ଗୋପୀନାଥ ନାୟକଓ୍ୱାଡ଼ି ମୁମ୍ବାଇକୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇ ନାସିକ୍ ଆସିଥିଲେ। ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଆକୋଲା ତାଲୁକର ତାମ୍ଭଲ ଗ୍ରାମରୁ ଆସିଥିବା ୮୮ବର୍ଷ ବୟସ୍କ କୃଷକ କୁହନ୍ତି, ‘‘ଆମେ ବର୍ଷେ ଧରି ଅପେକ୍ଷା କଲୁ, କିନ୍ତୁ ସରକାର ଆମର କୌଣସି ଦାବି ପୂରଣ କଲେ ନାହିଁ। ଏଥର ଆମେ ସରକାର ସେସବୁ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଫେରିବୁ ନାହିଁ।’’
ନାୟକଓ୍ୱାଡ଼ି ୪ଏକର ଜମି ଚାଷ କରୁଥିଲେ। ସେ ମଧ୍ୟରୁ ଗୋଟିଏ ଏକର ତାଙ୍କର ଏବଂ ବଳକା ଜଙ୍ଗଲ ବିଭାଗର ଜମି । ଗତ ବର୍ଷେ ହେବ ସେ ନିଜର ସେଇ ଗୋଟିଏ ଏକର ଜମି ଚାଷ କରୁଛନ୍ତି। ସେ ମୋତେ ପଚାରିଲେ, ‘‘ଗାଁରେ ପିଇବାକୁ ପାଣି ନାହିଁ। ଆମେ କେମିତି ଚାଷ କରିବୁ?’’ ସେ ନାସିକ୍ ଜିଲ୍ଲାର ବିଲ୍ହୋଲି ଗାଁ ବାହାରେ ଥିଲେ। ଯେଉଁଠାରେ କି ନାସିକ୍ର ମହାମାର୍ଗ ବସ୍ଷ୍ଟାଣ୍ଡରୁ ୩ ଘଣ୍ଟା ଧରି ୧୦ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ ଫେବୃଆରୀ ୨୧ ତାରିଖ ଅପରାହ୍ନ ପ୍ରାୟ ୨.୩୦ ସମୟରେ ହଜାର ହଜାର କୃଷକ ବିଶ୍ରାମ ନେଇଥିଲେ। ସେ ମଧ୍ୟ ଆକୋଲା ତାଲୁକରୁ ଆସିଥିବା ପ୍ରାୟ ୨୫୦ କୃଷକଙ୍କ ସହ ପଦଯାତ୍ରା କରିଥିଲେ।
ସେମାନଙ୍କ କ୍ଷେତରେ ଥିବା ବୋର୍ଓ୍ୱେଲ୍ ବର୍ଷେ ତଳୁ ଶୁଖିଯାଇଛି। ବର୍ତ୍ତମାନ ଏକ ସରକାରୀ ପାଣିଟାଙ୍କି ପ୍ରତ୍ୟେକ ୬ଦିନରେ ଥରେ ଗାଁକୁ ପିଇବା ପାଣି ଯୋଗାଉଛି।
ପ୍ରତିବର୍ଷ ନାୟକଓ୍ୱାଡ଼ି ଏବଂ ତାଙ୍କ ପରିବାର ସୋୟାବିନ୍, ଭୂଇଁମୁଗ (ବାଦାମ), ମୁଗ, ହରଡ଼, ପିଆଜ ଏବଂ ବାଜରା ଚାଷ କରୁଥିଲେ। କିନ୍ତୁ ବର୍ଷେ ତଳେ ତାଙ୍କ କ୍ଷେତରେ ଥିବା ବୋର୍ଓ୍ୱେଲ୍ ଶୁଖିଯାଇଛି। ବର୍ତ୍ତମାନ ପ୍ରତି ୬ଦିନରେ ଗୋଟିଏ ସରକାରୀ ପାଣି ଟ୍ୟାଙ୍କର ପିଇବା ପାଣି ଯୋଗାଉଛି। ୨୦୧୮ରେ ନାୟକଓ୍ୱାଡ଼ି ଗ୍ରାମ୍ୟ ସମବାୟ ସମିତିରୁ ୨୭୦୦୦ ଟଙ୍କା ଫସଲ ଋଣ ଆଣିଥିଲେ। ସେ କୁହନ୍ତି, ‘‘ଆମେ ୨୦ଗୁଣ୍ଠ (ଅଧ ଏକର)ରେ ପିଆଜ ଚାଷ କରିଥିଲୁ। କିନ୍ତୁ ଆମର ସବୁ ପିଆଜ ଜଳିଗଲା। କାରଣ ପାଣି ନଥିଲା । ଆମେ କ’ଣ କରିପାରିବୁ? ୮୮ବର୍ଷ ବୟସ୍କ ଏହି କୃଷକ ବର୍ତ୍ତମାନ କେମିତି ଋଣ ପରିଶୋଧ କରିବେ, ତାହା ଚିନ୍ତା କରୁଛନ୍ତି।
ନାୟକଓ୍ୱାଡ଼ି ୨୦୧୮ ମୁମ୍ବାଇରୁ ନାସିକ୍ ଦୀର୍ଘ ପଦଯାତ୍ରାରେ ଯୋଗ ଦେଇଥିଲେ। କିସାନ ମୁକ୍ତିମୋର୍ଚ୍ଚା ପାଇଁ ସେ ନଭେମ୍ବର ମାସରେ ଦିଲ୍ଲୀ ଯାଇଥିଲେ। ତାଙ୍କ ପତ୍ନୀ ବିଜଲାବାଈ ଏସବୁ ପ୍ରତିବାଦରେ ଭାଗ ନେଇପାରନ୍ତି ନାହିଁ। କାରଣ ସେ ଗାଁରେ ଗୋଟିଏ ଗାଇ ଏବଂ ଦୁଇଟି ଛେଳିଙ୍କ କଥା ବୁଝୁଛନ୍ତି ବୋଲି ସେ କହିଥିଲେ। ସେମାନଙ୍କ ପୁଅ ୪୨ବର୍ଷ ବୟସ୍କ ବାଲା ସାହେବ ଜଣେ କୃଷକ ଏବଂ ଦୁଇ ଝିଅ ବିଠାବାଈ ଏବଂ ଜାନା ବାଈ ଉଭୟେ ବିବାହିତା ଏବଂ ଗୃହିଣୀ। ସେମାନଙ୍କ ବୟସ ୫୦ ଛୁଇଁଲାଣି। ଅନ୍ୟ ଦୁଇଝିଅ ଭାଗ୍ୟରଥୀ ଏବଂ ଗଙ୍ଗୁବାଈ ମୃତ୍ୟୁବରଣ କରିଛନ୍ତି।
ଗୋଟିଏ ଦଶକ ତଳେ ଗୋପୀନାଥ ଏବଂ ବିଜ୍ଲା ବାଈ ରୋଜଗାର ପାଇଁ ଗାଁରେ ବିଡ଼ି ବୋଳୁଥିଲେ। ‘‘ଠିକାଦାର ଆମକୁ ୧୦୦୦ ବିଡ଼ି ବୋଳିବା ପାଇଁ ୧୦୦ ଟଙ୍କା ଦେଉଥିଲେ।’’ ଏହାଦ୍ୱାରା ସେମାନେ ମାସକୁ ପ୍ରାୟ ୨୦୦୦ ଟଙ୍କା ରୋଜଗାର କରିପାରୁଥିଲେ। ତେବେ ପ୍ରାୟ ୧୦ବର୍ଷ ତଳେ ଆକୋଲା ତାଲୁକର ବିଡ଼ି କାରଖାନାଗୁଡ଼ିକ ବନ୍ଦ ହୋଇଗଲା। କାରଣ ତମ୍ବୁର୍ଣ୍ଣି ପତ୍ର ବା କେନ୍ଦୁପତ୍ର ଆଉ ମିଳିଲା ନାହିଁ।
ନାୟକଓ୍ୱାଡ଼ି ବର୍ତ୍ତମାନ ମୁଖ୍ୟତଃ ପରିବାରର ଗୃହପାଳିତ ପଶୁମାନଙ୍କ ଚାରା କଥା ବୁଝୁଛନ୍ତି ଏବଂ ବେଳେବେଳେ ଚାଷ କାମକୁ ଯାଉଛନ୍ତି। ସେମାନଙ୍କ ପୁଅ ଜମିକଥା ବୁଝୁଛି। ସଞ୍ଜୟ ଗାନ୍ଧୀ ନିରାଧାର ପେନସନ ଯୋଜନା ଅଧୀନରେ ସେ ମାସକୁ ୬୦୦ ଟଙ୍କା ପାଆନ୍ତି। ସେ ପଚାରନ୍ତି, ‘‘୬୦୦ ଟଙ୍କାରେ ଆମେ କ’ଣ କରିବୁ? ଆମର ଦାବି ପେନସନ ୩୦୦୦ ଟଙ୍କାକୁ ବୃଦ୍ଧି ପାଇବା ଦରକାର।’’
‘‘ଏଥର ଯଦି ସରକାର ଆମର ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବେ ନାହିଁ, ତେବେ ଆମେ ମୁମ୍ବାଇ ଛାଡ଼ି ଯିବୁନାହିଁ। ମୁମ୍ବାଇରେ ମରିବା ବରଂ ଭଲ। କିନ୍ତୁ ଗାଁର କୃଷି ହିଁ ଆମକୁ ମାରୁଛି।’’
ପୋଷ୍ଟ ସ୍କ୍ରିପ୍ଟ: ଫେବୃଆରୀ ୨୧ତାରିଖ ବିଳମ୍ବିତ ରାତିରେ ଏହି ପଦଯାତ୍ରାର ସଂଯୋଜକ ଅଲ୍ ଇଣ୍ଡିଆ କିସାନ ସଭା ସରକାରଙ୍କ ପ୍ରତିନିଧିଙ୍କ ସହ ୫ଘଣ୍ଟା ଆଲୋଚନା ପରେ ପ୍ରତିବାଦ ବାତିଲ କରିଥିଲା। ସରକାର କୃଷକମାନଙ୍କର ସମସ୍ତ ଦାବିକୁ ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥଲେ। ଏକତ୍ର ହୋଇଥିବା କୃଷକମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ ଘୋଷଣା କରିଥଲେ, ‘‘ଆମେ ସମୟସୀମା ମଧ୍ୟରେ ସମସ୍ତ ପ୍ରସଙ୍ଗ ସମାଧାନ କରିବୁ ଏବଂ ପ୍ରତି ଦୁଇ ମାସରେ ଥରେ କାର୍ଯ୍ୟ ଅନୁଶୀଳନ ବୈଠକ କରିବୁ। ଆପଣମାନେ (କୃଷକ ଏବଂ କୃଷି ଶ୍ରମିକମାନେ) ଏତେଦୂର ମୁମ୍ବାଇକୁ ଚାଲିକରି ଯିବାର କଷ୍ଟ ସହିବା ଆବଶ୍ୟକ ନାହିଁ। ଏହି ସରକାର ଆପଣମାନଙ୍କ କଥା ଶୁଣୁଛି। ବର୍ତ୍ତମାନ ଆମେ ଏସବୁ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବୁ, ଯେମିତିକି ଆପଣମାନଙ୍କୁ ଆଉ ଗୋଟିଏ ପଦଯାତ୍ରା କରିବାକୁ ହେବ ନାହିଁ।’’
ଅନୁବାଦ: ଓଡ଼ିଶାଲାଇଭ୍