ଅନୁବାଦ: ଓଡ଼ିଶାଲାଇଭ୍
T


SANGUR, PUNJAB
|SAT, APR 04, 2020
ଆରାମ୍ବୋଲର ପ୍ରଥମ ଫେନି ପରିବାର
ଗୋଆର ବିଭିନ୍ନ ଗ୍ରାମରେ ଖରାଦିନିଆ ଫଳ ଲଙ୍କା ଆମ୍ବର ରସକୁ ଛାଣି ସେଥିରୁ ଫେନି ପ୍ରସ୍ତୁତ କରାଯାଇଥାଏ। ଏବେ ଏହା ଏକ ଭୌଗୋଳିକ ପରିଚୟ ହାସଲ କରିଛି। ଉତ୍ତର ଗୋଆରେ ଥିବା ନିଜ ପରିବାରର ଏକ ଛୋଟିଆ ଡିଷ୍ଟିଲେରିରେ ଇନାସିନା ଓ ଲୁଇସ ଫର୍ଣ୍ଣାଣ୍ଡିଜ୍ ବର୍ଷକୁ ୪ ମାସ କଠିନ ପରିଶ୍ରମ କରି ଫେନି ପ୍ରସ୍ତୁତ କରିଥାନ୍ତି। ବଂଶାନୁକ୍ରମିକ ଭାବେ ସେମାନେ ଏହି କାର୍ଯ୍ୟ କରି ଆସୁଛନ୍ତି।
Author
Translator

Sonia Filinto
ଉତ୍ତର ଗୋଆର ପର୍ଣ୍ଣେମ ତାଲୁକା ଅନ୍ତର୍ଗତ ହର୍ମାଲ (ଆରାମ୍ବୋଲ)ର ଫେନି ପ୍ରସ୍ତୁତକାରୀ ଇନାସିନା ଫର୍ଣ୍ଣାଣ୍ଡିସ (୭୨) ଓ ଲୁଇସ ଫର୍ଣ୍ଣାଣ୍ଡିଜ (୭୪)। ସେମାନେ ତିନି ପିଢ଼ି ଧରି ଏହି ବ୍ୟବସାୟ କରି ଆସୁଛନ୍ତି ।

Sonia Filinto
ସେମାନେ ସକାଳୁ ଉଠି ଜମି ମାଲିକଙ୍କ ତିନୋଟି ଅଲଗା ଜଙ୍ଗଲ ଜମିରୁ ଲଙ୍କା ଆମ୍ବ ସଂଗ୍ରହ କରିଥାନ୍ତି, ଏଥିପାଇଁ ସେମାନେ ବାର୍ଷିକ ୪୦,୦୦୦ ଟଙ୍କାର ଭଡ଼ା ଦେଇଥାନ୍ତି । “ଆମେ ଗଛରୁ କାଜୁ ତୋଳି ନଥାଉ,” ବୋଲି କୁହନ୍ତି ଇନାସିନା। “ଗଛରୁ ଖସିପଡ଼ିଥିବା ଲଙ୍କା ଆମ୍ବରେ କାଜୁ ନଥାଏ, ଏହା ଫେନି ପ୍ରସ୍ତୁତ କରିବା ଲାଗି ବେଶ ଉପଯୋଗୀ ହୋଇଥାଏ। “ଫର୍ଣ୍ଣାଣ୍ଡିଜ ପରିବାରର ୫ ପୁଅଙ୍କ ମଧ୍ୟରୁ କେବଳ ବୋସ୍ତିଆଓ ଏକମାତ୍ର ପୁଅ, ଯିଏ କି ପରିବାରର ଡିଷ୍ଟିଲେରୀରେ କାମ କରନ୍ତି। ବାପା-ମା’ ସଂଗ୍ରହ କରିଥିବା ଫଳଗୁଡ଼ିକୁ ବୋହି ଆଣିବା ଲାଗି ସେ ସକାଳୁ ବଗିଚା ଆଡ଼କୁ ଯାଇଥାନ୍ତି।

Sonia Filinto
ଘରଠାରୁ ୨ କିମି ଦୂରରେ ଥିବା ଚାଳି ଘରେ ପାରିବାରିକ ଫେନି ପ୍ରସ୍ତୁତି କେନ୍ଦ୍ର ରହିଛି । ପ୍ରତିବର୍ଷ ଡିସେମ୍ବର ମାସରେ ଏହି ଘର ଫର୍ଣ୍ଣାଣ୍ଡିଜ ପରିବାର ତିଆରି କରିଥାନ୍ତି ଏବଂ ଏହାକୁ ବର୍ଷା ଋତୁ ପୂର୍ବରୁ ମେ ମାସରେ ଭାଙ୍ଗି ଦିଆଯାଇଥାଏ। ପରିବାରର ନିଜସ୍ୱ ଫେନି ପ୍ରସ୍ତୁତି ସରଞ୍ଜାମ ରହିଛି। ସେମାନେ ଚାଲିଯିବା ପରେ ସେଗୁଡ଼ିକୁ ତାରପୋଲିନ ଘୋଡ଼ାଇ ରଖି ଦିଆଯାଇଥାଏ।

Sonia Filinto
ଇନସାନିଆ ଓ ଲୁଇସଙ୍କ ପାଇଁ ଏହି କୁଡ଼ିଆ ସେମାନଙ୍କ ଦ୍ୱିତୀୟ ଘର। ସେମାନେ ସହଜରେ ଫେନି ପ୍ରସ୍ତୁତି ଲାଗି ବର୍ଷର ଚାରି ମାସ ଏହି ଘରେ ବିତାଇଥାନ୍ତି। ଏଠି ରହି ସେମାନେ ଫଳ ସଂଗ୍ରହ କରିବା ସହିତ ରାତି ସାରା କାଠ ଜାଳି ଏହାକୁ ଫେନି ପ୍ରସ୍ତୁତ କରିଥାନ୍ତି। “ଜଙ୍ଗଲରେ ବହୁ ହିଂସ୍ର ଜନ୍ତୁ ରହିଛନ୍ତି; ଆମେ ବେଳେ ବେଳେ ସେମାନଙ୍କ ରଡ଼ି ଶୁଣିବାକୁ ପାଉ, କିନ୍ତୁ ଏବେ ଏହା ଆମର ଦେହସୁଆ ହୋଇଗଲାଣି”, ଇନାସୀନା କୁହନ୍ତି ।

Sonia Filinto
ଫର୍ଣ୍ଣାଣ୍ଡିଜ ପରିବାର ପାରମ୍ପରିକ ମତ୍ସ୍ୟଜୀବୀ। ବର୍ଷା ଋତୁ ଶେଷରୁ ଜାନୁଆରୀ ପର୍ଯ୍ୟନ୍ତ, ବୋସ୍ତିଆଓ ଡଙ୍ଗାରେ ମାଛ ମାରିବାକୁ ଯାଇଥାନ୍ତି। ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ସେମାନେ ନିଯୁକ୍ତ କରିଥିବା ଶ୍ରମିକମାନେ ମାଛ ଧରିଥାନ୍ତି। ଇନାସିନା ଓ ଲୁଇସ ଲଙ୍କା ଆମ୍ବ ସଂଗ୍ରହରେ ବ୍ୟସ୍ତ ରହିଥିବା ସମୟରେ ଶ୍ରମିକମାନେ ଧରିଥିବା ମାଛର ଦୈନିକ ଭାଗ ସେମାନଙ୍କୁ ଦେଇଥାନ୍ତି। ଅଧିକ ମାଛ ଥିଲେ ଇନାସିନା ତା’କୁ ନେଇ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି। ଡାହାଣ: ବିଳମ୍ବିତ ସକାଳେ ଏହି ଦମ୍ପତି ନିକଟରେ ଥିବା ଝରକୁ ଶୌଚ ହେବାକୁ ଯାଇଥାନ୍ତି ଏବଂ ସେଠାରୁ ପ୍ଲାଷ୍ଟିକ ବୋତଲ ଓ ଷ୍ଟିଲ ଟିଣରେ ଦୈନନ୍ଦିନ ବ୍ୟବହାର ପାଇଁ ପାଣି ନେଇ ଆସିଥାନ୍ତି।

Sonia Filinto
ସକାଳର ସଂଗ୍ରହ : ଅଧିକ ଫସଲ ହେବା ସମୟରେ, ଇନାସିନା ଓ ଲୁଇସଙ୍କୁ ଜଙ୍ଗଲରୁ ଫଳ ସଂଗ୍ରହ କରିବା ଲାଗି ଦିନରେ ଦୁଇ ଥର ଯିବାକୁ ପଡ଼ିଥାଏ। “ବହୁ ସମ୍ପର୍କୀୟ ଓ ବନ୍ଧୁମାନେ ଆସନ୍ତି, କିନ୍ତୁ ଅଧିକ ଅମଳ ସମୟରେ ସେମାନଙ୍କ ସହିତ କଥା ହେବା ଲାଗି ଆମ ପାଖରେ ସମୟ ନଥାଏ,” ଇନାସିନା କୁହନ୍ତି।

Sonia Filinto
ସ୍ଥାନୀୟ ବଜାର ଓ ରପ୍ତାନି ପାଇଁ କାଜୁ ମଞ୍ଜିର ବେଶ ଚାହିଦା ରହିଛି। ଗୋଆର ପାଇକାରୀ ବେପାରୀମାନେ କିଲୋ ପ୍ରତି ୧୧୦-୧୬୦ ଟଙ୍କା ଦରରେ କାଜୁ କିଣିନେଇଥାନ୍ତି। ଅମଳ ଋତୁ ଆରମ୍ଭ ଏବଂ ଶେଷ ସମୟରେ ଯୋଗାଣ ହ୍ରାସ ପାଇଲେ ଦର ଅଧିକ ରହିଥାଏ। ସମ୍ପୂର୍ଣ୍ଣ ଅମଳ ଋତୁ ସମୟରେ ସଂଗ୍ରହ କରିଥିବା କାଜୁ ପାଇଁ- ହୋଲସେଲ ଦରରେ ଜମି ମାଲିକଙ୍କୁ ଟଙ୍କା ଦେଇଥାନ୍ତି। ପରିବାର ପାଇଁ ଲାଭ ସୀମା ୧୦ରୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ଥାଏ। “ଭଗବାନଙ୍କ ଆଶୀର୍ବାଦ ଓ ମୋ ସ୍ୱର୍ଗୀୟା ମା’ଙ୍କ ପ୍ରାର୍ଥନା କାରଣରୁ ଆମେ ଭଲ କାରବାର କରୁଛୁ” ବୋଲି ଲୁଇସ କୁହନ୍ତି। ୨୦୧୬ରେ ସେମାନେ ୨୦୦ କିଲୋ କାଜୁ ସଂଗ୍ରହ କରିଥିଲେ। ଏ ଋତୁର କାରବାର ପରିବାର ଲୋକମାନେ ହିସାବ କରିନାହାନ୍ତି । ମୌସୁମୀ ଋତୁ ସରିବା ପୂର୍ବରୁ ସେମାନେ କାମ ସାରିବା ଲାଗି ବ୍ୟସ୍ତ ଅଛନ୍ତି। କିନ୍ତୁ ଏଥର ଭଲ ଫସଲ ହୋଇଛି, ତେଣୁ ମୋଟ ଅମଳ ଅଧିକ ହେବାର ସମ୍ଭାବନା ରହିଛି।

Sonia Filinto
ଫେନି ପ୍ରସ୍ତୁତ କରିବା ଲାଗି ପ୍ରଥମେ ଫଳରୁ ରସ ବାହାର କରିବାକୁ ହୋଇଥାଏ। ପାରମ୍ପରିକ ଭାବେ ଏହାକୁ ଛେଚି ସେଥିରୁ ରସ ବାହାର କରାଯାଏ। ଏଥିପାଇଁ ଫର୍ଣ୍ଣାଣ୍ଡିଜ ପରିବାର ଏକ ଛେଚିବା ମେସିନ ଆଣିଛନ୍ତି। କିନ୍ତୁ ଅମଳ ଋତୁ ଆରମ୍ଭରେ ବୋସ୍ତିଆଓ ପାଦରେ ଛେଚି ରସ ବାହାର କରିଥାନ୍ତି।

Sonia Filinto
ଦ୍ୱିତୀୟ ଥର ଚାପିବା ଫଳରେ ଏଥିରୁ ତାଜା ନୀରୋ ବାହାରିଥାଏ। ଏହା ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ, ଏବଂ ପରିବାର ଲୋକ କିମ୍ବା ବନ୍ଧୁମାନେ ଏହାକୁ ସେବନ କରିଥାନ୍ତି।

Sonia Filinto
ପ୍ରଥମେ ଛେଚିବା ପରେ ସେଥିରୁ ବାହାରୁଥିବା ରସକୁ ପ୍ଲାଷ୍ଟିକ ବ୍ୟାରେଲରେ ରଖାଯାଇଥାଏ ଏବଂ ପ୍ରାକୃତିକ ଉପାୟରେ ଫେଣ ବାହାରିବା ଲାଗି ତା’କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଆଯାଇଥାଏ। ପରେ ଏହାକୁ ବଡ଼ ମାଟି ପାତ୍ରରେ (ବର୍ତ୍ତମାନ ତମ୍ବା ପାତ୍ର ଉପଯୋଗ କରାଯାଉଛି) ରଖାଯାଇ ହାଲକା ନିଆଁରେ ରାତି ସାରା ରନ୍ଧା ଯାଇଥାଏ। ଡାହାଣ : ତେବେ ଏକ ସୁରକ୍ଷିତ ଲିଡ ବ୍ୟବହାର କରିବା ଜରୁରି ଯାହା ଉତ୍ତାପ ସହି ପାରିବ। ଓଦା ଚିକ୍କଣ ମାଟି ଥିବା ଏକ ଓଜନିଆ ପଥର ଚାରିପାଖରେ ଗୁଡ଼ା ହୋଇଥିବା କପଡ଼ା ଏହି କାର୍ଯ୍ୟ କରିଥାଏ।

Sonia Filinto
ଛଣା ହୋଇଥିବା ମଦକୁ ଏକ କଏଲରେ ନେଇ ମାଟି ତଳେ ଥିବା ଏକ ପାତ୍ରରେ ଭର୍ତ୍ତି କରାଯାଏ। ଏହି କଏଲକୁ ଥଣ୍ଡା ପାଣିରେ ବୁଡ଼ାଇ ପାନୀୟକୁ ଗାଢ଼ା କରାଯାଇଥାଏ। ପ୍ରଥମ ଥର ପାନୀୟ ଛଣାଯିବା ପରେ ସେଥିରୁ ଉରକ ନାମକ ଏକ ହାଲକା ଆଲକହଲଯୁକ୍ତ ପାନୀୟ ବାହାରିଥାଏ। ଏହାର ଅବଧି ୪ ମାସ ପର୍ଯ୍ୟନ୍ତ ରହିଥାଏ ଏବଂ ଏହାକୁ ଲିଟର ପ୍ରତି ୧୦୦ ଟଙ୍କାରେ ବିକ୍ରି କରାଯାଏ। ସ୍ଥାନୀୟ ମଦ୍ୟପଙ୍କ ମଧ୍ୟରେ ଏହାର ବେଶ ଚାହିଦା ରହିଛି। ଏହି ଉରକକୁ ଆଉ ଥରେ ଛାଣିବା ଲାଗି ଆଉ ଏକ ପାତ୍ରରେ ଭର୍ତ୍ତି କରାଯାଇଥାଏ। ପୁଣିଥରେ ହାଲକା ଆଞ୍ଚରେ ଏହାକୁ ରନ୍ଧା ଯାଏ, ଏହାପରେ ଏକ ବଡ଼ ପ୍ଲାଷ୍ଟିକ ପାତ୍ରରେ ଫେନି ସଂଗ୍ରହ କରାଯାଇଥାଏ। ଡାହାଣ : ଚଳିତ ବର୍ଷ, ଭଲ ଲଙ୍କା ଆମ୍ବ ହୋଇଥିବାରୁ, ପରିବାର ୧୦୦୦ ଲିଟର ଫେନି ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ରଖିଛି। ଗୋଟିଏ କାଓସୋ (ପୁରୁଣା ପଦ୍ଧତିର ମାପନ ପ୍ରକ୍ରିୟା, ୭୫୦ ମି.ଲି. ଲେଖାଏଁ ୨୦ଟି ବୋତଲକୁ ନେଇ ଗୋଟିଏ କାଓସୋ ହୋଇଥାଏ ) ୧୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଫର୍ଣ୍ଣାଣ୍ଡିଜ ପରିବାର ଏହି ଉତ୍ପାଦକୁ ଷ୍ଟୋର ଓ ମଦଦୋକାନ କିମ୍ବା ବଡ଼ ଡିଷ୍ଟିଲରଙ୍କୁ ବିକ୍ରି କରିନଥାନ୍ତି। ଇନାସିନା, ଲୁଇସ ଏବଂ ବୋସ୍ତିଆଓଙ୍କର ଗ୍ରାହକ ହେଉଛନ୍ତି କିଛି ଗୋଆ ପରିବାର ଯେଉଁମାନଙ୍କୁ ସେମାନେ ମୌସୁମୀ ଋତୁ ପୂର୍ବରୁ ବାର୍ଷିକ ଫେନି ଯୋଗାଇଥାନ୍ତି।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆରାମ୍ବୋଲର-ପ୍ରଥମ-ଫେନି-ପରିବାର

