ଭଙ୍ଗା ବଙ୍ଗଳା ଭାଷାରେ ମୁରଲୀ କହିଲେ, “ସବ୍ ମାଛ ଶେଷ’’ (ସବୁ ମାଛ ଶେଷ)’’, ସେ ଉଦାସ ଥିଲେ କିନ୍ତୁ ହସୁଥିଲେ । ସେ ଆହୁରି କହିଲେ, “ସବ୍ କିଛୁ ଡିଫରେଣ୍ଟ (ସବୁ ଜିନିଷ ବଦଳିଯାଇଛି)’’ । ପୂର୍ବରୁ ଆମେ ଦୁଇବର୍ଷ ତଳେ ଜଲଧା ଗାଁ ନିକଟରେ ଥିବା ରାମନଗର ମାଛ ବଜାର ପାଖରେ ଭେଟ ହୋଇଥିବା ବେଳେ ସେବେଠାରୁ ଏବେକାର ପରସ୍ଥିତି ବଦଳିଯାଇଛି ବୋଲି ସେ କହିଲେ। ବଙ୍ଗୋପସାଗରରେ ମୁରଲୀ ଯେଉଁ ମାଛଗୁଡ଼ିକୁ ଦେଖିଥିଲେ ତାର ସଂଖ୍ୟା କମୁଛି ।

ସମୁଦ୍ର ମଝିରେ ଏକ ‘କାଳ ଜୋନ୍’ କଥା ସେ କହୁଥିଲେ । ୨୦୧୭ରେ ବୈଜ୍ଞାନିକମାନେ ଏହି ସମୁଦ୍ର ମଧ୍ୟରେ ଏକ ‘ମୃତ ଅଞ୍ଚଳ’ ବା ୬୦,୦୦୦ ବର୍ଗ କିମିର ଏକ ଜୋନ୍ ବୃଦ୍ଧି ହେଉଥିବାର ରିପୋର୍ଟ ଦେଇଥିଲେ। ସେହି ଅଞ୍ଚଳରେ ଖୁବ୍ କମ୍ ଅମ୍ଳଜାନ ଥିବାବେଳେ ସେଠାରେ ନାଇଟ୍ରୋଜେନ୍‌ର ସ୍ତର କମୁଛି ଏବଂ ସେଠାରେ ପ୍ରାୟ କୌଣସି ପ୍ରକାର ସାମୁଦ୍ରିକ ଜୀବ ବସବାସ କରୁନାହାନ୍ତି । ରିପୋର୍ଟ ଅନୁସାରେ ସ୍ୱାଭାବିକ ପ୍ରକ୍ରିୟା ଏବଂ ମଣିଷର ହସ୍ତକ୍ଷେପର ଏହା ଫଳାଫଳ ।

ମୁରଲୀ (ତାଙ୍କର ସାଙ୍ଗିଆ ଆମେ ଜାଣୁନାହିଁ) ଯିଏକି ବେସ୍ତା ମାଛଧରା ସଂପ୍ରଦାୟର ବାସିନ୍ଦା ସେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଗୋଭୁଣ୍ଡଲାପାଲେମ୍ ଗାଁ (ଜନଗଣନାରେ ଗୁଣ୍ଡଲାପାଲେମ୍ ଭାବେ ପରିଚିତ)ରେ ବଡ଼ ହୋଇଥିଲେ । ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ସେ ଅକ୍ଟୋବର-ମାର୍ଚ୍ଚ ମାସ ଯାଏ ମାଛଧରା ଋତୁରେ ବଙ୍ଗୋପସାଗର କୂଳରେ ଥିବା ପୂର୍ବ ମେଦିନାପୁର ଜିଲ୍ଲାର ରାମନଗର ବ୍ଲକର ଜାଲ୍‌ଧା ଗାଁକୁ ଯାଉଛନ୍ତି । ବିଗତ ବର୍ଷ ମଧ୍ୟରେ ସେ କିଛି ବଙ୍ଗଳା ଭାଷା ଶିଖିଯାଇଛନ୍ତି, ତାକୁ ସେ ହିନ୍ଦୀ ଏବଂ କିଛି ଇଂରାଜୀ ସହ ମିଶାଇ କହୁଛନ୍ତି ।

ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଉପକୂଳରେ ଥିବା ଅନେକ ବନ୍ଦରରେ ମୁରଲୀଙ୍କର ପରିବାର ଏବଂ ବନ୍ଧୁମାନେ ଅଛନ୍ତି । ସେ ଖୁସିରେ କହିଲେ “ଜାଫନାରୁ ଜମ୍ବୁଦ୍ୱୀପ ଯାଏ ସମସ୍ତେ ହେଉଛନ୍ତି ପରିବାର ।’’ ସେ ମୋତେ ଏ ସଂପର୍କରେ ଅଧିକ କିଛି କହିଲେ ନାହିଁ, କିନ୍ତୁ ତାଙ୍କର ବନ୍ଧୁ ସ୍ୱପନ ଦାସଙ୍କ ସହ ପରିଚିତ କରାଇଦେଲେ-ପ୍ରାୟ ୪୦ ବର୍ଷୀୟ ମୂରଲୀ କହିଲେ “ଏଇ ଆମାର ଭାଇ (ସେ ମୋ ଭାଇ)’’ ।

Murali
PHOTO • Neha Simlai
An owner-captain of a modified fishing boat, Sobahan Shordaar guides his boat FB Manikjaan through the waters of coastal Bangladesh
PHOTO • Neha Simlai

ମୂରଲୀ (ବାମ) କହିଲେ ୨୦୦୦ ମସିହାର ଆରମ୍ଭରୁ ଏଠାରେ କାମ କରିବା କଷ୍ଟକର ହୋଇପଡ଼ିଛି । ସେ ଏବଂ ଅନ୍ୟମାନେ ଋତୁକାଳୀନ ଭାବେ ମାଛଧରା ଡଙ୍ଗା (ଡାହାଣ)ରେ କାମ ପାଇଁ ଉଦ୍ୟମ କରିଥାନ୍ତି ଯେପରିକି ଏହି ଡଙ୍ଗାର ମାଲିକ ହେଉଛନ୍ତି ସୋବହନ୍ ସର୍ଦ୍ଦାର।

୩୫ ବର୍ଷୀୟ ସ୍ୱପନ ମଧ୍ୟ ବହୁତ ବୁଲିଛନ୍ତି । ଏହି ବଜାରରେ ଥିବା ଅନେକ ଦେଶାନ୍ତରୀମାନଙ୍କ ମଧ୍ୟରେ ଏହି ଦୁଇଜଣ ସାମିଲ । ସେମାନେ ମାଛଧରା ଡଙ୍ଗାଗୁଡ଼ିକରେ କର୍ମଚାରୀ ଭାବେ ଦୈନିକ ମଜୁରୀ ଓ ଖାଦ୍ୟ ବିନିମୟରେ କାମ କରିଥାନ୍ତି । ଅକ୍ଟୋବର-ମାର୍ଚ୍ଚ ମାସ ମଧ୍ୟରେ ମାଛଧରା ଋତୁରେ ସେମାନେ ମାସିକ ୩,୦୦୦-୧୦,୦୦୦ ଟଙ୍କା ପାଇଥାନ୍ତି । (ଟଙ୍କାର ପରିମାଣ ମାଛ ଧରିବା ଉପରେ ନିର୍ଭର କରେ) ।

ଆମେ ତିନି ଜଣଯାକ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାରେ ଥିବା ଅବଜଖାଲି ଗାଁ ଅଭିମୁଖେ ଧୀରେ ଧୀରେ ବାହାରିଲୁ । ପ୍ରଥମେ ଏକ ବସ୍ ଏବଂ ପରେ ବୋଟ୍‌ରେ ଯାତ୍ରା କଲୁ, ରାସ୍ତାରେ ଜମ୍ବୁଦ୍ୱୀପ (ଜନଗଣନାରେ ଜମ୍ମୁ ଦ୍ୱୀପ ଭାବେ ପରିଚିତ)ରେ ଅଟକିଲୁ । ଆମେ ମାଛଧରା ଏବଂ ପ୍ରସିଦ୍ଧ ନାଲି କଙ୍କଡ଼ା ଦେଖିବା ଲାଗି ଅବଜଖାଲି ଯାଉଥିଲୁ, ସେ ବିଷୟରେ ସର୍ଭେ କରିବାକୁ ମୁଁ ସେଠାକୁ ଯାଇଥିଲି। ସାଗର ଦ୍ୱୀପ ଏବଂ ଫ୍ରାସରଗୁଞ୍ଜ ଦ୍ୱାରା ପରିବେଷ୍ଟିତ ଜମ୍ବୁଦ୍ୱୀପ ବର୍ଷର ଅଧା ସମୟରେ ଜନଶୂନ୍ୟ ରହିଥାଏ । ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଏହା ମାଛଧରା କ୍ୟାମ୍ପ ପାଲଟିଯାଏ । ଉପମହାଦେଶର ବିଭିନ୍ନ ଭାଗରୁ ଆସିଥିବା ମାଛଧରାଳୀମାନେ ଏହାକୁ ଅଧିକାର କରି ନିଅନ୍ତି । ଯେତେବେଳେ ମୁଁ ସ୍ୱପନଙ୍କୁ କେବେ ଘରକୁ ଫେରିବ ବୋଲି ପଚାରିଲି ସେ ହସିଲେ ଏବଂ କହିଲେ, “କିନ୍ତୁ ଏହା ମୋର ଘର ।’’

ଏହି ସାମୟିକ ମାଛଧରା କାମ ଏବଂ ମାଛଧରାଳୀମାନଙ୍କର ସାମୟିକ ଘରକୁ ସ୍ଥାନୀୟ ଭାଷାରେ ଶବର ବୋଲି କୁହାଯାଉଛି । ଦୀର୍ଘ ଦିନ ହେଲା ମତ୍ସଜୀବୀ ସଂପ୍ରଦାୟର ଏହି ଦେଶାନ୍ତରୀମାନେ ଜମ୍ବୁଦ୍ୱୀପ ପରି ତଳିଆ ଦ୍ୱୀପରେ ଅସ୍ଥାୟୀ ଗାଁ ପ୍ରତିଷ୍ଠା କରିଛନ୍ତି। ଏହି ପ୍ରତି ମାଛଧରାଳୀଙ୍କ ଗାଁ କେତେଗୁଡ଼ିଏ ଖୁଣ୍ଟି ବା ୟୁନିଟକୁ ନେଇ ଗଠିତ; ପ୍ରତ୍ୟେକ ଖୁଣ୍ଟିର ଜଣେ ‘ମାଲିକ’ ରହିଛନ୍ତି ଯିଏକି ୧-୧୦ଟି ମାଛଧରା ଡଙ୍ଗା ପାଇଁ ଦାୟୀ । ସେମାନେ ଯେଉଁଠାରୁ ଆସିଥାଆନ୍ତୁନା କାହିଁକି ଏହି ମାଛଧରାଳୀମାନେ ସମସ୍ତେ ପରସ୍ପରକୁ ଭଲଭାବେ ଜାଣନ୍ତି, ଅଧିକାଂଶ ସମୟରେ ସେମାନଙ୍କର ପୂରା ପରିବାର ନିକଟବର୍ତ୍ତୀ ଅଞ୍ଚଳରୁ ଏଠାକୁ ଡଙ୍ଗାରେ ସଦସ୍ୟ ଭାବେ କାମ କରିବା ବା ପବନରେ ମାଛ ଶୁଖାଇବାକୁ ପଳାଇ ଆସିଥାନ୍ତି ।

ମୂରଲୀ ଏବଂ ସ୍ୱପନ କହିଲେ, କଡ଼ା ସୀମା ନିୟନ୍ତ୍ରଣ ଯୋଗୁ କିନ୍ତୁ ୨୦୦୦ ମସିହା ଆରମ୍ଭରୁ ଏଠାରେ ମାତ୍ର କିଛି ମାସ ଧରି ରହିବା କଷ୍ଟକର ହୋଇପଡ଼ୁଛି । ସେହିପରି ବୋଟ୍‌ରେ କାମ ପାଇବା ଆଉ ସହଜ ହେଉନାହିଁ । ମୂରଲୀ କହିଲେ, “ମାଛ ଆଉ ନାହାନ୍ତି, ଏବେ ଏଠାରେ ଅଧିକ ପୁଲିସ ଅଛନ୍ତି (ପାଟ୍ରୋଲିଂ ପାଇଁ) ତେଣୁ କାମ ଶେଷ ହୋଇଯାଇଛି ।’’

Fishing boats engaged in sabar near Jambudwip
PHOTO • Neha Simlai
The Indian Sundarbans
PHOTO • Neha Simlai

ବାମ: ମାଛଧରାଳୀ ସଂପ୍ରଦାୟର ଲୋକମାନେ ଜମ୍ବୁଦ୍ୱୀପ କରି ଦ୍ୱୀପରେ ଅସ୍ଥାୟୀ ଘର ତିଆରି କରୁଛନ୍ତି । ଡାହାଣ: କିନ୍ତୁ ସୁନ୍ଦରବନରେ ସାଧାରଣତଃ ଦେଖାଯାଉଥିବା ମାଛ ଆଉ ମିଳୁନାହାନ୍ତି ।

‘ମୃତ ଅଞ୍ଚଳ’ ଏବଂ ମାଛ ସଂଖ୍ୟା କମିବା ବ୍ୟତୀତ ସେ ଏବଂ ଅନ୍ୟ ମତ୍ସ୍ୟଜୀବୀମାନଙ୍କ ପାଇଁ ଗଭୀର ସମୁଦ୍ରରେ ଚୀନ୍, ସିଙ୍ଗାପୁର ଏବଂ ଅନ୍ୟ ସ୍ଥାନରୁ ଆସିଥିବା ବ୍ୟାବସାୟିକ ଟ୍ରଲର ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରିବା କଷ୍ଟକର ହୋଇପଡୁଛି । ୧୯୯୦ର ଶେଷାର୍ଦ୍ଧରୁ ସାମୁଦ୍ରିକ ମାଛଧରାର ବ୍ୟବସାୟୀକରଣ ହେବାରେ ବୃଦ୍ଧି ଘଟିବା ଯୋଗୁ ମାଛ ସଂଖ୍ୟା ମଧ୍ୟ କମୁଛି । ତେଲ ଦର ମଧ୍ୟ ବଢୁଛି, ଯାହାଫଳରେ ଛୋଟ ଡଙ୍ଗା ଚଳାଇବା ଅଧିକ ବ୍ୟୟବହୁଳ ହୋଇଯାଉଛି । ମୂରଲୀ କହିଲେ, “ସବୁ କିଛି ବଦଳିଯାଇଛି... ସମୁଦ୍ର, ମାଛ, ଆମ କାମ...ସବୁକିଛି ।’’

ସ୍ୱପନ କହିଲେ କିଭଳି ବିଦେଶୀ ଟ୍ରଲରମାନେ ସେମାନଙ୍କର ନିଜ କ୍ର୍ୟୁ ବା ମାଛଧରା ସଦସ୍ୟଙ୍କୁ ନେଇ ଆସୁଛନ୍ତି ଏବଂ ସେମାନଙ୍କ ଜାଲରେ ଯାହା ଲାଗିଲା ସମୁଦ୍ରଶଯ୍ୟାରୁ ସବୁ କିଛି ନେଇଯାଉଛନ୍ତି । ସେ ଲକ୍ଷ୍ୟ କରୁଛନ୍ତି ଯେ କିଛି ସାମୁଦ୍ରିକ ପ୍ରଜାତିକୁ ଏବେ ଆଉ ଦେଖିବାକୁ ମିଳୁନି । ତାଜା ପାଣିରେ ଦେଖାଯାଉଥିବା ଚାପିଲା, ମୋଲା, କାଜଲି ଏବଂ ବତାସୀ ଭଳି ଯେଉଁ ମାଛଗୁଡ଼ିକ ସୁନ୍ଦରବନରେ ଅଧିକ ଦେଖାଯାଉଥିଲେ ସେମାନଙ୍କ ସଂଖ୍ୟା ମଧ୍ୟ ଖୁବ୍ ଦ୍ରୁତ ଗତିରେ ହ୍ରାସ ପାଉଛି ।

ଆକ୍ୱାଟିକ୍ ଇକୋସିଷ୍ଟମ୍ ହେଲ୍‌ଥ ଆଣ୍ଡ ମ୍ୟାନେଜମେଣ୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଗଙ୍ଗା-ବ୍ରହ୍ମପୁତ୍ର ତ୍ରିକୋଣଭୂମିରେ ମାଛଚାଷ ପାଇଁ ବ୍ୟବହାର କରାଯାଉଥିବା ନଦୀ ଓ ହ୍ରଦର ତାପମାତ୍ରାରେ ୦.୫ ଡିଗ୍ରୀରୁ ୧.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିଛି । ଏହା କେବଳ ମାଛଧରିବା ନୁହେଁ, ମତ୍ସ୍ୟଜୀବୀ ସଂପ୍ରଦାୟର ରୋଜଗାର ଉପରେ ପ୍ରଭାବ ପକାଇଛି ଯେଉଁମାନଙ୍କର ଅନ୍ୟ ଜୀବିବା ଅବଲମ୍ବନର ଖୁବ୍ କମ୍ ବିକଳ୍ପ ପନ୍ଥା ରହିଛି । ସେମାନେ ଏବେ ଅନ୍ୟ ବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି ଏବଂ କାମ ପାଇଁ ବାହାରକୁ ଯାଉଛନ୍ତି ।

ଯଦିଓ ମତ୍ସ୍ୟଜୀବୀମାନେ ସେମାନଙ୍କ ଚାରିପଟେ କ’ଣ ଘଟୁଛି ତାକୁ ବର୍ଣ୍ଣନା କରିବା ଲାଗି ପରିବେଶ ପରିବର୍ତ୍ତନ ଭଳି ଶବ୍ଦ ବ୍ୟବହାର କରିପାରୁନାହାନ୍ତି ତେବେ ସେମାନେ ଯେଉଁଠାରେ ରହୁଛନ୍ତି, ସେମାନେ ଯାହା ଖାଉଛନ୍ତି ଏବଂ ସେମାନେ ଯେପରି ରୋଜଗାର କରୁଛନ୍ତି ତା’ ଉପରେ ଏହାର ପ୍ରଭାବ ଅନୁଭବ କରିପାରୁଛନ୍ତି । ଚଳିତବର୍ଷ ମୂରଲୀ ବୁଝିଯାଇଛନ୍ତି ଯେ ଶବର ଆଉ ତାଙ୍କୁ ସୁବିଧା ହେବନାହିଁ । ମାଛ ଧରିବା ପାଇଁ ତାଙ୍କୁ ଅନ୍ୟ କେଉଁ ସ୍ଥାନକୁ ଯିବାକୁ ପଡ଼ିବ । ସ୍ୱପନଙ୍କ ପାଇଁ ପାରମ୍ପରିକ ମାଛ ଧରିବା ହେଉଛି ତାଙ୍କର ଏକମାତ୍ର ଦକ୍ଷତା ଏବଂ ସେ ଜାଣିଛନ୍ତି ଯେ କିଛି ବର୍ଷ ମଧ୍ୟରେ ଏହାଯୋଗୁ ତାଙ୍କୁ କିଛି ମିଳିବ ନାହିଁ । ସେ ମଧ୍ୟ ନିଶ୍ଚିତ ନାହାନ୍ତି ଯେ ଆସନ୍ତା ବର୍ଷ ଏଠାକୁ ଫେରିବେ କି ନାହିଁ । କିମ୍ବା ଏହା ପରେ କୌଣସି ମାଛଧରା ଋତୁ ହେବ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Neha Simlai

ନେହା ସିମଲାଇ ଦିଲ୍ଲୀସ୍ଥିତ ଜଣେ କନସଲଟାଣ୍ଟ, ଯିଏକି ଦକ୍ଷିଣ ଭାଗରେ ଏନଭାଇରୋନମେଣ୍ଟାଲ ସଷ୍ଟେନାବିଲିଟି ଏବଂ କନଜରଭେସନ୍ ବା (ପର୍ଯ୍ୟାବରଣ ସ୍ଥିରତା ଓ ସଂରକ୍ଷଣ) ଉପରେ କାମ କରୁଛନ୍ତି ।

Other stories by Neha Simlai