ବଳିଷ୍ଠ ଚେହେରା ସହିତ ଜଣେ ଉଚ୍ଚ ଓ ପତଳା ମତ୍ସ୍ୟଜୀବୀ ମହିଳା କୁଲ୍‌ଟାଲି, ସୁନ୍ଦରବନ ଜଙ୍ଗଲର ଏକ ଦ୍ୱୀପ, ଦେଇ ପ୍ରବାହିତ ହେଉଥିବା ସ୍ଥିର ଜଳରେ କ୍ରମଶଃ କ୍ଷୀଣ ହେଉଥିବା ସନ୍ଧ୍ୟାର ଅସ୍ତଗାମୀ ସୂର୍ଯ୍ୟ ଆଡକୁ ଚାହିଁ ରହିଛି; ଅନିମା ମଣ୍ଡଳକୁ ରାଗ ଲାଗୁଛି। ସେ ସକାଳୁ କିଛି ମଧ୍ୟ ଖାଇନି ।

ସେ ସେଠାରେ ଏକ ସଭାରେ ଭାଗ ନେବା ପାଇଁ ଉପସ୍ଥିତ ଅଛନ୍ତି, ଯାହା କୁଲ୍‌ଟାଲି ଜଙ୍ଗଲ ରେଞ୍ଜ ବିଟ୍‌ ଅଧିକାରୀ ଫେବୃୟାରୀ ୧୪, ଦ୍ୱିପହର ୨ଟା ସମୟ, ୨୦୧୫ ରେ  ନଦୀ ଆରପାରିରେ ଥିବା ଜଙ୍ଗଲ ରେଞ୍ଜ ପରିସର ମଧ୍ୟରେ ଏକ କୋଣରେ କରାଯିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ କରିଥିଲେ । ପାଖାପାଖି ୫୦ଜଣ ମହିଳା ଓ କିଛି ପୁରୁଷ, ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ଯୋଗଦେଇ ଦୁଇଟି ଜରୁରୀ ଦାବି ଉପସ୍ଥାପନ କରିବା ପାଇଁ ସେଠାକୁ ଆସିଥିଲେ – ଜବତ କରାଯାଇଥିବା ସେମାନଙ୍କ ମାଛଧରା (ଡଙ୍ଗାଗୁଡ଼ିକ) ଫେରାଇବା  ଓ ଜୀବିକା ନିର୍ବାହ ପାଇଁ ମହିଳାମାନଙ୍କୁ ମାଛ ଧରିବାକୁ ଅଧିକାର ଦେବା ସହିତ ମହିଳାମାନଙ୍କୁ ପାରମ୍ପରିକ କ୍ଷୁଦ୍ର ମତ୍ସ୍ୟଜୀବୀର ମାନ୍ୟତା ପ୍ରଦାନ କରିବା । 

କୁଲ୍‌ଟାଲି ମହିଳା ଡଙ୍ଗା ମତ୍ସ୍ୟଜୀବୀ ସମିତି ଅଧୀନରେ ଏହି ମହିଳାମାନେ ସଂଗଠିତ ହୋଇ, ସାକ୍ଷାତ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟକୁ ଦୃଷ୍ଟିରେ ରଖି, ଏକ ଲମ୍ବା ପଥ ଅତିକ୍ରମ କରି ମଧ୍ୟ ଗୁର୍‌ଗୁରିଆ ଗ୍ରାମରୁ- ପାଦରେ ଚାଲି ଚାଲି, ପଟା ରିକ୍ସାରେ ଓ ଡଙ୍ଗାରେ –ଏଠାକୁ ଆସିଛନ୍ତି ।

PHOTO • Urvashi Sarkar

ସମୟ ଅପରାହ୍ଣ ୫ଟା ଠୁ ଟିକିଏ ଅଧିକ ହେବ । ଅନେକ ମହିଳା ପଛକୁ ପଛକୁ ଯାଇ ଘର ଆଡକୁ ଯାଉଥିବା ଡଙ୍ଗା ପାଖକୁ ଯିବାକୁ ଆରମ୍ଭ କଲେଣି: କିଛି ଘରେ ଛାଡ଼ି ଆସିଥିବା ସେମାନଙ୍କ ପିଲାମାନଙ୍କୁ ଖୁଆଇବା ପାଇଁ ଓ ସେମାନଙ୍କ ଯତ୍ନ ନେବା ପାଇଁ ଘରକୁ ଯିବାକୁ ତରବର ହେଉଛନ୍ତି ଓ ଅନ୍ୟମାନେ ସେମାନଙ୍କ ସ୍ୱାମୀମାନେ କାଳେ ରାଗି ପ୍ରଚଣ୍ଡ ହୋଇଯିବେ, ସେହି ଭୟରେ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛନ୍ତି । ବନ ବିଭାଗର ପ୍ରତିକ୍ରିୟା ବିଷୟରେ ଜାଣିବା ପାଇଁ ଅନିମା ଓ ଅନ୍ୟ କିଛି ଦୃଢମନା ହୋଇ  କୁଲ୍‌ଟାଲିରେ ରହିବାକୁ ଓ ନିଜ ଦଳର ପ୍ରତିନିଧିତ୍ୱ କରିବାକୁ ଚାହିଁଲେ ।

ସେମାନେ ହତାର ଚାରିଆଡେ ଚାଲିଚାଲି, ଏକ ପଙ୍କିଳ ସବୁଜ ପୋଖରୀ ଧାରରେ ଯାଇ ପହଞ୍ଚିଲେ, ଯେଉଁଠାରେ ଜବତ କରାଯାଇଥିବା ସେମାନଙ୍କ ତାଳ ଗଣ୍ଡିର ଡଙ୍ଗା ସବୁ ଥାକ ମାରି ରଖାଯାଇଥିଲା । ଏହା ଦେଖି ମହିଳାମାନେ ଆତଙ୍କିତ ହୋଇଗଲେ; ସେମାନଙ୍କ ଡଙ୍ଗାରୁ କାଠ ଖଣ୍ଡ ଖସି ପାଣିରେ ମିଳେଇବା ଆରମ୍ଭ ହେଲାଣି । “ଆମର ଡଙ୍ଗାଗୁଡିକୁ ଭଙ୍ଗାଯାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଇଛି ଓ ସେଗୁଡ଼ିକୁ ପାଣିକୁ ଫିଙ୍ଗି ଦିଆଯାଇଛି । ଏହି ନଦୀରେ ନିଶ୍ଚିତ ଭାବେ ଲକ୍ଷ ଲକ୍ଷ ଟଙ୍କା (ଭାସମାନ ହୋଇ)ମହଜୁଦ ଥିବ,” ବୋଲି ଗୀତା ସାହୁ ନାମକ ଜଣେ ମତ୍ସ୍ୟଜୀବୀ ମହିଳା କୋମଳତା ସହିତ କହିଲେ । ତାଙ୍କର ଓ ତାଙ୍କ ସହିତ ଠିଆ ହୋଇ ଏବେ ମଧ୍ୟ ଅପେକ୍ଷା କରୁଥିବା ତାଙ୍କ ସହକର୍ମୀମାନଙ୍କ କୋପ ନିଶ୍ଚିତ ଭାବେ ଯଥାର୍ଥ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ । 

ଏକମାତ୍ର ସାଧନ

ଧିରେ ଧିରେ ଅପେକ୍ଷା କରିରହିଥିବା ପୁରୁଷ/ମହିଳାମାନେ ଏହାର ନିର୍ମାଣ ଖର୍ଚ୍ଚ ବିଷୟରେ ଆଲୋଚନା କରିବାକୁ ଲାଗିଲେ: ତାଳ ଗଣ୍ଡି ଯାହାକୁ ଖୋଳି ଏହା ନିର୍ମାଣ କରାଯାଏ, ତାହାର ମୂଲ୍ୟ, ବଟାଳିରେ ଏହାକୁ କାଟିବା ଖର୍ଚ୍ଚ ଓ ପିଚୁ ଆବରଣର ରକ୍ଷଣାବେକ୍ଷଣ କରିବା ଖର୍ଚ୍ଚ, ସବୁ ମିଶାଇ ପ୍ରାୟ ୫୦୦୦ ଟଙ୍କା ହେବ । ପ୍ରତ୍ୟେକ ଥର ଜବତ ହେବା ପରେ, ପୁଣିଥରେ ଏକ ନୂଆ ଡଙ୍ଗା ତିଆରି କରିବା ପାଇଁ ସେମାନଙ୍କୁ ଏହି ବଡ ଖର୍ଚ୍ଚ ମୁଣ୍ଡାଇବାକୁ ପଡିଥାଏ । “ଏତେ ପରିମାଣର ଟଙ୍କା ଏକାଠି କରିବା ପାଇଁ ସେମାନଙ୍କୁ ଦୁଇ ରୁ ତିନି ମାସ ସମୟ ଲାଗିଥାଏ । ବନ ବିଭାଗ ଦ୍ୱାରା ଅନୁମତି ପ୍ରାପ୍ତ କାଠ ଡଙ୍ଗାର ମୂଲ୍ୟ ଅତ୍ୟଧିକ ହୋଇଥିବାରୁ ଏଥିପାଇଁ ବ୍ୟୟ କରିବାକୁ ଆମର ସାମର୍ଥ୍ୟ ନାହିଁ ,” ବୋଲି ବିନା ବାଗ୍‌ ନାମକ ଜଣେ ମତ୍ସ୍ୟଜୀବୀ କୁହନ୍ତି ।

ସେମାନେ ଆଉ କିଛି ବାଟ ଚାଲିଚାଲି ଗଲେ ଓ ସେଠାରେ ଜବତ ହୋଇଥିବା କିଛି ପବନଫୁଲା ଡଙ୍ଗା କେତେକ ଗଛ ମଝିରୁ ବାହାରକୁ ବାହାରି ରହିଥିବା ଦେଖିବାକୁ ପାଇଲେ, ଯାହା ଏବେ ମଧ୍ୟ ଟାଣୁଆ ଅବସ୍ଥାରେ ରହିଛି । ଡଙ୍ଗା ଓ ପବନଫୁଲା ଡଙ୍ଗାଗୁଡ଼ିକ ହେଉଛି କଙ୍କଡା ଓ ମାଛ ଧରିବା ପାଇଁ ଜଣେ ମତ୍ସ୍ୟଜୀବୀର ଏକମାତ୍ର ସମ୍ବଳ, ସେମାନଙ୍କ ଜୀବିକା ଅର୍ଜନର ଏକମାତ୍ର ସାଧନ। ବର୍ତ୍ତମାନ ଅନିମା ଅତ୍ୟଧିକ ରାଗିଗଲାଣି : ‘‘କାହିଁକି ଆମର ଡଙ୍ଗାସବୁ ଜବତ କରିବେ ଓ ଆମ ପେଟକୁ ଲାତ ମାରିବେ? ଆମକୁ ଦରମା ମିଳେନି, ତାହା ଆପଣ ଜାଣନ୍ତି । ଏହା କୋଲ୍‌କାତା ସହର ନୁହେଁ, ଯେଉଁଠାରେ ଲୋକମାନେ ପ୍ରତିମାସରେ ବ୍ୟାଙ୍କରେ କିଛି ଅର୍ଥ ଜମା କରିବା ପାଇଁ ମଧ୍ୟ ଉପାର୍ଜନ କରିଥାନ୍ତି । ରାନ୍ଧିବା ପାଇଁ କେହି ମଧ୍ୟ ମୋତେ ବ୍ୟାଗ୍‌ ଭର୍ତ୍ତି ପରିବା ଦେବାକୁ ଯାଉନାହାନ୍ତି । ଏଠାରେ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଅଟେ’’।

PHOTO • Urvashi Sarkar

ଜୀବନର ରଙ୍ଗ

ବାସ୍ତବରେ, ସୁନ୍ଦରବନରେ ଜୀବନ ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ସୁସ୍ପଷ୍ଟ । ଅନିମା ଓ ତା’ପରି ଅନ୍ୟ ମତ୍ସ୍ୟଜୀବୀ ମହିଳାମାନଙ୍କ ଦିନ ଭୋର୍‌ ୩ଟା ବେଳେ ଆରମ୍ଭ ହୋଇଥାଏ । ଘରର କାମ ସାରିବା ପାରେ, ସେମାନେ ସେମାନଙ୍କ ଡଙ୍ଗା ନେଇ ନଦୀକୁ ଯାଆନ୍ତି । ମାଛ ଧରିବା ପାଇଁ ସେମାନେ ଛାତି ଉଚ୍ଚ ଥଣ୍ଡା ପାଣିରେ କଷ୍ଟରେ ଚାଲି ଚାଲି ନଦୀ ଭିତରକୁ ଯାଆନ୍ତି । ଥରେ କିଛି ମାଛ ଧରିବାରେ ସଫଳ ହେବା ପରେ, ସେମାନେ ଘରକୁ ଫେରନ୍ତି ଓ ସେମାନଙ୍କ ପିଲାମାନଙ୍କୁ ଖାଇବାକୁ ଦିଅନ୍ତି । କଙ୍କଡ଼ା ଓ ମାଛ ଡିପୋଗୁଡ଼ିକ ହେଉଛି ସେମାନଙ୍କ ପରବର୍ତ୍ତୀ ଲକ୍ଷ୍ୟ ସ୍ଥଳ । ମହିଳାମାନେ ବହୁ ଆଶା ନେଇ ସେମାନେ ଧରିଥିବା ମାଛ ଆଦି ବିକ୍ରି କରିବା ପାଇଁ ଏଠାକୁ ଆସନ୍ତି, କିନ୍ତୁ ଏହା ବଦଳରେ ସେମାନଙ୍କର କିଛି ରୋଜଗାର ହୋଇପାରିବ, ତାହା ନିଶ୍ଚିତତା ସହିତ କହିବା କଷ୍ଟକର। ଯେଉଁଦିନ କିଛି ଅର୍ଥ ଉପାର୍ଜନ ହୁଏ, ତାହା ସେମାନେ ସଙ୍ଗେ ସଙ୍ଗେ ଘରର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ,ମାଛ ଧରିବା ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ (ଯଦି କିଛି ଥାଏ) ଖର୍ଚ୍ଚ କରିଥାନ୍ତି ଓ ସପ୍ତାହର ଯେଉଁ ଦିନରେ ଭାଗ୍ୟ ସାଥ୍ ଦେବ ନାହିଁ,  ସେହି ଦିନଗୁଡିକ ପାଇଁ ସାଇତି ରଖନ୍ତି । ଏଠାରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ଅନେକ ଲୋକ ଭୂମିହୀନ ଦ୍ୱିତୀୟ ବା ତୃତୀୟ ପିଢ଼ିର ମତ୍ସ୍ୟଜୀବୀ ଅଟନ୍ତି, ଯେଉଁମାନେ ଜୀବନଧାରଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ମାଛ ଧରିବା ବୃତ୍ତି ଉପରେ ନିର୍ଭର କରିଥାନ୍ତି । ଏଣୁ, ସେମାନେ ବଜାରରୁ କ’ଣ କିଣିପାରିବେ, ତାହା ସେମାନଙ୍କ ଉପାର୍ଜନ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।

ଅନ୍ୟ ଉପାୟ ନାହିଁ

ଅନିମାର ବିବାହ ୧୦ ବା ୧୨ବର୍ଷ ବୟସରେ ହୋଇଥିଲା । କିଛିଦିନ ତଳେ ହୃଦ୍‌ଘାତରେ ତାର ସ୍ୱାମୀ ମରିଯାଇଛନ୍ତି । “ଏଠାରେ ଏକ ଭଲ ଡାକ୍ତରଖାନା ମଧ୍ୟ ନାହିଁ । ଏପରିକି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦୁଇ ଘଣ୍ଟା ଯାତ୍ରା କରି ଜୟନଗର ଯିବାକୁ ପଡ଼ୁଛି, ଯେଉଁଠାରେ ଡାକ୍ତରଖାନା ଅଛି,’’ ବୋଲି ସେ ଚିତ୍କାର କରି ନିଜର ବିରକ୍ତି ପ୍ରକାଶ କରନ୍ତି । ସୁନ୍ଦରବନରେ ଧିରେ ଧିରେ ପୁରୁଷ ସଂଖ୍ୟା କମ୍‌ ହେବାରେ ଲାଗିଛି, ମୁଖ୍ୟତଃ, ଉତ୍ତମ ପରିପୋଷଣ ଆଶାରେ ସେମାନଙ୍କ ଦେଶାନ୍ତର ଗମନ ଯୋଗୁଁ; ଅଧିକାଂଶ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ସହରକୁ ଚାଲି ଯାଉଛନ୍ତି ବା ଲାଭ ଆଶାରେ ବାଘ ମାରିବା କାମ ସହିତ ଯୋଡି ହୋଇଯାଉଛନ୍ତି ।

PHOTO • Urvashi Sarkar

ସୁନ୍ଦରବନ ପାଇଁ ପ୍ରସ୍ତାବିତ ପର୍ଯ୍ୟଟନ ପ୍ରକଳ୍ପରେ ସେମାନଙ୍କ ଉନ୍ନତି ପାଇଁ କୌଣସି ସୁଯୋଗ ନଥିବାରୁ ମହିଳାମାନଙ୍କ ମନରେ ତିକ୍ତ ମନୋଭାବ ଜାତ ହୋଇଛି । “ସେମାନେ କାହିଁକି ଆମମାନଙ୍କୁ ପର୍ଯ୍ୟଟନ ପ୍ରକଳ୍ପରେ ସାମିଲ୍‌ କରୁନାହାନ୍ତି? ଏହା ଦ୍ୱାରା ଆମେ ଭଲ ଚାକିରି ପାଇ ପାରିବୁ ଓ ଆମର ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇବ । ଯେମିତି ଲାଗୁଛି କେହି ମଧ୍ୟ ଆମ ସହିତ ଯୋଡ଼ି ହେବାକୁ (ସକରାତ୍ମକ ଭାବେ) ଚାହୁଁନାହାନ୍ତି । ଉଦାହରଣ ସ୍ୱରୂପ, ଆମ ଭଳି ବଡ଼ ଡଙ୍ଗାରେ ମଧ୍ୟ ମାଛ ଓ କଙ୍କଡା ଧରାଯାଉଛି, କିନ୍ତୁ ବନ ବିଭାଗ କେବଳ ଆମ ପଛରେ ପଡ଼ିଛି’’।

ସ୍ୱକୃତି ପ୍ରାପ୍ତ ପରିମାଣ

ଯଦିଓ ଏଠାରେ ଜୀବନ ବିତେଇବା ସେତେ କଷ୍ଟଦାୟକ ନୁହେଁ, ତେବେ ବନ ବିଭାଗ ସେମାନଙ୍କ ଡଙ୍ଗାଗୁଡ଼ିକ ଜବତ କରିବା ଯୋଗୁଁ ଏଠାରେ ବଞ୍ଚିବା  ଆହୁରି ଅଧିକ କଷ୍ଟକର ହେବା ସୁନିଶ୍ଚିତ କରିଛି । ଏପରି କରାଯିବାର କାରଣ ଏହା ଦର୍ଶାଯାଉଛି ଯେ, ଯେହେତୁ ନୌକାଗୁଡ଼ିକର ବନ ବିଭାଗ ଦେଉଥିବା ବୋଟ୍‌ ଲାଇସେନ୍ସ ସାର୍ଟିଫିକେଟ୍‌ (ବିଏଲ୍‌ସି) ନାହିଁ, ଏଣୁ ସେଗୁଡ଼ିକ ସୁନ୍ଦରବନ ଅଞ୍ଚଳରେ ଚଳପ୍ରଚଳ ହେବା ପାଇଁ ସ୍ୱୀକୃତି ପ୍ରାପ୍ତ ନୁହେଁ ; କୁଲ୍‌ଟାଲି ହେଉଛି ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ କ୍ଷେତ୍ରର ଏକ ଅଂଶ, ଏଣୁ ବିଏଲ୍‌ସି ନଥିବା ଯୋଗୁଁ ସେମାନଙ୍କୁ ନିଜ ଭୂମିରେ କଙ୍କଡ଼ା ଧରିବା ଠାରୁ ନିବୃତ୍ତ କରାଯାଉଛି।

ପ୍ରଚଳିତ ବିଏଲ୍‌ସି ବ୍ୟବସ୍ଥାରେ ଅନେକ ଅସୁବିଧା ରହିଛି ଯେପରିକି ଏହା ବଦଳକ୍ଷମ ନୁହେଁ, ବର୍ତ୍ତମାନ ମାଛ ଧରିବା କାମ କରୁନଥିବା ଲୋକମାନଙ୍କ ଦଖଲରେ ଏବେ ମଧ୍ୟ ବିଏଲ୍‌ସି  ରହିଛି, କଳାବଜାର ବଢୁଛି ଓ ନୂଆ ଲାଇସେନ୍ସ ପ୍ରଦାନ କରାଯାଉନି। ଇଣ୍ଟର୍‌ନ୍ୟାସ୍‌ନାଲ୍‌ କଲେକ୍ଟିଭ୍‌ ଇନ୍‌ ସପୋର୍ଟ ଅଫ୍‌ ଫିସ୍‌ୱାର୍କର୍ସ (ଆଇସିଏସ୍‌ଏଫ୍‌)ଙ୍କ ଦ୍ୱାରା ସୁନ୍ଦରବନର ମତ୍ସ୍ୟଜୀବୀମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ସମସ୍ୟାଗୁଡିକ ବିଷୟରେ ବିଷଦ ବର୍ଣ୍ଣନା କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ନିବୃତ୍ତ କରିବା ପାଇଁ, ବନ ବିଭାଗ ବିଭିନ୍ନ ପଦ୍ଧତି ଅନୁସରଣ କରିଥାଏ, ଯେପରିକି ସେମାନଙ୍କ ଜାଲଗୁଡିକ ଜବତ କରିବା ଆଦି; ମାଛ ଧରିବାଠାରୁ ମହିଳାମାନଙ୍କୁ ନିବୃତ୍ତ ରଖିବା ପାଇଁ ନଦୀକୂଳ ବାଲିରେ କାଚ ଗୁଣ୍ଡ ମିଶେଇ ଦିଆଯିବ ବୋଲି ଜଣେ ମହିଳାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି ।

PHOTO • Urvashi Sarkar

“ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ ମହିଳାମାନଙ୍କୁ ଜଙ୍ଗଲରେ ଉପଲବ୍ଧ ଜଳରେ ମାଛ ଧରିବା ଅଧିକାରଠାରୁ ବଞ୍ଚିତ କରିବା ଏଫ୍‌ଆର୍‌ଏର ବିରୁଦ୍ଧାଚରଣ କରିବା ବୋଲି” ଦକ୍ଷିଣବଙ୍ଗ ମତ୍ସ୍ୟଜୀବୀ ଫୋରମ୍‌ର ସଭାପତି ପ୍ରଦୀପ ଚାଟର୍ଜୀ କୁହନ୍ତି। ଜଙ୍ଗଲ ଅଧିକାର ଆଇନ୍‌ (ଏଫଆରଏ)ର ଉଦ୍ଦେଶ୍ୟ ହେଉଛି ବନବାସୀମାନଙ୍କ ଅଧିକାରର ସୁରକ୍ଷା କରିବା, ଯାହା ମଧ୍ୟରେ ସେମାନଙ୍କ ନିଜସ୍ୱ ଭୂମିର କୌଣସି କ୍ଷତି ସାଧନ ନକରି ଏହାକୁ ବ୍ୟବହାର କରିବା ଓ ଏହାର ଜୈବ ବିବିଧତାର ସଂରକ୍ଷଣ କରିବା ।

ବାରମ୍ବାର କୁହାଯାଉଥିଲେ ମଧ୍ୟ, ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ୨୪ପ୍ରଗଣା ଜିଲ୍ଲାଗୁଡିକରେ ଏଫ୍‌ଆର୍‌ଏକୁ ବିଜ୍ଞାପିତ କରିନାହାନ୍ତି ବୋଲି ସେ ଉଲ୍ଲେଖ କରନ୍ତି: ‘‘ଏହି ଆଇନ୍‌କୁ ବିଜ୍ଞାପିତ କରିବାରେ ବିଫଳ ହେବା ଯୋଗୁଁ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ବନବାସୀମାନେ, ଯେପରିକି ମତ୍ସ୍ୟଜୀବୀ, ମହୁ ସଂଗ୍ରହକାରୀ ଓ  ସାମୁଦ୍ରିକ ଜୀବଗୁଡିକର ଖୋଳପା ସଂଗ୍ରହକାରୀମାନଙ୍କୁ ସେମାନଙ୍କ ଜୀବିକା ଅର୍ଜନ ଅଧିକାରରୁ(ଅନ୍ୟମାନଙ୍କ ମଧ୍ୟରୁ) ବଞ୍ଚିତ ହେବାକୁ ପଡୁଛି, ଯାହାଫଳରେ ବନବିଭାଗ ସହିତ ସଂଘର୍ଷର ସୂତ୍ରପାତ ହେଉଛି ।’’ ଏଫ୍‌ଆର୍‌ଏ କାର୍ଯ୍ୟକାରୀ କରାଗଲେ ମତ୍ସ୍ୟଜୀବୀମାନେ ବିଏଲ୍‌ସି ନଥିଲେ ମଧ୍ୟ କଙ୍କଡ଼ା ଧରିବା ଅଧିକାର ପାଇପାରିବେ । 

ଆଶା ଓ ଏକ ଜୟ

ବିଟ୍‌ ଅଧିକାରୀ ଅପରାହ୍ଣ ୬ଟା ପରେ ଘଟଣା ସ୍ଥଳରେ ପହଞ୍ଚିଲେ । ସେ ମହିଳା ଡଙ୍ଗା ସମିତିର ମହିଳାମାନଙ୍କ ସହିତ ଓ ଦକ୍ଷିଣ ମତ୍ସ୍ୟଜୀବୀ ଫୋରମ୍‌ର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କଲେ । ଅଧିକାରୀ ଜଣକ ନିଜ ବକ୍ତବ୍ୟରେ ଏହା କହିଲେ ଯେ ଅବୈଧ ଭାବେ ମାଛ ଶିକାରରେ ଏହି ଡଙ୍ଗାଗୁଡ଼ିକ ବ୍ୟବହାର କରାଯାଉଥିବାରୁ ଏହାକୁ ଜବତ କରାଯାଇଛି । ଅବୈଧ ମାଛଧରାରେ ଡଙ୍ଗାଗୁଡ଼ିକ ସାମୟିକ ଭାବେ ସାମିଲ୍‌ କରାଯାଉଥିବା ବେଳେ, ଏଥିପାଇଁ ସମ୍ପୂର୍ଣ୍ଣ ମତ୍ସ୍ୟଜୀବୀ ସମ୍ପ୍ରଦାୟ କାହିଁକି ଦଣ୍ଡିତ ହେବେ ବୋଲି ମହିଳାମାନେ ଯୁକ୍ତି ଉପସ୍ଥାପନ କଲେ।

PHOTO • Urvashi Sarkar

ଅବୈଧ ଭାବେ ମାଛ ଧରାଯିବା ଖବର ସେମାନେ ବନ ବିଭାଗକୁ ଜଣାଇବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି କିନ୍ତୁ ଏହା ସହିତ ଡଙ୍ଗା ବ୍ୟବହାର କରିବା ପାଇଁ ସେମାନଙ୍କ ଅଧିକାର ଜାରି ରହିବା ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି ।

ଯେତେବେଳେ ବ୍ୟାଘ୍ରମାନଙ୍କ ଇଲାକାରେ ପ୍ରବେଶ କରିବା ଯୋଗୁଁ କୌଣସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଯାଏ, ସରକାରଙ୍କୁ ଏଥିପାଇଁ ଅନୂକମ୍ପା ରାଶି ପ୍ରଦାନ କରିବାକୁ ହୋଇଥାଏ, ବୋଲି ସେ ଅଭିଯୋଗ କଲେ, ସେତେବେଳେ ତାଙ୍କୁ ମନେପକାଇ ଦିଆଗଲା ଯେ ମତ୍ସ୍ୟଜୀବୀମାନେ ସ୍ୱଇଚ୍ଛାରେ ବ୍ୟାଘ୍ର ଇଲାକା ମଧ୍ୟକୁ ପ୍ରବେଶ କରନ୍ତିନି, ବରଂ ଏହା ସେମାନଙ୍କ ଜୀବନ ଜୀବିକା କଥା ହୋଇଥିବାରୁ ସେମାନେ ଏହିପରି କରିଥାନ୍ତି । 

ଆଲୋଚନା ସରିବା ବେଳକୁ, ରାତି ତା’ର କାୟା ବିସ୍ତାର କରିସାରିଥିଲା । ସାମୟିକ ଭାବେ ହେଲେ ମଧ୍ୟ, ଜୟ ଲାଭ କରିଥିବାରୁ ମହିଳାମାନେ ଖୁସି ଥିଲେ । ସେମାନେ ଏକ ପବନ ଫୁଲା ଡଙ୍ଗାରେ ଭର୍ତ୍ତି ହୋଇଗଲେ ଯାହା ସେମାନଙ୍କୁ ସୁନ୍ଦରବନର ସେହି ଗାଢ଼ ବର୍ଣ୍ଣର ପାଣି ଆଡ଼କୁ ନେଇଯିବ । ଅନିମା ସ୍ଥିର ଜଳକୁ ଓ ନିଜ ଘର ଆଡ଼କୁ ଚାହିଁ ରହିଥିଲା । 

ଲେଖକ ସାଉଥ୍‌ ସୋଲିଡାରିଟୀ ଇନିସିଏଟିଭ୍‌ରେ ଜଣେ ଗବେଷକ ଭାବେ କାର୍ଯ୍ୟ କରନ୍ତି ଓ ଜଣେ ସମ୍ବାଦିକ ମଧ୍ୟ ।

ପିକ୍‌ଚର୍‌ କ୍ରେଡିଟ୍‌ : ଦକ୍ଷିଣବଙ୍ଗ ମତ୍ସ୍ୟଜୀବୀ ଫୋରମ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Other stories by Urvashi Sarkar