ମା’ ଟିଏ କେଉଁ ଭାଷାରେ ସ୍ୱପ୍ନ ଦେଖେ? ଗଙ୍ଗାଠାରୁ ପେରିୟାର ତଟ ପର୍ଯ୍ୟନ୍ତ ସେ ତା’ର ପିଲାମାନଙ୍କ ସହ କେଉଁ ଭାଷାରେ କଥା ହୁଏ? ପ୍ରତି ରାଜ୍ୟ, ପ୍ରତି ଜିଲ୍ଲା, ପ୍ରତି ଗ୍ରାମ ସହ ତା’ର ଭାଷା କ’ଣ ବଦଳି ଯାଏ? ହଜାର ହଜାର ଭାଷା, ଲକ୍ଷ ଲକ୍ଷ ବୋଲି, ସେ ସବୁ କିଛି ଜାଣେ? ସେ କେଉଁ ଭାଷାରେ ବିଦର୍ଭର ଚାଷୀ, ହଥରାସର ଶିଶୁ, ଦିଣ୍ଡିଗୁଲର ମହିଳାମାନଙ୍କ ସହ କଥା ହୁଏ? ଶୁଣ! ଲାଲ ମାଟିରେ ନିଜର ମଥାକୁ ଚାପିଧର। ଗୋଟିଏ ପାହାଡ ଉପରେ ଛିଡ଼ା ହୁଅ ଯେଉଁଠି ପବନ ତୁମ ମୁହଁକୁ ଶ୍ରଦ୍ଧାରେ ଆଉଁସି ଦିଏ ଏବଂ ଶୁଣ! ତୁମେ ତାକୁ, ତା’ର କାହାଣୀକୁ, ତା’ର ଗୀତକୁ, ତା’ର କାନ୍ଦକୁ ଶୁଣି ପାରିବକି? ମୋତେ କୁହ, ତୁମେ ତା’ର ଭାଷାକୁ ଚିହ୍ନି ପାରିବ କି? ମୋତେ କୁହ, ମୋ ପରି, ତୁମେ କ’ଣ ସେ ତୁମ ପାଇଁ ଗାଉଥିବା ନାନାବାୟା ଗୀତ ଶୁଣି ପାରୁଛ?
ଜିହ୍ୱା
ମୋ ଜିଭରେ ଛୁରୀ ଭୁଷି ହୋଇଯାଇଛି!
କଅଁଳ ମାଂସପେଶୀକୁ ଚିରୁଥିବା -
ଏହାର ତୀକ୍ଷ୍ନ ଧାରକୁ ମୁଁ ଅନୁଭବ କରୁଛି।
ମଁ ଆଉ କଥା କହି ପାରିବିନି,
ଏହି ଛୁରୀ ମୋର ଶବ୍ଦ ସବୁ ନେଇ ଯାଇଛି,
ସବୁ ଅକ୍ଷର, ସବୁ
ଗୀତ, ସବୁ କାହାଣୀ,
ଯାହା ସବୁ ଅନୁଭବ ହୋଇଥିଲା ଆଉ ଜଣା ଥିଲା।
ଲହୁଲୁହାଣ ହୋଇଛି ଏହି ଜିହ୍ୱା,
ରକ୍ତର ଏକ ଧାରା
ବୋହି ଯାଉଛି ମୋ ମୁହଁରୁ ଛାତି ଆଡ଼କୁ,
ମୋ ନାଭିକୁ, ମୋ
ଲିଙ୍ଗକୁ,
ଏହି ଦ୍ରାବିଡ ମାଟିକୁ।
ଏହି ମାଟି ଜିଭ ପରି ଲାଲ ଏବଂ ଆର୍ଦ୍ର।
ପ୍ରତି ବୁନ୍ଦା ସୃଷ୍ଟିକରେ ଆଉ ଗୋଟିଏକୁ,
କଳା ପୃଥିବୀରୁ ଲାଲ ଘାସପତ୍ରକୁ।
ତଳେ ଲୁଚି ରହିଥିବା ଶହ ଶହ ଭାଷା,
ହଜାର ଆଉ ଲକ୍ଷ।
ମୃତମାନେ ଉଠୁଛନ୍ତି ପୁରାତନ କବରସ୍ଥାନରୁ,
ବିସ୍ମୃତମାନେ ପ୍ରସ୍ଫୁଟିତ ହେଉଛନ୍ତି ବସନ୍ତର ଫୁଲ ପରି,
ମୋ ମା’ ଜାଣିଥିବା ଗୀତ ଆଉ ଗପର ପେଡ଼ି ପୁଣି ଖୋଲୁଛି।
ମୋ ଜିଭରେ ଛୁରୀ ଭୁଷି ହୋଇଯାଉଛି
ତୀକ୍ଷ୍ଣ ଧାର କମ୍ପୁଛି,
ଭାଷାମାନଙ୍କର ଏଇ ମାଟିର
ଗୀତକୁ ଭୟ କରି।
ଅନୁବାଦ : ଓଡ଼ିଶାଲାଇଭ୍