ଏକଦା କୌଣସି ଏକ ସ୍ଥାନରେ ରହୁଥିଲେ ତିନି ପଡ଼ୋଶୀ- କାଥେରିନ୍ କୌର, ବୋଧି ମୁର୍ମୁ ଏବଂ ମହମ୍ମଦ ତୁଲସୀରାମ । କାଥି ଥିଲେ ଜଣେ କୃଷକ; ବୋଧି ଝୋଟକଳରେ କାମ କରୁଥିଲେ; ଏବଂ ମହମ୍ମଦ ଥିଲେ ଗୋପାଳକ । ଭାରତୀୟ ସମ୍ବିଧାନ ଶୀର୍ଷକ ଯେଉଁ ବୃହଦାକାର ଏବଂ ଓଜନିଆ ପୁସ୍ତକକୁ ନେଇ ସାରା ସହରର ପଣ୍ଡିତମାନେ ହୋ-ହଲ୍ଲାରେ ମାତିଥିଲେ, ସେହି ପୁସ୍ତକ ବଳରେ କ’ଣ ସବୁ କରାଯାଇପାରିବ ବୋଲି ତିନି ଜଣଙ୍କ ମଧ୍ୟରୁ କେହି ଜଣେ କିଛି ହେଲେ ଜାଣି ନଥିଲେ । କାଥି ଏହାକୁ ଅଦରକାରୀ ବୋଲି କହିଲେ, ବୋଧି ଭାବିଲେ ବୋଧହୁଏ ଏହା ଥିଲା ଅଲୌକିକ, ଏବଂ ମହମ୍ମଦ ତ ପଚାରି ବସିଲେ, “ଏହା କ’ଣ ଆମ ପିଲାମାନଙ୍କୁ ଖାଇବାକୁ ଦେବ, ହେଁ ? ”

ଜଣେ ଦାଢ଼ିଆ ରାଜା ନିର୍ବାଚିତ ହୋଇସାରିଥିଲେ, ଏବଂ ତିନି ଜଣ ଯାକ ପଡ଼ୋଶୀ ଏହି ଘଟଣାକୁ ହାଲୁକା ଭାବରେ ନେଇ ପାରୁନଥିଲେ । ‘ ଆଖିର ଇତନି ୱକ୍ତ କିସକେ ପାସ୍ ହୈ ? ” ଆଉ ତା ପରେ ବର୍ଷା ହେଲା ନାହିଁ, ଋଣଭାର ବଢ଼ିବାରେ ଲାଗିଲା, ଏବଂ କାଥେରିନ୍ ଜାଣିପାରିଲେ ଯେ କୀଟନାଶକ ବୋତଲଟି ବି ଫିସଫିସ୍ ହୋଇ ତାଙ୍କରି ନାଁ କହୁଛି । ତା’ପରେ ଝୋଟକଳଟି ଦେବାଳିଆ ହୋଇଗଲା । ଆନ୍ଦୋଳନରତ ଶ୍ରମିକଙ୍କ ଉପରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କଲା ଏବଂ ସେମାନଙ୍କ ନେତୃତ୍ବ ନେଉଥିବାରୁ ବୋଧି ମୁର୍ମୁଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ ଲଗାଇଲା । ଶେଷରେ ମହମ୍ମଦ ତୁଲସୀରାମଙ୍କ ପାଳି ପଡ଼ିଲା । ଥରେ, ଗୋଟିଏ ସନାତନୀ (ପବିତ୍ର) ସନ୍ଧ୍ୟାରେ ତାଙ୍କ ଗାଈମାନେ ଘରକୁ ଫେରିଲେ, ସେମାନଙ୍କ ପଛେ ପଛେ ଆସିଲେ ଖଣ୍ଡା ବୁଲାଉଥିବା ଦୁଇଗୋଡ଼ିଆ ବାଛୁରୀମାନେ। “ ଗୌ-ମାତା କୀ ଜୟ ! ଗୌ-ମାତା କୀ ଜୟ !”

ସେହି ପୈଶାଚିକ ଚିତ୍କାର ଭିତରେ କେଜାଣି କେଉଁଠି ବହିର କେତେକ ପୃଷ୍ଠା ଓଲଟିଲା, ଗୋଟିଏ ନୀଳ ସୂର୍ଯ୍ୟ ଉଇଁଲା, ଆଉ ରହି ରହି ଶୁଭୁଥିଲା ଗୋଟିଏ ଚାପା କଣ୍ଠର ସ୍ୱର:
“ଆମେ, ଭାରତର ଲୋକମାନେ, ଦୃଢ଼ ସଂକଳ୍ପ ନେଇଛୁ....

ଯୋଶୁଆ ବୋଧିନେତ୍ରଙ୍କ ହାଇକୁ ଆବୃତ୍ତି ଶୁଣନ୍ତୁ



ଏକ ସାମ୍ବିଧାନିକ ବିଳାପ

1.
ଆମ ଦେଶ ସାର୍ବଭୌମ
ଠିକ୍ ସେମିତି ଆମର ତୃଷା,
ଲୋହିତ ଓ କଳଙ୍କିତ
ଖଣ୍ଡେ ବାଦଲର ଫାଶରେ ବନ୍ଧା

2.
ସମାଜବାଦୀ ବନ୍ଦିଶ ,
କାହିଁକି ଆମେ ସ୍ୱପ୍ନ ଦେଖୁ ? ପୃଥିବୀ ସାରା
ଆର୍ତ୍ତନାଦ କରୁଥା’ନ୍ତି ଆମ ଶ୍ରମିକମାନେ

3.
ମନ୍ଦିର, ମସଜିଦ୍, ଚର୍ଚ୍,
ଏବଂ ଏକ ସମାଧି- ତ୍ରିଶୂଳବିଦ୍ଧ
ଏକ ଧର୍ମନିରପେକ୍ଷ ଜଠର।

4.
ହେ ଗଣତନ୍ତ୍ର !
କେବଳ ଖଣ୍ଡିଏ ଭୋଟ୍ ପାଇଁ,
‘ମୃତ୍ୟୁ ଏକ କରଜ,’ ବୋଲି ଲେଖିଦେଲେ
ଆମ ପଣ୍ଡିତମଣ୍ଡଳୀ ।

5.
ଏକଦା ଜଣେ ରାଜାଙ୍କ ଆଗରେ
ଏକ ଜନତନ୍ତ୍ର ର ଶପଥ, ବୁଦ୍ଧମାନେ
ଭୂଲୁଣ୍ଠିତ ଏବଂ ବାୟୋନେଟ୍ ତୋଳେ ଝଙ୍କାର

6.
ନ୍ୟାୟ ଆଖିରେ ବନ୍ଧା ଅନ୍ଧପୁଟଳି
କିନ୍ତୁ ତା ତଳେ ଆଖି ନାହିଁ,
ଆଉ ନାହିଁ ।

7.
ମଲରେ, ମିଠା ମିଠା ଫଲିଡଲର
କାଚ ବୋତଲରେ ବିକା ହୁଏ
ତାଜା ତାଜା ସ୍ୱା ଧୀନତା

8.
ପବିତ୍ର ଗୋମାତା ଏବଂ କଳା କଳା
ମାଂସର କବାବ - ସେଇ ରୁଟି,
ଯାହାକୁ ସେକନ୍ତି ଆମ ସାମ୍ୟବାଦୀମାନେ

9.
ଭାଇଚାରା ଚିତ୍କାର କରେ -
ସୋରିଷ କ୍ଷେତରେ
ଶୂଦ୍ରମାନେ ଦୀର୍ଘଶ୍ୱାସ ପକାନ୍ତି,
ଏବଂ ବ୍ରାହ୍ମଣ ଗରଜି ଉଠେ


ଏହି କବିତା ରଚନାର ମୂଳରେ ରହିଥିବା କେତେକ ଭାବୋଦ୍ଦୀପକ ବାର୍ତ୍ତାଳାପ ନିମନ୍ତେ ଏହି କବି ସ୍ମିତା ଖାଟୋରଙ୍କୁ ଧନ୍ୟବାଦ ଦେଉଛନ୍ତି

ଅନୁବାଦ: ଶ୍ୱେତ ସୁନ୍ଦର ସାମନ୍ତରା

Joshua Bodhinetra

জশুয়া বোধিনেত্র পিপলস আর্কাইভ অফ রুরাল ইন্ডিয়ার (পারি) ভারতীয় ভাষাবিভাগ পারিভাষার কন্টেন্ট ম্যানেজার। যাদবপুর বিশ্ববিদ্যালয় থেকে তুলনামূলক সাহিত্যে এমফিল উত্তীর্ণ জশুয়া একজন বহুভাষিক কবি তথা অনুবাদক, শিল্প সমালোচক এবং সমাজকর্মী।

Other stories by Joshua Bodhinetra
Illustration : Labani Jangi

২০২০ সালের পারি ফেলোশিপ প্রাপক স্ব-শিক্ষিত চিত্রশিল্পী লাবনী জঙ্গীর নিবাস পশ্চিমবঙ্গের নদিয়া জেলায়। তিনি বর্তমানে কলকাতার সেন্টার ফর স্টাডিজ ইন সোশ্যাল সায়েন্সেসে বাঙালি শ্রমিকদের পরিযান বিষয়ে গবেষণা করছেন।

Other stories by Labani Jangi
Translator : Sweta Sundar Samantara

Sweta Sundar Samantara is a journalist with more than thirty years of experience in reporting and editing in both print and electronic media. He is a freelance writer and translator based in Hyderabad.

Other stories by Sweta Sundar Samantara