ବୀର୍‌ସିଂ ପ୍ରଥମ ଭାଗ ଚାର୍‌ ଗ୍ରାମରେ ବସନ୍ତର ଏକ ସୁଖଦ ସକାଳ ଥିଲା। ୩୦ ବର୍ଷ ବୟସ୍କ  ଶହୀଦା ଖାତୁନ ଏହାକୁ ଉପଭୋଗ କରିପାରିନଥିଲେ। ତାଙ୍କୁ ଜ୍ୱର ହୋଇଥିଲା ଏବଂ ସେ ଚାର୍‌ର ନଦୀତଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରେ ଡାକ୍ତରଙ୍କ ପରାମର୍ଶ ପାଇଁ ବାରଣ୍ଡାରେ ଅପେକ୍ଷା କରିଛନ୍ତି।

ବୀର୍‌ସିଂ ଆସାମର ୨,୨୫୧ଟି ଜନପଦ ମଧ୍ୟରୁ ଅନ୍ୟତମ ଯାହାକି ବ୍ରହ୍ମପୁତ୍ର ନଦୀ କୂଳରେ ପରିବର୍ତ୍ତିତ ହେଉଥିବା ବାଲୁକାଦୀପ ବା ଚାର୍‌ରେ ରହିଛି। ଅଧିକାଂଶ ଚାର୍‌ଠାରୁ ଭିନ୍ନ ଏହା ପଟୁମାଟି ଜମା ହୋଇ ସୃଷ୍ଟି ହୋଇନାହିଁ। କିନ୍ତୁ ପ୍ରକୃତରେ ଏହା ଫକୀରଗଞ୍ଜ ସହରର ଏକ ଅଂଶ ଥିଲା ଯାହାକି ନଦୀର ଗତିପଥ ବଦଳିବା କାରଣରୁ ମୁଖ୍ୟ ଅଞ୍ଚଳରୁ ଅଲଗା ହୋଇଯାଇଛି। ପରିଣାମସ୍ୱରୂପ ଏହାର ମାଟି ଅନ୍ୟ ଚାର୍‌ ପରି ଭଙ୍ଗୁର କିମ୍ବା ଅସ୍ଥାୟୀ ନୁହେଁ ଏବଂ ଏହାର ଅଧିକାଂଶ ଅଂଶ ବର୍ଷ ବର୍ଷ ଧରି ଅକ୍ଷୁର୍ଣ୍ଣ ରହିଛି।

ବୀର୍‌ସିଂ ଚାର୍‌ ତିନୋଟି ଗ୍ରାମକୁ ନେଇ ଗଠିତ -୨୦୧୧ ଜନଗଣନା ଅନୁଯାୟୀ ବୀରସିଂ ପ୍ରଥମ ଭାଗ (୫,୫୪୮ ଜନସଂଖ୍ୟା ସଂହ) ବୀର୍‌ସିଂ ଦ୍ୱିତୀୟ ଭାଗ (୨,୩୮୬ ଜନସଂଖ୍ୟା ସହ) ଏବଂ ବୀର୍‌ସିଂ ସିଂ ତୃତୀୟଭାଗ (୩,୧୧୭ ଜନସଂଖ୍ୟା ସହ)।

PHOTO • Ratna Bharali Talukdar

ଶହୀଦା ଖାତୁନ ଆସାମରେ ବୀରସିଂ ଚାର୍‌ରେ ସୌର-ଶକ୍ତି ସମ୍ପନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ସେ ଚିନ୍ତାମୁକ୍ତ ଭାବରେ କୁହନ୍ତି, ‘ବର୍ତ୍ତମାନ ଗର୍ଭବତୀ ମହିଳାମାନେ ସେମାନଙ୍କର ସନ୍ତାନ ପ୍ରସବ ପାଇଁ ଏଠାକୁ ଆସିପାରିବେ

ଶହୀଦା ଏବଂ ଅନ୍ୟ କେତେଜଣ ରୋଗୀ ପିଏଚ୍‌ସିରେ ଅପେକ୍ଷା କରିବା ସମୟରେ କଥାବାର୍ତ୍ତା କରୁଥିଲେ। ସେମାନଙ୍କ ଆଲୋଚନାର କେନ୍ଦ୍ର ଥିଲା ୨୦୧୭ ଜାନୁଆରୀରେ ୧୮କୋଠରୀ ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରର ଟିଣ ଛାତ ଉପରେ ସୋଲାର ପାନେଲ ଲଗାଯିବା। ଆସାମ ବିଦ୍ୟୁତ ବିକାଶ ଏଜେନ୍ସି ଦ୍ୱାରା ଲଗାଯାଇଥିବା ଏହି ୨୦ଟି ପ୍ୟାନେଲ ଏବଂ ୧୬ଟି ବ୍ୟାଟେରୀ ୫ କିଲୋଓ୍ୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିପାରିବେ।

କେହି ଦଶକର ଅନ୍ଧକାର ପରେ ସୌର ବିଦ୍ୟୁତ ଚାର୍‌ରବାସିନ୍ଦା ମାନଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟସେବାର ମାନ ବଦଳାଇ ଦେଇଛି। ସୋଲାର ପ୍ୟାନେଲ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରି ସହିଦା କୁହନ୍ତି, ‘‘ଏହି ପିଏଚ୍‌ସିରେ ଏବେ ବିଦ୍ୟୁତ୍‌ ଏବଂ ପାଇପ୍‌ ପାଣି ଅଛି’’। ‘‘ବର୍ତ୍ତମାନ ଗର୍ଭବତୀ ମହିଳାମାନେ ଏଠାକୁ ଚେକ୍‌-ଅପ ଏବଂ ସେମାନଙ୍କ ସନ୍ତାନ ପ୍ରସବ ପାଇଁ ଆସିପାରିବେ।’’

ଶହୀଦା ବୀରସିଂ ପରି ଭୌଗୋଳିକ ଭାବରେ ବିଚ୍ଛିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବର ଗୁରୁତ୍ୱ ଜାଣନ୍ତି, ସେ କୁହନ୍ତି- ‘‘ମୁଁ ଜଣେ ଧାଈ ଏବଂ ପଡ଼ୋଶୀମାନଙ୍କ ସହ ସହାୟତାରେ ସନ୍ତାନ ପ୍ରସବ[ଘରେ ଦୁଇଟି ସନ୍ତାନ] କରିଥିଲି। ଉଭୟ ଥର ମୁଁ ବିବ୍ରତ ଥିଲି। ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମୁଁ ଅନିଶ୍ଚିତ ଥିଲି। କିନ୍ତୁ ମୋର କୌଣସି ବିକଳ୍ପ ନଥିଲା ଏବଂ ସେମାନେ ମୋତେ ଆଶ୍ୱାସନା ଦେଉଥିଲେ ଯେ, ସବୁକିଛି ଠିକ୍‌ ହେବ.…’’

ପିଏଚ୍‌ସି ସୌର ବିଦ୍ୟୁତ୍‌ ପାଇବା ପୂର୍ବରୁ କେବଳ ଜରୁରୀ ଚିକିତ୍ସା ଆବଶ୍ୟକତା ଥିବା ଗର୍ଭବତୀ ମହିଳାମାନେ ନଦୀ ଆର୍‌ପଟେ ଧୁବ୍ରି ସହରରେ ଥିବା ସରକାରୀ କିମ୍ବା ଘରୋଇ ଡାକ୍ତରଖାନାକୁ ଯାଉଥିଲେ। ଗୋଟିଏ ବୋଟ୍‌ ଭଡ଼ା ନେବା ବି ମହଙ୍ଗା ହୋଇପାରେ- ଯେତେବେଳେ ଦିନର ନିୟମିତ ବୋଟ୍‌ ସେବା ବନ୍ଦ ହୋଇଯାଏ ରାତିରେ ଏହା ଟ. ୨,୦୦୦ରୁ ଟ. ୩୦୦୦ ହୋଇପାରେ; ଏଥିସହିତ ଡାକ୍ତରଖାନାର ଖର୍ଚ୍ଚ ମଧ୍ୟ ରହିଛି।

ଯଦିଓ ଅପରାହ୍‌ଣରେ ବୀରସିଂରେ ଥିବା ପିଏଚ୍‌ସି ବନ୍ଦ ହୋଇଯିବା ପରେ ଯଦି କିଛି ଜରୁରୀ ପରିସ୍ଥିତି ଆସିଲେ ଲୋକମାନଙ୍କୁ ଏବେ ବି ଧୁବ୍ରି ଯିବାକୁ ହେଉଛି, ସୌର ବିଦ୍ୟୁତ୍‌ ଆସିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂଆ ଜୀବନ ଦେଇଛି। ଡାକ୍ତର ଜବାହରଲାଲ ସରକାର କୁହନ୍ତି, ‘‘୨୦୧୭ ଜାନୁଆରୀରେ ସୋଲାର ପ୍ଲେଟ୍‌ଗୁଡ଼ିକ ଲଗାଗଲା ଏବଂ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ  ଆମେ ୧୮ଟି ପ୍ରସବ କରାଇଥିଲୁ’’। ୨୦୧୪ରେ ଫକୀରଗଞ୍ଜରେ ସବ୍‌ଡିଭିଜନାଲ ମେଡିକାଲ ଅଫିସର (ମହାମାରୀ)ରୁ ଅବସର ନେବା ପରେ ସେ ବର୍ତ୍ତମାନ ଏହି ପିଏଚ୍‌ସିର ମୁଖ୍ୟ। ସେ କୁହନ୍ତି ଚାର୍‌ରେ ‘‘ଆମର ୧୦ଜଣ ଆଶାକର୍ମୀ [ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ] ଅଛନ୍ତି ଏବଂ ସେମାନେ ସମସ୍ତେ ଗର୍ଭବତୀ ମହିଳାମାନେ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଆସିବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।’’

PHOTO • Ratna Bharali Talukdar

ବାମ: ସୌର-ଶକ୍ତି ସମ୍ପନ୍ନ ପାଇପ ପାଣି ଏବଂ ବିଦ୍ୟୁତ୍‌ ପିଏଚ୍‌ସିରେ ସେବାଗୁଡ଼ିକୁ ଉନ୍ନତ କରିଛି। ଡାହାଣ: ଚାର୍‌ରେ ଥିବା ଦୋକାନ ମାଲିକମାନେ ସେମାନଙ୍କ ଛାତରେ ସୋଲାର ପାନେଲ ଲଗାଇଛନ୍ତି

ଶହୀଦା ଡାକ୍ତର ସରକାରଙ୍କ ସହ ପରାମର୍ଶ କରିବା ପରେ ସେ ଏବଂ ମୁଁ ବଜାର ଦେଇ ତାଙ୍କ ଘରକୁ ଚାଲିଚାଲି ଗଲୁ। ବଜାରଟି ଦିନରେ ଶୂନଶାନ ଥିଲା। କେବଳ କେଇଟି ଚା’ ଦୋକାନ ଏବଂ ଔଷଧ ଦୋକାନ ଖୋଲା ଥିଲା। ଅଧିକାଂଶ ଦୋକାନ ସନ୍ଧ୍ୟାରେ ଖୋଲେ, ଦୋକାନ ମାଲିକମାନେ ସେମାନଙ୍କର ରିକ୍ସାଚାଳକ, ବୁଲା ବିକାଳି କିମ୍ବା ବାଉଁଶ କାରିଗର ଭାବରେ ଧୁବ୍ରିରେ ସେମାନଙ୍କ ଦିନର କାମରୁ ଫେରିବା ପରେ । ସହୀଦାଙ୍କ ସ୍ୱାମୀ ସାହାଜମାଲ ଶେକ୍‌ ଧୁବ୍ରି ସହରରେ ଜଣେ ରିକ୍ସା ଚାଳକ ଏବଂ ତାଙ୍କର ଚାର୍‌ ବଜାରରେ ଏକ ଛୋଟ ତେଜରାତି ଦୋକାନ ଅଛି।

ଶହୀଦାଙ୍କ ସମେତ ବୀରସିଂରେ ଅନେକ ଘର ସୋଲାର ପ୍ୟାନେଲ ଲଗାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗୋଟିଏ ସରକାରୀ ଯୋଜନାରେ ରିହାତି ଟ.୩, ୬୦୦ଦରରେ ଗୋଟିଏ ସୋଲାର ପ୍ୟାନେଲ ଏବଂ ଗୋଟିଏ ବ୍ୟାଟେରୀ ପାଇଛନ୍ତି। ଏହା ୧.୫ ଓ୍ୱାଟ୍‌ ବିଶିଷ୍ଟ ଦୁଇଟି ସିଏଫ୍‌ଏଲ୍‌/ଏଲ୍‌ଇଡି ବଲ୍‌ବ ଜଳାଇପାରିବେ। ଅଳ୍ପ କେଇଟି ପରିବାର ବଜାରରୁ ଟ ୨୦,୦୦୦ ମୂଲ୍ୟର ସୋଲାର ସିଷ୍ଟମ କିଣିଛନ୍ତି। ସେଗୁଡ଼ିକରେ ଚାରୋଟି ବଲ୍‌ବ ସହିତ ଗୋଟିଏ ଟିଭି ଏବଂ ଗୋଟିଏ ସିଲିଂ ଫ୍ୟାନ୍‌ ଏକା ସମୟରେ ଚାଲିପାରିବ। ବଜାରରେ ଗୋଟିଏ ଛୋଟ ଜଳଖିଆ ଦୋକାନର ମାଲିକ ତାରାଚାନ୍ଦ ଅଲ୍ଲୀ କୁହନ୍ତି, ‘‘ରୋଜଗାର ସୃଷ୍ଟି କରୁଥିବା ସ୍ଥାନଗୁଡ଼ିକ [ଧୁବ୍ରିରେ] ଆମକୁ ସୋଲାର ପ୍ଲେଟ ଭଳି ଆବଶ୍ୟକତା ନିମନ୍ତେ ଖର୍ଚ୍ଚ କରିବାକୁ କିଛି ଅଧିକ ରୋଜଗାର ଦେବାରେ ସାହାଯ୍ୟ କରୁଛନ୍ତି।’’

୬୨ ବର୍ଷ ବୟସ୍କ ଜଣେ ପଞ୍ଚାୟତ ସଦସ୍ୟ ଅସମତ ଅଲ୍ଲୀ  ହିସାବ କରି କୁହନ୍ତି ଯେ, ବୀରସିଂର ଅତିକମ୍‌ରେ ୫୦% ଘରେ ସୌର ଶକ୍ତି ଅଛି। ସେ କୁହନ୍ତି, ‘‘ପିଲାମାନେ ଏବେ ସହଜରେ ରାତିରେ ପଢ଼ିପାରିବେ’’, ‘‘ଆଗରୁ ସେମାନେ ପଢ଼ିପାରୁନଥିଲେ କାରଣ କିରୋସିନି ଆଲୋକର ଏକମାତ୍ର ଉତ୍ସ ଥିଲା।’’

ଚାରିବର୍ଷ ତଳେ ଆସାମ ଶକ୍ତିବିକାଶ ଏଜେନ୍ସି (ଏଇଡିଏ) ବୀରସିଂର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଗୋଟିଏ ଚାରିକିଲୋ ଓ୍ୱାଟ ସୋଲାର ସିଷ୍ଟମ ଲଗାଇଥିଲା। ଏଇଡିଏ ନୂତନ ଏବଂ ଅକ୍ଷୟଶକ୍ତି ମନ୍ତ୍ରାଳୟର ରାଜ୍ୟ ନୋଡାଲ ଏଜେନ୍ସି। ଜଣେ ଏଇଡିଏ ଅଧିକାରୀଙ୍କ ଅନୁଯାୟୀ ଗୋଟିଏ ନୂତନ ସୋଲାର ପ୍ୟାନେଲ ଅତିକମ୍‌ରେ ୨୫ ବର୍ଷ ପର୍ଯ୍ୟନ୍ତ ରହିବ ଯଦି ଏହା ଭାଙ୍ଗି ନଯାଏ କିମ୍ବା ଏହାର କୌଣସି କ୍ଷୟକ୍ଷତି ନହୁଏ। ବ୍ୟାଟେରୀଗୁଡ଼ିକ କିଛି ରକ୍ଷଣାବେକ୍ଷଣ ଆବଶ୍ୟକ କରେ, ଯେତେବେଳେ ଆବଶ୍ୟକ ସେବା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଧୁବ୍ରି ସହରରୁ ଡକାଯାଏ।

PHOTO • Ratna Bharali Talukdar

ଡାକ୍ତର ସରକାର (ଡାହାଣ) ଦୁଇବର୍ଷ ଧରି ଧୁବ୍ରୀରେ ଥିବା  ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଦୌଡିବା ପରେ ହିଁ ପିଏଚ୍‌ସି ଅଟ୍ଟାଳିକାରେ ସୋଲାର ପ୍ଲେଟ ଲଗାଯାଇଛି

ଚାର୍‌ରେ ଏକମାତ୍ର ମାଇକ୍ରୋ ଏଟିଏମ୍‌ ସେବା ହେଉଛି ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର, ଏହା ମଧ୍ୟ ସୌରଶକ୍ତିରେ ପରିଚାଳିତ। ବ୍ୟାଙ୍କର ବ୍ୟବସାୟ ବିକାଶ ସହଯୋଗୀ ମହମ୍ମଦ ଅହମ୍ମଦ ଅଲ୍ଲୀ, ସୀମିତ ପରିମାଣର ଅର୍ଥ ଧରି ପ୍ରତିଦିନ ସକାଳେ ଧୁବ୍ରୀରୁ ଆସନ୍ତି ଏବଂ ଅପରାହ୍ନରେ ଫେରିଯାଆନ୍ତି। ସେ କୁହନ୍ତି, ‘‘ସୌର ବିଦ୍ୟୁତ୍‌ରେ ଦୈନିକ ଦେଣ ନେଣ ସହଜ ଭାବରେ ଚାଲିଛି।’’

କିନ୍ତୁ ଶହୀଦା, ତାରାଚାନ୍ଦ ଏବଂ ଏହି ଚାର୍‌ର ଅନ୍ୟମାନଙ୍କ ନିମନ୍ତେ ୨୦୧୪ରେ ସମ୍ପୂର୍ଣ୍ଣ ହୋଇଥିବା ଏହି ପିଏଚ୍‌ସି ହିଁ ଥିଲା ସ୍ୱପ୍ନ ସତ ହେବା ସଦୃଶ। ପ୍ରଥମେ ସେମାନେ ସନ୍ଦେହରେ ଥିଲେ। କାରଣ ସରକାରୀ କର୍ମଚାରୀମାନେ ସାଧାରଣତଃ ଚାର୍‌ରେ କାମ କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ସହୀଦା କୁହନ୍ତି ବୀରସିଂର ଲୋକମାନେ ମଧ୍ୟ ପିଏଚ୍‌ସି ଯିବାକୁ କୁଣ୍ଠା କରୁଥିଲେ କାରଣ ସେମାନେ ଜାଣିନଥିଲେ ନିଜର ଅସୁସ୍ଥତା ବିଷୟରେ କିପରି ଜଣେ ଡାକ୍ତରଙ୍କୁ କହିହେବ। କିନ୍ତୁ ୨୦୧୪ ମସିହାରେ ଯେତେବେଳେ ଚାର୍‌ରେ କାର୍ଯ୍ୟ କରୁଥିବା ଡାକ୍ତର ସରକାରକୁ ଏଠାରେ ଅବସ୍ଥାପିତ କରାଗଲା ସେ ହିଁ ମୁଖ୍ୟ ପରିବର୍ତ୍ତନ ଆଣିପାରିଛନ୍ତି। ସେ ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କଲେ ଯେ, କର୍ମଚାରୀମାନେ ନିୟମିତ ଭାବରେ ପିଏଚ୍‌ସିକୁ ଆସିବେ ଏବଂ ମୌଳିକ ସ୍ୱାସ୍ଥ୍ୟସେବା, ଔଷଧ ଏବଂ ନିରାପଦ ପ୍ରସବର ସୁବିଧା ଦେବେ।

ପିଏଚ୍‌ସିରେ ସୋଲାର ପ୍ଲେଟ୍‌ ଲଗାଯିବା ପୂର୍ବରୁ ଡାକ୍ତର ସରକାର ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ଧୁବ୍ରିରେ ଥିବା ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଦୌଡିବାକୁ ହୋଇଥିଲା ଏବଂ ଏହା ସହ ପାଇପ୍‌ ପାଣି ଏବଂ ବିଦ୍ୟୁତ୍‌ ଆସିଲା। ପିଏଚ୍‌ସିର ଜଣେ ସାମୂହିକ ସ୍ୱାସ୍ଥ୍ୟକର୍ମୀ ସମୀମାତୁଲ୍‌ କୋବ୍ରା ଖାତୁନ କୁହନ୍ତି, ‘‘ପ୍ରତିଦିନ ପ୍ରାୟ ୬୫ଜଣ ରୋଗୀ ଡାକ୍ତରଖାନାକୁ ଆସନ୍ତି’’। ‘‘ଜ୍ୱର, ଚର୍ମରୋଗ ଏବଂ ପେଟ ସମସ୍ୟା ଏଠାରେ ମୁଖ୍ୟ ରୋଗ।’’

PHOTO • Ratna Bharali Talukdar

ବୀରସିଂର ପିଏଚ୍‌ସି କାର୍ଯ୍ୟ କରିବା ପୂର୍ବରୁ କୌଣସି ଜରୁରୀ ସ୍ୱାସ୍ଥ୍ୟ ପରିସ୍ଥିତିରେ ବାସିନ୍ଦାମାନଙ୍କୁ ନଦୀ ଆରପଟେ ଥିବା ଧୁବ୍ରି ସହରକୁ ଯିବାକୁ ହେଉଥିଲା। ଏହା ସ୍ୱାସ୍ଥ୍ୟସେବାରେ ଗମନାଗମନ ଖର୍ଚ୍ଚକୁ ବଢ଼ାଇ ଦେଉଥିଲା।

ପିଏଚ୍‌ସିର କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଫାର୍ମାସିଷ୍ଟ, ଜଣେ ଅକଜିଲାରୀ ନର୍ସ ମିଡ୍‌ଓ୍ୱାଇଫ୍‌ (ଏଏନ୍‌ଏମ୍‌) ଏବଂ ଜଣେ ଲାବୋରୋଟୋରୀ ଟେକ୍ନିସିଆନ। ସେମାନେ ସମସ୍ତେ ଧୁବ୍ରୀରେ ରୁହନ୍ତି ଏବଂ ନଦୀ ପାର୍‌ ହୋଇ ଡାକ୍ତରଖାନାରେ ସକାଳ ପ୍ରାୟ ୮.୪୫ରେ ପହଞ୍ଚିବା ପାଇଁ ଛାତ ନଥିବା ଏକ ମେସିନ ସଂଯୁକ୍ତ ଦେଶୀ ଡଙ୍ଗା ବ୍ୟବହାର କରନ୍ତି।  ଅପରାହ୍ନ ୧ଟା ପର୍ଯ୍ୟନ୍ତ ବର୍ହିରୋଗୀ ସେବା ଅବ୍ୟାହତ ରୁହେ।

ଡାକ୍ତର ସରକାର କୁହନ୍ତି, ‘‘ବିଚ୍ଛିନ୍ନ ହୋଇ ରହୁଥିବା କାରଣରୁ ଲୋକମାନେ ଗୋଟିଏ ଚାର୍‌ରେ କାମ କରିବାକୁ ଏଡାନ୍ତି’’, ‘‘କିନ୍ତୁ ଯେତେବେଳେ ମୋର ଅବସର ପରେ ଏଠାରେ କାମ କରିବା ପାଇଁ ମୋତେ ଅନୁରୋଧ କରାଗଲା। ସେତେବେଳେ ମୁଁ ଏହାକୁ ଏକ ଆଶୀର୍ବାଦ ଭାବରେ ନେଲି। ମୁଁ ଚିନ୍ତାକଲି ଯେଉଁମାନେ ପ୍ରକୃତରେ ମୋର ସେବା ଆବଶ୍ୟକ କରୁଛନ୍ତି ମୁଁ ସେମାନଙ୍କୁ ମୋର ସେବା ପ୍ରଦାନ ପାଇଁ ସକ୍ଷମ ହେବି। ମୁଁ ଜାଣେ ଆମକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କେତେ କରିବାର ଅଛି, ବିଶେଷ କରି ଚାର୍‌ ଅଞ୍ଚଳଗୁଡ଼ିକରେ ମାତୃ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ।’’

ଆସାମ ମାନବ ବିକାଶ ରିପୋର୍ଟ ୨୦୧୪ ଦର୍ଶାଏ ଯେ, ଚାର୍‌ ଅଞ୍ଚଳଗୁଡ଼ିକରେ ସମୁଦାୟ ପ୍ରଜନନ ହାର (ଟିଆର୍‌ଏଫ୍‌) ସର୍ବାଧିକ, ଏଠାରେ ଏହି ହାର ୨.୮ । ଏହା ମଧ୍ୟ ଦର୍ଶାଇଛି ଯେ ଏଠାରେ ମୁଖ୍ୟ ସମସ୍ୟା କମ୍‌ ବୟସରେ ବିବାହ – ୨୫.୩ ପ୍ରତିଶତ ମହିଳା ୧୫-୧୯ ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି, ଯାହାକି ରାଜ୍ୟରେ ସ୍ଥାନିକ ଭାବରେ ବିବିଧ ଅଞ୍ଚଳ (ଯାହା ମଧ୍ୟରେ ଚାର୍‌, ଚା’ ବଗିଚା, ପାହାଡ଼ ଏବଂ ସୀମାନ୍ତ ଅଞ୍ଚଳ ସାମିଲ) ମଧ୍ୟରେ ସର୍ବାଧିକ । ଏହି ରିପୋର୍ଟ ଅନୁଯାୟୀ ଧ୍ରୁବି ଜିଲ୍ଲାରେ ୧୫-୧୯ ବର୍ଷ ବୟସ ଗୋଷ୍ଠୀରେ ବିବାହିତ ମହିଳାଙ୍କ ସଂଖ୍ୟା ସର୍ବାଧିକ- ୨୯.୨ ପ୍ରତିଶତ।

ବୀରସିଂ ଆଗରେ ଲମ୍ବା ରାସ୍ତା ପଡ଼ିଛି, କିନ୍ତୁ ବର୍ତ୍ତମାନ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଛନ୍ତି ଚାର୍‌ର ଅଧିକାଂଶ ବାସିନ୍ଦା ଆଉ ଅନ୍ଧକାରରେ ରହୁନାହାଁନ୍ତି। ଯଦିଓ ଅନେକ ଏବେ ବି ଖୋଲା ବଜାରରୁ ଲିଟର ପିଛା ଟ. ୪୦ରେ କିଣାଯାଉଥିବା କିରୋସିନି ବ୍ୟବହାର କରୁଛନ୍ତି, ତଥାପି ଏକ ନୂତନ ସକାଳ ପାଇଁ ବୋଧହୁଏ ପ୍ରତିଶ୍ରୁତି ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ratna Bharali Talukdar

ରତ୍ନା ଭରାଲି ତାଲୁକଦାର ପରୀର ୨୦୧୬-୧୭ ବ୍ୟକ୍ତିତ୍ୱ। ସେ ଉତ୍ତର-ପୂର୍ବ ଭାରତର ଏକ ଅନଲାଇନ୍‌ ପତ୍ରିକା ନେଜିନ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ। ଏଥିସହ ସେ ଜଣେ ସୃଜନଶୀଳ ଲେଖିକା। ସେ ବିସ୍ଥାପନ, ଦେଶାନ୍ତର, ଶାନ୍ତି ଏବଂ ସଂଘର୍ଷ, ପରିବେଶ ଏବଂ ଲିଙ୍ଗ ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଲେଖିବା ପାଇଁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନ ଗସ୍ତ କରିଥାନ୍ତି।

Other stories by Ratna Bharali Talukdar