ବଜରଡିହାର ସଙ୍କୀର୍ଣ୍ଣ ଗଳିରେ ପାୱାରଲୁମ୍ (ବିଦ୍ୟୁତ ଚାଳିତ ତନ୍ତ) କର୍କଶ ଶବ୍ଦ ମଧ୍ୟରେ ୱସୀମ ଅକ୍ରମ ନିଜ କାମରେ ବ୍ୟସ୍ତ ରହିଛନ୍ତି। ସେ ୧୪ ବର୍ଷ ବୟସରୁ ଇଟା-ସିମେଣ୍ଟରେ ନିର୍ମିତ ସେହି ଦୁଇ ମହଲା ଘରେ ବୁଣାକାର ଭାବେ କାମ କରିଥାନ୍ତି, ଯାହାକି ଅନେକ ପିଢ଼ି ଧରି ଏହି କାମର ସାକ୍ଷୀ ରହିଛି। ତାଙ୍କ ପରିବାରରେ ଦୀର୍ଘ ଦିନରୁ ବନାରସୀ ଶାଢ଼ୀ ବୁଣିବାର ପରମ୍ପରା ପ୍ରଚଳିତ ହୋଇ ରହିଆସିଛି।

ସେ କୁହନ୍ତି ତାଙ୍କର ଦାଦା-ପରଦାଦା (ଜେଜେବାପା-ଅଣଜେଜେବାପା) ହସ୍ତତନ୍ତରେ ଲୁଗା ବୁଣିବା କାମ କରୁଥିଲେ। କିନ୍ତୁ ତାଙ୍କ ପିଢ଼ିରେ ଅଧିକାଂଶ ପାୱାରଲୁମରେ ହିଁ ଲୁଗା ବୁଣିବା ଶିଖିଛନ୍ତି। ୩୨ ବର୍ଷୀୟ ୱସୀମ କୁହନ୍ତି, “୨୦୦୦ ମସିହା ବେଳକୁ ଏଠାକୁ ପାୱାରଲୁମ ଆସିଥିଲା। ପିଲାଦିନେ ମୁଁ କେବେ ବି ସ୍କୁଲ ଯାଇନାହିଁ ଏବଂ ତନ୍ତରେ ଲୁଗା ବୁଣିବା କାମ ଆରମ୍ଭ କରିଛି।”

ବାରାଣସୀର ବଜରଡିହା ଇଲାକାରେ ୧,୦୦୦ରୁ ଅଧିକ ବୁଣାକାର ପରିବାର (ସ୍ଥାନୀୟ ବୁଣାକାରଙ୍କ ଅନୁମାନ ଅନୁଯାୟୀ) ରହିଥାନ୍ତି ଏବଂ ବୁଣାକାରଙ୍କ କାମ କରିଥାନ୍ତି। ସେମାନେ ରାସନ ପାଇବା, ଋଣ ହାସଲ କରିବା ଏବଂ କ୍ରେତାମାନଙ୍କଠାରୁ ମୋଟା ଅଙ୍କରେ ଅର୍ଡର ପାଇବାରେ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ଫଳରେ ସମସ୍ତଙ୍କୁ କାମ ମିଳିପାରିଥାଏ।

କିନ୍ତୁ ମାର୍ଚ୍ଚ ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ କାରଣରୁ ତନ୍ତ ଚାଲିବା ବନ୍ଦ ହୋଇଥିଲା। ଏଠାକାର ବୁଣାକାର (ବୁଣାକାର, ତନ୍ତ ମାଲିକ, ଏବଂ ଲୁଗା ବୁଣିବା ବ୍ୟବସାୟରେ କାର୍ଯ୍ୟରତ ଅନ୍ୟ ଲୋକମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବୋଧନ କରାଯାଏ) ମାନଙ୍କ ପାଖରେ କିଛି କାମ ନଥିଲା। ଶାଢ଼ି ଅର୍ଡର ରଦ୍ଦ କରି ଦିଆଯାଇଥିଲା ଏବଂ ୱାର୍କସପ ବନ୍ଦ କରି ଦିଆଯାଇଥିଲା। ୱସୀମ କୁହନ୍ତି, “ମୋର ସବୁତକ ସଞ୍ଚୟ ଲକଡାଉନର ପ୍ରାରମ୍ଭିକ ୨-୪ ମାସ ମଧ୍ୟରେ ସରିଗଲା। ମୁଁ (ରାଜ୍ୟ ପରିଚାଳିତ) ବୁଣାକାର ସେବା କେନ୍ଦ୍ର ଯାଇ ପଚାରିଥିଲି ଯେ ଆମ ପାଇଁ (ସେହି ଅବଧିରେ) କିଛି ଯୋଜନା ରହିଛି କି; କିନ୍ତୁ କୌଣସି ଯୋଜନା ଆମ ପାଇଁ ସେତେବେଳେ ନଥିଲା।”

ଭିଡିଓ ଦେଖନ୍ତୁ ‘ଆମେ ଚାହୁଁଛୁ ଯେ ସରକାର ସବସିଡି ଦେବା ଜାରି ରଖନ୍ତୁ’

୨୦୨୦ରେ ଲାଗୁ ହୋଇଥିବା ଲକଡାଉନ ଯେତେବେଳେ କୋହଳ ହେଲା, ୱସୀମ ବାରାଣସୀର ନିର୍ମାଣ ସ୍ଥଳୀରେ କାମ କରିବା ଆରମ୍ଭ କଲେ, ସେଥିରୁ ୩୦୦-୪୦୦ ଟଙ୍କା ଦୈନିକ ରୋଜଗାର ହେଲା। ବଜରଡିହାର ଅନ୍ୟ କିଛି ବୁଣାକାର ମଧ୍ୟ ଏହି କାମ କଲେ। ଆଉ କିଛି ଭଡ଼ାରେ ଆଣି ଅଟୋ ରିକ୍ସା ଚଳାଇଲେ। ୨୦୨୧ରେ ଲାଗୁ ଲକଡାଉନ ସମୟରେ ସେମାନଙ୍କ ଅବସ୍ଥା ଠିକ୍ ସେହିପରି ହୋଇଥିଲା। ଅକରମ କିଛି ମାସ ପୂର୍ବରୁ ମୋତେ କହିଥିଲେ, “ଏବେ ଆମେ ଦିନ ମଜୁରିଆ ଏବଂ ଅଟୋ ଡ୍ରାଇଭର ଭାବେ କାମ କରୁଛୁ। ଜାଣିନାହୁଁ କେତେ ଦିନ ପର୍ଯ୍ୟନ୍ତ ଏପରି ଚାଲିବ।”

ଅକ୍ରମଙ୍କ ଛୋଟ ୱାର୍କସପର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଦୁଇଟି କୋଠରୀରେ ତିନୋଟି ପାୱାରଲୁମ୍ ରହିଛି। ତାଙ୍କର ୧୫ ସଦସ୍ୟ ବିଶିଷ୍ଟ ପରିବାର ପ୍ରଥମ ମହଲାରେ ରହିଥାନ୍ତି। ସେ କୁହନ୍ତି, “ପ୍ରଥମେ ଲକଡାଉନ କାରଣରୁ ଆମ କାମ ବନ୍ଦ ହୋଇଯାଇଥିଲା, ଏହାପରେ ତିନି ମାସ (ଜୁଲାଇ ମାସଠାରୁ) ଆମ ତନ୍ତ ଚାରି ପାଖରେ ଏକ ଫୁଟର ପାଣି ଜମି ରହିଥିଲା।” ଏହି ସମୟରେ କେବଳ ଗୋଟିଏ ତନ୍ତ ଚାଲିପାରୁଥିଲା, କାରଣ ତାହା ଏକ ଉଚ୍ଚ ପିଣ୍ଡି ଉପରେ ରଖାଯାଇଥିଲା।

ପ୍ରତିବର୍ଷ ପାଖାପାଖି ଅକ୍ଟୋବର ସୁଦ୍ଧା, ବର୍ଷା ପାଣି ନର୍ଦ୍ଦମା ଜଳ ସହ ମିଶି ବଜରଡିହାର ଘର ଏବଂ ୱାର୍କସପର ଗ୍ରାଉଣ୍ଡ ଫ୍ଲୋରରେ ଜମି ଯାଇଥାଏ। ପାୱାରଲୁମର ସବୁଠୁ ନିମ୍ନ ଭାଗ, ଯାହାକି ସାଧାରଣତଃ ଚଟାଣଠାରୁ ନିମ୍ନରେ ଥାଏ, ତାହା ମଧ୍ୟ ବୁଡ଼ି ଯାଇଥାଏ। ଅକରମ କୁହନ୍ତି, “ଯଦି ଆମେ ତନ୍ତ ଚଲାଇବା ଆରମ୍ଭ କରିବୁ, ମରିଯିବୁ। କିଛି ଗୋଟେ କରିବା ଲାଗି ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ, କିନ୍ତୁ ଆମ କଥା କେହି ଶୁଣନ୍ତି ନାହିଁ।”

ଏଠାରୁ କିଛି ଦୂରରେ ରହୁଥିବା ଏବଂ ଛଅଟି ପାୱାରଲୁମ ମାଲିକ ୩୫ ବର୍ଷୀୟ ଗୁଲଜାର ଅହମ୍ମଦ କୁହନ୍ତି, “ଆମେ ପାଣି କମିବାକୁ ଅପେକ୍ଷା କରିଛୁ। ଦୀର୍ଘବର୍ଷ ହେବ ଏପରି ଚାଲିଛି; ଆମେ ଅଭିଯୋଗ କରିଛୁ, ତଥାପି ଆମକୁ ସବୁବର୍ଷ ଏ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।”

Weavers and powerloom owners (l to r) Guljar Ahmad, Wasim Akram, Riyajudin Ansari: 'Because of Covid we will take some time to recover. But if the subsidy is removed there is no way we can survive'
PHOTO • Samiksha
Weavers and powerloom owners (l to r) Guljar Ahmad, Wasim Akram, Riyajudin Ansari: 'Because of Covid we will take some time to recover. But if the subsidy is removed there is no way we can survive'
PHOTO • Samiksha
Weavers and powerloom owners (l to r) Guljar Ahmad, Wasim Akram, Riyajudin Ansari: 'Because of Covid we will take some time to recover. But if the subsidy is removed there is no way we can survive'
PHOTO • Samiksha

ବୁଣାକାର ଏବଂ ବିଦ୍ୟୁତ ଚାଳିତ ତନ୍ତର ମାଲିକ (ବାମରୁ ଡାହାଣ) ଗୁଲଜାର ଅହମ୍ମଦ, ୱସିମ୍ ଅକ୍ରମ, ରିୟାଜୁଦ୍ଦିନ ଅନସାରୀ। ‘କୋଭିଡ କାରଣରୁ ଆମକୁ ସ୍ୱାଭାବିକ ସ୍ଥିତିକୁ ଫେରିବା ଲାଗି କିଛି ସମୟ ଲାଗିବ। କିନ୍ତୁ ଯଦି ସବସିଡି ପ୍ରତ୍ୟାହାର କରି ନିଆଯିବ, ତା’ହେଲେ ଆମେ ବରବାଦ ହୋଇଯିବୁ’

ବଜରଡିହାର ବୁଣାକାର ଏବଂ ତନ୍ତ ମାଲିକମାନେ ଗତ ବର୍ଷ ଲକଡାଉନ ପୂର୍ବରୁ ବଡ଼ କ୍ଷତି ସହିସାରିଥିଲେ। କାରଣ ଉତ୍ତର ପ୍ରଦେଶ ସରକାର ବୁଣାକାରମାନଙ୍କୁ ମିଳୁଥିବା ବିଦ୍ୟୁତ ବିଲ ସବସିଡିକୁ ରଦ୍ଦ କରି ଦେଇଥିଲେ ଏବଂ ଏକ ନୂଆ ବ୍ୟାବସାୟିକ ଦର ନେଇ ଆସିଥିଲେ।

ବ୍ୟବସାୟୀ ଓ ବୁଣାକାରମାନଙ୍କର ସଂଘ, ବୁଣାକାର ଉଦ୍ୟୋଗ ଫାଉଣ୍ଡେସନର ମହାସଚିବ ଜୁବୈର ଆଦିଲ କୁହନ୍ତି, “ନୂଆ ବିଦ୍ୟୁତ ଶୁଳ୍କ ବିଷୟରେ ସରକାରୀ ନୋଟିସ ୧ ଜାନୁଆରୀ, ୨୦୨୦ରେ ଜାରି କରାଯାଇଥିଲା। ଏହାପରେ ଗୋରଖପୁର, ବାରାଣସୀ, କାନପୁର, ଲକ୍ଷ୍ନୌ ଏବଂ ୟୁପିର ଅନ୍ୟ ସ୍ଥାନରେ ଥିବା ଆମର ପ୍ରତିନିଧିମାନେ ନୂଆ ବିଦ୍ୟୁତ ଶୁଳ୍କକୁ ବିରୋଧ କରିବା ଲାଗି ଏକଜୁଟ ହୋଇଥିଲେ। ଆମେ ଏହି ପ୍ରୟାସରେ ଲାଗି ରହିଥିବା ବେଳେ ଲକଡାଉନ ଘୋଷଣା କରାଯାଇଥିଲା। ଜୁନ (୨୦୨୦)ରେ ଯେତେବେଳେ କଟକଣା କୋହଳ ହେଲା, ଆମେ ପୁଣିଥରେ ବିରୋଧ ପ୍ରଦର୍ଶନ କଲୁ ଏବଂ ଅଗଷ୍ଟ ମାସରେ ତିନି ଦିନିଆ ଅନଶନରେ ବସିଲୁ। ଲକ୍ଷ୍ନୌର ପ୍ରଶାସନିକ ଅଧିକାରୀମାନେ ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଆଦେଶକୁ ପ୍ରତ୍ୟାହାର କରିନେବେ। କିନ୍ତୁ କିଛି ହେଲା ନାହିଁ। ସେଥିପାଇଁ, ଆମେ ୧ ସେପ୍ଟେମ୍ବର (୨୦୨୦)ରେ ପୁଣିଥରେ ଅନଶନରେ ବସିଲୁ ଏବଂ ଲିଖିତ ପ୍ରତିଶ୍ରୁତି ପାଇଁ ଦାବି କଲୁ। ମାତ୍ର ତାହା ନକରି ଅଧିକାରୀମାନେ ଗଣମାଧ୍ୟମରେ ଆଦେଶ ପ୍ରତ୍ୟାହାର କରିନିଆଯିବା ସମ୍ପର୍କରେ ବୟାନ ଦେଲେ। ଯେହେତୁ ଆମକୁ କୌଣସି ଲିଖିତ ଦସ୍ତାବିଜ ମିଳିନାହିଁ, ସେଥିପାଇଁ ଅନେକ ଥର ବିଦ୍ୟୁତ ବୋର୍ଡର ଲୋକମାନେ ଆସି ବୁଣାକାରଙ୍କଠାରୁ ନୂଆ ତାରିଫ (ଶୁଳ୍କ) ଆଦାୟ କରି ନେଉଛନ୍ତି ଏବଂ ତାହା ନମିଳିଲେ ବିଦ୍ୟୁତ ସଂଯୋଗ କାଟି ଦେଉଛନ୍ତି। ଏଥିପାଇଁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।”

ପ୍ରତ୍ୟେକ ତନ୍ତ ପିଛା ସବସିଡିଯୁକ୍ତ ବିଦ୍ୟୁତ ଶୁଳ୍କ ମାସିକ ୭୧ ଟଙ୍କାରୁ ଆରମ୍ଭ ହୋଇଥାଏ, ଗୁଲଜାରଙ୍କୁ ମାସିକ ୭୦୦-୮୦୦ ଟଙ୍କା ବିଲ୍‌ ଦେବାକୁ ପଡ଼ିଥାଏ। ସେ କୁହନ୍ତି, ଫେବୃଆରୀ ୨୦୨୦ ଠାରୁ ୟୁନିଟ୍ ପିଛା ଦର ଲାଗୁ ହେବା ପରେ, ତାଙ୍କର ବିଲ ବୃଦ୍ଧି ପାଇ ୧୪,୦୦୦-୧୫୦୦୦ ଟଙ୍କା ଆସିଲା। ଅନ୍ୟମାନଙ୍କୁ ମଧ୍ୟ ଏହିପରି ମୋଟା ଅଙ୍କର ବିଲ୍ ମିଳିଲା। ଯାହାଫଳରେ ବହୁ ଲୋକ ବିଲ୍ ପଇଠ କରିବାକୁ ମନା କରି ଦେଲେ। କିଛି ଲୋକ ମେସିନ ଚାଲୁ କରିବା ଲାଗି ଅଧା ଟଙ୍କା ଜମା କଲେ, ଆଉ କିଛି ବିରୋଧ କଲେ। ଏହାର ତୁରନ୍ତ ପରେ ମାର୍ଚ୍ଚ ୨୦୨୦ରେ ଲକଡାଉନ ଘୋଷଣା ହେଲା ଏବଂ ଲୁଗାବୁଣା ତନ୍ତ ପ୍ରାୟତଃ ବନ୍ଦ ହୋଇଗଲା, କିନ୍ତୁ ସରକାରଙ୍କ ସହିତ କଥାବାର୍ତ୍ତା ଜାରି ରହିଲା। ଗୁଲଜାର କୁହନ୍ତି, “ମୋତେ ଅନେକ ଥର ବିଦ୍ୟୁତ ବୋର୍ଡର ଚକ୍କର କାଟିବାକୁ ପଡ଼ିଲା।” ଜୁନ ୨୦୨୧ରେ ଯାଇ ସେ ଏବଂ ବଜରଡିହାର ଅନ୍ୟ ବୁଣାକାର ଓ ତନ୍ତ ମାଲିକମାନେ ସବସିଡିଯୁକ୍ତ ବିଲ୍‌ ଦରକୁ ଫେରି ଆସିପାରିଲେ।

୪୪ ବର୍ଷୀୟ ରିୟାଜୁଦ୍ଦିନ ଅନସାରୀ ପ୍ରଶ୍ନ କରନ୍ତି, “ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଏବଂ କୌଣସି କାମ ନଥିବା କାରଣରୁ, ଆମେ ବର୍ଦ୍ଧିତ ବିଲ୍‌ର ପରିଶୋଧ କିପରି କରିପାରିବୁ ଏବଂ ନିଜର ବ୍ୟବସାୟ କିଭଳି ଚଲାଇପାରିବୁ। ରିୟାଜୁଦ୍ଦିନ, ଅକ୍ରମଙ୍କଠାରୁ ତିନୋଟି ଘର ଦୂରରେ ରହିଥାନ୍ତି । ସେ ସାତଟି ପାୱାରଲୁମ୍ ଥିବା ଏକ କର୍ମଶାଳା ଚଳାଇଥାନ୍ତି।

In the Bazardiha locality of Varanasi, over 1,000 families live and work as a community of weavers (the photo is of Mohd Ramjan at work), creating the famous Banarasi sarees that are sold by shops (the one on the right is in the city's Sonarpura locality), showrooms and other outlets
PHOTO • Samiksha
In the Bazardiha locality of Varanasi, over 1,000 families live and work as a community of weavers (the photo is of Mohd Ramjan at work), creating the famous Banarasi sarees that are sold by shops (the one on the right is in the city's Sonarpura locality), showrooms and other outlets
PHOTO • Samiksha

ବାରାଣସୀର ବଜରଡିହା ଇଲାକାରେ ୧,୦୦୦ ରୁ ଅଧିକ ପରିବାର ବୁଣାକାର ସମୁଦାୟର ଅଟନ୍ତି ଏବଂ ଲୁଗାବୁଣା କାମ କରିଥାନ୍ତି (କାମ କରୁଥିବା ସମୟରେ ମହମ୍ମଦ ରମଜାନଙ୍କ ଫଟୋ); ଏଥିସହିତ ସେମାନେ ଦୋକାନ (ଡାହାଣ ପଟେ, ସହରର ସୋନାରାପୁରା ଇଲାକାର ଏକ ଦୋକାନର ଫଟୋ), ଶୋରୁମ ଏବଂ ଅନ୍ୟ ଆଉଟଲେଟରେ ବିକ୍ରି ହେଉଥିବା ପ୍ରସିଦ୍ଧ ବନାରସୀ ଶାଢ଼ି ତିଆରି କରିଥାନ୍ତି

ଜୁନ ୨୦୨୦ରେ ଲକଡାଉନ କୋହଳ ହେବା ପରେ ମଧ୍ୟ ବୁଣାକାରମାନଙ୍କୁ ଶାଢ଼ିର ଅଧିକ ଅର୍ଡର ମିଳିନଥିଲା; ଅକ୍ଟୋବରରେ ଯାଇ ଅର୍ଡର ବୃଦ୍ଧି ପାଇଲା। ରିୟାଜୁଦ୍ଦିନ ଗତ ବର୍ଷର ସବୁଠୁ ଅଧିକ ବିକ୍ରି ମାସ ବିଷୟରେ କହିଥିଲେ, “ବନାରସୀ ଶାଢ଼ି କେବଳ ବନାରସରେ ବିକ୍ରି ହୋଇନଥାଏ, ବରଂ ଦଶହରା, ଦୀପାବଳି ଓ ବାହାଘର ସିଜନରେ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଇଥାଏ। କେହି ଯେତେବେଳେ କିଛି ପର୍ବପର୍ବାଣୀ ପାଳନ କରୁନାହାନ୍ତି, ଆମ ବ୍ୟବସାୟ ଚାଲିବ କିପରି?”

ଠିକ୍ ଅର୍ଡର ବୃଦ୍ଧି ପାଇବାକୁ ଲାଗିବା ସମୟରେ, ଏପ୍ରିଲ ୨୦୨୧ରେ ଦ୍ୱିତୀୟ ଲକଡାଉନ ଘୋଷଣା କରାଗଲା। ଅନସାରୀ କୁହନ୍ତି, “କୋଭିଡ ଲହରୀ ଦୁଇ ଥର ଆସିଲା, କିନ୍ତୁ ଦ୍ୱିତୀୟ ଲକଡାଉନ ସମୟରେ କ୍ଷୁଧାର ଯନ୍ତ୍ରଣା ଅଧିକ ଥିଲା।” ସେ କୁହନ୍ତି, ତାଙ୍କ ଅଞ୍ଚଳରେ ବହୁ ପରିବାର ନିଜ ଗହଣା ବିକ୍ରି କରିଦେଲେ, ଋଣ କଲେ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ ଏବଂ ଅନ୍ୟ ଅଣ ସରକାରୀ ସଂଗଠନ ପକ୍ଷରୁ ମିଳୁଥିବା ସହାୟତା ଉପରେ ନିର୍ଭରଶୀଳ ହୋଇଯାଇଥିଲେ।

ଅଗଷ୍ଟ ୨୦୨୧ରେ ପୁଣିଥରେ ନିୟମିତ ଭାବେ ଶାଢ଼ି ଅର୍ଡର ମିଳିବାକୁ ଲାଗିଲା। କିନ୍ତୁ ମୂଲ୍ୟରେ ହ୍ରାସ ଦେଖାଦେଲା। ଗୁଲଜାର କୁହନ୍ତି, “ଯେଉଁ ଶାଢ଼ି ୧,୨୦୦ ଟଙ୍କାରେ ବିକ୍ରି ହେଉଥିଲା (ମହାମାରୀ ପୂର୍ବରୁ), ଏବେ ସେଗୁଡ଼ିକ ୫୦୦-୬୦୦ ଟଙ୍କାରେ ବିକ୍ରି ହେଉଛି। ବୁଣାକାରମାନଙ୍କୁ ସେମାନଙ୍କର ଭାଗ ଦେବା ପରେ, ଆମ ପାଖରେ ଅତି କଷ୍ଟରେ ୨୦୦-୩୦୦ ଟଙ୍କା ବଳକା ରହୁଛି।” ତାଙ୍କୁ ମଧ୍ୟ ରିୟାଜୁଦ୍ଦିନଙ୍କ ଭଳି ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ, ୩୦-୪୦ ଶାଢ଼ି (ଦୋକାନ, ଶୋରୁମ, କମ୍ପାନୀ ଏବଂ ଅନ୍ୟ ଆଉଟଲେଟ୍ ଏଜେଣ୍ଟମାନଙ୍କ ଠାରୁ) ଅର୍ଡର ମିଳି ଯାଉଥିଲା; ଏବେ ସେମାନଙ୍କୁ ଅଳ୍ପ ଦରରେ ଅତି କଷ୍ଟରେ ୧୦ଟି ଅର୍ଡର ମିଳୁଛି।

ଗୁଲଜାର କୁହନ୍ତି, “ସରକାର ନୂଆ ବିଦ୍ୟୁତ ଶୁଳ୍କ ଦର ପ୍ରତ୍ୟାହାର କରିବା ଲାଗି କୌଣସି ବିଧିବଦ୍ଧ ଲିଖିତ ଆଦେଶ ଦେଇନାହାନ୍ତି। ଯଦି ସେମାନେ (ଉତ୍ତର ପ୍ରଦେଶ ବିଧାନସଭା) ନିର୍ବାଚନ ପରେ ନୂଆ ଦର ଲାଗୁ କରନ୍ତି, ତା’ହେଲେ ଆମେ ବ୍ୟବସାୟକୁ ଆଉ ଅଧିକ ଚଳାଇପାରିବୁ ନାହିଁ। କିନ୍ତୁ ଯଦି ସବସିଡି ଉଚ୍ଛେଦ କରାଯିବ, ତା’ହେଲେ ଆମେ ବରବାଦ ହୋଇଯିବୁ।”

ପ୍ରଚ୍ଛଦ ଫଟୋ : ବାରାଣସୀର ସାରନାଥ ଇଲାକାରେ ପାୱାରଲୁମ୍ ରେ କାମ କରୁଥିବା ଜଣେ ବୁଣାକାର (ଫଟୋ : ସମୀକ୍ଷା)

ଅନୁବାଦ : ଓଡ଼ିଶାଲାଇଭ୍‍

Samiksha

বারাণসী নিবাসী সমীক্ষা স্বতন্ত্র মাল্টিমিডিয়া সাংবাদিক। তিনি ২০২১ সালে 'ইন ওল্ড নিউজ' এবং 'ইন্টারনিউজ' নামে দুটি অলাভজনক মিডিয়া সংগঠনের তরফ থেকে মোবাইল জার্নালিজম ফেলোশিপ পেয়েছেন।

Other stories by Samiksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE