"ମୁଁ ମୋ ଜୀବନରେ ନଦୀ ଏପରି ଉଗ୍ର ରୂପ ଧାରଣ କରିବା କେବେ ଦେଖିନାହିଁ" କହନ୍ତି ୫୫ ବର୍ଷ ବୟସ୍କ ସକୁବାଇ ୱାଘ। ସେଦିନ ଅଗଷ୍ଟ ୪ ତାରିଖରେ ସେ ଓ ତାଙ୍କର ୨୦ ବର୍ଷର ପୁଅ ମନୋଜ ଦିନ ୧୦ଟା ବେଳେ ଘରେ ଥିଲେ। ସେ ମନେପକାନ୍ତି "ବାହାରେ ଖୁବ୍ ଜୋର୍ରେ ବର୍ଷା ହେଉଥିଲା। ହଠାତ ଆମ କୁଡ଼ିଆ ଘର ଭିତରକୁ ଖୁବ୍ ଜୋରରେ ପାଣିର ଢ଼େଉ ମାଡ଼ି ଆସିଲା। କିଛି ସମୟ ପାଇଁ ଆମେ ବେକେ ପାଣିରେ ରହିଥିଲୁ, ପରସ୍ପରର ହାତ ଧରିଥିଲୁ। ଆଖି ପିଛୁଳାକେ ମୋର କଷ୍ଟ ଅର୍ଜିତ ସମ୍ପତ୍ତିକୁ ଏକାଠି କରି ସଜାଇଥିବା ଘରଦ୍ୱାର ଜିନିଷପତ୍ର ସବୁକିଛି ପାଣି ଧୋଇ ନେଇଗଲା।"

ଏହି ଆତଙ୍କର ୨୦ ମିନିଟ୍ ପରେ, ସକୁବାଇ ଏବଂ ମନୋଜ କୌଣସି ମତେ ପାଖରେ ଥିବା ଟିକେ ଢ଼ିପ ଜାଗାକୁ ଆସିଲେ, ସେଠାରୁ ସେମାନେ ଧ୍ୱଂସର ତାଣ୍ଡବ ଦେଖୁଥିଲେ। ସେ ଦିନ ସକାଳେ ବୈତରଣୀ ନଦୀର ଜଳ ତାଙ୍କ କୁଡ଼ିଆ ସହିତ ଗେଟ୍ସ କେଏଚ୍ ଗ୍ରାମ ଯାହାକି ମହାରାଷ୍ଟ୍ରର ପାଲଘଡ଼ ଜିଲ୍ଲାର ବଡ଼ାତାଲୁକ୍ରେ ଅବସ୍ଥିତ ସେହି ଗ୍ରାମର କୁଡ଼ିଆଗୁଡ଼ିକ ମଧ୍ୟ ଧ୍ୱଂସ କରିଦେଲା। ବହୁ ଘଣ୍ଟା ପରେ ସନ୍ଧ୍ୟା ବେଳକୁ ପାଣି ଛାଡ଼ିବା ଆରମ୍ଭ ହେଲା।

"ନଦୀ କୂଳରେ ଥିବା ଭଙ୍ଗା କୁଡ଼ିଆକୁ ଦେଖାଇ ସକୁବାଇ କହନ୍ତି ଏହି ହେଉଛି ମୋର ସଂସାର (ଘରଦ୍ୱାର)।" କାଦୁଆ ମାଟି ଉପରେ ଭଙ୍ଗା ଟାଇଲି ଗୋଟିଏ ଉପରେ ଗୋଟିଏ ଛକି ରଖାଯାଇଛି, ଚାଳରୁ ଓ କାନ୍ଥରୁ ବାଉଁଶ ବାହାରକୁ ବାହାରି ରହିଛି ଏବଂ ଟାର୍ପୋଲିନ୍ ସିଟ୍ ପଡ଼ିଛି। ବାସି ଭାତ, ପିଆଜ ଏବଂ ଆଳୁର ପୋଚା ଗନ୍ଧ, ଚାରି ଦିନ ହେଲା କାଦୁଅରେ ପଡ଼ିରହିଛି, ମେଘ ପରି ଝୁଲିଛି। "ମୁଁ ଏ ଦୁର୍ଗନ୍ଧ ସହ୍ୟ କରିପାରୁନାହିଁ, ମୋତେ ବାନ୍ତି ମାଡ଼ୁଛି," କହନ୍ତି ସକୁବାଇ।

PHOTO • Rishikesh Wagh
PHOTO • Jyoti Shinoli

ମନୋଜ ୱାଘ ତାଙ୍କର ଭାଙ୍ଗି ଯାଇଥିବା ଘରର ଧ୍ୱଂସାବଶେଷ ମଝିରେ ଠିଆ ହୋଇଛନ୍ତି। ଡାହାଣ: ତାଙ୍କର ବାପା ପର୍ଶୁରାମ ବର୍ଷାରେ ସଢ଼ି ଯାଇଥିବା ପରିବାରର ଧାନ ପାଖରେ ଠିଆ ହୋଇଛନ୍ତି

ବାତ୍ୟାର ୧୦ ଦିନ ପରେ,  ଅଗଷ୍ଟ ୧୩ ତାରିଖରେ, ତାଙ୍କର ସ୍ୱାମୀ ପର୍ଶୁରାମ, ବୟସ ୫୮ ବର୍ଷ ଏକ ଆଲୁମିନିୟମ୍ ପାତ୍ରରେ ମୋତେ କିଛି ଚାଉଳ ଦେଖାଇଲେ। "ଏହା ହେଉଛି ମାସକ ପାଇଁ ଆମ ପରିବାରର ରାସନ୍। ଆମର ଭୋଟିଂ କାର୍ଡ, ଆଧାର କାର୍ଡ, ରାସନ କାର୍ଡ, ବାସନକୁସନ, ଲୁଗାପଟା – ସବୁକିଛି ଭାସି ଯାଇଛି," ସେ କହନ୍ତି। "କେବଳ ଏହି ତିନୋଟି ଗୋଧଡ଼ି ରକ୍ଷା ପାଇଯାଇଛି।" ସେହି ହାତରେ ସିଲାଇ ହୋଇଥିବା କନ୍ଥା ଏବେ ଦଉଡ଼ିରେ ଶୁଖୁଛି।

"ଆମେ ନଦୀ କୂଳରେ ବାସ କରୁଛୁ ଏବଂ ପ୍ରତିବର୍ଷ ବର୍ଷାଦିନେ ଜଳସ୍ତର ବୃଦ୍ଧି ପାଉଛି," ପର୍ଶୁରାମ କହନ୍ତି। "ଏହା ଘର ଦ୍ୱାର ପର୍ଯ୍ୟନ୍ତ ଆସେ, କିନ୍ତୁ କେବେବି ଘର ଭିତରକୁ ପାଣି ପଶିନଥିଲା ଏବଂ ମାତ୍ର କିଛି ଘଣ୍ଟା ଭିତରେ ଜଳ ସ୍ତର କମିଯାଏ। କେବଳ ୨୦୦୫ ମସିହାରେ ଆମ କୁଡ଼ିଆରେ ପାଣି ପଶିଥିଲା କିନ୍ତୁ ମାତ୍ର ଆଣ୍ଠୁଏ ପାଣି ହୋଇଥିଲା, ଆମ ଘର ଦ୍ୱାର ଭାଙ୍ଗି ନଥିଲା। ଏ ବର୍ଷ ଅତ୍ୟନ୍ତ ଭୟଙ୍କର ଥିଲା।"

ପର୍ଶୁରାମ ଏବଂ ସକୁବାଇ ହେଉଛନ୍ତି କଟକରି ଆଦିବାସୀ – ଏହି ସମ୍ପ୍ରଦାୟ ମହାରାଷ୍ଟ୍ରର ନିର୍ଦ୍ଦିଷ୍ଟ ଭାବରେ ସମ୍ବେଦନଶୀଳ ଆଦିବାସୀ ଜାତି –ଏମାନେ ଦିନକୁ ୧୫୦ ଟଙ୍କା ମଜୁରୀରେ ଚାଷ ଜମିରେ ମୂଲ ଲାଗିଥାଆନ୍ତି। ସେମାନଙ୍କର କୁଡ଼ିଆ ଭାଙ୍ଗି ଯିବା ପରେ ସେମାନେ ସମାନ ଗାଁରେ ନଦୀ ଆର ପଟେ ଥିବା ସକୁବାଇଙ୍କ ଭାଇ ଘରକୁ ଚାଲି ଯାଇଥିଲେ। ଗେଟ୍ସ କେଏଚ୍କୁ ଦୁଇ ଭାଗରେ ବିଭକ୍ତ କରୁଛି ବୈତରଣୀ ନଦୀ ଏବଂ ପୂର୍ବ ପଟେ ନଦୀକୂଳେ ରହିଥିବା ଅଧିକାଂଶ ସିମେଣ୍ଟ ଘର ବନ୍ୟା ଦ୍ୱାରା ପ୍ରଭାବିତ ହୋଇନଥିଲା। ଏହି ଗାଁରେ ପ୍ରାୟ ୮୮୧ ଜଣ ବ୍ୟକ୍ତି ବାସ କରନ୍ତି (୨୦୧୧ ଜନଗଣନା), ସେମାନଙ୍କ ମଧ୍ୟରୁ ୨୨୭ ଜଣ ଅନୁସୂଚିତ ଜନଜାତିର।

PHOTO • Jyoti Shinoli
PHOTO • Jyoti Shinoli

କବିତା ଭୋଏର ବନ୍ୟା ଚାଲିଯିବା ପରେ ତାଙ୍କ ରୋଷେଇଘରେ କେତୋଟି ବାସନକୁସନ ସାଉଁଟି ରଖିଛନ୍ତି। ଡାହାଣ: ଏବେ ସେ ସରି ଯାଉଥିବା ତେଜରାତି ସାମଗ୍ରୀ ପାଇଁ ଚିନ୍ତିତ

"ଆମର ଜମି ନାହିଁ। ଆମେ ପର ଜମିରେ ମୂଲ ଲାଗି ପେଟ ପୋଷୁ," କହନ୍ତି ୩୫ ବର୍ଷ ବୟସ୍କା କବିତା ଭୋଏର, ତାଙ୍କ କୁଡିଆଟି ସେହି ପାଖରେ ରହିଛି। "ଆମେ ଜୁନ୍- ଜୁଲାଇ ମାସରେ ପ୍ରାୟ ୨୦,୦୦୦ ଟଙ୍କା ରୋଜଗାର କରିଥିଲୁ। (ସେ ଏବଂ ତାଙ୍କର ସ୍ୱାମୀ କେଶବ ପ୍ରତ୍ୟେକ ୨୦୦ ଟଙ୍କା ଲେଖାଏଁ ପଚାଶ ଦିନ ପାଇଁ)। ଆମ୍ଭେମାନେ ବୁଣିବା ଋତୁ ପରେ ଅଧିକ ରୋଜଗାର କରିନାହୁଁ। ମୁଁ ଡାଲି ଡବାରେ ସୁବିଧା ଅସୁବିଧା ପାଇଁ ୧୦,୦୦୦ ଟଙ୍କା ରଖିଥିଲି, ଅସୁବିଧା ସମୟରେ କାମରେ ଆସିବ ବୋଲି ସଞ୍ଚୟ କରିଥିଲି। ଏବେ କିଛି ନାହିଁ..."

କବିତା ଏବଂ କେଶବ ଭାଇ ଘରକୁ (ନଦୀ ଆରପଟେ ଥିବା) ତାଙ୍କର ଏକର ଜମିରେ କାମ କରି ସାହାଯ୍ୟ କରିବାକୁ ଯାଇଥିଲେ। "ଆମେ ଖବର ପାଇଲୁ ଯେ ଏଠାରେ ବନ୍ୟା ହୋଇଛି," ସେ କହନ୍ତି। "ପରଦିନ ଆମେ ଆସି ଦେଖିଲୁ ଯେ ଆମ ମାଟି କାନ୍ଥ ଭାଙ୍ଗି ଯାଇଥିଲା। ଘର ଉପରେ କାଦୁଅ ଚରିଯାଇଥିଲା।" ଭୋଏର୍ ଆଗାମୀ ଦୁଇ ଦିନ ବାଲ୍ଟିରେ କାଦୁଅ କାଢ଼ି ସଫା କରିଥିଲେ ଏବଂ ବଳକା ଜିନିଷ ସଜାଡ଼ି ରଖିଥିଲେ। ଗୋଟିଏ ବ୍ୟାଗ୍ ଲୁଗାପଟା, ପ୍ଲାଷ୍ଟିକ ଡବା, ଷ୍ଟିଲ୍ ଡବା, ଦୁଇ ତିନିଟି ଷ୍ଟିଲ୍ ଥାଳି, କେତୋଟି ବିଛଣା ଚାଦର – ସବୁକିଛି କାଦୁଅରେ ଢ଼ାଙ୍କି ହୋଇଥିଲା। "ଆମ୍ଭେମାନେ ଯାହା ବନ୍ୟାରୁ ବର୍ତ୍ତି ଯାଇଥିଲା ସବୁ ସଫା କରି ବ୍ୟବହାର କରୁଛୁ। ମୋ ପୁଅର ବହି ଖାତା ଓଦା ହୋଇଯାଇଥିଲା। ମୁଁ ସେସବୁ ଚୁଲିରେ ଶୁଖାଇ ଦେଲି," କହନ୍ତି କବିତା। ଖାଲି ରୋଷେଇଘର ଥାକକୁ ଚାହିଁ କହିଲେ ଯେ ଥାକରେ ଥିବା ସବୁ ବାସନକୁସନ ବନ୍ୟା ଭସାଇ ନେଇଛି।

"ପଞ୍ଚାୟତର ଲୋକେ ଏବଂ କେତେକ ସମାଜସେବୀ ଆମକୁ କିଛି ସୌଦାପତ୍ର ଦେଇଥିଲେ। କିନ୍ତୁ ପଞ୍ଚନାମା (ଅନୁସନ୍ଧାନ ରେକର୍ଡ) ପାଇଁ ତାଲୁକା କାର୍ଯ୍ୟାଳୟ (ବଡ଼ ତହସିଲଦାରଙ୍କ ଅଫିସ୍)ରୁ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି," କହନ୍ତି କେଶବ। ତାଙ୍କ ସ୍ୱରରେ ସ୍ୱର ମିଶାଇ କବିତା କହନ୍ତି "ଆମ ଲୋକେ ଏଠାରେ ପୁରୁଷ ପୁରୁଷ ଧରି ରହି ଆସୁଛନ୍ତି। ସରକାର ଆମକୁ ବଞ୍ଚିବା ପାଇଁ ସୁରକ୍ଷିତ ସ୍ଥାନ ପ୍ରଦାନ କରିବା ଉଚିତ୍। ଯଦି ପୁଣିଥରେ ନଦୀରେ ବନ୍ୟା ଆସିବ କ’ଣ ହେବ?"

ଅଗଷ୍ଟ ୫ ତାରିଖରେ, ବନ୍ୟାର ଦିନକ ପରେ, ଗେଟସ କେଏଚ୍ ଗ୍ରାମ ପଞ୍ଚାୟତ ୫ କିଲୋ ଚାଉଳ, ୫ କିଲୋ ଅଟା, ୨ କିଲୋ ଡାଲି, ୨ କିଲୋ ଚିନି, ୨୫୦ ଗ୍ରାମ୍ ଚା ଗୁଣ୍ଡ, ଦୁଇଟି ଅଧାକିଲୋର ତେଲ ପ୍ୟାକେଟ୍, ଗୋଟିଏ ପ୍ୟାକେଟ୍ ଲୁଣ ଏବଂ କିଛି ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଗେଟସ୍ କେଏଚର ୨୫ଟି ବନ୍ୟା ପୀଡ଼ିତ ପରିବାରଙ୍କୁ ଦେଇଥିଲେ। କବିତା କହନ୍ତି "ସେସବୁ ସଉଦାପତ୍ର ସରି ଆସିଲାଣି।"

PHOTO • Jyoti Shinoli
PHOTO • Rishikesh Wagh

ବୈତରଣୀ ନଦୀ ବନ୍ୟା ପରେ ଗେଟସ କେଏଚ୍ ମଧ୍ୟ ଦେଇ ପ୍ରବାହିତ ହେଉଛି। ଡାହାଣ: ଅଗଷ୍ଟରେ ସମାନ ନଦୀ — ବନ୍ୟା ହୋଇଥିବା ଦିନ

ତହସିଲ୍ଦାର ଦିନେଶ ଖୁରାଡ଼େ ମୋତେ କହିଥିଲେ ଯେ ଅଗଷ୍ଟ ୪-୫ ତାରିଖରେ ପ୍ରବଳ ବୃଷ୍ଟିପାତ ବଡ଼ା ତାଲୁକାର ୫୭ଟି ଗ୍ରାମକୁ ପ୍ରଭାବିତ କରିଥିଲା। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଗେଟସ୍ କେଏଚ୍, ବୋରାଣ୍ଡେ, କରଞ୍ଜି, ନାନେ ଏବଂ ଗୋଡ଼େ – ଏସବୁ ବୈତରଣୀ ନଦୀ କୂଳରେ ଅବସ୍ଥିତ। ଅଗଷ୍ଟ ୧ରୁ ୭ ତାରିଖ ମଧ୍ୟରେ ପାଲଘଡ଼ରେ ୭୨୯.୫ ମିଲିମିଟର ବୃଷ୍ଟିପାତ ହୋଇଥିଲା – ଏଠାରେ ସପ୍ତାହକ ମଧ୍ୟରେ ସାଧାରଣ ବୃଷ୍ଟିପାତ ହେଉଛି ୨୦୪ ମିଲିମିଟର।

ଅଗଷ୍ଟ ୪ ତାରିଖରେ, ବୋରାଣ୍ଡେରେ ୧୨୬ଟି ପରିବାର ଓ ୪୯୯ ଜଣ ବ୍ୟକ୍ତି (୨୦୧୧ ଜନଗଣନା)ର ଗ୍ରାମ, ଗେଟସ କେଏଚଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡ଼ିଯାଇଥିଲା। କେବଳ ଘରର ଛାତ ଓ ଇଲେକ୍ଟ୍ରିକ୍ ଖୁଣ୍ଟିର ଉପର ଅଂଶ ପାଣି ଭିତରେ ଦିଶୁଥିଲା। ପ୍ରତିଟି କଂକ୍ରିଟ୍ ଘର ମଧ୍ୟ ପାଣିରେ ବୁଡ଼ି ଯାଇଥିଲା, କଚ୍ଚା ଘରଗୁଡ଼ିକର ଚାଳ ଛପର ଭାଙ୍ଗି ମାଟିରେ ମିଶିଯାଇଥିଲା।

"ସମୟ ସକାଳ ୬ଟା ହେବ। ଆମେ ଶୋଇଥିଲୁ ହଠାତ୍ ମୋ ବିଛଣା ଚାଦର ଓଦା ଓଦା ଲାଗିଲା। ମୋ ନିଦ ଭାଙ୍ଗିଗଲା ଓ ମୁଁ ଦେଖିଲି ଯେ ଘର ଭିତର ସାରା ପାଣି। ପ୍ରାଣ ବିକଳରେ ଉଠି ସ୍ତ୍ରୀ ଛୁଆଙ୍କୁ ଧରି ଜୀବନ ରକ୍ଷା କରିବା ପାଇଁ ଦୌଡ଼ିଲୁ। ଘର ଭିତରେ ବଡ଼ ବଡ଼ ପାଣି ଢେଉ ଖେଳୁଥିଲା। ସବୁକିଛି ଭାସିଗଲା, ଆମେ କିଛି ରକ୍ଷା କରିପାରିଲୁ ନାହିଁ" କହନ୍ତି ୪୫ ବର୍ଷ ବୟସ୍କ ଅନିଲ୍ ରାଜକୱାର। "ସବୁଆଡ଼େ ଖାଲି ପାଣି ଆଉ ପାଣି, ଘର ବାହାରେ ଅଣ୍ଟାଏ ଅଣ୍ଟାଏ ପାଣି। ସମସ୍ତେ ଚିତ୍କାର କରୁଥିଲେ ଓ  କେବଳ କୋଳାହଳ ଶୁଭୁଥିଲା..."

ଅନିଲ୍ ଏବଂ ତାଙ୍କର ୩୨ ବର୍ଷର ପତ୍ନୀ ପାର୍ବତୀ ଓ ତାଙ୍କର ପିଲାମାନେ ଗାଁ ବାହାରେ ଥିବା ଖୋଲା ପଡ଼ିଆରେ ପହଞ୍ଚିବା ପାଇଁ ଅନ୍ୟ କେତେ ଜଣଙ୍କ ସହ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ପାଣି ଭିତରେ ଚାଲି ଚାଲି ଆସିଥିଲେ। ଅନେକ ଦୁଇ ଦିନ ଧରି, ପାଣି ଖସିବା ପର୍ଯ୍ୟନ୍ତ ସେହି ଟିଣଛପର ଗୋଦାମ ଘରେ ରହିଥିଲେ। ଅନିଲ୍ ଏବଂ ପାର୍ବତୀ ବର୍ଷର ୮ ମାସ ଜମିରେ ମୁଲିଆ ଭାବରେ କାମ କରନ୍ତି। ଯେତେବେଳେ କି ଗାଁର ୧୦୨ ପରିବାର କିଛି ସାହାଯ୍ୟ ପାଇଛନ୍ତି ବୋଲି ତହସିଲଦାର ଦିନେଶ ଖୁରାଡେ କହନ୍ତି, ଏପର୍ଯ୍ୟନ୍ତ ଅନିଲଙ୍କ ପରିବାର ସେହି ସହାୟତା ପାଇଥିବା ପରିବାର ତାଲିକାରେ ସ୍ଥାନ ପାଇନାହାନ୍ତି।

PHOTO • Jyoti Shinoli
PHOTO • Jyoti Shinoli

ମୟୁରି ହିଲେମ୍ ଏବଂ ତାଙ୍କର ଭାଇ ତାଙ୍କ ଘର ସାମ୍ନାରେ ଠିଆ ହୋଇଛନ୍ତି, ଯେଉଁଠାରେ ଗୋଟିଏ କାନ୍ଥ ପଡ଼ିଯାଇଛି। ଡାହାଣ: ଅନିଲ୍ ରାଜକୱାର ତାଙ୍କ ଚାଳ ଘରର ଧ୍ୱଂସାବଶେଷ ପାଖରେ ଠିଆ ହୋଇଛନ୍ତି

"ସୌଭାଗ୍ୟର ବିଷୟ ବୋରାଣ୍ଡେର ସମସ୍ତେ ସୁରକ୍ଷିତ ଅଛନ୍ତି। ଆମେ ଦୁଇ ଦିନ ଧରି ଗୋଦାମ ଘରେ କଟାଇଲୁ। କେତେକ ସାମାଜିକ କର୍ମୀ ଆମକୁ ଖାଇବାକୁ ଖାଦ୍ୟ ଓ ପିଇବାକୁ ପାଣି ଦେଲେ। ଜଳସ୍ତର ହ୍ରାସ ପାଇବା ପରେ ଆମେ ଆମ ଘରକୁ ଫେରିଲୁ। ସବୁଆଡ଼େ କେବଳ କାଦୁଅ ଚରିଯାଇଥିଲା। ଗୋଟିଏ କାନ୍ଥ ପଡ଼ିଯାଇଥିଲ," କହନ୍ତି ୩୨ ବର୍ଷ ବୟସ୍କ ମୟୁରି ହିଲେମ୍। ସେ ଜୁନ୍ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜମିରେ ମଜୁରିଆ ଭାବରେ କାମ କରନ୍ତି, ଦିନକୁ ୧୫୦ ଟଙ୍କା ରୋଜଗାର କରନ୍ତି ଏବଂ ତାହା ପରେ ତାଙ୍କର ପରିବାର ଇଟାଭାଟିରେ ଶ୍ରମିକ ଭାବରେ କାମ କରିବାକୁ ଏଠାରୁ ୭୦ କିଲୋମିଟର ଦୂରରେ ଥିବା ଡାହାନୁ ତାଲୁକାକୁ ଚାଲିଯାଆନ୍ତି।

"ଅଗଷ୍ଟ ୩ ଏବଂ ୪ରେ ବଡ଼ ତାଲୁକାରେ ଦୁଇ ଦିନ ଭିତରେ ୪୦୦ ମିଲିମିଟର ବୃଷ୍ଟିପାତ (ସମୁଦାୟ) ହୋଇଥିଲା। ଫଳସ୍ୱରୂପ ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହେଲା। ଅଗଷ୍ଟ ୪ରେ ଉଚ୍ଚ ଢ଼େଉ ଆସିଲା ଏବଂ ସମୁଦ୍ର ବୈତରଣୀରୁ ଅତିରିକ୍ତ ଜଳ ଗ୍ରହଣ କରିନଥିଲା, ଏହି ନଦୀ ଜଳ ଗାଁ ଭିତରେ ପ୍ରବେଶ କରିଥିଲା," କହନ୍ତି ତହସିଲଦାର ଦିନେଶ ଖୁରାଡେ। "ସେହି ଦିନଗୁଡ଼ିକରେ ଏହି ତାଲୁକାରେ କୌଣସି ମନୁଷ୍ୟ ବା ପଶୁଙ୍କର ପ୍ରାଣ ହାନି ହୋଇନାହିଁ। ସମସ୍ତ ଗାଁକୁ ରିଲିଫ୍ ପ୍ରଦାନ ପ୍ରକ୍ରିୟା ଜାରି ରହିଛି।"

ବୈତରଣୀ ନଦୀର ଜଳ ଏବେ ଶାନ୍ତ ଭାବରେ ପ୍ରବାହିତ ହେଉଛି। କିନ୍ତୁ ସକୁବାଇଙ୍କର ଆଶଙ୍କା ଥମି ନାହିଁ ଏବଂ ସେ ପଚାରୁଛନ୍ତି "ଯଦି ନଦୀ ପୁଣି ଥରେ ରାଗିଯାଏ କଣ ହେବ?"

PHOTO • Jyoti Shinoli

ଗେଟସ କେଏଚ୍ ଗ୍ରାମର କଟକରି ଆଦିବାସୀ, ଯିଏକି ବନ୍ୟାରେ ନିଜର ଘର ଏବଂ ସମସ୍ତ ଜିନିଷ ହରାଇଥିଲେ

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli