ଅବିରତ ଭାବେ ପ୍ରାୟ ୧୨ଘଣ୍ଟା ପର୍ଯ୍ୟନ୍ତ ମଲ୍ଲକୁସ୍ତିର ବିବରଣୀ ପ୍ରଦାନ କରି ସେ ‘ଧାରାବିବରଣୀ’କୁ ଏକ ନୂଆ ଅର୍ଥ ପ୍ରଦାନ କରିଛନ୍ତି । ତାହା ମଧ୍ୟ ଟେଲିଭିଜନ୍‌ ବା ରେଡିଓ ନୁହେଁ ବରଂ ଜନସାଧାରଣଙ୍କୁ ସମ୍ବୋଧନ କରିବା ପ୍ରଣାଳୀ ମାଧ୍ୟମରେ । ବର୍ତ୍ତମାନ କୁସ୍ତିର  ବିବରଣୀ ଯେଉଁ ଶୈଳୀରେ ପ୍ରଦାନ କରାଯାଉଛି ତାହା ବାସ୍ତବରେ ଶଙ୍କରରାଓ ପୂଜାରୀ ଆବିଷ୍କାର କରିଛନ୍ତି । ମହାରାଷ୍ଟ୍ରରେ ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ବେଳେବେଳେ ତାଙ୍କ କାର୍ଯ୍ୟସୂଚୀ ସହିତ ଖାପଖାଇବା ଭଳି ତାରିଖଟିଏ ପାଇବା ପାଇଁ ପୂର୍ବନିର୍ଦ୍ଧାରିତ ତାରିଖ ପରିବର୍ତ୍ତନ କରିଦିଅନ୍ତି । ସେ କେବଳ ଭିଡ଼ ସହିତ କଥା ହୁଅନ୍ତି ତାହା ନୁହେଁ- ସେ ସେମାନଙ୍କୁ ଏହା ପ୍ରତି ଆକର୍ଷିତ କରିବାରେ ମଧ୍ୟ ସହାୟକ ହୋଇଥାନ୍ତି।

“ମଲ୍ଲକୁସ୍ତି ଖରାପ ସମୟ ଦେଇ ଗତି କରୁଥିବାବେଳ ଶଙ୍କରରାଓ ପୂଜାରୀଙ୍କ ଶୈଳୀ ଏହାକୁ ପୁନର୍ଜୀବିତ କରିବାରେ ସହାୟକ ହୋଇଛି’’ ବୋଲି ସାଙ୍ଗଲିର ବେଣାପୁରରେ ପୂର୍ବତନ ଶୀର୍ଷ ସ୍ଥାନୀୟ ଖେଳାଳି ରାଜେନ୍ଦ୍ର ସିନ୍ଧେ କହନ୍ତି । ତାଙ୍କର ବାଖ୍ୟାତ୍ମକ ଓ ଶିକ୍ଷଣୀୟ ଶୈଳୀ ଦ୍ୱାରା ଆକର୍ଷିତ ହୋଇ ବହୁତ ଲୋକ ସେଠାକୁ ଆସିଲେ । “ଏହାପରେ ଅନ୍ୟ ଉପାୟରେ ମଧ୍ୟ ଏହାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା ଆରମ୍ଭ କରାଗଲା । ଲୋକମାନେ ଜନ୍ମଦିନ ଉତ୍ସବମାନଙ୍କରେ ପ୍ରତିଯୋଗିତା ଆୟୋଜନ କରିବାକୁ ଆରମ୍ଭ କଲେ, ଅଧିକ କାର୍ଯ୍ୟକ୍ରମ ଅର୍ଥାତ୍‌ ଅଧିକ ମଲ୍ଲଯୋଦ୍ଧା ।

ମୁଖ୍ୟତଃ, ଏହି ବବରଣ ପ୍ରତିଯୋଗିତା ଆୟୋଜିତ ହୋଇଥିବା ସ୍ଥାନରେ ଉପସ୍ଥିତ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ । ଏହାର ଅର୍ଥ ହେଉଛି ଏକ ବିଶାଳ ପଡିଆରେ ପିଏ ସିଷ୍ଟମରେ ଏକାଧିକ ବକ୍ତାଙ୍କ ସମାଗମ ହେବା । କିନ୍ତୁ ରେଡିଓ ଜରିଆରେ କାହିଁକି ନୁହେଁ? “ସେପରି କରିବା କଷ୍ଟକର ହେବ” ବୋଲି  କୋହ୍ଲାପୁରର କୋଥାଳିରେ ଥିବା ତାଙ୍କ ଘରେ ପୂଜାରୀ କହନ୍ତି । “ଆମର ବ୍ୟବସ୍ଥା ଓ ଶୈଳୀ ଏଥିପାଇଁ ତିଆରି ହୋଇନି, ବିଶେଷ କରି ଗ୍ରାମ୍ୟସ୍ତରରେ । ଆମେ ବିବରଣୀ ପ୍ରଦାନ କରିବା ସମୟରେ ସ୍ଥାନୀୟ ଅଞ୍ଚଳର କୌଣସି ସମ୍ମାନିତ ବ୍ୟକ୍ତି ଆସି ପହଞ୍ଚିଲେ ଆମେ ତାହା ଘୋଷଣା କରିବା ପାଇଁ ବାରମ୍ବାର ରହିଥାଉ ।’’ ସେମାନେ କୁସ୍ତିର ପୂର୍ବତନ ଦକ୍ଷ ଖେଳାଳି ହୋଇ ପାରନ୍ତି ବା ସେହି ସ୍ଥାନର ଏମ୍‌ଏଲ୍‌ଏ ହୋଇପାରନ୍ତି । “ଏପରି ବହୁତ ସମୟ ପର୍ଯ୍ୟନ୍ତ ଚାଲିଥାଏ।’’

ସେ ୱରଣାନଗରରେ ବିଶାଳ ଜନସମାଗମକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଆୟତ୍ତ କରି ରଖିବାରେ ସହାୟକ ହୋଇପାରିଥିବାରୁ ସେ ଗର୍ବ ଅନୁଭବ କରନ୍ତି । ପାକିସ୍ତାନରୁ ଆସିବାକୁ ଥିବା ପ୍ରତିଯୋଗୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁଁ ପରିସ୍ଥିତିକୁ ସମ୍ଭାଳିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି ହେଲା । ପୂଜାରୀ ଏହି ସଂକଟମୟ ପରିସ୍ଥିତିରେ ଦାୟିତ୍ୱ ଗ୍ରହଣ କଲେ । ତାଙ୍କ ପାଖରେ ମଲ୍ଲକୁସ୍ତିର ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ଅନେକ ତଥ୍ୟ, ବିଶ୍ଳେଷଣ ରହିଛି ଓ ସେ ଏହାର ଜ୍ଞାନକୋଷ ମଧ୍ୟ । ପୂଜାରୀ ନିଜେ ଜଣେ ମଲ୍ଲ ଥିଲେ ଓ ସେ ଏହାର ବିଭିନ୍ନ କୌଶଳର ବିଶେଷଜ୍ଞ ମଧ୍ୟ। “ମୁଁ ୮ବର୍ଷ ବୟସରେ କୁସ୍ତି  ଆରମ୍ଭ କଲି ଓ ୧୯୭୨ର ମହାଦୁର୍ଭିକ୍ଷ ସମୟରେ ଯେତେବେଳେ ଚାଷକାମ ଘୋର ସଂକଟମୟ ସ୍ଥିତିରେ ଥିଲା, ସେତେବେଳେ ଏହାକୁ ଛାଡ଼ିଦେଲି । ଯଦି ଚାଷକାମ ସଂକଟ ଘେରରେ ରହିବ, ତେବେ କୁସ୍ତି  ମଧ୍ୟ ସଂକଟକୁ ଚାଲିଯିବ’’।

A showcase at the Pujari residence displays awards and mementos that Shankarrao has collected over the years
PHOTO • P. Sainath

ପୂଜାରିଙ୍କ ଆବାସରେ ଥିବା ଏକ ସୋକେସ୍‌ରେ ସେ ବର୍ଷ ବର୍ଷ ଧରି ପାଇଥିବା ବିଭିନ୍ନ ପୁରସ୍କାର ଓ ସ୍ମାରକ ବସ୍ତୁ ପ୍ରଦର୍ଶିତ କରାଯାଇଛି

ମଲ୍ଲକୁସ୍ତିର ବିବରଣୀ ଶୁଣିବାକୁ କିଭଳି ଲାଗେ ତାହାର ସେ ଦୁଇମିନିଟ୍‌ ପାଇଁ ଏକ ‘ଲାଇଭ୍‌ ଡେମୋନ୍‌ଷ୍ଟ୍ରେସନ୍‌’ ଦେଲେ – ତାଙ୍କର କଥା ଶୁଣିଲା ବେଳେ ଆଖିରେ ଦେଖିବା ପରି ମନେ ହେଉଥିଲା। ତାଙ୍କ ସ୍ୱର ପ୍ରକୃତରେ ଜଣେ ପ୍ରସାରକର ସ୍ୱର ପରି । “ମୁଁ ମୋର ଗୁରୁ ବାପୁସାହେବ ରାଡ଼େଙ୍କଠାରୁ ଶିଖିଛି।’’ କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଶୈଳୀ ଓ ବିଷୟବସ୍ତୁରେ ପରିବର୍ତ୍ତନ କରିଛି । ପୂଜାରୀ ତାଙ୍କର ସ୍ୱତନ୍ତ୍ର ଶୈଳୀର ବିବରଣୀକୁ ଏହି ପ୍ରକାରେ ସମାପ୍ତ କଲେ । “ମଲ୍ଲକୁସ୍ତିମାନେ କ’ଣ ବୁଝାଏ ସେ ବିଷୟରେ ଦର୍ଶକ ଓ ଜନସାଧରଣଙ୍କ ସଚେତନତା ସ୍ତର ବୃଦ୍ଧି କରିବାକୁ ହେବ। ଏହା କେବଳ ତଥ୍ୟଭିତ୍ତିକ ହେବା ଯଥେଷ୍ଟ ନୁହେଁ ବରଂ ଏହି ଖେଳର ସମାଜିକ ଓ ସାଂସ୍କୃତିକ ସ୍ଥିତି ଓ ଇତିହାସ ବିଷୟରେ ମଧ୍ୟ ଧାରଣା ପ୍ରଦାନ କରିବା ଉଚିତ । ଭାଷ୍ୟକାର ଦର୍ଶକଙ୍କୁ ଏହାର କୌଶଳ, ପ୍ରବିଧି ଓ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଜ୍ଞାନଦାନ କରିବା ଉଚିତ।’’

ଭାଷ୍ୟକାର ମଲ୍ଲମାନଙ୍କୁ ଏହା ମଧ୍ୟ କହିବା ଉଚିତ ଯେ: “ଆପଣମାନେ ଆପଣଙ୍କ ବଳର ଅପବ୍ୟବହାର କରନ୍ତୁ ନାହିଁ । ଯଦି ଧନୀମାନେ ଶକ୍ତିଶାଳୀମାନଙ୍କୁ ବ୍ୟବହାର କରିବେ, ତେବେ ତାହା ଘାତକ ପ୍ରମାଣିତ ହେବ । ଏଣୁ ସେମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ଶ୍ରଦ୍ଧା, ଶାଳୀନତା ଓ ସମ୍ମାନବୋଧର ଭାବନା ସଂସ୍ଥାପିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।’’ ସେ ବିଖ୍ୟାତ ଗାମା ପହେଲ୍‌ମାନଙ୍କ ପରି ବ୍ୟକ୍ତିତ୍ୱଙ୍କ କାହାଣୀକୁ ଗୁରୁତ୍ୱ ପ୍ରଦାନ କରନ୍ତି ।

ପୂଜାରୀ ୧୯୮୫ରେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ । “ଥରେ କ୍ରିକେଟ ବିବରଣୀ ଶୁଣିବା ବେଳେ ଏପରି ଏକ ଧାରଣା ମୋ ମନକୁ ଆସିଥିଲା । କୁସ୍ତିକୁ ଆହୁରି ଜନପ୍ରିୟ କରିବା ପାଇଁ ଏହାକୁ ଦେଖିବାକୁ ଆସୁଥିବା ବିଶାଳ ଦର୍ଶକବୃନ୍ଦଙ୍କ ଜାଣିବା ନିମନ୍ତେ ଏହାର ବିବରଣୀ ପ୍ରଦାନ କରାଗଲେ କିପରି ହୁଅନ୍ତା? ଏହାର ଅତି ସୂକ୍ଷ୍ମ ଅର୍ଥ, ଶୃଙ୍ଖଳା, ଏହାର ଇତିହାସ ବିଷୟରେ ସେମାନଙ୍କୁ କାହିଁକି ନଜଣାଇବା? ଏହାଦ୍ୱାରା କୁସ୍ତି  ଶିଖିବା ପାଇଁ ଆକୁଳ ହୋଇ ଚାହିଁ ରହିଥିବା ଅଧିକରୁ ଅଧିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିହେବ ଓ ଅଧିକରୁ ଅଧିକ ଯୁବବର୍ଗକୁସ୍ତିକୁ ଗ୍ରହଣ କରିବେ ’’।

ଜଣେ ବ୍ୟକ୍ତି ଯିଏ ‘‘୧୯୮୫ରେ ନିଜର ସର୍ବପ୍ରଥମ କାର୍ଯ୍ୟକ୍ରମ କୌଣସି ପାରିଶ୍ରମିକ ନନେଇ  କରିଥିଲେ’’, ଆଜି ସେ ବର୍ଷରେ ୧୫୦ଟି ଗିଗ୍‌  କରନ୍ତି । “ଏହା ମାଧ୍ୟମରେ ମୁଁ ମୋର ଜୀବିକା ନିର୍ବାହ କରିଥାଏ” ବୋଲି ସେ କହନ୍ତି । ତାଙ୍କର ପ୍ରଥମ “ପ୍ରମୁଖ କାର୍ଯ୍ୟକ୍ରମ ୨୦୦୦ରେ ସାଙ୍ଗଲିରେ ଅନୁଷ୍ଠିତ ହୋଇଥିଲା’’।

ଗତ ଋତୁରେ ଦେଖାଦେଇଥିବା ଜଳ ସଂକଟ ସମୟରେ ଟୁର୍ଣ୍ଣାମେଣ୍ଟଗୁଡ଼ିକ ବାତିଲ ହୋଇଯିବାରୁ, ପୂଜାରୀ ରାଜନୈତିକ ନେତାମାନଙ୍କ ଉଦ୍ଦେଶ୍ୟରେ କହିଲେ ଯେ : “ପଶୁସମ୍ପଦକୁ ବଞ୍ଚେଇବା ପାଇଁ ଆପଣମାନେ ପଶୁଖାଦ୍ୟ ଡିପୋଟ୍‌ ଖୋଲିଛନ୍ତି । ବହୁତ ଭଲ, ଆମେ ଏଥିପାଇଁ କୃତଜ୍ଞ । ଆପଣମାନେ କ’ଣ ଦୟାକରି ପହିଲ୍‌ମାନମାନଙ୍କୁ ବଞ୍ଚେଇବା ପାଇଁ କେତେକ କ୍ୟାମ୍ପ ଖୋଲି ପାରିବେ କି? ସେମାନେ ମଧ୍ୟ ଚାଷ ଓ ବର୍ଷା ଉପରେ ନିର୍ଭରଶୀଳ ।"

http://psainath.org/kushtis-voice-of-social-commentary/

ଏହି ଲେଖାଟି ପ୍ରଥମେ http://psainath.org/kushtis-voice-of-social-commentary/ ରେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE