Tribal women crossing water body

ଏଡ଼ାମାଲାକୁଡ଼ିର ସବୁ ଆଦିବାସୀ ମହିଳା ମୁଥାବନ ସଂପ୍ରଦାୟର ।ପ୍ରାୟ ସମସ୍ତେ, କେରଳରଅସାଧାରଣ ଦାରିଦ୍ର୍ୟ ବିରୋଧୀ ଏବଂ ଲୈଙ୍ଗିକ ନ୍ୟାୟ ଆନ୍ଦୋଳନ-କୁଡୁମ୍ବଶ୍ରୀର ସଦସ୍ୟା । ଚିତ୍ର: ମଧୁରାଜ, ମାତୃଭୂମି ୱିକ୍‌ଲ

ଯେତେବେଳେ ଏଡ଼ାମାଲାକୁଡ଼ିର ୬୦ ଜଣ ମହିଳା ପ୍ରାୟ ଶହେଟି ସୌର ପ୍ୟାନେଲକୁ ପାହାଡ଼, ଜଙ୍ଗଲ ଏବଂ ବଣୁଆ ହାତୀ ଅଞ୍ଚଳ ଦେଇ ଯାଇଥିବା ୧୮ କିଲୋମିଟର ବାଟ ମୁଣ୍ଡରେ ବୋହି ନେଲେ, ସେମାନେ ଏକପ୍ରକାର ଇତିହାସ ରଚିଲେ । କେରଳର ଏହି ସବୁଠୁ ଦୁର୍ଗମ ପଞ୍ଚାୟତ ବା ନିର୍ବାଚିତ ଗ୍ରାମ୍ୟ ପରିଷଦ ଅଞ୍ଚଳରେ ବିଦ୍ୟୁତ୍‌ ଆଲୋକ ନାହିଁ । ଏହି ବିଚ୍ଛିନ୍ନାଞ୍ଚଳର ୨୪୦ଟି ପରିବାର ପାଇଁ ସୌର ପ୍ୟାନେଲ ଏବଂ ବ୍ୟାଟେରୀ ହିଁ ଶକ୍ତିର ଏକମାତ୍ର ଉତ୍ସ । କେବେ କେମିତି ଏହି ଶକ୍ତିଦ୍ଵାରା ଆପଣ ଟେଲିଭିଜନ୍‌ ସେଟ୍‌ ବି ଚଲାଇ ପାରିବେ ।

ସମସ୍ତଙ୍କ ନିକଟରେ ସୌରଶକ୍ତି ପହଞ୍ଚାଇବା ଦିଗରେ ଯେତେବେଳେ ଗ୍ରାମ ପଞ୍ଚାୟତ ଚେଷ୍ଟା କଲା ଏବଂ କାମ ଆରମ୍ଭ କଲା, ସେମାନଙ୍କ ପ୍ରୋତ୍ସାହନ ଯୋଗୁଁ ମହିଳାମାନେ ଏହି କାମ ହାତକୁ ନେଲେ ।ପ୍ରତିଟି ପ୍ରାୟ ୯ କିଲୋଗ୍ରାମ ଓଜନର ଏହି ପ୍ୟାନେଲଗୁଡ଼ିକୁସେମାନେ ଦୁର୍ଗମ ପାହାଡ଼ିଆ ଏବଂ ଉଠାଣି-ଗଡ଼ାଣିଅଞ୍ଚଳ ଦେଇ ପେଟ୍ଟିମୁଡ଼ିରୁ ଏଠାକୁ ବୋହି ଆଣିଲେ । ତା ବି ପାଦରେ ଚାଲି ଚାଲି । ଇଡୁକି ଜିଲ୍ଲାରେ ଥିବା କେରଳର ଏହି ପ୍ରଥମ ଆଦିବାସୀ ପଞ୍ଚାୟତ ଏଡ଼ାମାଲାକୁଡ଼ିରେ ପହଞ୍ଚିବା ପାଇଁ ଅନ୍ୟ ବାଟ ନ ଥିଲା । ସେମାନେ ଏକ “ଚୁମାଟ୍ଟୁ କୂଟ୍ଟମ” (ମୁଣ୍ଡରେ ଭାର ବୋହୁଥିବା କର୍ମୀ ଗୋଷ୍ଠୀ) ଗଠନ କଲେ, ଯାହାଦ୍ଵାରା କି ଏକଚାଟିଆ ଭାବେ ଏମିତିକା କାମ କରିଆସୁଥିବା ଏଠାକାର ପୁରୁଷ ଭାରବାହକମାନେ ଅସନ୍ତୁଷ୍ଟ ହେଲେ ।

Meeting with CDS women in Edamalakudi
PHOTO • P. Sainath

ପ୍ରାୟ୩୦ ଜଣ ଯାଏ କୁଡୁମ୍ବଶ୍ରୀ ସଦସ୍ୟାଙ୍କର ଏକ ଗୋଷ୍ଠୀ ‘ସୋସାଇଟିକୁଡ଼ି’ଭାବରେ ଆମ ସହ କଥାବାର୍ତ୍ତା କଲେ

ସବୁ ମହିଳା ଆଦିବାସୀ (ଶହ ଶହ ଜନଜାତି ସଂପ୍ରଦାୟ ବିଶିଷ୍ଟ ଭାରତର ‘ପ୍ରଥମ ଅଧିବାସୀ’) । ସମସ୍ତେ ମୁଥାବନ ଆଦିବାସୀ ସଂପ୍ରଦାୟର ସଦସ୍ୟା । ଏବଂ ପ୍ରାୟ ସମସ୍ତେ,ପାଖାପାଖି ଚାଳିଶ ଲକ୍ଷ ମହିଳା ସଦସ୍ୟ ସମ୍ମିଳିତ କେରଳର ଅସାଧାରଣ ଦାରିଦ୍ର୍ୟ ବିରୋଧୀ ଏବଂ ଲୈଙ୍ଗିକ ନ୍ୟାୟ ଆନ୍ଦୋଳନ,କୁଡୁମ୍ବଶ୍ରୀର ସକ୍ରିୟ ସଦସ୍ୟା ।

“ନଅ ଘଣ୍ଟା ଲାଗିଲା,” ହସହସ ଭାବରେ କହନ୍ତି ପଞ୍ଚାୟତ କୁଡୁମ୍ବଶ୍ରୀ କେନ୍ଦ୍ରର ଅଧ୍ୟକ୍ଷା ରମାନି ଅର୍ଜୁନନ୍‌ । (ପ୍ରାୟତଃ ମହିଳାମାନେ ସେମାନଙ୍କ ଆନ୍ଦୋଳନକୁ କହନ୍ତି “ସିଡିଏସ୍‌”-ଗୋଷ୍ଠୀ ବିକାଶ ସମିତି) । “କେତେକ ମଜଭୁତ ମହିଳା ସେମାନଙ୍କ ମୁଣ୍ଡରେ ଦୁଇଟି ଲେଖାଏଁ ପ୍ୟାନେଲ ବୋହିଲେ । ଅନ୍ୟମାନେ ଥରକରେ ମାତ୍ର ଗୋଟିଏ । ଆପଣ ତ ନିଜ ଆଖିରେ ସେହି ରାସ୍ତା ଦେଖିଛନ୍ତି ଆଉ ଏହା ଏତେ ସହଜ ନୁହେଁ ବୋଲି ଜାଣିଛନ୍ତି । ତଥାପି ଆମେ ଏହା କରିଦେଲୁ ।” 

ରମାନି କହନ୍ତି, “ପ୍ୟାନେଲ ପିଛା ଆମେ ୮୫ ଟଙ୍କା ପାଇଲୁ'' । "ତା ସହିତ ଆଉ ଅଧିକ ୧୮୦ ଟଙ୍କା ମିଳିଲା । କାରଣ ଏହି କାମ ପଞ୍ଚାୟତ ପାଇଁ ହୋଇଥିଲା ଏବଂ NREGS (ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଅଧୀନରେ ପରିଚାଳିତ ହୋଇଥିବାରୁ ୧୮୦ ଟଙ୍କା ହିସାବରେ ଦିନ ମଜୁରି ମିଳିବା କଥା ।”ତେଣୁ ଯେଉଁମାନେ ଦୁଇଟି ପ୍ୟାନେଲ ଆଣିଲେ ସେମାନେ ୩୫୦ ଟଙ୍କା ଲେଖାଏଁ ପାଇଲେ । ହେଲେ ଏ ପ୍ରକାର କଠିନ ପରିଶ୍ରମ ପାଇଁ ଏହା ସେତେଟା ବେଶୀ ନୁହେଁ । କିନ୍ତୁ ଏହି ବିଚ୍ଛିନ୍ନାଞ୍ଚଳରେ, ବର୍ଷର ଅଧିକାଂଶ ଦିନରେ ସେମାନଙ୍କ ରୋଜଗାର ତୁଳନାରେ ଏହା ଅଧିକ । ରମାନି କହନ୍ତି, ସେମାନେ ଏଭଳି ଆଉ ଅଧିକ କାମ କରିବାକୁ ବି ପ୍ରସ୍ତୁତ । ସେ ଭଦ୍ର, ମୃଦୁଭାଷୀ, ହେଲେ ନିଃସନ୍ଦେହରେ ଜଣେ ଟାଣୁଆ ନେତ୍ରୀ ।

PHOTO • P. Sainath

ଏଡ଼ାମାଲାକୁଡ଼ିର ସିଡିଏସ୍‌ ମହିଳାମାନେ ଛୋଟ ଛୋଟ ଜମିରେ ‘ଗୋଷ୍ଠୀଭିତ୍ତିକ ଚାଷ’ କରନ୍ତି

ହେଲେ ଏଡ଼ାମାଲାକୁଡ଼ିର କୁଡୁମ୍ବଶ୍ରୀ  କିମ୍ବା ‘ସିଡିଏସ୍‌’ ଗୋଷ୍ଠୀର ମହିଳାମାନେ ଆହୁରି ଅଧିକ କଠିନ କାମ କରନ୍ତି । ସେମାନେ ଛୋଟ ଛୋଟ ଜମିରେ ‘ଗୋଷ୍ଠୀଭିତ୍ତିକ ଚାଷ’ କରନ୍ତି । ସେଥିରେ ସେମାନେ ଖାଦ୍ୟଶସ୍ୟ ଫସଲକୁ ପ୍ରାଧାନ୍ୟ ଦିଅନ୍ତି ଏବଂ ଜୈବିକ ପଦ୍ଧତିରେ ଚାଷ କରନ୍ତି । ସେମାନେ ମଧ୍ୟ ଫସଲ ବଦଳାଇ ଚାଷ କରନ୍ତି । “ନା, ଆମେ ରାସାୟନିକ ସାର ବ୍ୟବହାର କରୁନାହୁଁ।” ଆଉ ମଧ୍ୟ “ଆମେ କୌଣସି ଗଛ କାଟିନାହୁଁ ।”

ଏହା ଅବିଶ୍ଵସନୀୟ ଭାବେ କଠିନ କାର୍ଯ୍ୟ । ହେଲେ ସେମାନେ ସମସ୍ତେ ସଫଳ ଚାଷୀ । କଥା ଏତିକି ଯେ, ଏହା ଜଙ୍ଗଲ ଏବଂ ହାତୀ, ବାର୍‌ହା ଏବଂ ଅନ୍ୟ ପଶୁମାନେ ବାରମ୍ବାର ଆସି ସେମାନଙ୍କ ସମୃଦ୍ଧ ଫସଲକୁ ନଷ୍ଟ କରିଦିଅନ୍ତି । ଯେ କୌଣସି ସ୍ଥାନରେ ହେଉ ପଛେ ଏହା ଅତି ବିପଦଶଙ୍କୁଳ ଜୀବିକା ଏବଂ ଏଠାକାର ଚାଷବାସରେ ଶାରୀରିକ ବିପଦ ଆଶଙ୍କା ଭରି ରହିଛି । ଏହା ଜଙ୍ଗଲ ଜମି ହୋଇଥିବାରୁ ସେମାନଙ୍କର ପଟ୍ଟା (ମାଲିକାନା ଅଧିକାର ଦସ୍ତାବିଜ୍‌) ବି ନାହିଁ ଏବଂ ସେମାନେ ତାହା ପାଇବେ ନାହିଁ । ତଥାପି ଆଦିବାସୀମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଦିଶୁ ନ ଥିବା ଜମିରଚୌହଦି ଚିହ୍ନ ସେମାନଙ୍କ ପାଇଁ ବେଶ୍‌ ଭଲ ଭାବେ କାମ କରେ ।ଏଥିରେ କୌଣସି ବିବାଦ ନାହିଁ ।

ରମାନି କହନ୍ତି, “ଏଡ଼ାମାଲାକୁଡ଼ିରେ ୪୦ଟି ସି଼ଡିଏସ୍‌ ଗୋଷ୍ଠୀ ଅଛନ୍ତି । ଏଥିରୁ ୩୪ଟି ଚାଷବାସ କରୁଛନ୍ତି । ପ୍ରତି ଗୋଷ୍ଠୀ ସହିତ ପରିବାରର ପାଞ୍ଚ ଜଣ ସଦସ୍ୟ କିମ୍ବା ପରିବାର ସଂପୃକ୍ତ ।” ତାଙ୍କ ପାଖରେ ବସିଥିବା ପ୍ରାୟ ୩୦ଜଣ କୁଡୁମ୍ବଶ୍ରୀ ସଦସ୍ୟା ମଝିରେ ମଝିରେ ନିଜ ନିଜର ମତାମତ ଦେଉଥାଆନ୍ତି । ସେମାନଙ୍କ ମଧ୍ୟରେ ଥିଲେ ଶାନ୍ତି ଶିବମ୍‌, କାମାକ୍ଷୀ ଦେବେନ୍ଦ୍ରନ୍‌, କୌଶଲ୍ୟା ଲୋଗାନାନ୍‌, ମାଲ୍ଲିଗା ମୁଥୁପାଣ୍ଡି ଏବଂ ଆହୁରି ଅନେକ । ଭିନ୍ନ ଭିନ୍ନ ସ୍ଵରଉଠୁଥାଏ।

PHOTO • P. Sainath

(ବାମ) ଏଡାମାଲାକୁଡ଼ି ପଞ୍ଚାୟତରେ ‘ସିଡିଏସ୍‌’ ଅଧ୍ୟକ୍ଷା ରମାନି ଅର୍ଜୁନନ୍‌ । (ଡାହାଣ) ସିଡିଏସ୍‌ ସଦସ୍ୟା

“ଆମର ସବୁ କୃଷି ଗୋଷ୍ଠୀ (କୃଷି ସଂଘ) ମାଣ୍ଡିଆ, ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କରନ୍ତି । ଆମେ ବି କିଛି ପାଳୁଅ ଓ କଦଳୀ ଚାଷ କରୁ ।” କେତେଜଣ ପ୍ରାକୃତିକ ଉପାୟରେ ଅଳେଇଚ ଚାଷ କରନ୍ତି ।“କିନ୍ତୁ ଆମେ ବହୁ ପରିମାଣରେ ଖାଦ୍ୟଶସ୍ୟ ଚାଷ କରୁ ।”

“ଫସଲ ସବୁ ଖୁବ୍‌ ଭଲ ହୋଇଥିଲା । ସବୁ ଠିକ୍‌ ଥିଲା । କିନ୍ତୁ ଦୁଇଟି ସମସ୍ୟା ଥିଲା । ଏକ: ବଣୁଆ ଜନ୍ତୁ ଆମର ପ୍ରଥମ ଫସଲର ୫୦ ପ୍ରତିଶତ ନଷ୍ଟ କରିଦେଲେ । ଦୁଇ: କୌଣସି ବଳକା ଫସଲ ପାଇଁ ବଜାର କାହିଁ ? ବଜାରରେ ପହଞ୍ଚିବାକୁ ହେଲେ ଆମକୁ ବଣୁଆ ହାତୀ ଅଞ୍ଚଳ ଦେଇ ୧୮ କିଲୋମିଟର ବାଟ ଚାଲି ଚାଲି ଯିବାକୁ ହୁଏ”।

ବଜାର କେତେ ଗୁରୁତ୍ଵପୂର୍ଣ୍ଣ ?“ଆମେ ସ୍ପଷ୍ଟ ଭାବେ ଜାଣୁ ଯେ ଆମର ପ୍ରଥମ ଲକ୍ଷ୍ୟ ହେଉଛି ଆମ ପରିବାରର ପେଟ ଭରିବା।ତା ପରେଯଦି କିଛି ବଳିଯାଏ, ତାହେଲେ ଆମେ ତାକୁ ବଜାରକୁ ନେଇଯିବୁ । ଯାହାହେଉ, ସେଥିରୁ ବି ଆମର ଲାଭ ହୁଏ । ଅନ୍ୟାନ୍ୟ ଆବଶ୍ୟକ ଜିନିଷପତ୍ର କିଣିବାକୁ ଏଥିରୁ ଆମକୁ ଟଙ୍କା ମିଳିଯାଏ । କିନ୍ତୁ ବଜାର ଯାଇ ପହଞ୍ଚିବା ପାଇଁ ରାସ୍ତା ନାହିଁ । ପରିବହନ ବ୍ୟବସ୍ଥା ନାହିଁ ।”

PHOTO • P. Sainath

ବ୍ୟାଙ୍କ୍ ଆକାଉଣ୍ଟ ପରିଚାଳନା କରିପାରିବେ ବୋଲିମହିଳାମାନଙ୍କର ଆତ୍ମବିଶ୍ଵାସ ଥିଲା ଭଳି ଲାଗେ

“ଆମର ଏଠି ବ୍ୟାଙ୍କ୍‌ର ଶାଖାଟିଏ ଦରକାର । ଆମ ଭିତରୁ ହାତଗଣତି କେଇ ଜଣଙ୍କର ହିଁ ବ୍ୟାଙ୍କ୍‌ ଆକାଉଣ୍ଟ ଅଛି ।” ଏହା ହେଉଛି କେରଳର ଏକ ବିରଳ ଗ୍ରାମ ପରିଷଦର କଥା, ଯାହାର ଅଧ୍ୟକ୍ଷା ଏଇ ନିକଟରେ ନିଜ ନାଁ ଦସ୍ତଖତ କରି ଶିଖିଛନ୍ତି । କିନ୍ତୁ ବ୍ୟାଙ୍କ୍‌ ଆକାଉଣ୍ଟ ପରିଚାଳନା କରିପାରିବେ ବୋଲି ମହିଳାମାନଙ୍କର ଆତ୍ମବିଶ୍ଵାସ ଥିଲା ଭଳି ଲାଗେ । ବିଭିନ୍ନ କାର୍ଯ୍ୟରୁ ସଞ୍ଚୟ କରି ଏଠାକାର ସିଡିଏସ୍‌ ଗୋଷ୍ଠୀ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ଼ କରିପାରିଛନ୍ତି ଏବଂ ଏହାକୁ ଏକ ସରକାରୀ ବ୍ୟାଙ୍କ୍‌ରେ ସ୍ଥାୟୀ ଜମାଖାତାରେରଖିଛନ୍ତି । ସେମାନଙ୍କ ପାଇଁ ବଜାର ସଂଲଗ୍ନ ବିନିଯୋଗର ସୁବିଧା ନାହିଁ ।

ସେମାନଙ୍କ ପାଇଁ କେଉଁଟି ଗୁରୁତ୍ଵପୂର୍ଣ୍ଣ: ଗୋଷ୍ଠୀଗତ ଚାଷ ? କିମ୍ବା ବ୍ୟକ୍ତିଗତ ଚାଷ ? ସେମାନେ କହନ୍ତି, ଉଭୟମହତ୍ତ୍ଵପୂର୍ଣ୍ଣ ।

“ଗୋଷ୍ଠୀଗତ ଚାଷ ଭଲ,”ରମାନି କହନ୍ତି ଏବଂ ତାଙ୍କୁ ଘେରି ବସିଥିବା ଅନ୍ୟମାନେ ମୁଣ୍ଡ ଟୁଙ୍ଗାରି ରାଜି ହୁଅନ୍ତି । “ସାମୂହିକ ଭାବେ କାର୍ଯ୍ୟ କଲେ ଯଦି ଜଣେ ବ୍ୟକ୍ତି ପଛରେ ପଡ଼ିଯାଏ ତେବେ ଅନ୍ୟମାନେ ତାଙ୍କୁ ଚଳାଇ ନେବାରେ ସାହାଯ୍ୟ କରନ୍ତି ।” ଅନ୍ୟ ଜଣେ ମହିଳା କହନ୍ତି, “ମୁଁ ବ୍ୟକ୍ତିଗତ ଭାବେ ଚାଷବାସ କରିବାକୁ ବି ପସନ୍ଦ କରେ”। “ସେଥିରେ ବି ଲାଭ ଅଛି । ଏ ଉପାୟରେ ଆମେ ଆମ ପରିବାରକୁ ଅଧିକ ଭଲ ଭାବେ ଖାଦ୍ୟ ଯୋଗାଇ ପାରୁ । ଗୋଷ୍ଠୀ ହିସାବରେ, ଚାଷବାସ ବ୍ୟତୀତ ଅନ୍ୟ ବାଟରେ ବି ଲାଭ ରହିଛି । ଗୋଷ୍ଠୀର ସଦସ୍ୟମାନେ ପରସ୍ପର ପାଇଁ ଏକ ସହାୟତା ଏବଂ ସଂହତିର ସ୍ରୋତ ପାଲଟି ଯାଆନ୍ତି । ଏହା ପାରିବାରିକ ଜୀବନରେ ବି ପ୍ରତିଫଳିତ ହୁଏ । ଯାହାକି ଆମ ପାଇଁ ବେଶ୍‌ ଗୁରୁତ୍ଵପୂର୍ଣ୍ଣ । ତେଣୁ ଆମେ କାହିଁକି ବା ଦୁଇଟା ଯାକ ନ କରିବା ?”

ଖାଦ୍ୟ ସୁରକ୍ଷା ଦିଗରେ ଏହି ସବୁ ଗୋଷ୍ଠୀର ଅଭିନବ ଉଦ୍ୟମ ସଂପର୍କରେ ଲେଖିଛନ୍ତି ଟରୋଣ୍ଟୋସ୍ଥିତ ୟର୍କ ବିଶ୍ଵବିଦ୍ୟାଳୟର ପ୍ରଫେସର ଅନନ୍ୟା ମୁଖାର୍ଜୀ । “ସମଗ୍ର କେରଳର ପ୍ରାୟ ୨,୫୦,୦୦୦କୁଡୁମ୍ବଶ୍ରୀ ମହିଳା ସାମୂହିକ କୃଷିକାର୍ଯ୍ୟ ପାଇଁ ଏକାଠି ହୋଇଛନ୍ତି ଏବଂ ସେମାନେ ମିଳିମିଶି ଲିଜ୍‌ରେ ଜମି ନିଅନ୍ତି, ଏଥିରେ ଚାଷ କରନ୍ତି, ସେମାନଙ୍କ ଆହାର ଆବଶ୍ୟକତା ପୂରଣ କରନ୍ତି ଏବଂ ବଳକା ଶସ୍ୟ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି । ସେ ଦର୍ଶାନ୍ତି ଯେ, “ଏହା” କୃଷିରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରେ.. (ଏବଂ) ଉତ୍ପାଦନକାରୀଭୂମିକାରେ ମହିଳାମାନଙ୍କର ଖାଦ୍ୟ ଉତ୍ପାଦନ, ବିତରଣ ଏବଂ ଉପଭୋଗ ଉପରେ ନିୟନ୍ତ୍ରଣ ସାବ୍ୟସ୍ତ କରେ ।”

ଅତି କଠିନ ପରିସ୍ଥିତିରେ ଏଡୁମାଲାକୁଡ଼ିର ମହିଳାମାନେ ଏସବୁ କାର୍ଯ୍ୟ ସଂପାଦନ କରନ୍ତି ।

ଆମେ ପଚାରୁ, “ଆପଣମାନେ ନିଜକୁ କେଉଁ ଭଳି ଦେଖିବାକୁ ପସନ୍ଦ କରିବେ, ଉତ୍ପାଦନକାରୀ ରୂପରେ ନା ଶ୍ରମିକ ରୂପରେ?” ବେତନଭୋଗୀ କର୍ମୀ ରୂପରେ ? ଜଣ ଜଣ କରି ସେମାନେ ସମସ୍ତେ ନିଜକୁ ଉତ୍ପାଦନକାରୀ ରୂପରେ ଦେଖିବାକୁ ଇଚ୍ଛା ପ୍ରକାଶ କରନ୍ତି ।

PHOTO • P. Sainath

ସିଡିଏସ୍‌ ମହିଳାମାନେ କହନ୍ତି, ଏକ ଗୋଷ୍ଠୀ ଭାବରେ, ଚାଷବାସ ଆଗକୁ ଆହୁରି ଅନେକ ଫଳପ୍ରଦ ଦିଗ ରହିଛି । ସଦସ୍ୟାମାନେ ପରସ୍ପର ପାଇଁ ସହାୟତା ଏବଂ ସଂହତିର ସ୍ରୋତ ପାଲଟି ଯାଆନ୍ତି 

ଆମେ ରମାନିଙ୍କୁ ଆଉ ଗୋଟିଏ କଥା ପଚାରୁ । “ଆପଣ କହନ୍ତି ଯେ, ଏଠାକାର ଆଦିମ ଅଧିବାସୀ ଭାବରେ ଜଙ୍ଗଲ ଉପରେ ଆପଣମାନଙ୍କର ନିୟନ୍ତ୍ରଣ ରହିବା ଉଚିତ୍‌ । ଏବେ ଯେଉଁ ନୂଆ ରାସ୍ତାର ଯୋଜନା ରହିଛି ତାହା ଜଙ୍ଗଲ ହାନି କରିବ ଏବଂ ମୁଥାବନକୁ ନଷ୍ଟ କରିଦେବ । ସେପଟେ ଆପଣଙ୍କ ଅଭିଯୋଗ କରନ୍ତି ଯେ, ଉତ୍ପାଦିତ ସାମଗ୍ରୀ ବିକିବା ଲାଗି ବଜାରକୁ ଯିବା ପାଇଁ ଆପଣମାନଙ୍କୁ ଉଭୟ ପଟୁ୧୮ କିଲୋମିଟର ଲେଖାଏଁ ଚାଲି ଚାଲି ଯିବାକୁ ପଡୁଛି । ସେଥିପାଇଁ ଆପଣ କହନ୍ତି ଯେ ଆପଣମାନଙ୍କର ରାସ୍ତାଟିଏ ଥାଆନ୍ତା କି । ଏହା ବିରୋଧାଭାସ ନୁହେଁ କି ?”

ରମାନି କହନ୍ତି, “ଆଦୌ ନୁହେଁ । ଆମେ ଗୋଟିଏ ଖୋଲାମେଲା ରାଜପଥ ପାଇଁ କହୁନାହୁଁ । ଆମେ ସୀମିତ ଲୋକେ ଯିବାଆସିବା କରିବା ଭଳି ଏକ ସଂପୂର୍ଣ୍ଣ ନିୟନ୍ତ୍ରିତ ‘ଜୀପ୍‌ ରାସ୍ତା’ ଚାହୁଁଛୁ। ବନ ବିଭାଗର ଆଇନ ଦ୍ଵାରା ପରିଚାଳିତ ଏହି ରାସ୍ତାରେ ଖଣି ଖୋଳାଳି, କାଠ ବେପାରୀ ଏବଂ ଅନ୍ୟ ବାହାର ଲୋକଙ୍କ ପାଇଁ ପ୍ରତିବନ୍ଧକ ଲାଗୁ ରହିବ । ଆମକୁ ଏଡ଼ାଇ ଦିଆଯିବ ନାହିଁ । କିନ୍ତୁ ଆମେ ବଜାର ଯାଏ ଯା’ଆସ କରିପାରିବୁ ।”

ଏବେ ଅନ୍ଧାର ମାଡ଼ି ଆସିଲାଣି ଏବଂ ଅନ୍ୟାନ୍ୟ ଦୂରଦୂରାନ୍ତ ପଲ୍ଲୀରୁ ‘ସୋସାଇଟିକୁଡ଼ି’କୁ ଆସିଥିବା ଅନେକ ମହିଳାମାନଙ୍କୁ ଫେରି ଯିବାକୁ ହେବ । କ୍ଷୀଣ ଆଲୋକରେ ଜଙ୍ଗଲ ଭିତର ଦେଇ ସେମାନଙ୍କୁ ବହୁ ଦୂର ଚାଲି ଚାଲି ଯିବାକୁ ପଡ଼ିବ ।

ଏଠାରେ ପହଞ୍ଚିବାକୁ ସେଇ ୧୮ କିଲୋମିଟର ବାଟ ଚାଲି ଚାଲି ଆସିଥିବା ଆମର ଆଠ ଜଣିଆ ଅଭିଯାତ୍ରୀ ଦଳ ବି ଏବେ କ୍ଳାନ୍ତଶ୍ରାନ୍ତ । ଯଦିଚ ଆମେ ସୌର ପ୍ୟାନେଲ ମୁଣ୍ଡାଇ ନ ଥିଲୁ । କେବଳ ଏହି ଅସାଧାରଣ ‘ସିଡିଏସ୍‌’ ଗୋଷ୍ଠୀ ସହ କଥାବାର୍ତ୍ତା କରିବାକୁ ଆମେ ଏତେ ବାଟ ଆସିଥିଲୁ । ରାଜ୍ୟ ରାଜଧାନୀ ତିରୁବନନ୍ତପୁରମରେ କେରଳର ସ୍ଵାୟତ୍ତ ଶାସନ ମନ୍ତ୍ରୀ ଏମ୍‌.କେ. ମୁନୀର ଆମକୁ କହିଥିଲେ ଯେ, କୁଡୁମ୍ବଶ୍ରୀ ମାନଦଣ୍ଡ ଅନୁସାରେ ବି ଏଡ଼ାମାଲାକୁଡ଼ିର ଗୋଷ୍ଠୀଗୁଡ଼ିକ ବିଶେଷ ସ୍ଥାନ ଅଧିକାର କରନ୍ତି । ସେତେବେଳେ, ମୋର ସାମାନ୍ୟ ସନ୍ଦେହ ହୋଇଥିଲା । ଯେତେବେଳେ ଜଣେ ମନ୍ତ୍ରୀ ନିଜସ୍ଵ ବିଭାଗ ପରିଚାଳିତ କୌଣସି ଉଦ୍ୟମକୁ ପ୍ରଶଂସା କରନ୍ତି, ଆପଣଙ୍କର ସନ୍ଦେହ ହେବା କଥା । ହେଲେ, ଏଡ଼ାମାଲାକୁଡ଼ିର ମହିଳାମାନଙ୍କୁ ଭେଟିବା ପରେ ଆପଣଙ୍କୁ ଲାଗିବ ଯେ, ବୋଧହୁଏ ସେ ସେମାନଙ୍କର ସଫଳତାକୁ ଗୌଣ କରି କହୁଥିଲେ ।

PHOTO • P. Sainath

ପାହାଡ଼ିଆ ରାସ୍ତାରେ ଲମ୍ବା ଯାତ୍ରା ଆରମ୍ଭ କରିବାର ଠିକ୍‌ ପୂର୍ବରୁ କୁଡୁମ୍ବଶ୍ରୀର କେତେକ ମହିଳାଙ୍କ ସହିତ ଆମ ଅଭିଯାତ୍ରୀ ଦଳ

ଇଂରାଜୀ ଏବଂ ହିନ୍ଦୀରେ ଏହି ଲେଖାର ଏକ ସଂକ୍ଷିପ୍ତ ସଂସ୍କରଣ ବିବିସି ନ୍ୟୁଜ୍‌ (ଅନ୍‌ଲାଇନ୍‌) ଦ୍ଵାରା ପ୍ରସାରିତ ହୋଇଥିଲା । ଏହାର ଏକ ମାଲାୟାଲମ୍‌ ସଂସ୍କରଣ ପ୍ରଥମେ ‘ମାତୃଭୂମି ୱିକ୍‌ଲି’ରେ ପ୍ରକାଶ ପାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath