ଡୋଙ୍ଗରପଦା ହେଉଛି ଉତ୍ତର ମୁମ୍ବାଇର ମଧ୍ଦ୍ୱୀପରେ ଥିବା ଏକ ଗାଓଥନ୍ (ପଲ୍ଲୀ)। ଏଠାରେ କୋଲି ସମ୍ପ୍ରଦାୟର ପ୍ରାୟ ୪୦- ୪୫ ପରିବାର ରୁହନ୍ତି । ସେମାନେ ଏକତ୍ରିତ ହୋଇ ଏକ ଖାଲା (ମାଛ ଶୁଖେଇବା ପାଇଁ ଏକ ସମତଳ ପଡିଆ)ର ପରିଚାଳନା କରନ୍ତି । ମଧ୍ରେ ଏହିପରି ଅନେକ ପଡିଆ ଅଛି ।

ପ୍ରାୟ ସମସ୍ତ କୋଲି ପରିବାର ୫ -୧୦ ଶ୍ରମିକ ନିୟୋଜିତ କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରୁ ଆସିଛନ୍ତି । ଏହି ପ୍ରବାସୀମାନେ ସାଧାରଣତଃ ସେପ୍ଟେମ୍ବରରୁ ଜୁନ୍ ମଧ୍ୟରେ ମୁମ୍ବାଇକୁ ଆସିଥାନ୍ତି । ସେମାନେ ଚୁକ୍ତି ଭିତ୍ତିରେ କୋଲିମାନଙ୍କ ସହିତ କାମ କରିଥାନ୍ତି ଓ ଆଠ ମାସରେ ପ୍ରାୟ ୬୫- ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରନ୍ତି ।

ସାଧାରଣତଃ ୪- ୫ ପ୍ରବାସୀ ପୁରୁଷ ଗୋଟିଏ ବଖରାରେ ମିଳିମିଶି ରୁହନ୍ତି-ଯାହା କୋଲି ପରିବାର ଯୋଗାଇଥାଏ । ଏଠାରେ ଥିବା ଅଧିକାଂଶ ସ୍ତ୍ରୀ ଆନ୍ଧ୍ର ପ୍ରଦେଶରୁ ଆସିଛନ୍ତି; ସେମାନେ ସେମାନଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ଆସନ୍ତି, ଯେଉଁଥିରେ ସେମାନଙ୍କ ପିଲାମାନେ ମଧ୍ୟ ସାମିଲ ଅଛନ୍ତି । ନିଯୁକ୍ତିଦାତା ଯେଉଁ ସ୍ଥାନରେ ରୁହନ୍ତି, ସେଠାରେ  ପ୍ରାୟ ୭୦୦ଟଙ୍କା ମାସିକ ଭଡ଼ାରେ ସେମାନଙ୍କୁ ରହିବାକୁ ସ୍ଥାନ ଯୋଗାଯାଇଥାନ୍ତି।

PHOTO • Shreya Katyayini

ରଙ୍ଗମ୍ମା (ଡାହାଣରେ, ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍ଜିଲ୍ଲାର ମନ୍ତ୍ରିକି ଗ୍ରାମରୁ ଆସିଛନ୍ତି । ସେ ତେଲୁଗୁ କହିବା ସହିତ ପରିଷ୍କାର ଭାବେ ମରାଠି ଓ ହିନ୍ଦି କହି ପାରନ୍ତି । ସେ ତାଙ୍କ ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଗତ ୨୦ବର୍ଷ ହେବ ମଧ୍କୁ ଆସୁଛନ୍ତି । କେବଳ ତାଙ୍କ ପୁଅ, ଯିଏ ଶିକ୍ଷକତା କରନ୍ତି, ସେ ଗ୍ରାମରେ ରୁହନ୍ତି । ସେଠାରେ ବର୍ଷା ହେଉନି’ ‘ଏଣୁ ସେଠାରେ ଚାଷକାମ କରିବା ସମ୍ଭବ ହେଉନାହିଁ । ଏଣୁ ଆମେ ଏଠାକୁ କାମ ପାଇଁ ଆସୁଛୁ’ ବୋଲି ସେ ହିନ୍ଦୀ ଭାଷାରେ କୁହନ୍ତି ।

PHOTO • Shreya Katyayini

ସୁରେଶ ରଜାକ୍, ଉତ୍ତର ପ୍ରଦେଶର ଜୋନ୍ପୁର ଜିଲ୍ଲା ଅନ୍ତର୍ଗତ ଧରମପୁର ଗ୍ରାମରୁ ଆସିଛନ୍ତି । ସେ ଥାନେ ଜିଲ୍ଲାର ଦୋମ୍ବିବାଲିରେ ଥିବା ଏକ ପେଣ୍ଟ ଫେକ୍ଟ୍ରିରେ ଗତ ସାତ ବର୍ଷ ଧରି କାମ କରୁଥିଲେ ଓ କିଛି ମାସ ପୂର୍ବେ ସେ ମଧ୍କୁ ଆସିଛନ୍ତି । ‘ମୋ ଗ୍ରାମର ଲୋକମାନେ ବହୁ ବର୍ଷ ହେବ ଏଠାକୁ ଆସୁଛନ୍ତି’, ବୋଲି ସେ କୁହନ୍ତି । ‘ଏଠାରେ କାମ ଓ ଟଙ୍କା ଭଲ ମିଳେ’ ।

PHOTO • Shreya Katyayini

ଜ୍ଞାନଚାନ୍ଦ ମୌର୍ଯ୍ୟ (ବାମ) ଧରମପୁରରୁ ଆସିଛନ୍ତି । ସେ ୨୦୧୬ରେ  ଦୋଙ୍ଗରପଡାକୁ  ଆସିବା ପୂର୍ବରୁ କେନ୍ଦ୍ର ମୁମ୍ବାଇର ସାତ ରାସ୍ତାରେ ଥିବା ଏକ କାଠଗୋଲା ୱାର୍କସପ୍ରେ କାମ କରୁଥିଲେ । ସେହି ଗ୍ରାମରୁ ଆସିଥିବା ଅନ୍ୟମାନଙ୍କ ମଧରେ ଅଛନ୍ତି  ସୁବେଦାର ଗୌତମ (ମଧ୍ୟ) ଗତ ପାଞ୍ଚ ବର୍ଷ ଧରି ଆସୁଛନ୍ତି; ଧୀରଜ ବିଶ୍ୱକର୍ମା (ଡାହାଣ) ୨୦ବର୍ଷ ବୟସ୍କ ଓ ଏବେ ମଧ୍ୟ ପାଠ ପଢୁଛନ୍ତି ଓ ପର୍ଯ୍ୟାୟକ୍ରମେ ପରୀକ୍ଷା ଦେବା ପାଇଁ ଜାଉନପୁର ଫେରନ୍ତି ।

PHOTO • Shreya Katyayini

‘ନକ୍ୟାମାନେ [ନିଯୁକ୍ତିଦାତାମାନେ] ବଡ ବଡ ଡଙ୍ଗାରେ ବସି ଯାଆନ୍ତି ଓ ସାରା ରାତି ଜାଲ ପକେଇ ମାଛ ଧରନ୍ତି,’ ବୋଲି ସୁରେଶ କୁହନ୍ତି। ପୂର୍ବାହ୍ନ ୩-୪ ଟା ମଧ୍ୟରେ, ବେତାର ୱାକିରେ ଡଙ୍ଗା ଆସି ପହଞ୍ଚିଛି ବୋଲି ଶୁଣୁ । ତା’ପରେ ଆମେ ଛୋଟ ଛୋଟ ଡଙ୍ଗାରେ ଯାଉ ଓ ଜାଲରେ ପଡିଥିବା ମାଛକୁ ଭୂମି ଉପରକୁ ଆଣୁ… ଆମ ଗ୍ରାମର କେହି ମଧ୍ୟ ମାଛ ଧରା ନୌକାରେ ଯିବାକୁ ଇଚ୍ଛା କରନ୍ତିନି । ଗଭୀର ସମୁଦ୍ରକୁ ଦେଖିଲେ ଆମର ଦେଖ ଅସୁସ୍ଥ ହୋଇଯାଏ। ଏଣୁ ନକ୍ୟାଙ୍କ ଉପରେ ଏହି କାମ ଛାଡିଦେବା ଭଲ ।

ଜାଲରେ ପଡିଥିବା ମାଛ ଆସି ପହଞ୍ଚିବା ପରେ ଏଗୁଡିକୁ ବାଛି ଅଲଗା କରିବା କାମ ଆରମ୍ଭ ହୋଇଥାଏ । ସେ ମୋତେ ଏକ ବାସ୍କେଟ ଦେଖାନ୍ତି ଓ କୁହନ୍ତି ‘ଏହି ଗଦାରେ ବଡଠାରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମାଛ, ଚିଙ୍ଗୁଡି ଓ ଏପରିକି ଅନାବଶ୍ୟକ ବସ୍ତୁ ମଧ୍ୟ ଅଛି । ଆମେମାନେ ସେଗୁଡିକୁ ଅଲଗା କରୁ । ଉତିର୍ଣ୍ଣ ଦ୍ୱିପହର ବେଳକୁ, ଜ୍ୱାଳା (ଛୋଟ ଚିଙ୍ଗୁଡି)କୁ ଶୁଖେଇବା ପାଇଁ ବିଛାଯିବା ଯୋଗୁଁ ପୂରା ପଡିଆ ଗୋଲାପି ବର୍ଣ୍ଣ ହୋଇଯାଏ ।

ଲତା କୋଲି (ବାମ) ଓ ରେସ୍ମା କୋଲି (କେନ୍ଦ୍ର) ଖଳାରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଅନ୍ୟତମ । କୋଲିମାନେ ସେମାନଙ୍କ ଶ୍ରମିକମାନଙ୍କୁ ‘ନୌକର ’[ଚାକର] ବୋଲି କହିଥାନ୍ତି – ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନ୍ତ୍ରୀକି ଗ୍ରାମର ମରିପ୍ପା ଭାରତୀ (ଡାହାଣ),’ ‘ଆମର ପରିବାର ୧୦ଜଣ ଶ୍ରମିକଙ୍କୁ ନିଯୁକ୍ତ ଦେଇଛି । ଆମେ (କୋଲିମାନେ )ଓ ସେମାନେ ଏକ ପ୍ରକାର କାମ କରୁ’ ବୋଲି ରେଶ୍ମା କୁହନ୍ତି । କୋଲିମାନଙ୍କ ମଧ୍ୟରେ ଏହି କାମ କରିବା ଲୋକ ସଂଖ୍ୟା କମ୍ ଥିବାରୁ ଓ ସେମାନଙ୍କ ପିଲାମାନେ ଅନ୍ୟ ଚାକିରିରେ ଯୋଗ ଦେବା ପାଇଁ ବାହାରକୁ ଚାଲି ଯାଉଥିବାରୁ ପ୍ରବାସୀମାନଙ୍କୁ ଏହି କାମରେ ସାମିଲ୍ କରି ସେମାନଙ୍କ ପରିଶ୍ରମ ଉପରେ ନିର୍ଭର କରିବାକୁ ପଡୁଛି  ।

PHOTO • Shreya Katyayini

ମହିଳା ଓ ପୁରୁଷମାନେ ମିଶି ବିଭିନ୍ନ ପ୍ରକାରର ମାଛ ଓ ଚିଙ୍ଗୁଡୁକୁ ବାଛି ଅଲଗା କରି ସାରିବା ପରେ, ସେଗୁଡିକୁ ବରଫ ଦେଇ ପ୍ୟାକ୍ କରାଯାଏ ଓ ଉତ୍ତର ମୁମ୍ବାଇରେ ଥିବା ମାଛ ବଜାରକୁ ନିଆଯାଏ । ସେଥିରୁ କିଛି ମାଛ ସୂର୍ଯ୍ୟ କିରଣରେ ଶୁଖିବା ପାଇଁ ବିଛେଇ ଦିଆଯାଏ । ପ୍ରାୟ ଅଧା ଦିନ ଶୁଖିବା ପରେ ଏଗୁଡିକୁ ଓଲଟା ଯାଏ, ଯାହା ଫଳରେ ସବୁଆଡୁ ତାହା ଭଲ ଭାବେ ଶୁଖି ପାରିବ ।

ଦାନେର୍ ଗାଣ୍ଡେଲ୍ ମଧ୍ୟ ମନ୍ତ୍ରୀକି ଗ୍ରାମରୁ ଆସିଛନ୍ତି, ସେ ବିକ୍ରି ହେବାକୁ ଥିବା ବା ପ୍ରଥମେ ଶୁଖେଇବା ପାଇଁ ରଖା ଯାଇଥିବା ସମସ୍ତ ମାଛ ଧୁଅନ୍ତି।

କିଛି ଶ୍ରମିକ ଦୁଇଟି ବମ୍ବୋଲି, ଯାହା ବମ୍ବେ ଡକ୍ ନାମରେ ଖ୍ୟାତର ପାଟିକୁ ପରସ୍ପର ସହିତ ବାନ୍ଧି ଓ ସେଗୁଡିକୁ ୱାଲାଣ୍ଡ (ବାଉଁଶର ଫ୍ରେମ୍)ରୁ ଓହଳାଇ ଶୁଖାଇଥାନ୍ତି । ସେଗୁଡିକୁ ପୂର୍ବ ଓ ପଶ୍ଚିମ ମୁହାଁ ରଖି ଶୁଖାଯାଏ, ଯାହାଫଳରେ ପ୍ରତ୍ୟେକ ପାଖ ସମ ପରିମାଣର ସୂର୍ଯ୍ୟକିରଣ ପାଇପାରିବ ।

କୁଆମାନଙ୍କୁ ଡରେଇବା ପାଇଁ ୱାଲାଣ୍ଡ୍ରେ କଳା ପ୍ଲାଷ୍ଟିକ୍ ବ୍ୟାଗ୍ଗୁଡିକ ବାନ୍ଧି ଦିଆଯାଏ ଯାହା କୁଆମାନଙ୍କ ମନର ସେଠାରେ ଅନ୍ୟ କୁଆ ଥିବା ଭ୍ରମ ସୃଷ୍ଟି କରେ । ଏହା ବେଳେ ବେଳେ ପ୍ରଭାବଶାଳୀ ହୋଇଥାଏ ।

ମାଛ ବାଛିବା ଓ ଶୁଖେଇବା କାମ ସରିଯିବା ପରେ ସେଦିନର ଅନ୍ୟ କାମ ମଧ୍ୟରେ କେବଳ ମାଛ ଧରିବା ଜାଲର ମରାମତି କାମ ବାକି ରହିଥାଏ । ଡୋମ୍ନିକ୍ କୋଲି, ୫୧, ଖଳାରେ ରହୁଥିବା ଜଣେ ବୟୋଜ୍ୟେଷ୍ଠ ଓ ସମ୍ମାନନୀୟ ବ୍ୟକ୍ତି, ଛଅ ଜଣଙ୍କୁ ନିୟୋଜିତ କରିଛନ୍ତି, ସମସ୍ତେ ପ୍ରବାସୀ ଓ ସେ ନିଜେ ସେହି ଶ୍ରମିକଙ୍କ ସହିତ ମିଶି ସବୁ କାର୍ଯ୍ୟ କରନ୍ତି- ନୌକାଚାଳନା, ମାଛ ଧରିବା, ଜାଲରେ ପଡିଥିବା ମାଛ ଶୁଖେଇବା ଓ ଜାଲର ମରାମତି କାମ । ଡୋଙ୍ଗରପଦାରେ ସେ ଓ ଅନ୍ୟ କୋଲି ପରିବାରଗୁଡିକ ଅବ୍ଦୁଲ୍ ରଜାକ୍ ସୋଲ୍କର୍ (ଉପର), ଯିଏ ଜାଲ ବୁଣନ୍ତି, ତାଙ୍କୁ କ୍ଷତିଗ୍ରସ୍ତ ହୋଇଥିବା ଜାଲ ମରାମତି କରିବା ପାଇଁ ଦିନକ ପାଇଁ କିଛି ମଜୁରି ଦେଇ ନିଯୁକ୍ତ କରିଛନ୍ତି । ସୋଲ୍କର ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ ରାଜାପୁର ତାଲୁକାରୁ ଆସିଛନ୍ତି । ‘ମୋର ବାପା ଜାଲ ବୁଣୁଥିଲେ ଓ ଏବେ ମୁଁ ମଧ୍ୟ ଏହା କରୁଛି,’ ବୋଲି ସେ କୁହନ୍ତି ।  ମୁଁ ଜଣେ ଦିନ ମଜୁରିଆ । ‘ଆଜି ମୁଁ ଏଠି ଅଛି, ଆସନ୍ତା କାଲି ଅନ୍ୟ କେଉଁଠିଥିବି ।'

ଶୁଖାଯାଉଥିବା ପଡିଆରେ ଏହି ସମସ୍ତ କାର୍ଯ୍ୟ ଚାଲୁଥିବା ବେଳେ, ଅନ୍ୟମାନେ ସେମାନଙ୍କ ନିଜ କାମରେ ବ୍ୟସ୍ତ ଅଛନ୍ତି  ଭୋକିଲା କୁଆ, କୁକୁର ଓ ବଗ ଆଦି ମାଛ ଗନ୍ଧରେ ଟାଣି ହୋଇ ଓ ସେଥିରୁ ଖଣ୍ଡେ ଝାମ୍ପି ନେବା ଆଶାରେ ସାରା ଦିନ ଖଳାର ଚତୁର୍ଦ୍ଦିଗରେ ଅଲକ୍ଷିତ ଭାବେ ଇତସ୍ତତଃ ହୋଇ ବୁଲୁଛନ୍ତି ।



ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shreya Katyayini

Shreya Katyayini is a Video Coordinator at the People's Archive of Rural India, and a photographer and filmmaker. She completed a master's degree in Media and Cultural Studies from the Tata Institute of Social Sciences, Mumbai, in early 2016.

Other stories by Shreya Katyayini