ମୁଁ କେଉଁଠାରେ ଲେଖିଛି ଯେ ଆପଣ ଆମର ମୂଳୋତ୍ପାଟନ କରିଦେଇପାରନ୍ତି ଏବଂ ଆମକୁ ପାଣିରେ ବୁଡ଼ାଇ ପାରନ୍ତି । କିନ୍ତୁ ଶୀଘ୍ର ଆପଣଙ୍କ ପାଇଁ ପାଣିର ଅଭାବ ଦେଖାଦେବ। ଆପଣ ଆମର ଭୂଇଁ, ଆମର ପାଣି ଚୋରାଇ ନେଇପାରନ୍ତି, ତଥାପି ଆମେ ଆପଣଙ୍କର ଆଗାମୀ ପିଢ଼ିମାନଙ୍କ ପାଇଁ ଲଢ଼ିବୁ ଓ ମରିବୁ। ଜଳ, ଜଙ୍ଗଲ ଓ ଜମି ପାଇଁ ଆମର ସଂଘର୍ଷ କେବଳ ଆମର ନୁହେଁ, ଏଥିପର୍ଯ୍ୟନ୍ତ ଯେ ଆମ ମଧ୍ୟରୁ କେହି ବି ପ୍ରକୃତିଠାରୁ ଭିନ୍ନ ନୁହେଁ। ଆଦିବାସୀ ଜୀବନ ପ୍ରକୃତି ସହ ସମନ୍ୱୟରେ ତିଷ୍ଠି ରହେ। ଆମେ ନିଜକୁ ଏହାଠାରୁ ଅଲଗା ଦେଖୁନାହୁଁ । ଦେହୱାଲି ଭିଲିରେ ମୁଁ ଯେଉଁସବୁ କବିତା ଲେଖିଛି, ସେଥିରୁ ଅନେକ କବିତାରେ ମୁଁ ନିଜ ଲୋକଙ୍କର ମୂଲ୍ୟବୋଧକୁ ସଂରକ୍ଷିତ କରିବାକୁ ଉଦ୍ୟମ କରିଛି ।
ଆଦିବାସୀ ସମ୍ପ୍ରଦାୟଙ୍କ ବାବଦରେ ଆମର ବିଶ୍ୱଦୃଷ୍ଟି, ଆଗାମୀ ପିଢ଼ି ପାଇଁ ଏକ ଭିତ୍ତିଭୂମି ହୋଇପାରେ। ଯେପର୍ଯ୍ୟନ୍ତ ଆପଣ ସାମୁହିକ ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ହେବେ ନାହିଁ, ସେପର୍ଯ୍ୟନ୍ତ ଆପଣଙ୍କ ପାଖରେ ସେହି ଜୀବନ, ସେହି ବିଶ୍ୱଦୃଷ୍ଟିକୁ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।
ଆମ ପାଦ ରଖିବା ପାଇଁ ଭୂମି
ହେ ଭାଇ,
ମୋ ଭାଇ, ତୁମେ ବୁଝିବ ନାହିଁ
ପଥରକୁ ପେଷିବା
ଆଉ ମାଟିକୁ ଜଳାଇବାର ଅର୍ଥ।
ତୁମେ ବହୁତ ଖୁସି ଅଛ
ନିଜ ଘରକୁ ପ୍ରକାଶିତ କରି,
ବ୍ରହ୍ମାଣ୍ଡର ଉର୍ଜ୍ଜା ଉପରେ କାବୁ ପାଇ।
ତୁମେ ବୁଝିବ ନାହିଁ
ପାଣି ବୁନ୍ଦାର ମରିବା କ’ଣ ହୋଇଥାଏ ।
ତୁମେ ଯେହେତୁ ଧରଣୀର ଶ୍ରେଷ୍ଠ ସୃଷ୍ଟି
ତୁମ ଶ୍ରେଷ୍ଠତାର ସବୁଠାରୁ
ବଡ଼ ପ୍ରମାଣ ‘‘ଲାବୋରେଟୋରୀ’’
ତୁମର ଏହି କୀଟପତଙ୍ଗଙ୍କଠାରେ କ’ଣ ଅଛି,
ଗଛଲତା ଏବଂ ଜୀବଜନ୍ତୁଙ୍କ ପାଖରେ କ’ଣ ଅଛି?
ତୁମର ଆକାଶରେ ଘର ତିଆରି କରିବାର ସ୍ୱପ୍ନ।
ତୁମେ ଆଉ ଧରଣୀ ମା’ର ପ୍ରିୟ ପୁତ୍ର ହୋଇନାହଁ ।
ଭାଇ, ଖରାପ ଭାବିବ ନାହିଁ ତ,
ତୁମକୁ ଯଦି ‘‘ଚନ୍ଦ୍ର ମଣିଷ’’ ଡାକିବି
ନା, ତୁମେ ପକ୍ଷୀ ତ ନୁହଁ
କିନ୍ତୁ ତୁମେ ଉଚ୍ଚରେ ଉଡ଼ିବାର ସ୍ୱପ୍ନ ଦେଖ,
ନୁହେଁ କି ଏବଂ କାହିଁକି ବା ନୁହେଁ, ତୁମେ ତ ଶିକ୍ଷିତ!
ତୁମେ କାହାକୁ ଶୁଣିବ ନାହିଁ
କିନ୍ତୁ, ଭାଇ, ଆମ ଅଶିକ୍ଷିତଙ୍କ ପାଇଁ
ଯଦି ପାରିବ, ଏତିକି ନିଶ୍ଚୟ କରିଯିବ
ପାଦ ରଖିବାକୁ ଭୂମି ଛାଡ଼ିଯିବ, ଦୟାକରି।
ହେ ଭାଇ,
ମୋ ଭାଇ, ତୁମେ ବୁଝିବ ନାହିଁ
ପଥରକୁ ପେଷିବା
ଆଉ ମାଟିକୁ ଜଳାଇବାର ଅର୍ଥ ।
ତୁମେ ବହୁତ ଖୁସି ଅଛ
ନିଜ ଘରକୁ ପ୍ରକାଶିତ କରି,
ବ୍ରହ୍ମାଣ୍ଡର ଉର୍ଜ୍ଜା ଉପରେ କାବୁ ପାଇ
ତୁମେ ବୁଝିବ ନାହିଁ
ପାଣି ବୁନ୍ଦାର ମରିବା କ’ଣ ହୋଇଥାଏ।
ତୁମେ ଯେହେତୁ ଧରଣୀର ଶ୍ରେଷ୍ଠ ସୃଷ୍ଟି ।
ଅନୁବାଦ: ଓଡ଼ିଶାଲାଇଭ୍