ପ୍ରତିଦିନ ବଡି ସକାଳୁ, ମେସିନ୍ ଲାଗିଥିବା ଏକ ଦେଶୀ ଡଙ୍ଗା ବ୍ରହ୍ମପୁତ୍ର ନଦୀର ଚଲାକୁଡ଼ା ଚର ଛାଡ଼େ। କ୍ଷୀର ଭର୍ତ୍ତି ପ୍ଲାଷ୍ଟିକ ଓ ଆଲୁମିନିୟମ ପାତ୍ରରେ ଡଙ୍ଗା ପୂରା ବୋଝେଇ ହୋଇଥାଏ। ଏହି ଡଙ୍ଗା​‌ କ୍ଷୀର ନେଇ ଧୁବ୍ରୀ ସହରକୁ ଯାଏ, ଏଠାରୁ ପ୍ରାୟ ଏକ ଘଣ୍ଟାର ବାଟ।   

ଚାଲାକୁଡ଼ା ଚର ହେଉଛି ଆସାମରେ ବ୍ରହ୍ମପୁତ୍ର ନଦୀରେ ସୃଷ୍ଟି ହୋଇଥିବା ଅନେକ ଅସ୍ଥାୟୀ ବାଲି ଦ୍ୱୀପ ଭିତରୁ ଗୋଟିଏ। (ଚର ରୁ ପରି କାହାଣୀ ଦେଖନ୍ତୁ, ନଈ ମୁହଁରେ ଥିବା ଲୋକଙ୍କ ସଂଘର୍ଷ ରେ ଆରମ୍ଭ ହୋଇଛି)। ଡଙ୍ଗାଟି ମଧ୍ୟାହ୍ନରେ ଫେରି ଆସେ, ଏବଂ ପୁଣି ଉପରବେଳା ଅଧିକ କ୍ଷୀର ନେଇ ଧୁବ୍ରୀ ସହରକୁ ଯାଏ।

ଚରରେ ଥିବା ମଣ୍ଡଳ ପରିବାରର ଡାଏରୀ ଫାର୍ମରୁ ଏହି କ୍ଷୀର ଯାଏ। ତଳ ଆସାମର ଧୁବ୍ରୀ ଜିଲ୍ଲାରେ ଥିବା ତାଙ୍କର ଏହି ଫାର୍ମରେ ୫୦ଟି ଦୁଧିଆଳୀ ପଶୁ ଅଛନ୍ତି। ଏହି ଫାର୍ମରୁ ପ୍ରତିଦିନ ୧୦୦-୧୨୦ ଲିଟର କ୍ଷୀର ଉତ୍ପାଦନ ହୁଏ। ତିନିଟି ପିଲାର ବାପା ୪୩ ବର୍ଷୀୟ ତାମେଜୁଦ୍ଦିନ ମଣ୍ଡଳ କହନ୍ତି, ‘‘ଯେତେବେଳେ ଆମ ଗାଈ ଆଉ ମଇଁଷିଗୁଡ଼ିକ ସବୁଠୁ ଅଧିକ କ୍ଷୀର ଦିଅନ୍ତି, ସେତେବେଳେ ଉତ୍ପାଦନ ୧୮୦-୨୦୦ ଲିଟର ପର୍ଯ୍ୟନ୍ତ ଯାଏ।’’ ଗୋଟିଏ ଲିଟର କ୍ଷୀରକୁ ସେମାନେ ଧୁବ୍ରୀ ସହରରେ ୪୦ ଟଙ୍କାରେ ବିକନ୍ତି।

ଧୁବ୍ରୀର ଚର ଉପରେ ଥିବା ଡାଏରୀ ଫାର୍ମଗୁଡ଼ିକ ସରକାରଙ୍କ ଦ୍ୱାରା ହୋଇଥିବା ସଫଳ ପ୍ରକଳ୍ପ। ଏହା ପଛରେ କିନ୍ତୁ ଆଉ ଏକ ବାସ୍ତବତା ରହିଛି। ଏହା ହେଉଛି ଗୋଖାଦ୍ୟ ଅଭାବ ଯୋଗୁ ସେମାନଙ୍କ ଜୀବିକା ଏବେ ବିପଦରେ।

ଚଲାକୁଡ଼ା ଚରରେ ରହୁଥିବା ୭୯୧ଟି ପରିବାର ପାଇଁ ଗୋପାଳନ ହେଉଛି ମୁଖ୍ୟ ଜୀବିକା। ପ୍ରତି ପରିବାର ଦିନକୁ ହାରାହାରି ୩୦-୪୦ ଲିଟର କ୍ଷୀର ଉତ୍ପାଦନ କରିଥାନ୍ତି। ୧୦ ବର୍ଷ ପୂର୍ବରୁ, ଏହି ପରିବାରଗୁଡ଼ିକ ମଧ୍ୟରେ ତାମେଜୁଦ୍ଦିନ ପ୍ରଥମ କରି ଅଧିକ ଉତ୍ପାଦନକ୍ଷମ ମିଶ୍ର-ପ୍ରଜାତିର ଗାଈ ଆଣିଥିଲେ। ସେତେବେଳେ ଏହି ଛୋଟ ଦ୍ୱୀପରେ ୫,୧୫୬ ଜଣ ରହୁଥିଲେ। ଏବେ ଏଠାକାର ଅଧିକାଂଶ ଦୁଗ୍ଧ ଚାଷୀ ମିଶ୍ର-ପ୍ରଜାତିର ଗାଈ ରଖିଛନ୍ତି। ଏହି ଗାଈଗୁଡ଼ିକ ସାଧାରଣତଃ ବିହାର ବଜାରରୁ କିଣାଯାଇଥାଏ। ପଶୁଡାକ୍ତର କହନ୍ତି, ଏହି ଗାଈଗୁଡ଼ିକ ଜର୍ସି ଏବଂ ଦେଶୀର ଏକ ମିଶ୍ର ପ୍ରଜାତି।

ଚରର ଆଉ ଜଣେ ଗୋପାଳକ ଅନୱର ହୁସେନ କହନ୍ତି, ‘‘ମିଶ୍ର ପ୍ରଜାତିର ଗାଈ ଆଣିବା ଫଳରେ ଉତ୍ପାଦନ ବୃଦ୍ଧି ପାଇଛି।’’ ‘‘ଗୋଟିଏ ମିଶ୍ର ପ୍ରଜାତିର ଗାଈ ଦିନକୁ ୧୦ରୁ ୧୪ ଲିଟର କ୍ଷୀର ଦେଇଥାଏ। କିନ୍ତୁ ଗୋଟିଏ ଦେଶୀ ଗାଈ ଦିନକୁ ୩-୪ ଲିଟର କ୍ଷୀର ଦିଏ। ଗୋଟିଏ ମଇଁଷି [ଏହି ଚରର ଅନେକ ଗୋପାଳକ ମଧ୍ୟ ଏହି ପଶୁ ପାଳିଛନ୍ତି] ଦିନକୁ ୧୨-୧୬ ଲିଟର କ୍ଷୀର ଦିଏ।’’

ଯଦିଓ ଆସାମର କିଛି ସ୍ଥାନରେ ଏହି ମିଶ୍ର ପ୍ରଜାତିର ଗାଈର ଚାହିଦା ଭଲ ରହିଛି - କିନ୍ତୁ ଇକୋନୋମିକ୍ ସର୍ଭେ ଅଫ ଆସାମ , ୨୦୧୫-୧୬ ଅନୁଯାୟୀ, ୨୦୧୪-୧୫ରେ ରାଜ୍ୟରେ ଉତ୍ପାଦିତ ହେଉଥିବା ୮୭୩ ମିଲିଅନ ଲିଟର କ୍ଷୀରରୁ (ଅନୁମୋଦିତ ଆବଶ୍ୟକତା ୨,୪୫୨ ଲିଟର) ଏହି ପ୍ରଜାତିର ଗାଈଙ୍କ କ୍ଷୀର ମାତ୍ର ୨୪୬ ମିଲିଅନ ଲିଟର।

Milk producers of char arriving at Dhubri town early in the morning
PHOTO • Ratna Bharali Talukdar

ପ୍ରତିଦି ସକାଳେ ଚଲାକୁଡ଼ା ଚରର ଗୋପାଳକମାନେ କ୍ଷୀର ବିକ୍ରି କରିବାକୁ ଧୁବ୍ରୀ ସହରକୁ ଯାଇଥାନ୍ତି। ନଦୀ ଭିତରେ ଥିବା ଏହି ଦୀପାଞ୍ଚଳର ୭୯୧ଟି ପରିବାର ପାଇଁ ଦୁଗ୍ଧ ଉତ୍ପାଦନ ଭରଣପୋଷଣର ମାଧ୍ୟମ।

ଧୁବ୍ରୀରେ ଜଣେ ଆଗଧାଡ଼ିର ଦୁଗ୍ଧ ଉତ୍ପାଦନକାରୀ ଭାବେ ତାମେଜୁଦ୍ଦିନ ଏବେ ଜଣାଶୁଣା। କର୍ମଶାଳାଗୁଡ଼ିକରେ ଅନ୍ୟ ଚାଷୀଙ୍କୁ ଗୋପାଳନ ସଂପର୍କରେ କହିବା ପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମନ୍ତ୍ରିତ ହୋଇଥାନ୍ତି। ସେ ମଧ୍ୟ ଚଲକୁଡ଼ା ମିଲନ ଦୁଗ୍ଧ ଉତ୍ପାଦକ ସମବାୟ ସମିତର ନେତୃତ୍ୱ ନିଅନ୍ତି। ୫୧ ଜଣ ଦୁଗ୍ଧ ଉତ୍ପାଦନକାରୀଙ୍କର ଏହା ଏକ ସମବାୟ ସମିତି। ଚରରେ ଥିବା ଏଭଳି ୫ଟି ସମବାୟ ସମିତି ମଧ୍ୟରୁ ଏହା ଗୋଟିଏ।

ଧୁବ୍ରୀ ଜିଲ୍ଲାର ଏହି ଚରରେ ଥିବା ଡାଏରୀ ଫାର୍ମଗୁଡ଼ିକୁ ଅନେକ ସମୟରେ ସରକାରୀ ଅଧିକାରୀମାନେ ଲୋକଙ୍କ ସଫଳ କାହାଣୀ ଭାବେ ଉପସ୍ଥାପନା କରନ୍ତି, ଯେଉଁମାନଙ୍କର ଜମି ଏବଂ ସଂପତ୍ତି ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ୱେ ସେମାନେ ତିଷ୍ଠି ପାରିଛନ୍ତି। ଏହି ସଫଳ କାହାଣୀ ପଛରେ କିନ୍ତୁ ଆଉ ଏକ ବାସ୍ତବତା ଲୁଚି ରହିଛି। ତାହା ହେଉଛି, ଗୋଖାଦ୍ୟ ଅଭାବ ଯୋଗୁ ସେମାନଙ୍କ ଜୀବିକା ଏବେ ବିପଦରେ।

ଧୁବ୍ରୀର ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଦିନେଶ ଗୋଗୋଇ କହନ୍ତି, ୨୦୧୬ ପର୍ଯ୍ୟନ୍ତ ପିଡିଏସ ଜରିଆରେ ଆସାମକୁ କେନ୍ଦ୍ରରୁ ଦିଆଯାଉଥିବା ଗହମ ସ୍ଥାନୀୟ ଅଞ୍ଚଳଗୁଡ଼ିକରେ ପେଷାଯାଇ ଗୋଖାଦ୍ୟ ଭାବେ ରିହାତି ଦରରେ କ୍ୱିଣ୍ଟାଲ ପିଛା ୬୦୦ ଟଙ୍କାରେ ବିକ୍ରି କରାଯାଏ। ପ୍ରତି ମାସରେ ତାମେଜୁଦ୍ଦିନଙ୍କ ପରିବାର ୨୫ କ୍ୱିଣ୍ଟାଲ ଗହମ କିଣିଥାନ୍ତି।

ଡିସେମ୍ବର ୨୦୧୫ରେ, ଆସାମ ସରକାରଙ୍କ ଅନୁରୋଧରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ବିତରଣ ମନ୍ତ୍ରାଳୟ ରାଜ୍ୟର ଅନୁଦାନ ବଦଳାଇଥିଲା। କେବଳ ଅନ୍ତୋଦୟ ଅନ୍ନ ଯୋଜନାରେ (‘ପ୍ରାଥମିକ’ କାଟାଗୋରୀରେ) ଚାଉଳ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନଏଫଏସଏ; ‘ଟାଇଡ-ଓଭର’ କାଟାଗୋରୀ) ଅଧିନରେ କେବଳ ଗହମ ଆସୁଥିଲା। ଏହା ପରେ ପ୍ରତିମାସରେ ଆସାମ ୮,୨୭୨ ଟନ୍ ଗହମ ୬୧୦ ଟଙ୍କାରେ ପାଇଲା ଏବଂ ଜୁଲାଇ ୨୦୧୬ ପରେ ୫,୭୮୧ ଟନ୍ ଗହମ ପାଇଲା।

କିନ୍ତୁ ଡିସେମ୍ବର ୨୦୧୬ ପରେ, ଏନଏଫଏସ୍ଏ ଅଧିନରେ ରାଜ୍ୟକୁ ଆଉ ଗହମ ମିଳିଲାନି। ନଭେମ୍ବର ୩୦, ୨୦୧୬ରେ ରାଜ୍ୟକୁ ମନ୍ତ୍ରାଳୟ ଚିଠି ଲେଖିଲା, ‘‘କେନ୍ଦ୍ର ପଣ୍ୟାଗାରରେ ଗହମ ମହଜୁଦ ନଥିବାରୁ ରାଜ୍ୟଗୁଡ଼ିକୁ ଟାଇଡ଼ ଓଭର କାଟାଗୋରୀରେ ଡିସେମ୍ବର ୨୦୧୬ ରୁ ମାର୍ଚ୍ଚର ୨୦୧୭ ପର୍ଯ୍ୟନ୍ତ ଗହମ ବଦଳରେ ଚାଉଳ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।’’

Milk producers of char selling milk at Dhubri town
PHOTO • Ratna Bharali Talukdar

ରାଜ୍ୟ ସରକାରଙ୍କ ରିହାତି ନମଳିବାରୁ ଦୁଗ୍ଧ ଉତ୍ପାଦକାରୀମାନେ ବାଧ୍ୟ ହୋଇ ବଜାରରୁ ଉଚ୍ଚ ଦରରେ ଗୋଖାଦ୍ୟ କିଣିଲେ। ତାମେଜୁଦ୍ଦିନ ମଣ୍ଡଳ କହିଲେ, ‘କେବଳ କ୍ଷୀର ଦର ବଢିଲେ ହିଁ ଆମେ ତିଷ୍ଠିପାରିବୁ’

ଏହା ପରଠାରୁ ଦୁଗ୍ଧ ଉତ୍ପାଦକାରୀମାନେ ଆଉ ରିହାତି ଦରରେ ଗୋଖାଦ୍ୟ ପାଇ ନାହାନ୍ତି। କେବଳ ଅଗଷ୍ଟ ୨୦୧୭ ରେ ବନ୍ୟା ରିଲିଫ ଆକାରରେ ଅଳ୍ପ କିଛି ଗୋଖାଦ୍ୟ ମିଳିଥିଲା। ବର୍ତ୍ତମାନ ସେମାନେ ଖୋଲା ବଜାର ଉପରେ ନିର୍ଭର କରିବାକୁ ବାଧ୍ୟ। ଖୋଲା ବଜାରରେ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୦୦୦ ଟଙ୍କା।

ଏହି ସବୁ କାରଣରୁ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବଢି ଚାଲିଛି, କିନ୍ତୁ ବଜାରରେ କ୍ଷୀର ଦର ୪୦ ଟଙ୍କାରେ ସ୍ଥିର ରହିଛି। ତାମେଜୁଦ୍ଦିନ କହନ୍ତି, ‘‘ଗୋଖାଦ୍ୟ ଦରକୁ ଦେଖିଲେ, କେବଳ କ୍ଷୀର ଦର ବଢି ୫୦ କିମ୍ବା ତା ଠାରୁ ଅଧିକ ହେଲେ ଆମେ ତିଷ୍ଠିପାରିବୁ।’’

ତାମେଜୁଦ୍ଦିନଙ୍କର ଯୁଗ୍ମ ପରିବାର। ମୋଟ ସଦସ୍ୟ ସଂଖ୍ୟା ୩୫। ସେ ଓ ତାଙ୍କ ପାଞ୍ଚ ପାଇଁ ଜମୀର ଅଲ୍ଲି, ଓମାର ଅଲ୍ଲି, ଅବଦୁର ରହିମ, ଅବଦୁଲ କାସେମ ଓ ନୂର ହାସେନ୍ ଡାଏରୀ ଫାର୍ମରେ କାମ କରନ୍ତି। ଗୋଟିଏ ହାଣ୍ଡିରେ ସମସ୍ତଙ୍କ ପାଇଁ ରୋଷେଇ ହୁଏ। ସେମାନଙ୍କର ପ୍ରାୟ ୨ ଏକର ଚାଷ ଜମି ଅଛି। ପରିବାରର ମହିଳାମାନେ ଏହି ଜମିରେ ଭିନ୍ନ ଭିନ୍ନ ଫସଲ କରନ୍ତି। ଦୁଗ୍ଧ ଉତ୍ପାଦରେ ଆସୁଥିବା ଆୟ ବଡ଼ ଲାଗୁଥିଲେ ବି ଛଅ ଭାଇ ହିସାବରେ ଛଅ ଭାଗ କଲା ପରେ ବିଶେଷ କିଛି ଲାଭ ନାହିଁ।

ତାମେଜୁଦ୍ଦିନ କହନ୍ତି, ‘‘ଡାଏରୀ ଫାର୍ମରେ ବହୁତ କାମ।’’ ‘‘ମିଶ୍ର ଜାତୀୟ ଗାଈମାନେ ସବୁବେଳେ ଖାଦ୍ୟ ଦରକାର କରନ୍ତି। ସେମାନଙ୍କର ବେଶୀ ରୋଗ। ତେଣୁ ସବୁବେଳେ ଧ୍ୟାନ ଦେବାକୁ ହୁଏ।’’ ଏହି ଅଞ୍ଚଳରେ ଠିକ ସମୟରେ ପଶୁ ଚିକିତ୍ସକଙ୍କୁ ପାଇବା କଷ୍ଟକର। ତାମେଜୁଦ୍ଦିନ କହନ୍ତି, ଏହାର କାରଣ ହେଉଛି ସରକାରୀ ପଶୁଚିକିତ୍ସଙ୍କ ଘୋର ଅଭାବ। କୌଣସି ସମୟରେ ଯଦି ରାତି ଅଧରେ ଡାକ୍ତରଙ୍କ ନିହାତି ଆବଶ୍ୟକତା ପଡ଼ିଲା ତାହାଲେ ଗୋଟେ ସ୍ୱତନ୍ତ୍ର ଡଙ୍ଗା ଭଡ଼ା କରିବାକୁ ପଡ଼ିବ। ଯାହାର ଦାମ ପ୍ରାୟ ୨,୫୦୦-୩,୦୦୦ ଟଙ୍କା।

PHOTO • Ratna Bharali Talukdar

ମଣ୍ଡଳ ପରିବାରର ଡାଏରୀ ଫାର୍ମରୁ ପ୍ରତିଦିନ ୧୦୦-୧୨୦ ଲିଟର ଦୁଗ୍ଧ ଉତ୍ପାଦନ ହୁଏ। କିନ୍ତୁ ଏକାଠି ରହୁଥିବା ୬ଟି ପରିବାରର ୩୫ ଜଣ ସଦସ୍ୟଙ୍କ ଭିତରେ ବାଣ୍ଟିଦେଲେ ଲାଭ ଖୁବ୍ କମ୍।

ବ୍ରହ୍ମପୁତ୍ରର ସବୁ ଚରଗୁଡ଼ିକ ଅବକ୍ଷୟ ମୁହଁରେ। ଚଲାକୁଡ଼ା (ଏହାର ଅର୍ଥ ଗତିଶୀଳ)ରେ ସବୁଠୁ ବେଶୀ ଥର ମୃତ୍ତିକା ଅବକ୍ଷୟ ହୁଏ। ତେବେ ଧୋଇ ଯାଇଥିବା ମାଟିକୁ ପୁଣିଥରେ ଠୁଳ କରିଦିଏ ବାଲିପଠା। ଚଲାକୁଡ଼ା ଚର ଏବେ ପାଞ୍ଚ ଭାଗ। ପ୍ରତିଟିର ଜନସଂଖ୍ୟା ୧୩୫ରୁ ଆରମ୍ଭ କରି ୧,୪୫୨ ପର୍ଯ୍ୟନ୍ତ। ଏହାର ବାସିନ୍ଦାମାନେ ପ୍ରତି ତିନି ଚାରି ବର୍ଷରେ ଥରେ ସ୍ଥାନାନ୍ତର ହୁଅନ୍ତି। ତାମେଜୁଦ୍ଦିନଙ୍କୁ ମଧ୍ୟ ୧୫ ଥର ଏଭଳି କରିବାକୁ ପଡ଼ିଛି।

ଚରରେ ରହୁଥିବା ଲୋକେ ପୁରୁଷ ପୁରୁଷ ଧରି ଗୋପାଳନ କରି ଆସୁଛନ୍ତି। ଏହା ତାଙ୍କ ଯାଯାବର ଜୀବନର ଏକ ଅଂଶବିଶେଷ। ତାମେଜୁଦ୍ଦିନ କହନ୍ତି, ‘‘ଏଭଳି ଅନିଶ୍ଚିତତା ଏବଂ ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ଆମ ପୂର୍ବ ପୁରୁଷମାନ​ନେ ଗୋପାଳନକୁ ଜୀବିକା ଭାବେ ଆଦରି ନେଇଥିଲେ।’’ ‘‘ବନ୍ୟାରେ ଫସଲ ଧୋଇ ଯାଉଥିବା ବେଳେ ଗାଈଗୋରୁ କିନ୍ତୁ ସ୍ଥାୟୀ ସଂପତ୍ତି। ଗାଈଗୋରୁଙ୍କୁ ନେଇ ଅନ୍ୟତ୍ର ଯାଇହୁଏ। ଆମେ ଯେତେବେଳେ କୌଣସି ନୂଆ ଚରକୁ ସ୍ଥାନାନ୍ତର ହେଉ, ସାଙ୍ଗରେ ଘରୋଇ ଉପକରଣ ଓ ଗାଈଗୋରୁଙ୍କୁ ନେଇଯାଉ। ଏମିତି ସ୍ଥାନାନ୍ତର ହେବା ଆମ ଜୀବନର ଏକ ଅଂଶବିଶେଷ ପାଲଟିଛି। ’’  

ବିଗତ ବର୍ଷମାନଙ୍କରେ ଗୋଳପାନରୁ ଆସୁଥିବା ସ୍ଥିର ଆୟ ଯୋଗୁ ଅଧିକାଂଶ ପରିବାର ସେମାନଙ୍କ ଚାଳ ଛପର ଘରକୁ ଟିଣ ଛପର ଘରରେ ବଦଳାଇ ପାରିଛନ୍ତି। କାଠର ଏକ ଫ୍ରେମ୍‌‌ରେ ଟିଣ ଛପର ଏବଂ ଟିଣ କାନ୍ଥକୁ ଖଞ୍ଜା ଯାଇଥାଏ। ଯେତେବେଳେ ଆବଶ୍ୟକ ପଡ଼େ ତାକୁ ଭାଙ୍ଗି ଅନ୍ୟତ୍ର ନେଇ ହୁଏ।

ଭିଡିଓ ଦେଖନ୍ତୁ: ଅନ୍ୟ ଜଣେ ଗୋପାଳକ ସୁକୁରୁଦ୍ଦିନ କହନ୍ତି, ‘ଆମେ ଯେଉଁ ଦାମରେ ଗୋଖାଦ୍ୟ କିଣୁଛୁ, ତାଠାରୁ କମ୍ ଦରରେ ଧୁବ୍ରୀ ସହରରେ କ୍ଷୀର ବିକୁଛୁ’

ଅନେକ ଚର ରେ ଗୋପାଳନ ଲୋକଙ୍କ ପାଇଁ ମୁଖ୍ୟ ଅର୍ଥନୀତି ପାଲଟିଛି। ପ୍ରତ୍ୟେକ ଦିନ ସକାଳେ ସବୁ ଚରରୁ ଗୋଟିଏ ଗୋଟିଏ କ୍ଷୀର ବୋଝେଇ ମେସିନ ଡଙ୍ଗା ଧୁବ୍ରି ସହରକୁ ଯାଏ। ବର୍ତ୍ତମାନ ରିହାତି ଦରରେ ଗୋଖାଦ୍ୟ ମିଳୁନଥିବାରୁ ଗୋପାଳନ କଷ୍ଟସାଧ୍ୟ ହୋଇପଡ଼ିଛି।

ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଗୋଗୋଇ କହନ୍ତି, ପଶୁ ପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ମିଳିତ ଭାବେ ବୈଠକ କରି ଚାଷୀମାନଙ୍କୁ ଅଧିକ ଉତ୍ପାଦନକ୍ଷମ ସବୁଜ ଘାସ ଚାଷ କରିବା ସଂପର୍କରେ ସୂଚନା ଦେଉଛନ୍ତି। ଗୋଖାଦ୍ୟର ବିକଳ୍ପ ଭାବେ ଘାସକୁ ବ୍ୟବହାର କରାଯାଇପାରେ। ‘ଗୋପାଳ ମିତ୍ର’ ଭାବେ କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ତାଲିମ ଦିଆଯାଉଛି (ଗାଈର ବନ୍ଧୁ)। ଏମାନେ ଗୃହପାଳିତ ପଶୁଙ୍କର ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସା କରିପାରିବେ। ଗୋଗୋଇ କହନ୍ତି, ‘‘ଏହି କାମ ପାଇଁ ଚଲାକୁଡ଼ା ଚର ର ବିଭିନ୍ନ ସ୍ଥାନରୁ ୫ ଜଣ ଯୁବକଙ୍କୁ ବଛାଯାଇଛି। ଖୁବ ଶୀଘ୍ର ସେମାନଙ୍କୁ ତାଲିମ ଦିଆଯିବ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ratna Bharali Talukdar

ରତ୍ନା ଭରାଲି ତାଲୁକଦାର ପରୀର ୨୦୧୬-୧୭ ବ୍ୟକ୍ତିତ୍ୱ। ସେ ଉତ୍ତର-ପୂର୍ବ ଭାରତର ଏକ ଅନଲାଇନ୍‌ ପତ୍ରିକା ନେଜିନ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ। ଏଥିସହ ସେ ଜଣେ ସୃଜନଶୀଳ ଲେଖିକା। ସେ ବିସ୍ଥାପନ, ଦେଶାନ୍ତର, ଶାନ୍ତି ଏବଂ ସଂଘର୍ଷ, ପରିବେଶ ଏବଂ ଲିଙ୍ଗ ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଲେଖିବା ପାଇଁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନ ଗସ୍ତ କରିଥାନ୍ତି।

Other stories by Ratna Bharali Talukdar