଁ ନିର୍ଦ୍ଧାରିତ ହୋଇଛି”। ସେଥିପାଇଁ ଆମେ ଅନ୍ୟ ଫସଲ ଉତ୍ପାଦନ କରିନଥାଉ।” ସେ ମନେ ପକାଇ କହିଥିଲେ ଯେ ତାଙ୍କ ପରିବାର ଥରେ ମଟର ଚାଷ କରିଥିଲା। “ଆମେ ସେହି ମଟର କିଲୋପ୍ରତି ୨ ଟଙ୍କାରେ ବିକ୍ରି କଲୁ। ଏହାପରେ ଆମେ କେବେ ବି ଧାନ ଓ ଗହମ ଛଡ଼ା ଅନ୍ୟ କୌଣସି ଫସଲ ଚାଷ କରିନାହୁଁ। କିନ୍ତୁ ଯଦି ସରକାର ଏହା ଉପରେ ମଧ୍ୟ ଏମଏସପି ଗ୍ୟାରେଣ୍ଟି ଦେବେ ନାହିଁ, ତା’ହେଲେ ଆମେ କୁଆଡ଼େ ଯିବୁ?”
ସେହି ଟ୍ରଲିରେ ୨୪ ବର୍ଷୀୟ ସୁଖବୀର ସିଂ ମଧ୍ୟ ଥିଲେ, ଯିଏକି ମେହଲାନ ଗ୍ରାମରୁ ହିଁ ଆସିଥିଲେ, ଯେଉଁଠି ତାଙ୍କ ପରିବାରର ୬ ଏକର ଜମି ରହିଛି। “ସରକାର କହୁଛନ୍ତି ଯେ ସେ ଏକ କୁଇଣ୍ଟାଲ ମକା ଉପରେ ୧୮୦୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି”, ସେ କହିଥିଲେ। “କିନ୍ତୁ ମୁଁ ଏହାକୁ କୁଇଣ୍ଟାଲ ପ୍ରତି ୬୦୦ ଟଙ୍କାରେ ବିକ୍ରି କରିଛି। ଆମ ଗ୍ରାମରେ ଯେକୌଣସି ବ୍ୟକ୍ତିକୁ ପଚାରିପାରିବେ ଯଦି କେହି ଏହି ଦର ଠାରୁ ଅଧିକରେ ବିକ୍ରି କରିଥିବେ। ଆମର ସ୍ଥିତି ଏହିପରି। ଯଦି ସରକାର ଏମଏସପି ବିଷୟରେ କୌଣସି ଗ୍ୟାରେଣ୍ଟି ଦେବେ ନାହିଁ ତା’ହେଲେ କ’ଣ ହେବ? ସେଥିପାଇଁ ଆମେ ନିଜର ଅଧିକାର ଦାବିରେ ରାସ୍ତାକୁ ଓହ୍ଲାଇଛୁ।”
ଯେତେବେଳେ ମୁଁ ଯଶବିନ୍ଦର ଓ ସୁଖବୀରଙ୍କ ସହିତ କଥା ହେଉଥିଲି-ଉଭୟ ଭାରତୀୟ କିଷାନ ୟୁନିଅନ (ଏକତା ଉଗରାହାଁ)ର ସଦସ୍ୟ ଅଟନ୍ତି-ଅନ୍ୟ ଟ୍ରାକ୍ଟରରେ କେହି ତାଙ୍କୁ ଏହା କହିବା ଲାଗି ଆସିଥିଲେ ଯେ ସେମାନଙ୍କ ୟୁନିଅନର ନେତା ସମସ୍ତଙ୍କୁ ଫେରିଯିବା ଲାଗି କହୁଛନ୍ତି।
ଯେପରି ମୁଁ ଆଶା କରିଥିଲି, ଅପରାହ୍ଣ ପାଖାପାଖି ୨ଟା ୩୦ ମିନିଟ୍ ସମୟରେ ସେମାନଙ୍କର ଟ୍ରଲି ଶିବିର ଆଡ଼କୁ ଫେରିବା ଲାଗି ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଝରୋଦା କଲାଁ ବସ୍ତି ପାଖରେ ୟୁ-ଟର୍ଣ୍ଣ ନେଲା-ଏହି ବସ୍ତି ନାଙ୍ଗଲୋଇ-ନଜଫଗଡ଼ ରାସ୍ତା ଠାରୁ ପାଖାପାଖି ୧୧କିଲୋମିଟର ଦୂର। ଯେତେବେଳକୁ ଏହି ଶୋଭାଯାତ୍ରା ଟିକରି ଠାରୁ ପାଖାପାଖି ୨୭ କିମି ଦୂର ଅତିକ୍ରମ କରିସାରିଥିଲା।
ପାଖାପାଖି ମଧ୍ୟାହ୍ନରେ ମୁଁ ଶୋଭାଯାତ୍ରାରୁ ପୃଥକ ହୋଇସାରିଥିବା ଅତିକମରେ ଚାରିଟି ଟ୍ରାକ୍ଟରକୁ ସେମାନଙ୍କର ନିର୍ଦ୍ଧାରିତ ମାର୍ଗରେ ଆଗକୁ ବଢ଼ୁଥିବାର ଦେଖିଲି। ସେପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କିନ୍ତୁ ଅପରାହ୍ଣ ପାଖାପାଖି ଦୁଇଟା ସମୟରେ ଖବର ମିଳିଲା ଯେ ସିଂଘୁ ଓ ଗାଜିପୁରରେ ପୃଥକ ହୋଇସାରିଥିବା କୃଷକ ଓ କିଛି ଲୋକମାନଙ୍କର ଏକ ସମୂହ ଏବେ ଆଇଟିଓ ଏବଂ ଲାଲକିଲାରେ ପହଞ୍ଚିସାରିଛନ୍ତି, ଏହାପରେ ଟିକରୀରେ ଥିବା ଏକ ସମୂହ ମଧ୍ୟ ଆଗକୁ ବଢ଼ିବା ଓ ଲାଲକିଲା ଆଡ଼କୁ ଯିବା ଉପରେ ଜୋର ଦେଲା। ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଠିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଅପରାହ୍ଣ ପ୍ରାୟ ୪:୩୦ ପର୍ଯ୍ୟନ୍ତ ଏପରି ଜାରି ରହିଲା।
ଭାରତୀୟ କିଷାନ ୟୁନିଅନ (ଏକତା ଉଗରାହାଁ)ର ଯେଉଁ ଟ୍ରାକ୍ଟରଗୁଡ଼ିକ ଏକ୍ସପ୍ରେସୱେ ନିକଟରେ ୪ଟା ପାଖାପାଖି ନାଙ୍ଗଲୋଇ ଚୌକରେ ପହଞ୍ଚିବାର ଥିଲା, ସେଗୁଡ଼ିକ ମଧ୍ୟ ସେମାନଙ୍କ ଶିବିର ଆଡ଼କୁ ଫେରିବା ଲାଗି ନିଷ୍ପତ୍ତି ନେଲେ।
ଝରୋଦା କଲାଁ ବସ୍ତି ପାଖରେ ଟ୍ରାଫିକ କାରଣରୁ ନିଜ ଟ୍ରାକ୍ଟରରେ ଫସିଥିବା ସଙ୍ଗରୁର ଜିଲ୍ଲାର ଶେରପୁର ବ୍ଲକର ୬୫ ବର୍ଷୀୟ କାନନ ସିଂ କହିଥିଲେ, “ଆମେ ଗତ ଦୁଇ ମାସ ଧରି ସଡ଼କରେ ଚାଲିବା ଜାରି ରଖିଛୁ। ଆମେ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଆସିଥିଲୁ। ଏହା ହେଲା ପରେ ଯାଇ ଆମେ ପଞ୍ଜାବ ଫେରିବୁ”।
ରାତି ୮ଟା ସମୟରେ ଆନ୍ଦୋଳନକାରୀ କୃଷକମାନଙ୍କର ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅନ୍ୟ କୃଷକ ନେତାମାନେ ନିଜକୁ ହିଂସା ଠାରୁ ପୃଥକ କରି ନେଇଥିଲେ ଏବଂ ଏପରି ଘଟଣାର କଡ଼ା ଭାଷାରେ ନିନ୍ଦା କରିଥିଲେ। “ଆମେ ସେହି ଅବାଞ୍ଝନୀୟ ଓ ଅସ୍ୱୀକାର୍ଯ୍ୟ ଘଟଣାର ନିନ୍ଦା କରୁଛୁ ଏବଂ ଦୁଃଖ ପ୍ରକାଶ କରିବା ସହିତ ଆଜି ଘଟିଥିବା ଘଟଣାରେ ଲିପ୍ତ ଲୋକମାନଙ୍କ ଠାରୁ ନିଜକୁ ପୃଥକ କରୁଛୁ। ଆମର ସମସ୍ତ ପ୍ରୟାସ ସତ୍ତ୍ୱେ କିଛି ସଂଗଠନ ଏବଂ ବ୍ୟକ୍ତିମାନେ ନିର୍ଦ୍ଧାରିତ ମାର୍ଗର ଉଲ୍ଲଙ୍ଘନ କରିଛନ୍ତି ଏବଂ ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଅସାମାଜିକ ତତ୍ତ୍ୱମାନେ ଅକାରଣରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଅନୁପ୍ରବେଶ କରିଥିଲେ”, ସେମାନେ ଏକ ବୟାନରେ କହିଥିଲେ।
“ଭୁଲ କାମ କରିଥିବା କିଛି ଲୋକଙ୍କ କାରଣରୁ ଆମକୁ ଫେରିବା ଲାଗି କୁହାଯାଇଥିଲା”, ସୁଖବୀର ମୋତେ ପରେ କହିଥିଲେ। “ସେମାନେ ଆମ ଲୋକ ନଥିଲେ। ଆମେ ଏପରି କୌଣସି କାମ କରିବା ଲାଗି ଦିଲ୍ଲୀ ଆସିନଥିଲୁ। ଆମେ କେବଳ ଏହି କଳା ଆଇନକୁ ପ୍ରତ୍ୟାହାର କରିବା ଲାଗି ଆସିଛୁ”।
“ଆସନ୍ତକାଲି ଯଦି ସରକାର ଆଇନ ରଦ୍ଦ କରି ନିଅନ୍ତି, ତା’ହେଲେ ଆମେ ଚାଲିଯିବୁ”, ପଞ୍ଜାବ କିଷାନ ୟୁନିଅନର ରାଜ୍ୟ ସମିତି ସଦସ୍ୟ ଯଶବୀର କୌର ନଟ୍ଟ କହିଥିଲେ। “ତା’ପରେ ଆମେ କାହିଁକି ଏଠାରେ ରହିବୁ? ଆମେ ଏହି କାରଣରୁ –କଳା ଆଇନକୁ ପ୍ରତ୍ୟାହାର କରିବା ଲାଗି-ଏଠାରେ ଆନ୍ଦୋଳନ କରୁଛୁ।
ପ୍ରଚ୍ଛଦ ଫଟୋ : ସତ୍ୟରାଜ ସିଂ
ଅନୁବାଦ - ଓଡ଼ିଶାଲାଇଭ୍