ସମୃଦ୍ଧି ଯୋଗୁଁ ଅଭିଭୂତ ହେବା ଅପେକ୍ଷାରେ ମହାରାଷ୍ଟ୍ରରେ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରୂପେ ତାଲିକାଭୁକ୍ତ କଟକରୀ ଆଦିବାସୀ ସଂପ୍ରଦାୟର ଜାନୁ ୱାଘେ ଓ ଅନ୍ୟ ୧୫ ଜଣ। ଖାଲି ଯାହା ସେମାନଙ୍କର କୌଣସି ସମୃଦ୍ଧି ହେବନାହିଁ। ରାଜ୍ୟ ସରକାରଙ୍କ ସମୃଦ୍ଧି ମହାମାର୍ଗ(‘ସମୃଦ୍ଧି ରାଜପଥ’) ଯୋଗୁଁ ଠାଣେ ଜିଲ୍ଲାରେ ଥିବା ସେମାନଙ୍କର କ୍ଷୁଦ୍ର ପଡ଼ାଗାଁଟି ଖୁବ୍ଶୀଘ୍ର ଧରାଶାୟୀ ହୋଇପାରେ ।

 “ଏଇଟି ମୋ ଘର। ମୁଁ ଏଠି ମୋର ପୂରା ଜୀବନ କାଟିଛି । ମୋ ବାପା ଏବଂ ଜେଜେବାପା ଏଠି ରହିଥିଲେ । ଏବେ ସେମାନେ (ମହାରାଷ୍ଟ୍ର ସରକାର) ଆମକୁ ଛାଡ଼ି ପଳାଇବାକୁ କହୁଛନ୍ତି। ଆମକୁ କୌଣସି (ଲିଖିତ) ନୋଟିସ୍ବି ଦିଆଯାଇନାହିଁ ।” ଏହା କହନ୍ତି ୪୨ ବର୍ଷୀୟ ଜାନୁ । “ଏଠାରୁ ଆମେ କୁଆଡ଼େ ଯିବୁ ? କୋଉଠି ଆମର ଘର ଗଢ଼ିବୁ ?”

ଭିୱାଣ୍ଡି ତାଲୁକାର ଚିରାଡ଼ପାଡ଼ା ଗାଁରୁ ପ୍ରାୟ ଅଧା କିଲୋମିଟର ଦୂରରେ ତାଙ୍କ ଘର। ବାଉଁଶ ତିଆରି କାନ୍ଥ ଥିବା ଛୋଟିଆ କୋଠରିଟିଏ। ଆରପାଖରେ ରୋଷେଇ ପାଇଁ ମାଟି ଚୁଲି ଥିବା କିଛି ଜାଗା। ଗୋବରରେ ଲିପା ଚଟାଣ, କାଠ ଖମ୍ବ ଉପରେ ଭରା ଦେଇଥିବା ଝାଟିମାଟିର କାନ୍ଥ ।

ଦିନେ ଛଡ଼ା ଦିନେ ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏ ଜାନୁ ମାଛ ଧରନ୍ତି। ମାଛ ବିକିବା ଲାଗି ମୁଣ୍ଡରେ ୫-୬ କିଲୋ ଓଜନ ବୋହି, ଅଣଓସାରିଆ ଖାଲଢ଼ିପ ଭରା ରାସ୍ତାରେ ଛ’ କିଲୋମିଟର ଚାଲି ଚାଲି ପଡ଼ଘା ସହରର ବଜାରକୁ ଯାଆନ୍ତି ତାଙ୍କ ସ୍ତ୍ରୀ ବାସନ୍ତୀ। ଚାରିଜଣିଆ ପରିବାର ପାଇଁ ମାସକରେ ପ୍ରାୟ ୧୫ ଦିନ ସେମାନେ ଦିନକୁ ୪୦୦ ଟଙ୍କା ରୋଜଗାର କରନ୍ତି । ମଝିରେ ମଝିରେ କାମ ମିଳିଲେ, ଉଭୟ ଜାନୁ ଓ ବାସନ୍ତୀ ଚିରାଡ଼ପାଡ଼ା ଆଖପାଖ ଚାଷଜମିରେ ଦିନ ମଜୁରିଆ ଭାବେ କାମ କରନ୍ତି । କାକୁଡ଼ି, ବାଇଗଣ, ଲଙ୍କାମରିଚ ଏବଂ ଅନ୍ୟ ପନିପରିବା ତୋଳି ଦିନକୁ ୨୫୦ ଟଙ୍କା ରୋଜଗାର କରନ୍ତି ।

Family standing outside their hut
PHOTO • Jyoti Shinoli
Hut
PHOTO • Jyoti Shinoli

ବାମ: ଜାନୁୱାଘେ, ବାସନ୍ତୀ ଏବଂ ସେମାନଙ୍କ ପିଲାମାନେ। ଡାହାଣ: ଚିରାଡ଼ପାଡ଼ାର ଚାରିଟି କୁଡ଼ିଆଘର ମଧ୍ୟରୁ ଗୋଟିଏ। “ଏଇଠୁ ଆମେ କୁଆଡ଼େ ଯିବୁ ?” ଜାନୁ ପଚାରନ୍ତି

ଏହି ପଡ଼ା ଗାଁର ଚାରିଟି କୁଡ଼ିଆ ଘରକୁ ପୂର୍ତ୍ତ ବିଭାଗ ଦ୍ଵାରା ସର୍ଭେ ନମ୍ବର ୨୧୦/୮୫ରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଯେଉଁ ଜମି ଉପରେ ଏହି ମାମୁଲି ଢାଞ୍ଚାଗୁଡ଼ିକ ଠିଆ ହୋଇଛି, ତାହା ଏକ ୬୦ ମିଟର ଓସାର ପୋଲ ତିଆରି ପାଇଁ ଖୁବ ଶୀଘ୍ର ଅଧିଗୃହୀତ ହେବ । ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମ (MSRDC) ଦ୍ଵାରା ୨୦୧୮ଜୁନ୍ମାସରେ କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରାଯାଇଥିବା ପରିବେଶଗତ ପ୍ରଭାବ ଆକଳନ (EIA) ରିପୋର୍ଟରୁ ଏତିକି ସ୍ପଷ୍ଟ ଜାଣିହୁଏ ।

ଏହି ୪୦୦ ମିଟର ଲମ୍ବା ପୋଲ ଚିରାଡ଼ପାଡ଼ା ଅତିକ୍ରମ କରି ଭାତ୍ସା ନଦୀର ପୂର୍ବ ଦିଗ ପର୍ଯ୍ୟନ୍ତ ଯିବ। ଏହା ଯେ କେବଳ ଜାନୁ ଓ ତାଙ୍କ ପଡ଼ୋଶୀମାନଙ୍କର ଘର ଛଡ଼ାଇ ନେବ ତାହା ନୁହେଁ, ଏହାସହିତ ସେମାନଙ୍କର ପାରମ୍ପରିକ ମାଛଧରା ଜୀବିକା ମଧ୍ୟ ଉଜାଡ଼ି ଦେବ ।

୨୦୧୮ ମସିହାରେ ଏଠାରେ ସର୍ଭେ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଅଧିକାରୀମାନେ ଏହି ଚାରିଟି ପରିବାରଙ୍କୁ ମୌଖିକ ଭାବେ ଜଣାଇ ଦେଇଥିଲେ ଯେ ୭୦୦ କିଲୋମିଟର ଲମ୍ବା ମହାମାର୍ଗ ପାଇଁ ସେମାନଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିବ। ଏହି ପରିବାରଗୁଡ଼ିକ ଏ ପର୍ଯ୍ୟନ୍ତ କୌଣସି ଲିଖିତ ନୋଟିସ୍ପାଇନାହାନ୍ତି। ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ୱେବ୍ସାଇଟ୍ ଅନୁସାରେ, ଏହି ‘ସମୃଦ୍ଧି’ ରାଜପଥ ୨୬ଟି ତାଲୁକାର ୩୯୨ଟି ଗାଁକୁ ସଂଯୋଗ କରିବ ଏବଂ ଏଥିପାଇଁ ପ୍ରାୟ ୨୫,୦୦୦ ଏକର ଜମି ଦରକାର ହେବ ।

୨୦୧୮ ଅକ୍ଟୋବର ମାସର ‘ସଂଯୁକ୍ତ ମାପ ସର୍ଭେ/ଜମି ସଂଗ୍ରହ’ ଶୀର୍ଷକ ସମୃଦ୍ଧି ପ୍ରକଳ୍ପର ଏକ ଦସ୍ତାବିଜ୍ଅନୁସାରେ ଏଥିରେ ଠାଣେ ଜିଲ୍ଲାର ୪୧ଟି ଗାଁରେ ଥିବା ୭୭୮ ହେକ୍ଟର ଜମି ରହିଛି, ଯାହାକି ୩,୭୦୬ କୃଷକଙ୍କୁ ପ୍ରଭାବିତ କରିବ ।

ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସହାୟତା ପାଇଁ ରାଜ୍ୟ ସରକାର ମହାରାଷ୍ଟ୍ର ରାଜପଥ ଆଇନ,୧୯୫୫ରେ କେତେକ ସଂଶୋଧନ କରିଛନ୍ତି ଏବଂ ଭୂମି ଅଧିଗ୍ରହଣରେ ଉଚିତ କ୍ଷତିପୂରଣ ଏବଂ ପାରଦର୍ଶିତା, ଥଇଥାନ ଓ ପୁନର୍ବାସ ଅଧିକାର ଆଇନ, ୨୦୧୩ ରେ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟକୁ ସୂଚାଉଥିବା ସଂଶୋଧନ କରିଛନ୍ତି । ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ମଧ୍ୟରେ ସାମାଜିକ ପ୍ରଭାବ ଆକଳନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ।

ଭିଡିଓ ଦେଖନ୍ତୁ: ଆମେ ଆମ ଘର ହରାଇବାକୁ ବସିଛୁ । ଆମେ କୁଆଡ଼େ ଯିବୁ ?

ଏହା ଫଳରେ ଭୂମିହୀନ ଶ୍ରମିକମାନଙ୍କର ପୁନର୍ବାସ ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇଛି ଏବଂ ଜାନୁ ଓ ତାଙ୍କ ପଡ଼ୋଶୀମାନଙ୍କ ପାଇଁ କୌଣସି କ୍ଷତିପୂରଣ ସଂପର୍କରେ ଏ ପର୍ଯ୍ୟନ୍ତ ବିଚାର ଚାଲିଛି। ଏକ ଟେଲିଫୋନ୍ସାକ୍ଷାତକାରରେ MSRDCର ଡେପୁଟି କଲେକ୍ଟର ରେବତୀ ଗାଇକର ମତେ କହିଲେ:“ମହାରାଷ୍ଟ୍ର ରାଜପଥ ଆଇନ ଅନୁସାରେ ଆମେ ଜମି ଅଧିଗ୍ରହଣ କରୁଛୁ । ଆମେ ପ୍ରଭାବିତ ପରିବାରମାନଙ୍କର ଥଇଥାନ କରିପାରିବୁ ନାହିଁ, କିନ୍ତୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।”

କିନ୍ତୁ ବାସନ୍ତୀଙ୍କର ସନ୍ଦେହ ହୁଏ । “ଯଦିବା ସେମାନେ (ସରକାର) ଆମକୁ ଆମ ଘର ନେଇ ଟଙ୍କା ଦିଅନ୍ତି, ଆମେ ଗୋଟିଏ ନୂଆ ଗାଁରେ କେମିତି ଘର କରି ରହିବୁ?” ସେ ପଚାରନ୍ତି । “ଆମକୁ ସେଠାକାର ଲୋକଙ୍କୁ ଜାଣିବାକୁ ପଡ଼ିବ। ତା’ହେଲ ଯାଇ ସେମାନେ ଆମକୁ ସେମାନଙ୍କ ଜମିରେ କାମ କରିବାକୁ ଦେବେ। ଏହା କ’ଣ ଏତେ ସହଜ? ଆମେ ଆଉ ମାଛଧରା କାମ କରିପାରିବୁ ନାହିଁ । ଆମେ କେମିତି ବଞ୍ଚି ରହିବୁ?”

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ପାଇଁ ଉଦ୍ଦିଷ୍ଟ ଖାଉଟି କାର୍ଡରେ ବାସନ୍ତୀ ପ୍ରତି ମାସରେ କିଲୋ ୩ ଟଙ୍କା ହିସାବରେ ୨୦ କିଲୋ ଚାଉଳ ଏବଂ କିଲୋ ୨ ଟଙ୍କା ହିସାବରେ ପାଞ୍ଚ କିଲୋ ଗହମ ପାଆନ୍ତି । ସେ କହନ୍ତି, “ଆମେ ଡାଲି କିଣିପାରୁନାହିଁ, ଆମେ ମାଛ ଓ ଭାତ ଖାଉ। ବେଳେବେଳେ ଆମେ କାମ ସାରିବା ପରେ ଜମି ମାଲିକଙ୍କଠାରୁ କିଛି ପରିବାପତ୍ର ମିଳିଯାଏ।” “ଆମେ ଏଠାରୁ ଚାଲିଗଲେ ଆଉ ମାଛ ଧରିପାରିବୁ ନାହିଁ”, କଥା ଆଗକୁ ବଢ଼ାନ୍ତି ଜାନୁ। “ମାଛ ଧରିବାର ଏହି ପରମ୍ପରା ଆମକୁ ଆମ ପୂର୍ବପୁରୁଷଙ୍କଠାରୁ ମିଳିଛି ।”

ତାଙ୍କ ପଡ଼ୋଶୀ ୬୫ ବର୍ଷର କାଶୀନାଥ ବାମ୍ନେ, ୨୦୧୮ ମସିହାର (ସେ ଭାବନ୍ତି ତାହା ମାର୍ଚ୍ଚ କିମ୍ବା ଏପ୍ରିଲ୍ମାସ ଥିଲା) ସେହି ଦିନକୁ ମନେ ପକାନ୍ତି, ଯେତେବେଳେ ଠାଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଚିରାଡ଼ପାଡ଼ା ଓ ଆଖପାଖ ଅଞ୍ଚଳର ଜମିର ସର୍ଭେ କରିଥିଲେ। “ମୁଁ ଦୁଆରବନ୍ଧରେ ବସିଥିଲି। ହାତରେ ଫାଇଲ୍ଧରି ୨୦-୩୦ଜଣ ଅଧିକାରୀ ଆସିଲେ । (ସେମାନଙ୍କ ଭିତରେ) ପୋଲିସକୁ ଦେଖି ଆମେ ଡରିଗଲୁ। ଆମେ ସେମାନଙ୍କୁ କିଛି ପଚାରି ପାରିଲୁନି । ସେମାନେ ଆମ ଘର ମାପଚୁପ କଲେ ଏବଂ ଆମକୁ ଘର ଖାଲି କରିବାକୁ ପଡ଼ିବ ବୋଲି କହିଲେ । ତା’ପରେ ସେମାନେ ଚାଲିଗଲେ । ଆମେ ଏଠାରୁ କେଉଁଠିକୁ ଯିବୁ ସେ ସଂପର୍କରେ ସେମାନେ କିଛି କହିଲେ ନାହିଁ।”

Old couple sitting on ground, looking at documents
PHOTO • Jyoti Shinoli
Old lady selling fishes
PHOTO • Jyoti Shinoli

ସେମାନଙ୍କ ଘରେ କାଶୀନାଥ ଏବଂ ଧ୍ରୁପଦା ୱାଘେ (ବାମ) ଏବଂ ପଡ଼ଘା ସହରର ବଜାରରେ ଧ୍ରୁପଦା ମାଛ ବିକୁଛନ୍ତି (ଡାହାଣ)

୨୦୧୮ଡିସେମ୍ବରରେ, ଠାଣେ ଜିଲ୍ଲା ଶାହପୁର୍ ତାଲୁକାର ଡାଲଖାନ୍ଗାଁ ଏବଂ କଲ୍ୟାଣ ତାଲୁକାର ଉଶିଦ ଓ ଫାଲେଗାଓଁ ଗାଁର ୧୫ ଜଣ କୃଷକଙ୍କ ସହିତ କାଶୀନାଥ ଠାଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଦିନିକିଆ ଅନଶନରେ ଭାଗ ନେଇଥିଲେ । କାଶୀନାଥ କହନ୍ତି, “ଜିଲ୍ଲାପାଳ ୧୫ ଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ହେଲାନାହିଁ ।” ସେମାନେ ଏବେ ବି ଏକ ଲିଖିତ ନୋଟିସ୍ଏବଂ କ୍ଷତିପୂରଣ ବାବଦରେ କେତେ ଟଙ୍କା ସେମାନେ ପାଇବେ ବୋଲି ଜାଣିବାକୁ ଅପେକ୍ଷା କରିଛନ୍ତି ।

କାଶୀନାଥ ଏବଂ ତାଙ୍କ ସ୍ତ୍ରୀ ଧ୍ରୁପଦା ବି ମାଛ ମାରିବା ଉପରେ ନିର୍ଭର କରନ୍ତି । ସେମାନଙ୍କର ତିନି ପିଲା ବାହା ହୋଇଯାଇଛନ୍ତି । ଦୁଇ ଝିଅ ଅନ୍ୟ ଗାଁରେ ରହନ୍ତି ଏବଂ ପରିବାର ସହିତ ତାଙ୍କ ପୁଅ ଚିରାଡ଼ପାଡ଼ା ମୁଖ୍ୟ ଗାଁରେ ରହନ୍ତି। ତାଙ୍କର ଭଙ୍ଗାରୁଜା କୁଡ଼ିଆ ଘରକୁ ଚାହିଁ ଧ୍ରୁପଦା କହନ୍ତି, “ଆମେ ଏତେ ରୋଜଗାର କରିପାରିଲୁନି ଯେ ଏହାର ମରାମତି କରିବୁ, କେବଳ ଯାହା ଆମ ପେଟ ପୂରାଇବାକୁ ଯଥେଷ୍ଟ । ପାଖରେ ନଈ ରହିଥିବାରୁ ବର୍ଷା ଦିନେ ଘରେ ବଢ଼ିପାଣି ପଶିଯାଏ । କିନ୍ତୁ ଯାହା ହେଉନା କାହିଁକି ଆମ ମୁଣ୍ଡ ଉପରେ ଛାତଟିଏ ଅଛି ।” ସେ ମତେ ଅନେକଗୁଡ଼ିଏ ରସିଦ ଦେଖାଇଲେ । ଗ୍ରାମ ପଞ୍ଚାୟତ (ଗ୍ରାମ ପରିଚାଳନା ପରିଷଦ)କୁ ତାଙ୍କ ପରିବାର ବାର୍ଷିକ ୨୫୮ରୁ ୩୫୦ ଟଙ୍କା ମଧ୍ୟରେ ଗୃହ ଟିକସ ପଇଠ କରନ୍ତି। “ଏହି ଘର ପଟ୍ଟି, ଲାଇଟ୍ବିଲ୍... ଏ ସବୁ ଆମେ ନିୟମିତ ଦେଇ ଆସୁଛୁ । ତଥାପି କ’ଣ ଆମେ ଆଉ ଏକ ଘର ପାଇବାକୁ ଯୋଗ୍ୟ ନୁହଁ ?”

୨୦୧୭ ଏପ୍ରିଲ ମାସରେ ୧୩୨୫ ଲୋକଙ୍କ ଗାଁ ଚିରାଡ଼ପାଡ଼ାରେ ବସିଥିବା ଏକ ଗ୍ରାମ ସଭାରେ ମହାମାର୍ଗକୁ ବିରୋଧ କରିବାକୁ ପ୍ରସ୍ତାବ ଜୃହୀତ ହୋଇଥିଲା । କିନ୍ତୁ ରିପୋର୍ଟରୁ ଜଣାଯାଏ ଯେ ସେହି ବର୍ଷ ମହାରାଷ୍ଟ୍ର ରାଜ୍ୟପାଳ ଏକ ବିଜ୍ଞପ୍ତି ଜାରି କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଲାଗି ଜମି ଅଧିଗ୍ରହଣ ସକାଶେ ଗ୍ରାମ ସଭା ପ୍ରସ୍ତାବର ଆବଶ୍ୟକତା ନାହିଁ । 

କୃଷକ ଓ ସାମାଜିକ କର୍ମୀମାନେ ଏହି ପଦକ୍ଷେପର ବିସ୍ତୃତ ସମାଲୋଚନା କରିଥିଲେ। “ଠାଣେ ଜିଲ୍ଲାର ୪୧ଟି ଗାଁର ଗ୍ରାମସଭାରେ ଏହି ପ୍ରକଳ୍ପକୁ ବିରୋଧ କରାଯାଇଥିଲା। ସରକାର ଜମି ଅଧିଗ୍ରହଣ ଆଇନର ସଂଶୋଧନ କରି ଗ୍ରାମ ସଭାରେ ଅନୁମତିର ଆବଶ୍ୟକତାକୁ ବାଦ ଦେଇଦେଲେ, ଯାହା କି କୃଷକ ଓ ଆଦିବାସୀଙ୍କ ଅଧିକାର ବିରୋଧୀ।” ଏହା କହନ୍ତି ଠାଣେର ଜଣେ ସାମାଜିକ କର୍ମୀ ଏବଂ ସମୃଦ୍ଧି ମହାମାର୍ଗ ଶେଟକାରୀ ସଂଘର୍ଷ ସମିତିର ଆବାହକ ବାବନ ହାମେ । “ସରକାର ଥଇଥାନ ପ୍ରକ୍ରିୟାକୁ ବାଦ ଦେଇଛନ୍ତି ଏବଂ ‘ଏ ପଇସା ନିଅ ଏବଂ ଛାଡ଼ି ଚାଲିଯାଅ’ ଢଙ୍ଗକୁ ଆପଣେଇ ନେଇଛନ୍ତି ।”

A family with their children in their house
PHOTO • Jyoti Shinoli
A man showing his house tax receipt
PHOTO • Jyoti Shinoli

ତାଙ୍କ ପରିବାର ସହ ବିଠଲ ୱାଘେ ଏବଂ ହାତରେ ଗୃହ ଟିକସ ରସିଦ ଧରିଛନ୍ତି (ଡାହାଣ) ଏବଂ ଆଶା କରନ୍ତି ଯେ ତାଙ୍କୁ ଓ ଅନ୍ୟମାନଙ୍କୁ ଆସନ୍ନ ଉଚ୍ଛେଦରୁ ରକ୍ଷା କରିବାରେ ଏହା ସାହାଯ୍ୟ କରିବ 

EIA ରିପୋର୍ଟ ଅନୁସାରେ ରାଜପଥ ପାଇଁ ଚିରାଡ଼ପାଡ଼ା ଗାଁରେ ୧୪ ହେକ୍ଟର ଜମି ଅଧିଗୃହୀତ ହେବ। ଏହା ବଦଳରେ ଜମି ମାଲିକଙ୍କୁ ହେକ୍ଟର (୧ ହେକ୍ଟର ହେଉଛି ୨.୪୭ ଏକର) ପିଛା ୧.୯୮ କୋଟି ଟଙ୍କା ହିସାବରେ ଦିଆଯିବ। ଏହା ବଜାର ଦରର ପାଞ୍ଚ ଗୁଣ ବୋଲି କହନ୍ତି MSRDCର ରେବତୀ ଗାଇକର । କିନ୍ତୁ ଯେଉଁ କୃଷକମାନେ ସେମାନଙ୍କ ଜମି ଦେବାକୁ ମନା କରିବେ ସେମାନେ ଚାଷଜମି ବାବଦରେ ୨୫ ପ୍ରତିଶତ କମ ପାଇବେ ବୋଲି ସେ ସୂଚାଇ ଦିଅନ୍ତି ।

 “ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଜମି ଛାଡ଼ି ଦେବାକୁ କୃଷକମାନଙ୍କୁ ବାଧ୍ୟ କରାଯିବ ନାହିଁ। କିନ୍ତୁ କେତେକ କ୍ଷେତ୍ରରେ ବିରୋଧ କଲେ କମ୍କ୍ଷତିପୂରଣ ମିଳିବ ବୋଲି ସେମାନେ ଧମକ ଦେଇଛନ୍ତି ଏବ ଆଉ କେତେକ କ୍ଷେତ୍ରରେ ଅଧିକ ଟଙ୍କାର ଲୋଭ ଦେଖାଇଛନ୍ତି ।” ଏହା କହନ୍ତି କପିଲ ଧାମ୍ନେ, ଯିଏ କି ତାଙ୍କର ଦୁଇ ଏକର ଚାଷଜମି ଏବଂ ଦୁଇ ମହଲା ଘର ହରାଇବେ। “ମୋ କ୍ଷେତ୍ରରେ ଜମି ଅଧିଗ୍ରହଣ ଅଧିକାରୀ କହିଲେ ଯେ ପ୍ରଥମେ ତୁମ ଚାଷଜମି ଦେଇଦିଅ, ତା’ହେଲେ ଯାଇ ତୁମ ଘର ପାଇଁ ତୁମେ ଟଙ୍କା ପାଇବ। ମୁଁ ଜମି ଦେବାକୁ ମନା କଲି ଏବଂ ଏବେ ସେମାନେ ବଳପ୍ରୟୋଗ କରି (ଅର୍ଥାତ୍, ବିନା ସମ୍ମତିରେ) ଅଧିଗ୍ରହଣ କରୁଛନ୍ତି।” ଦୁଇ ବର୍ଷ କାଳ ଜିଲ୍ଲାପାଳଙ୍କ ଅଫିସ୍କୁ ଦୌଡ଼ି ଏବଂ ବହୁସଂଖ୍ୟକ ଆବେଦନ ପତ୍ର ଦେବା ପରେ ୨୦୧୯ ଜାନୁଆରୀରେ ଧାମ୍ନେ ତାଙ୍କ ଘର ପାଇଁ କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପାଇଲେ। ତାଙ୍କ ଚାଷଜମି ପାଇଁ ସେ କେତେ ଟଙ୍କା କ୍ଷତିପୂରଣ ପାଇବେ ବୋଲି ସନ୍ଦେହରେ ଅଛନ୍ତି ।

ତାଙ୍କ ଚାଷଜମି ଦେବାକୁ ମନା କରି ଜିଲ୍ଲାପାଳଙ୍କ ଅଫିସ୍ରେ ଏକ ଆପତ୍ତିପତ୍ର ଦାଖଲ କରିଥିବା ଚିରାଡ଼ପାଡ଼ାର ଅନ୍ୟ ଜଣେ କୃଷକ ହରିଭାଇ ଧାମ୍ନେ  କହନ୍ତି,“ଆମର ୭/୧୨ରେ (ସାତ୍/ବାରା ଦଲିଲ ହେଉଛି ଜମି ରେକର୍ଡ ସଂପର୍କିତ ରାଜସ୍ଵ ବିଭାଗ ରେଜିଷ୍ଟାରର ଉଦ୍ଧୃତାଂଶ) ୧୦ରୁ ଅଧିକ ନାଁ ରହିଛି । କିନ୍ତୁ ଅଧିଗ୍ରହଣ ଅଧିକାରୀ ଦୁଇ-ତିନି ଜଣ ସଦସ୍ୟଙ୍କର ସମ୍ମତି ନେଲେ ଏବଂ ବିକ୍ରୟ ଦଲିଲ (MSRDCକୁ)ପୂରା କରିଦେଲେ । ଏହା କୃଷକମାନଙ୍କୁ ଠକିବା କଥା ।”

A man in a boat, catching fishes
PHOTO • Jyoti Shinoli
Lady
PHOTO • Jyoti Shinoli

ଅଙ୍କୁଶ ଏବଂ ହୀରାବାଇ ୱାଘେ: ‘ମାଛ କେମିତି ବଞ୍ଚିବ ? ନଦୀ ହିଁ ଆମର ମା’। ସେ ଆମକୁ ଖୁଆଇଛି’

ଏହି ସମୟ ମଧ୍ୟରେ, ଚିରାଡ଼ପାଡ଼ାର ମତ୍ସ୍ୟଜୀବୀ ପଡ଼ା ଗାଁର ୪୫ ବର୍ଷୀୟ ଅଙ୍କୁଶ ୱାଘେ ମାଛ ଧରିବା ପାଇଁ ଡଙ୍ଗା ପ୍ରସ୍ତୁତ କରିବା ପାଇଁ କୁଡ଼ିଆ ଘର ପାଖ ଗଡ଼ାଣିଆ ରାସ୍ତାରେ ଚାଲି ଚାଲି ନଈ ଆଡ଼କୁ ଯାଉଛନ୍ତି । ସେ କହନ୍ତି, “ଏହି ରାସ୍ତା ଦେଇ ମୋ ବାପା ନଦୀକୁ ଯାଉଥିଲେ । ଥରେ ରାସ୍ତା (ରାଜପଥ) ଆସିଗଲେ ଏହା ବନ୍ଦ ହୋଇଯିବ । ସିମେଣ୍ଟ ଓ ମେସିନ୍ସବୁ ମିଶି ନଈକୁ ପ୍ରଦୂଷିତ କରିବେ । ଏଥିରୁ ଶବ୍ଦ ସୃଷ୍ଟି ହେବ । ମାଛ କେମିତି ବଞ୍ଚିବ ? ନଦୀ ହିଁ ଆମର ମା’। ସେ ଆମକୁ ଖୁଆଇଛି ।”

ପରିବେଶଗତ ପ୍ରଭାବ ଆକଳନ ରିପୋର୍ଟରେ ଅଙ୍କୁଶଙ୍କ ଆଶଙ୍କାର ପ୍ରତିଫଳନ ଘଟିଛି। ଏଥିରେ କୁହାଯାଇଛି ଯେ, ପୋଲ ନିର୍ମାଣର ‘ମୂଳଦୁଆ ସ୍ଥାପନ ପାଇଁ ନଦୀଶଯ୍ୟାରେ ମାଟି ଖୋଳିବା, ଡ୍ରିଲ୍କରିବା ଏବଂ ମାଟି ଗଦା କରିବାକୁ ପଡ଼ିବ...। ପୋଲର ମୂଳଦୂଆ କାମରୁ କିଛି ପରିମାଣର ଖୋଳା ହୋଇଥିବା ମାଟି ଓ ଅନ୍ୟାନ୍ୟ ଆବର୍ଜନା ଜମା ହେବ... (ଯେଉଁ କାରଣରୁ) କିଛି ଦିନ ପାଇଁ ମଇଳା ବଢ଼ିବ ଏବଂ ସେଥିରୁ ପାଣି ଦୂଷିତ ହେବ...। ଏହି ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟରୁ ଅବସାଦନ ଏବଂ କାଦୁଅ ଯୋଗୁଁ ଦକ୍ଷିଣ-ପୂର୍ବ ଦିଗରେ ଥିବା ଭାତ୍ସା ଜଳଭଣ୍ଡାର ବି ବହୁ ମାତ୍ରାରେ ପ୍ରଭାବିତ ହେବ ।”

 “ଆମେ କ’ଣ କରିବୁ?” ବିସ୍ମୟରେ ପଚାରନ୍ତି ଅଙ୍କୁଶଙ୍କ ସ୍ତ୍ରୀ ହୀରାବାଇ । ରାଜପଥ ଯୋଗୁଁ ତାଙ୍କର ୨୭ ବର୍ଷର ବଡ଼ପୁଅ ବିଠଲ ବି ଚାରିଟି ସମୂହରୁ ଗୋଟିକରେ ଥିବା ତାଙ୍କ କୁଡ଼ିଆଘର ହରାଇବେ । ୬-୭ କିଲୋମିଟର ଦୂର ସାୱାଡ଼ ଗାଁର ଏକ ପଥର କ୍ଵାରୀରେ ସେ କାମ କରନ୍ତି ଏବଂ ପଥର ଭାଙ୍ଗି ଏବଂ ଟ୍ରକ୍ରେ ବୋଝେଇ କରି ଦିନକୁ ୧୦୦ ଟଙ୍କା ରୋଜଗାର କରନ୍ତି। ବିଠଲ କହନ୍ତି, “ଆମେ ସମସ୍ତେ ଭିୱାଣ୍ଡିର ପୂର୍ତ୍ତ ବିଭାଗକୁ (୨୦୧୮ ନଭେମ୍ବରରେ) ଯାଇଥିଲୁ।’’ “ସେମାନେ ପଚାରିଲେ, ଆମେ ଘର ଖାଲି କରିବାକୁ ନୋଟିସ୍ପାଇଥିଲୁ କି (ଯାହା ଏ ପର୍ଯ୍ୟନ୍ତ ସେମାନେ ପାଇନାହାନ୍ତି)। ଆମ ଭିତରେ କେହି ଉଚ୍ଚଶିକ୍ଷିତ ନାହାନ୍ତି । ଆମେ କିଛି ଜାଣିନୁ । ଆମକୁ ଅନ୍ୟ ଜାଗାରେ ଜମି ମିଳିବା ଉଚିତ । ଯଦି ଆସନ୍ତାକାଲି ସେମାନେ ଆସି ଘର ଛାଡ଼ି ଯିବାକୁ କହନ୍ତି ତେବେ ଆମେ କୁଆଡ଼େ ଯିବୁ ?”

ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ୨୦୧୭ ମସିହା ଡିସେମ୍ବର ମାସରେ ଠାଣେ ଜିଲ୍ଲାର ଭାଷାଲାଖ. ଗାଁରେ ଆୟୋଜିତ ଏକ ସର୍ବସାଧାରଣ ଶୁଣାଣି ବୈଠକରେ, ନଦୀର ବିନାଶ, ବିଭିନ୍ନ ସଂପ୍ରଦାୟର ବିସ୍ଥାପନ ଏବଂ ଥଇଥାନ ପ୍ରସଙ୍ଗରେ ଉଦ୍ବେଗର ସ୍ଵର ଉଠିଥିଲା । ସବୁ ଉଦ୍ବେଗକୁ ଅଣଦେଖା କରାଯାଇଥିଲା ।

ଅପରାହ୍ଣ ୪ଟା ବେଳକୁ ଧ୍ରୁପଦାଙ୍କ ପୁଅ ତିଲାପିଆ ମାଛଭର୍ତ୍ତି ଏକ ପ୍ଲାଷ୍ଟିକ୍ବାଲ୍ଟି ନେଇ ଫେରିଲେ। ପଡ଼ଘା ବଜାରକୁ ଯିବା ପାଇଁ ପ୍ରସ୍ତୁତ ହେଲେ ଧ୍ରୁପଦା। ବାଲ୍ଟି ଭିତରେ ଫଡ଼ଫଡ଼ ହେଉଥିବା ମାଛ ଉପରେ ପାଣି ଛିଞ୍ଚୁ ଛିଞ୍ଚୁ ସେ କହନ୍ତି, “ମାଛ ବିକିବାରେ ହିଁ ମୋ ଜୀବନ ବିତିଗଲା। କାହିଁକି ସେମାନେ ଏଇ ଟିକକ ବି ଆମ ତୁଣ୍ଡରୁ ଛଡ଼ାଇ ନେଉଛନ୍ତି? ଆଗେ ଏହି ଧୂଳିଭର୍ତ୍ତି ରାସ୍ତା ମରାମତି କର। ବହୁ ବାଟ ଚାଲି ଚାଲି ଆମକୁ ବଜାର ପର୍ଯ୍ୟନ୍ତ ଯିବାକୁ ହେଉଛି ।”

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli