ଧନୁଶକୋଡ଼ି ହେଉଛି ଏକ ପରିତ୍ୟକ୍ତ ଜାଗା - ତାମିଲନାଡ଼ୁ ଅନ୍ତର୍ଗତ ଦକ୍ଷିଣ ଭାରତର ଶେଷ ମୁଣ୍ଡରେ ଅବସ୍ଥିତ ଏକ ନିର୍ଜନ ସ୍ଥାନ, ଧଳା ରଙ୍ଗର ବାଲିରେ ଆଛାଦିତ, ଚାରିପାଖରେ ବଙ୍ଗୋପସାଗର ଏବଂ ଭାରତ ମହାସାଗର। ଇଂରେଜମାନେ ୧୯୧୪ ମସିହାରେ ଏଠାରେ ଏକ ଛୋଟିଆ ବନ୍ଦର ନିର୍ମାଣ କରିଥିଲେ। ଧୀରେ ଧୀରେ ଏହା ଏକ ଚଳଚଞ୍ଚଳ ସହର ପାଲଟିଥିଲା। ତୀର୍ଥଯାତ୍ରୀ, ପର୍ଯ୍ୟଟକ, ମତ୍ସ୍ୟଜୀବୀ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ଗହଳି ଲାଗିଥିଲା।

ଅର୍ଦ୍ଧ ଶତାବ୍ଦୀ ପରେ, ୧୯୬୪ରେ, ଏକ ପ୍ରଳୟଙ୍କରୀ ବାତ୍ୟା ତାଣ୍ଡବ ରଚିଲା। ଡିସେମ୍ବର ୨୫ ତାରିଖ ସଂଧ୍ୟାରେ ଆରମ୍ଭ ହୋଇଥିବା ଏହି ବାତ୍ୟା ରାମନାଥପୁରମ ଜିଲ୍ଲାର ରାମେଶ୍ୱରମ ତାଲୁକର ଏହି ବନ୍ଦର ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା। ବିଶାଳ ବିଶାଳ ଲହଡ଼ି ଆସି ପୂରା ସହରକୁ ମାଟିରେ ମିଶାଇ ଦେଲା। ଏଥିରେ ୧,୮୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲା। ଶତାଧିକ ଲୋକଙ୍କୁ ନେଇ ପମ୍ବନରୁ ଆସୁଥିବା ଏକ ରେଳଗାଡ଼ି ଏଠାରୁ ୩୦ କିଲୋମିଟର ଦୂରରେ ସଂପୂର୍ଣ୍ଣ ବୁଡ଼ି ଗଲା।   

ଏହି ବାତ୍ୟା ପରେ ଲୋକେ ଏହାକୁ ‘ଭୂତଙ୍କ ସହର’ ବୋଲି କହିଲେ। ଅର୍ଥାତ ‘ରହିବା ଉପଯୋଗୀ ନୁହେଁ’। ଏହା ଅବହେଳିତ ହୋଇ ପଡ଼ି ରହିଲା। ତେବେ ୪୦୦ ମତ୍ସ୍ୟଜୀବୀ ପରିବାର (ଜଣେ ସ୍ଥାନୀୟ ପଞ୍ଚାୟତ ନେତାଙ୍କ ଆକଳନ ଅନୁଯାୟୀ) ଧନୁଶକୋଡ଼ିରେ ରହିଲେ। ଏହି ନିଷ୍ଫଳା ଭୂମିକୁ ସେମାନେ ତାଙ୍କର ଏକମାତ୍ର ଘର ବୋଲି ଭାବିଲେ। ଏମାନଙ୍କ ଭିତରେ ଅଛନ୍ତି ବାତ୍ୟା ମୁହଁରୁ ବର୍ତ୍ତି ଯାଇଥିବା କିଛି ଲୋକ, ଯେଉଁମାନେ ଏଠାରେ ବିନା ବିଜୁଳି, ପାଇଖାନା ଏବଂ ପିଇବା ପାଣିରେ ୫୦ ବର୍ଷ କାଟିଲେଣି। 

PHOTO • Deepti Asthana

ବାତ୍ୟାରେ ରେଳଗାଡ଼ିଟି ସଂପୂର୍ଣ୍ଣ ବୁଡିଯାଇଥିଲା; ଭାଙ୍ଗିରୁଜି ଯାଇଥିବା କଳିଙ୍କିଲଗା ରେଳ ଧାରଣା ଏବେ ବି ରାସ୍ତରେ ପଡ଼ି ରହିଛି, ଯାହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି।  

PHOTO • Deepti Asthana

ରାମେଶ୍ୱରମ୍ ଠାରୁ ଧନୁଶକୋଡ଼ି ପ୍ରାୟ ୨୦ କିଲୋମିଟର ଦୂର। ଆର୍ଦ୍ର ବେଳାଭୂମିରେ ପଡ଼ିଥିବା ପ୍ଲାଏ ଉପରେ ପର୍ଯ୍ୟଟକମାନେ ଏଠାକୁ ଭ୍ୟାନ ଯୋଗେ ଆସିଥାନ୍ତି। ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ଥାନକୁ  ଉନ୍ନତ ରାସ୍ତା ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି। 

PHOTO • Deepti Asthana

ଏଠାରେ ଥିବା ପାଇଖାନା ଏବଂ ଗାଧୁଆ ଘର ଗୁଡ଼ିକ ନଡ଼ାର କାନ୍ଥରେ ଅସ୍ଥାୟୀ ଭାବେ ନିର୍ମିତ ହୋଇଛି। ଲୋକେ ବାଲି କିମ୍ବା ବୁଦା ପଛପଟେ ମଳତ୍ୟାଗ କରନ୍ତି। କିନ୍ତୁ କୀଟ, ସରୀସୃପ ଏବଂ ସମୁଦ୍ର ଢେଉରେ ଭାସି ଆସିଥିବା ଗେଣ୍ଡା ଶାମୁକା ଭଳି ଜୀବଙ୍କ ଭୟ ଲାଗି ରହିଥାଏ। କାଲିଅରଶି କହନ୍ତି, ସେ ଓ ଅନ୍ୟ ମହିଳାମାନେ ପ୍ରତି ସପ୍ତାହରେ ଖାଲି ହାତରେ ୩ ରୁ ୪ ଫୁଟ ଗଭୀରର (ଅଧିକ ଗଭୀର ହେଲେ ତା ଭିତରେ ପୁଣି ପାଣି ପଶିଯାଏ) ଛୋଟଛୋଟ କୂଅ ଖୋଳନ୍ତି। ଏହି କୂଅ ପାଣିକୁ ସେମାନେ ପିଇବା ସହ ଘରେ ବ୍ୟବହାର କରନ୍ତି।

 

PHOTO • Deepti Asthana

କୌଣସି ପରିମଳ ବ୍ୟବସ୍ଥା ନ ଥିବାରୁ ଗ୍ରାମର ମହିଳାମାନେ ବାଧ୍ୟ ହୋଇ ବେଳେ ବେଳେ ରାସ୍ତା ପାର୍ଶ୍ୱରେ ଖୋଲାରେ ଗାଧୁଆପାଧୁଆ କରନ୍ତି। ସେମାନେ କହିଲେ ‘‘ଆମେ ଅବହେଳିତ ହୋଇ ରହିଛୁ: କେହି ଆସନ୍ତି ନାହିଁ କି ଆମେ କେମିତି ଅଛୁ ପଚାରନ୍ତି ନାହିଁ।’’

PHOTO • Deepti Asthana

୭୮ ବର୍ଷୀୟା ସୟଦ, ବାତ୍ୟାରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ସେ ସରକାରଙ୍କ ଠାରୁ କୌଣସି ସହାୟତା ପାଇ ନାହାନ୍ତି, କିନ୍ତୁ ଏଠି ଜୀବନ କାଟୁଛନ୍ତି। ସେ ତାଙ୍କ ଘର ଏବଂ ଚା ଦୋକାନ ତିଆରି କରିଛନ୍ତି। ଭାଙ୍ଗି ଯାଇଥିବା ଚର୍ଚ୍ଚ ଏବଂ ରେଳ ଧାରଣା ଭଳି ଭଙ୍ଗାରୁଜା ଜିନିଷ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସେ ଚା ବିକ୍ରି କରିଥାନ୍ତି। କିଛି ସମୟ ପୂର୍ବରୁ ଏହି ଲୋକମାନଙ୍କୁ ସରକାରଙ୍କ ତରଫରୁ ନୋଟିସ ଦିଆଯାଇଛି। ଏହି ଜାଗା ଖାଲି କରିବାକୁ କୁହାଯାଇଛି; ଧନୁଶକୋଡ଼ିକୁ ପର୍ଯ୍ୟଟନ ପାଇଁ ବିକଶିତ କରିବାକୁ ସରକାର ଯୋଜନା କରିଛନ୍ତି। ତେବେ ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ସରକାର ନୋଟିସ୍ ଦେଇଛନ୍ତି। 

PHOTO • Deepti Asthana

. ପରିବାର ଚଳାଇବା ପାଇଁ ଜପିଆମାଲ ଶୁଖୁଆ ବିକନ୍ତି। ତାଙ୍କ ସ୍ୱାମୀ ଜଣେ ଧୀବର। ସେମାନେ ମଧ୍ୟ ଘର ଛାଡିବାକୁ ନୋଟିସ ପାଇଛନ୍ତି। ମତ୍ସ୍ୟଜୀବୀ ସଂପ୍ରଦାୟର ଲୋକେ ଏଠି ପାରଂପରିକ ପ୍ରଣାଳୀରେ ପବନର ବେଗ, ତାରା ଏବଂ ସମୁଦ୍ର ଢେଉକୁ ମାପିଥାନ୍ତି। ସର୍ବୋପରି ଚଳିତ ଦଶନ୍ଧିରେ ମଧ୍ୟ ଜପିୟାମାଲ ଏବଂ ଅନ୍ୟମାନଙ୍କ ପାଇଁ ଏହି ଜାଗା ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯିବା ଏବଂ ମାଛ ଧରିବାର ନୂଆକୌଶଳ ଶିଖିବା କଷ୍ଟକର। 

PHOTO • Deepti Asthana

ଏହି ନିଷ୍ଫଳା ଭୂମିରେ ଦୀର୍ଘ ୩୫ ବର୍ଷ ହେଲା ରହିଲେଣି ୫୦ ବର୍ଷୀୟ ଏମ୍. ମୁନିୟାସ୍ୱାମୀ। ସେ କହନ୍ତି, ତାଙ୍କୁ ପ୍ରାୟ ବର୍ଷକ ତଳେ ସୌର ବିଜୁଳି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏକ ଯୋଜନାରେ ତାଙ୍କୁ ଏଇଟା ମିଳିଛି, କିନ୍ତୁ ଏକ ସ୍ଥାନୀୟ ସଂଗଠନ ଏଥି ପାଇଁ ୨,୦୦୦ ଟଙ୍କା ନେଇଛି। ତା ପରେ ମଧ୍ୟସ୍ଥି ଏବଂ ଅନ୍ୟମାନେ ମଧ୍ୟ ତାଙ୍କୁ ଠକିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଗ୍ରାମବାସୀ ସୌର ଆଲୁଅକୁ ଚାହିଁ ବସିଛନ୍ତି; ସେମାନେ ବର୍ତ୍ତମାନ ସୁଦ୍ଧା କିରୋସିନ୍ ଲ୍ୟାମ୍ପ ଜାଳୁଛନ୍ତି। ରାମେଶ୍ୱରମରୁ ଲିଟର ପିଛା ୬୦ ଟଙ୍କା ଦେଇ କିରୋସିନ୍ କିଣୁଛନ୍ତି। 

PHOTO • Deepti Asthana

ଶ୍ରୀଲଙ୍କାର ସୀମା ଏଠାରୁ ପ୍ରାୟ ୧୮ ନଟିକାଲ ମାଇଲ (୩୩ କିଲୋମିଟର) ଦୂରରେ। ଶ୍ରୀଲଙ୍କା ନୌସେନା ଏହି ସମୁଦ୍ରରେ ସବୁବେଳେ ପହରା ଦେଉଛି। ଧନୁଶକୋଡ଼ିର ମତ୍ସ୍ୟଜୀବୀମାନେ ସବୁବେଳେ ଭୟରେ ରହୁଛନ୍ତି। କେତେବେଳେ ସୀମା ନିକଟବର୍ତ୍ତି ହେଲେ ସେମାନେ ଧରି ନେଇ ଯିବାର ଭୟ ରହିଛି। ନିର୍ଦ୍ଦିଷ୍ଟ ଭାବେ ସୀମା କେଉଁଟା, ଏମାନେ ବିନା ଜିପିଏସ୍ ଯନ୍ତ୍ର ଏବଂ ତାଲିମରେ ଜାଣିବାକୁ ସକ୍ଷମ ହେଉ ନାହାନ୍ତି। ଧରା ପଡ଼ିବା ଅର୍ଥ ସେମାନଙ୍କୁ ଡଙ୍ଗା ଏବଂ ମାଛ ଧରା ଜାଲ ହରାଇବାକୁ ପଡ଼େ - ଏହା ହେଉଛି ଏମାନଙ୍କର ଜୀବିକା। ଏପରି ବାରମ୍ବାର ଘଟୁଛି। 

PHOTO • Deepti Asthana

.ଧନୁଶକୋଡ଼ିରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି। ପଞ୍ଚମ ଶ୍ରେଣୀ ପରେ ଅଧିକ ପାଠ ପଢିବାକୁ ଚାହୁଁଥିବା ପିଲାଙ୍କୁ ୨୦ କିଲୋମିଟର ଦୂର ରାମେଶ୍ୱରମ୍‌କୁ ଯିବାକୁ ହୁଏ। ସ୍କୁଲ ଏବଂ ଯିବା ଆସିବା ଖର୍ଚ୍ଚ ତୁଲାଇବାକୁ ଅଧିକାଂଶ ବାପା ମାଆ ଅକ୍ଷମ। 

PHOTO • Deepti Asthana

ସାମାନ୍ୟ ଅଧିକ ରୋଜଗାର ପାଇଁ ମହିଳା ଏବଂ ଛୋଟ ଛୋଟ ପିଲାମାନେ ଦୋକାନ ଖୋଲି ଖେଳଣା ଏବଂ ଶଂଖ ଶାମୁକା ବିକନ୍ତି। ପଛପଟେ ସେଣ୍ଟ ଆଣ୍ଟୋନି ଚର୍ଚ୍ଚର ଭଗ୍ନାବଶେଷ। 

PHOTO • Deepti Asthana

ଧନୁଶକୋଡ଼ି ହିନ୍ଦୁମାନଙ୍କ ପାଇଁ ଧାର୍ମିକ ମହତ୍ତ୍ୱ ରଖିଛି। ବିଶ୍ୱାସ କରାଯାଏ ଯେ, ଏହି ସ୍ଥାନରୁ ହିଁ ରାମ ସେତୁର ଆରମ୍ଭ ହୋଇଥିଲା। ପୌରାଣିକ ତଥ୍ୟ ଅନୁସାରେ ରାବଣର ଲଙ୍କାକୁ ଯିବା ପାଇଁ ଏଇଠୁ ସେତୁ ନିର୍ମାଣ ଆରମ୍ଭ କରିବାକୁ ରାମ ତାଙ୍କ ଧନୁର ଅଗ୍ରଭାଗରେ ଗାର ଟାଣିଥିଲେ। ଏହି କଥାବସ୍ତୁ ଅନୁସାରେ ଏହାର ନାମ କରଣ ହୋଇଛି - ଧନୁଶକୋଡ଼ି ଅର୍ଥ ଧନୁର ଗୋଟିଏ ମୁଣ୍ଡଏଠାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଏବେ ଯୋଜନା କରୁଛନ୍ତି। ଏହି ଯୋଜନା ଭିତରେ ରହିଛି କୋଠଘର ଏବଂ ଦୁଇଟି ଜେଟି ନିର୍ମାଣ। ତେବେ ଏହି ଯୋଜନାରୁ ଏଠାରେ ଥିବା ମତ୍ସଜୀବୀମାନଙ୍କୁ ବାଦ ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅଧିକାଂଶ ଏହି ସୀମାନ୍ତ ଉପକୂଳର ଦୀର୍ଘ ଦିନର ବାସିନ୍ଦା।    

PHOTO • Deepti Asthana

ବାତ୍ୟାରେ ପ୍ରାଣ ହରାଇଥିବା ଗ୍ରାମବାସୀଙ୍କ ସ୍ମୃତିରେ ନିର୍ମିତ ଏହି ସ୍ମାରକୀ ଦାନ ଅର୍ଥରେ ତିଆରି ହୋଇଛି। 

 ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Deepti Asthana

Deepti Asthana is an independent photographer from Mumbai. Her umbrella project ‘Women of India’ highlights gender issues through visual stories of rural India.

Other stories by Deepti Asthana