ରମେଶ କୁମାର ଗୋଟିଏ ସାଇକେଲ ନେଇ ସିଂଘୁ ଆସିଛନ୍ତି। ପଞ୍ଜାବର ହୋସିଆରପୁରରୁ ହରିୟାଣା-ଦିଲ୍ଲୀ ସୀମାସ୍ଥିତ ବିକ୍ଷୋଭସ୍ଥଳ ଯାଏଁ ୪୦୦ କିଲୋମିଟର ଯାତ୍ରା କରିବାକୁ ତାଙ୍କୁ ୨୨ ଘଣ୍ଟା ସମୟ ଲାଗିଲା । ତାଙ୍କର ଭଉଣୀ, ପୁଅ ଓ ବୋହୂ ସେମାନଙ୍କର କାର୍ ନେଇ ପଛେ ପଛେ ଆସିଲେ, ଯେତେବେଳେ କି ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର, ୬୧ ବର୍ଷୀୟ ରମେଶ ସାଇକେଲରେ ଆସିଲେ।
ସେ କହନ୍ତି,‘‘ମୁଁ ଏହି କୃଷକ ଆନ୍ଦୋଳନର ଅଂଶ ହେବାକୁ ଚାହୁଁଥିଲି ।’’ ଏଣୁ ସେ ଆସନ୍ତାକାଲି ଜାନୁଆରୀ ୨୬ରେ ହେବାକୁ ଥିବା ଗଣତନ୍ତ୍ର ଦିବସ କୃଷକ ପ୍ୟାରେଡ୍ରେ ଯୋଗଦେବାକୁ ଏଠାକୁ ଆସିଛନ୍ତି ।
ସେ ଆହୁରି କହନ୍ତି,‘‘ସରକାର ଭାବିପାରନ୍ତି ଯେ ଯଦି ସେ ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବେ, ତେବେ ଲୋକଙ୍କ ଭିତରେ ସରକାରଙ୍କର ସମ୍ମାନ କମିଯିବ।’’ ‘‘କିନ୍ତୁ ଏହା ଠିକ୍ ନୁହେଁ । ଏହାଦ୍ୱାରା ସରକାର ଲୋକଙ୍କଠାରୁ ଅଧିକ ସମ୍ମାନ ପାଇବେ।’’
ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।
ଏହି ସମୟ ମଧ୍ୟରେ, ଆସନ୍ତାକାଲିର ପ୍ୟାରେଡର ପ୍ରସ୍ତୁତି ଭାବେ ସିଂଘୁ ସୀମାରେ ଟ୍ରାକ୍ଟର ଗୁଡ଼ିକୁ ଫୁଲମାଳ, ପତାକା ଏବଂ ରଙ୍ଗୀନ କାଗଜରେ ସଜ୍ଜିତ କରାଯାଇଛି । ଉପରେ ଚଢ଼ିଥିବା ଟ୍ରାକ୍ଟରଗୁଡ଼ିକୁ ଗୋଟିଏ ଧାଡ଼ିରେ ରଖାଯାଇଛି, ଯାହା ଫଳରେ ଯେତେବେଳେ ପ୍ୟାରେଡ୍ ଆରମ୍ଭ ହେବ ସେଗୁଡ଼ିକ ଚାଲିବା ଆରମ୍ଭ କରିବା ସହଜ ହେବ।
ଅନୁବାଦ - ଓଡ଼ିଶାଲାଇଭ୍