ମହାରାଷ୍ଟ୍ର ଲୋକସେବା ଆୟୋଗ (ଏମପିଏସସି) ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ସମ୍ପର୍କରେ ଜାଣିବାର କିଛି ଘଣ୍ଟା ପରେ ବୀଡ଼ଠାରୁ ୧୮୦ କିଲୋମିଟର ଦୂରରେ ଥିବା ସୋଲାପୁର ନେଇଯିବା ପାଇଁ ସନ୍ତୋଷ ଖାଡ଼େ ନିଜର ଜଣେ ବନ୍ଧୁଙ୍କୁ ଅନୁରୋଧ କରିଥିଲେ। ସବୁଜିମା ଭରା ଆଖୁ କ୍ଷେତରେ ପହଞ୍ଚିବା ପରେ ସେ କୋପ ବା ବାଉଁଶ, ନଡ଼ା ଏବଂ ତାରପଲିନରେ ତିଆରି ଏକ ଅସ୍ଥାୟୀ ଘର ସନ୍ଧାନ କରିଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ୨୫ ବର୍ଷ ବୟସ୍କ ସନ୍ତୋଷ ସେହି ଘରକୁ ଭାଙ୍ଗି ଦେଇଥିଲେ ଯେଉଁଠି ତାଙ୍କର ମାତାପିତା ୩୦ ବର୍ଷ ଧରି ବର୍ଷକୁ ୬ ମାସ ଆଖୁ ଅମଳ ଋତୁରେ ଫସଲ କଟା ଶ୍ରମିକ ଭାବେ ରହୁଥିଲେ।
ଖାଡ଼େ ନିଜ ପରିବାରର ୩ ଏକର ଚାଷ ଜମିକୁ ଲାଗି ରହିଥିବା ଘରର ଚଉଡ଼ା ବାରଣ୍ଡା ଉପରେ ଏକ ପ୍ଲାଷ୍ଟିକ ଚେୟାରରେ ବସିଥିଲେ। ଏହି ସମୟରେ ସେ କହିଥିଲେ, ‘‘ମୁଁ ଏନଟି-ଡି (ଯାଯାବର ଜନଜାତିଙ୍କ ମଧ୍ୟରେ ଏକ ଉପବର୍ଗ) ପିଲାମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ପରେ ଜାଣିବାକୁ ପାଇଥିଲି। କିନ୍ତୁ ମୋ ପାଇଁ ଏହା ଠାରୁ ଆହୁରି ଅଧିକ ଖୁସିର ବିଷୟ ହେଉଛି, ମୋର ମାତାପିତାଙ୍କୁ ଆଉ କେବେ ଫସଲ କଟା ଶ୍ରମିକ ଭାବେ କାମ କରିବାକୁ ପଡ଼ିବ ନାହିଁ।’’
ପ୍ରଥମେ ତାଙ୍କ ସଫଳତାର ଖବର ଲୁହ ଓ ହସ ମିଶା ଭାବନା ସହିତ ସ୍ୱାଗତ କରାଯାଇଥିଲା। ଖାଡ଼େ ସେହି ଶ୍ରମିକମାନଙ୍କ ପୁଅ, ଯେଉଁମାନେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତ୍ୟେକ ବର୍ଷ ମରୁଡ଼ି ପ୍ରଭାବିତ ପଟୋଦାରୁ ସୋଲାପୁର ଜିଲ୍ଲାକୁ ପ୍ରବାସ କରୁଥିଲେ। ସେ କହିଥିଲେ, ତାଙ୍କ ଭଳି ସାୱରଗାଓଁ ଘାଟର ୯୦ ପ୍ରତିଶତ ପରିବାର ବାର୍ଷିକ ଅମଳ ସମୟରେ ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଆଖୁ ଚାଷ କ୍ଷେତ୍ରକୁ ପ୍ରବାସ କରିଥାନ୍ତି।
ବଞ୍ଜାରୀ ସମୁଦାୟର ପ୍ରତିନିଧିତ୍ୱ କରୁଥିବା ଖାଡ଼େ ୨୦୨୧ ଏମପିଏସସି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ସହିତ କୃତକାର୍ଯ୍ୟ ହୋଇଥିଲେ। ସାଧାରଣ ବର୍ଗ ତାଲିକାରେ ରାଜ୍ୟରେ ସେ ୧୬ତମ ସ୍ଥାନ ହାସଲ କରିଥିବା ବେଳେ ଏନଟି-ଡି ବର୍ଗରେ ଶୀର୍ଷ ସ୍ଥାନ ପାଇଥିଲେ
‘‘ମୋ ମାତାପିତାଙ୍କ ବର୍ଷ ପରେ ବର୍ଷ ସଂଘର୍ଷର ପରିଣାମ ସ୍ୱରୂପ ଏହା ସମ୍ଭବ ହୋଇପାରିଥିଲା। ଜୋ ଜାନୱର କା ଜୀନା ହୋତା ହୈ, ୱହି ଇନକା ଜୀନା ହୋତା ହୈ (ସେମାନେ ପଶୁଙ୍କ ଭଳି ଜୀବନ ବଞ୍ଚୁଥିଲେ),’’ ଫସଲ ଅମଳ ଋତୁରେ ନିଜ ମାତାପିତାଙ୍କ କଠିନ ପରିଶ୍ରମ ସମ୍ପର୍କରେ ବର୍ଣ୍ଣନା କରି ଖାଡ଼େ କହିଥିଲେ। ‘‘ମୋର ପ୍ରଥମ ଲକ୍ଷ୍ୟ ଥିଲା ଏହାକୁ ବନ୍ଦ କରିବା, ଯଥେଷ୍ଟ ଭଲ ଚାକିରି କରିବା ଯାହାଫଳରେ ସେମାନଙ୍କୁ ଆଉ ଆଖୁ ଅମଳ ସମୟରେ ପ୍ରବାସ କରିବାକୁ ପଡ଼ିବ ନାହିଁ।’’
ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ୨୦୨୦ର ଏକ ରିପୋର୍ଟ ଅନୁଯାୟୀ ଏକ ସାରା ଦେଶରେ ୭୦୦ରୁ ଅଧିକ କାର୍ଯ୍ୟକ୍ଷମ ଆଖୁ ପେଡ଼ା କାରଖାନା ସହିତ ଭାରତୀୟ ଚିନି ଉଦ୍ୟୋଗ ବାର୍ଷିକ ପ୍ରାୟ ୮୦,୦୦୦ କୋଟି ଟଙ୍କାର ଉତ୍ପାଦନ କରିଥାଏ।
କେବଳ ମହାରାଷ୍ଟ୍ରର ୮ ଲକ୍ଷ ଆଖୁ କଟା ଶ୍ରମିକଙ୍କ କାରଣରୁ ଏସବୁ କାରଖାନା ଚାଲି ପାରିଥାଏ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ମରାଠୱାଡ଼ା କ୍ଷେତ୍ର, ବିଶେଷ କରି ବୀଡ୍ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥାନ୍ତି। ଶ୍ରମିକମାନଙ୍କୁ ପାରମ୍ପରିକ ଭାବେ ଏକକାଳୀନ ଅଗ୍ରୀମ ରାଶି ପରିଶୋଧ କରାଯାଇଥାଏ, ଯାହାକୁ ଉଚାଲ (ଆକ୍ଷରିକ ଭାବେ ଏହାକୁ ‘ଉଠାଣ’ ବୋଲି ଅନୁବାଦ କରାଯାଇଥାଏ)। ଏହି ପରିମାଣ ୬୦,୦୦୦-୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ଏବଂ ଛଅରୁ ସାତ ମାସର ଅବଧି ବିଶିଷ୍ଟ ସମ୍ପୂର୍ଣ୍ଣ ଋତୁ ପାଇଁ ଏକ ଦମ୍ପତିଙ୍କୁ ଏହି ଟଙ୍କା ଦିଆଯାଇଥାଏ।
କାମ କରିବା ଏବଂ ରହିବା ସ୍ଥିତି ଅତ୍ୟନ୍ତ ଖରାପ ଥାଏ: ଖାଡ଼େଙ୍କ ମା’ ସରସ୍ୱତୀ କହିଥିଲେ ଯେ, କାରଖାନାକୁ ସତେଜ କଟା ହୋଇଥିବା ଆଖୁ ଅଣାଯିବା ସୁନିଶ୍ଚିତ କରିବା ଲାଗି ସେ ପ୍ରାୟତଃ ଭୋର ୩ଟାରୁ ଉଠି ଯାଉଥିଲେ; ସେ ନିୟମିତ ଭାବେ ବାସୀ ଖାଦ୍ୟ ଖାଉଥିଲେ, ଶୌଚାଳୟ ସୁବିଧା ସେମାନଙ୍କ ପାଇଁ ଭଲ ନଥିଲା ଏବଂ ପାଣି ଆଣିବା ପାଇଁ ବର୍ଷ ବର୍ଷ ଧରି ସେମାନଙ୍କୁ ବହୁତ ଦୂର ବାଟ ଯାତ୍ରା କରିବାକୁ ପଡ଼ୁଥିଲା। ୨୦୨୨ରେ, ଏକ ବାଲି ବୋଝେଇ ଟିପ୍ପର ଧକ୍କାରେ ସରସ୍ୱତୀ ତାଙ୍କ ବଳଦ ଗାଡ଼ିରୁ ଖସି ପଡ଼ିଥିଲେ ଓ ଏଥିରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା।
ଖାଡ଼େ ନିଜ ମାତାପିତାଙ୍କ ସହିତ ଆଖୁ ଥୁଣ୍ଟା, କିମ୍ବା ୱଡ଼ା (ପତ୍ର) ଏକାଠି କରି ବିଡ଼ା ବାନ୍ଧିବାରେ ଅନେକ ଛୁଟି ବିତାଇଛନ୍ତି ଯାହାକି ସେମାନେ ବିକ୍ରି କରିଥାନ୍ତି କିମ୍ବା ବଳଦଙ୍କ ଖାଦ୍ୟ ପାଇଁ ରଖିଥାନ୍ତି।
ଖାଡ଼େ କହିଥିଲେ, ‘‘ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ହେବା, ଏକ ବିଳାସପୂର୍ଣ୍ଣ କାର୍ଯ୍ୟାଳୟ, ଭଲ ପଦବୀରେ କାର୍ଯ୍ୟ କରିବା, ଲାଲ-ଡିଭା (ନାଲି ବତି) ଥିବା ଏକ କାର ଚଳାଇବା ପାଇଁ ଅଧିକାଂଶ ପିଲାଙ୍କର ଇଚ୍ଛା ଥାଏ। ମୋର ସେପରି ସ୍ୱପ୍ନ ନଥିଲା। ମୋର ସ୍ୱପ୍ନ ସୀମିତ ଥିଲା: ମୋ ମାତାପିତାଙ୍କୁ ମଣିଷ ଭଳି ଜୀବନ ଦେବା।’’
୨୦୧୯ରେ ମହାରାଷ୍ଟ୍ର ସରକାର ଗୋପୀନାଥ ମୁଣ୍ଡେ ଆଖୁ କଟାଳି ଶ୍ରମିକ ନିଗମ ପ୍ରତିଷ୍ଠା କରିଥିଲେ। ନିଗମ ଦ୍ୱାରା ଗ୍ରହଣ କରାଯିବାକୁ ଥିବା କଲ୍ୟାଣମୂଳକ କାର୍ଯ୍ୟ ପାଇଁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୮୫ କୋଟି ଟଙ୍କାର ପ୍ରସ୍ତାବିତ ପାଣ୍ଠି ଆବଣ୍ଟନ କରିଛନ୍ତି। ଏହା ସତ୍ତ୍ୱେ ଶ୍ରମିକମାନେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି।
*****
ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଖାଡ଼େ, ତାଙ୍କର ଦୁଇ ଭଉଣୀ ଓ ଜଣେ ସମ୍ପର୍କୀୟା ଭଉଣୀ ବର୍ଷକୁ ଛଅ ମାସ ପାଇଁ ସେମାନଙ୍କ ଜେଜେମା’ଙ୍କ ପାଖରେ ରହୁଥିଲେ। ସେମାନେ ସ୍କୁଲରୁ ଫେରିବା ପରେ, ଚାଷ ଜମିରେ କାମ କରୁଥିଲେ ଏବଂ ସନ୍ଧ୍ୟାରେ ପାଠ ପଢ଼ୁଥିଲେ।
ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କର ମାତାପିତା ଭାବିଲେ ତାଙ୍କ ପୁଅ ପିଢ଼ି ପିଢ଼ି ଧରି ଚାଲିଥିବା ଏହି କଠିନ ପରିଶ୍ରମରୁ କେମିତି ମୁକ୍ତି ପାଇବ। ତେଣୁ ସେମାନେ ସନ୍ତୋଷ ଖାଡ଼େଙ୍କୁ ଅହମ୍ମଦନଗରରେ ଥିବା ଆଶ୍ରମ ଶାଳା (ଯାଯାବରଙ୍କ ସମେତ ଅନ୍ୟ ଜନଜାତି ବର୍ଗର ପିଲାଙ୍କ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ମାଗଣା ଆବାସିକ ବିଦ୍ୟାଳୟ) ରେ ନାମ ଲେଖାଇ ଦେଇଥିଲେ।
‘‘ଆମେ ଗରିବ ଥିଲୁ, କିନ୍ତୁ ମୋର ମାତାପିତା ମୋତେ ଟିକେ ଗେହ୍ଲାରେ ବଢ଼ାଇଥିଲେ। ତେଣୁ ମୁଁ ଯେତେବେଳେ ଅହମ୍ମଦନଗରରେ ଏକୁଟିଆ ରହିପାରିଲି ନାହିଁ, ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୁଁ ପାତୋଡ଼ା ସହରକୁ ଚାଲିଗଲି।’’
ଏବେ ଘର ପାଖରେ ରହୁଥିବା କାରଣରୁ ଖାଡ଼େ ସପ୍ତାହାନ୍ତ ଏବଂ ଛୁଟି ଦିନଗୁଡ଼ିକରେ ରେସ୍ତୋରାଁରେ କାମ କରିବା କିମ୍ବା ଅଳ୍ପ ପରିମାଣର କପା ବିକ୍ରି କରିବା ଭଳି ଛୋଟ ଛୋଟ କାମ କରୁଥିଲେ। ଏମିତି ଦିନ ମଜୁରି କାମରୁ ଯାହା ଆୟ ହେଉଥିଲା ସେଥିରେ ସେ ବ୍ୟାଗ, ବହିପତ୍ର, ଜ୍ୟାମିତ୍ୟିକ ସରଞ୍ଜାମ ଏବଂ ଅନ୍ୟ ଜିନିଷ କିଣୁଥିଲେ ଯାହାକୁ ଦେବା ପାଇଁ ତାଙ୍କର ମାତାପିତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା।
ଦଶମ ଶ୍ରେଣୀ ହେବା ବେଳକୁ ସେ ଜାଣିଥିଲେ ଯେ ତାଙ୍କୁ ରାଜ୍ୟ ପ୍ରଶାସନିକ ସେବା ଆୟୋଗ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ହେବ।
‘‘ପ୍ରକୃତରେ, ଅନ୍ୟ କୌଣସି ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଟଙ୍କା ନଥିଲା। ଛଅ ମାସ ପାଇଁ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଗଲେ ମୋ ମାତାପିତା ୭୦,୦୦୦-୮୦,୦୦୦ ଟଙ୍କା ରୋଜଗାର କରିପାରୁଥିଲେ ଏବଂ ଅନ୍ୟ ଯେକୌଣସି ପାଠ୍ୟକ୍ରମରେ ନାମ ଲେଖାଇଥିଲେ ଆମକୁ ୧ରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା,’’ ଖାଡ଼େ କହିଥିଲେ। ‘‘ଏମପିଏସସି ପରୀକ୍ଷା ଦେବାର ବିକଳ୍ପ ଏହି ତୁଳନାରେ ଶସ୍ତା ଥିଲା। ଏଥିରେ ଆପଣଙ୍କୁ କୌଣସି ଫି’ ଦେବା, କୌଣସି ସ୍ୱତନ୍ତ୍ର କୋର୍ସରେ ନାମ ଲେଖାଇବା, ଲାଞ୍ଚ ଦେବା କିମ୍ବା କାହାର ସୁପାରିସ ଆଣିବା ଦରକାର ନାହିଁ। ଏହା ସବୁଠୁ ଶସ୍ତା କ୍ୟାରିଅର ବିକଳ୍ପ। ଫକ୍ତ ଏଣ୍ଡ ଫକ୍ସ ଆପଲ୍ୟା ମେହନତିଚା ଜୋରାୱର ଆପନ ପାସ ହୋଉ ଶକତୋ (କେବଳ କଠିନ ପରିଶ୍ରମ ଆଧାରରେ ଜଣେ ବ୍ୟକ୍ତି ଏଥିରେ କୃତକାର୍ଯ୍ୟ ହୋଇପାରିବ)’’।
ସ୍ନାତକ ଡିଗ୍ରୀ ପାଇଁ ସେ ବୀଡ଼ ସହରକୁ ଚାଲି ଯାଇଥିଲେ ଏବଂ ସମାନ୍ତରାଳ ଭାବେ ଏମପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଲେ। ‘‘ମୁଁ ଭାବିଲି ମୋ ପାଖରେ ସମୟ ନାହିଁ, ସ୍ନାତକ ଶେଷ ହେବା ବର୍ଷ ଏମପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ମୁଁ ଚାହିଁଥିଲି,’’ ସେ କହିଥିଲେ।
ସେପର୍ଯ୍ୟନ୍ତ ଏହି ପରିବାର ଟିଣ ଛାତ ଥିବା ଏକ କମ୍ ଉଚ୍ଚତା ବିଶିଷ୍ଟ ମାଟି ଘରେ ରହୁଥିଲା, ବର୍ତ୍ତମାନ ଏହି ପୁରୁଣା ଘରଟି ସାୱରଗାଓଁ ଘାଟରେ ଥିବା ସେମାନଙ୍କ ନୂଆ ଘର ପଛପଟେ ରହିଛି। ଖାଡ଼େ କଲେଜ ଯିବା ପରେ, ତାଙ୍କ ପରିବାର ଲୋକମାନେ ନିଜର ଏକ ପକ୍କା ଘର ତୋଳିବାକୁ ନିଷ୍ପତ୍ତି ନେଲେ। ସେ କହିଥିଲେ, ଶୀଘ୍ର ପାଠପଢ଼ା ସାରି ଚାକିରି କରିବା ପାଇଁ ତାଙ୍କ ଭିତରେ ଏକ ଅଦମ୍ୟ ଇଚ୍ଛା ଜାଗ୍ରତ ହୋଇଥିଲା।
୨୦୧୯ରେ ତାଙ୍କର ସ୍ନାତକ ପାଠପଢ଼ା ଶେଷ ହେଲା। ପୁଣେର ଏକ ଛାତ୍ରାବାସରେ ରହି ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେଠାରେ ତାଙ୍କ ଭଳି ଅନ୍ୟ ଛାତ୍ରମାନେ ମଧ୍ୟ ରହୁଥିଲେ। ତାଙ୍କର ଅଧିକାଂଶ ସମୟ ପାଠାଗାରରେ ପଢ଼ାପଢ଼ି କରି ବିତୁଥିଲା।
‘‘ ଆପୁନ ଇଧର ଟାଇମପାସ୍ କର୍ନେ ନହିଁ ଆୟେ ହୈଁ (ଆମେ ସେଠାକୁ ସମୟ ନଷ୍ଟ କରିବାକୁ ଯାଇନଥିଲୁ),’’ ସେ କହିଥିଲେ।
ପୁଣେର ଏକ ପୁରୁଣା ଆବାସିକ ଅଞ୍ଚଳ କସବା ପୀଠରେ ଥିବା ପାଠାଗାରକୁ ଯିବା ପୂର୍ବରୁ ସେ ନିଜର ସେଲ୍ଫୋନ ଘରେ ରଖି ଦେଇ ଆସୁଥିଲେ। ସେଠାରେ ସେ ଦିନ ୧ଟା ପର୍ଯ୍ୟନ୍ତ ବହି ପଢ଼ୁଥିଲେ, ପୁରୁଣା ବର୍ଷର ପ୍ରଶ୍ନ ପତ୍ର ପଢ଼ୁଥିଲେ ଓ ସମାଧାନ କରୁଥିଲେ, ସାକ୍ଷାତକାର ବିଷୟରେ ଗବେଷଣା କରୁଥିଲେ, ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ଏବଂ ସାକ୍ଷାତକାର ନେଉଥିବା ଲୋକମାନଙ୍କ ମାନସିକତା ଜାଣିବା ଲାଗି ଚେଷ୍ଟା କରୁଥିଲେ।
ଦିନକୁ ହାରାହାରୀ ସେ ୫୦୦-୬୦୦ ଏମସିକ୍ୟୁ (ବହୁ ବିକଳ୍ପ ପ୍ରଶ୍ନ) ଥିବା ପ୍ରଶ୍ନପତ୍ର ସମାଧାନ କରୁଥିଲେ।
ପ୍ରଥମ ଲିଖିତ ପରୀକ୍ଷା, ଏପ୍ରିଲ ୫, ୨୦୨୦ ରେ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା, ଯାହାକି କୋଭିଡ-୧୯ ମହାମାରୀ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଘୁଞ୍ଚିଗଲା। ‘‘ମୁଁ ସମୟର ଲାଭ ଉଠାଇବାକୁ ନିଷ୍ପତ୍ତି ନେଲି।’’ ତେଣୁ ସାୱରଗାଓଁ ଘାଟରେ, ସେ ପ୍ରାୟତଃ ସରି ଆସିଥିବା ନିଜ ପକ୍କା ଘରର ଗୋଟିଏ ବଖରାକୁ ତାଙ୍କର ପାଠପଢ଼ା କୋଠରୀରେ ପରିଣତ କରି ଦେଇଥିଲେ। ‘‘ଯଦି ମୁଁ କେବେ ବାହାରକୁ ଆସୁଥିଲି, ମୁଁ ରାନ (କ୍ଷେତ)କୁ ଯାଉଥିଲି ନଚେତ ଶୀତଳ ସନ୍ଧ୍ୟାରେ ପଢ଼ିବା ପାଇଁ ଛାତ ଉପରକୁ ଯାଉଥିଲି।’’
ଶେଷରେ ଜାନୁଆରୀ ୨୦୨୧ରେ ସେ ଏମପିଏସସି ପ୍ରାରମ୍ଭିକ ପରୀକ୍ଷା ଦେଲେ, ପରବର୍ତ୍ତୀ ସ୍ତରକୁ ଯିବା ଲାଗି ଆବଶ୍ୟକ କଟଅଫ ମାର୍କଠାରୁ ସେ ଅଧିକ ୩୩ ନମ୍ବର ରଖିଥିଲେ। ଏଥର ମହାମାରୀର ଦ୍ୱିତୀୟ ଲହରୀ ପାଇଁ ମୁଖ୍ୟ ପରୀକ୍ଷା ବା ‘ମେନ୍ସ୍’ ଆୟୋଜନ ମଧ୍ୟ ବିଳମ୍ବ ହେଲା।
ଖାଡ଼େଙ୍କୁ ଏକ ବ୍ୟକ୍ତିଗତ କ୍ଷତିର ସମ୍ମୁଖିନ ହେବାକୁ ପଡ଼ିଥିଲା। ‘‘ମୋର ୩୨ ବର୍ଷ ବୟସ୍କ ସମ୍ପର୍କୀୟ ଭାଇ କୋଭିଡରେ ପ୍ରାଣ ହରାଇଲେ। ସେ ଡାକ୍ତରଖାନାରେ ମୋ ଆଖି ସାମ୍ନାରେ ଆରପାରିକୁ ଚାଲି ଯାଇଥିଲେ। ଆମ ଚାଷ ଜମିରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା,’’ ସେହି ଦୁଃଖଦ ଘଟଣା ମନେ ପକାଇ ସେ କହିଥିଲେ।
ଏହା ପରେ ୧୫ ଦିନ ଏକାନ୍ତବାସ (ଆଇସୋଲେସନ) ଅବଧିରେ, ନିରାଶ ଖାଡ଼େଙ୍କୁ ଲାଗିଲା ଯେ ପରିବାରର ଏକମାତ୍ର ଶିକ୍ଷିତ ଯୁବକ ହୋଇଥିବାରୁ ବର୍ତ୍ତମାନ ଘରେ ରହିବା ତାଙ୍କର ଦାୟିତ୍ୱ। ମହାମାରୀ ଜୀବିକା ଉଜାଡ଼ି ଦେଇଥିଲା ଏବଂ ରୋଜଗାରକୁ ପ୍ରଭାବିତ କରିଥିଲା। ଏମପିଏସସି ଯାତ୍ରା ଛାଡ଼ି ଦେବା ପାଇଁ ତାଙ୍କ ମନକୁ ବିଚାର ଆସିଥିଲା।
‘‘ଶେଷରେ, ମୋ ମନକୁ ଏହି ବିଚାର ଆସିଲା ଯେ ଯଦି ମୁଁ ଏବେ ଏହା ଛାଡ଼ି ଦେବି, ତା’ହେଲେ ମୋ ଗାଁରେ ଯେଉଁ ଲୋକମାନେ ଆଖୁ ଅମଳ ଉପରେ ନିର୍ଭର କରି ଚଳୁଛନ୍ତି ସେମାନେ ଭବିଷ୍ୟତରେ କିଛି ଭଲ ହାସଲ କରିବା ପାଇଁ ଆଶା ହରାଇବେ,’’ ସେ କହିଥିଲେ।
*****
ଡିସେମ୍ବର ୨୦୨୧ରେ ହୋଇଥିବା ମୁଖ୍ୟ ପରୀକ୍ଷାରେ ଖାଡ଼େ କୃତକାର୍ଯ୍ୟ ହେବା ସହିତ ସାକ୍ଷାତକାର ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଥିଲେ। ସେ ତାଙ୍କର ମାତାପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କୁ ୨୦୨୨ରେ ଆଉ ଆଖୁ କାଟିବା ପାଇଁ ଯିବାକୁ ପଡ଼ିବ ନାହିଁ।
କିନ୍ତୁ ଭୟ ଏବଂ ଆଶଙ୍କା କାରଣରୁ ସେ ତାଙ୍କର ପ୍ରଥମ ସାକ୍ଷାତକାର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ‘‘ଉତ୍ତର ଜାଣିଥିଲେ ସୁଦ୍ଧା ମୁଁ ‘ଦୁଃଖିତ’ ବୋଲି କହୁଥିଲି।’’ ମାତ୍ର ୦.୭୫ କଟଅଫ୍ ମାର୍କ ପାଇଁ ସେ କଟି ଯାଇଥିଲେ। ୨୦୨୨ ମୁଖ୍ୟ ପରୀକ୍ଷାକୁ ମାତ୍ର ୧୦ ଦିନ ବାକିଥିଲା। ‘ ମେ ସୁନ୍ ହୋ ଗୟା (ମୁଁ ଉପାୟଶୂନ୍ୟ ହୋଇଗଲି)। ମୋ ପିତାମାତା ଆଖୁ କାଟିବାକୁ ଚାଲି ଯାଇଥିଲେ। ମୁଁ ବାପ୍ପୁ (ବାପା)ଙ୍କୁ ଦୁଃଖ ମନରେ ଫୋନ କଲି ଏବଂ କହିଲି ଯେ ମୁଁ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରୁନାହିଁ।’’
ତା’ପରେ କ’ଣ ହେଲା ସେ କଥା କହିବା ବେଳକୁ ଖାଡ଼େ ଭାବପ୍ରବଣ ହୋଇଯାଇଥିଲେ। ସେ ଆଶା କରୁଥିଲେ ଯେ, ତାଙ୍କ ପିତା, ପୋଲିଓ କାରଣରୁ ଭିନ୍ନକ୍ଷମ, ଅଶିକ୍ଷିତ ଓ ଏମପିଏସସି ପରୀକ୍ଷାର ପ୍ରକ୍ରିୟା କିମ୍ବା ଏହାର ପ୍ରତିଯୋଗୀ ପ୍ରକୃତି ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନଥିବା କାରଣରୁ, ତାଙ୍କୁ ଗାଳି କରିବେ।
‘‘ଏହା ପରିବର୍ତ୍ତେ, ସେ ମୋତେ କହିଲେ, ‘ ଭବଦ୍ୟା (ତାଙ୍କ ମାତାପିତା ତାଙ୍କୁ ଏହି ନାମରେ ସମ୍ବୋଧନ କରିଥାନ୍ତି) ତୋ ପାଇଁ ମୁଁ ଆଉ ପାଞ୍ଚ ବର୍ଷ ଆଖୁ କାଟିପାରିବି।’ ସେ ମୋତେ କହିଲେ ଯେ ମୁଁ ଚେଷ୍ଟା ଛାଡ଼ିବା ଉଚିତ୍ ନୁହେଁ ଏବଂ ମୋତେ ଜଣେ ସରକାରୀ ଅଧିକାରୀ ହେବାକୁ ପଡ଼ିବ। ତା’ପରେ ମୋର ଆଉ କୌଣସି ପ୍ରେରଣାଦାୟୀ ବକ୍ତବ୍ୟ ଆବଶ୍ୟକ ନଥିଲା।’’
ପୁଣେରେ, ଖାଡ଼େ ନିଜର ଫୋନ୍ ସୁଇଚ ଅଫ କରି ପାଠାଗାରକୁ ଫେରି ଯାଇଥିଲେ। ପରବର୍ତ୍ତୀ ପ୍ରୟାସରେ, ତାଙ୍କର ସ୍କୋର ମୋଟ ୭୦୦ରୁ ୪୬୧ ରହିଥିଲା। ପୂର୍ବଥର ସେ ୪୧୭ ରଖିଥିଲେ। ଏବେ ସାକ୍ଷାତକାର ରାଉଣ୍ଡରେ ମୋଟ୍ ୧୦୦ ମାର୍କ ମଧ୍ୟରୁ ତାଙ୍କୁ ୩୦-୪୦ ମାର୍କ ଦରକାର ଥିଲା।
ଅଗଷ୍ଟ ୨୦୨୨ରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷା ବିଳମ୍ବ ହେବା କାରଣରୁ, ତାଙ୍କର ମାତାପିତା ଆଉ ଗୋଟିଏ ବର୍ଷର ଉଚାଲ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ‘‘ମୁଁ ସେଦିନ ପଣ କଲି, ଆଗ ଥର ମୁଁ ଯେତେବେଳେ ସେମାନଙ୍କୁ ଭେଟିବି, ସେତେବେଳେ କିଛି ଦୃଢ଼ ହେବ।’’
ଜାନୁଆରୀ ୨୦୨୩ରେ ଯେଉଁଦିନ ତାଙ୍କର ସାକ୍ଷାତକାର ପରୀକ୍ଷା ଶେଷ ହେଲା, ସଫଳତା ପାଇବା ନେଇ ସେ ନିଶ୍ଚିତ ହୋଇଯାଇଥିଲେ। ସେ ତାଙ୍କ ବାପାଙ୍କୁ ଫୋନ୍ କଲେ ଏବଂ କହିଲେ ଯେ ସେମାନଙ୍କୁ ଆଉ କେବେ କୋୟତା (ଦା’) ଧରିବାକୁ ପଡ଼ିବ ନାହିଁ। ସେ ଟଙ୍କା ଉଧାର ଆଣି ଉଚାଲ ପରିଶୋଧ କରିବା ପାଇଁ ସୋଲାପୁର ଅଭିମୁଖେ ଚାଲିଲେ। ସେଠାରେ ଏକ ଟ୍ରକରେ ନିଜ ମାତାପିତାଙ୍କ ଜିନିଷପତ୍ର ଏବଂ ଦୁଇଟି ବଳଦକୁ ଏକ ପିକଅପ୍ ଟ୍ରକରେ ଲଦିଲେ ଏବଂ ସେମାନଙ୍କୁ ଘରକୁ ପଠାଇଦେଲେ।
‘‘ସେମାନେ ଯେଉଁଦିନ ଘର ଛାଡ଼ି ଥିଲେ ସେଦିନ ମୋ ପାଇଁ କଳାଦିନ ଥିଲା। ଯେଉଁଦିନ ମୁଁ ସେମାନଙ୍କୁ ଘରକୁ ପଠାଇଲି ମୋ ପାଇଁ ସେଦିନ ସବୁଠୁ ସୁଖଦ ଦିନ ଥିଲା।’’
ଅନୁବାଦ : ଓଡ଼ିଶାଲାଇଭ୍