“ମୋ ପାଇଁ ଏହା ହିଁ କୌତୁହଳର କଥା ଯେ ଲୋକେ ମୂଲଚାଲ କରୁଛନ୍ତି”, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଜଣେ ଥାଟି ମୁଞ୍ଜାଲୁ, କିମ୍ବା ତାଳସଜ ବିକାଳି କୁପ୍ପା ପାପ୍ପାଲା ରାଓ କହନ୍ତି । “ବଡ଼ ବଡ଼ କାର୍ରେ ବସି, ସଫା ମାସ୍କ ପିନ୍ଧିଥିବା ଅନେକ ଲୋକ ଆସନ୍ତି ଏବଂ ଡଜନ ପିଛା ୫୦ ଟଙ୍କା ଦରରମୁଞ୍ଜାଲୁକୁ ୩୦-୪୦ ଟଙ୍କାରେ ଦେବାକୁ ମୋତେ ଅନୁରୋଧ କରନ୍ତି,” ଅଳ୍ପ ହସି ସେ କହିଲେ ।
ତାଳସଜ କିଣାରୁ ସେମାନେ ବଞ୍ଚାଇ ଦେଉଥିବା ୨୦ ଟଙ୍କାରେ ଲୋକେ କ’ଣ କରନ୍ତି ବୋଲି ପାପ୍ପାଲା ରାଓ ବିସ୍ମିତ ହୁଅନ୍ତି । “ସେତିକି ଟଙ୍କା ସେମାନଙ୍କ କାମରେ ସେତେ ଲାଗିବନି, କିନ୍ତୁ ମୋର ତାହା କେତେ ଦରକାର, ସେକଥା ସେମାନେ ବୁଝନ୍ତି କି ନାହିଁ ବୋଲି ମୁଁ ଜାଣିନି । ସ୍ଵାଭାବିକ ସ୍ଥିତିରେ, ସେଇ ଟଙ୍କାରେ ମୁଁ ଘରକୁ ଫେରିଯିବା ପାଇଁ ବସ୍ ଟିକଟ କିଣିପାରିବି ।”
ମେ ୨୯ ତାରିଖ ଦିନ ବିଶାଖାପାଟଣା ସହରର ଇନ୍ଦିରା ଗାନ୍ଧି ପ୍ରାଣୀ ଉଦ୍ୟାନ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ, କେବଳ ଏକ ପୁରୁଣା ଖାକି ରଙ୍ଗର କପଡ଼ାରେ ତିଆରି ମାସ୍କ ଦ୍ଵାରା ‘ସୁରକ୍ଷିତ’ ରହି ତାଙ୍କ ବ୍ୟବସାୟ ଚଳାଇଥିବା ୪୮ ବର୍ଷୀୟ ପାପ୍ପାଲା ରାଓ ଅନ୍ୟ ଅନେକ ମୁଞ୍ଜାଲୁ ବିକାଳିଙ୍କ ମଧ୍ୟରୁ ଜଣେ । ବିଗତ ୨୧ ବର୍ଷ ଧରି ଏପ୍ରିଲ ଓ ମେ ମାସରେ ସେ ଏହି ତାଳସଜ ବିକିଛନ୍ତି । ସେ କହିଲେ, “ଗତ ବର୍ଷ, ଆମେ ଦିନକୁ ପ୍ରାୟ ୭୦୦-୮୦୦ ଟଙ୍କା ରୋଜଗାର କରୁଥିଲୁ- ମୁଞ୍ଜାଲୁ କେବେ ଆମକୁ ନିରାଶ କରିନି ।”
ହେଲେ, ଏ ବର୍ଷ କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ମୁଞ୍ଜାଲୁ ବିକାଳିମାନେ, ଭଲ ବେପାର ହେଉଥିବା ଦିନରୁ କେତେକ ସପ୍ତାହ ହରାଇ ସାରିଛନ୍ତି । ମେ ମାସ ଶେଷ ସପ୍ତାହରେ ହିଁ ସେମାନେ ଏହି ଫଳ ବିକିବା ଆରମ୍ଭ କଲେ । ଜଣେ ଗ୍ରାହକଙ୍କ ପାଇଁ ଡଜନେ ତାଳସଜ ବାନ୍ଧୁ ବାନ୍ଧୁ ପାପ୍ପାଲା ରାଓଙ୍କ ସ୍ତ୍ରୀ, ୩୭ ବର୍ଷୀୟା କୁପ୍ପା ରାମା କହିଲେ, “ନା ଆମେ ଏ ଫଳ ବିକିପାରିଲୁ, ନା ଆଉ କୋଉଠି କିଛି କାମ କରିପାରିଲୁ ।ସହରରେ ମୁଞ୍ଜାଲୁ ବିକିବା ଲାଗି, ୨୦ କିଲୋମିଟର ଦୂର ବିଶାଖାପାଟଣା ଜିଲ୍ଲାର ଆନନ୍ଦପୁରମ୍ ମଣ୍ଡଳରେ ଥିବା ସେମାନଙ୍କ ଘରୁ ରାମା ଓ ପାପ୍ପାଲା ରାଓ ଏକାଠି ଆସନ୍ତି ।
“ଏ ବର୍ଷ ସେତେ ଭଲ ବିକ୍ରି ହୋଇନାହିଁ । ଦିନକରେ ଆମେ ମାତ୍ର ୩୦-୩୫ ଡଜନ ମୁଞ୍ଜାଲୁ ବିକି ପାରୁଛୁ,” ରାମା ବୁଝାଇ ଦେଲେ । ଗତ ବର୍ଷର ଏହି ସମୟରେ ଦିନକୁ ୪୬ ଡଜନ ଫଳ ବିକ୍ରି ହେଉଥିବା କଥା ମନେ ପକାଇ ପାପ୍ପାଲା ରାଓ କହିଲେ, “ସବୁ ଦିନ ଶେଷରେ, ଯିବାଆସିବା ଏବଂ ଖିଆପିଆ ବାବଦ ଖର୍ଚ୍ଚ ବାଦ ଦେଲେ ଆମ ପାଖରେ ୨୦୦-୩୦୦ ଟଙ୍କା ଯାହା ରହୁଛି । ଏ ବର୍ଷ ଜୁନ୍ ୧୬ ପର୍ଯ୍ୟନ୍ତ, ସେ ଓ ରାମା ପ୍ରାୟ ୧୨ ଦିନମାତ୍ର ମୁଞ୍ଜାଲୁ ବିକିଛନ୍ତି । ତାଳସଜ ଋତୁ ସରି ସରି ଆସୁଥିବା ବେଳେ ଜୁନ୍ ମାସରେ ସେମାନଙ୍କ ଫଳ ବିକ୍ରି ଦିନକୁ ମୋଟାମୋଟି ୨୦ ଡଜନକୁ ଖସି ଆସିଥିଲା ।ଏପ୍ରିଲ ଓ ମେ ମାସରେ,ତାଳଗଛରେ (Borassusflabellifer)ପ୍ରଚୁର ପରିମାଣରେ ଥାଟି ମୁଞ୍ଜାଲୁ ଫଳିଥାଏ । ଗଛରୁ ନିର୍ଗତମିଠା ରସରୁ ତିଆରି ହେଉଥିବା ତାଡ଼ି ପାଇଁ ଏହି ଗଛ ସୁପରିଚିତ । ଏହି ଋତୁରେ ପାପ୍ପାଲା ରାଓଙ୍କ ଭଳି ତାଡ଼ି ସଂଗ୍ରାହକମାନେ, ରସ ସଂଗ୍ରହ କରିବା ଏବଂ ମୁଞ୍ଜାଲୁ ତୋଳିବା ପାଇଁ, ୬୫ ଫୁଟ କି ଅଧିକ ଉଚ୍ଚତାର, ଗଛରେ ଚଢ଼ନ୍ତି ।
ତାଳସଜ ନାଁରେ ଜଣାଶୁଣା ତାଳଗଛର ଫଳ, ପ୍ରାୟତଃ ନଡ଼ିଆ ଭଳି ଦେଖାଯାଏ ଏବଂ ତାଳଗଛରେ ଗୋଛା ଗୋଛା ହୋଇ ଫଳିଥାଏ । ଏଥିରେ ସବୁଜ-କଳା ରଙ୍ଗର ଅଣ୍ଡାକୃତି ଚୋପା ଭିତରେ ଥିବା ମଞ୍ଜିର ଜେଲି ଭଳି ରସାଳ ଖୋଳ ଭିତରେ ପାଣି ଭଳି ତରଳ ରସଭରି ରହିଥାଏ । ମୁଞ୍ଜାଲୁର ଏହି ନରମ ଭାଗକୁ ଖାଇଲେ ଦେହ ଥଣ୍ଡା ହୋଇଥାଏ । ତେଣୁ, ଖରାଦିନେ ଏହି ଫଳର ପ୍ରଚୁର ଚାହିଦା ରହିଛି –ଏମିତି କି ତାଡ଼ିଠାରୁ ବି ଅଧିକ ବୋଲି କହିଲେ ପାପ୍ପାଲା ରାଓ ।
ମୁଞ୍ଜାଲୁ ଋତୁରେ ପାପ୍ପାଲା ରାଓ ଏହି ଫଳ ତୋଳିବା ପାଇଁ ଅତି କମ୍ରେ ଦିନକୁ ଦୁଇ ଥର ଲେଖାଏଁ ଚାରିଟି ଗଛରେ ଚଢ଼ନ୍ତି । ସେ କହିଲେ, “ଏଥିରେ ବହୁତ ସମୟ ଲାଗେ । ତାଳ ଫଳିଥିବା ଗଛ ଖୋଜିବାକୁ ଆମେ ଭୋର୍ ୩ଟା ଭଳି ସଅଳ ସମୟରୁ ବାହାରି ପଡୁ ।”
ଘରୁ ଜଲ୍ଦି ବାହାରି ପଡୁଥିବାରୁ ସେ ଓ ରାମା ସହରରେ ପ୍ରାୟ ୯ଟା ସୁଦ୍ଧା ପହଞ୍ଚି ଯାଆନ୍ତି । ସେ କହିଲେ, “ଆମେ ଖୁବ୍ ବେଶୀ ଫଳ ସଂଗ୍ରହ କରିଥିଲେ ଅଟୋ ରିକ୍ସା (ଲକ୍ଡାଉନ୍ କୋହଳ ହେବା ପରେ ଚଳାଚଳ ଆରମ୍ଭ କରିଥିବା) ଭଡ଼ା କରୁ । ଆଜିକାଲି, ଆନନ୍ଦପୁରମରୁ ବିଶାଖାପାଟଣା ଯାଏ ଆସି ପୁଣି ଫେରିବା ଲାଗି ଆମେ ଭଡ଼ା ବାବଦରେ ୬୦୦ ଟଙ୍କା ଦେଉ । ନହେଲେ, ଆମେ ବସ୍ରେ ଆସୁ ।” ସେ କହିଲେ, ଗତ ବର୍ଷ ଅଟୋ ଭଡ଼ା ଶସ୍ତା ଥିଲା ଏବଂ ପ୍ରାୟ ୪୦୦-୫୦୦ ଟଙ୍କା ପଡୁଥିଲା । ଆନନ୍ଦପୁରମରୁ ସହରକୁ ଅନେକ ସମୟରେ ବସ୍ ମିଳେ ନାହିଁ ଏବଂ ଲକ୍ଡାଉନ୍ ସମୟରେ ତ ବସ୍ର ଦେଖା ମିଳୁ ନଥିଲା ।
ରାମା କହିଲେ, “୩-୪ଦିନରେ ଫଳଗୁଡ଼ିକ ମୁଦୁରୁ (ଅତି ପାଚିଲା) ପାଲଟିଯିବ । ଆଉ ସେତେବେଳେ ପୁଣି ଆମ ପାଖରେ କାମ ନଥିବ କି ଟଙ୍କା ନଥିବ ।” ଏ ବର୍ଷ ଫଳ ବିକିବାରେ ସେମାନଙ୍କର ୧୯ ବର୍ଷ ବୟସ୍କ ପୁତୁରା ଗୋର୍ଲୁ ଗଣେଶ ଏହି ଦମ୍ପତିଙ୍କୁ ସାହାଯ୍ୟ କରିଥିଲେ ।ପ୍ରତି ବର୍ଷ ଜାନୁଆରୀରୁ ମାର୍ଚ୍ଚ ଯାଏ, ପାପ୍ପାଲା ରାଓ ତାଳଗଛରୁ ତାଡ଼ି ସଂଗ୍ରହ କରନ୍ତି । ତା’ପରେ ସେ ଓ ରାମା ବିଶାଖାପାଟଣା ନଗରୀର କୋମ୍ମାଡ଼ି ଜଙ୍କସନ୍ ନିକଟରେ, ଛୋଟ ଗିଲାସ ପିଛା ୧୦ ଏବଂ ବଡ଼ ଗିଲାସ ପିଛା ୨୦ ଟଙ୍କାରେ ଏହାକୁ ବିକ୍ରି କରନ୍ତି । କେତେକ ଦିନରେ ସେମାନେ ମାତ୍ର ୩-୪ ଗିଲାସ ବିକ୍ରି କରନ୍ତି, ହେଲେ ବେଳେବେଳେ ସେମାନେ ଦିନକୁ ୭୦ରୁ ୧୦୦ ଟଙ୍କା ରୋଜଗାର କରନ୍ତି । ତାଡ଼ି ବିକି ପ୍ରତି ମାସରେ ସେମାନେ ମୋଟାମୋଟି ୧,୦୦୦ ଟଙ୍କା ରୋଜଗାର କରନ୍ତି । ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ସହରର କେତେକ ନିର୍ମାଣସ୍ଥଳୀରେ ସେମାନେ ଦିନ ମଜୁରିଆ ଭାବେ କାମ କରନ୍ତି ।
ପାପ୍ପାଲାରାଓ ଓ ରାମାଙ୍କ ପାଇଁ ବିଶାଖାପାଟଣାର ଏହି ବ୍ୟସ୍ତବହୁଳ ରାଜପଥ ତାଳଗଛର ଫଳ ବିକିବା ସକାଶେ ଉପଯୁକ୍ତ ସ୍ଥାନ । ସେମାନେ ଏଠାରେ ପ୍ରାୟ ୫-୬ ଘଣ୍ଟା କାଟନ୍ତି ଏବଂ ତା’ପରେ ଅପରାହ୍ଣ ୩ଟା ବେଳକୁ ଘରକୁ ଫେରିବା ଲାଗି ବାହାରନ୍ତି ।
ରାଜପଥରେ ପାପ୍ପାଲା ରାଓ ଓ ରାମାଙ୍କ ପାଖରୁ କେଇ ଫୁଟ ଦୂରରେ ଥିଲେ ଏନ୍. ଆପ୍ପାରାଓ, ଗୁଟାଲା ରାଜୁ ଏବଂ ଗାନ୍ନେମାଲ୍ଲା ସୁରାପ୍ପାଡୁ- ସତେ ଯେମିତି ଶାରୀରିକ ଦୂରତା ନିୟମ ପାଳନ କରିବା ଭଳି ପ୍ରତ୍ୟେକେ ଦୁଇ ମିଟର ଲେଖାଏଁ ଛାଡ଼ି ଛାଡ଼ି ବସିଥିଲେ । ସେମାନେ ଏକ ଅଟୋ ରିକ୍ସାରେ ଆଣିଥିବା ଥାଟି କାୟା (ଚୋପା ଲଗା ତାଳ)ରୁ ପ୍ରତ୍ୟେକ ଚୋପା ଛଡ଼ାଉଥିଲେ । ସେଇ ବାଟ ଦେଇ ଅନେକ ଗାଡ଼ି ଯାଇଥିଲା, କିନ୍ତୁ କିଣିବାକୁ ଖୁବ୍ ଅଳ୍ପ କେଇଟା ଅଟକିଥିଲା ।ପ୍ରତି ମୁଞ୍ଜାଲୁ ବିକାଳି ସେମାନେ ଏକ ଅଟୋ ରିକ୍ସାରେ ଆଣିଥିବା ଥାଟି କାୟା (ଚୋପା ଲଗା ତାଳ)ରୁ ଚୋପା ଛଡ଼ାଉଥିଲେ । ସେଇ ବାଟ ଦେଇ ଅନେକ ଗାଡ଼ି ଯାଇଥିଲା, କିନ୍ତୁ କିଣିବାକୁ ଖୁବ୍ ଅଳ୍ପ କେଇଟା ଅଟକିଥିଲା
ସେମାନଙ୍କର ପାଞ୍ଚଜଣିଆ ଯାତ୍ରୀବାହୀ ଅଟୋରିକ୍ସାକୁ ଦେଖାଇ ସୁରାପ୍ପାଡୁ କହିଲେ, “ତିନି ବର୍ଷ ତଳେ ଆମେମାନେ ମିଶି ଏହାକୁ କିଣିଥିଲୁ । ଏଥିରେ ମୁଞ୍ଜାଲୁ ଆଣିବା ସହଜ ।” ସେମାନଙ୍କ ପାଇଁ ମେ ୨୯ ଥିଲା ଏ ବର୍ଷ ମୁଞ୍ଜାଲୁ ବିକ୍ରି ଋତୁର ଦ୍ଵିତୀୟ ଦିନ । ଆପ୍ପାରାଓ କହିଲେ, “ଆମେ ଆମ ରୋଜଗାରକୁ ସମାନ ଭାବରେ ବାଣ୍ଟି ଦେଉ । ଗତକାଲି ଆମକୁ ଜଣ ପିଛା ୩୦୦ ଟଙ୍କା ଲେଖାଏଁ ମିଳିଥିଲା ।”
ଆପ୍ପାରାଓ, ରାଜୁ ଓ ସୁରାପ୍ପାଡୁ ଆନନ୍ଦପୁରମର ଗୋଟିଏ ଅଞ୍ଚଳରେ ରହନ୍ତି । ସେମାନେ ବ୍ୟାଙ୍କରୁ ଋଣ ନେଇ ଅଟୋ କିଣିଥିଲେ । ସୁରାପ୍ପାଡୁ କହିଲେ, “ସାଧାରଣ ଭାବେ ଆମେ ଆମ ମାସିକିଆ କିସ୍ତି (୭,୫୦୦ ଟଙ୍କା) ଦେବାରେ ଖିଲାପ କରୁନାହିଁ, କିନ୍ତୁ ଗତ ତିନି ମାସ ହେଲା ଆମେ ମାସିକିଆ କିସ୍ତି ଦେବାରେ ସକ୍ଷମ ହୋଇପାରିନାହୁଁ । ବ୍ୟାଙ୍କ ଆମକୁ ଫୋନ୍ କରି ଚାଲିଛି ଏବଂ ଅନ୍ତତଃ ଗୋଟିଏ ମାସର କିସ୍ତି ଦେଇଦେବାକୁ କହୁଛି । ଆମର ଯେ ରୋଜଗାର କରିବାର କୌଣସି ଉପାୟନାହିଁ, ସେକଥା ସେମାନେ ବୁଝିପାରୁଥିବା ଭଳି ଲାଗୁନି ।”
ଲକ୍ଡାଉନ୍ ପୂର୍ବରୁ, ତାଳ ବିକ୍ରି କରୁ ନଥିବା ସମୟରେ ତିନି ଜଣ ଯାକ ପାଳି କରି ସେଇ ଅଟୋ ରିକ୍ସା ଚଳାଇ ଯାତ୍ରୀ ନେବା ଆଣିବା କରନ୍ତି ଏବଂ ଯାହା ରୋଜଗାର ହୁଏ ସମାନ ଭାବରେ ବାଣ୍ଟି ନିଅନ୍ତି । ବ୍ୟାଙ୍କ ଋଣ ପରିଶୋଧ ବାବଦ ଟଙ୍କାକୁ ବାଦ୍ ଦେବା ପରେ ଜଣ ପିଛା ମାସକୁ ୫,୦୦୦-୭,୦୦୦ ଟଙ୍କା ରୋଜଗାର ହୁଏ ।
ଆପ୍ପାରାଓ କହିଲେ, “ଗତ ବର୍ଷ ଆମେ ଆମ ଅଟୋରେ ତାଳ ବୋଝେଇ କରି ଅନେକ ଜାଗାରେ ବିକିଥିଲୁ । ଆମେ ବେଶ୍ ଭଲ ରୋଜଗାର କରିଥିଲୁ । ଏ ବର୍ଷ ଆମ ପାଇଁ ସେତେ ଭଲ ନୁହେଁ । ହେଲେ, ଆମେ ବଞ୍ଚି ଯିବୁ ବୋଲି ଆଶା ରହିଛି ଏବଂ ଏତିକିରେ ସବୁ ସରିଯିବ ନାହିଁ ।”ବର୍ତ୍ତମାନ ଦେଖାଦେଇଥିବା ସମସ୍ତ ସମସ୍ୟା ସତ୍ତ୍ଵେ, ୧୫ ବର୍ଷ ହେଲା ମୁଞ୍ଜାଲୁ ବେପାର କରୁଥିବା ସୁରାପ୍ପାଡୁ ଯେତେ ଦିନ ପାରିବେ ସେତେ ଦିନ ଯାଏ ଏହାକୁ ବିକ୍ରି କରି ଚାଲିବେ ବୋଲି ଆଶା ବାନ୍ଧିଛନ୍ତି । ତଳେ ବସି ଗୋଟିଏ ତାଳକୁ କାଟି ଖୋଲୁଥିବା ବେଳେ ସେ କହିଲେ, “ମୁଁ ମୁଞ୍ଜାଲୁ କାଟି ବାହାର କରିବାକୁ ଭଲପାଏ । ମୋତେ ଲାଗେ, ଏହା କାମ ତୁଳନାରେ ଏକ କଳା କିମ୍ବା କୌଶଳ।”
ରାଜପଥଠାରୁ ସାତ କିଲୋମିଟର ଦୂର ଏମ୍ଭିପି କଲୋନିରେ, ମେ ୨୯ ତାରିଖ ଦିନ, ୨୩ ବର୍ଷୀୟ ଗାଣ୍ଡେବୁଲା ଈଶ୍ଵର ରାଓ ତାଙ୍କ ସଂପର୍କୀୟ ଭାଇ ଆର୍.ଗୌତମଙ୍କ ସହିତ ତାଳ ବୋଝେଇ ତାଙ୍କ ଅଟୋ ଚଳାଉଥିଲେ । ଈଶ୍ଵରଙ୍କ ଘର ଆନନ୍ଦପୁରମ ମଣ୍ଡଳର କୋଲାବାନୀପାଲେମ ଗାଁରେ ଏବଂ ଅନ୍ୟ ମୁଞ୍ଜାଲୁ ବିକାଳିଙ୍କ ଭଳି, ଏ ବର୍ଷର କାରବାର ଆରମ୍ଭ କରିବାକୁ, ମେ ମାସ ଶେଷ ସପ୍ତାହରେ ହିଁ ସେ ଘରଠାରୁ ପ୍ରାୟ ୩୦ କିଲୋମିଟର ଯାତ୍ରା କରିସାରିଥିଲେ ।
ଈଶ୍ଵର ୧୩ ବର୍ଷ ବୟସରୁ ହିଁ ଜଣେ ତାଡ଼ି ସଂଗ୍ରାହକ ଭାବେ ପ୍ରାୟ ଏକ ଦଶନ୍ଧି ହେଲା କାମ କରିଆସୁଛନ୍ତି । ସେ କହିଲେ, “ଗତ ବର୍ଷ ଏପ୍ରିଲ ମାସରେ ତାଡ଼ି ସଂଗ୍ରହ କରିବାକୁ ଗୋଟିଏ ଗଛରେ ଚଢୁଥିବା ବେଳେ ମୋତେ ଗୋଟିଏ କୋଣ୍ଡାଚିଲୁଭା (ଅଜଗର ସାପ) ଆକ୍ରମଣ କଲା । ମୁଁ ଗଛରୁ ପଡ଼ିଗଲି ଏବଂ ମୋ ପେଟରେ ଆଘାତ ଲାଗିଲା ।” ତାଙ୍କ ଅନ୍ତ୍ରନାଳୀରେ କ୍ଷତ ହୋଇଥିଲା ଏବଂ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା, ଯେଉଁଥିରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ।
ଈଶ୍ଵର କହିଲେ, “ସେବେଠାରୁ ଆଉ ମୁଁ ତାଳଗଛରେ ଚଢ଼ି ନଥିଲି । ତା ବଦଳରେ ମୁଁ ଅନ୍ୟ କାମ କରୁଥିଲି ।” ବିଶାଖାପାଟଣାର ଭୀମୁନିପାଟନମ୍ ମଣ୍ଡଳ ଏବଂ ଋଷିକୋଣ୍ଡା ଅଞ୍ଚଳର ବିଭିନ୍ନ ନିର୍ମାଣସ୍ଥଳୀରେ ସେ ଭଙ୍ଗା ଗୋଡ଼ିମାଟି ଏବଂ ଅନାବନା ଗଛ ସଫା କରି ଦିନକୁ ମାତ୍ର ୭୦ ଟଙ୍କା ପାଉଥିଲେ । ହେଲେ ସେ ସବୁ ନିର୍ମାଣସ୍ଥଳୀ କିଛି ସପ୍ତାହ ହେଲା ବନ୍ଦ ରହିଛି । ସେ କହିଲେ,“ଏହି ଲକ୍ଡାଉନ୍ ମୋତେ ପୁଣି ମୁଞ୍ଜାଲୁ ପାଇଁ ଗଛରେ ଚଢ଼ିବାକୁ ବାଧ୍ୟ କଲା ।”“ପ୍ରଥମେ ପ୍ରଥମେ ମୋତେ ଡର ଲାଗୁଥିଲା, କିନ୍ତୁ ମୁଁ ମୋ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲି,” ସେ କହିଲେ । ସେ ଦିନକୁ ତିନି ଥର ୬-୭ଟି ଗଛରେ ଚଢ଼ନ୍ତି ଏବଂ ତାଙ୍କ ବାପା, ୫୩ ବର୍ଷୀୟ ତାଡ଼ି ସଂଗ୍ରାହକ ଗାଣ୍ଡେବୁଲା ରମନା, ୩-୪ଟି ଗଛରେ ଚଢ଼ନ୍ତି । ଈଶ୍ଵରଙ୍କ ଭାଇ ବିଭିନ୍ନ ନିର୍ମାଣସ୍ଥଳୀରେ କାମ କରନ୍ତି, ଏବଂ ତାଙ୍କ ପରିବାରରେ ତାଙ୍କ ମାଆ, ଯିଏକି ଜଣେ ଗୃହିଣୀ ଏବଂ ଜଣେ ସାନଭଉଣୀ ଅଛନ୍ତି ।
ଏ ବର୍ଷ ଜାନୁଆରୀରେ, ଗୋଟିଏ ଅଟୋରିକ୍ସା କିଣିବା ପାଇଁ ତାଙ୍କ ପରିବାର ଈଶ୍ଵରଙ୍କ ନାଁରେ ବ୍ୟାଙ୍କରୁ ଋଣ ପାଇବାରେ ସଫଳ ହେଲେ ଏବଂ ଏହାର ମାସିକ କିସ୍ତି ହେଉଛି ୬,୫୦୦ ଟଙ୍କା (ସାଢ଼େ ତିନି ବର୍ଷ ପାଇଁ)। ଏପ୍ରିଲରୁ ମାସିକ କିସ୍ତି ଦେଇପାରି ନଥିବା ଈଶ୍ଵର କହିଲେ, “ଅଟୋ ଚଳାଇ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ମୁଁ ଭଲ ରୋଜଗାର କଲି, ଯାହାକି ମାସକୁ ୩,୦୦୦-୪,୦୦୦ ଟଙ୍କା । ମାର୍ଚ୍ଚ ବେଳକୁ ଏହା ମାତ୍ର ୧,୫୦୦ ଟଙ୍କା ହେଲା । ଏବେ ଯାହା ଜଣାପଡୁଛି, ମୋତେ ପୁଣି ତାଡ଼ି ସଂଗ୍ରହ କରିବାକୁ ଏବଂ ଶ୍ରମିକ ଭାବେ କାମ କରିବାକୁ ପଡ଼ିବ ।”
କୋଭିଡ୍-୧୯ ବିଶ୍ଵ ମହାମାରୀର ପ୍ରକୋପ ଆରମ୍ଭ ହେବା ପୂର୍ବରୁ ଈଶ୍ଵରଙ୍କ ପରିବାରର ମୋଟ ଆୟ ମାସକୁ ୭,୦୦୦ରୁ ୯,୦୦୦ ଟଙ୍କା ଭିତରେ ରହୁଥିଲା । ସେ କହିଲେ, “ଏତିକି ଆୟରେ ଚଳିଯିବା ପାଇଁ ଆମେ ଖୁବ୍ ଚେଷ୍ଟା କରୁ ।” ଯେତେବେଳେ ନିଅଣ୍ଟ ପଡ଼େ ସେମାନେ ପରିବାର ସଦସ୍ୟମାନଙ୍କଠାରୁ କରଜ ନିଅନ୍ତି। ମାର୍ଚ୍ଚ ମାସରେ ସେ ତାଙ୍କ ଦାଦାଙ୍କ ପାଖରୁ ୧୦,୦୦୦ ଟଙ୍କା କରଜ କରିଛନ୍ତି ।
ଏ ବର୍ଷ ଜୁନ୍ ୧୮ ତାରିଖ ଯାଏ, ଈଶ୍ଵର ୧୫-୧୬ ଦିନ ପାଇଁ ମୁଞ୍ଜାଲୁ ବିକିଥିଲେ । ସେ କହିଲେ, “ମୁଁ ଭାବିଲି ଏ ବର୍ଷ ଭଲ କାରବାର ହେବ । ମୁଁ ଭାବିଲି, ମୁଁ ପୁଣି ମୋ ଭଉଣୀକୁ ସ୍କୁଲକୁ ପଠାଇ ପାରିବି ।” ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ପ୍ରାୟ ୧୫ ବର୍ଷ ବୟସର ଗାଣ୍ଡେବାଲୁ ସୁପ୍ରଜାଙ୍କୁ ୨୦୧୯ରେ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା ।
ମେ ୨୯ ତାରିଖ ଦିନ ମୁଞ୍ଜାଲୁ ବିକ୍ରିରୁ ସେ ୬୦୦ ଟଙ୍କା ରୋଜଗାର କରିଥିଲେ, ଯାହାକି ଏ ବର୍ଷ ପାଇଁ ଗୋଟିଏ ଦିନରେ ସବୁଠାରୁ ଅଧିକ ଥିଲା । ଚାପା ସ୍ଵରରେ ସେ କହିଲେ, “ଆପଣ ଜାଣନ୍ତି, ପରେ ମୁଁ ଜାଣିଲି ଯେ ସେଥିରେ ୧୦୦ ଟଙ୍କିଆ ନୋଟ୍ଟିଏ ଚିରି ଯାଇଥିଲା । କାଳେ ଏମିତି ହୋଇନଥାନ୍ତା କି । ସତରେ ମୋତେ ସେମିତି ଲାଗୁଛି।”
ଅନୁବାଦ: ଓଡ଼ିଶାଲାଇଭ୍