ଆମେ ଏହା ଦେଖିଲୁ, କିନ୍ତୁ ବିଶ୍ୱାସ କରିପାରିଲୁ ନାହିଁ । ଆମେ ପାଖକୁ ଗଲୁ । କାର୍‌ରୁ ତଳକୁ ଓହ୍ଲେଇଲୁ ଏବଂ ଭଲଭାବରେ ଦେଖିଲୁ । ଏହା ସତ ଥିଲା କିନ୍ତୁ ତଥାପି ଆମେ ବିଶ୍ୱାସ କରି ପାରୁ ନଥିଲୁ । ରତନ ବିଶ୍ୱାସ ପାଖରେ ପାଞ୍ଚ ଖଣ୍ଡ ବାଉଁଶ ଥିଲା , ପ୍ରତ୍ୟେକ ପ୍ରାୟ ୪୦-୪୫ଫୁଟ ଲମ୍ବ, ଯାହା ସମ୍ପୂର୍ଣ୍ଣ ସନ୍ତୁଳନ ସହ ତାଙ୍କ ସାଇକେଲରେ ବନ୍ଧା ଯାଇଥିଲା ।  ଏବଂ ସେ ଏହି ଓଜନକୁ ନିଜ ଗାଁରୁ ୧୭ କିଲୋମିଟର ଦୂର ରାଜଧାନୀ ଅଗରତାଲାର ଏକ ବଜାରକୁ ଟାଣି ଟାଣି ନେଉଥିଲେ । ଯଦି ଏହି ବାଉଁଶର କୌଣସି ଅଗ ପଥର, ଗେଟି କିମ୍ବା ଅନ୍ୟ କିଛି ଜିନିଷରେ ବାଜିଯିବ ତା’ ହେଲେ ସାଇକେଲ, ସାଇକେଲ ଚାଳକ ଓ ବାଉଁଶ – ସବୁକିଛି ତଳେ ପଡ଼ିବ  । ତେବେ ସବୁଠାରୁ ଦୁଃଖର କଥା ହେଉଛି , ବାଉଁଶର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ବହୁତ ହାଲକା କିନ୍ତୁ ପ୍ରକୃତରେ ଖୁବ୍ ଭାରୀ । ବାଉଁଶ ପାଞ୍ଚ ଖଣ୍ଡ ଥିଲା କିନ୍ତୁ ଚାରୋଟି ପରି ଦେଖା ଯାଉଥିଲା  କାରଣ ଦୁଇଟି ଏତେ ଟାଇଟ୍ ଭାବରେ ବନ୍ଧା ଯାଇଥିଲା ଯେ ଏହା ଗୋଟିଏ ଭଳି ଦେଖା ଯାଉଥିଲା । ସେଗୁଡ଼ିକର ସମୁଦାୟ ଓଜନ ପାଖାପାଖି ୨୦୦ କେ.ଜି ଥିଲା । ବିଶ୍ୱାସ ବି ଏହା ଜାଣିଥିଲେ । ସେ ଆମମାନଙ୍କ ସହ କଥାବାର୍ତ୍ତା କରି ଖୁସି ହେଉଥିଲେ ଏବଂ ତାଙ୍କର ଏହି ବିଚିତ୍ର ମାଲ୍ ର ଫଟୋ ଉଠାଇବାକୁ ଦେଲେ । ମାତ୍ର ସେ ଆମକୁ ତାଙ୍କ ସାଇକେଲ୍ ଟାଣିବାକୁ ଅନୁମତି ଦେଲେ ନାହିଁ । କାରଣ  ସେ ଏହାର ବିପଦ ଜାଣିଥିଲେ ।

“ମାତ୍ର ପାଞ୍ଚ ଫୁଟ ଲମ୍ବ ସାଇକେଲ ଉପରେ ଆପଣ ଏତେ ଲମ୍ବା ଏବଂ ଏତେ ଓଜନିଆ ବାଉଁଶର ସନ୍ତୁଳନ କିପରି ରଖୁଛନ୍ତି?”  ଏହି ପ୍ରଶ୍ନ ଶୁଣି ସେ ସାମାନ୍ୟ ହସି ଆମକୁ ଏକ ପଟା ଦେଖାଇଲେ ଯାହାକି ବାଉଁଶରେ ତିଆରି ହେଇଥିଲା । ସାଇକେଲର ସାମ୍ନାରେ ଦୁଇଟି ବାଉଁଶ ସିଧା ହୋଇ ରହିଥିଲା। ଏହି ଦୁଇଟିର ତଳ ଅଂଶ ସାଇକେଲର ତଳ ପାଇପ୍ ସହ ଦୃଢ଼ ଭାବରେ ବନ୍ଧା ହୋଇଥିଲା ଏହା ଉପର ସମାନ୍ତରାଳ ପାଇପର ଦୁଇ ପାର୍ଶ୍ଵରେ ପୁଣି ବନ୍ଧା ହୋଇଥିଲା ।  ଏହା ପରେ ସେ ଆଉ ଏକ ବାଉଁଶ ପଟା ଦେଖାଇଲେ ଯାହା ସାଇକେଲର କ୍ୟାରିଅରରେ ବନ୍ଧା ହୋଇଥିଲା ।

a man balancing bamboos on his bike
PHOTO • P. Sainath

ସେ ଦୁଇଟି ବାଉଁଶକୁ ସାଇକେଲର ସମାନ୍ତରାଳ ପାଇପ୍ ସହ ବାନ୍ଧି ଦେଇଥିଲେ  ଯାହା ସାମ୍ନା ଓ ପଛ ବାଉଁଶ ପଟା ଉପରେ ଭାର ରଖିଥିଲା । ଅନ୍ୟ ବଡ଼ ବାଉଁଶଗୁଡ଼ିକ ସାମ୍ନାରେ ହାଣ୍ଡେଲ୍ ବାର ଉପରେ ଓ ପଛରେ ସିଟ୍ ଉପରେ ଭରା ଦେଇ ରଖାଯାଇଥିଲା  । ଏଗୁଡ଼ିକ ଏପଟ ସେପଟ ନ ହେବା ପାଇଁ ଏସବୁ ସ୍ଥାନରେ ବାଉଁଶକୁ ବନ୍ଧା ଯାଇଥିଲା । ଏହା ଦ୍ୱାରା ରାସ୍ତାରେ ଚାଲିବା ସମୟରେ ବାଉଶଁ ସହଜରେ ହଲି ଦୋହଲି ପାରୁ ନଥିଲା । କିନ୍ତୁ ଏହା ଅଣ୍ଟା ଭଙ୍ଗା ପରିଶ୍ରମର କାମ । କିନ୍ତୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏବଂ ଚାରି ଜଣିଆ ପରିବାରର ଭରଣ ପୋଷଣ ପାଇଁ ବିଶ୍ୱାସ କରୁଥିବା ନାନା ପ୍ରକାର କାମ ମଧ୍ୟରୁ ଏହା ଅନ୍ୟତମ । ସେ କୁହନ୍ତି,” ମୁଁ, ମୋ ପତ୍ନୀ ଏବଂ ଦୁଇ ପୁଅ । ଆମ ଗାଁ ପଶ୍ଚିମ ତ୍ରିପୁରା ଜିଲ୍ଲାର ଜିରାନିଆ ବ୍ଲକରେ । ମୁଁ ଜଣେ ଦିନ ମଜୁରିଆ, ଯେତେବେଳେ କାମ ମିଳେ ନିର୍ମାଣ ଶ୍ରମିକ ଭାବରେ ମଧ୍ୟ କାମ କରେ ।” ନଚେତ୍ ସେ  ଋତୁ ଅନୁସାରେ କୃଷି ଶ୍ରମିକ କିମ୍ବା  କୁଲି ମଧ୍ୟ ହୋଇଯାଆନ୍ତି ।

a man
PHOTO • P. Sainath

ବାଉଁଶର ଏକ ଚତୁର୍ଥାଂଶରୁ କମ୍ ଅଂଶ ସାଇକେଲ୍ ଆଗକୁ ଓହଳି ଥିଲା । ଏହାର ଓଜନିଆ ଏବଂ ଲମ୍ବା ଅଂଶ ସାଇକେଲର ପଛ ଭାଗରେ ଥିଲା । ଆମେ ସେ ପର୍ଯ୍ୟନ୍ତ ବୁଝି ପାରୁ ନଥିଲୁ କେମିତି ଓ କାଡିଁକି ବାଉଁଶର ପଛ ଭାଗ ତଳେ ଲାଗୁ ନଥିଲା । ଆମର ଆଶ୍ଚର୍ଯ୍ୟ ଦେଖି ବିଶ୍ୱାସ ହସୁଥିଲେ । 

ସେ କହିଲେ, “ନାଁ । ମୁଁ ଏହି ବାଉଁଶ ନିଜେ କାଟିନି । ଏହା ଆହୁରି କଷ୍ଟ ହୋଇଥାନ୍ତା।  ଆମ ଗାଁକୁ ଯେଉଁମାନେ ବାଉଁଶ ନେଇ ଆସିଥିଲେ ମୁଁ ସେମାନଙ୍କ ଠାରୁ ଏହା କିଣିଛି । “ଯଦି ଏହି ବାଉଁଶ ଅଗରତାଲା ବଜାରରେ ବିକ୍ରି ହୋଇଯାଏ ତେବେ ତାଙ୍କର ସିଧାସଳଖ ୨୦୦ ଟଙ୍କା ଲାଭ ହେବ । ମୋର ସହଯାତ୍ରୀ ତଥା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜିମ୍ ଆଣ୍ଡ୍ ମାସ୍ କମ୍ୟୁନିକେସନର ଅଧ୍ୟାପକ ସୁନିଲ୍ କଲାଇ ମୋତେ କହିଥିଲେ , ଅଗରତାଲା ବଜାରକୁ ଯିବା ପାଇଁ ବିଶ୍ୱାସ ଅନ୍ୟ ଛୋଟ ରାସ୍ତା ବାଛି ପାରିଥାନ୍ତା କିନ୍ତୁ ତା’ର ଏହି ଲମ୍ବା ବାଉଁଶ ପାଇଁ ସେହି ରାସ୍ତା ଯଥେଷ୍ଟ ହୋଇ ନଥା’ନ୍ତା । ଆମେ କାର୍‌ରେ ବସି ପରବର୍ତ୍ତୀ ଜିଲ୍ଲା ଅମ୍ବାସା ଆଡ଼କୁ ଗଲୁ । ବିଶ୍ୱାସ ବିପରିତ ଦିଗରେ ଯାଉଥିଲା , ତା’ ସାଇକେଲର ଲମ୍ବା ଲାଞ୍ଜ ତା’ ପଛରେ ହଲି ହଲି ଯାଉଥିଲା ।

a man balancing bamboos on his bike
PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath