ଜୁଲାଇ ମାସ ଶେଷ ସୁଦ୍ଧା ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ସାତନଲା ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଇଥିଲା। କରାଞ୍ଜି ଗ୍ରାମର କୃଷକମାନେ ଖୁସି ହୋଇଗଲେ। ଆଶା କଲେ ସେମାନେ ଉଭୟ ଖରିଫ ଏବଂ ରବି ଋତୁ ପାଇଁ ସେମାନଙ୍କ ଫସଲକୁ ଜଳସେଚିତ କରିପାରିବେ। କିନ୍ତୁ ଅଗଷ୍ଟ ୧୬ ଏବଂ ୧୭ ତାରିଖରେ ଭୀଷଣ ବର୍ଷା ହୋଇଥିଲା, ପ୍ରାୟ ୨୦୦ ମିଲିମିଟର ବର୍ଷା। ଏହା ସାତନଳା ନଦୀର ଜଳଭଣ୍ଡାରରେ ଉପର ଏବଂ ତଳମୁଣ୍ଡରେ ଥିବା କେନାଲଗୁଡ଼ିକର କୂଳରେ ଥିବା ଜମିଗୁଡ଼ିକୁ ପ୍ଲାବିତ କରିଦେଲା। ଏହି ସାତନଲା ପେଙ୍ଗାଙ୍ଗାର ଏକ ଶାଖା ନଦୀ ଯାହାକି କ୍ରମଶଃ ଗୋଦାବରୀରେ ମିଶିଛି।  ଏହି ବନ୍ୟା ଫସଲ ଧୋଇନେଲା- ମୁଖ୍ୟତଃ କପା, କିଛି ସୋୟାବିନ। ଏହା କେବଳ ଗୋଡ଼ି ଏବଂ ବାଲି ଚାଷ ଜମିରେ ଛାଡ଼ି ଦେଇଗଲା।

ଚଳିତ ବର୍ଷ ଜୁନ୍‌ ଏବଂ ଅଗଷ୍ଟ ମଧ୍ୟରେ ଆଦିଲାବାଦରେ ସ୍ୱାଭାବିକ ବର୍ଷାଠାରୁ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ସାଧାରଣତଃ ଏହି ମାସମାନଙ୍କରେ ପ୍ରାୟ ୮୮୦ ମିଲିମିଟର ବର୍ଷା ହୋଇଥାଏ। ଗତ ବର୍ଷ ଏହି ମାସମାନଙ୍କରେ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ୍‌ ବର୍ଷା ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି। ତେଣୁ ୨୦୧୭ ଅଧିକାଂଶ ଚାଷୀଙ୍କ ପାଇଁ ନିମ୍ନ-ଆୟ ବର୍ଷ ହୋଇଥିବା ବେଳେ ୨୦୧୮ ଏ ପର୍ଯ୍ୟନ୍ତ ଏକ ଶୂନ୍ୟ-ଆୟ ସମୟ ହୋଇଛି। ସେମାନଙ୍କ ମଧ୍ୟରେ ଜୈନାଦ ମଣ୍ଡଳରେ କରାଞ୍ଜିର କୁନ୍ତାଓ୍ୱାର ସଙ୍ଗୀତା ଅଛନ୍ତି। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୩୬୦। ସାତନଳା ଡ୍ୟାମ୍‌ର ତଳ ମୁଣ୍ଡରେ ଏହା ଅଛି। ଗତ ଜୁନ୍‌ମାସରେ ସେ ଏବଂ ତାଙ୍କ ସ୍ୱାମୀ ଗଜାନନ ସେମାନଙ୍କର ପ୍ରଥମ କପା ଫସଲ ଲଗାଇଥିଲେ। ଏହା ସେମାନେ ୨୦୧୯ ଜାନୁଆରୀ-ଫେବୃଆରୀରେ ଅମଳ କରିବାର ଆଶା କରିଥିଲେ।

ନିଜ ଜମିରେ ପ୍ରଥମ ମଞ୍ଜି ବୁଣିବା ପୂର୍ବରୁ ସଙ୍ଗୀତା ଜଣେ କୃଷି ଶ୍ରମିକ ଥିଲେ। ଗଜାନନ ମଧ୍ୟ ବାର୍ଷିକ ୮୬,୦୦୦ଟଙ୍କା ମଜୁରୀରେ ଜଣେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେ କାମ କରୁଥିବା ଜମି ମାଲିକଙ୍କର ସର୍ତ୍ତ ଥିଲା ସଙ୍ଗୀତା ମଧ୍ୟ ସେହି ଜମିରେ କାମ କରିବେ। ତାଙ୍କ କାର୍ଯ୍ୟ ଦିବସଗୁଡ଼ିକ ଅସ୍ଥିର ଥିଲା ଏବଂ ସେ ଦିନକୁ ୧୨୦ଟଙ୍କା ରୋଜଗାର କରୁଥିଲେ।  ସେ କୁହନ୍ତି, ‘‘ଆମେ ଗତ ୩ବର୍ଷ ଜଣେ ମାଲିକ (ଜମି ମାଲିକ) ସହ କାମ କରିଥିଲୁ।’’ ଯେତେବେଳେ ସେମାନେ କାମ ପାଆନ୍ତି ନାହିଁ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜରିଆରେ ମଜୁରିଆ ଶ୍ରମିକ ଭାବରେ କାମ କରିବା ସାହାଯ୍ୟ କରିଥିଲା। ଗଜାନନ କୁହନ୍ତି, ‘‘ନହେଲେ ମୁଁ ଟ୍ରାକ୍ଟରକୁ ବାଲି ଲୋଡ୍‌ କରେ ଏବଂ ଅନଲୋଡ୍‌ କରେ [ଜଣେ ଘରୋଇ ଠିକାଦାର ପାଇଁ ପେଙ୍ଗାଙ୍ଗାରୁ]’’।

Kuntawar Gajanan (left) and Kuntawar Sangeetha (right) on the field where all the crops had been washed away
PHOTO • Harinath Rao Nagulavancha
Sangeetha's farm where the plants in all the three acres had been washed away up to the canal
PHOTO • Harinath Rao Nagulavancha

କରାଞ୍ଜି ଗ୍ରାମର କୁନ୍ତାଓ୍ୱାର ଗଜାନନ ଏବଂ କୁନ୍ତାଓ୍ୱାର ସଙ୍ଗୀତା ବନ୍ୟାରେ ସେମାନଙ୍କର ଫସଲ ହରାଇଛନ୍ତି (ଡାହାଣ): ‘ଆମେ ଜାଣୁନାହିଁ କ’ଣ କରିବାକୁ ହେବ… ଏହି ପ୍ରଥମ ଥର ପାଇଁ ଆମେ ଚାଷ କରୁଛୁ’।

୨୦୧୮ ମେ’ରେ ସଙ୍ଗୀତା ରାଜ୍ୟ ସରକାରଙ୍କ ଜମି କ୍ରୟ ଏବଂ ଜମି ବିତରଣ ଯୋଜନା (ଏଲ୍‌ପିଏସ୍‌) ଅଧୀନରେ ତିନି ଏକର ଜମି ପାଇଥିଲେ।୨୦୧୪ ମସିହାରେ କୃଷି ଉପରେ ନିର୍ଭରଶୀଳ ପରିବାରର ଭୂମିହୀନ ଦଳିତ ମହିଳାମାନଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। କରାଞ୍ଜି ଗ୍ରାମ ଦଳିତ ସମୂହର ୩୪୦ଜଣଙ୍କର ଘର, ସେମାନଙ୍କ ମଧ୍ୟରୁ ୧୭୦ଜଣ ମହିଳା। ସେମାନଙ୍କ ମଧ୍ୟରୁ ୪୦ଜଣ ପୂର୍ବତନ ଯୋଜନା ଅଧୀନରେ ସେମାନେ ଜମି ପାଇଛନ୍ତି କିମ୍ବା ସେମାନଙ୍କ ପରିବାର କୌଣସି ଜମି କିଣିଛନ୍ତି ଏହା ଉପରେ ନିର୍ଭର କରି ତିନି ଏକର କିମ୍ବା ତା’ ଠାରୁ କମ୍‌ ପାଇଛନ୍ତି।

ଯେତେବେଳେ ସଙ୍ଗୀତା ଚାଷ କରିବା ପାଇଁ ଜମି ପାଇଲେ, ସେ ଏବଂ ଗଜାନନ- ସେମାନଙ୍କର ତିନି ସନ୍ତାନ, ୧୬ବର୍ଷ ବୟସ୍କା ସୌନ୍ଦର୍ଯ୍ୟା, ୧୪ ବର୍ଷୀୟା ବୈଷ୍ଣବୀ ଏବଂ ୧୨ ବର୍ଷୀୟ ତନୁସା ଉଦ୍‌ବିଗ୍ନ ହୋଇଗଲେ।  ‘‘କୃଷି ଶ୍ରମିକ ହୋଇଥିବାରୁ କେମିତି ଚାଷ ପ୍ରକ୍ରିୟା କରାଯାଏ ଆମେ ଜାଣିନଥିଲୁ। ଆମେ କେବଳ ଜାଣିଥିଲୁ ମାଲିକ ଆମକୁ ଯେଉଁ କାମ ଦେଉଛନ୍ତି, ତାହା କିପରି କାର୍ଯ୍ୟକାରୀ କରିବୁ।’’

କିନ୍ତୁ ବର୍ଷା କୁନ୍ତାଓ୍ୱାର ପରିବାରର ଆଶାକୁ ଧୋଇନେଲା। ୩୫ ବର୍ଷୀୟା ସଙ୍ଗୀତା କୁହନ୍ତି, ‘‘ଆମେ ଜାଣିନୁ କ’ଣ କରିବୁ… ଏଥର ପ୍ରଥମ ଥର ପାଇଁ ଆମେ ଚାଷ କରିଥିଲୁ। ମତେ ଲାଗୁଛି ଯେମିତି ବନ୍ୟା ଆମ ପାଟିରେ କାଦୁଅ ଭର୍ତ୍ତି କରିଦେଇଛି’’।

ସଙ୍ଗୀତା ଏହି ଜମିର ସତ୍ତ୍ଵାଧିକାର ଏପର୍ଯ୍ୟନ୍ତ ପାଇନାହାନ୍ତି- ପଟ୍ଟାଦାର ପାସ୍‌ବୁକ୍‌, କୌଣସି ବ୍ୟକ୍ତି (ପଟ୍ଟାଦାର)ର ମାଲିକାନାରେ ଥିବା ଜମିର ବିବରଣୀ ଥିବା ଏକ ଛୋଟ ବନ୍ଧେଇ ବହି। ରାଜସ୍ୱ ବିଭାଗରେ ରେକର୍ଡ ଗୁଡ଼ିକର ଡିଜିଟାଲାଇଜେସନ ଏହି ବିଳମ୍ବ ପାଇଁ ଗୋଟିଏ କାରଣ ହୋଇପାରେ।

ଏହାର ଅର୍ଥ ଜୁନ୍‌ ମାସରେ କପା ଫସଲ ବୁଣିବା ସମୟରେ ସେ ବ୍ୟାଙ୍କ ଫସଲ ଋଣ ପାଇଁ ଯୋଗ୍ୟ ନଥିଲେ କିମ୍ବା ତେଲେଙ୍ଗାନା ସରକାରଙ୍କ ରାୟତୁ ବନ୍ଧୁ (କୃଷି ପୁଞ୍ଜି ବିନିଯୋଗ ସହଯୋଗ ଯୋଜନା)ର ସହଯୋଗ ପାଇଁ ଯୋଗ୍ୟ ନଥିଲେ। ତେଲେଙ୍ଗାନା ସରକାରଙ୍କ ରାୟତୁ ବନ୍ଧୁ ଯୋଜନାରେ ପ୍ରତ୍ୟେକ ମଞ୍ଜିବୁଣା ଋତୁରେ ସେ ଏକର ପିଛା ଟ ୪,୦୦୦ ଲେଖାଏଁ ପାଇପାରିଥାନ୍ତେ। ଜମିର ସତ୍ତ୍ୱାଧୀନକାର ବିନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଫସଲ ବୀମା ହରାଇଲେ ଏବଂ ରାୟତୁ ବୀମା ଅଧୀନରେ କୃଷକଙ୍କ ଜୀବନ ବୀମା ମଧ୍ୟ ହରାଇଲ।।

ସଙ୍ଗୀତା କୁହନ୍ତି, ‘‘ଆମେ ଗୁଡେମ୍‌ ଦଲାରୀ (ଗାଁ’ ସାହୁକାର)ଙ୍କଠାରୁ ଟ ୩୦,୦୦୦ ଉଧାର କଲୁ। ସେ ଏବଂ ଗଜାନନ ଜମି ସଫା କରିବା, ହଳ କରିବା, ବିହନ, ସାର ଏବଂ କୀଟନାଶକ ସ୍ପ୍ରେ କିଣିବାରେ ଏହି ଅର୍ଥ ଖର୍ଚ୍ଚ କଲେ। ଏହା ପରେ ସେ ଋଣ ଏବଂ ସୁଧ କାଟି ବଳକା ଅର୍ଥ ପରିଶୋଧ କରିଥାନ୍ତେ। କିନ୍ତୁ ସମୁଦାୟ ଫସଲ ନଷ୍ଟ ହୋଇଗଲ’’।  ସଙ୍ଗୀତା ଜାଣନ୍ତି ନାହିଁ ସୁଧ ହାର କେତେ କିନ୍ତୁ ଏଠାରେ ଅନ୍ୟମାନେ କୁହନ୍ତି ୭-୮ମାସ ଫସଲ ଋତୁ ପାଇଁ ଏହି ସୁଧ ହାର ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ। ଗୋଟିଏ ଭଲ ବର୍ଷରେ-ଯେତେବେଳେ କୌଣସି ପ୍ରତିକୂଳ ଜଳବାୟୁ ସ୍ଥିତି ନଥାଏ, ପୋକ ଆକ୍ରମଣ ନଥାଏ ଏବଂ ଉପଯୁକ୍ତ ସର୍ବନିମ୍ନ ସମର୍ଥନ ମୂଲ୍ୟ ଥାଏ- ଗୋଟିଏ ଏକର ୧୦ କ୍ୱିଣ୍ଟାଲ କପା ଦିଏ ଏବଂ ଜଣେ ଚାଷୀ ଟ୨୨,୦୦୦ ଲାଭ ପାଏ। ଏହା ପରିବର୍ତ୍ତେ କରାଞ୍ଜି ଗ୍ରାମରେ ସମସ୍ତ ୪୦ଜଣ ଦଳିତ ମହିଳା ଯେଉଁମାନେ କି ଏଲ୍‌ପିଏସ୍‌ ଅଧୀନରେ ଜମି ପାଇଥିଲେ ସେମାନେ ଚଳିତବର୍ଷ ନିଜର ଫସଲ ହରାଇଛନ୍ତି।

କୃଷିବିଭାଗ ଦ୍ୱାରା କରାଯାଇଥିବା ପ୍ରାଥମିକ ସର୍ଭେରୁ ଜଣାପଡିଛି, ୭୩ଜଣ କୃଷକ ଏବଂ ୩୨୩ ଏକର ଜମି କରାଞ୍ଜି ଗ୍ରାମରେ ପ୍ରଭାବିତ ହୋଇଛି। ସମୁଦାୟ ଜୈନାଦ ମଣ୍ଡଳରେ ବନ୍ୟା ୫୮୪୫ କୃଷକ ଏବଂ ୨୧,୨୬୦ ଏକରକୁ ପ୍ରଭାବିତ କରିଛି।

The damaged fields in Karanji village. The LPS beneficiaries’ lands were perpendicular to the canal. As the spread of the flood was larger, almost everything was washed away
PHOTO • Harinath Rao Nagulavancha
The Sathnala dam
PHOTO • Harinath Rao Nagulavancha

ବାମ: କରାଞ୍ଜି ଗ୍ରାମର ଏକ ବନ୍ୟା କ୍ଷତିଗ୍ରସ୍ତ ଜମି। ନୂତନ ଜମି ମାଲିକମାନଙ୍କର କିଆରୀ କେନାଲ ସହ ସମକୋଣରେ ରହିଛି ଏବଂ ପ୍ରାୟ ସବୁକିଛି ଧୋଇ ଯାଇଛି। ଡାହାଣ: ସାତନଳା ଜଳଭଣ୍ଡାର ପୂର୍ଣ୍ଣ ଥିବା ସମୟରେ ୨୫ଟି ଗ୍ରାମର ୨୪,୦୦୦ ଏକର ପର୍ଯ୍ୟନ୍ତ ଜମିକୁ ଜଳସେଚିତ କରିପାରିବ।

ଅଗଷ୍ଟ ମାସର ଆଦ୍ୟ ଭାଗରେ ଗଜାନନ ଏବଂ ସଙ୍ଗୀତା ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କର କରାଞ୍ଜି ଶାଖାରୁ ଏକ ଋଣ ପାଇଁ ଆବେଦନ କରିଥିଲେ। ସେମାନେ ଜମି ପଞ୍ଜିକରଣ ବିବରଣୀ (ତେଲେଙ୍ଗାନା ଅନୁସୂଚିତ ଜମି ସମବାୟ ବିକାଶ ନିଗମ ଠାରୁ ମିଳିଥିବା) ଏବଂ ଏମ୍‌ଆର୍‌ଓ (ମଣ୍ଡଳ ରାଜସ୍ୱ ଅଧିକାରୀ)ଙ୍କଠାରୁ ଏକ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନେ ଟ ୬୦,୦୦୦ର ଏକ ଋଣ ଗ୍ରହଣ କରିଥିଲେ।

ଗଜାନନ କୁହନ୍ତି, ‘‘ଆମେ ଭାବୁଛୁ ରବି ଋତୁରେ ମଟର ଚାଷ କରିବୁ [ଚଳିତମାସ, ଅକ୍ଟୋବରରୁ ଆରମ୍ଭ ହେଉଥିବା] ଏବଂ ଶୁଖିଲା ଗଛ କାଢ଼ୁଛୁ। ଆମକୁ ଆହୁରି ଅର୍ଥ ଋଣ କରିବାକୁ ହେବ।’’ ତାଙ୍କର ଆଶା ଭଲ ମଟର ଅମଳ ଦ୍ୱାରା ସେ କପା ଚାଷରେ ହୋଇଥିବା ଖର୍ଚ୍ଚ ଏବଂ ମଟର ଚାଷରେ ହୋଇଥିବା ନିବେଶ ଅର୍ଥ ଭରଣା କରିପାରିବେ।

ଏଲ୍‌ପିଏସ୍‌ ଅଧୀନରେ, ଗ୍ରହଣକାରୀ ଜମିର ସ୍ଥାନ ଚୟନ କରିପାରିବେ। କରାଞ୍ଜିରେ କେବଳ କେନାଲ ନିକଟସ୍ଥ ଜମି ଉପଲବ୍ଧ ଥିଲା। ‘‘ଥାଲ୍ଲାପେଲି ପୋଚନ୍ନା, କୁହନ୍ତୁ, ‘‘ଆମେ ସମସ୍ତେ ଏହି ଜମି ବାଛିଥିଲୁ, ଏହା ଖୁବ୍‌ ଉର୍ବର। ପ୍ରତିବର୍ଷ  ଦ୍ଵିତୀୟ ଋତୁରେ ମଧ୍ୟ ଆମେ ଆମର ଫସଲକୁ ଜଳସେଚିତ କରିପାରିବୁ। ଏହି କାରଣରୁ ଆମେ ଜମି ନେଇ ଖୁବ୍‌ ଖୁସି ଥିଲୁ।’’ ତାଙ୍କ ପତ୍ନୀ ଥାଲାପେଲ୍ଲୀ କବିତା ଏଲ୍‌ପିଏସ୍‌ ଅଧୀନରେ ଆବଣ୍ଟିତ ଜମି ପାଇଥିବା ୪୦ଜଣ ଦଳିତ ମହିଳାଙ୍କ ମଧ୍ୟରୁ ଜଣେ।

ଏଲ୍‌ପିଏସ୍‌ ଅଧୀନରେ ଜମି ପାଇଥିବା ଚେନ୍ନୁର ଶ୍ରୀଲତାଙ୍କ ସ୍ୱାମୀ ଚେନ୍ନୁର ଗଙ୍ଗାନ୍ନା କହିଥିଲେ, ‘‘ବନ୍ୟା ପୂର୍ବ ପର୍ଯ୍ୟନ୍ତ ଏହି [କପା] ଗଛଗୁଡ଼ିକ ଯଥେଷ୍ଟ ପାଣି ପାଇଥିଲେ। ଆମେ ପ୍ରାର୍ଥନା କରିଥିଲୁ ଯେ, ଗୁଲାବି ପୁରୁଗୁ [ଗୋଲାପୀ ବଲଓ୍ୱାର୍ମ] ଫସଲକୁ ଆକ୍ରମଣ ନ କରୁ। ଯଥେଷ୍ଟ ପାଣି ଏବଂ ପୋକ ନଥିବା କାରଣରୁ ଆମେ ଭଲ ଅମଳ ପାଇବୁ। କିନ୍ତୁ ଆମେ କ’ଣ କରିପାରିବୁ। ଯଦି ଫସଲ ନାହିଁ ଅତି କମ୍‌ରେ ଜମି ତ ଅଛି।’’

ନିଜନିଜର କାହାଣୀ କହିବା ପାଇଁ ଏକତ୍ର ହୋଇଥିବା କୃଷକମାନଙ୍କ ମଧ୍ୟରୁ  ଜଣେ କହିଥିଲେ, ‘‘ଏହି ଜମି ଆମକୁ ହତାଶ କରିବନି। ଏ ବର୍ଷ ନହେଲେ ବି ଆମର ଆଶା ପରବର୍ତ୍ତୀ ବର୍ଷ ଭଲ ଅମଳ ଦେବ।  ନିର୍ବାଚନ ପରି ଆମେ ୫ବର୍ଷରେ ଥରେ ବିଭିନ୍ନ ପରିମାଣର ବନ୍ୟାକୁ ସାମ୍ନା କରୁ। ଆମେ ଏହାକୁ ସାମ୍ନା କରିବୁ।’’

Left: Mentham Pentamma  and Mentham Suresh of Syedpur village were hoping to fund their daughter's education with the profit from the cotton harvest, but lost their entire crop.
PHOTO • Harinath Rao Nagulavancha
 As did Bavne Bhim Rao, who is now  working as a labourer, spraying pesticides
PHOTO • Harinath Rao Nagulavancha

ବାମ: ସୟଦପୁର ଗ୍ରାମର ମେନ୍ଥାମ ପେଣ୍ଟାମ୍ମା ଏବଂ ମେନ୍ଥାମ ସୁରେଶ କପା ଅମଳ ଲାଭରୁ ସେମାନଙ୍କ ଝିଅର ପାଠପଢ଼ା ପାଇଁ ଅର୍ଥ ଯୋଗାଡ଼ କରିବେ ବୋଲି ଆଶା କରିଥିଲେ, କିନ୍ତୁ ସେମାନେ ସମୁଦାୟ ଫସଲ ହରାଇଲେ।  ଡାହାଣ: ଠିକ୍‌ ସେମିତି ଭାବନେ ଭୀମରାଓ, ଯିଏ କି ବର୍ତ୍ତମାନ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରି କୀଟନାଶକ ସ୍ପ୍ରେ କରୁଛନ୍ତି

ଜଳଭଣ୍ଡାରର ଉପରମୁଣ୍ଡରେ ପୂର୍ବ ପାଖରେ ଥିବା ଗ୍ରାମଗୁଡ଼ିକରେ ମଧ୍ୟ ଏହି ବିପର୍ଯ୍ୟୟ କିଛି କମ୍‌ ନୁହେଁ। ବେଲା ମଣ୍ଡଳର ସୟଦପୁର ଗ୍ରାମର ଜନସଂଖ୍ୟା ପ୍ରାୟ ୧,୭୦୦। ଏହା କରାଞ୍ଜିଠାରୁ ମାତ୍ର ୩୦ କିଲୋମିଟର ଦୂର। ଏଠାରେ ଫସଲ ସହ ଚାଷ ଯୋଗ୍ୟ ଜମି ମଧ୍ୟ ଧୋଇ ଯାଇଛି। ଅଧିକାଂଶ ଜମିରେ ଏବେ ଗୋଡି ବିଛେଇ ହୋଇ ରହିଛି।

ଏଗୁଡ଼ିକ ମଧ୍ୟରେ ଅଛି ୩୫ବର୍ଷ ବୟସ୍କ ମେନ୍ଥାନ ସୁରେଶଙ୍କ ଜମି। ପ୍ରତିବର୍ଷ ସେ ନିଜର ୩ଏକର ଜମିରେ ଏବଂ ୧୦ଏକର ଭାଗ ଜମିରେ କପା ଚାଷ କରନ୍ତି। କିନ୍ତୁ ଚଳିତବର୍ଷ ସେ ଅତିରିକ୍ତ ୧୨ଏକର ନେଇଥିଲେ। ଆଶା କରିଥିଲେ ପୂର୍ବ ତୁଳନାରେ ଅଧିକ ଆୟ ହେବ। ସେ ଏହି ଲାଭ ଝିଅର ଶିକ୍ଷା ପାଇଁ ଉପଯୋଗ କରିବାକୁ ଯୋଜନା କରିଥିଲେ। କିନ୍ତୁ ବର୍ଷା ପରିବାର ପାଇଁ ସବୁକିଛି ଉପରତଳ କରିଦେଲା। ଲାଭ ବଦଳରେ ତାଙ୍କ ଋଣ ୮.୮ ଲକ୍ଷକୁ ବୃଦ୍ଧି ପାଇଲା। ତାଙ୍କୁ ସୁଧ ମଧ୍ୟ ଦେବାକୁ ହେବ।

ସୁରେଶଙ୍କ ପତ୍ନୀ ପେଣ୍ଟାମ୍ମା କୁହନ୍ତି, ‘‘ମୋ ବଡ଼ ଝିଅ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ରଖିଛି ଏବଂ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଛି। ମୁଁ ମୋ ସ୍ୱାମୀଙ୍କୁ କେନାଲ ପାଖରେ ଥିବା ଜମି [ଭାଗ ପାଇଁ] ଜମି ଚୟନ କରିବାକୁ କହିଲି ଯେମିତିକି ଆମେ ଫସଲ ଜଳସେଚିତ କରିପାରିବୁ ଏବଂ କିଛି ଅଧିକ ଅର୍ଥ ରୋଜଗାର କରି ତା’ର ଦେୟ ଦେଇପାରିବୁ।’’

ସୟଦପୁର ଭାବନେ ଭୀମରାଓଙ୍କ ଜମି ମଧ୍ୟ ଏହି ବନ୍ୟାରେ ନଷ୍ଟ ହୋଇଯାଇଥିଲା। ତାଙ୍କର ୭ଏକର ଜମି ମଧ୍ୟରୁ ୩ଏକର ଧୋଇଗଲା। ଗୋଟିଏ ଏକରର ଫସଲ [କପା] ଉଜୁଡିଗଲା ଏବଂ ବଳକା ଜମିର ଫୁଲ [କପା] ଧୋଇଗଲା। ସେ କୌଣସି ସାହୁକାର ପାଉନାହାନ୍ତି ଯେ କି ତାଙ୍କୁ ଋଣ ଦେବାକୁ ଇଚ୍ଛା କରିବ। ତେଣୁ ଭୀମରାଓ ଏବେ ବର୍ତ୍ତମାନ ଜଣେ କୃଷି ଶ୍ରମିକ ଭାବରେ କାମ କରୁଛନ୍ତି ଏବଂ କୀଟନାଶକ ସ୍ପ୍ରେ କରି ଦିନକୁ ଟ୨୦୦  ରୋଜଗାର କରୁଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଉଜ୍ଜଲାଙ୍କର ୧୪ମାସର ଶିଶୁ କନ୍ୟା ଜୟଶ୍ରୀ ଅଛି।

ଯଦି ରାଜ୍ୟ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ଗ୍ରହଣ କରେ ତେବେ କିଛି ଆଶ୍ୱସ୍ତି ଆସିପାରେ। କୃଷକମାନେ ରାଜ୍ୟ ବିପର୍ଯ୍ୟୟ ପ୍ରତିକାର ପାଣ୍ଠି ଅଧୀନରୁ ଅମଳ ହେବାକୁ ଥିବା ପସଲ ନଷ୍ଟ ପାଇଁ ଏକର ପିଛା ଟ୨୭୨୦ ଏବଂ ଆବର୍ଜନା ଅପସାରଣ ପାଇଁ ଟ ୪,୮୮୦ କ୍ଷତିପୂରଣ ପାଇପାରିବେ। ସଙ୍ଗୀତା କୁହନ୍ତି, ‘‘ଅଧକାରୀମାନେ ଆମର ଫସଲ ନିରୀକ୍ଷଣ କଲେ, ସେମାନେ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ, ଆମକୁ କ୍ଷତିପୂରଣ ମିଳିବ।’’ ସେ ଏବଂ ଆଦିଲାବାଦର ଅନ୍ୟ ଚାଷୀମାନେ ଅପେକ୍ଷା କରିଛନ୍ତି ଏବଂ ଆଶା କରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha