ଭୂମି ହେଉ କିମ୍ବା ଜଳ, ଉଭୟ କ୍ଷେତ୍ରରେ ଲୋକମାନଙ୍କ ଜୀବନ ବଞ୍ଚାଇବାରେ ସୋହନ ସିଂ ଟୀଟା କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଭୁଲେ ଚକ୍ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ସେ ଯେତେବେଳେ ନିଜର ମୋଟର ବାଇକ ଚଲାଇ ଆସିଥାନ୍ତି, ଏମିତି ଲାଗେ ଯେମିତି ଧୂଆଁ ଓ ବାଦଲ ମଧ୍ୟରେ କେହି ଜଣେ ଦେବଦୂତଙ୍କର ଆବିର୍ଭାବ ହେଉଛି । ଅଧିକାଂଶ ସମୟରେ ସେ ଏହି ଅଞ୍ଚଳରେ ନିଜ ବାଇକରେ ସବୁଜ ପନିପରିବା ବିକ୍ରି କରିଥାନ୍ତି । କିନ୍ତୁ ପାଣିରେ ବୁଡ଼ିବାର କୌଶଳ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ । ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଥିବା ନିଜ ଗାଁ ଆଖପାଖ ଅଞ୍ଚଳରେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲରେ ସୋହନ ପ୍ରାୟତଃ ବୁଡ଼ ଲଗାଇ ଲୋକମାନଙ୍କ ଜୀବନ ବଞ୍ଚାଇଥାନ୍ତି ।
ଗତ ୨୦ ବର୍ଷ ଧରି ଏହି କାମରେ ଲାଗିଥିବା ୪୨ ବର୍ଷ ବୟସ୍କ ସୋହନ କୁହନ୍ତି, ‘‘ଲୋକମାନଙ୍କୁ ବୁଡ଼ିବାରୁ ବଞ୍ଚାଇବା ମୋ କାମ ନୁହେଁ। ମୁଁ କେବଳ ଏହାକୁ କରିଥାଏ। ଆପଣମାନେ ଜାଣନ୍ତି ‘ଜଳ ହିଁ ଜୀବନ’। କିନ୍ତୁ ଏହାର ଅର୍ଥ ମୃତ୍ୟୁ ବୋଲି ମୁଁ ଅନେକ ସମୟରେ ଦେଖିଛି।’’ ଗତ କିଛି ବର୍ଷ ଧରି ସୋହନ ପାଣି ଭିତରୁ ଅଗଣିତ ମୃତଦେହ ବାହାର କରି ଆଣିଛନ୍ତି ।
ଉଭୟ ଗୁରୁଦାସପୁର ଓ ଏହାର ପଡ଼ୋଶୀ ଜିଲ୍ଲା ପଠାନକୋଟରେ, ସୋହନ ସେହି ହାତଗଣତି ଲୋକଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କୁ କେନାଲରେ ପଡ଼ିଯାଇଥିବା କୌଣସି ବ୍ୟକ୍ତିଙ୍କୁ ବଞ୍ଚାଇବା କିମ୍ବା କୌଣସି ଶବ ବାହାର କରିବା ଲାଗି ସର୍ବପ୍ରଥମେ ଖବର ଦିଆଯାଏ। ଉକ୍ତ ବ୍ୟକ୍ତି ଜଣଙ୍କ ଦୁର୍ଘଟଣାବଶତଃ କେନାଲରେ ପଡ଼ିଯାଇଛନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜାଣିବା ଲାଗି ସମୟ ନଥାଏ ବୋଲି ସୋହନ କୁହନ୍ତି । ‘‘କେହି ଜଣେ ବ୍ୟକ୍ତି ପଡ଼ିଯାଇଥିବା ଜାଣିବା କ୍ଷଣି ମୁଁ ତୁରନ୍ତ କେନାଲ ଭିତରକୁ ଡେଇଁଥାଏ। ମୁଁ ସେହି ବ୍ୟକ୍ତିକୁ ଜୀବନ୍ତ ଉଦ୍ଧାର ପାଇଁ ସବୁବେଳେ ଚେଷ୍ଟା କରିଥାଏ।’’ କିନ୍ତୁ ଯଦି ସେ ତାଙ୍କୁ ମୃତ ଭାବେ ଉଦ୍ଧାର କରନ୍ତି, ‘‘ମୁଁ ଚାହେଁ ଯେ ତାଙ୍କର ପରିବାର ଲୋକମାନେ ଥରୁଟିଏ ସେହି ବ୍ୟକ୍ତିଙ୍କ ଶେଷ ଦର୍ଶନ କରି ନିଅନ୍ତୁ ।’’ ଏ କଥା କହିବା ବେଳେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା, ହୁଏତ’ ତାଙ୍କ ମନରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବାର ଦୁଃଖ ଲୁଚି ରହିଥିଲା।
ସୋହନ ପ୍ରତି ମାସରେ କେନାଲରୁ ଅତି କମ୍ରେ ୨-୩ଟି ଶବ ବାହାର କରିଥାନ୍ତି । ତାଙ୍କର ଅନୁଭୂତି ତାଙ୍କୁ ଜୀବନକୁ ଦେଖିବାର ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଛି। ସେ କୁହନ୍ତି, ‘‘ଜୀବନ ଏକ ଭଉଁରି ଭଳି। ଏହା ଏପରି ଏକ ଚକ୍ର ଯାହା ସମାନ ମୁହୂର୍ତ୍ତରେ ଆରମ୍ଭ ହୋଇ ଶେଷ ହୋଇଯାଏ।’’
ଭୁଲେ ଚକ୍ ଗାଁ ପାଖ ଦେଇ ଯାଇଥିବା କେନାଲଗୁଡ଼ିକ ଅପର ବାରୀ ଦୋଆବ କେନାଲ (ୟୁବିଡିସି)ର ସେହି ୨୪୭ଟି ଜଳ ଶାଖା ନେଟୱର୍କର ଅଂଶବିଶେଷ ଅଟନ୍ତି, ଯାହା ଜରିଆରେ ରାବୀ ନଦୀର ପାଣି ଗୁରଦାସପୁର ଓ ପଠାନକୋଟ ସମେତ ପଞ୍ଜାବର ଅଧିକାଂଶ ଜିଲ୍ଲାରେ ପହଞ୍ଚିଥାଏ। ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି କେନାଲ ପ୍ରଣାଳୀ ବାରୀ ଦୋଆବ କ୍ଷେତ୍ରକୁ ଜଳସେଚନ କରିଥାଏ, ଯାହାକି ରାବୀ ଓ ବ୍ୟାସ ନଦୀର ମଧ୍ୟଭାଗରେ ଅବସ୍ଥିତ (‘ଦୋଆବ’ର ଅର୍ଥ ହେଉଛି ଦୁଇ ନଦୀର ମଧ୍ୟ ଭାଗରେ ଥିବା ଭୂମି)।
ବର୍ତ୍ତମାନର କେନାଲ ମୂଳତଃ ସପ୍ତଦଶ ଶତାବ୍ଦୀରେ ମୋଗଲ ସମ୍ରାଟ ଶାହଜାହାଁଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ପରେ ମହାରାଜା ରଞ୍ଜିତ ସିଂଙ୍କ ରାଜତ୍ୱ କାଳରେ ଏହାକୁ ସମ୍ପ୍ରସାରିତ କରାଯାଇଥିଲା ଏବଂ ଏହାପରେ ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ କାଳରେ ଏହି କେନାଲକୁ ପୁନଃବିକଶିତ କରାଯାଇଥିଲା। ଆଜି, ୟୁବିଡିସି କେନାଲ ପ୍ରଣାଳୀ ଦୋଆବ ଜିଲ୍ଲାଗୁଡ଼ିକ ଦେଇ ଅତିକ୍ରମ କରିଛି ଏବଂ ଏହା ୫.୭୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିପାରୁଛି ।
ଭୁଲେ ଚକ୍ ଗାଁର ଲୋକମାନେ ଏହାକୁ ବଡ଼ି ନହର (‘ବଡ଼ କେନାଲ) ବୋଲି କହିଥାନ୍ତି। ଏହି ଜଳାଶୟ ପାଖରେ ବଡ଼ ହୋଇଥିବାରୁ, କେନାଲ ଆଖପାଖରେ ନିଜର ସମୟ ବିତାଇବା ସୋହନଙ୍କ ପାଇଁ ସ୍ୱାଭାବିକ ଥିଲା। ସେ କୁହନ୍ତି, ‘‘ମୁଁ ମୋ ବନ୍ଧୁମାନଙ୍କ ସହିତ ପହଁରୁଥିଲି। ଆମେ ଛୋଟ ପିଲା ଥିଲୁ, ଏବଂ ଏହି କେନାଲ ଓ ଏହାର ଜଳଧାରା ଏତେ ଘାତକ ହେବା ନେଇ ଆମର ଚିନ୍ତା ନଥିଲା।’’
୨୦୦୨ ମସିହାରେ ସେ ପ୍ରଥମ ଥର ପାଇଁ କୌଣସି ଶବ ସନ୍ଧାନରେ କେନାଲ ଭିତରକୁ ଡେଇଁଥିଲେ । କେନାଲରେ ବୁଡ଼ି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜି ଆଣିବା ଲାଗି ଗାଁର ସରପଞ୍ଚ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କୁହନ୍ତି, ‘‘ମୁଁ ଶବ ପାଇଲି ଏବଂ ତା’କୁ ଉପରକୁ ନେଇ ଆସିଲି। ତାହା ଜଣେ ବାଳକର ଶବ ଥିଲା। ତା’ର ଶବକୁ ହାତରେ ଧରି ମୋତେ ଲାଗୁଥିଲା ଯେମିତି ପାଣି ସହ ମୋ ସମ୍ପର୍କ ଏବେ ସବୁଦିନ ପାଇଁ ବଦଳିଯାଇଛି । ଲାଗିଲା, ଯେମିତି ପାଣିର ଓଜନ ଖୁବ୍ ବଢ଼ିଯାଇଛି, ଏଥିସହିତ ମୋ ମନ ମଧ୍ୟ ଭାରୀ ହୋଇଯାଇଥିଲା। ସେଦିନ, ମୁଁ ଅନୁଭବ କଲି, ନଦୀ, କେନାଲ, ସମୁଦ୍ର, ମହାସାଗର- ସବୁ ଜଳାଶୟ ବଳି ମାଗେ। ଜୀବନ ମାଗେ।’’ ‘‘ନୁହେଁ କି?’’ ସୋହନ ପଚାରି ଥାଆନ୍ତି ।
ସୋହନଙ୍କ ଗାଁଠାରୁ ୫୦ କିମି ପରିଧି ମଧ୍ୟରେ ରହିଥିବା ବଟାଲା, ମୁକେରିଆଁ, ପଠାନକୋଟ ଓ ତିବଡ଼ୀ, ଆଦି ସ୍ଥାନରୁ ସମସ୍ତେ ତାଙ୍କ ସେବା ନେବା ପାଇଁ ତାଙ୍କୁ ଡାକିଥାନ୍ତି। ଦୂର ଅଞ୍ଚଳରୁ ଡକରା ମିଳିଲେ ସୋହନ କୌଣସି ଦୁଇ ଚକିଆ ଗାଡ଼ି ନେଇ ସେଠାକୁ ଯାଇଥାନ୍ତି। ନହେଲେ, ସେ ପରିବା ବିକ୍ରି କରୁଥିବା ନିଜର ମୋଟର ସାଇକେଲ ନେଇ, ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ।
ସୋହନ କୁହନ୍ତି, ବେଳେବେଳେ ସେ ଉଦ୍ଧାର କରିଥିବା ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ତାଙ୍କୁ ୫,୦୦୦-୭,୦୦୦ ଟଙ୍କା ଯାଚିଥାନ୍ତି । କିନ୍ତୁ ଏମିତି ଟଙ୍କା ନେବାକୁ ସେ ପସନ୍ଦ କରନ୍ତି ନାହିଁ। ସାରା ଦିନ ପନିପରିବା ବିକ୍ରି କରି ସୋହନ ୨୦୦-୪୦୦ ଟଙ୍କା ଆୟ କରିଥାନ୍ତି, ଏହା ହିଁ ତାଙ୍କର ଏକମାତ୍ର ରୋଜଗାର। ସେ ଜଣେ ଭୂମିହୀନ ବ୍ୟକ୍ତି । ଆଠ ବର୍ଷ ପୂର୍ବରୁ ଛାଡ଼ପତ୍ର ହେବା ପରେ, ସେ ନିଜର ୧୩ ବର୍ଷର ଝିଅକୁ ଏକାକୀ ପାଳୁଛନ୍ତି, ତାଙ୍କୁ ନିଜର ୬୨ ବର୍ଷ ବୟସ୍କା ବୁଢ଼ୀ ମା’ଙ୍କର ମଧ୍ୟ ଦେଖାଶୁଣା କରିବାକୁ ହୋଇଥାଏ।
ସୋହନ କୁହନ୍ତି, ଏହି କାମରେ ଅଚାନକ କୌଣସି ବିପଦର ମଧ୍ୟ ସମ୍ମୁଖିନ ହେବାକୁ ପଡ଼ିଥାଏ। ତିନି ବର୍ଷ ପୂର୍ବରୁ ଗୋଟିଏ ଘଟଣାର ଉଦାହରଣ ଦେଇ ସେ କୁହନ୍ତି, ତିବଡ଼ୀ (ଭୁଲେ ଚକ୍ଠାରୁ ଦୁଇ କିଲୋମିଟର ଦୂର)ରେ ଜଣେ ମହିଳା କେନାଲ ଭିତରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ବଞ୍ଚାଇବା ଲାଗି ସୋହନ ତୁରନ୍ତ ପାଣି ଭିତରକୁ କୁଦି ପଡ଼ିଥିଲେ। ‘‘ମହିଳାଙ୍କ ବୟସ ୪୦ ବର୍ଷ ପାଖାପାଖି ଥିଲା। ସେ ମୋତେ ତାଙ୍କୁ ଉଦ୍ଧାର କରିବାକୁ ଦେଲେ ନାହିଁ। ସେ ମୋତେ ଧରି ପାଣି ଭିତରକୁ ଟାଣିବାକୁ ଲାଗିଲେ,’’ ସୋହନ କହିଥାନ୍ତି । ୧୫-୨୦ ମିନିଟ୍ ଧରି ଗୋଟିଏ ଜୀବନ ବଞ୍ଚାଇବାକୁ ସଂଘର୍ଷ ପରେ ସୋହନ ଉକ୍ତ ମହିଳାଙ୍କ କେଶକୁ ଧରି ତାଙ୍କୁ ଉପରକୁ ଟାଣି ଆଣିଥିଲେ। ‘‘ସେତେବେଳକୁ ତାଙ୍କର ଚେତା ବୁଡ଼ିଯାଇଥିଲା।’’
ଗଭୀର ଜଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ନିଶ୍ୱାସ ଅଟକାଇ ପାରିବାର କ୍ଷମତା କାରଣରୁ ସୋହନ ଜଣେ କୁଶଳୀ ଉଦ୍ଧାରକାରୀ ହୋଇପାରିଛନ୍ତି। ‘‘ମୋ ବୟସ ଯେତେବେଳେ ୨୦ ବର୍ଷ ପାଖାପାଖି ଥିଲା, ମୁଁ ପାଣି ଭିତରେ ୪ ମିନିଟ ପର୍ଯ୍ୟନ୍ତ ନିଜର ନିଶ୍ୱାସ ଅଟକାଇ ରଖିପାରୁଥିଲି । କିନ୍ତୁ ଏବେ ମୋ କ୍ଷମତା ହ୍ରାସ ପାଇ ତିନି ମିନିଟ୍ ହୋଇଗଲାଣି।’’ କିନ୍ତୁ ସେ କୌଣସି ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରନ୍ତି ନାହିଁ। ‘‘ମୁଁ ଏହାକୁ କେଉଁଠୁ ପାଇବି? ତାହା ପୁଣି, ଜରୁରି ପରିସ୍ଥିତିରେ,’’ ସେ ପ୍ରଶ୍ନ କରିଥାନ୍ତି।
ଜିଲ୍ଲା ଅପରାଧ ରେକର୍ଡ ବ୍ୟୁରୋ ଦାୟିତ୍ୱରେ ଥିବା ସହାୟକ ଉପନିରୀକ୍ଷକ ରାଜିନ୍ଦର କୁମାର କହିଥାନ୍ତି ଯେ, ୨୦୨୦ରେ ପୋଲିସ ଗୁରୁଦାସପୁରରେ ଅପର ବାରୀ ଦୋଆବ କେନାଲରୁ ଚାରିଟି ଶବ ଜବତ କରିବା ଲାଗି ଏଭଳି ଉଦ୍ଧାରକାରୀ ବୁଡ଼ାଳିଙ୍କ ସହାୟତା ନେଇଥିଲା। ୨୦୨୧ରେ, ସେମାନେ ୫ଟି ଶବ ଉଦ୍ଧାର କରିଥିଲେ। ଏଭଳି ପରିସ୍ଥିତିରେ, ଅପରାଧିକ ଦଣ୍ଡବିଧାନ ସଂହିତା (ସିଆରପିସି)ର ଧାରା ୧୭୪ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ମୃତ୍ୟୁର କାରଣ ହତ୍ୟା କିମ୍ବା ଆତ୍ମହତ୍ୟା, ଅଥବା ଦୁର୍ଘଟଣା ଥିଲା କିମ୍ବା କୌଣସି ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା କି ନାହିଁ ତାହା ଯାଞ୍ଚ କରିବାରେ ପୋଲିସକୁ ସହାୟତା ମିଳିପାରିଥିଲା।
ସବ୍-ଇନସ୍ପେକ୍ଟର ଆହୁରି କୁହନ୍ତି, ‘‘ଲୋକମାନେ ଆତ୍ମହତ୍ୟା କରିବା ଲାଗି କେନାଲ ଭିତରକୁ ଡେଇଁ ପଡ଼ିଥାନ୍ତି’’। ରାଜିନ୍ଦର କୁମାର ଆହୁରି ମଧ୍ୟ କହିଥାନ୍ତି ଯେ ‘‘ବେଳେ ବେଳେ ଏମିତି ହୋଇଥାଏ ଯେ ଲୋକମାନେ ସେଠାକୁ ଗାଧୋଇବାକୁ ଯାଇଥାନ୍ତି ଏବଂ ସେମାନଙ୍କୁ ପହଁରି ଆସୁନଥିବାରୁ ସେମାନେ ନିଜର ଜୀବନ ହରାଇଥାନ୍ତି । ବେଳେ ବେଳେ ସେମାନେ ଗୋଡ଼ ଖସିଯିବାରୁ ପଡ଼ିଯାଆନ୍ତି ଓ ବୁଡ଼ିଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥାଏ। ନିକଟ ଅତୀତରେ ଆମ ପାଖକୁ କାହାକୁ ପାଣିରେ ବୁଡ଼ାଇ ହତ୍ୟା କରାଯାଇଥିବା ମାମଲା ଆସି ନାହିଁ।’’
୨୦୨୦ରେ, ପୋଲିସ ଗୁରୁଦାସପୁରରେ ଅପର ବାରୀ ଦୋଆବ କେନାଲରୁ ଚାରିଟି ମୃତଦେହ ଉଦ୍ଧାର କରିବା ଲାଗି ବୁଡ଼ାଳିମାନଙ୍କର ସହାୟତା ନେଇଥିଲା
ସୋହନ କୁହନ୍ତି, ଏସବୁ କେନାଲରେ ଖରା ଦିନେ ଅଧିକାଂଶ ମୃତ୍ୟୁ ଘଟଣା ଘଟିଥାଏ। ‘‘ଅସହ୍ୟ ଗରମରୁ ରକ୍ଷା ପାଇବା ଲାଗି ଗାଁ ଲୋକମାନେ ପାଣିକୁ ଡେଇଁଥାନ୍ତି ଓ ଦୁର୍ଘଟଣାବଶତଃ ବୁଡ଼ିଯାଆନ୍ତି। ଶବ ଭାସିଥାଏ, ସେଥିପାଇଁ ସେମାନଙ୍କୁ ପାଣିରେ ଖୋଜିବା କଷ୍ଟକର ହୋଇଥାଏ। ମୁଁ ସେମାନଙ୍କୁ ପାଣି ସୁଅ ଦିଗରେ ଖୋଜିଥାଏ। ଏଥିରେ ଅନେକ ବିପଦ ରହିଥାଏ, ଏଠାରେ ମୋତେ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ।’’
ଅନେକ ବିପଦ ଥିଲେ ସୁଦ୍ଧା ସୋହନ ଲଗାତାର ଏହି କାମରେ ଲାଗି ରହିଛନ୍ତି । ସେ କୁହନ୍ତି, ‘‘ଯେତେବେଳେ ମୁଁ ଏକ (ମୃତ) ଶରୀର ଖୋଜିବାକୁ ପାଣି ଭିତରକୁ ଡେଇଁଥାଏ, କେବେ ବି ମୁଁ ଖାଲି ହାତରେ ଫେରେ ନାହିଁ। ପାଣିକୁ ଡେଇଁ ଲୋକଙ୍କ ଜୀବନ ରକ୍ଷା କରୁଥିବା ଲୋକଙ୍କ ସରକାର ଚାକିରି ଦିଅନ୍ତୁ ବୋଲି ମୋର ଆଶା ରହିଛି। ଏପରି ଭାବେ ମୋ ଭଳି ଲୋକମାନଙ୍କୁ ଯଥେଷ୍ଟ ସାହାଯ୍ୟ କରାଯାଇପାରିବ।’’
ଲବାନା ଶିଖ ସମ୍ପ୍ରଦାୟର ଅଧିବାସୀ ସୋହନ କୁହନ୍ତି, ‘‘ମୋ ଗାଁରେ ୧୨ ରୁ ଅଧିକ ଉଦ୍ଧାରକାରୀ ବୁଡ଼ାଳି ରହିଛନ୍ତି। ଏହି ସମୁଦାୟ ପଞ୍ଜାବରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ପଞ୍ଜିକୃତ।’’ ‘‘ବେତନ ଦେବା କଥା ଛାଡ଼ନ୍ତୁ, ସରକାର ଏହାକୁ ଏକ କାମ ବୋଲି ବିବେଚନା କରନ୍ତି ନାହିଁ,’’ ସେ ରାଗି ଯାଇ କୁହନ୍ତି।
କୌଣସି ଶବ ଖୋଜିବାକୁ ସମସ୍ୟା ଦେଖା ଦେଲେ, ସୋହନଙ୍କୁ ସହାୟତା କରିବା ଲାଗି ତାଙ୍କ ସହିତ ଅତିକମ୍ରେ ଚାରିରୁ ପାଞ୍ଚ ଜଣ ଉଦ୍ଧାରକାରୀ ବୁଡ଼ାଳି ପାଣି ଭିତରକୁ ଡେଇଁଥାନ୍ତି। ଗଗନଦୀପ ସିଂ (୨୩ବର୍ଷ) ସେମାନଙ୍କ ମଧ୍ୟରୁ ଅନ୍ୟତମ। ସେ ମଧ୍ୟ ଲବାନା ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି । ୨୦୧୯ ମସିହାରେ ଏକ ଶବ ଉଦ୍ଧାର କରିବା ଲାଗି ସେ ସୋହନଙ୍କ ସହିତ ଯାଇଥିଲେ। ସେଦିନ କଥା ମନେ ପକାଇ ସେ କୁହନ୍ତି, ‘‘ମୁଁ ଯେତେବେଳେ ପ୍ରଥମ ଥର ପାଇଁ ଶବ ସନ୍ଧାନ କରିବା ଲାଗି ପାଣି ଭିତରକୁ ପ୍ରବେଶ କଲି, ମୁଁ ସେତେବେଳେ ବେଶ୍ ଡରି ଯାଇଥିଲି। ନିଜ ଡର ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ମୁଁ ୱାହେଗୁରୁ (ଏକ ପ୍ରାର୍ଥନା) ଜପି ଥିଲି,’’ ସେ କୁହନ୍ତି।
ଜଣେ ୧୦ ବର୍ଷର ବାଳକର ମୃତଦେହ ଉଦ୍ଧାର କରିବା ତାଙ୍କୁ ବେଶ୍ ମାନସିକ ଆଘାତ ଦେଇଥିଲା। ‘‘ସେ ନିକଟସ୍ଥ ଘୋଟ ପୋଖର ବାସିନ୍ଦା ଥିଲା। ପବ-ଜୀ ଗେମ୍ ଖେଳିବା ଓ ପାଠ ନପଢ଼ିବା କାରଣରୁ ମା’ ତା’କୁ ଗାଳି ଦେବା ସହ ଚାପୁଡ଼ା ମାରିଥିଲେ। ସେ ଗାଜିକୋଟ ନିକଟରେ କେନାଲକୁ ଡେଇଁ ପଡ଼ିଥିଲା,’’ ଗଗନଦୀପ କୁହନ୍ତି ।
ତାଙ୍କ ସହିତ ଦୁଇ ଜଣ ଉଦ୍ଧାରକାରୀ ବୁଡ଼ାଳି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭୁଲେ ଚକଠାରୁ ପାଖାପାଖି ୨୦ କିଲୋମିଟର ଦୂର ଧାରୀୱାଲ ଗାଁରୁ ଆସିଥିଲେ ଏବଂ ସେ ନିଜ ସହ ଅକ୍ସିଜେନ୍ ସିଲିଣ୍ଡର ଆଣିଥିଲେ । ‘‘ସେ ମୋତେ ସିଲିଣ୍ଡର ଧରାଇ ଦେଲେ ଏବଂ ମୁଁ ତା’କୁ ନେଇ ପାଣି ଭିତରକୁ ଗଲି। ମୁଁ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରହିଥିଲି। ଏହାପରେ, ସାରା ଦିନ ପାଣି ଭିତରେ ଖୋଜାଖୋଜି କରିବା ପରେ ପିଲାଟିର ଶବ ଏକ ସେତୁ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶବ ବହୁତ ଫୁଲି ଯାଇଥିଲା… ପିଲାଟି ଦେଖିବାକୁ ସୁନ୍ଦର ଥିଲା। ଘରେ ତା’ର ମା’-ବାପା ଓ ଦୁଇ ଭଉଣୀ ଅଛନ୍ତି।’’ ଗଗନଦୀପ ପୂର୍ବରୁ ଅନଲାଇନ ଗେମ୍ ଖେଳୁଥିଲେ, କିନ୍ତୁ ଏହି ଘଟଣା ପରେ ସେ ଖେଳିବା ଛାଡ଼ିଦେଲେ, ‘‘ମୋ ଫୋନରେ ପବ-ଜୀ ଅଛି, କିନ୍ତୁ ମୁଁ ଏବେ ଆଉ ଖେଳୁନାହିଁ।’’
ଗଗନଦୀପ ଏବେ ସୁଦ୍ଧା କେନାଲଗୁଡ଼ିକରୁ ତିନିରୁ ଅଧିକ ଶବ ଉଦ୍ଧାର କରିସାରିଛନ୍ତି। ‘‘ଏଥିପାଇଁ ମୁଁ କୌଣସି ପାଉଣା ନିଏ ନାହିଁ। ଯଦି ସେମାନେ ଯାଚନ୍ତି, ମୁଁ ନେବାକୁ ମନା କରିଦିଏ,’’ ସେ କୁହନ୍ତି । ଗଗନଦୀପ ସେନାବାହିନୀରେ ଯୋଗ ଦେବାକୁ ଚେଷ୍ଟା କରୁଛନ୍ତି। ସେ ନିଜର ଦୁଇ ବଖୁରିଆ ଘରେ ନିଜର ମାତାପିତାଙ୍କ ସହିତ ରହିଥାନ୍ତି ଏବଂ ଏକ ସ୍ଥାନୀୟ ଗ୍ୟାସ ବିତରଣ ଏଜେନ୍ସିରେ କାମ କରି ମାସିକ ୬,୦୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କ କାମ ହେଲା ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା। ସେମାନଙ୍କ ପରିବାର ପାଖରେ ଗୋଟିଏ ଏକ ଜମି ରହିଛି, ଯେଉଁଠି ସେମାନେ ଗହମ ଓ ଘାସ ଚାଷ କରନ୍ତି। ସେମାନେ କିଛି ଛେଳି ମଧ୍ୟ ପାଳିଛନ୍ତି । ତାଙ୍କ ବାପାଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ତାଙ୍କ ପାଖରେ ନିଜର ଅଟୋ ମଧ୍ୟ ରହିଛି, ଯାହାକୁ ଗଗନଦୀପ ମଝିରେ ମଝିରେ ଚଲାନ୍ତି ।
ସେମାନଙ୍କ ଭଳି ଉଦ୍ଧାରକାରୀ ବୁଡ଼ାଳୀଙ୍କୁ କେନାଲ ଭିତରେ ଆବର୍ଜନା ଗଦା ମଧ୍ୟ ଦେଇ ଯିବାକୁ ହୋଇଥାଏ ଏବଂ ଶବ ଖୋଜିବା ସମୟରେ ସେମାନେ ଅନେକ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହିଥାନ୍ତି ।
୨୦୨୦ ମସିହାରେ ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ଖୋଜିବା ଲାଗି ପୋଲିସ ଗଗନଦୀପଙ୍କୁ ଡାକିଥିଲା। ଧାରୀୱାଲ ଗ୍ରାମ ନିକଟରେ କେନାଲ ପାର ହେଉଥିବା ସମୟରେ ଯୁବକ ଜଣଙ୍କ ବୁଡ଼ି ଯାଇଥିଲେ। ସେ କୁହନ୍ତି, ‘‘ଯୁବକ ଜଣଙ୍କ ବୁଡ଼ିବାର କିଛି ଘଣ୍ଟା ପରେ ମୁଁ ସେଠାରେ ପହଞ୍ଚିଥିଲି। ମୁଁ ସକାଳ ୧୦ଟାରୁ ତାଙ୍କୁ ଖୋଜିବାକୁ ଆରମ୍ଭ କଲି। କିନ୍ତୁ ଶବ ଯେତେବେଳେ ମିଳିଲା, ସେତେବେଳକୁ ସନ୍ଧ୍ୟା ୪ଟା ବାଜି ଯାଇଥିଲା।’’ ଗଗନଦୀପ କେନାଲର ଗୋଟିଏ ପାର୍ଶ୍ୱ ପାଚେରିରୁ ରଶି ବାନ୍ଧିଥିଲେ। ଆଉ ଗୋଟିଏ ପାର୍ଶ୍ୱରୁ ତିନି ଜଣ ଲୋକଙ୍କୁ ନେଇ ଏକ ମାନବଶୃଙ୍ଖଳ ତିଆରି କରିଥିଲେ। ତିନି ଜଣ ବୁଡ଼ାଳି ଏକ ସଙ୍ଗେ ପାଣି ଭିତରକୁ ଡେଇଁଥିଲେ। ସେ କୁହନ୍ତି, ‘‘ସେହି ଯୁବକଙ୍କ ଶବ ଖୋଜିବା ସବୁଠୁ କଷ୍ଟକର କାମ ଥିଲା, କାରଣ ସେଠାରେ ଅନେକ ଆବର୍ଜନା ଜମା ହୋଇ ରହିଥିଲା। ଏକ ବହୁତ ବଡ଼ ପଥର ଯୁବକର ଶବ ବୋହିଯିବାକୁ ଅଟକାଇ ଦେଇଥିଲା।’’
ନିଜ କାମ ଜରିଆରେ ଗଗନଦୀପ ପଦାର୍ଥ ବିଜ୍ଞାନର ନିୟମ ଶିଖିଛନ୍ତି। ‘‘ପାଣି ଉପରକୁ ଆସି ଭାସିବା ପାଇଁ ଶବକୁ ୭୨ ଘଣ୍ଟା ଲାଗିଥାଏ। ପାଣିରେ ଭାସି ଶବ ଅନେକ ଦୂର ପର୍ଯ୍ୟନ୍ତ ଚାଲି ଯାଏ। କୌଣସି ବ୍ୟକ୍ତି ଯଦି ଗୋଟିଏ ସ୍ଥାନରେ ପାଣି ଭିତରକୁ ଡିଅଁନ୍ତି ତା’ହେଲେ ତାଙ୍କ ଶବ ଠିକ୍ ସେହି ସ୍ଥାନରେ ମିଳିବ ନାହିଁ।’’ ଗଗନଦୀପ ୨୦୨୧ରେ ତିବଡ଼ୀ କେନାଲରେ ବୁଡ଼ିଯାଇଥିବା ଜଣେ ୧୬ ବର୍ଷର ବାଳକର ଶିବକୁ ଖୋଜିବାର କଥା ମନେ ପକାଇ କୁହନ୍ତି, ‘‘ସେ ପିଲାଟି ଯେଉଁଠି ବୁଡ଼ି ଯାଇଥିଲା, ମୁଁ ସେହି ସ୍ଥାନରେ ତା’କୁ ଖୋଜିବାକୁ ଚେଷ୍ଟା କଲି, କିନ୍ତୁ ସେଠାରେ ତା’ର ସନ୍ଧାନ ମିଳିଲା ନାହିଁ। ଏହାପରେ ମୁଁ ନିଜ ନାକରେ ଏକ ଟ୍ୟୁବ ଲଗାଇଲି ଏବଂ ତା’କୁ ଏକ ପାଇପ ଜରିଆରେ ଯୋଡ଼ିଲି, ଯାହାଫଳରେ ପାଣିରେ ମୁଁ ଅଣନିଃଶ୍ୱାସୀ ହେବି ନାହିଁ ।’’
ସନ୍ଧ୍ୟାର ବିଳମ୍ବିତ ପ୍ରହରରେ ତାଙ୍କୁ ଶବର ସନ୍ଧାନ ମିଳିଲା। ସେ କୁହନ୍ତି, ‘‘ଶବ କେନାଲର ଅନ୍ୟ ଏକ ପାର୍ଶ୍ୱରେ ମିଳିଥିଲା ଏବଂ ସେହି ସ୍ଥାନ ପାଖାପାଖି ୨୫ ଫୁଟ ଗଭୀର ଥିଲା। ମୁଁ ଓ ସୋହନ, ଦୁହେଁ ମିଶି ଶବ ଖୋଜୁଥିଲୁ। ସୋହନ ମୋତେ କହିଥିଲେ ଯେ ଶବକୁ ବାହାରକୁ ଆଣିବା ପାଇଁ ଆସନ୍ତାକାଲି ପୁଣିଥରେ ଆମକୁ ଆସିବାକୁ ହେବ । କିନ୍ତୁ ଆମେ ଯେତେବେଳେ ପରଦିନ ସେଠାରେ ପହଞ୍ଚିଲୁ, ଶବ ସେଠାରୁ ଗାଏବ ହୋଇଯାଇଥିଲା। ତାହା ଭାସି ଯାଇ ଅନ୍ୟ ପାର୍ଶ୍ୱରେ ଲାଗିଥିଲା ଏବଂ ସେଠାରେ କେନାଲର ତଳମୁଣ୍ଡରେ ପଡ଼ି ରହିଥିଲା।’’ ଶବକୁ ବାହାର କରି ଆଣିବା ଲାଗି ଉଦ୍ଧାରକାରୀ ବୁଡ଼ାଳିଙ୍କୁ ପ୍ରାୟ ତିନି ଘଣ୍ଟା ଲାଗିଲା। ଗଗନଦୀପ କୁହନ୍ତି, ‘‘ଆମକୁ ଅତି କମ୍ରେ ୨୦୦ ଥର ପାଣିରେ ବୁଡ଼ିବାକୁ ପଡ଼ିଥିଲା। ବେଳେବେଳେ ମୁଁ ନିଜକୁ ପଚାରିଥାଏ ଯେ ମୁଁ ଏ କ’ଣ କରୁଛି… କିନ୍ତୁ କେବେ ଏ କାମ ଛାଡ଼ିବା ବିଷୟରେ ଚିନ୍ତା କରିନାହିଁ । ମାନବତାର ସେବା କରିବା ଯଦି ମୋ ଭାଗ୍ୟରେ ଲେଖା ତା’ହେଲେ କେହି ତା’କୁ ବଦଳାଇ ପାରିବେ ନାହିଁ ।’’
ତେବେ, ସୋହନ ପାଣି ଭିତରେ ଜୀବନର ଜଟିଳତାକୁ ଦେଖିବାକୁ ପାଆନ୍ତି। ଏହା ହିଁ ଅନେକ କାରଣ ମଧ୍ୟରୁ ଗୋଟିଏ ଯାହାପାଇଁ ପ୍ରତି ସନ୍ଧ୍ୟାରେ ଏବଂ ଯେତେବେଳେ ବି ତାଙ୍କ ପାଖରେ ସମୟ ଥାଏ, ସେ ନିଶ୍ଚିତ ଭାବେ ତିବଡ଼ୀର ସେତୁ ଉପରକୁ ଥରେ ଆସିଥାନ୍ତି। ସେ କୁହନ୍ତି, ‘‘ମୋତେ ଏବେ ପହଁରିବାକୁ ଭଲ ଲାଗୁ ନାହିଁ। ମୁଁ ସବୁ (ଖରାପ) ଘଟଣାର ସ୍ମୃତିକୁ ନିଜ ମନରୁ ବାହାର କରିଥାଏ। ‘‘ପ୍ରତ୍ୟେକ ଥର ଆମେ କୌଣସି ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିବା ସମୟରେ, ସେହି ବ୍ୟକ୍ତିଙ୍କ ପ୍ରିୟଜନଙ୍କୁ ସାମାନ୍ୟ ମୃତ ଅବସ୍ଥାରେ ଦେଖିଥାଉ। ସେମାନେ କାନ୍ଦନ୍ତି ଏବଂ ଏହି ଅନୁଶୋଚନା ସହିତ ଶବ ନେଇ ଫେରନ୍ତି ଯେ- ସେହି ବ୍ୟକ୍ତିଙ୍କର ଏମିତି ମୃତ୍ୟୁବରଣ କରିବାର ନଥିଲା।’’
ସୋହନଙ୍କ ଦୃଷ୍ଟିରେ ସେହି କେନାଲ ଓ ଏହାର ପାଣି ବିଶେଷ ଗୁରୁତ୍ୱ ବହନ କରିଥାଏ। ୨୦୦୪ ମସିହାରେ, ତାଙ୍କୁ ମୋରୋକ୍କୋ ଯାଇ ରହିବା ଓ କାମ କରିବା ଲାଗି ସୁଯୋଗ ମିଳିଥିଲା। ଏହା ଏକ ଉତ୍ତର ଆଫ୍ରିକୀୟ ଦେଶ ଯାହାର ସୀମା ଆଟଲାଣ୍ଟିକ ସାଗର ଓ ଭୂମଧ୍ୟସାଗର ସହ ଲାଗି ରହିଛି । କିନ୍ତୁ ଏହି କେନାଲର ସ୍ମୃତି ସୋହନଙ୍କୁ ବେଶୀ ଦିନ ଦୂରରେ ରହିବାକୁ ଦେଲା ନାହିଁ। ସେ ମାତ୍ର ଚାରି ବର୍ଷ ମଧ୍ୟରେ ଫେରି ଆସିଲେ। ସେଠାରେ ଛୋଟମୋଟ କାମରେ ତାଙ୍କର ମନ ଲାଗିଲା ନାହିଁ। ସେ ନିଜ କାମକୁ ବାହାରିବା ପାଇଁ ପ୍ରସ୍ତୁତି କରିବା ସମୟରେ କୁହନ୍ତି, ‘‘ମୁଁ ଯେତେବେଳେ ସେଠାରେ ଥିଲି, ତିବଡ଼ୀ କଥା ମୋର ମନେ ପଡ଼ୁଥିଲା। ଅନ୍ୟପଟେ ଏବେ ମୁଁ ନିଜର ଖାଲି ସମୟରେ କେନାଲ ପାଖରେ ରହି ପାଣିକୁ ଚାହିଁ ବିତାଇ ଦେଉଛି।’’ ଏତିକି କହି ସେ ନିଜର ମୋଟର ସାଇକେଲରେ ଲାଗିଥିବା ଡାଲାରେ, ଆଳୁ, ପିଆଜ, ବିଲାତି ବାଇଗଣ ଓ ଅନ୍ୟାନ୍ୟ ପନିପରିବା ଲଦି ସଡ଼କର ଅନ୍ୟ ପାର୍ଶ୍ୱ ଆଡ଼କୁ ଗ୍ରାହକଙ୍କ ସନ୍ଧାନରେ ବାହାରି ଯାଇଥିଲେ।
ଏହି ଷ୍ଟୋରୀକୁ ପ୍ରସ୍ତୁତ କରିବାରେ ସହାୟତା ନିମନ୍ତେ ସୁମେଧା ମିତ୍ତଲଙ୍କୁ ଲେଖକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଯଦି ଆପଣଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ଆସୁଛି କିମ୍ବା ଆପଣ ଏମିତି କୌଣସି ଲୋକକୁ ଜାଣନ୍ତି ଯିଏ ସଙ୍କଟରେ ପଡ଼ିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ ‘କିରଣ’କୁ ୧୮୦୦-୫୯୯-୦୦୧୯ (୨୪/୭ ଟୋଲ ଫ୍ରି) ନମ୍ବରରେ କିମ୍ବା ଏଥିମଧ୍ୟରୁ କୌଣସି ନିକଟସ୍ଥ ହେଲ୍ପଲାଇନ ନମ୍ବରକୁ କଲ୍ କରନ୍ତୁ । ମାନସିକ ସ୍ୱାସ୍ଥ୍ୟ ପେସାଦାରଙ୍କ ସହାୟତା ଓ ସେବା ପାଇଁ ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଦେଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍