ଏହା ଆଖପାଖରେ କିଛି ନଥିବା ସ୍ଥାନରେ ଝାଟିମାଟି କାନ୍ଥ ଦିଆ ଯାଇଥିବା ଏକ ଛୋଟ ଚା’ ଦୋକାନ । ସାମ୍ନାରେ ସାଦା କାଗଜରେ ହାତରେ ଲେଖାଯାଇଛି:

ଅକ୍ଷରା କଳା ଓ କ୍ରୀଡ଼ା ପାଠାଗାର

ଇରୁପ୍ପୁକାଲ୍ଲାକୁଡ଼ି

ଇଦାମାଲାକୁଡ଼ି

PHOTO • p. sainath

୭୦ ଦଶକରେ ପାଦ ଦେଇଥିବା ପି.ଭି. ଚିନ୍ନାଥାମ୍ବି କେରଳର ଇଡ଼ୁକି ପାହାଡ଼ରେ ଏକ ପାଠାଗାର ପରିଚାଳନା କରନ୍ତି ।

ଗୋଟେ ଲାଇବ୍ରେରୀ? ଇଡ଼ୁକି ଜିଲ୍ଲାର ଜଙ୍ଗଲ ଓ ଜଙ୍ଗଲି  ପରିବେଶ ମଧ୍ୟରେ? ଭାରତର ସର୍ବାଧିକ ସାକ୍ଷର ରାଜ୍ୟ କେରଳର ସର୍ବନିମ୍ନ ସାକ୍ଷର ଅଞ୍ଚଳ ଏହା । ଏହା ରାଜ୍ୟର ପ୍ରଥମ ନିର୍ବାଚିତ ଆଦିବାସୀ ଗ୍ରାମ ପରିଷଦ ସ୍ଥାପିତ ହୋଇଥିବା ଜନପଦ । ମାତ୍ର ୨୫ଟି ପରିବାର ବାସ କରନ୍ତି ଏଠାରେ। ଯଦି ଆଉ କେହି ଏଠାରୁ ବହି ଉଧାର ନେବାକୁ ଚାହିଁବେ ତେବେ ସେମାନଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ପାହାଡ଼ି ରାସ୍ତା ଚଢ଼ି ଆସିବାକୁ ହେବ। ସେମାନେ ପ୍ରକୃତରେ ଏହା କରିବେ କି ?

“ହଁ ସେମାନେ ଏହା କରନ୍ତି,” କୁହନ୍ତି ୭୩ ବର୍ଷ ବୟସ୍କ ଚିନ୍ନାଥାମ୍ବି। ସେ ଏକାଧାରରେ ଜଣେ ଚା’ ଦୋକାନୀ, ସ୍ପୋର୍ଟସ୍ କ୍ଲବ୍ ଆୟୋଜକ ଏବଂ ଗ୍ରନ୍ଥାଗାରିକ । ଚା’, ‘ମିକ୍ସଚର୍’, ବିସ୍କୁଟ୍, ଦିଆସିଲି ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରୀ କରୁଥିବା ତାଙ୍କ ଛୋଟ ଦୋକାନଟି ଇଡ଼ାମାଲାକୁଡ଼ିର ପାହାଡ଼ିଆ ରାସ୍ତା ମଧ୍ୟରେ ରହିଛି। ଏହା କେରଳର ସବୁଠାରୁ ଦୂରନ୍ତ ଗ୍ରାମ ପଞ୍ଚାୟତ, ଯେଉଁଠାରେ ଗୋଟିଏ ମାତ୍ର ଆଦିବାସୀ ଗୋଷ୍ଠି, ମୁଥାଭାନ୍ ମାନେ ରୁହନ୍ତି । ସେଠାକୁ ଯିବାର ଅର୍ଥ ମୁନ୍ନାର ନିକଟସ୍ଥ ପେଟ୍ଟିମୁଡ଼ିରୁ୧୮ କିଲୋମିଟର ଚାଲିବା।  ଚିନ୍ନାଥାମ୍ବିଙ୍କ ଚା’ ଦୋକାନ ଲାଇବ୍ରେରୀରେ ପହଞ୍ଚିବା ଅର୍ଥ ଆହୁରି ଅଧିକ ଚାଲିବା। ଯେତେବେଳେ ଆମେ ତାଙ୍କ ଘରେ ପହଞ୍ଚିଲୁ ସେତେବେଳେ ତାଙ୍ଗ ପତ୍ନୀ କାମରେ ବାହାରକୁ ଯାଇଥିଲେ । ସେମାନେ ମଧ୍ୟ ମୁଥାଭାନ୍ ।

ମୁଁ ଦ୍ୱନ୍ଦରେ ପଚାରିଲି , “ଚିନ୍ନାଥାମ୍ବି” ! ମୁଁ ଚା’ ପିଇଲି । ସବୁ କିଛି ଦେଖିଲି । କିନ୍ତୁ ତୁମ ଲାଇବ୍ରେରୀ କାହିଁ?” ସେ ତାଙ୍କର ସେହି ଚିରାଚରିତ ଖୋଲା ହସ ହସିଲେ ଏବଂ ଆମକୁ ଛୋଟ ଘର ଭିତରକୁ ନେଇଗଲେ । ଗୋଟିଏ ଅନ୍ଧାରିଆ କୋଣରୁ ଦୁଇଟି ବଡ଼ ଝୋଟ ବ୍ୟାଗ୍ କାଢ଼ିଲେ । ଏସବୁ ବ୍ୟାଗରେ ୨୫ କେ.ଜି. ବା ତା’ଠାରୁ ଅଧିକ ଚାଉଳ ଧରିବ । ବ୍ୟାଗ୍ ଦୁଇଟିରେ ୧୬୦ ଖଣ୍ଡ ବହି ଥିଲା, ଏହା ତାଙ୍କର ସମୁଦାୟ ସଂଗ୍ରହ । ସେ ଏହାକୁ ଯତ୍ନର ସହ ଚଟେଇ ଉପରେ ସଜାଡ଼ି ରଖିଲେ । ପ୍ରତିଦିନ ଲାଇବ୍ରେରୀର କାର୍ଯ୍ୟ ନିର୍ଘଣ୍ଟରେ ସେ ଏହା ହିଁ କରିଥା’ନ୍ତି ।

ଆମ ଦଳର ଆଠଜଣ ଯାକ ଉତ୍ସୁକତାର ସହ ବହି ଘାଣ୍ଟିବାରେ ଲାଗିଲେ । ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ଉନ୍ନତ ସାହିତ୍ୟ ଥିଲା । ଏପରିକି ରାଜନୈତିକ ପୁସ୍ତକଗୁଡ଼ିକ ମଧ୍ୟ । କୌଣସି ଥ୍ରୀଲର୍, ବେଷ୍ଟ ସେଲର୍ କିମ୍ବା ପ୍ରଲୁବ୍ଧକାରୀ ବହି ନଥିଲା । ସେ ମଧ୍ୟରେ ତାମିଲ୍ ପୁରାଣ କାବ୍ୟ ଶିଳାପ୍ପଥିକରଣମର ମାଲାୟଲମ୍ ଅନୁବାଦ ଥିଲା । ଏ ମଧ୍ୟରେ ଭୈକମ୍ ମହମ୍ମଦ ବଶୀର୍, ଏସ୍.ଟି. ବାସୁଦେବନ୍ ନାୟାର୍, କମଲା ଦାସ ଆଦିଙ୍କର ବହି ଥିଲା । ଏହା ଛଡ଼ା ଏମ୍. ମୁକୁନ୍ଦନ୍, ଲଲିଥାମ୍ବିକା ଅନ୍ଥର୍ଜାନମ୍ ଏବଂ ଅନ୍ୟମାନଙ୍କର ବହି ଥିଲା । ମହାତ୍ମା ଗାନ୍ଧିଙ୍କ ଲେଖା ସହ ଜଣାଶୁଣା ଉଗ୍ର କଠୋରପନ୍ଥୀ ଲେଖକ ଥୋପିଲ୍ ବାସିଙ୍କ ‘ୟୁ ମେଡ଼୍ ମି ଏ କମ୍ୟୁନିଷ୍ଟ’ ବହି ମଧ୍ୟ ଥିଲା ।

ମୁଁ ପଚାରିଲି, “କିନ୍ତୁ ଚିନ୍ନାଥାମ୍ବି, ଏଠି ଲୋକମାନେ କ’ଣ ପ୍ରକୃତରେ ଏସବୁ ପଢ଼ନ୍ତି?” ଆମେ ସେତେବେଳକୁ ବାହାରେ ବସିଥିଲୁ । ଅନ୍ୟ ଅଧିକାଂଶ ଆଦିବାସୀ ଗୋଷ୍ଠୀ ପରି ମୁଥାଭାନ୍ ମାନେ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଏବଂ ଅନ୍ୟ ଭାରତୀୟଙ୍କ ତୁଳନାରେ ଅଧାରୁ ପାଠପଢ଼ା ଛାଡ଼ିବା ହାର ମଧ୍ୟ ଅଧିକ । ଉତ୍ତରରେ ସେ ତାଙ୍କ ରେଜିଷ୍ଟର କାଢ଼ିଲେ । କେଉଁ ବହି ଉଧାର ନିଆଯାଇଛି ଏବଂ ଫେରାଯାଇଛି ତାହାର ପରିଷ୍କାର ରେକର୍ଡ଼ ଏହା । ଏହି ଜନପଦରେ ମାତ୍ର ୨୫ଟି ପରିବାର ଥାଇପାରନ୍ତି ମାତ୍ର ୨୦୧୩ ମସିହାରେ ୩୭ଟି ବହି ଉଧାର ନିଆଯାଇଥିଲା । ଏହା ସମୁଦାୟ ବହି ସଂଖ୍ୟା ୧୬୦ର ପ୍ରାୟ ଏକ ଚତୁର୍ଥାଂଶ । ଏହା ଏକ ଭଲ ଅନୁପାତ । ଏହି ଲାଇବ୍ରେରୀର ସର୍ବକାଳୀନ ସଦସ୍ୟତା ଦେୟ ୨୫ ଟଙ୍କା ଏବଂ ମାସିକ ଦେୟ ୨ ଟଙ୍କା  । ବହି ଉଧାର ନେବା ପାଇଁ ଭିନ୍ନ ଦେୟ ନାହିଁ । ବିନା ଚିନିର ନାଲି ଚା’ ବି ମାଗଣା । “ଲୋକେ ପାହାଡ଼ରୁ ହାଲିଆ ହୋଇ ଏଠାକୁ ଆସନ୍ତି ।” କେବଳ ବିସ୍କୁଟ୍, ମିକ୍ସଚର୍ ଓ ଅନ୍ୟ ସାମଗ୍ରୀ ପାଇଁ ଅର୍ଥ ଦେବାକୁ ହୁଏ। ବେଳେ ବେଳେ କେହି ପରିଦର୍ଶକ ମାଗଣା ସାଦା ଭୋଜନ ପାଇ ଯାଆନ୍ତି ।

PHOTO • p. sainath

ଚିନ୍ନାଥାମ୍ବି ତାଙ୍କ ଲାଇବ୍ରେରୀକୁ ଜୀବିତ ରଖିଛନ୍ତି । ତାଙ୍କ ଅବହେଳିତ, ପଛୁଆ ବର୍ଗର ପାଠକମାନଙ୍କ ସାହିତ୍ୟ ଓ ପଠନ ଆଗ୍ରହ ପ୍ରତି ସହଯୋଗ ଦେଇଆସୁଛନ୍ତି।

ଉଧାର ନିଆଯାଇଥିବା ଏବଂ ଫେରାଯାଇଥିବା ତାରିଖ, ଉଧାର ନେଇଥିବା ପାଠକଙ୍କ ନାମ ଆଦି ପରିଷ୍କାର ଭାବରେ ତାଙ୍କ ରେଜିଷ୍ଟରରେ ଉଲ୍ଳେଖ ହୋଇଛି। ଇଲାଙ୍ଗୋଙ୍କ ଶିଲାପକପଥିକରଣମ୍ ଏକାଧିକ ଥର ଉଧାର ନିଆଯାଇଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ବହି ନିଆ ଯାଇସାରିଲାଣି  । ଏହି ଜଙ୍ଗଲ ମଧ୍ୟରେ ଉଚ୍ଚକୋଟୀର ସାହିତ୍ୟ ପ୍ରସ୍ଫୁଟିତ ହେଉଛି, ଯାହାକୁ ଏକ ପଛୁଆ ଆଦିବାସୀ ସମୂହ ଖୁବ୍ ଆଗ୍ରହରେ ପଢ଼ୁଛନ୍ତି । ଏହା ମନକୁ ଶାନ୍ତି ଦେଲା । ମୁଁ ଭାବୁଛି, ଆମମାନଙ୍କ ମଧ୍ୟରୁ ଅନେକେ ନିଜର ସହରୀ ପରିବେଶରେ ପଠନ ଅଭ୍ୟାସର ରୁଗ୍ଣ ସ୍ଥିତି ସମ୍ପର୍କରେ ଚିନ୍ତା କରୁଥିଲେ ନିଶ୍ଚୟ ।

ଆମ ଗୋଷ୍ଠୀ , ଯାହାର ଅଧିକାଂଶ ସଦସ୍ୟଙ୍କ ଜୀବିକା ଲେଖିବା ହିଁ  ଥିଲା, ଏହା ସେମାନଙ୍କ ଅଂହକୁ ଆହୁରି ଆଘାତ ଦେଉଥିଲା । ଆମ ସହ ଯାଇଥିବା କେରଳ ପ୍ରେସ୍ ଏକାଡ଼େମୀର ତିନି ଜଣ ସାମ୍ବାଦିକତା ଛାତ୍ରଙ୍କ ମଧ୍ୟରୁ ଅନ୍ୟତମ ବିଷ୍ଣୁ ଏସ୍. ଏ ମଧ୍ୟରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର ବହି ପାଇଲେ ।  ଏହା ଏକ ନୋଟ୍ ବୁକ୍ ଥିଲା ଯାହାର ପୃଷ୍ଠାରେ ହାତଲେଖା ଥିଲା । ଏଥିରେ କୌଣସି ନାମ ନଥିଲା, କିନ୍ତୁ ଏହା ଚିନ୍ନାଥାମ୍ବିଙ୍କ ଆତ୍ମ ଜୀବନୀ ଥିଲା । ସେ ଦୁଃଖତ ସ୍ୱରରେ କହିଲେ, ଅଧିକ ଲେଖିନି ଏଥିରେ । କିନ୍ତୁ ତାଙ୍କର ଲେଖା ଅବ୍ୟାହତ ଥିଲା । “କୁହ ଚିନ୍ନାଥାମ୍ବି, ଏଥିରୁ କିଛି ପଢ଼ି ଆମକୁ ଶୁଣାଅ ।” ଏହା ଦୀର୍ଘ ନଥିଲା ଏବଂ ଅସମ୍ପୂର୍ଣ୍ଣ ମଧ୍ୟ ଥିଲା ।  କିନ୍ତୁ ଗୋଟିଏ କାହାଣୀ ସୁନ୍ଦର ଭାବରେ କୁହାଯାଇଥିଲା । ଏହା ତାଙ୍କର ସାମାଜିକ ଏବଂ ରାଜନୈତକ ସଚେତନତାର ପ୍ରଥମ ଖିଅକୁ ଧରିଥିଲା । ଏହା ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧିଙ୍କ ହତ୍ୟା ଠାରୁ, ସେତେବେଳକୁ ଏହାର ଲେଖକ ମାତ୍ର ସାତ ବର୍ଷର ହୋଇଥିଲେ ଏବଂ ଏହାର ପ୍ରଭାବ ତାଙ୍କ ଉପରେ କିପରି ପଡ଼ିଥିଲା ଏହା ବ୍ୟାଖ୍ୟା କରିଥିଲା ତାଙ୍କ ଲେଖା ।

ଚିନ୍ନାଥାମ୍ବି କୁହନ୍ତି,  ସେ ଇଡ଼ାମାଲାକୁଡ଼ିକୁ ଫେରିବା ଏବଂ ଲାଇବ୍ରେରୀ ସ୍ଥାପିତ କରିବା ପାଇଁ ମୁରଲୀ ମାଷ୍ ଙ୍କ (ଶିକ୍ଷକ)ଠାରୁ ପ୍ରେରଣା ପାଇଥିଲେ । ମୁରଲୀ ‘ମାଷ୍’ ଏ ଅଞ୍ଚଳର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଏବଂ ଶିକ୍ଷକ  । ସେ ନିଜେ ଜଣେ ଆଦିବାସୀ, କିନ୍ତୁ ଭିନ୍ନ ସମୂହର । ଏହି ସମୂହ ଏହି ପଞ୍ଚାୟତ ବାହାରେ ମାନକୁଳମରେ ରୁହନ୍ତି । ସେ ନିଜ ଜୀବନର ଅଧିକାଂଶ ସମୟ ମୁଥାବାନମାନଙ୍କ ସହ ଓ ସେମାନଙ୍କ ପାଇଁ କାମ କରିବାରେ କଟାଇଛନ୍ତି । ଚିନ୍ନାଥାମ୍ବି କୁହନ୍ତି, “ମାଷ୍ ମତେ ଏହି ରାସ୍ତା ଦେଖାଇଥିଲେ ।” ସେ କୌଣସି ବିଶେଷ କାମ କରି ନଥିବା କହୁଥିବା ଚିନ୍ନାଥାମ୍ବି ପ୍ରକୃତରେ ବଡ଼ କାମ କରିଛନ୍ତି ।

ଇଡ଼ାମାଲାକୁଡ଼ି ସେହି ୨୮ଟି ଗ୍ରାମ ମଧ୍ୟରୁ ଅନ୍ୟତମ ଯାହାର ଜନସଂଖ୍ୟା ୨୫୦୦ରୁ କମ୍ । ସାରା ବିଶ୍ୱରେ ମୁଥାବାନ୍ ସମୂହର ଜନସଂଖ୍ୟା ବୋଧହୁଏ ଏତିକି। ଅତିବେଶୀରେ ୧୦୦ ଲୋକ ଇରୁପୁକାଲାକୁଡ଼ିରେ ରହୁଛନ୍ତି । ପ୍ରାୟ ୧୦୦ ବର୍ଗ କିଲୋମିଟର ଜଙ୍ଗଲ କ୍ଷେତ୍ରରେ ବ୍ୟାପ୍ତ ଇଡ଼ାମାଲାକୁଡ଼ି ପଞ୍ଚାୟତ ମଧ୍ୟ ରାଜ୍ୟର ସବୁଠାରୁ କମ୍  ଭୋଟର୍ ଥିବା ପଞ୍ଚାୟତ, ମାତ୍ର ୧୫୦୦ । ଫେରିବା ବେଳେ ଏହି ରାସ୍ତା ଆମକୁ ବଦଳାଇବାକୁ ପଡ଼ିଲା । ଆମେ ତାମିଲନାଡ଼ୁର ବଳପାରାଇକୁ ଯେଉଁ ସର୍ଟ କଟ୍ ରାସ୍ତା ବାଛିଥିଲୁ ଜଙ୍ଗଲୀ ହାତୀ ଦଳ ସେହି ରାସ୍ତାରେ ଯାଉଥିଲେ ।

ତଥାପି ଚିନ୍ନାଥାମ୍ବି ଏଠାରେ  ରହି ସବୁଠାରୁ ନିର୍ଜନ ପାଠାଗାର ଚଲାନ୍ତି  ଏବଂ ଏହାକୁ ସକ୍ରୀୟ ରଖି ଦୁର୍ବଳ ଲୋକଙ୍କ ପଠନ ଏବଂ ସାହିତ୍ୟିକ ଲାଳସା ଅତୁଟ ରଖିବା ଦିଗରେ କାମ କରୁଛନ୍ତି । ଏଥିସହ ସେମାନଙ୍କୁ ଚା.  ମିକ୍ସଚର୍ ଏବଂ ଦିଆସିଲି ଯୋଗାଉଛନ୍ତି । ଯଦିଓ ଆମେ ଖୁବ୍ ହଟ୍ଟଗୋଳ କରୁଥିବା ଗୋଷ୍ଠି ତଥାପି ଏହି ସାକ୍ଷାତ ଆମ ମନକୁ ଛୁଇଁଥିବାରୁ ଏବଂ ପ୍ରଭାବିତ କରିଥିବାରୁ ଆମେ ଚୁପ୍ ଚାପ୍ ଚାଲୁଥିଲୁ । ଆମ ଆଖି କଷ୍ଟକର ତଥା ଲମ୍ବା ରାସ୍ତା ଉପରେ ଥିଲା । ଆମ ମନରେ ଥିଲେ ଅନନ୍ୟ ଗ୍ରନ୍ଥାଗାରିକ ପି.ଭି. ଚିନ୍ନାଥାମ୍ବି ।

ଏହି ଲେଖା ପ୍ରଥମେ ମୂଳ ରୂପରେ http://psainath.org/the-wilderness-library/ ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath