ଗୋଟିକୁ ୬୦ ଟଙ୍କାରେ ସେ ଏହି ‘ବର୍ଷା ଟୋପି’ଗୁଡ଼ିକ ବିକୁଥିଲେ । ନା, ସେ କହିଲେ, ଏଗୁଡ଼ିକୁ ସେ ତିଆରି କରିନାହାନ୍ତି । ସେ କେବଳ ଜଣେ ଛୋଟକାଟର ଫେରିବାଲା, ଯିଏ ଏହି ଟୋପି ଏବଂ ସମ୍ଭବତଃ ଅନ୍ୟାନ୍ୟ ଜିନିଷକୁ, ଏଗୁଡ଼ିକର ପ୍ରକୃତ ନିର୍ମାତା- ପାହାଡ଼ ଉପରେ ରହୁଥିବା ଆଦିବାସୀମାନଙ୍କଠାରୁ କିଣି ଆଣିଛନ୍ତି । ଏ ଥିଲା୨୦୦୯ ମସିହା ଜୁନ୍‌ରେ ଓଡ଼ିଶାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳର କଥା । ଠିକ୍‌ ବର୍ଷା ପଡ଼ିବା ଆରମ୍ଭ ହେଲା ବେଳକୁ ଆମେ ତାଙ୍କୁ ଭେଟିଥିଲୁ । ବାଉଁଶ ପାତିଆ ଓ ପତ୍ରକୁ ଛନ୍ଦି ସୂକ୍ଷ୍ମ ଭାବେ ବୁଣା ହୋଇଥିବା ପ୍ରତିଟି ଟୋପି ଥିଲା କଳା କାରିଗରୀର ଏକ ନିଦର୍ଶନ । ଯଦି ସେ ଏହାକୁ ସାଇକେଲରେ ବହୁ ଦୂରକୁ ନେଇ ୬୦ ଟଙ୍କାରେ ବିକୁଛନ୍ତି, ତେବେ ସମ୍ଭବତଃ ସେ ଏଗୁଡ଼ିକୁ ଆହୁରି କମ୍‌ ଦରରେ ଆଦିବାସୀମାନଙ୍କ ପାଖରୁ କିଣିଛନ୍ତି ।

ଆପଣ ବିଭିନ୍ନ ଧରଣର ଏହି ଟୋପି ପାଇପାରିବେ । ଗଞ୍ଜାମରେ ପଲାରି (ଏବଂ କଳାହାଣ୍ଡିରେ ଛାତୁର) ରୂପେ ପରିଚିତ ଏହି ଟୋପି ସମଗ୍ର ପୂର୍ବ ଭାରତରେ ଏବଂ କେତେକ ପୂର୍ବ ଏସିଆ ଦେଶରେ ମଧ୍ୟ ଉପଲବ୍‌ଧ । ଓଡ଼ିଶାରେ ବର୍ଷାଋତୁ ଆରମ୍ଭରେ କ୍ଷେତରେ କାମ କରିବା ବେଳେ ଲୋକମାନେ ଏହାକୁ ପିନ୍ଧନ୍ତି । ହେଲେ, ଅନ୍ୟ ଋତୁରେ ବି ଏହା ପିନ୍ଧାଯାଏ । ପ୍ରାୟତଃ କ୍ଷେତରେ କାମ କରୁଥିବା ଚାଷୀ, ଶ୍ରମିକ, ଗାଈଆଳ ଏବଂ ମେଷପାଳକମାନେ ଏହାକୁ କାମ ସମୟରେ ପିନ୍ଧିଥାଆନ୍ତି । ମୋର ବନ୍ଧୁ ଏବଂ ସହଯାତ୍ରୀ ପୁରୁଷୋତ୍ତମ ଠାକୁର କହିଲେ ଏଗୁଡ଼ିକ ହେଲା “ଗରିବମାନଙ୍କ ଛତା”। ବାସ୍ତବରେ ସେଗୁଡ଼ିକ ପୁରୁଣା କାଳର ଛତା ଭଳି ପ୍ରତୀୟମାନ ହେଉଥିଲା । ଯେଉଁ ଋତୁ ପାଇଁ ହେଉ ଏବଂ ଯେଉଁ ଉଦ୍ଦେଶ୍ୟରେ ହେଉନା କାହିଁକି ସେଗୁଡ଼ିକ ଖୁବ୍‌ ସୁନ୍ଦର ଭାବରେ ତିଆରି କରାଯାଇଥିଲା ।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath