ଅନୁବାଦ: ଓଡ଼ିଶାଲାଇଭ୍
T


South Goa, Goa
|THU, APR 02, 2020
ଗୋଆର ଭାଦେଲମାନେ
ସ୍ଵାଭିମାନୀ ଓ କଷ୍ଟସହିଷ୍ଣୁ - କିନ୍ତୁ ସଂଖ୍ୟା ହରାଉଥିବା-ମାର୍ଗାଓର ମହିଳା କୁଲି
Author
Translator

Sonia Filinto
ଭାଦେଲମାନେ ହେଉଛନ୍ତି ମହିଳା କୁଲି ଯେଉଁମାନେ କି ପ୍ରାୟତଃ ଦକ୍ଷିଣ ଗୋଆର ମାର୍ଗାଓ ସହରରେ କାମ କରନ୍ତି । (କୋଙ୍କଣୀରେ ‘ଭାଦେଲ’ର ଅର୍ଥ ‘କୁଲି’) ଝିଅ ହୁଅନ୍ତୁ କି ବୋହୂ, ପିଢ଼ି ପରେ ପିଢ଼ି ଧରି ଏହି ଜୀବିକାକୁ ପରିବାରର ମହିଳାମାନେ ଆପଣେଇ ନେଇଛନ୍ତି

Sonia Filinto
କିନ୍ତୁ ବର୍ତ୍ତମାନ ଯୁବା ପିଢ଼ିର କୌଣସି ମହିଳା କୁଲି ପାଲଟି ନାହାନ୍ତି । ମାରିଆ ବୋର୍ଜ୍ସ କହନ୍ତି, “ଏହି କାମ କରିବାକୁ ଆମ ଝିଅମାନେ ଆଗ୍ରହୀ ନୁହଁନ୍ତି, ସେମାନେ କିଛି ପାଠ ପଢ଼ିଛନ୍ତି, ତେଣୁ ଅଫିସ୍ରେ କାମ କରିବାକୁ ଚାହାଁନ୍ତି ।” ମାର୍ଗାଓ ବଜାରରେ ଏବେ ପ୍ରାୟ ଡଜନେ ଭାଦେଲ କାମ କରନ୍ତି, ସମସ୍ତଙ୍କ ବୟସ ୫୦ଉପରେ । ଯଦିଚ ସୁଦୂର ଅତୀତରେ ଗୋଆର ଅନ୍ୟାନ୍ୟ ବଜାରରେ ଭାଦେଲମାନେ କାମ କରୁଥିଲେ, ସେ ସଂପର୍କରେ ଖୁବ୍ ଅଳ୍ପ ଦସ୍ତାବିଜ ରହିଛି, ମୁଖ୍ୟତଃ କେତେକ ଲୋକଗୀତରେ ଏ ସଂପର୍କିତ ବର୍ଣ୍ଣନା ଏହାର ସତ୍ୟତା ପ୍ରତିପାଦିତ କରେ

Sonia Filinto
ବୋର୍ଦା ଓ ଫାତୋର୍ଦା ଭଳି ମାର୍ଗାଓର ପଡ଼ୋଶୀ ଗାଁ ଓ ସହରରୁ ଏହି ମହିଳାମାନେ ପ୍ରତିଦିନ ବସ୍ରେ ଯା’ଆସ କରନ୍ତି । ସକାଳବେଳାର ଘରକାମ ସାରିବା ପରେ, ସେମାନେ ସକାଳ ୮ଟାରୁ୧୦ଟା ଭିତରେ, ଅଲଗା ଅଲଗା ସମୟରେ ସେମାନେ ବଜାରରେ ପହଞ୍ଚନ୍ତି । ସନ୍ଧ୍ୟା ୬.୩୦ ସୁଦ୍ଧା ସେମାନେ ଘରକୁ ଫେରିଯିବାକୁ ବାହାରନ୍ତି

Sonia Filinto
ପରମ୍ପରାଗତ ଭାବେ ମାର୍ଗାଓର ଭାଦେଲମାନେ ରୋମାନ୍ କାଥୋଲିକ୍ ସଂପ୍ରଦାୟର । ସେମାନେ ହେଲେ କୁନ୍ବି- ଗୋଆର ମୂଳ ଅଧିବାସୀ ରୂପେ ବିବେଚିତ ଏକ ଆଦିବାସୀ ସଂପ୍ରଦାୟ । ଖାସ୍ କୁନ୍ବି ଶୈଳୀରେ ତାଙ୍କ ଲୁଗାକୁ ଗୁଡ଼ାଇଛନ୍ତି ଏଲ୍ପାଇନ୍ ଆଲମେଇଦା, ଯଦିଓ ଲୁଗା ଓ ଏହାର ରଙ୍ଗ ପାରମ୍ପରିକ ଭାବେ ବ୍ୟବହୃତ ପ୍ରକାରର ନୁହେଁ- ସେ ସବୁ ଆଉ ତିଆରି ହେଉନାହିଁ

Sonia Filinto
ସାଧାରଣତଃ, ଭାଦେଲ ମହିଳାମାନେ ମାର୍ଗାଓ ବଜାରର ଏକ ଅନ୍ୟତମ ପୁରୁଣା ଦୋକାନ ସମ୍ମୁଖ ଗଳିରେ ରୁଣ୍ଡ ହୁଅନ୍ତି । ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କର ଏହା ସିଜ୍ନ ଅଫ୍ ଲେଣ୍ଟ୍- ମିତବ୍ୟୟିତାର ସମୟ- କିଣାବିକାରେ ମାନ୍ଦାବସ୍ଥାର ସମୟ । ବ୍ୟବସାୟ ପାଇଁ ଏହା ଖରାପ ବେଳା, କିନ୍ତୁ ମହିଳାମାନଙ୍କୁ କିଛିଟା ଅବକାଶ ମିଳିଯାଏ

Sonia Filinto
୧୯୯୦ ଦଶକର ଶେଷଭାଗରେ କୋଙ୍କଣ ରେଳବାଇ ଆରମ୍ଭ ହେବା ପରେ ପଡ଼ୋଶୀ ରାଜ୍ୟ ଛାଡ଼ି ଏଠାକୁ ମଜୁରିଆମାନେ ଆସିଲେ ଏବଂ ମହିଳାମାନଙ୍କ ରୋଜଗାର ଉପରେ ଏହାର ପ୍ରଭାବ ପଡ଼ିଲା । ଶସ୍ତା ଦରରେ ପରିଶ୍ରମ କରୁଥିବା ବଳିଷ୍ଠ ଯୁବକମାନଙ୍କ ସହ ପ୍ରତିଯୋଗିତା କଷ୍ଟକର ହୋଇପଡ଼ିଲା, ମହିଳାମାନେ ବିନା କାମରେ ସମୟ କାଟିଲେ, ସେମାନଙ୍କ ପାଦକୁ ବିଶ୍ରାମ ଦେଲେ । କିନ୍ତୁ ସ୍ଥାନୀୟ ବ୍ୟବସାୟୀମାନେ ଭାଦେଲମାନଙ୍କ ବିଶ୍ଵସନୀୟତାକୁ ସ୍ଵୀକାର କରନ୍ତି । ସେମାନଙ୍କ ଦେଖାରଖାରେ ନିଜ ନିଜ ଦୋକାନକୁ ଖୋଲା ଛାଡ଼ି ଦିଅନ୍ତି ଏବଂ ବ୍ୟାଙ୍କରେ ମୋଟା ଅଙ୍କର ଅର୍ଥ ଜମା କରିବାକୁ ସେମାନଙ୍କୁ ପଠାଇବାରେ ଦ୍ଵିଧାବୋଧ କରନ୍ତି ନାହିଁ

Sonia Filinto
ଭାଦେଲମାନେ ଦିନକୁ ୫୦ ଟଙ୍କାରୁ୨୦୦ ଟଙ୍କା ଭିତରେ ଯାହା କିଛି ରୋଜଗାର କରନ୍ତି ।୨୦୧୫ମସିହାର ସ୍ଥିତି ଅନୁସାରେ, ଗୋଟିଏ ମଧ୍ୟମ ଆକାରର ଜିନିଷପତ୍ର ଭର୍ତ୍ତି ବ୍ୟାଗ୍ ବୋହି ନେଲେ ସେମାନଙ୍କୁ ୩ ଟଙ୍କା ମିଳେ, ଷ୍ଟିଲ୍ ଆଲମାରିଟିଏ ବୋହିନେଲେ ୫୦ ଟଙ୍କା ମିଳେ, ଯାହାକି କାମରେ ଲାଗିଥିବା ସବୁ ମହିଳାଙ୍କ ଭିତରେ ଭାଗ ହୁଏ, ଏବଂ ୫୦ କିଲୋ ଓଜନର ଜିନିଷପତ୍ର ନେଲେ ସେମାନେ ୨୦ ଟଙ୍କା ରୋଜଗାର କରନ୍ତି

Sonia Filinto
ବିଭିନ୍ନ ସାମଗ୍ରୀ ଏବଂ ଓଜନିଆ ଭାର ବୋହି ନେବାକୁ ହେଲେ ଦୋକାନ ମାଲିକମାନେ ଏବଂ ଗ୍ରାହକମାନେ ଭାଦେଲମାନଙ୍କ ସେବାର ଉପଯୋଗ କରନ୍ତି । ଜଣେ ସ୍ଥାନୀୟ ବ୍ୟବସାୟୀ ସପ୍ତାହକୁ ଥରେ ନିଜ ଘର ପାଇଁ ଜିନିଷପତ୍ର କିଣିବା ବେଳେ ଏଲପାଇନ୍ ଆଲମେଇଦା ତେଜରାତି ଜିନିଷରେ ଭର୍ତ୍ତି ଝୁଡ଼ିଟିକୁ ବୋହି ନିଅନ୍ତି

Sonia Filinto
ଅପରାହ୍ଣ ୧ରୁ ୩:୩୦ ପର୍ଯ୍ୟନ୍ତ ଗୋଆର ଦୋକାନ ବଜାର ବନ୍ଦ ରହୁଥିବା ବେଳେ ମହିଳାମାନେ ଶଟର ପଡ଼ିଥିବା ଦୋକାନ ସାମନାକୁ ମଧ୍ୟାହ୍ନ ଭୋଜନ ସ୍ଥଳ ରୂପେ ବ୍ୟବହାର କରନ୍ତି

Sonia Filinto
ଭାଦେଲ ସଂପ୍ରଦାୟର ବିଲେଇକୁ ବି ତା’ର ନିତିଦିନିଆ ଭୋଜନ ମିଳିଯାଏ

Sonia Filinto
ଗୋଆର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଖରାବେଳିଆ ନିଦ

Sonia Filinto
କାର୍ଯ୍ୟରତ ଭାଦେଲମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କା ହେଲେ ରୀତା କାମାରା-ତାଙ୍କୁ ପ୍ରାୟ ୭୦ ବର୍ଷ । ସେ ତାଙ୍କର ନିତିଦିନିଆ ସଉକ ପୂରଣ କରିବାକୁ ବିଡ଼ିରେ ନିଆଁ ଧରାନ୍ତି- ବିଡ଼ି ହେଉଛି ଶୁଖିଲା କେନ୍ଦୁ ପତ୍ରରେ ଗୁଡ଼ା ହୋଇଥିବା ତମାଖୁ

Sonia Filinto
କେତେଜଣ ଭାଦେଲ ପାଖରେ ଡାକ୍ତରଙ୍କ ସୁପାରିସ ଅନୁସାରେ ଚଷମା ରଖିଛନ୍ତି, କିନ୍ତୁ କାମ କରିବା ବେଳେ ଏହା ପିନ୍ଧିବାକୁ ଅସୁବିଧା ଲାଗେ । ପଲିନ୍ ଆଲ୍ମେଇଦା କହନ୍ତି, “ମୋ କାମ ମଝିରେ ଚଷମା ବ୍ୟାଘାତ ସୃଷ୍ଟି କରେ ।” ଦିନ ଯାକର କାମ ସାରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହିଁ ସେ ଚୁପ୍ଚାପ ତାଙ୍କ ଚଷମା ପିନ୍ଧନ୍ତି

Sonia Filinto
୨୦୧୧ରେ ପର୍ତ୍ତୁଗାଲ ଶାସନରୁ ଗୋଆ ମୁକ୍ତ ହେବାର ୫୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ସମାରୋହର ଅଂଶ ଭାବେ, ସେହି ଶାସନକାଳରେ ୨୫ବର୍ଷରୁ ଅଧିକ ସମୟ ଧରି କାମ କରିଥିବା ଭାଦେଲମାନଙ୍କ ସେବାକୁ ଗୋଆ ସରକାର ସ୍ଵୀକୃତି ଦେଇଥିଲେ । ଏକକାଳୀନ ପାରିତୋଷିକ ଭାବରେ ସେମାନଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା । ଯଦିଚ ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସରକାରୀ ଭତ୍ତା ଯୋଜନାରେ ଏହି ମହିଳାମାନେ ଆବେଦନ କରିପାରିବେ, ହେଲେ ଭାଦେଲମାନେ ସ୍ଵାଭିମାନୀ କର୍ମୀ ଏବଂ ଏ ପର୍ଯ୍ୟନ୍ତ କୌଣସି ସହାୟତା ନେବାକୁ ଚାହିଁ ନାହାନ୍ତି
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗୋଆର-ଭାଦେଲମାନେ

