‘‘ବେଳେବେଳେ, ଜଣେ ଜଣେ ମହିଳା ଗୋଟିଏ ପ୍ୟାକେଟ୍‌ କଣ୍ଡୋମ ନେବା ଲାଗି ମୋତେ ଡାକିଥାନ୍ତି କିମ୍ବା ତାଙ୍କ ପରିବାରର କୌଣସି ପୁରୁଷ ସଦସ୍ୟଙ୍କୁ ମୋ ଘରକୁ ପଠାଇଥାନ୍ତି’’, କଳାବତୀ ସୋନୀ କୁହନ୍ତି । ମହିଳାମାନଙ୍କୁ ଜରୁରି ସାମଗ୍ରୀ ଯୋଗାଇ ଦେଇଥିବା ଟିକାରୀ ଗ୍ରାମର ଏହି ୫୪ ବର୍ଷୀୟା ମହିଳା ଡିପୋ ଦିଦି ବିଳମ୍ବିତ ରାତିରେ ଡାକିଲେ ସୁଦ୍ଧା ବିବ୍ରତ ହୁଅନ୍ତି ନାହିଁ । ଉତ୍ତର ପ୍ରଦେଶର ଆମେଥି ଜିଲ୍ଲାରେ ଥିବା ନିଜ ଗାଁର ଏକ ଛୋଟିଆ ଘର ବାରଣ୍ଡାରେ ଖଟିଆ ଉପରେ ବସିଥିବା ବେଳେ ମଜାଳିଆ ଢଙ୍ଗରେ ସେ କହିଥିଲେ, ‘‘ରାତିରେ ସୁଦ୍ଧା ମୁଁ ଖୋଲା ଥାଏ ।’’ ‘‘ ଇତନୀ କୋଇ ବଡ଼ି ବାତ୍ ନହିଁ ହୈ (ଏତେ କୌଣସି ବଡ଼ କଥା ନୁହେଁ),’’ କଳାବତୀ ତାଙ୍କର କାମ ବିଷୟରେ କହିଥିଲେ ।

ଗାଁରେ କାର୍ଯ୍ୟରତ ଏକ ଅଣ-ସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଠାରୁ ‘ଡିପୋ ଦିଦି’ଙ୍କ ବିଷୟରେ ଶୁଣିବା ପରେ ଆମେ କୌତୁହଳବଶତଃ ତାଙ୍କ ଘରେ ଯାଇ ପହଞ୍ଚିଥିଲୁ । ‘‘ଏଇ! ଯାଇ ସେ ବ୍ୟାଗ୍‌ ଆଣ’’, କଳାବତୀ ତାଙ୍କ ନାତିକୁ ଡାକି କହିଥିଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ପିଲାଟି ଦୌଡ଼ି ଯାଇ ଦୁଇ ମହଲା ବିଶିଷ୍ଟ ପକ୍କା ଘର ଭିତରୁ ଭର୍ତ୍ତି ହୋଇଥିବା ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ନେଇ ଆସିଲା । ବ୍ୟାଗ ଭିତରେ କିଛି କଣ୍ଡୋମ, ସାନିଟାରୀ ନାପକିନ, ଗର୍ଭନିରୋଧକ ବଟିକା, ଓଆରଏସ ପ୍ୟାକେଟ୍‌ ଆଦି ରହିଥିଲା । ସେଗୁଡ଼ିକୁ ପ୍ରଦର୍ଶନୀ କଲା ଭଳି ସେ ଖଟିଆ ଉପରେ ବିଛାଇ ରଖିଦେଲେ।

‘‘ ଇତନୀ କୋଇ ବଡ଼ି ବାତ୍ ନହିଁ ହୈ,’’ ସେ ଜୋର ଦେଇ କହିଥିଲେ । ‘‘ପ୍ରଥମେ ମୁଁ ପରିବାରର ଛୋଟ ଛୋଟ କଥା ବିଷୟରେ ଆଲୋଚନା କରିଥାଏ । ଆମେ ଘରର ପରିସ୍ଥିତି, ଶାଶୂଙ୍କ ସମ୍ପର୍କରେ ଅଭିଯୋଗ, ପିଲାମାନଙ୍କ ବିଷୟରେ କିଛି କଥା ଆଲୋଚନା କରିଥାଉ । ମୁଁ ଧୈର୍ଯ୍ୟର ସହ ସବୁ ଶୁଣିଥାଏ । ଧୀରେ ଧୀରେ, ଏହି ଆଲୋଚନା ଆଗକୁ ବଢ଼ିଥାଏ – ମୁଁ ବେଶୀ ଟିକେ ଗପୁଡ଼ି, ଆପଣ ଦେଖନ୍ତୁ ନା – କଥାବାର୍ତ୍ତାରୁ ସବୁ ମହିଳା ପ୍ରାୟ ସମାନ ସମସ୍ୟାର ସମ୍ମୁଖିନ ହେଉଥିବା ମୁଁ ହୃଦୟଙ୍ଗମ କରିପାରିଥିଲି । ତା’ହେଲେ ଜଣେ କାହିଁକି ଅନ୍ୟ ଜଣଙ୍କୁ ସାହାଯ୍ୟ କରିବ ନାହିଁ? ଏତିକି ତ’ କଥା’’, କଳାବତୀ କହିଥିଲେ । ଏମିତି ଭାବେ ସେ ଟିକାରୀର ‘ଡିପୋ ଦିଦି’ ହୋଇଥିବା କହିଥିଲେ ।

ଜରୁରି ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇ ଦେବା ସହିତ ଉନ୍ନତ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେଉଥିବା ଜନସମୁଦାୟର ମହିଳାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଡିପୋ ହୋଲ୍ଡର’ ବା ଡିପୋଧାରୀ ଉପନାମରେ ସମ୍ବୋଧନ କରାଯାଇଥାଏ । କିନ୍ତୁ କଳାବତୀ ଜଣେ ଅଙ୍ଗନବାଡ଼ି କର୍ମୀ କିମ୍ବା ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ନୁହନ୍ତି, ଯେଉଁମାନେ କି ଔପଚାରିକ ଭାବେ ଗାଁରେ ଡିପୋ ହୋଲ୍ଡର ଭାବେ କାର୍ଯ୍ୟ କରିଥାନ୍ତି । ସେ ଝୋଲାଛାପ (ବିନା ଲାଇସେନ୍ସଧାରୀ ଚିକିତ୍ସକ) ମଧ୍ୟ ନୁହନ୍ତି । ମହିଳାଙ୍କ ମୌଳିକ ପ୍ରଜନନ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପାଇଁ ସବୁ ଦରକାରୀ ଜିନିଷ ସେ ମହଜୁଦ କରି ରଖିଥାନ୍ତି । ତା’ଛଡ଼ା ମହିଳାମାନଙ୍କର ଯୌନ ଏବଂ ପ୍ରଜନନ ସମସ୍ୟା ବିଷୟରେ ସେମାନଙ୍କ ସହିତ ସେ ଆଲୋଚନା କରିଥାନ୍ତି ।

Kalavati Soni, wearing the floral printed sari, with ASHA worker Vinita Soni to her right
PHOTO • Anubha Bhonsle
Some of the typical items that an ASHA carries to distribute – condoms, contraceptive pills, ORS sachets, iron supplements – are also found in Kalavati's bag
PHOTO • Anubha Bhonsle

ବାମ: ଏକ ଫୁଲ ପକା ଶାଢ଼ି ପିନ୍ଧି କଳାବତୀ ସୋନୀ ଛିଡ଼ା ହୋଇଛନ୍ତି, ତାଙ୍କ ଡାହାଣ ପାଖରେ ଅଛନ୍ତି ଆଶା କର୍ମୀ ବିନିତା ସୋନୀ । ଡାହାଣ: ଆଶାମାନେ ସାଧାରଣତଃ ବିତରଣ କରୁଥିବା କେତେକ ସାମଗ୍ରୀ – କଣ୍ଡୋମ, ଗର୍ଭନିରୋଧକ ବଟିକା, ଓଆରଏସ ପ୍ୟାକେଟ, ଆଇରନ ବଟିକା – ଆଦି କଳାବତୀଙ୍କ ବ୍ୟାଗରେ ରହିଥାଏ

‘‘ଏହି ୧୫ ବର୍ଷ ମଧ୍ୟରେ (ଏହି କାମରେ) ଆଶା କର୍ମୀମାନେ କଠିନ ପରିଶ୍ରମ କରି ଥକି ଯାଉଥିବା ମୁଁ ଦେଖିଛି । ମୋର ମନେ ଅଛି ଜଣେ ଆଶା କର୍ମୀ ଥରେ ଜଣେ ଗର୍ଭବତୀ ମହିଳାଙ୍କୁ ଭେଟି ଆଇରନ ବଟିକା ଦେଇପାରିନଥିଲେ । ମୁଁ ତାଙ୍କୁ ମୋ ପାଖରେ ବଟିକା ରଖି ଦେଇ ଯିବାକୁ କହିଲି । ମୁଁ ତାଙ୍କୁ କହିଲି ଯେ, ମହିଳା ଜଣଙ୍କ ଯେମିତି ସଠିକ ମାତ୍ରାରେ ବଟିକା ସେବନ କରିବେ ତାହା ମୁଁ ସୁନିଶ୍ଚିତ କରିବି। ଏମିତି ହିଁ ମୋର ସବୁ କାମ ଆରମ୍ଭ ହୋଇଥିଲା,’’ କଳାବତୀ କହିଥିଲେ । ଗାଁର ମହିଳାମାନଙ୍କୁ କେବେଠାରୁ ସେ ସକ୍ରିୟ ଭାବେ ସହାୟତା କରିବା ଆରମ୍ଭ କଲେ ତାହାର ସଠିକ୍‌ ତାରିଖ ତାଙ୍କର ମନେ ନାହିଁ।

ସେ ନବବିବାହିତା ଏବଂ ପରିବାରର ବୟସ୍କଙ୍କ ସହିତ କାମ କରିଛନ୍ତି, ସବୁ ପିଢ଼ି ସହିତ ତାଙ୍କର ଭଲ ସମ୍ପର୍କ ରହିଛି, ସେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ତରଙ୍ଗ ଶୂନ୍ୟସ୍ଥାନ ପୂରଣ କରିପାରିଛନ୍ତି । ମୋ ମନକୁ କୌତୁହଳୀ ପ୍ରଶ୍ନ ଆସିଥିଲା: ମହିଳାମାନେ କିଭଳି ଭାବେ ସେମାନଙ୍କ ମନର କଥା ଏବଂ ଇଚ୍ଛାପୂରଣ, ଜୀବନସାଥୀ ଓ ପରିବାର ଲୋକଙ୍କ ସହ ସେମାନଙ୍କର ସମ୍ପର୍କ, ଗର୍ଭାବସ୍ଥା କିମ୍ବା ଗର୍ଭନିରୋଧ ବିଷୟରେ ଆଲୋଚନା କରିଥାନ୍ତି? ସେମାନେ ଲାଜ କିମ୍ବା ଦ୍ୱିଧାବୋଧ କରିଥାନ୍ତି କି? ଅଥବା ମୁକ୍ତ ଓ ଖୋଲାଖୋଲି ଭାବେ ଆଲୋଚନା କରନ୍ତି କି? ଏସବୁ ଆଲୋଚନା କେଉଁଠି ହୋଇଥାଏ? କଳାବତୀ କିଭଳି ଭାବେ ସେମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିଥାନ୍ତି, ସେମାନଙ୍କୁ ଶାନ୍ତ୍ୱନା ଦେଇଥାନ୍ତି ଏବଂ ବୋଧହୁଏ ସେମାନଙ୍କ ଶରୀର ସମ୍ପର୍କରେ ଗୋପନୀୟ ତଥ୍ୟ ସଂଗ୍ରହ କରିଥାନ୍ତି?

‘‘ଦଶ ବର୍ଷ ପୂର୍ବରୁ, ଏସବୁ ବିଷୟରେ କଥା ହେବା ପାଇଁ ବେଶ ସମୟ ଓ ପରିଶ୍ରମ କରିଥିଲି ’’, ସେ କହିଥିଲେ । ‘‘ପରିବାରର ବୟସ୍କମାନେ (ମହିଳା ଓ ପୁରୁଷମାନେ) ସନ୍ତାନ ଜନ୍ମ ବ୍ୟବଧାନ, ଜନ୍ମ ନିୟନ୍ତ୍ରଣ ଏବଂ ନାତିନାତୁଣୀଙ୍କ ସମ୍ପର୍କରେ କଥା ହେବା ଲାଗି ସୁଯୋଗ ଦେଉନଥିଲେ। ସେମାନେ କହୁଥିଲେ, ‘ବିଗାଡ଼ନେ ଆ ଗୟି ହମାରି ବହୁ କୋ’ (ଆମ ବୋହୂର ମୁଣ୍ଡ ଖରାପ କରିବାକୁ ଆସିଗଲା) । କିନ୍ତୁ ଏବେ ସମୟ ବଦଳି ଯାଇଛି । ନବବିବାହିତା ବୋହୂମାନେ ଅଧିକ ସଚେତନ, କୌତୁହଳୀ ଏବଂ ସେମାନେ ଚାହିଁଲେ ମୋ ଠାରୁ କଣ୍ଡୋମ ମାଗି ନେଉଛନ୍ତି’’, କଳାବତୀ କହିଥିଲେ । ତାଙ୍କର ଏହି ଅନୌପଚାରିକ ଆଲୋଚନା ମହିଳାମାନଙ୍କ ମଧ୍ୟରେ ପ୍ରଜନନ ଅଧିକାର ସମ୍ବନ୍ଧୀୟ ବାର୍ତ୍ତାକୁ ଜୀବନ୍ତ ରଖିଥାଏ । ଜଣେ ନବବିବାହିତାଙ୍କ ସହିତ ଗୋଟିଏ କପ୍‌ ଚା’ ପିଇବା ସମୟରେ କଳାବତୀ କଥାରେ କଥାରେ ଅନେକ ସୂଚନା ଦେଇଥାନ୍ତି । ‘‘ମୁଁ ସେମାନଙ୍କୁ ସୁସ୍ଥ ଜୀବନଯାପନ ପାଇଁ କହିଥାଏ, ସେମାନେ ପିଲାଙ୍କ ଜନ୍ମରେ ଅତିକମରେ ୩ ବର୍ଷର ବ୍ୟବଧାନ ରଖିବା ଉଚିତ୍‌,’’ ସେ କହିଥିଲେ।

‘‘ଶାଶୁମାନେ ବି ଏବେ ବଦଳିଗଲେଣି,’’ ସେ ହସି ହସି କୁହନ୍ତି । ସେ ତାଙ୍କ ଶାଶୁଙ୍କ କଥା ମଧ୍ୟ ମନେ ପକାଇଥାନ୍ତି, ଯିଏକି ଫେବୃଆରୀ ୨୦୨୦ରେ ଆରପାରିକୁ ଚାଲି ଯାଇଥିଲେ । କଳାବତୀ ଯେତେବେଳେ ଏସବୁ ସାମଗ୍ରୀ ଘରେ ରଖିଲେ, ସେ କଣ୍ଡୋମ ଓ ବଟିକାଗୁଡ଼ିକୁ ଲୁଚାଇ ଦେଉଥିଲେ । ଏମିତି କାମକୁ ତାଙ୍କ ଶାଶୂ ପସନ୍ଦ କରୁନଥିଲେ ଏବଂ ଚାହୁଁଥିଲେ ଯେ ସେ ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ବ୍ୟାପାରରେ ହସ୍ତକ୍ଷେପ ନକରନ୍ତୁ ଏବଂ କାହାକୁ ସନ୍ତାନ ଲାଭ ଯୋଜନା ବିଷୟରେ ପରାମର୍ଶ ନଦିଅନ୍ତୁ । ତେବେ ଜୀବନର ଶେଷ ପର୍ଯ୍ୟାୟରେ ସେ କଳାବତୀଙ୍କୁ ସମର୍ଥନ ଯୋଗାଇ ଦେଇଥିଲେ ।

Kalavati fills an important and intimate space working with young brides and elders in Tikari
PHOTO • Labani Jangi

ଟିକାରୀରେ ନବବିବାହିତା ଏବଂ ବୟସ୍କଙ୍କ ସହିତ କାର୍ଯ୍ୟ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ତରଙ୍ଗ ସୁଯୋଗ ମିଳିଥାଏ ବୋଲି କଳାବତୀ ଅନୁଭବ କରିଥାନ୍ତି

‘‘ସେ ଭାବୁଥିଲେ ଏହା ସମ୍ପୂର୍ଣ୍ଣ ଅଦରକାରୀ, ଏମିତିକି ଭଲ କାମ ନୁହେଁ । ମୁଁ ଯେତେବେଳେ ନୂଆ ବାହା ହୋଇ ଆସିଥିଲି, ମୋର ମଧ୍ୟ କମ୍‌ ଦିନ ଅନ୍ତରାଳରେ ସନ୍ତାନ ହୋଇଥିଲେ – ପ୍ରଥମେ ଯାଆଁଳା ପୁଅ ହୋଇଥିଲେ ଏବଂ ତା’ପରେ ଆଉ ଗୋଟିଏ ଝିଅ ହୋଇଥିଲା । ମୁଁ ଖୁବଶୀଘ୍ର ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିଲି । ଅନେକ ଦିନ ପର୍ଯ୍ୟନ୍ତ ଗର୍ଭଜନିତ ଜଟିଳତା ଏବଂ ଯନ୍ତ୍ରଣା ହୋଇଥିଲା । ମୁଁ ଏଭଳି ପରିସ୍ଥିତିରେ କ’ଣ କରିପାରିବି, ସେ ସମ୍ପର୍କରେ କେହି ଜଣେ ମୋତେ ସାମାନ୍ୟ ଉପଦେଶ କିମ୍ବା ସହାୟତା କରିବେ ବୋଲି ମୁଁ ଆଶା କରୁଥିଲି । ମୁଁ ହତାଶ ଅନୁଭବ କରିଥିଲି ।  ମୁଁ ମୋ ତୃତୀୟ ସନ୍ତାନକୁ ହରାଇଲି ଯାହାକି ମୋତେ ଖୁବ୍‌ ବାଧିଥିଲା,’’ ସେ କହିଥିଲେ । ନିଜର ତିକ୍ତ ଅନୁଭୂତି ବିଷୟରେ ମନେ ପକାଇ ସେ କହିଥିଲେ ଯେ, କେବଳ ଏହି କାରଣରୁ ସେ ମୌଳିକ ପାରିଶ୍ରମିକ ବିନା ମହିଳାମାନଙ୍କୁ ନିଜର ସେବା ଯୋଗାଇ ଦେଉଛନ୍ତି ।  ‘‘ମୁଁ  ଏମିତି ମାର୍ଗରେ ମୋର କାମ କରୁଛି, କାରଣ ମୁଁ ଭାବୁଛି ଯେ ଆମ ସମସ୍ତଙ୍କୁ ଏହାର ଆବଶ୍ୟକତା ରହିଛି, ଯେମିତି ଜଣେ ସହେଲି (ସାଙ୍ଗ)ଙ୍କ ପରାମର୍ଶ ଭଳି’’ । ସେ ଆହୁରି ଆମକୁ ମନେ ପକାଇ ଦେଇଥିଲେ ଯେ, ଆଶା କର୍ମୀଙ୍କ ଭଳି ବିନା ଚାପ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ କରିବାର ଚାପ ତାଙ୍କ ଉପରେ ନଥାଏ ତେଣୁ ସେ ବାଧାମୁକ୍ତ ହୋଇ କାମ କରିଥାନ୍ତି ।

ସମ୍ପୂର୍ଣ୍ଣ ଚିକିତ୍ସା ଦୃଷ୍ଟିକୋଣରୁ ପ୍ରଜନନ ଅଧିକାର କ୍ଷେତ୍ରରେ ବିଶେଷ ଭାବେ କାର୍ଯ୍ୟ କରୁଥିବା ଜନ ସ୍ୱାସ୍ଥ୍ୟ କର୍ମୀ ଏବଂ ଏନଜିଓ କର୍ମଚାରୀଙ୍କ ତୁଳନାରେ ତାଙ୍କର କାମ ଅନୌପଚାରିକ ଭାବେ ପରିଗଣିତ ହୋଇଥାଏ । କିନ୍ତୁ କଳାବତୀ ନିଜ ପାଇଁ ନିର୍ଦ୍ଧାରଣ କରିଥିବା ନିଜ କାର୍ଯ୍ୟର ପରିସୀମାକୁ ଭଲ ଭାବେ ବୁଝିଛନ୍ତି । ‘‘ଯେତେବେଳେ ଜଣେ ମହିଳା ଗର୍ଭଯନ୍ତ୍ରଣାରେ ଥାଆନ୍ତି, କିମ୍ବା ଜରୁରିକାଳୀନ ପରିସ୍ଥିତି ଦେଖା ଦେଇଥାଏ, ସେମାନେ ମୋତେ ଡାକି ନଥାନ୍ତି’’, ସେ କହିଥିଲେ । ଏଭଳି ପରିସ୍ଥିତିରେ ସେମାନେ ଜଣେ ଆଶା କର୍ମୀଙ୍କ ପାଖକୁ କିମ୍ବା ଜନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି ।

ଆଜି, ସେ କଣ୍ଡୋମ, ବଟିକା ଏବଂ ଅନ୍ୟ ଜରୁରି ସାମଗ୍ରୀ ବିତରଣରେ ସହାୟତା କରିବା ଲାଗି ଆଶା କର୍ମୀଙ୍କ ସହିତ କାମ କରୁଛନ୍ତି । ପ୍ରତି ୧୫ ଦିନରେ ଥରେ ସେ ଭେତୁଆ ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି, ଯାହାକି ତାଙ୍କ ଘର ଠାରୁ ଚାଲି ଚାଲି ଗଲେ ୨୫ ମିନିଟର ବାଟ । ସେଠାରୁ ସେ ଗର୍ଭନିରୋଧକ ସାମଗ୍ରୀ ଆଣି ଘରେ ସଂରକ୍ଷିତ ରଖିଥାନ୍ତି । ଗାଁରେ ଯାହାର ଆବଶ୍ୟକ ହୁଏ ତାଙ୍କ ଠାରୁ ମାଗି ନିଅନ୍ତି । ଗାଁର ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ସହଜ ହୋଇନଥିବାରୁ ତାଙ୍କ ପାଖରେ ଥିବା ଏସବୁ ସାମଗ୍ରୀ ବିଶେଷ ସହାୟକ ହୋଇଥାଏ। ଲୋକମାନେ ତାଙ୍କ ପାଖକୁ ଆସି କଣ୍ଡୋମ ଏବଂ ସହେଲି ଗୋଲି (ଗର୍ଭନିରୋଧକ ବଟିକା) ମାଗି ନିଅନ୍ତି। ‘‘ମୋ ପାଖରେ ଘରେ ସବୁବେଳେ ଏସବୁ ସାମଗ୍ରୀ ରହିଥାଏ। ଦରକାର ହେଲେ, କିଛି ଗୋଟେ ବାହାନା କରି ମୁଁ ମଧ୍ୟ ନିଜେ ଯାଇ ସେମାନଙ୍କୁ ଦେଇ ଆସିଥାଏ,’’ କଳାବତୀ କହିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରୁ ସେ ସଂଗ୍ରହ କରୁଥିବା ବଟିକା ମାଗଣା ହୋଇଥାଏ । ତେବେ, ସେହି ଅଞ୍ଚଳରେ କାମ କରୁଥିବା ଏକ ଏନଜିଓ ଠାରୁ ସେ କଣ୍ଡୋମ ଏବଂ ସାନିଟାରୀ ନାପକିନ ସଂଗ୍ରହ କରିଥାନ୍ତି କିମ୍ବା ନିଜ ଟଙ୍କାରେ ସ୍ଥାନୀୟ ଔଷଧ ଦୋକାନରୁ ସେସବୁ ସାମଗ୍ରୀ ସେ କିଣିଥାନ୍ତି ।

Women of family in Tikari speaking to ‘depot didi’ Kalavati Soni and ASHA worker Vinita Soni
PHOTO • Anubha Bhonsle
During the lockdowns in 2020, Kalavati used to meet women secretly and give them contraceptive pills like Mala-N and Saheli, and condoms as well
PHOTO • Anubha Bhonsle

ବାମ: ଟିକାରୀରେ ପରିବାରର ମହିଳାମାନେ ‘ଡିପୋ ଦିଦି’ କଳାବତୀ ସୋନୀ ଏବଂ ଆଶା କର୍ମୀ ବିନିତା ସୋନୀଙ୍କ ସହିତ କଥା ହେଉଛନ୍ତି । ଡାହାଣ: ୨୦୨୦ ଲକଡାଉନ ସମୟରେ କଳାବତୀ ମହିଳାମାନଙ୍କୁ ଗୁପ୍ତ ଭାବେ ସାକ୍ଷାତ କରି ସେମାନଙ୍କୁ ମାଲା-ଏନ ଏବଂ ସହେଲି ଭଳି ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ମଧ୍ୟ ଯୋଗାଇ ଦେଉଥିଲେ

୨୦୨୦ ମସିହାର ଲକଡାଉନ ମାସ ତାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ଆଣିଥିଲା। ଘରୁ ବାହାରକୁ ବାହାରିବା ଉପରେ କଟକଣା ରହିଥିଲା। ଦିନକୁ ୫ରୁ ଅଧିକ ମହିଳା ତାଙ୍କୁ ଗର୍ଭନିରୋଧକ ବଟିକା ପାଇଁ କଲ୍‌ କରୁଥିଲେ । ‘‘ପୁରୁଷମାନେ କିଛି କାମ ପାଇଁ ବାହାରକୁ ଯାଉନଥିଲେ; କାମ ନଥିଲା ଏବଂ ମହିଳାମାନଙ୍କ ମନରେ ଗର୍ଭବତୀ ହେବାର ଭୟ ରହିଥିଲା । ଅନେକଙ୍କ ସହିତ ସେମିତି ଘଟୁଥିଲା। ମୁଁ ସେମାନଙ୍କୁ ଗୋପନୀୟ ଭାବେ କ୍ଷେତରେ ଭେଟୁଥିଲି ଏବଂ ସେମାନଙ୍କୁ କଣ୍ଡୋମ ଓ ସହେଲି ଗୋଲି ଦେଉଥିଲି – ଯେପର୍ଯ୍ୟନ୍ତ ମୋତେ ଏସବୁ ମିଳୁଥିଲା,’’ କଳାବତୀ କହିଥିଲେ । ମହିଳାମାନଙ୍କର ମଧ୍ୟ କିଛି ଇଚ୍ଛା ଅଛି ଏବଂ ‘‘ଏହି ଇଚ୍ଛା କେବେ ଆସିବ ତା’ର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ’’, ସେ କହିଥିଲେ ।

‘‘ମୋତେ ସାମଗ୍ରୀ ଯୋଗାଡ଼ କରିବାର ଥିଲା । ଚାହିଦା ବଢ଼ି ବଢ଼ି ଚାଲୁଥିଲା ଏବଂ ମୁଁ କିଛି ପାଉନଥିଲି । ମୁଁ କ’ଣ କରିଥାନ୍ତି  ଗାଁର ୭ ଜଣ ମହିଳା ଗର୍ଭବତୀ ହେବାକୁ ଚାହୁଁନଥିଲେ ବୋଲି ମୁଁ ଜାଣିଥିଲି । ସେମାନେ ଲକଡାଉନ ସମୟରେ ଗର୍ଭବତୀ ହେଲେ । ମୁଁ କ’ଣ କରିପାରିଥାନ୍ତି?’’ ସେ ପ୍ରଶ୍ନ କରିଥିଲେ।  ସାରା ଦେଶରେ ଲକଡାଉନ ଘୋଷଣା କରିବା ସମୟରେ ସରକାର ମହିଳାଙ୍କ ବିଷୟରେ ଚିନ୍ତା କରିନଥିଲେ ବୋଲି ସେ ଅନୁଭବ କରିଥାନ୍ତି। କଳାବତୀ କହିଥିଲେ, ‘‘କୌନ ସୋଚତା ହୈ ଇନ୍‌ ସବ ଚିଜୋଁ କେ ବାରେ ମେଁ, କି ୟେ ଭି ଜରୁରି ହୈ (ଏସବୁ କଥା ବିଷୟରେ କିଏ ଚିନ୍ତା କରିଥାଏ ଯେ ଏସବୁ ମଧ୍ୟ ଜରୁରି)’’?

ଅନେକ ବର୍ଷ ଧରି, ବିଭିନ୍ନ ବୟସବର୍ଗର ମହିଳାମାନେ କଳାବତୀଙ୍କ ନିକଟରେ ସେମାନଙ୍କ ଜୀବନ, ଲକ୍ଷ୍ୟ ଏବଂ ସମସ୍ୟା ବିଷୟରେ ଖୋଲାଖୋଲି ଆଲୋଚନା କରିଥାନ୍ତି । ସେମାନେ ତାଙ୍କ ଉପରେ ବିଶେଷ ଭରସା କରିଥାନ୍ତି । ‘‘ମୁଁ ମଧ୍ୟ ସବୁ କାହାଣୀ ଓ ଗୋପନୀୟତାର ଜଣେ ଡିପୋ ହୋଲ୍ଡର,’’ ସେ ହସି ହସି କହିଥିଲେ ।

ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ଅଳ୍ପ ବୟସ୍କା ମହିଳାଙ୍କ ଉପରେ ଗ୍ରାମୀଣ ଭାରତରେ ଖବର ସଂଗ୍ରହ ପ୍ରକଳ୍ପ ଜାରି ରହିଛି । ଏହାର ଉଦ୍ଦେଶ୍ୟ ହେଉଛି, ସମାଜର ଏହି ବଞ୍ଚିତ ତଥାପି ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା ।

ଏହି ସ୍ତମ୍ଭ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] ଙ୍କୁ ମେଲ୍‌ କରନ୍ତୁ ଏବଂ ଏହାର ଏକ କପି [email protected]ଙ୍କୁ ପଠାନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Anubha Bhonsle

২০১৫ সালের পারি ফেলো এবং আইসিএফজে নাইট ফেলো অনুভা ভোসলে একজন স্বতন্ত্র সাংবাদিক। তাঁর লেখা “মাদার, হোয়্যারস মাই কান্ট্রি?” বইটি একাধারে মণিপুরের সামাজিক অস্থিরতা তথা আর্মড ফোর্সেস স্পেশাল পাওয়ারস অ্যাক্ট এর প্রভাব বিষয়ক এক গুরুত্বপূর্ণ দলিল।

Other stories by Anubha Bhonsle
Illustrations : Labani Jangi

২০২০ সালের পারি ফেলোশিপ প্রাপক স্ব-শিক্ষিত চিত্রশিল্পী লাবনী জঙ্গীর নিবাস পশ্চিমবঙ্গের নদিয়া জেলায়। তিনি বর্তমানে কলকাতার সেন্টার ফর স্টাডিজ ইন সোশ্যাল সায়েন্সেসে বাঙালি শ্রমিকদের পরিযান বিষয়ে গবেষণা করছেন।

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE