“ଆମେ ଏହି ୫୮ଟି ଓଟଙ୍କୁ ଜବତ କରିନାହୁଁ,” ଏହା କହନ୍ତି ଅମରାବତୀ ଜିଲ୍ଲା ଅନ୍ତର୍ଗତ ତାଲେଗାଓଁ ଦଶାସର ଥାନାର ଇନ୍ସପେକ୍ଟର ଇନ୍‌ ଚାର୍ଜ ଅଜୟ ଅକାରେ । “ଏହି ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ବିରୋଧରେ ମହାରାଷ୍ଟ୍ରରେ ନିର୍ଦ୍ଦିଷ୍ଟ ଆଇନ ନଥିବାରୁ ଆମର ସେଭଳି ଜବତ କରିବାର କ୍ଷମତା ନାହିଁ।”

ସେ କହନ୍ତି, “ଏହି ଓଟଗୁଡ଼ିକୁ ଅଟକ ରଖାଯାଇଛି ।”

ଏବଂ ଅମରାବତୀର ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇ ନଥିଲେ ହୁଏତ ସେମାନଙ୍କ ପାଳକମାନଙ୍କୁ ବି ଅଟକ ରଖାଯାଇଥାଆନ୍ତା । ଏହି ପାଞ୍ଚ ଓଟପାଳକ ଅର୍ଦ୍ଧ-ଯାଯାବର ସଂପ୍ରଦାୟର ପଶୁପାଳକ । ସେମାନଙ୍କ ମଧ୍ୟରୁ ଚାରି ଜଣ ରବାରି ସଂପ୍ରଦାୟର ଏବଂ ଜଣେ ଗୁଜରାଟ ଅନ୍ତର୍ଗତ କଚ୍ଛର ଫକିରାନୀ ଜାଟ୍‌ ସଂପ୍ରଦାୟର । ଏହି ଦୁଇ ସାମାଜିକ ଗୋଷ୍ଠୀ ପରମ୍ପରାଗତ ଏବଂ ବଂଶାନୁକ୍ରମିକ ଭାବେ ଶହ ଶହ ବର୍ଷ ହେଲା ଓଟ ପାଳନ କରିଆସୁଛନ୍ତି । ଜଣେ ଆତ୍ମଘୋଷିତ ‘ପଶୁ ଅଧିକାର କର୍ମୀ’ଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଗିରଫ କରିଥିବା ଏହି ପାଞ୍ଚ ଜଣଙ୍କୁ ତୁରନ୍ତ ଏବଂ ନିଃସର୍ତ୍ତ ଜାମିନ ମଞ୍ଜୁର କରିଥିଲେ ସେଠାକାର ମାଜିଷ୍ଟ୍ରେଟ୍‌ ।

ଅକାରେ କହନ୍ତି, “ଏହି ଓଟମାନଙ୍କର କିଣାବିକା ସଂପର୍କରେ କୌଣସି କାଗଜପତ୍ର କିମ୍ବା ସେମାନଙ୍କ ନିଜର ବାସସ୍ଥାନ ସଂପର୍କିତ କୌଣସି ଆଇନସମ୍ମତ ପ୍ରମାଣପତ୍ର ଅଭିଯୁକ୍ତମାନଙ୍କ ପାଖରେ ନଥିଲା।” ହେଲେ ଏହା ପରେ ପରେ ଏକରୋଚକ ପରିସ୍ଥିତି ଦେଖିବାକୁ ମିଳିଥିଲା ଏବଂ ସେଥିରେ ଏହି ପାରମ୍ପରିକ ପଶୁପାଳକମାନେ ସେମାନଙ୍କ ପାଖରେ ରହିଥିବା ଓଟମାନଙ୍କର ପରିଚୟପତ୍ର ଏବଂ ସେମାନଙ୍କ ମାଲିକାନା ସଂପର୍କିତ କାଗଜପତ୍ର ଅଦାଲତରେ ଦାଖଲ କରିଥିଲେ । ପ୍ରାୟତଃ ଯାଯାବର ଭଳି ଜୀବନ ବିତାଉଥିବା ଏହି ଗୋଷ୍ଠୀଭୁକ୍ତ ବ୍ୟକ୍ତିମାନଙ୍କର ସଂପର୍କୀୟ ଏବଂ ସେମାନଙ୍କ ସଂପ୍ରଦାୟର ଅନ୍ୟ ସଦସ୍ୟମାନେ ଏହି ସବୁ କାଗଜପତ୍ର ପଠାଇଥିଲେ ।

ସେମାନଙ୍କ ପାଳକମାନଙ୍କ ପାଖରୁ ଅଲଗା ହେବା ପରେ ଏବେ ଏହି ଓଟମାନେ ଗାଈମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଗୌରକ୍ଷା କେନ୍ଦ୍ର ରେ ଦୟନୀୟ ଅବସ୍ଥାରେ ଅଛନ୍ତି । କେନ୍ଦ୍ରର ଦେଖାରଖା କରୁଥିବା ଲୋକମାନେ ସେମାନଙ୍କ ହେପାଜତରେ ରହିଥିବା ଓଟମାନଙ୍କର ସେବା ଯତ୍ନ ଓ ଖିଆପିଆ ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ । ଉଭୟ ଗାଈ ଓ ଓଟ ରୋମନ୍ଥକ ପଶୁ ହୋଇଥିଲେ ହେଁ ସେମାନଙ୍କ ଖାଦ୍ୟପେୟ ସଂପୂର୍ଣ୍ଣ ଅଲଗା। ଏବଂ ତେଣୁ, ଏହି ମାମଲା ବେଶି ଦିନ ଯାଏ ଚାଲିଲେ, ମରୁବାଲିରେ ରହିବାରେ ଅଭ୍ୟସ୍ତ ଏହି ଓଟମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନତି ଦେଖାଦେବା ଆଶଙ୍କା ରହିଛି ।

Rabari pastoralists camping in Amravati to help secure the release of the detained camels and their herders
PHOTO • Jaideep Hardikar

ଅଟକ ରହିଥିବା ୫୮ଟି ଓଟ ଓ ସେମାନଙ୍କ ଚରାଳିମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହାୟତା କରିବା ଲାଗି କେତେଜଣ ରବାରୀ ଓଟପାଳକମାନେ ଅମରାବତୀରେ ଅପେକ୍ଷା କରି ରହିଛନ୍ତି

*****

ଓଟ ରାଜସ୍ଥାନର ରାଜ୍ୟ ପ୍ରାଣୀ ଏବଂ ସେମାନେ ଅନ୍ୟ ରାଜ୍ୟର ଜଳବାୟୁରେ ରହିବାରେ ଅଭ୍ୟସ୍ତ ହୋଇପାରିବେନି
ଯଶରାଜ ଶ୍ରୀଶ୍ରୀମଲ, ଭାରତୀୟ ପ୍ରାଣୀ ମିତ୍ର ସଂଘ, ହାଇଦ୍ରାବାଦ

ଗଭୀର ସନ୍ଦେହରୁ ହିଁ ଏ ସବୁ ଆରମ୍ଭ ହୋଇଥିଲା ।

ପାଞ୍ଚ ଜଣ ପଶୁପାଳକ ହାଇଦ୍ରାବାଦର ବିଭିନ୍ନ କଂସେଇଖାନାକୁ ଚୋରାରେ ଓଟ ଚାଲାଣ କରୁଛନ୍ତି ବୋଲି ଅଭିଯୋଗ କରି ହାଇଦ୍ରାବାଦରେ ରହୁଥିବା ୭୧ ବର୍ଷୀୟ ପଶୁ କଲ୍ୟାଣ କର୍ମୀ ଯଶରାଜ ଶ୍ରୀଶ୍ରୀମଲ ୨୦୨୨ଜାନୁଆରୀ ୭ ତାରିଖ ଦିନ ତାଲେଗାଓଁ ଦଶାସର ପୋଲିସ ପାଖରେ ଏକ ଅଭିଯୋଗପତ୍ର ଦାୟର କରିଥିଲେ । ପୋଲିସ ତୁରନ୍ତ ଏହି ବ୍ୟକ୍ତି ଓ ସେମାନଙ୍କ ଓଟମାନଙ୍କୁ ଅଟକ ରଖିଲା । ଅଥଚ, ହାଇଦ୍ରାବାଦରେ ନୁହେଁ, ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ହିଁ ଶ୍ରୀଶ୍ରୀମଲ ଏହି ପଶୁପାଳକମାନଙ୍କୁ ଭେଟିଥିଲେ ।

ଶ୍ରୀଶ୍ରୀମଲଙ୍କ ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, “ଜଣେ ସହକର୍ମୀଙ୍କ ସହ ମୁଁ ଅମରାବତୀ ଯିବାକୁ ବାହାରିଲି ଏବଂ ନିମଗାଭାନ (ଚାନ୍ଦୁର ରେଳବାଇ ତହସିଲ ଅନ୍ତର୍ଗତ) ଗାଁରେ ପହଞ୍ଚିଲି। ସେଠାରେ ଚାରି ପାଞ୍ଚ ଜଣ ଲୋକ କେତେକ ଓଟ ସହ ଗୋଟିଏ ପଡ଼ିଆରେ ରହୁଥିଲେ। ଆମେ ଗଣି କରି ଦେଖିଲୁ ଯେ ସେଠାରେ ୫୮ଟି ଓଟ ଅଛନ୍ତି -ସେମାନଙ୍କର ବେକ ଓ ଗୋଡ଼ରେ ଦଉଡ଼ି ବନ୍ଧା ହୋଇଛି ଏବଂ ଏହି କାରଣରୁ ସେମାନେ ଠିକ୍‌ ଭାବରେ ଚାଲି ପାରୁନାହାନ୍ତି (ଏପରି ଭାବରେ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଉଛି)। କେତେକ ଓଟଙ୍କ ଦେହରେ କ୍ଷତ ଥିଲା ଏବଂ ଏହି ପଶୁପାଳକମାନେ ସେଥିରେ କୌଣସି ଔଷଧ ଲଗାଇ ନଥିଲେ। ଓଟ ରାଜସ୍ଥାନର ରାଜ୍ୟ ପ୍ରାଣୀ ଏବଂ ଅନ୍ୟ ରାଜ୍ୟର ଜଳବାୟୁରେ ରହିବାରେ ସେମାନେ ଅଭ୍ୟସ୍ତ ହୋଇପାରିବେନି। ସେହି ଲୋକମାନଙ୍କ ପାଖରେ କୌଣସି କାଗଜପତ୍ର ନଥିଲା ଏବଂ ସେମାନେ ଓଟମାନଙ୍କୁ କେଉଁଠାକୁ ନେଉଛନ୍ତି, ତାହା ସ୍ପଷ୍ଟ ଭାବରେ କହିପାରି ନଥିଲେ।”

ବାସ୍ତବରେ, ଭାରତର ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ଓଟ ଦେଖାଯାଆନ୍ତି ଏବଂ ଅନ୍ୟ କେତେକ ସ୍ଥାନରେ ମଧ୍ୟ ନଜରକୁ ଆସନ୍ତି । ହେଲେ, ସେମାନଙ୍କର ପାଳନ ଓ ପ୍ରଜନନ କେବଳ ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ସୀମିତ । ୨୦୧୯ର ବିଂଶତମ ପଶୁଧନ ଗଣନା ଅନୁସାରେ, ଆମ ଦେଶରେ ଓଟମାନଙ୍କର ମୋଟ ସଂଖ୍ୟା ମାତ୍ର ୨୫୦,୦୦୦ । ୨୦୧୨ର ପଶୁଧନ ଗଣନା ତୁଳନାରେ ଏହା ୩୭ ପ୍ରତିଶତ ହ୍ରାସ ପାଇଛି ।

The camels, all male and between two and five years in age, are in the custody of a cow shelter in Amravati city
PHOTO • Jaideep Hardikar

ଦୁଇରୁ ପାଞ୍ଚ ବର୍ଷ ଆୟୁ ମଧ୍ୟରେ ଏହି ଓଟଗୁଡ଼ିକ ଅମରାବତୀ ସହରରେ ଥିବା ଏକ ଗୋଶାଳାରେ ଅଟକ ରହିଛନ୍ତି

ଓଟ ଭଳି ବଡ଼ ବଡ଼ ପ୍ରାଣୀ ପରିବହନରେ ଏହି ପାଞ୍ଚ ଜଣ ଅଭିଜ୍ଞ ପଶୁପାଳକଙ୍କର ଦକ୍ଷତା ରହିଛି। ସମସ୍ତ ପାଞ୍ଚ ଜଣ ଯାକ ଗୁଜରାଟର କଚ୍ଛରୁ ଆସିଛନ୍ତି। ଏହା ପୂର୍ବରୁ କେବେ ବି ସେମାନେ ହାଇଦ୍ରାବାଦ ଆସି ନଥିଲେ।

ହାଇଦ୍ରାବାଦରୁ ଟେଲିଫୋନ୍‌ ଯୋଗେ ଶ୍ରୀଶ୍ରୀମଲ ପରୀକୁ କହିଥିଲେ, “ମୁଁ ଏହି ଲୋକମାନଙ୍କ ପାଖରୁ କୌଣସି ସ୍ପଷ୍ଟ ଉତ୍ତର ପାଇଲିନି। ଯାହା ଫଳରେ ମୋର ସନ୍ଦେହ ବଢ଼ିଲା।” ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ସଂସ୍ଥା- ‘ଭାରତୀୟ ପ୍ରାଣୀ ମିତ୍ର ସଂଘ’- ସାରା ଭାରତର ବିଭିନ୍ନ ସ୍ଥାନରୁ ୬୦୦ ଓଟଙ୍କୁ ଊଦ୍ଧାର କରିସାରିଲାଣି ବୋଲି ଦାବି କରି ସେ କହନ୍ତି, “ଭାରତରେ ବେଆଇନ ଭାବେ ଓଟ ମାରିବା ଘଟଣା ବଢ଼ିବାରେ ଲାଗିଛି ।”

ତାଙ୍କ କହିବା ଅନୁସାରେ ଗୁଲବର୍ଗା, ବେଙ୍ଗାଲୁରୁ, ଆକୋଲା ଏବଂ ହାଇଦ୍ରାବାଦ ସହିତ ଅନ୍ୟ କେତେକ ସ୍ଥାନରୁ ସେମାନେ ଓଟ ଉଦ୍ଧାର କରିଛନ୍ତି । ଏବଂ ତାଙ୍କ ସଂସ୍ଥା ‘ଉଦ୍ଧାର କରାଯାଇଥିବା’ ପ୍ରାଣୀମାନଙ୍କୁ ରାଜସ୍ଥାନକୁ ‘ବସବାସ ଲାଗି ହସ୍ତାନ୍ତର’ କରିଛି। ଭାରତର ଅନ୍ୟ କେତେକ ସ୍ଥାନ ସହିତ ହାଇଦ୍ରାବାଦରେ ଓଟ ମାଂସର ଚାହିଦା ବଢ଼ିଛି ବୋଲି ସେ କହନ୍ତି । ହେଲେ ଗବେଷକ ଓ ବ୍ୟବସାୟୀମାନଙ୍କ କହିବା ଅନୁସାରେ କେବଳ ବୟସ୍କ ଅଣ଼୍ଡିରା ଓଟମାନଙ୍କୁ ହିଁ ମାରିବା ଲାଗି ବିକ୍ରି କରାଯାଇଥାଏ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ସାଂସଦ ତଥା ‘ପିପୁଲ ଫର୍‌ ଆନିମଲ’ ନାମକ ସଂସ୍ଥାର ମୁଖ୍ୟ ମାନେକା ଗାନ୍ଧୀଙ୍କ ସହ ଶ୍ରୀଶ୍ରୀମଲଙ୍କର ଘନିଷ୍ଠ ସଂପର୍କ ରହିଛି। ଟାଇମ୍‌ସ ଅଫ୍‌ ଇଣ୍ଡିଆ ରେ ପ୍ରକାଶିତ ଲେଖାରେ ଗାନ୍ଧି ଏହା କହିଥିଲେ ଯେ, “ଏହା ପଛରେ ଏକ ବଡ଼ ସଂଗଠିତ ଗୋଷ୍ଠୀ ରହିଛି ଏବଂ ଏହି ସଂଗଠନ ଉତ୍ତର ପ୍ରଦେଶର ବାଗପତରୁ ପରିଚାଳିତ ହେଉଛି। ଓଟମାନଙ୍କୁ ବାଂଲାଦେଶକୁ ମଧ୍ୟ ପଠାଯାଉଛି । ନହେଲେ ଏତେ ସଂଖ୍ୟାରେ ଓଟମାନଙ୍କୁ ଏକାଠି ରଖିବାର ପ୍ରଶ୍ନ ଉଠୁନାହିଁ ।”

ପ୍ରାରମ୍ଭିକ ଅନୁସନ୍ଧାନ ପରେ ଜାନୁୟାରୀ ୮ ତାରିଖ ଦିନ ପୋଲିସ ଏ ସଂକ୍ରାନ୍ତରେ ଏତଲା ଦାୟର କରିଥିଲା । ଯେହେତୁ ମହାରାଷ୍ଟ୍ରରେ ଓଟମାନଙ୍କର ସୁରକ୍ଷା ସଂପର୍କିତ କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ, ତେଣୁ ପୋଲିସ ୧୯୬୦ ମସିହାର ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ବିରୋଧୀ ଆଇନର ୧୧ (୧) (ଘ) ଧାରା ଅନୁସାରେ ଏକ ମାମଲା ରୁଜୁ କରିଥିଲା ।

ଏବଂ ଯେଉଁମାନଙ୍କ ବିରୋଧରେ ଅଭିଯୋଗ କରିଥିଲା ସେମାନଙ୍କ ମଧ୍ୟରେ ଥିଲେ ୪୦ ବର୍ଷରୁ ଅଧିକ ବୟସର ପ୍ରଭୁ ରାଣା, ଜଗା ହୀରା, ମୁସାଭାଇ ହାମିଦ ଜାଟ୍‌; ୫୦ରୁ ଅଧିକ ବୟସର ଭିସାଭାଇ ସାରାଭୁ ଏବଂ ୭୦ରୁ ଅଧିକ ବୟସର ଭର୍ସିଭାଇ ରାଣା ରବାରି ।

Four of the traditional herders from Kachchh – Versibhai Rana Rabari, Prabhu Rana Rabari, Visabhai Saravu Rabari and Jaga Hira Rabari (from left to right) – who were arrested along with Musabhai Hamid Jat on January 14 and then released on bail
PHOTO • Jaideep Hardikar

କଚ୍ଛର ପାରମ୍ପରିକ ଓଟପାଳକ – ବର୍ସିଭାଇ ରାଣା ରବାରୀ, ପ୍ରଭୁ ରାଣା ରବାରୀ, ଭିସାଭାଇ ସରଭୁ ରବାରୀ ଏବଂ ଜଗା ହୀରା ରବାରୀ (ବାମରୁ ଡାହାଣ)ଙ୍କୁ ମୁସାଭାଇ ହମିତ ଜାଟଙ୍କ ସହିତ ଜାନୁଆରୀ ୧୪ ତାରିଖରେ ଗିରଫ କରି ନିଆଯାଇଥିଲା ଏବଂ ତା’ପରେ ଜାମିନରେ ଛଡ଼ା ଯାଇଥିଲା

ଇନ୍ସପେକ୍ଟର ଅକାରେ କହନ୍ତି, ବାସ୍ତବରେ ୫୮ଟି ଓଟର ଦେଖାରଖା କରିବା କାଠିକର ପାଠ ଥିଲା । ପୋଲିସ ଦୁଇ ରାତି ପାଇଁ ପାଖରେ ଥିବା ଏକ ଛୋଟ ଗୌରକ୍ଷା କେନ୍ଦ୍ରର ସହାୟତା ନେଇଥିଲା ଏବଂ ସେହି ସମୟ ଭିତରେ ଅମରାବତୀର ବଡ଼ ବଡ଼ କେନ୍ଦ୍ର ସହିତ ଯୋଗାଯୋଗ କରିଥିଲା । ଓଟମାନଙ୍କୁ ରଖିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ଅମରାବତୀର ଦସ୍ତୁର ନଗର କଲୋନିରେ ଥିବା ଏକ କେନ୍ଦ୍ର ଏଥିପାଇଁ ସ୍ଵେଚ୍ଛାରେ ଆଗେଇ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ଓଟମାନଙ୍କୁ ସେଠାକୁ ପଠାଇ ଦିଆଯାଇଥିଲା ।

ବିଡ଼ମ୍ବନାର ବିଷୟ ଯେ, ଅଭିଯୁକ୍ତମାନଙ୍କର ସଂପର୍କୀୟ ଓ ସହଯୋଗୀମାନେ ହିଁ ଏହି ଓଟମାନଙ୍କର ପରିବହନ ଦାୟିତ୍ଵ ବହନ କରିଥିଲେ । ସେମାନେ ହିଁ ଓଟମାନଙ୍କୁ ଦୁଇ ଦିନରେ ତାଲେଗାଓଁ ଦଶାଶର ରୁ ଅମରାବତୀ ଯାଏ ୫୫ କିଲୋମିଟର ବାଟ ଚଲେଇ ଚଲେଇ ନେଇଥିଲେ ।

ପଶୁପାଳକମାନଙ୍କ ପ୍ରତି ସମର୍ଥନର ସୁଅ ଛୁଟିବାରେ ଲାଗିଛି । ଓଟମାନଙ୍କୁ ଖୋଲାରେ ଚରିବା ପାଇଁ ଛାଡ଼ିଦେବାକୁ କଚ୍ଛର ଅନ୍ତତଃ ତିନିଟି ଗ୍ରାମ ପଞ୍ଚାୟତ ପକ୍ଷରୁ ଅମରାବତୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି। ଏପରି ନହେଲେ ସେମାନେ ଭୋକଉପାସରେ ରହିବେ ବୋଲି ଆବେଦନରେ କୁହାଯାଇଛି । ରବାରି ସଂପ୍ରଦାୟର ଏକ ବଡ଼ ଡେରା (କିମ୍ବା ବସତି) ରହିଥିବା ନାଗପୁର ଜିଲ୍ଲାର ମକରଧୋକଡ଼ା ଗ୍ରାମ ପଞ୍ଚାୟତ ପକ୍ଷରୁ ପଶୁପାଳକ ଓ ସେମାନଙ୍କ ସଂପ୍ରଦାୟକୁ ସମର୍ଥନ କରି କୁହାଯାଇଛି ଯେ, ସେମାନେ ବଂଶାନୁକ୍ରମିକ ଭାବେ ପଶୁପାଳନ କରିଆସୁଛନ୍ତି ଏବଂ ଏହି ଓଟମାନଙ୍କୁ ହାଇଦ୍ରାବାଦର କୌଣସି କଂସେଇଖାନାକୁ ନିଆଯାଉ ନଥିଲା । ଓଟମାନଙ୍କର ହେପାଜତ ସଂପର୍କରେ ଏକ ତଳକୋର୍ଟ ନିଷ୍ପତ୍ତି ନେବେ: ସେମାନଙ୍କୁ ଏଠାକୁ ଆଣିଥିବା ଅଭିଯୁକ୍ତମାନଙ୍କ ଜିମା ଦିଆଯିବ ନା ପୁଣି କଚ୍ଛକୁ ପଠାଇ ଦିଆଯିବ ?

ଅଦାଲତ ଏହି ଲୋକମାନଙ୍କୁ ପାରମ୍ପରିକ ଓଟପାଳକ ଭାବରେ ଗ୍ରହଣ କରୁଛନ୍ତି କି ନାହିଁ, ତାହାରି ଉପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ଭର କରୁଛି ।

*****

ଏହି ପାରମ୍ପରିକ ପଶୁପାଳକମାନଙ୍କ ସଂପର୍କରେ ଆମର ଅଜ୍ଞତା ଯୋଗୁଁ ହିଁ ସେମାନଙ୍କ ପ୍ରତି ଆମର ସନ୍ଦେହ ହୋଇଥାଏ କାରଣ ସେମାନେ ଆମ ଭଳି ଦିଶନ୍ତିନି କି କଥା କହନ୍ତିନି ।
ସଜଲ କୁଲକର୍ଣ୍ଣି, ପଶୁପାଳକ ସଂପ୍ରଦାୟ ଗବେଷକ, ନାଗପୁର

ପାଞ୍ଚ ଜଣ ପଶୁପାଳକଙ୍କ ମଧ୍ୟରୁ ସମସ୍ତଙ୍କଠାରୁ ବୟସରେ ବଡ଼ ବର୍ସିଭାଇ ରାଣା ରବାରି ତାଙ୍କ ସାଙ୍ଗରେ ଓଟ ଓ ମେଣ୍ଢା ପଲ ନେଇ ଜୀବନ ସାରା ପାଦରେ ଚାଲି ଚାଲି ଭାରତର କୋଣ ଅନୁକୋଣ ବୁଲିଛନ୍ତି। ହେଲେ କୌଣସି ସମୟରେ ତାଙ୍କ ବିରୋଧରେ ପଶୁମାନଙ୍କ ପ୍ରତି ନିଷ୍ଠୁରତା ଅଭିଯୋଗ ହୋଇନାହିଁ ।

“ଏହା ହିଁ ପ୍ରଥମ ଥର” ମୁହଁର ଚର୍ମରେ ଭାଙ୍ଗ ପଡ଼ି ଆସୁଥିବା ଏହି ବୃଦ୍ଧ ବ୍ୟକ୍ତି ଜଣକ କଚ୍ଛି ଭାଷାରେ କହନ୍ତି । ଥାନା ପରିସରରେ ଥିବା ଏକ ଗଛ ତଳେ ଗୋଡ଼ ମୋଡ଼ି ସେ ବସି ରହିଛନ୍ତି । ଚିନ୍ତିତ ଏବଂ ଅପଦସ୍ଥ ଅବସ୍ଥାରେ ।

Rabaris from Chhattisgarh and other places have been camping in an open shed at the gauraksha kendra in Amravati while waiting for the camels to be freed
PHOTO • Jaideep Hardikar
Rabaris from Chhattisgarh and other places have been camping in an open shed at the gauraksha kendra in Amravati while waiting for the camels to be freed
PHOTO • Jaideep Hardikar

ଛତିଶଗଡ଼ ଏବଂ ଅନ୍ୟ ସ୍ଥାନର ରବାରୀମାନେ ଅମରାବତୀର ଗୌରକ୍ଷା କେନ୍ଦ୍ରରେ ଏକ ଖୋଲା ଛପର ଘର ତଳେ ଆଶ୍ରୟ ନେଇଛନ୍ତି। ସେମାନେ ଓଟମାନଙ୍କ ମୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି

ଜାନୁଆରୀ ୧୪  ତାରିଖ ଦିନ ତାଲେଗାଓଁ ଥାନାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପ୍ରଭୁ ରାଣା ରବାରି ଆମକୁ କହିଲେ, “ମହାରାଷ୍ଟ୍ର ଓ ଛତିଶଗଡ଼ରେ ରହୁଥିବା ଆମ ଜାତିଭାଇଙ୍କୁ ଦେବା ପାଇଁ ଆମେ ଏହି ଓଟମାନଙ୍କୁ କଚ୍ଛରୁ ଆଣିଥିଲୁ।” ଏହା ଥିଲା ନିୟମାନୁସାରେ ସେମାନେ ଗିରଫ ହୋଇ ଜାମିନରେ ଛାଡ଼ ପାଇବାର ଦିନକ ପୂର୍ବର କଥା ।

କଚ୍ଛରେ ଭୁଜରୁ ଅମରାବତୀ ଯାଏ, ରାସ୍ତାରେ ସେମାନଙ୍କୁ କେହି ହେଲେ ଅଟକାଇ ନଥିଲେ। ସେମାନେ କିଛି ଭୁଲ କାମ କରୁଛନ୍ତି ବୋଲି କେହି ହେଲେ ସନ୍ଦେହ କରିନଥିଲେ। ଘଟଣାକ୍ରମର ଏହି ଅଭାବନୀୟ ମୋଡ଼ ସହିତ ସେମାନଙ୍କର ଏହି ସ୍ମରଣୀୟ ଯାତ୍ରା ଅକସ୍ମାତ ବନ୍ଦ ହୋଇଗଲା।

ୱାର୍ଦ୍ଧା, ନାଗପୁର, ଭଣ୍ଡାରା (ମହାରାଷ୍ଟ୍ରରେ) ଏବଂ ଛତିଶଗଡ଼ର କେତେକ ରବାରି ବସତିରେ ମଧ୍ୟ ଏହି ଓଟମାନଙ୍କୁ ପହଞ୍ଚାଇବାର ଥିଲା ।

ରବାରି ହେଉଛି ଏକ ଅର୍ଦ୍ଧ-ଯାଯାବର ପଶୁଚରାଳି ସଂପ୍ରଦାୟ । କଚ୍ଛ ଓ ରାଜସ୍ଥାନର ଆଉ ଦୁଇ କି ତିନିଟି ଗୋଷ୍ଠୀ ସହିତ ସେମାନେ ମେଣ୍ଢା ଓ ଛେଳି ପାଳନ କରି ଏବଂ ଚାଷକାମରେ ନିୟୋଜିତ ହେବାକୁ ଥିବା ଓଟ ପାଳନ ଏବଂ ପରିବହନ କରି ଜୀବିକା ନିର୍ବାହ କରନ୍ତି । ‘କଚ୍ଛ କ୍ୟାମେଲ ବ୍ରିଡରସ୍‌ ଆସୋସିଏସନ୍‌’ ନାମକ କଚ୍ଛର ଓଟ ପାଳକ ସଂଘ ଦ୍ଵାରା ସ୍ଥିରୀକୃତ ଏବଂ ନଥିଭୁକ୍ତ ପଶୁପାଳନ ସଂପର୍କିତ ‘ଜୈବ-ସାଂସ୍କୃତିକ ସଂପ୍ରଦାୟ ନିୟମାବଳି’ ବା ବାୟୋକଲ୍‌ଚରାଲ କମ୍ୟୁନିଟି ପ୍ରୋଟୋକଲ ଅନୁସାରେ ସେମାନେ ଏହା କରିଥାଆନ୍ତି ।

ଢେବରିଆ ରବାରି ନାମକ ଏହି ସଂପ୍ରଦାୟର ଗୋଟିଏ ଗୋଷ୍ଠୀ, ବର୍ଷର ଅଧିକାଂଶ ସମୟରେ ଓଟମାନଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ଓ ଖାଦ୍ୟ ମିଳୁଥିବା ବିଭିନ୍ନ ଦୂରବର୍ତ୍ତୀ ସ୍ଥାନକୁ ପଳାଇ ଥାଆନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପରିବାର ଏବେ ବର୍ଷର ଅଧିକାଂଶ ସମୟରେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ସ୍ଥାପିତ ବସତି ବା ଡେରା ରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ କୌଣସି ଏକ ଋତୁର ନିର୍ଦ୍ଦିଷ୍ଟ ସମୟରେ, ଯେମିତି କି ଦୀପାବଳି ପରେ, କଚ୍ଛଠାରୁ ବହୁ ଦୂର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ ଭଳି ଅନ୍ୟ ସ୍ଥାନକୁ ଚାଲିଯାଆନ୍ତି ।

ମଧ୍ୟ ଭାରତରେ ଢେବରିଆ ରବାରିମାନଙ୍କର ଅତି କମ୍‌ରେ ୩,୦୦୦ ବସତି ରହିଛି ବୋଲି କହନ୍ତି ପଶୁଚରାଳି ଏବଂ ପାରମ୍ପରିକ ପଶୁଧନ ପାଳକମାନଙ୍କ ଉପରେ ଗବେଷଣା କରୁଥିବା ନାଗପୁରର ସଜଲ କୁଲକର୍ଣ୍ଣି । ‘ରିଭାଇଟାଲାଇଜିଂ ରେନ୍‌ଫେଡ୍‌ ଏଗ୍ରୀକଲଚର୍ ନେଟ୍‌ୱାର୍କ’ (RRAN) ସଂସ୍ଥାର ଜଣେ ଫେଲୋ କୁଲକର୍ଣ୍ଣି କହନ୍ତି ଯେ ଗୋଟିଏ ‘ଡେରା’ରେ ପାଞ୍ଚରୁ ଦଶଟି ପରିବାର, ଓଟ ଏବଂ ବହୁସଂଖ୍ୟକ ମେଣ୍ଢା ଓ ଛେଳିପଲ ଥାଆନ୍ତି । ଢେବରିଆ ରବାରିମାନେ ମାଂସ ପାଇଁ ଛେଳି ଓ ମେଣ୍ଢା ପାଳନ କରନ୍ତି ।

Jakara Rabari and Parbat Rabari (first two from the left), expert herders from Umred in Nagpur district, with their kinsmen in Amravati.They rushed there when they heard about the Kachchhi camels being taken into custody
PHOTO • Jaideep Hardikar

ନାଗପୁର ଜିଲ୍ଲାର ଉମ୍‌ରେଦରୁ ଆସିଥିବା କୁଶଳୀ ଓଟପାଳକ ଜାକରା ରବାରୀ ଏବଂ ପର୍ବତ ରବାରୀ (ବାମରୁ ପ୍ରଥମ ଦୁଇ ଜଣ) ସେମାନଙ୍କର ସମ୍ପର୍କୀୟଙ୍କ ସହ ଅଛନ୍ତି। କଚ୍ଛର ଓଟପାଳକ ଏବଂ ଓଟମାନଙ୍କୁ ଅଟକ ରଖାଯିବା ସମ୍ପର୍କରେ ଶୁଣିବା ପରେ ସେମାନେ ତୁରନ୍ତ ଅମରାବତୀକୁ ଚାଲି ଆସିଥିଲେ

ଦଶ ବର୍ଷରୁ ଅଧିକ ସମୟ ହେଲା ରବାରି ଓ ସେମାନଙ୍କ ପଶୁଧନ ସମେତ ପଶୁପାଳନ ସଂପର୍କରେ କୁଲକର୍ଣ୍ଣି ଅଧ୍ୟୟନ କରୁଛନ୍ତି । ସେମାନଙ୍କ ଗିରଫଦାରି ଏବଂ ଓଟମାନଙ୍କୁ ‘ଅଟକ’ ରଖାଯିବା ସଂପର୍କରେ ସେ କହନ୍ତି, “ଏହି ଘଟଣା, ପଶୁପାଳକମାନଙ୍କ ସଂପର୍କରେ ଜ୍ଞାନର ଅଭାବକୁ ସୂଚାଇ ଦିଏ। ଏହି ପାରମ୍ପରିକ ପଶୁପାଳକମାନଙ୍କ ସଂପର୍କରେ ଆମର ଅଜ୍ଞତା ଯୋଗୁଁ ହିଁ ସେମାନଙ୍କ ପ୍ରତି ଆମର ସନ୍ଦେହ ହୋଇଥାଏ, କାରଣ ସେମାନେ ଆମ ଭଳି ଦିଶନ୍ତିନି କି କଥା କହନ୍ତିନି।”

କୁଲକର୍ଣ୍ଣି କହନ୍ତି ଯେ, ରବାରିମାନଙ୍କର କେତେକ ଗୋଷ୍ଠୀ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ବସବାସ କରିବା ଘଟଣା ବଢୁଛି। ଗୁଜରାଟରେ ସେମାନେ ସେମାନଙ୍କ କୌଳିକ ଓ ପାରମ୍ପରିକ ବୃତ୍ତିଠାରୁ ଦୂରେଇ ଯାଇ ଆନୁଷ୍ଠାନିକ ଶିକ୍ଷାଲାଭ କରି ଚାକିରି କରିବାକୁ ଚାହୁଁଛନ୍ତି। ମହାରାଷ୍ଟ୍ରର କେତେକ ପରିବାର ମଧ୍ୟ ଏଠାରେ ଜମି କିଣିଛନ୍ତି ଏବଂ ସ୍ଥାନୀୟ କୃଷକମାନଙ୍କ ସହ ମିଶି କାମ କରୁଛନ୍ତି।

କୁଲକର୍ଣ୍ଣି କହନ୍ତି, “କୃଷକମାନଙ୍କ ସହ ସେମାନଙ୍କର ଏକ ବୃତ୍ତିଗତ ସଂପର୍କ ରହିଛି । ଉଦାହରଣ ସ୍ଵରୂପ, ‘ପେନିଂ’- ଏହା ଏକ ଚାରଣ ପ୍ରକ୍ରିୟା, ଯେଉଁଥିରେ କି ଚାଷବାସ ଋତୁ ଭିନ୍ନ ଅନ୍ୟ ସମୟରେ ରବାରିମାନେ ସେମାନଙ୍କ ମେଣ୍ଢା ଓ ଛେଳିମାନଙ୍କୁ ଚାଷଜମିରେ ଚରିବାକୁ ଛାଡ଼ି ଦିଅନ୍ତି। ଏହା ଫଳରେ ଜମିର ମାଟି ଉର୍ବର ହୁଏ ଏବଂ ପଶୁମାନଙ୍କର ମଳ ଜୈବିକ ସାର ଭଳି କାମରେ ଲାଗେ। ସେ କହନ୍ତି, “ଯେଉଁ ଚାଷୀମାନେ ସେମାନଙ୍କ ସହ ଏଭଳି ବୃତ୍ତିଗତ ସଂପର୍କ ରଖନ୍ତି, ସେମାନେ ହିଁ ସେମାନଙ୍କର ଉପାଦେୟତା ଜାଣନ୍ତି।”

ଯେଉଁ ରବାରିମାନଙ୍କୁ ଦେବା ପାଇଁ ଏହି ୫୮ଟି ଓଟ ନିଆଯାଉଥିଲା ସେମାନେ ମହାରାଷ୍ଟ୍ର କିମ୍ବା ଛତିଶଗଡ଼ର ବିଭିନ୍ନ ବସତିରେ ବସବାସ କରିଆସୁଛନ୍ତି। ସେମାନେ ଏହି ସବୁ ରାଜ୍ୟରେ ସ୍ଥାପିତ ବସତିରେ ପ୍ରାୟ ନିଜ ନିଜର ସମଗ୍ର ଜୀବନ କାଳ ବିତାଇ ସାରିଲେଣି। ହେଲେ କଚ୍ଛରେ ଥିବା ସେମାନଙ୍କ ସଂପ୍ରଦାୟ ସହିତ ସେମାନଙ୍କର ନିବିଡ଼ ଯୋଗସୂତ୍ର ରହିଛି। ଅନ୍ୟପକ୍ଷରେ, ଫକିରାନୀ ଜାଟ୍‌ ସଂପ୍ରଦାୟର ଲୋକେ ବସବାସ କରିବା ଲାଗି ଅଧିକ ଦୂର ଯାଆନ୍ତି ନାହିଁ । କିନ୍ତୁ ଓଟ ପାଳନରେ ସେମାନଙ୍କର ଚମତ୍କାର ଦକ୍ଷତା ରହିଛି ଏବଂ ରବାରିମାନଙ୍କ ସହ ସେମାନଙ୍କର ସାଂସ୍କୃତିକ ସଂପର୍କ ରହିଆସିଛି ।

ଭୁଜରେ ‘ସେଣ୍ଟର ଫର୍‌ ପାଷ୍ଟୋରାଲିଜ୍‌ମ’ ବା ପଶୁପାଳକ କେନ୍ଦ୍ର ଚଳାଉଥିବା ‘ସହଜୀବନ’ ନାମକ ଏକ ବେସରକାରୀ ସଂଗଠନର ଉକ୍ତି ଅନୁସାରେ, ରବାରି, ସାମସ ଏବଂ ଜାଟ୍‌ ସମେତ କଚ୍ଛରେ ରହୁଥିବା ସବୁ ପଶୁପାଳନ ସଂପ୍ରଦାୟ ମଧ୍ୟରେ ପ୍ରାୟ ୫୦୦ ଓଟପାଳକ ସଂପ୍ରଦାୟ ରହିଛି।

ଭୁଜରୁ ସହଜୀବନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ରମେଶ ଭାଟ୍ଟି ଫୋନ୍‌ରେ ପରୀକୁ କହିଲେ, “ଏ କଥା ସତ ଯେ ଏହି ୫୮ଟି ଅଳ୍ପବୟସ୍କ ଓଟଙ୍କୁ କଚ୍ଛ ଉଁଟ ଉଚ୍ଚେରକ ମାଲଧାରି ସଂଗଠନ (କଚ୍ଛ ଓଟ ପାଳକ ସଂଗଠନ)ର ୧୧ ଜଣ ଓଟପାଳକ ସଦସ୍ୟଙ୍କ ନିକଟରୁ କିଣାଯାଇଥିଲା ବୋଲି ଆମେ ଯାଞ୍ଚ କରି ଦେଖିଛୁ ଏବଂ ଏହି ଓଟମାନଙ୍କୁ ସେମାନେ କେନ୍ଦ୍ରୀୟ ଭାରତରେ ରହୁଥିବା ସେମାନଙ୍କ ସଂପର୍କୀୟମାନଙ୍କ ପାଖକୁ ନେଉଥିଲେ।”

ଆମକୁ ଭାଟ୍ଟି ଆହୁରି କହନ୍ତି ଯେ, ଏହି ପାଞ୍ଚ ଜଣ ବ୍ୟକ୍ତି ଦକ୍ଷ ଓଟ ପ୍ରଶିକ୍ଷକ ଏବଂ ସେଥିପାଇଁ ହିଁ ସେମାନଙ୍କୁ ଏହି କଷ୍ଟଦାୟକ ଦୀର୍ଘ ଯାତ୍ରାରେ ଓଟମାନଙ୍କ ସାଙ୍ଗରେ ଯିବାକୁ ବଛା ଯାଇଥିଲା। ବୋଧହୁଏକଚ୍ଛରେ ରହୁଥିବା ବୟୋଜ୍ୟେଷ୍ଠ ଓଟ ପ୍ରଶିକ୍ଷକ ଏବଂ ପରିବହନକାରୀଙ୍କ ମଧ୍ୟରେ ଭର୍ସିଭାଇ ଅନ୍ୟତମ ।

Suja Rabari from Chandrapur district (left) and Sajan Rana Rabari from Gadchiroli district (right) were to receive two camels each
PHOTO • Jaideep Hardikar
Suja Rabari from Chandrapur district (left) and Sajan Rana Rabari from Gadchiroli district (right) were to receive two camels each
PHOTO • Jaideep Hardikar

ଅଟକ ରହିଥିବା ୫୮ଟି ଓଟ ମଧ୍ୟରୁ ଦୁଇଟି ଓଟ ନେବା ଲାଗି ଚନ୍ଦ୍ରପୁର ଜିଲ୍ଲାର ସୁଜା ରବାରୀ (ବାମ) ଏବଂ ଗଡ଼ଚିରୋଲି ଜିଲ୍ଲା (ଡାହାଣ)ର ସଜନ ରାଣା ରବାରୀ ଆସି ପହଞ୍ଚିଛନ୍ତି

*****

ଆମେମାନେ ଯାଯାବର ସଂପ୍ରଦାୟର, ଅନେକ ସମୟରେ ଆମ ପାଖରେ କାଗଜପତ୍ର ନଥାଏ...
ମଶ୍ରୁଭାଇ ରବାରି, ୱାର୍ଦ୍ଧାରୁ ଆସିଥିବା ରବାରି ସମାଜ ମୁଖିଆ

କଚ୍ଛରୁ ସେମାନେ ଠିକ୍‌ କେଉଁ ତାରିଖରେ ବାହାରିଥିଲେ ସେ କଥା ବି ସେମାନେ ମନେ ରଖିନାହାନ୍ତି ।

ବିବ୍ରତ ଏବଂ ନିର୍ଯାତିତ ପ୍ରଭୁରାମ ରବାରି କହନ୍ତି, “୨୦୨୧ସେପ୍ଟେମ୍ବର ମାସରେ ଆମେ ଏହି ଓଟମାନଙ୍କୁ ବିଭିନ୍ନ ସ୍ଥାନରେ ରହୁଥିବା ଓଟପାଳକମାନଙ୍କ ପାଖରୁ ସଂଗ୍ରହ କଲୁ ଏବଂ ଦୀପାବଳିର (ନଭେମ୍ବର ପ୍ରଥମ ଭାଗ) ଠିକ୍‌ ପରେ ଭଚାଉ (କଚ୍ଛର ଏକ ତହସିଲ)ରୁ ଆମ ପଦଯାତ୍ରା ଆରମ୍ଭ କଲୁ । ହୁଏତ ଆମେ ଏ ବର୍ଷ ଫେବ୍ରୁଆରୀ ମାସ ମଧ୍ୟ ଭାଗରେ କିମ୍ବା ଶେଷ ଭାଗରେ ଆମ ଲକ୍ଷ୍ୟସ୍ଥଳ ଛତିଶଗଡ଼ର ବିଳାସପୁରରେ ପହଞ୍ଚି ଯାଇଥାଆନ୍ତୁ।”

ସେମାନେ ଅଟକ ରହିବା ଦିନ ସୁଦ୍ଧା ଏହି ପାଞ୍ଚ ଜଣ ସେମାନଙ୍କ ନିଜ ବାସସ୍ଥାନ କଚ୍ଛରୁ ବାହାରି ପାଖାପାଖି ୧,୨୦୦ କିଲୋମିଟର ଅତିକ୍ରମ କରିସାରିଥିଲେ। ଭଚାଉରୁ ସେମାନେ ଅହମ୍ମଦାବାଦ ଆସିଥିଲେ ଏବଂ ତା ପରେ ମହାରାଷ୍ଟ୍ର ନାନ୍ଦୁରବାର, ଭୁସାବଲ, ଆକୋଲା, କରଞ୍ଜା ଏବଂ ତାଲେଗାଓଁ ଦଶାସରରେ ପହଞ୍ଚିଥିଲେ। ସେମାନେ ହୁଏତ ୱାର୍ଦ୍ଧା, ନାଗପୁର, ଭଣ୍ଡାରା (ମହାରାଷ୍ଟ୍ର)କୁ ଯିବା ପରେ ଦୁର୍ଗ ଏବଂ ରାୟପୁର ବାଟ ଦେଇ ବିଳାସପୁର (ସବୁ ସ୍ଥାନ ଛତିଶଗଡ଼ରେ)ରେ ପହଞ୍ଚି ଥାଆନ୍ତେ । ୱାସିମ ଜିଲ୍ଲାର କରଞ୍ଜା ବାଟ ଦେଇ ଯିବା ସମୟରେ ସେମାନେ ନବନିର୍ମିତ ସମୃଦ୍ଧି ରାଜପଥରେ ମଧ୍ୟ ଚାଲିଥିଲେ।

ବୋଧହୁଏ ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ସବୁଠାରୁ ସାନ ମୁସାଭାଇ ହମିଦ ବତାଇ ଦିଅନ୍ତି, “ଯଦିଓ ଗୋଟିଏ ଅଳ୍ପ ବୟସର ଓଟ ୨୦, କିଲୋମିଟର ଯାଏ ସହଜରେ ଚାଲିପାରିବ, ତଥାପି ଆମେ ଦିନକୁ ୧୨-୧୫ କିଲୋମିଟର ଚାଲୁଛୁ। ଆମେ ରାତି ହେଲେ ବିଶ୍ରାମ ନେଉ ଏବଂ ପୁଣି ବଡ଼ି ଭୋରରୁ ଯାତ୍ରା ଆରମ୍ଭ କରୁ।” ସେମାନେ ନିଜେ ନିଜ ପାଇଁ ରୋଷେଇବାସ କରନ୍ତି, ଓଟମାନଙ୍କୁ ବିଶ୍ରାମ ଦେବା ଉଦ୍ଦେଶ୍ୟରେ ଅପରାହ୍‌ଣରେ କିଛି ସମୟ ପାଇଁ ଶୁଅନ୍ତି ଏବଂ ପୁଣି ଚାଲିବା ଆରମ୍ଭ କରନ୍ତି।

କେବଳ ଓଟମାନଙ୍କୁ ପାଳିବା କାରଣରୁ ଗିରଫ ହେବା ଘଟଣାରେ ସେମାନେ ଭୟଭୀତ ହୋଇପଡ଼ିଥିଲେ ।

ୱାର୍ଦ୍ଧା ଜିଲ୍ଲାରେ ରହୁଥିବା ରବାରି ସମାଜର ଜଣେ ପୁରୁଖା ନେତା ମଶ୍ରୁଭାଇ ରବାରି ଆମକୁ କହିଲେ, “ଆମେ କେବେବି ଆମର ମାଈ ଓଟମାନଙ୍କୁ ବିକ୍ରି କରୁନାହିଁ ଏବଂ ଆମର ଅଣ୍ଡିରା ଓଟମାନଙ୍କୁ ପରିବହନରେ ବ୍ୟବହାର କରୁ। ଓଟ ହିଁ ଆମର ପାଦ।” ଏବେ ‘ଅଟକ ରଖାଯାଇଥିବା’ ସମସ୍ତ ୫୮ଟି ଓଟ ଅଣ୍ଡିରା।

Mashrubhai Rabari (right) has been coordinating between the lawyers, police and family members of the arrested Kachchhi herders. A  community leader from Wardha, Mashrubhai is a crucial link between the Rabari communities scattered across Vidarbha
PHOTO • Jaideep Hardikar
Mashrubhai Rabari (right) has been coordinating between the lawyers, police and family members of the arrested Kachchhi herders. A  community leader from Wardha, Mashrubhai is a crucial link between the Rabari communities scattered across Vidarbha
PHOTO • Jaideep Hardikar

ମଶ୍ରୁଭାଇ ରବାରୀ (ଡାହାଣ)ଗିରଫ ହୋଇଥିବା କଚ୍ଛି ଓଟପାଳକଙ୍କ ପରିବାର ସଦସ୍ୟ, ପୁଲିସ ଓ ଓକିଲଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଆସୁଛନ୍ତି। ୱାର୍ଦ୍ଧାର ଜଣେ ସମୁଦାୟ ନେତା ଭାବେ, ସମ୍ପୂର୍ଣ୍ଣ ବିଦର୍ଭ କ୍ଷେତ୍ରରେ ବିଚ୍ଛିନ୍ନ ଭାବେ ରହିଆସୁଥିବା ରବାରୀ ସମୁଦାୟ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ସେ ଜଣେ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ କାମ କରି ଆସୁଛନ୍ତି

ଆଦରରେ ଲୋକେ ତାଙ୍କୁ ‘ମଶ୍ରୁ ମାମା ବୋଲି ଡାକନ୍ତି । ପୋଲିସ ହାତରେ ଧରାପଡ଼ିବା ଦିନରୁ ହିଁ ସେ ଅନ୍ୟ ପାଞ୍ଚ ଜଣ ଓଟପାଳକଙ୍କ ସହିତ ଏକାଠି ରହିଆସୁଛନ୍ତି । ସେ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗସୂତ୍ର ରଖିଛନ୍ତି, ଅମରାବତୀରେ ଓକିଲ ଯୋଗାଡ଼ କରିବା ସହିତ ସେମାନଙ୍କ ବୟାନ ରେକର୍ଡ ଓ ଅନୁବାଦ କରିବାରେ ପୋଲିସକୁ ସାହାଯ୍ୟ କରିଆସୁଛନ୍ତି । ଉଭୟ ମରାଠୀ ଓ କଚ୍ଛି ଭାଷାରେ ତାଙ୍କର ଦକ୍ଷତା ରହିଛି ଏବଂ ଏଠାରେ ଏଣେତେଣେ ବସତି ଗଢ଼ି ରହିଆସୁଥିବା ରବାରିମାନଙ୍କ ସହ ସଂଯୋଗ ସ୍ଥାପନରେ ତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ମଶ୍ରୁଭାଇ କହନ୍ତି, “ବିଦର୍ଭ, ତେଲଙ୍ଗାନା ଏବଂ ଛତିଶଗଡ଼ର ବିଭିନ୍ନ ଡେରା ରେ ରହୁଥିବା ଆମ ସଂପ୍ରଦାୟର ୧୫-୧୬ ଜଣ ଲୋକଙ୍କୁ ଦେବା ପାଇଁ ଏହି ସବୁ ଓଟ ନିଆଯାଉଥିଲା। ପ୍ରତ୍ୟେକ ୩-୪ଟି ଲେଖାଏଁ ଓଟ ନେଇଥାଆନ୍ତେ।” ଯାତ୍ରା ସମୟରେ ରବାରିମାନେ ଓଟ ପିଠିରେ ସେମାନଙ୍କର ସବୁ ଜିନିଷପତ୍ର, ଛୋଟ ଛୋଟ ପିଲା, ବେଳେବେଳେ ମେଣ୍ଢାଛୁଆ ବି- ବସ୍ତୁତଃ ସେମାନଙ୍କର ସାରା ସଂସାରକୁ ଲଦି ଦିଅନ୍ତି। ଧଙ୍ଗର ନାମକ ମହାରାଷ୍ଟ୍ରର ଅନ୍ୟ ଏକ ପଶୁପାଳକ ସଂପ୍ରଦାୟ ଭଳି ସେମାନେ କେବେ ବି ବଳଦ ଗାଡ଼ି ବ୍ୟବହାର କରନ୍ତି ନାହିଁ।

ମଶ୍ରୁଭାଇ କହନ୍ତି, “ଆମେ ଆମ ଅଞ୍ଚଳରେ ନିଜର ପରିଚିତ ପଶୁପାଳକମାନଙ୍କ ପାଖରୁ ଏହି ଓଟମାନଙ୍କୁ କିଣିଥାଉ। ଯେତେବେଳେ ଏଠାକାର ୧୦ -୧୫ ଜଣ ଲୋକ ସେମାନେ ପାଳିଥିବା ବୁଢ଼ା ଓଟ ବଦଳରେ ଅଳ୍ପବୟସ୍କ ଓଟ ଦରକାର କରନ୍ତି, ଆମେ କଚ୍ଛରେ ଥିବା ଆମ ସଂପର୍କୀୟଙ୍କ ପାଖରେ ସେମାନଙ୍କ ପାଇଁ ଓଟ ବରାଦ ଦେଇଥାଉ। ପରବର୍ତ୍ତୀ ସମୟରେ ଓଟପାଳକମାନେ ବହୁସଂଖ୍ୟକ ଓଟକୁ ଏକାଠି ପଠାନ୍ତି ଏବଂ ସେମାନଙ୍କ ସହିତ ତାଲିମପ୍ରାପ୍ତ ଲୋକ ବି ପଠାନ୍ତି। ଯଦି ଓଟ ଧରି ଆସୁଥିବା ଏହି ତାଲିମପ୍ରାପ୍ତ ଲୋକଙ୍କର ଯାତ୍ରା ଦୀର୍ଘ ଦିନର ହୁଏ, ତେବେ ଓଟ କିଣୁଥିବା ବ୍ୟକ୍ତି ସେମାନଙ୍କୁ ମାସକୁ ୬,୦୦୦-୭,୦୦୦ ଟଙ୍କା ହିସାବରେ ପାଉଣା ଦିଅନ୍ତି। ମାଶ୍ରୁଭାଇ ଆମକୁ କହନ୍ତି ଯେ, ଗୋଟିଏ ଅଳ୍ପ ବୟସର ଓଟର ମୂଲ୍ୟ ୧୦,୦୦୦ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଗୋଟିଏ ଓଟ ୩ ବର୍ଷ ବୟସରୁ କାମ କରିବା ଆରମ୍ଭ କରେ ଏବଂ ୨୦-୨୨ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥାଏ। ସେ କହନ୍ତି, “ଗୋଟିଏ ଅଣ୍ଡିରା ଓଟ ୧୫ ବର୍ଷ ପାଇଁ କାମରେ ଲାଗେ।”

“ଏହା ସତ ଯେ ଏହି ଲୋକମାନଙ୍କ ପାଖରେ କୌଣସି କାଗଜପତ୍ର ନାହିଁ,” ମଶ୍ରୁଭାଇ ସ୍ଵୀକାର କରନ୍ତି। “ପୂର୍ବରୁ ଆମେ ସେସବୁ ଦରକାର କରୁ ନଥିଲୁ। କିନ୍ତୁ, ଏଣିକି ଆଗକୁ ଆମେ ଏ ଦିଗରେ ଅଧିକ ଯତ୍ନବାନ ହେବୁ। ପରିସ୍ଥିତି ବଦଳିବାରେ ଲାଗିଛି।”

ଏହି ଅଭିଯୋଗ ଯୋଗୁଁ ସେମାନେ ଓ ସେମାନଙ୍କ ଓଟମାନେ ଅନାବଶ୍ୟକ ଭାବେ ଅନେକ ସମସ୍ୟାରେ ପଡ଼ିଲେ ବୋଲି ସେ ଗରଗର ହୋଇ କହନ୍ତି । ମରାଠୀ ଭାଷାରେ ସେ କହନ୍ତି, ଆମି ଘୁମାନ୍ତୁ ସମାଜ ଆହେ, ଆମଚାୟା ବାରିଆଚ୍‌ ଲୋକେ କାଦ କାଢ଼ି କାଢ଼ି କାଗଦ ପତ୍ରା ନାସ୍ତେ ।” “ଆମେ ଯାଯାବର ସଂପ୍ରଦାୟର ଲୋକ; ଅନେକ ସମୟରେ ଆମେ ଆମ ପାଖରେ କାଗଜପତ୍ର ରଖି ନଥାଉ (ଯାହାକି ଏହି ମାମଲାରେ ଘଟିଲା)।”

Separated from their herders, the animals now languish in the cow shelter, in the custody of people quite clueless when it comes to caring for and feeding them
PHOTO • Jaideep Hardikar
Separated from their herders, the animals now languish in the cow shelter, in the custody of people quite clueless when it comes to caring for and feeding them
PHOTO • Jaideep Hardikar

ନିଜର ପାଳକ ମାନଙ୍କଠାରୁ ଅଲଗା ହୋଇଯିବା ପରେ, ଓଟମାନେ ଏବେ ଗୋଶାଳାରେ ଦୁର୍ବଳ ହୋଇପଡ଼ିଛନ୍ତି, ସେମାନଙ୍କୁ କିଭଳି ଖାଇବାକୁ ଦେବାକୁ ହେବ ଏବଂ ଯତ୍ନ ନେବାକୁ ହେବ ସେ ସମ୍ପର୍କରେ ଅଟକ ରଖିଥିବା ଲୋକମାନେ ଜାଣନ୍ତି ନାହିଁ

*****

ଆମ ବିରୋଧରେ ଅଭିଯୋଗ ହୋଇଛି ଯେ ଆମେ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ କଲୁ । କିନ୍ତୁ ସେମାନେ ଖୋଲା ଜାଗାରେ ଚରିବା ଆବଶ୍ୟକ ହେଉଥିବା ସମୟରେ ସେମାନଙ୍କୁ ଏଠାରେ ବନ୍ଦ କରି ରଖିବା ତୁଳନାରେ ଅଧିକ ନିଷ୍ଠୁର ଆଚରଣ ଆଉ କିଛି ନାହିଁ ।
ନାଗପୁରରୁ ପର୍ବତ ରବାରି, ଭେଟେରାନ୍ ରବାରି ସମାଜର ପୁରୁଖା ଓଟପାଳକ

ଅଟକ ରଖାଯାଇଥିବା ସବୁ ଓଟ ଅଣ୍ଡିରା ଏବଂ ଅଳ୍ପ ବୟସର। ସେମାନଙ୍କ ବୟସ ଦୁଇରୁ ପାଞ୍ଚ ବର୍ଷ ଭିତରେ। ସେମାନେ ସାଧାରଣତଃ କଚ୍ଛର ଆଭ୍ୟନ୍ତରୀଣ ସ୍ଥଳଭାଗ ପରିବେଶରେ ଦେଖାଯାଉଥିବା କଚ୍ଛି ପ୍ରଜାତିର ଓଟ। କଚ୍ଛରେ ଏବେ ଏହି ପ୍ରଜାତର ଓଟଙ୍କ ସଂଖ୍ୟା ୮,୦୦୦ ବୋଲି ଆକଳନ କରାଯାଇଛି

ଏହି ପ୍ରଜାତିର ଅଣ୍ଡିରା ଓଟଙ୍କ ଓଜନ ସାଧାରଣତଃ ୪୦୦ରୁ ୬୦୦ କିଲୋଗ୍ରାମ ଏବଂ ମାଈ ଓଟଙ୍କ ଓଜନ ୩୦୦ରୁ ୫୪୦ କିଲୋଗ୍ରାମ ଭିତରେ ହୋଇଥାଏ । ୱାର୍ଲଡ ଆଟ୍‌ଲାସ ୍‌ରେ ଉଲ୍ଲେଖ ରହିଛି ଯେ, ଏହି ପ୍ରଜାତିର ଓଟମାନଙ୍କର ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା ଯେ ଏମାନଙ୍କର ଛାତି ଅଣଓସାରିଆ, ପିଠିରେ ଗୋଟିଏ କୁଜ ଥାଏ, ବଙ୍କା ବେକ ଏବଂ କୁଜ, କାନ୍ଧ ଓ ଗଳା ପାଖରେ ଲମ୍ବା ଲମ୍ବା କେଶ ରହିଥାଏ । ସେମାନଙ୍କ ଦେହର ରଙ୍ଗ ବାଦାମୀରୁ ଆରମ୍ଭ କରି କଳା, ଏପରିକି ଧଳା ମଧ୍ୟ ହୋଇଥାଏ ।

ବାଦାମୀ ରଙ୍ଗର ଏହି କଚ୍ଛି ଖୁରାବିଶିଷ୍ଟ ପ୍ରାଣୀ ଖୋଲା ଜାଗାରେ ଚରିବାକୁ ଭଲ ପାଏ ଏବଂ ବିଭିନ୍ନ ପ୍ରକାରର ଗଛଲତା ଏବଂ ପତ୍ର ଆଦି ଖାଇ ଜୀବନଧାରଣ କରେ। ସେମାନେ ଜଙ୍ଗଲରେ ଗଛର ପତ୍ର, ଏମିତି କି ଚାରଣଭୂମିରୁ ଏବଂ ପତିତ ଚାଷଜମିରୁ ଘାସ ଖାଇ ରହିପାରନ୍ତି ।

ରାଜସ୍ଥାନ ଏବଂ ଗୁଜୁରାଟରେ ଓଟ ପାଳନ ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି। ଉଭୟ ରାଜ୍ୟରେ ଗତ କେଇ ଦଶନ୍ଧି ଭିତରେ ଜଙ୍ଗଲରେ ପ୍ରବେଶ ଏବଂ ହେନ୍ତାଳ ବଣର କାଦୁଆ ଜମିକୁ ଯିବା ଉପରେ ଅନେକ କଟକଣା ଲାଗୁ କରାଯାଇଛି। ସେମାନଙ୍କ ନିଜ ନିଜ ଅଞ୍ଚଳରେ ଯେଉଁଭଳି ଭାବରେ ଉନ୍ନୟନ କାର୍ଯ୍ୟ ହେଉଛି, ତାହା ମଧ୍ୟ ଓଟ ଏବଂ ସେମାନଙ୍କ ପାଳନକାରୀ ଓ ମାଲିକମାନଙ୍କ ସମସ୍ୟାକୁ ବହୁଗୁଣିତ କରିଛି। ପୂର୍ବରୁ ସେମାନଙ୍କୁ ମାଗଣାରେ ପ୍ରଚୁର ମାତ୍ରାରେ ମିଳୁଥିବା ଖାଦ୍ୟ ଆଉ ଆଜିକାଲି ମିଳୁନାହିଁ ।

ଜାମିନରେ ମୁକୁଳିବା ପରେ ଏହି ପାଞ୍ଚ ଜଣ ଲୋକ ଏବେ ସେମାନଙ୍କ ସଂପ୍ରଦାୟର ଅନ୍ୟମାନଙ୍କ ସହ ମିଶି ଅମରାବତୀର ସେହି ଗୃହପାଳିତ ପଶୁଙ୍କ ଆଶ୍ରୟସ୍ଥଳ ପାଖରେ ରହୁଛନ୍ତି। ସେଠାରେ ଚାରିଆଡ଼େ ତାରବାଡ଼ ଘେରା ଯାଇଥିବା ଏକ ବଡ଼ ପଡ଼ିଆରେ ସେମାନଙ୍କ ଓଟମାନଙ୍କୁ ଛାଡ଼ି ଦିଆଯାଇଛି। ଓଟମାନେ ପୂର୍ବରୁ ଯେଉଁଭଳି ଆହାର ପାଉଥିଲେ ଏବେ ତାହା ପାଉ ନଥିବାରୁ ଓଟମାନଙ୍କ ସୁସ୍ଥତା ନେଇ ରବାରିମାନେ ଚିନ୍ତିତ।

A narrow chest, single hump, and a long, curved neck, as well as long hairs on the hump, shoulders and throat are the characteristic features of the Kachchhi breed
PHOTO • Jaideep Hardikar
A narrow chest, single hump, and a long, curved neck, as well as long hairs on the hump, shoulders and throat are the characteristic features of the Kachchhi breed
PHOTO • Jaideep Hardikar

ପତଳା ବେକ, ଗୋଟିଏ କୁଜ ଏବଂ ଏକ ଲମ୍ବା, ଗୋଲିଆ ବେକ ସହିତ କୁଜ, କାନ୍ଧ ଓ ଗଳାରେ କେଶ ଥିଲେ ତାହା କଚ୍ଛ ଓଟର ବୈଶିଷ୍ଟ୍ୟ ବୋଲି ଧରାଯାଏ

ରବାରିମାନେ କହନ୍ତି, ଓଟମାନେ କଚ୍ଛ (କିମ୍ବା ରାଜସ୍ଥାନ)ରୁ ଦୂରବର୍ତ୍ତୀ ଅଞ୍ଚଳରେ ରହିବାରେ ଅଭ୍ୟସ୍ତ ହୋଇପାରିବେନି ବୋଲି ଯାହା କୁହାଯାଉଛି ତାହା ସତ ନୁହେଁ । ଭଣ୍ଡାର ଜିଲ୍ଲାର ପୌନି ବ୍ଲକ୍‌ ଅନ୍ତର୍ଗତ ଆସଗାଓଁରେ ରହୁଥିବା ଜଣେ ଅଭିଜ୍ଞ ରବାରି ଓଟପାଳକ ଆସାଭାଇ ଜେସା କହନ୍ତି, “ଯୁଗ ଯୁଗ ଧରି ସେମାନେ ଆମ ସହିତ ଦେଶର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ଏବଂ ରହିଆସୁଛନ୍ତି ।”

ନାଗପୁରର ଉମରେଦ ସହର ନିକଟବର୍ତ୍ତୀ ଏକ ଗାଁରେ ଜୀବନଯାପନ କରୁଥିବା ଆଉ ଜଣେ ପୁରୁଖା ପ୍ରବାସୀ ଓଟପାଳକ ପର୍ବତ ରବାରି କହନ୍ତି, “ଏହା ବିଡ଼ମ୍ବନାର ବିଷୟ । ଆମେ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରୁଥିଲୁ ବୋଲି ଆମ ବିରୋଧରେ ଅଭିଯୋଗ ହୋଇଛି । ହେଲେ ସେମାନଙ୍କ ପାଇଁ ଖୋଲା ଜାଗାରେ ଚରିବା ଆବଶ୍ୟକ ହେଉଥିବା ବେଳେ ସେମାନଙ୍କୁ ଏଠାରେ ବନ୍ଦ କରି ରଖାଯିବା ତୁଳନାରେ ଅଧିକ ନିଷ୍ଠୁର ଆଚରଣ ଆଉ କିଛି ନାହିଁ ।”

ନାଗପୁର ଜିଲ୍ଲାର ଉମରେଦ ତାଲୁକା ଅନ୍ତର୍ଗତ ସିର୍ସି ନାମକ ଏକ ଗାଁରେ ରହୁଥିବା ଜାକରା ରବାରି କହନ୍ତି, ‘ଗୋରୁଗାଈ ଯାହା ଖାଆନ୍ତି, ଓଟମାନେ ତାହା ଖାଆନ୍ତି ନାହିଁ ।” ଏହି ଓଟ ଦଳରୁ ତିନିଟି ଓଟ ତାଙ୍କୁ ମିଳିବାର ଥିଲା ।

କଚ୍ଛି ଓଟମାନେ ବିଭିନ୍ନ ପ୍ରକାରର ଗୁଳ୍ମ ଓ ଗଛପତ୍ର ଖାଆନ୍ତି – ନିମ୍ବ, ବବୁଲ, ଅ ଶ୍ଵ ତ୍‌ଥ ପ୍ରଭୃତି ଗଛର ପତ୍ର । କଚ୍ଛରେ ସେମାନେ ଜିଲ୍ଲାର ଶୁଷ୍କ ଓ ପାହାଡ଼ିଆ ଅଞ୍ଚଳରେ ଉପଲବ୍‌ଧ ଗଛପତ୍ର ଏବଂ ଅନ୍ୟ ଚାରା ଖାଇଥାଆନ୍ତି ଏବଂ ଏଥିରେ ରହିଥିବା ପ୍ରଚୁର ପରିମାଣର ପୁଷ୍ଟିକର ଉପାଦାନ ଯୋଗୁଁ ସେମାନଙ୍କ କ୍ଷୀରର ଗୁଣବତ୍ତା ବୃଦ୍ଧି ପାଇଥାଏ । ସାଧାରଣତଃ ଏହି ପ୍ରଜାତିର ଏକ ମାଈ ଓଟ ଦିନକୁ ୩-୪ ଲିଟର କ୍ଷୀର ଦେଇଥାଏ । କଚ୍ଛି ଓଟପାଳକମାନେ ଓଟମାନଙ୍କୁ ଦିନେ ଛଡ଼ା ଦିନେ ପାଣି ପିଆଇବାକୁ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ପାଣି ପାଖକୁ ଆଣନ୍ତି । ସାଧାରଣତଃ ଏହି ଓଟମାନଙ୍କୁ ଶୋଷ ଲାଗିଲେ, ଏହାର ୧୫ରୁ ୨୦ ମିନିଟ ଭିତରେ ଥରକରେ ସେମାନେ ୭୦-୮୦ ଲିଟର ପାଣି ପିଅନ୍ତି । କିନ୍ତୁ, ବିନା ପାଣିରେ ଦୀର୍ଘ ଦିନ ଧରି ରହିବାର କ୍ଷମତା ବି ସେମାନଙ୍କର ରହିଛି ।

ଗୌରକ୍ଷା କେନ୍ଦ୍ରରେ ରହିଥିବା ୫୮ଟି ଓଟ ମଧ୍ୟରୁ କୌଣସି ଗୋଟିଏ ହେଲେ ପୂର୍ବରୁ ଆବଦ୍ଧ ସ୍ଥାନରେ ରହି ଚାରା ଖାଇବାରେ ଅଭ୍ୟସ୍ତ ନୁହଁନ୍ତି । ପର୍ବତ ରବାରି କହନ୍ତି ଯେ, ବୟସ୍କ ଓଟମାନେ ଏଠାରେ ମିଳୁଥିବା ଚିନାବାଦାମ ଚୋପାକୁ ଦାନା ଭାବରେ ଖାଇଦେଉଥିଲେ ବି ସାନ ଓଟମାନ ଏଭଳି ଦାନା ଖାଇବା ଶିଖି ନାହାନ୍ତି । ସେ କହନ୍ତି ଯେ ଅମରାବତୀର ଏହି ସ୍ଥାନକୁ ସେମାନେ ଆସିବା ବାଟରେ ରାସ୍ତାକଡ଼ରେ କିମ୍ବା ଆଖପାଖ ତୋଟାରେ ଥିବା ବିଭିନ୍ନ ଗଛର ପତ୍ରକୁ ଖାଇ ଖାଇ ଓଟମାନେ ଆସିଥିଲେ ।

ଗୋଟିଏ ଯୁବ ବୟସର ଓଟ ଦିନକୁ ୩୦ କିଲୋ ଓଜନ ପର୍ଯ୍ୟନ୍ତ ଚାରା ଖାଏ ବୋଲି ପର୍ବତ ଆମକୁ ସୂଚାଇ ଦିଅନ୍ତି ।

Eating cattle fodder at the cow shelter.
PHOTO • Jaideep Hardikar
A Rabari climbs a neem tree on the premises to cut its branches for leaves, to feed the captive camels
PHOTO • Jaideep Hardikar

ବାମ : ଅମରାବତୀର ଗୋଶାଳାରେ ଓଟମାନେ ଗୋଖାଦ୍ୟ ଖାଉଛନ୍ତି। ଡାହାଣ : ଅଟକ ରହିଥିବା ଓଟମାନଙ୍କୁ ଖୁଆଇବା ଲାଗି ଜଣେ ରବାରୀ ପରିସରରେ ଥିବା ନିମ୍ବ ଗଛରେ ଚଢ଼ି ପତ୍ର ସଂଗ୍ରହ କରୁଛନ୍ତି

ଏଠାକାର ପଶୁ ଆଶ୍ରୟସ୍ଥଳୀରେ ଥିବା ଗୋରୁଗାଈଙ୍କୁ ବିଭିନ୍ନ ଶସ୍ୟର - ଯେମିତି କି ସୋୟାବିନ୍‌, ଗହମ, ଯଅ, ମକା, ଏବଂ ବଡ଼ ଓ ସାନ ବାଜରାର- ଚୋପା ଏବଂ ଘାସ ମଧ୍ୟ ଖାଇବାକୁ ଦିଆଯାଏ । ଏବଂ ଏହା ହିଁ ଏବେ ଏଠାରେ ଅଟକ ରଖାଯାଇଥିବା ଓଟମାନଙ୍କୁ ଦିଆଯାଉଛି ।

ସେମାନଙ୍କ ସଂପ୍ରଦାୟର ଲୋକମାନଙ୍କୁ ଏବଂ ଓଟମାନଙ୍କୁ ଅଟକ ରଖାଯାଇଥିବା ଖବର ପାଇବା ମାତ୍ରେ ମହାରାଷ୍ଟ୍ର ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ବହୁ ଦଶନ୍ଧି ହେଲା ବସବାସ କରିଆସୁଥିବା ପର୍ବତ, ଜାକରା ଏବଂ ଅନ୍ୟ ଦଶ ବାର ଜଣ ରବାରି ସଂପ୍ରଦାୟର ଲୋକେ ଅମରାବତୀ ଅଭିମୁଖେ ବାହାରି ଯାଇଥିଲେ। ସେମାନଙ୍କ ଉତ୍କଣ୍ଠିତ ନଜର ଏବେ ଏହି ଓଟମାନଙ୍କ ଉପରେ ଲାଖି ରହିଛି ।

ଓଟମାନଙ୍କ ହେପାଜତ ସଂପର୍କରେ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ସଂପ୍ରତି ଗୌରକ୍ଷା କେନ୍ଦ୍ର ରେ ରହୁଥିବା ଜାକରା ରବାରି କହନ୍ତି, “ସବୁ ଓଟଙ୍କୁ ବାନ୍ଧି କରି ରଖାଯାଏ ନାହିଁ। କିନ୍ତୁ କେତେକଙ୍କୁ ବାନ୍ଧି ରଖିବା ଦରକାର ହୁଏ। ଅନ୍ୟଥା ସେମାନେ ପରସ୍ପରକୁ କାମୁଡ଼ିବାର ଏବଂ ପଥଚାରୀନାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ।” ସେ କହନ୍ତି, “ଏହି ଅଳ୍ପ ବୟସର ଓଟମାନେ ଖୁବ୍‌ ଆକ୍ରମଣାତ୍ମକ ହୋଇପାରନ୍ତି।”

ଓଟମାନଙ୍କୁ ଖୋଲାରେ ଚରିବାକୁ ଛାଡ଼ି ଦେବାର ଆବଶ୍ୟକତା ରହିଛି ବୋଲି ରବାରିମାନେ ଅଡ଼ି ବସନ୍ତି। ପୂର୍ବରୁ ପୋଲିସ ଦ୍ଵାରା ଅଟକ ରହିଥିବା କେତେକ ଓଟ ଆବଦ୍ଧ ପରିସର ଭିତରେ ରହି ପ୍ରାଣ ହରାଇଥିବାର ଦୃଷ୍ଟାନ୍ତ ରହିଛି।

ଯେତେ ଶୀଘ୍ର ସମ୍ଭବ ଓଟମାନଙ୍କୁ ରବାରିମାନଙ୍କ ହେପାଜତରେ ଛାଡ଼ି ଦେବା ଲାଗି ଆଦେଶ ଦେବାକୁ ସେମାନଙ୍କ ପକ୍ଷରୁ ମାମଲା ଲଢୁଥିବା ସ୍ଥାନୀୟ ଆଇନଜୀବୀ ମନୋଜ କାଲ୍ଲା ତଳକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଏହି ମାମଲା ଲଢ଼ିବା, ଓକିଲଙ୍କ ଫି’ ଦେବା, ସେମାନଙ୍କ ନିଜ ନିଜର ରହଣି ବାବଦ ଖର୍ଚ୍ଚ ସହିତ ଓଟମାନଙ୍କ ପାଖରେ ଉପଯୁକ୍ତ ଖାଦ୍ୟ ପହଞ୍ଚାଇବା ଖର୍ଚ୍ଚ ବହନ କରିବା ନିମନ୍ତେ କଚ୍ଛରୁ ଆସିଥିବା ଏବଂ ଏଠାରେ ରହୁଥିବା ସେମାନଙ୍କ ସଂପ୍ରଦାୟର ଲୋକ ଏବଂ ବିଭିନ୍ନ ସ୍ଥାନର ଓଟ କ୍ରେତାମାନେ ସେମାନଙ୍କ ସମସ୍ତ ସାଧନ ସହିତ ଏଠାକୁ ଆସିଛନ୍ତି।

ଇତ୍ୟବସରରେ, ଓଟମାନଙ୍କୁ ଗୋ ଆଶ୍ରୟସ୍ଥଳୀ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

The 58 dromedaries have been kept in the open, in a large ground that's fenced all around. The Rabaris are worried about their well-being if the case drags on
PHOTO • Jaideep Hardikar
The 58 dromedaries have been kept in the open, in a large ground that's fenced all around. The Rabaris are worried about their well-being if the case drags on
PHOTO • Jaideep Hardikar

ଚାରି ପଟୁ ବାଡ଼ ରହିଥିବା ଏକ ଖୋଲା ବଡ଼ ପଡ଼ିଆରେ  ୫୮ଟି ଓଟଙ୍କୁ ରଖାଯାଇଛି। ଯଦି ମାମଲା ଲମ୍ବି ଚାଲିବ ତା’ହେଲେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କ’ଣ ହେବ ତା’କୁ ନେଇ ରବାରୀମାନେ ଚିନ୍ତିତ ହୋଇପଡ଼ିଛନ୍ତି

ଗୋରୁଗାଈଙ୍କର ଏହି ଆଶ୍ରଯସ୍ଥଳୀ ପରିଚାଳନା କରୁଥିବା ଗୌରକ୍ଷଣ ସମିତି ନାମକ ସଂସ୍ଥାର ସଂପାଦକ ଦୀପକ ମନ୍ତ୍ରୀ କହନ୍ତି, “ପ୍ରଥମେ ସେମାନଙ୍କୁ ଖାଇବାକୁ ଦେବା ଆମ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ହେଲେ ଏବେ ଆମେ ଜାଣିସାରିଛୁ ଯେ ସେମାନଙ୍କୁ କେତେ ପରିମାଣରେ କେଉଁ ପଶୁଖାଦ୍ୟ ଦିଆଯିବ ଏବଂ ଏ କ୍ଷେତ୍ରରେ ରବାରିମାନେ ବି ଆମର ସହାୟତା କରୁଛନ୍ତି। ଆଖପାଖରେ ଆମର ୩୦୦ ଏକର ଚାଷଜମି ରହିଛି ଏବଂ ସେଥିରୁ ଆମେ ଓଚମାନଙ୍କ ପାଇଁ ସବୁଜ ଓ ଶୁଖିଲା ଘାସପତ୍ର ଆଣିଥାଉ।” ସେ ଦୃଢ଼ ଭାବରେ କହନ୍ତି, “ଓଟମାନଙ୍କ ପାଇଁ ଖାଦ୍ୟର ଅଭାବ ନାହିଁ ।” ସେମାନଙ୍କ ସଂସ୍ଥାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ଆସି କେତେକ ଆହତ ଓଟଙ୍କ କ୍ଷତର ଉପଚାର କରିଥିଲେ। “ଏଠାରେ ସେମାନଙ୍କ ଦେଖାରଖା କରିବାରେ ଆମର କୌଣସି ସମସ୍ୟା ନାହିଁ,” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରନ୍ତି।

ଓଟମାନଙ୍କ ବନ୍ଦୀ ଜୀବନର ଅବସାନ ଘଟାଇ ଅଦାଲତ ସେମାନଙ୍କୁ ଓଟମାଲିକମାନଙ୍କ ଜିମାରେ ଛାଡ଼ି ଦେବେ ବୋଲି ଆଶା କରୁଥିବା ପର୍ବତ ରବାରି କହନ୍ତି, “ଓଟମାନେ ଭଲରେ ଖାଉନାହାନ୍ତି।” ସେ କହନ୍ତି, “ଏଇଟା ସେମାନଙ୍କ ପାଇଁ ଜେଲ ଭଳି ।”

ଏବେ ଜାମିନରେ ବାହାରିବା ପରେ, ଭର୍ସୀଭାଇ ଏବଂ ଅନ୍ୟ ଚାରି ଜଣ ବ୍ୟକ୍ତି ସେମାନଙ୍କ ଘରକୁ ଫେରିଯିବା ଲାଗି ବ୍ୟସ୍ତ ହେଉଛନ୍ତି, କିନ୍ତୁ ସେମାନଙ୍କ ପାଳିତ ପଶୁଙ୍କୁ ଛାଡ଼ି ଦେବା ଓ ଫେରାଇ ଦେବା ପରେ ହିଁ ସେମାନେ ଘରକୁ ଫେରିପାରିବେ। ରବାରୀମାନଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ମନୋଜ କାଲ୍ଲା ପରୀକୁ କହିଥିଲେ ଯେ, ‘‘ଜାନୁଆରୀ ୨୧ ଶୁକ୍ରବାର ଦିନ ଧମନଗାଓଁର ଜିଲ୍ଲା ନ୍ୟାୟାଧୀଶ (ନିମ୍ନ ନ୍ୟାୟାଳୟ) ୫୮ଟି ଓଟଙ୍କ ମାଲିକାନା ପ୍ରମାଣିତ କରିବା ଲାଗି ଆବଶ୍ୟକ କାଗଜପତ୍ର ଦେଖାଇବା ପାଇଁ ପାଞ୍ଚ ଜଣ ଓଟପାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଲୋକମାନଙ୍କ ପାଖରୁ ସେମାନେ ଓଟ କିଣିଛନ୍ତି ସେମାନଙ୍କ ଠାରୁ ମିଳିଥିବା ରସିଦ୍‌ ଏକ ପ୍ରମାଣ କାଗଜପତ୍ର ହୋଇପାରେ’’।

ଇତିମଧ୍ୟରେ, ରବାରୀମାନେ ଏହିସବୁ ଓଟଙ୍କୁ ପୁଣିଥରେ ଫେରିପାଇବା ଲାଗି ଅପେକ୍ଷା କରିଛନ୍ତି ଏବଂ ସେମାନେ ନିଜର ସମ୍ପର୍କୀୟ ଏବଂ ଓଟ କ୍ରେତାମାନଙ୍କ ସହିତ ଅମରାବତୀର ଗୋଶାଳା ନିକଟରେ ଆଶ୍ରୟ ନେଇଛନ୍ତି। ସମସ୍ତେ ଏବେ ଧମନଗାଓଁ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପ୍ରତୀକ୍ଷା କରି ରହିଛନ୍ତି।

ଆଉ ତେଣେ, ଏସବୁ ବୁଝିବାର କ୍ଷମତା ନଥିବା ଓଟମାନେ ବି ଅଟକ ରହିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

জয়দীপ হার্ডিকার নাগপুর নিবাসী সাংবাদিক এবং লেখক। তিনি পিপলস্‌ আর্কাইভ অফ রুরাল ইন্ডিয়ার কোর টিম-এর সদস্য।

Other stories by জয়দীপ হার্ডিকর
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE