ବସନ୍ତ ବିନ୍ଦ ମାତ୍ର କିଛି ଦିନ ହେଲା ଘରେ ଅଛନ୍ତି । ଜଣେ ଦିନ ମଜୁରିଆ କୃଷି ଶ୍ରମିକ ଭାବେ ସେ ବିଗତ କିଛି ମାସ ପାଟନା ନିକଟରେ କ୍ଷେତରେ କାମ କରି ବିତାଇଛନ୍ତି ଯାହାକି ତାଙ୍କ ଘର ଜେହନାବାଦ ଜିଲ୍ଲାର ଏକ ଗାଁ ସଲେମାନପୁରରୁ କିଛି ଘଣ୍ଟାର ରାସ୍ତା ।

ଜାନୁଆରୀ ୧୫, ୨୦୨୩ରେ ସଂକ୍ରାନ୍ତି ପର୍ବ ଆୟୋଜିତ ହେବାର ପରଦିନ ଏହା ତାଙ୍କର ଦିନ ମଜୁରିଆ କାମକୁ ଫେରିବାର ସମୟ ଥିଲା । ସେ ଅନ୍ୟ ମଜୁରିଆମାନଙ୍କୁ ଆଣିବାକୁ ପଡୋଶୀ ଗାଁ ଚନ୍ଧାରିଆ ଗଲେ ଯେପରିକି ସେମାନେ ବିହାରର ରାଜଧାନୀକୁ ଏକତ୍ର ଯାତ୍ରା କରିପାରିବେ-ଶ୍ରମିକମାନଙ୍କର ଏକ ଦଳର କାମ ପାଇବାର ସମ୍ଭାବନା ଅଧିକ ଥିଲା ।

ସେଠାରେ ସେ କିଛି ଲୋକଙ୍କ ସହ କଥା ହେଉଥିବାବେଳେ ପୁଲିସ ଏବଂ ଅବକାରୀ ଅଧିକାରୀଙ୍କୁ ନେଇ ଏକ ଗାଡି ଘଟଣାସ୍ଥଳରେ ପହଞ୍ଚିଲା । ସେମାନେ ବିହାର ମଦ ନିଷେଧ ଏବଂ ଅବକାରୀ(ସଂଶୋଧନ) ଆଇନ, ୨୦୧୬ ଅଧୀନରେ ଗଠିତ ମଦବିରୋଧି ସ୍କ୍ୱାଡ୍‌ ଥିଲେ । ସେମାନଙ୍କର କାମ ହେଲା, ‘‘ବିହାର ରାଜ୍ୟ କ୍ଷେତ୍ରରେ ମଦ ଏବଂ ନିଶାଦ୍ରବ୍ୟର ପୂର୍ଣ୍ଣ ନିଷେଧକୁ ଲାଗୁ କରିବା, କାର୍ଯ୍ୟକାରୀ କରିବା ଏବଂ ପ୍ରୋତ୍ସାହିତ କରିବା…’

ପୋଲିସକୁ ଦେଖି ଲୋକମାନେ ଦୌଡିବା ଆରମ୍ଭ କଲେ । ବସନ୍ତ ମଧ୍ୟ ଦୌଡିବା ଆରମ୍ଭ କଲେ କିନ୍ତୁ,  ‘‘ମୋ ଗୋଡ଼ରେ ଏକ ଷ୍ଟିଲ ରଡ୍ ଲାଗିଛି ତେଣୁ ମୁଁ ଶୀଘ୍ର ଦୌଡିପାରିବି ନାହିଁ।’’ ଏକ ମିନିଟ୍ କିମ୍ବା ସେତିକି ସମୟରେ ତାଙ୍କର ଭାଗ୍ୟ ଶେଷ ହୋଇଗଲା ଏବଂ, ‘କେହି ଜଣେ ମୋ ସାର୍ଟ କୋଲାର ଧରି ପକାଇଲେ ଏବଂ ମୋତେ ଗାଡିରେ ଭର୍ତ୍ତି କରିଦେଲେ’’, ୨୭ ବର୍ଷୀୟ ଜଣକ ମନେ ପକାଇଲେ ।

ସେ ସ୍କ୍ୱାଡଙ୍କୁ କହିଲେ ଯେ ସେମାନେ ମଦ ଲାଗି ତାଙ୍କର ଏବଂ ତାଙ୍କ ଘରର ଯାଞ୍ଚ କରିବା ଉଚିତ୍ । କିନ୍ତୁ ସେମାନେ କେବେହେଲେ କଲେ ନାହିଁ । ତାଙ୍କୁ ଟିକେ ଆ ଶ୍ୱା ସନା ମିଳିଲା ଯେତେବେଳେ, ‘‘ପୁଲିସ ମୋତେ କହିଲା ଯେ ସେମାନେ ମୋତେ ଅବକାରୀ ବିଭାଗରେ ଯିବାକୁ ଦେବେ ।’’

କିନ୍ତୁ ଯେତେବେଳେ ବସନ୍ତ ଏବଂ ମଦ ବିରୋଧି ସ୍କ୍ୱାଡ ଷ୍ଟେସନରେ ପହଞ୍ଚିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେମାନେ ତାଙ୍କ ନିକଟରୁ ୫୦୦ମିଲି ଗ୍ରାମ ମଦ ମିଳିଥିବା ଆନୁଷ୍ଠାନିକ ଭାବେ ନୋଟ୍ କରି ରଖିସାରିଥିଲେ । ତାଙ୍କ ବିରୋଧରେ ମଦ ରଖିବା ଅଭିଯୋଗରେ ମଦ ନିଷେଧ ଆଇନ ଅନୁସାରେ ମାମଲା ରୁଜୁ କରାଗଲା । ଦଣ୍ଡ ହେଉଛି ୫ ବର୍ଷ ଯାଏ ଜେଲ୍ ଏବଂ ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଗି ଅତି କମ୍‌ରେ୧ ଲକ୍ଷ ଟଙ୍କା ଜରିମାନା ।

PHOTO • Umesh Kumar Ray
PHOTO • Umesh Kumar Ray

ବସନ୍ତ ବିନ୍ଦ ପାଟନା ଆଖପାଖର କ୍ଷେତରେ ଜଣେ ଦିନ ମଜୁରିଆ କୃଷି ଶ୍ରମିକ ଭାବେ କାମ କରନ୍ତି । ସଂକ୍ରାନ୍ତି ପାଳନ କରିବା ପରେ ସେ କାମକୁ ଫେରୁଥିବା ସମୟରେ ତାଙ୍କୁ ମଦ ବିରୋଧି ସ୍କ୍ୱାଡ ଦ୍ୱାରା ବିହାରର ଚାନ୍ଧାରିଆରେ ଗିରଫ କରାଯାଇଥିଲା

‘‘ମୁଁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଯୁକ୍ତି କଲି । ମୁଁ ସେମାନଙ୍କୁ ତଦନ୍ତ କରିବାକୁ କହିଥିଲି।’’ ତାଙ୍କର ଆବେଦନ ଉପରେ ଧ୍ୟାନ ଦିଆଗଲା ନାହିଁ ଏବଂ ଏକ ଏତଲା(ଏଫଆଇଆର) ରୁଜୁ କରାଗଲା । ଯେତେବେଳେ ବସନ୍ତଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଗଲା ସେ କହିଲେ, ‘‘ମୁଁ ବିଚାରପତି ମହୋଦୟଙ୍କୁ କହିଲି ମୋର ପୂରା ପରିବାରରେ କେହି ମଦ ବିକ୍ରି କରନ୍ତି ନାହିଁ । ତେଣୁ ମୋତେ ମୁକ୍ତ କରନ୍ତୁ।’’ ବସନ୍ତ ଯାହାଙ୍କୁ ପରେ କାକୋ ଜେଲକୁ ପଠାଗଲା କହିଲେ, କୋର୍ଟ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କୁ ଡକାଇଲେ, କିନ୍ତୁ ଅବକାରୀ ଅଧିକାରୀମାନେ କୋର୍ଟଙ୍କୁ କହିଲେ ଯେ ଆଇଓ ଅନ୍ୟ ଏକ ଚଢାଉରେ ବ୍ୟସ୍ତ ଥିଲେ। ସେ ଜେଲରେ ୪ ଦିନ କଟାଇଲେ ଏବଂ ଜାନୁଆରୀ ୧୯, ୨୦୨୩ରେ ତାଙ୍କର ସଂପର୍କୀୟମାନଙ୍କ ଦ୍ୱାରା ଦିଆଯାଇଥିବା ଜାମିନ୍‌ରେ ଖଲାସ ହେଲେ-ତାଙ୍କର ମା ତାଙ୍କ ଜମି ଏବଂ ତାଙ୍କର ସଂର୍ପକୀୟ (ମାମୁଁ ପୁଅ ଭାଇ) ତାଙ୍କର ମୋଟର ସାଇକେଲ ବନ୍ଧା ପକାଇଥିଲେ ।

*****

ଜେହାନାବାଦ ଜିଲ୍ଲାରେ ୬ଟି ପୁଲିସ ଷ୍ଟେସନ ରହିଛି ଏବଂ ସେଥିମଧ୍ୟରୁ ୩ଟି -ହୁଲାସଗଞ୍ଜ, ପାଲି ଏବଂ ବରାବର ପର୍ଯ୍ୟଟନରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡିକ ଉପରେ ଦୃଷ୍ଟି ଦେଲେ ଜଣାପଡେ ଯେ, ଦାଏର ହୋଇଥିବା ୫୦୧ଟି ଏତଲା ମଧ୍ୟରୁ ୨୦୭ଟି ମୁସାହାର ସଂପ୍ରଦାୟର । ସେମାନେ ରାଜ୍ୟର ସବୁଠାରୁ ଗରିବ ଏବଂ ସର୍ବାଧିକ ଅବହେଳିତ ସଂପ୍ରଦାୟ ମଧ୍ୟରେ ସ୍ଥାନ ପାଇଛନ୍ତି । ବଳକା ଏତଲାଗୁଡିକ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତ ହେଉଛନ୍ତି ବିନ୍ଦ ଏବଂ ଯାଦବ ସଂପ୍ରଦାୟର, ଉଭୟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଭାବେ ଚିହ୍ନିତ।

ଏକ ଅଣ ସରକାରୀ ସଂଗଠନ ଏଲଏଡବ୍ଲ୍ୟୁ ଫାଉଣ୍ଡେସନ ଯାହାକି ଅବହେଳିତ ସଂପ୍ରଦାୟଙ୍କୁ ଆଇନଗତ ସହାୟତା ପ୍ରଦାନ କରିଥାଏ ତା’ର ପ୍ରତିଷ୍ଠାତା ପ୍ରବୀଣ କୁମାର କୁହନ୍ତି, ‘‘ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦଳିତ କିମ୍ବା ପଛୁଆ ସଂପ୍ରଦାୟର, ବିଶେଷ କରି ମୁସାହାରମାନେ।’’ ସେ ଆହୁରି କହିଲେ, ‘‘ପୁଲିସ ବସ୍ତି ମଧ୍ୟକୁ ଯାଇଥାଏ ଏବଂ ବିନା କୌଣସି ପ୍ରମାଣରେ ପୁରୁଷ, ମହିଳା ଏବଂ ପିଲାଙ୍କୁ ନେଇଯାଏ ଏବଂ ସେମାନଙ୍କୁ ଜେଲରେ ପୂରାଇଦିଏ । ସେମାନେ ଜଣେ ଓକିଲଙ୍କ ଖର୍ଚ୍ଚ ଉଠାଇ ପାରନ୍ତି ନାହିଁ ଏବଂ ଜେଲରେ ମାସ ମାସ ଧରି ରହିଥାନ୍ତି ।’’

ବସନ୍ତଙ୍କ ଗାଁ ସଲେମାନପୁରରେ ୧୫୦ ଘର (୨୦୧୧ ଜନଗଣନା ଅନୁସାରେ) ରହିଛି, ସେଥିମଧ୍ୟରୁ ମାତ୍ର କିଛି ଜଣଙ୍କ ନିକଟରେ ଜମି ଅଛି ଏବଂ ସେମାନେ ମୁଖ୍ୟତଃ ଦିନ ମଜୁରୀ ଉପରେ ନିର୍ଭର କରିଥାନ୍ତି । ୧୨୪୨ ଜନସଂଖ୍ୟା ପ୍ରାୟତଃ ବିନ୍ଦ, ମୁସାହାର, ଯାଦବ, ପାସି ଏବଂ ମୁସଲିମ ପରିବାରକୁ ନେଇ ଗଠିତ ।

ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଯୋଗୁଁ ଉତ୍ତ୍ୟକ୍ତ ବସନ୍ତ କହିଲେ, ‘‘ଏହା ମୋ ଘର। ମୋତେ ଥରେ ଦେଖନ୍ତୁ। ମୁଁ ଜଣେ ମଦ ବିକାଳୀ ଭଳି ଲାଗୁଛି? ମୋର ପୂରା ପରିବାରରେ କେହି ସେହି କାମ କରନ୍ତି ନାହିଁ।’’ ଯେତେବେଳେ ବସନ୍ତଙ୍କ ପତ୍ନୀ କବିତା ଦେବୀ ଶୁଣିଲେ ଯେ ତାଙ୍କ ବିରୋଧରେ ଅଧ ଲିଟର ମଦ ରଖିବାର ଅଭିଯୋଗ ହୋଇଛି, ପ୍ରାୟତଃ ଶାନ୍ତ ରହୁଥିବା କବିତା  କହିଲେ, ‘‘ସେ କ’ଣ ପାଇଁ ଏହା ବିକ୍ରି କରିବେ? ସେ କେବେହେଲେ ମଦ ପିଅନ୍ତି ନାହିଁ।’’

PHOTO • Umesh Kumar Ray

ସଲେମାନପୁରରେ ସେମାନଙ୍କର ଘରେ ନିଜ ପତ୍ନୀ କବିତା ଦେବୀ ଏବଂ ସେମାନଙ୍କର ୮ ବର୍ଷୀୟ ପୁଅ ଓ ୨ ବର୍ଷୀୟ ଝିଅ ସହିତ ବସନ୍ତ ବିନ୍ଦ

PHOTO • Umesh Kumar Ray
PHOTO • Umesh Kumar Ray

ସେମାନଙ୍କର ଘର(ବାମ) ଏକ ୩୦ ଫୁଟ ଚଉଡା କେନାଲ(ଡାହାଣ) କୂଳରେ ରହିଛି । ବାସିନ୍ଦାମାନଙ୍କୁ ଅନ୍ୟ ପଟକୁ ଯିବାକୁ ହେଲେ ରଖାଯାଇଥିବା ଦୁଇଟି ବିଜୁଳି ଖୁଣ୍ଟ ଉପରେ ଚାଲିବାକୁ ପଡିଥାଏ

ପରିବାରର ଇଟା ଓ ଛପର ଘର ଏକ ୩୦ ଫୁଟ ଚଉଡା କେନାଲ କୂଳରେ ରହିଛି। ଭୂସମାନ୍ତର କରି ରଖାଯାଇଥିବା ଦୁଇଟି ବିଜୁଳି ଖୁଣ୍ଟ କେନାଲକୁ ଅତିକ୍ରମ କରିବା ଲାଗି ପୋଲ ଭାବେ କାର୍ଯ୍ୟ କରିଥାଏ। ମୌସୁମୀ ସମୟରେ, କେନାଲ ପାଣିରେ ଭର୍ତ୍ତି ହୋଇଯାଏ ଏବଂ ସେହି ଖୁଣ୍ଟକୁ ବ୍ୟବହାର କରି ଅତିକ୍ରମ କରିବା ଘାତକ ସାଜିପାରେ। ସେମାନଙ୍କର ୮ ବର୍ଷୀୟ ପୁଅ ଏକ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛି; ବଡ ଝିଅର ବୟସ ୫ ବର୍ଷ ଏବଂ ସେ ଅଙ୍ଗନବାଡି ଯାଉଛି ଏବଂ ସାନ ଝିଅ ମାତ୍ର ୨ ବର୍ଷର ।

୨୫ ବର୍ଷୀୟ କବିତା କହିଲେ, ‘‘ଏହି ମଦ ବ୍ୟାନ୍ ଆମକୁ କିଭଳି ସହାୟତା କରିଛି ମୁଁ ବୁଝିପାରୁନି । ଆମେ ସମସ୍ୟାର ସମ୍ମୁଖୀନ ହୋଇଛୁ [ମଦ ବ୍ୟାନ ଯୋଗୁଁ]’’।

ବର୍ତ୍ତମାନ ଅପରାଧିକ ଆଇନ ଅନୁସାରେ ଅଭିଯୁକ୍ତ ବସନ୍ତ ଆଗକୁ ଏକ ଲମ୍ବା, କ୍ଲାନ୍ତିକର ଏବଂ ମହଙ୍ଗା ଆଇନଗତ ଲଢେଇକୁ ଦେଖୁଛନ୍ତି। ସେ ବିରକ୍ତିପୂର୍ଣ୍ଣ ଭାବେ କହିଲେ, ‘‘ଧନୀ ଲୋକମାନେ ସେମାନଙ୍କର ମଦ ଦୁଆର ମୁହଁକୁ ମଗାଇଥାଆନ୍ତି। ସେମାନଙ୍କୁ କେହି ସମସ୍ୟାରେ ପକାନ୍ତି ନାହିଁ।’’

ଓକିଲଙ୍କ ଦେୟ ଓ ଜାମିନ ବାବଦରେ ବସନ୍ତ ଅଦ୍ୟାବଧି ୫୦୦୦ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ଏବଂ ତାଙ୍କୁ ଆହୁରି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କାମ କରିପାରୁନଥିବାରୁ ତାଙ୍କର ମଜୁରୀ ବି ବନ୍ଦ ହୋଇଯାଇଛି: ‘‘ହମ୍ କମାୟେଁ କି କୋର୍ଟ କେ ଚକ୍କର ଲଗାୟେଁ [ମୋତେ କାମକୁ ଯିବା ଉଚିତ୍ ନା ଅଦାଲତରେ ସମୟ ବିତାଇବା ଆବଶ୍ୟକ]?’’

*****

‘‘ମୋ ନାଁ ଲେଖିବେ ନାହିଁ। ଆପଣ ଏହା ପ୍ରକାଶ କରିଦେବେ ଏବଂ ପୁଲିସ ମୋ ସହିତ କିଛି କରିବ….ଆପଣ ଜାଣନ୍ତି ମୋତେ ଏଠାରେ ମୋର ପିଲାମାନଙ୍କ ସହ ରହିବାକୁ ହେବ,’’ ଏହା କହିବା ସମୟରେ ସୀତା ଦେବୀ (ଛଦ୍ମ ନାମ) ଚିନ୍ତିତ ଦିଶୁଛନ୍ତି ।

ଏହି ପରିବାର ଜେହନାବାଦ ରେଳ ଷ୍ଟେସନଠାରୁ ୩ କିମି ଦୂରରେ ଥିବା ଏକ ବସ୍ତି ମୁସାହାରିରେ ରୁହନ୍ତି। ସେମାନେ ରାଜ୍ୟରେ ମହାଦଳିତ ଭାବେ ଚିହ୍ନିତ-ସର୍ବାଧିକ ଗରିବ ସଂପ୍ରଦାୟ ମଧ୍ୟରେ ସ୍ଥାନିତ ମୁସାହାର ସଂପ୍ରଦାୟର।

ତାଙ୍କ ସ୍ୱା ମୀ ରାମଭୁଆଲ ମାଝୀ (ନାମ ପରିବର୍ତ୍ତିତ) ମଦ ନିଷେଧ ଆଇନ ଅଧୀନରେ ସମସ୍ତ ଅଭିଯୋଗରୁ ମୁକ୍ତ ହେବାର ବର୍ଷେ ହୋଇଗଲାଣି । କିନ୍ତୁ ସୀତା ଦେବୀ ଏବେ ମଧ୍ୟ ଭୟଭୀତ ହୋଇ ଅଛନ୍ତି ।

PHOTO • Umesh Kumar Ray
PHOTO • Umesh Kumar Ray

ବସନ୍ତ ଓକିଲଙ୍କ ଦେୟ ଏବଂ ଜାମିନ ବାବଦରେ ୫୦୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି ଏବଂ ତାଙ୍କୁ ଆହୁରି ଖର୍ଚ୍ଚ କରିବାକୁ ପଡିପାରେ । ତାଙ୍କ ପତ୍ନୀ କବିତା ଦେବୀ କହିଲେ ‘ଏହି ମଦ ବ୍ୟାନ୍ ଆମକୁ କିପରି ସହାୟତା କରିଛି ତାହା ମୁଁ ବୁଝିପାରୁନାହିଁ'

ଦୁଇ ବର୍ଷ ପୂର୍ବରୁ ରାମଭୁଆଲ ମାଝୀଙ୍କ ବିରୋଧରେ ମଦ ନିଷେଧ ଆଇନ ଅଧୀନରେ ମଦ ରଖିବାର ଅଭିଯୋଗ ହୋଇଥିଲା। ସୀତୀ ଦେବୀ କହିଲେ, ‘‘ଆମ ଘରେ କୌଣସି ମଦ ନ ଥିଲା। କିନ୍ତୁ ପୁଲିସ ତାଙ୍କୁ ସେମାନଙ୍କ ସହ ନେଇଗଲା। ଆମେ ଏହ ପ୍ରସ୍ତୁତ କିମ୍ବା ବିକ୍ରି କରୁନା। ଏପରିକି ମୋ ସ୍ୱାମୀ ମଦ ପିଅନ୍ତି ନାହିଁ।’’

କିନ୍ତୁ ଏତଲାରେ କୁହାଯାଇଥିଲା ଯେ, ‘‘୨୦୨୧ ମସିହା ନଭେମ୍ବର ୨୪ ତାରିଖ ସକାଳ ୮ଟାରେ ଚୁଲାଇ ନାମରେ ପରିଚିତ ମହୁଆ ଏବଂ ଗୁଡରେ ପ୍ରସ୍ତୁତ ୨୬ ଲିଟର ଦେଶୀ ମଦକୁ ପୁଲିସ ଜବତ କରିଥିଲା ।’’ ପୁଲିସ ଆହୁରି ଦାବି କରିଥିଲା ଯେ ରାମଭୁଆଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଏବଂ ଚଢାଉର ପ୍ରାୟ ମାସେ ପରେ ୨୦୨୧ ମସିହା ଡିସେମ୍ବର ୨୪ ତାରିଖରେ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା ।

ନିଜ ସ୍ୱାମୀ ଜେଲରେ ରହିବା ଯୋଗୁଁ ସୀତା ଦେବୀଙ୍କ ଲାଗି ଏହା ଏକ କଠିନ ବର୍ଷ ଥିଲା। ତାଙ୍କୁ ସେମାନଙ୍କ ପିଲାମାନଙ୍କର -ଜଣେ ୧୮ ବର୍ଷୀୟ ଝିଅ ଏବଂ ୧୦ ଓ ୮ ବର୍ଷୀୟ ଦୁଇଟି ପୁଅଙ୍କର ଯତ୍ନ ନେବାର ଥିଲା। ଯେତେବେଳେ ସେ ଜେଲରେ ରାମଭୁଆଲଙ୍କୁ ଭେଟୁଥିଲେ ଉଭୟ କାନ୍ଦୁଥିଲେ। ନିଜ ଲୁହକୁ ଲୁଚାଇବାକୁ ଉଦ୍ୟମ କରି ସୀତା କହିଲେ, ‘‘ସେ ମୋତେ ଆମେ କିଭଳି ଚଳୁଛୁ, କ’ଣ ଖାଉଛୁ ସେକଥା ପଚାରୁଥିଲେ। ସେ ଆମର ପିଲାମାନଙ୍କ ଲାଗି ଚିନ୍ତିତ ଥିଲେ। ମୁଁ ଯେତେବେଳେ ଆମର କଷ୍ଟ ବିଷୟରେ କହୁଥିଲି ସେ କାନ୍ଦି ପକାଉଥିଲେ। ମୁଁ ମଧ୍ୟ କାନ୍ଦୁଥିଲି।’’

ନିଜର ଓ ପିଲାମାନଙ୍କ ପେଟରେ ଦାନା ଦେବାଲାଗି ସେ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ ଏବଂ ପଡୋଶୀମାନଙ୍କଠାରୁ ଟଙ୍କା ଧାର ନେଇଥିଲେ। ‘‘ମୋ ବାପାମା’ ବଟୈୟା [ଭଡାଟିଆ] ଚାଷୀ। ସେମାନେ ଆମକୁ ଚାଉଳ ଓ ଡାଲି ଦେଉଥିଲେ; ଅନ୍ୟ କିଛି ସଂପର୍କୀୟ ମଧ୍ୟ କିଛି ଖାଦ୍ୟଶସ୍ୟ ପଠାଇଥିଲେ’’, ସେ କହିଲେ ଏବଂ ପରେ ନିରବ ହୋଇଗଲେ। ନିରବ ହେବା ପୂର୍ବରୁ ସେ ଯୋଗ କଲେ ଯେ ‘‘ମୋ ଉପରେ ବର୍ତ୍ତମାନ ୧ ଲକ୍ଷରୁ ଅଧିକ ଧାର ଟଙ୍କା ଅଛି।’’

ଭୁଲ ଗିରଫଦାରୀକୁ ପ୍ରମାଣ କରିବା କଷ୍ଟକର ହୋଇଥାଏ ଯେତେବେଳେ ୫ ଜଣ ସାକ୍ଷୀ ଜଣେ ସୂଚନା ପ୍ରଦାନକାରୀ, ଜଣେ ମଦ ଇନସପେକ୍ଟର, ଅନ୍ୟ ଜଣେ ଇନସପେକ୍ଟର ଏବଂ ସ୍କ୍ୱାଡର ୨ ଜଣ ସଦସ୍ୟ ଚଢାଉ କରିଥାନ୍ତି । କିନ୍ତୁ ସୌଭାଗ୍ୟକୁ ଯେତେବେଳେ ରାମଭୁଆଲଙ୍କ ମାମଲା ଶୁଣାଣି ପାଇଁ ଆସିଲା ସେତେବେଳେ ଦୁଇଜଣ ସାକ୍ଷୀ ତାଙ୍କ ଘରୁ ମଦ ମିଳିଥିବା କଥାକୁ ମନା କରିଦେଲେ ଏବଂ କୋର୍ଟ ସେମାନଙ୍କର ବୟାନରେ ଗୁରୁତର ବିସଙ୍ଗତି ପାଇଲେ ।

ନଭେମ୍ବର ୧୬, ୨୦୨୨ରେ ଜେହନାବାଦ ଉଚ୍ଚ ଜିଲ୍ଲା ଏବଂ ସେସନ୍ସ କୋର୍ଟ ରାମଭୁଆଲ ମାଝୀଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଦେଲେ ।

PHOTO • Umesh Kumar Ray

ବସନ୍ତ ମଧ୍ୟ ବିହାର ମଦ ନିଷେଧ ଏବଂ ଅବକାରୀ(ସଂଶୋଧନ) ଆଇନ, ୨୦୧୬ ଅନୁସାରେ ନିଜର ଗିରଫଦାରୀ ବିରୋଧରେ ଏକ ଲମ୍ବା, ମହଙ୍ଗା ଆଇନଗତ ଲଢେଇ ଦେଖୁଛନ୍ତି

ସୀତା ଦେବୀ କହିଲେ, ‘‘ସୁଖାଲ ଥଥର ନିକଲେ ଦ ଜେଲ ସେ [ସେ ଯେତେବେଳେ ଜେଲରୁ ବାହାରିଲେ ସେତେବେଳେ ଖୁବ୍ ପତଳା ହୋଇଯାଇଥିଲେ]।’’

ମୁକ୍ତ ହେବାର ୧୦ ଦିନ ମଧ୍ୟରେ ରାମଭୁଆଲ କାମ ପାଇଁ ଜେହନାବାଦ ବାହାରକୁ ପଳାଇଲେ। ତାଙ୍କର ୩୬ ବର୍ଷୀୟା ପତ୍ନୀ କହିଲେ, ‘‘ମୁଁ ସେ ୨-୩ ମାସ ଧରି ଭଲ ଭାବେ ଖାଆନ୍ତୁ ବୋଲି ସୁନିଶ୍ଚିତ କରିବାକୁ ଚାହୁଁଥିଲି, କିନ୍ତୁ ସେ ପୁଲିସ ତାଙ୍କୁ ପୁଣିଥରେ ଗିରଫ କରିନେଇପାରେ ବୋଲି ଭୟ କରୁଥିଲେ। ତେଣୁ ସେ ଚେନ୍ନାଇ ପଳାଇଗଲେ ।’’

କିନ୍ତୁ ତାଙ୍କର କାହାଣୀ ଏଠାରେ ଶେଷ ହେଉନାହିଁ ।

ରାମଭୁଆଲଙ୍କୁ ଗୋଟିଏ ମାମଲାରୁ ମୁକ୍ତ କରିଦିଆଯାଇଥିଲା କିନ୍ତୁ ୨୦୨୦ରେ ତାଙ୍କର ବିରୋଧରେ ଆଇନର ବିଭିନ୍ନ ଧାରାରେ ଆଉ ଦୁଇଟି ମାମଲା ରୁଜୁ କରାଗଲା । ମଦ ନିଷେଧ ଏବଂ ଅବକାରୀ ବିଭାଗର ତଥ୍ୟରୁ ଜଣାପଡେ ଯେ ଏପ୍ରିଲ ୨୦୧୬ ରୁ ୨୦୨୩ ଫେବ୍ରୁଆରୀ ୧୪ ତାରିଖ ମଧ୍ୟରେ ମଦ ନିଷେଧ ଆଇନ ଅନୁସାରେ ୭.୫ ଲକ୍ଷରୁ ଅଧିକ ଗିରଫଦାରୀ କରାଯାଇଛି । ସେଗୁଡିକ ମଧ୍ୟରୁ ୧.୮ ଲକ୍ଷରୁ ଅଧିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋଷୀଙ୍କ ମଧ୍ୟରେ ୨୪୫ ଜଣ ନାବାଳକ ରହିଛନ୍ତି।

ତାଙ୍କର ସ୍ୱାମୀଙ୍କୁ ପୁଣିଥରେ ଛାଡିଦିଆଯିବ ବୋଲି ସୀତା ସନ୍ଦେହ କରୁଛନ୍ତି। ମଦ ନିଷେଧ କୌଣସି ପ୍ରକାର ସହାୟତା କରିଛି କି ବୋଲି ପଚରାଯିବାରୁ ସେ କହନ୍ତି, ‘‘କୋନଚି କ୍ୟା ବୁଝାଏଗା ହମକୋ। ହମ୍ ତୋ ଲଙ୍ଗତା ହୋ ଗୟେ [ଆପଣ କିଭଳି ମୋତେ ଏହା ବୁଝାଇବେ? ଆମଠାରୁ ସବୁ କିଛି ଛିନ୍ନ କରିନିଆଯାଇଛି]। ମୋ ଝିଅ ବଡ଼ ହେଉଛି ଏବଂ ଆମକୁ ତାର ବାହାଘର ବିଷୟରେ ଚିନ୍ତା କରିବାକୁ ପଡ଼ିବ। କିନ୍ତୁ କିଭଳି ତାହା ଆମେ ଜାଣିନୁ। ଆମ ପାଖରେ ସଡ଼କରେ ଭିକ ମାଗିବା ଛଡ଼ା ଆଉ କୌଣସି ବିକଳ୍ପ ରହିବ ନାହିଁ।’’

୨୦୨୧ ମସିହାରେ ରାମଭୁଆଲଙ୍କର ସାନ ଭାଇଙ୍କର କୌଣସି ଅଜ୍ଞାତ ରୋଗରେ ମୃତ୍ୟୁ ହୋଇଗଲା ଏବଂ କିଛି ଦିନ ପରେ ନଭେମ୍ବର ୨୦୨୨ରେ ସେହି ଭାଇଙ୍କର ପତ୍ନୀଙ୍କର ମଧ୍ୟ ନିଧନ ହୋଇଗଲା। ଏବେ ସୀତା ହିଁ ନିଜର ପିଲାଙ୍କ ସହିତ ସେମାନଙ୍କର ଦୁଇଟି ପିଲାଙ୍କର ଦେଖାଶୁଣା କରୁଛନ୍ତି ।

ଇଶ୍ୱର ଆମକୁ ଏକ ଦୁଃଖଭର୍ତ୍ତି ଆକାଶ ଦେଇଛନ୍ତି, ତେଣୁ ଆମେ ଭୋଗୁଛୁ ।’’

ଏହି କାହାଣୀ ବିହାରର ଜଣେ ଶ୍ରମିକ ସଂଗଠନର ସଦସ୍ୟଙ୍କର ସ୍ମରଣରେ ଏକ ଫେଲୋସିପ୍ ଦ୍ୱାରା ସମର୍ଥିତ ଯିଏକି ରାଜ୍ୟରେ ଅବହେଳିତ ଲୋକଙ୍କ ସଂଘର୍ଷକୁ ସମର୍ଥନ କରିଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

উমেশ কুমার রায় ২০২২এর পারি ফেলো। বিহার-নিবাসী এই স্বতন্ত্র সাংবাদিকটি প্রান্তবাসী সম্প্রদায়দের নিয়ে লেখালেখি করেন।

Other stories by Umesh Kumar Ray
Editor : Devesh

দেবেশ একজন কবি, সাংবাদিক, চলচ্চিত্র-নির্মাতা ও অনুবাদক। তিনি পিপলস্ আর্কাইভ অফ রুরাল ইন্ডিয়ার হিন্দি সম্পাদক ও হিন্দি অনুবাদ-সম্পাদক।

Other stories by Devesh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE