ଯଶବନ୍ତ ଗୋବିନ୍ଦ ଖୁସି ଏତିକିରେ ଖୁସି ଯେ, ତାଙ୍କର ୧୦ ବର୍ଷୀୟା ଝିଅ ସତିକା ସ୍କୁଲ୍‌ ଯାଏ। ଜଣେ ଗ୍ରାହକଙ୍କ ଆସବାବପତ୍ର ପାଇଁ କାଠ କାମରେ ବ୍ୟସ୍ତ ଥାଇ ସେ କହନ୍ତି ଯେ, “ସେ ସେଠାରେ ପାଠ ପଢ଼େ ଏବଂ ତାକୁ ମଧ୍ୟାହ୍ନ ଭୋଜନ ବି ଦିଆଯାଏ”। ସେ ଆହୁରି କହନ୍ତି ଯେ, କେବଳ ଗୋଟିଏ କପ୍‌ ଚା’ ପିଇ ସତିକା ସ୍କୁଲ୍‌କୁ ଯାଏ। ସ୍କୁଲ୍‌ର ମଧ୍ୟାହ୍ନ ଭୋଜନ ପରେ ରାତିରେ ହିଁ ସେ ଯାହା ଖାଇଥାଏ। ତାହା ବି ପ୍ରାୟତଃ ରାସନ୍‌ ବଣ୍ଟନ କେନ୍ଦ୍ରରୁ ତାଙ୍କ ପରିବାରକୁ ମିଳିଥିବା ସାମଗ୍ରୀରୁ ପ୍ରସ୍ତୁତ ଖାଦ୍ୟ। ମଝିରେ ସେ ଆଉ କିଛି ଖାଏ ନାହିଁ ।

“ରାସନ ଦୋକାନରୁ ଆମକୁ ୨୫ କିଲୋଗ୍ରାମ ଚାଉଳ, ୧୦ କିଲୋଗ୍ରାମ ଗହମ ଏବଂ ୨ କିଲୋଗ୍ରାମ ଚିନି ମିଳେ,” ନିଜ କାମରୁ ନଜର ନ ହଟାଇ ଏହା କହନ୍ତି ଘୋସାଲି ଗାଁର ୪୭ ବର୍ଷୀୟ ଗୋବିନ୍ଦ । ବିଭିନ୍ନ ନିର୍ମାଣସ୍ଥଳୀରେ ସାମୟିକ ଭାବେ ବଢ଼େଇ କାମ କରୁଥିବା ଗୋବିନ୍ଦ କହି ଚାଲନ୍ତି,“ଆମର ସାତଜଣିଆ ପରିବାର। ୧୫ ଦିନରେ ହିଁ ଖାଦ୍ୟସାମଗ୍ରୀ ସରିଯାଏ”।ଗୋବିନ୍ଦ, ଏବଂ  ମହାରାଷ୍ଟ୍ର ପାଲଘର ଜିଲ୍ଲା ମୋଖଡ଼ା ତାଲୁକାରେ ଥିବା ତାଙ୍କ ଗାଁର ଅଧିକାଂଶ ଲୋକ ଠକର ଆଦିବାସୀ ସଂପ୍ରଦାୟର ।

ଗୋବିନ୍ଦଙ୍କ ଭଳି ପାଲଘର ଜିଲ୍ଲାର ସଂଖ୍ୟାଧିକ ପିତାମାତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କୁ ସ୍କୁଲ୍‌ ପଠାଇବା ଦିଗରେ ଅପରାହ୍‌ଣରେ ମିଳୁଥିବା ଏହି ଭୋଜନ ହିଁ ଏକ ପ୍ରୋତ୍ସାହନ। ଜିଲ୍ଲାର ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୧ ଲକ୍ଷ ଆଦିବାସୀ ସଂପ୍ରଦାୟର (ଜନଗଣନା-୨୦୧୧)। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ମିଳୁଥିବା ସବ୍‌ସିଡିଯୁକ୍ତ ଖାଦ୍ୟସାମଗ୍ରୀ ଉପରେ ନିର୍ଭର କରନ୍ତି ଏଠାକାର ଅନେକ ପରିବାର । ଗୋବିନ୍ଦ କହନ୍ତି, “ଅନ୍ତତଃ ଥରେ ହେଲେ ମୋ ଝିଅକୁ ପେଟପୂରା ଖାଇବାକୁ ତ ମିଳୁଛି ।”

PHOTO • Parth M.N.
PHOTO • Parth M.N.

ଯଶବନ୍ତ ଗୋବିନ୍ଦ ଆଶ୍ୱସ୍ତ ଯେ ତାଙ୍କ ଝିଅ ସତିକା ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ଖାଉଛି; ଘରେ ସକାଳେ ପିଇଥିବା କପେ ଚା ପରେ ଏହା ହିଁ ତାର ପ୍ରଥମ ପେଟପୂରା ଭୋଜନ ।

ଗାଁରେ ଥିବା ଜିଲ୍ଲା ପରିଷଦ (ZP) ସ୍କୁଲ୍‌ରେ ୫ମ ଶ୍ରେଣୀରେ ପଢ଼େ ସତିକା । ୨୦୧୭-୧୮ରେ ମହାରାଷ୍ଟ୍ରରେ ଥିବା ୬୧,୬୫୯ ଜିଲ୍ଲା ପରିଷଦ ସ୍କୁଲ୍‌ରେ ପାଖାପାଖି 46 ଲକ୍ଷ ଛାତ୍ରଛାତ୍ରୀ ପଢୁଥିଲେ (୨୦୦୭-୦୮ରେ ପଢୁଥିବା ପ୍ରାୟ ୬୦ ଲକ୍ଷ ଛାତ୍ରଛାତ୍ରୀ ତୁଳନାରେ ଏହା କମ୍‌; ସୂଚନା ଅଧିକାର ଆଇନ ବଳରେ ମୁଁ  ୨୦୧୮ ଜୁନ୍‌ରେ ଦାଖଲ କରିଥିବା ଏକ ପ୍ରଶ୍ନର ଉତ୍ତରରେ ମତେ ଏହି ସଂଖ୍ୟା ମିଳିଥିଲା) । ଏହି ସବୁ ସ୍କୁଲ୍‌ରେ, ପ୍ରାଥମିକ ଶିକ୍ଷା ପ୍ରତି ପୁଷ୍ଟିକର ସହାୟତା ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଏ । ଗ୍ରାମାଞ୍ଚଳରେ ଥିବା ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକର ଅଧିକାଂଶ ଛାତ୍ରଛାତ୍ରୀ; କୃଷକ, କୃଷି ଶ୍ରମିକ ଏବଂ ବେସରକାରୀ ଶିକ୍ଷା ଦେବାରେ ଅସମର୍ଥ ପରିବାର ସମୂହରୁ ଆସିଥାଆନ୍ତି ।

 “ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୧୦୦ ଗ୍ରାମ ଚାଉଳର ଭାତ ଏବଂ ୨୦ ଗ୍ରାମ ଡାଲି ପାଇପାରିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଦୈନିକ ୧୫୦ ଗ୍ରାମ ଚାଉଳର ଭାତ ଏବଂ ୩୦ ଗ୍ରାମ ଡାଲି ଖାଇପାରିବେ।” ଏହା କହନ୍ତି ରାମଦାସ ସାକୁରେ। ତେଣେ, ମଧ୍ୟାହ୍ନ ଭୋଜନ ପାଇଁ ଘଣ୍ଟି ବାଜେ। ସାକୁରେ ଜଣେ ଶିକ୍ଷକ। ଘୋଷାଲିଠାରୁ ୧୪ କିଲୋମିଟର ଦୂର କୋଲି ମହାଦେବ ଆଦିବାସୀ ବହୁଳ ଧୋଣ୍ଡମର୍ଯ୍ୟାଚିମେଟ ଜିଲ୍ଲା ପରିଷଦ ସ୍କୁଲରେ କାର୍ଯ୍ୟରତ।

ଘଣ୍ଟି ଶୁଣିବା ମାତ୍ରେ, ୬ରୁ ୧୩ ବର୍ଷ ବୟସର ଛାତ୍ରଛାତ୍ରୀମାନେ ଷ୍ଟିଲ୍‌ ଥାଳି ସବୁ ଉଠାଇ ଧରନ୍ତି, ବାହାରେ ଥିବା ଡ୍ରମ୍‌ ପାଣିରେ ଧୋଇ ନିଅନ୍ତି ଏବଂ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ୍‌ର ଠିକ୍‌ ଆରପଟେ ଥିବା ଗାଁର ହନୁମାନ ମନ୍ଦିରରେ ଏକତ୍ର ହୁଅନ୍ତି । ସେତେବେଳକୁ ଅପରାହ୍‌ଣ ପ୍ରାୟ ୧.୩୦, ଯେତେବେଳେ ସେମାନେ ତଳେ ଧାଡ଼ି କରି ବସନ୍ତି । ନିଜ ନିଜ ଭାଗ ଭାତ ଓ ଡାଲିକୁ ଅପେକ୍ଷା କରନ୍ତି । ସାକୁରେ କହନ୍ତି, “ଜାଳେଣି ଏବଂ ପନିପରିବା ପାଇଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ପିଲା ପିଛା ଦିନକୁ ୧ ଟଙ୍କା ୫୧ ପଇସା ବଜେଟ୍‌ (ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ)ରେ ବ୍ୟବସ୍ଥା ରହିଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ୨ ଟଙ୍କା ୧୭ ପଇସା । ରାଜ୍ୟ ସରକାର ଚାଉଳ, ଖାଦ୍ୟଶସ୍ୟ, ତେଲ, ଲୁଣ ଓ ମସଲା ଯୋଗାଇ ଦିଅନ୍ତି ।”

PHOTO • Parth M.N.
PHOTO • Parth M.N.

ମଧ୍ୟାହ୍ନ ଭୋଜନରେ ଭାତ ଓ ଡାଲି ଖାଇବା ପୂର୍ବରୁ ଧୋଣ୍ଡମର୍ଯ୍ୟାଚିମେଟ ଜିଲ୍ଲା ପରିଷଦ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ସେମାନଙ୍କ ଥାଳି ଧୋଇ ନିଅନ୍ତି ।

ଅନେକ ପିତାମାତାଙ୍କ ପାଇଁ, ଭୋଜନରେ କ’ଣ ମିଳୁଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେମାନଙ୍କ ପିଲାକୁ ଭୋଜନ ମିଳିଯାଉଛି । ପୁଣେର ଏକ ପୁଷ୍ଟି ଅଧିକାର କାର୍ଯ୍ୟକ୍ରମ, ‘ସାଥୀ’ ସହ କାର୍ଯ୍ୟରତ ଜଣେ ଜନସ୍ୱାସ୍ଥ୍ୟ ଚିକିତ୍ସକ, ଡକ୍ଟର ଅଭୟ ଶୁକ୍ଳାଙ୍କ କହନ୍ତି ଯେ, ଏହି ଭୋଜନରେ ଯାହା ଯେମିତି କରି ପେଟ ପୂରିଯାଏ ସିନା, ଏହା ପୁଷ୍ଟିକାରକ ନୁହେଁ । ସେ କହନ୍ତି,” ଜଣେ ବଢୁଥିବା ଶିଶୁ ଲାଗି ମଧ୍ୟାହ୍ନ ଭୋଜନରେ ଆଦର୍ଶଗତ ଭାବେ ୫୦୦ କ୍ୟାଲୋରି ରହିବା ଉଚିତ । କିନ୍ତୁ ରନ୍ଧା ହେବା ପରେ ୧୦୦ ଗ୍ରାମ ଚାଉଳ ୩୫୦ କ୍ୟାଲୋରି ପ୍ରଦାନ କରେ । ଏକ ସମ୍ପୂର୍ଣ୍ଣ ଭୋଜନରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଧାତବଯୁକ୍ତ ଖାଦ୍ୟସାର ଏବଂ ଭିଟାମିନ୍‌ ଭଳି ୫ଟି ମୌଳିକ ଉପାଦାନ ରହିବା କଥା, .ଯାହା କି ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକରେ ମିଳେନାହିଁ । ୧ ଟଙ୍କା ୫୧ ପଇସାରେ ଆପଣ କ’ଣ ବା ପାଇବେ ? ପ୍ରାୟ କିଛି ନୁହେଁ କହିଲେ ଚଳେ। ଏଥିରେ ଜାଳେଣି ବି ରହିଛି, ଯାହା ଆଜିକାଲି ଆଉ ଶସ୍ତା ନୁହେଁ । ଶିକ୍ଷକମାନେ ବେଳେବେଳେ ପରିବାପତ୍ର (ପ୍ରାୟତଃ ଏହା କେବଳ ଆଳୁ) ଯୋଗାଇ ଦିଅନ୍ତି। ତାହା ବି ସପ୍ତାହକୁ ତିନି କିମ୍ବା ଚାରି ଦିନ । କାରଣ ଏକ ନିଅଣ୍ଟିଆ ବଜେଟ୍‌ରେ ସେମାନଙ୍କୁ ବି ଚଳେଇ ନେବାକୁ ପଡ଼େ। ପିଲାମାନେ ପୁଷ୍ଟିହୀନତାରେ ରହିଯାଆନ୍ତି ।”

ଜଣେ ସାମାଜିକ କର୍ମକର୍ତ୍ତା ଏବଂ ଅହମଦନଗର ଜିଲ୍ଲାର ଆକୋଲା ତାଲୁକା ଅନ୍ତର୍ଗତ ବୀରଗାଓଁ ଗାଁ ଜିଲ୍ଲା ପରିଷଦ ସ୍କୁଲ୍‌ର ଶିକ୍ଷକ ଭାଉ ଚସ୍କର କହନ୍ତି ଯେ, ଏ ସବୁ ବ୍ୟତୀତ, ବେଳେବେଳେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଉଥିବା ଚାଉଳ ଓ ମସଲା ଅପମିଶ୍ରଣଯୁକ୍ତ ହୋଇଥାଏ । ସେ ଆହୁରି କହନ୍ତି, “ମସଲାଗୁଡ଼ିକ ମଧ୍ୟ ନିମ୍ନମାନର । ଅନେକ ସ୍କୁଲ୍‌ରେ ସାମଗ୍ରୀ ଗଚ୍ଛିତ କରି ରଖିବା ବ୍ୟବସ୍ଥା ନାହିଁ କିମ୍ବା ଖାଦ୍ୟ ରାନ୍ଧିବା ଲାଗି ଆବୃତ୍ତ ରୋଷଶାଳା ନାହିଁ । ଭିତ୍ତିଭୂମିର ଅଭାବ ଅର୍ଥ ଖୋଲା ସ୍ଥାନରେ ହିଁ ଖାଦ୍ୟ ରନ୍ଧା ହୁଏ, ଯାହା କି ସଂକ୍ରମିତ ହେବାର ଆଶଙ୍କା ଥାଏ । ଏହି କାର୍ଯ୍ୟକ୍ରମ ନିହାତି ଜରୁରୀ ସତ, କିନ୍ତୁ ଏହାକୁ ଭଲ ଭାବେ ଲାଗୁ କରିବା ଦରକାର ।”

ସୂଚନା ଅଧିକାର ଆଇନ ବଳରେ ଜଣେ କାର୍ଯ୍ୟକର୍ତ୍ତାଙ୍କ ଆବେଦନ ଜରିଆରେ ମିଳିଥିବା ତଥ୍ୟ ଉପସ୍ଥାପନ କରାଯାଇ ୨୦୧୭ ମସିହା ଡିସେମ୍ବରରେ ‘ହିନ୍ଦୁସ୍ତାନ ଟାଇମ୍‌ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଗତ ପାଞ୍ଚ ବର୍ଷରେ ମହାରାଷ୍ଟ୍ରର ୫୦୪ ଜଣ ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ ।

ବୀରଗାଓଁ ଜିଲ୍ଲା ପରିଷଦସ୍କୁଲ୍‌ର ୪୪ ବର୍ଷୀୟ ଶିକ୍ଷକ ରାମ ୱାକ୍‌ଚୌରେ କହନ୍ତି ଯେ, ସ୍କୁଲ୍‌କୁ ତାଜା ପନିପରିବା ଯୋଗାଇ ଦେବା ଲାଗି ବେଳେବେଳେ ସେମାନେ ସଂପନ୍ନ ଚାଷୀମାନଙ୍କୁ ଅନୁରୋଧ କରନ୍ତି । ସେ କହନ୍ତି, “ଯେତେବେଳେ ସାମର୍ଥ୍ୟ ଥାଏ ସେମାନେ ଦିଅନ୍ତି । କିନ୍ତୁ ଅନୁର୍ବର ଜମି ଥିବା ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନେ ସେତିକି ବି କରିପାରିବେ ନାହିଁ ।”

PHOTO • Parth M.N.
PHOTO • Parth M.N.

ବାମ:ଲକ୍ଷ୍ମୀ ଦିଘା, ଘୋସାଲି ଜିଲ୍ଲା ପରିଷଦ ସ୍କୁଲ୍‌ରେ ରୋଷେଇବାସ ଓ ସଫେଇ କାମ କରନ୍ତି ଏବଂ ସେ କହନ୍ତି ଯେ, ବେଳେବେଳେ ସ୍କୁଲ୍‌କୁ ମିଳୁଥିବା ଖାଦ୍ୟ ସାମଗ୍ରୀ ନିଅଣ୍ଟ ହେଲେ ସେ ତାଙ୍କ ନିଜ ପରିବାରରୁ ଖାଦ୍ୟ ସାମଗ୍ରୀ ଆଣି ଆବଶ୍ୟକତା ପୂରଣ କରନ୍ତି । ଡାହାଣ: ମଙ୍ଗଳା ବୁରାଙ୍ଗେ ଅନୁଭବ କରନ୍ତି ଯେ, ତାଙ୍କ ପୁଅ ସାଗର ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ଏକବୋନସ୍‌

ଘୋସାଲିଜିଲ୍ଲା ପରିଷଦ ସ୍କୁଲ୍‌ର ୧୦୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ରାନ୍ଧୁଥିବା ଲକ୍ଷ୍ମୀ ଦିଘାଙ୍କୁ ବେଳେବେଳେ ନିଜ ଘରୁ ଚାଉଳ ଆଣିବାକୁ ପଡ଼େ, ଯାହାକି ସେ ନିଜ ପରିବାର ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଥାଆନ୍ତି । ସ୍କୁଲ୍‌ ପାଖରେ ଥିବା ଏକ ଅସ୍ଥାୟୀ ରୋଷଘରେ ଏକ ବଡ଼ ପାତ୍ରରେ ‘ଖେଚୁଡ଼ି’ ଘାଣ୍ଟୁ ଘାଣ୍ଟୁ ସେ କହନ୍ତି, “ଆମେ ‘ଚଳେଇ’ ନେଉ।ହେଲେ ଠିକ୍‌ ସମୟରେ ଚାଉଳ ନ ପାଇଲେ ତାହା ହିଁ ଏକମାତ୍ର ଉପାୟ । ଆମେ ପିଲାମାନଙ୍କୁ ଭୋକରେ ରଖିପାରିବୁନି । ସେମାନେ ବି ଆମ ପିଲାଙ୍କ ଭଳି।” ପ୍ରତି ମାସର ପ୍ରଥମ ସପ୍ତାହରେ ଜିଲ୍ଲା ପରିଷଦ ସ୍କୁଲ୍‌କୁ ଖାଦ୍ୟଶସ୍ୟ ଯୋଗାଇ ଦେଇଥାଏ। କିନ୍ତୁ ଏଥିରେ ବେଳେବେଳେ ଏଥିରେ ବିଳମ୍ବ ହୁଏ ।

ଦିଘାଙ୍କର ଦିନଚର୍ଯ୍ୟା ଆରମ୍ଭ ହୁଏ ସକାଳ ୬ଟାରୁ ଏବଂ ସ୍କୁଲ୍‌ ବନ୍ଦ ହେବା ସହିତ ଅପରାହ୍‌ଣ ୪.୩୦ରେ ଶେଷ ହୁଏ । ସେ କହନ୍ତି, “ପିଲାମାନେ ଆସିବା ପୂର୍ବରୁ ମୁଁ ସ୍କୁଲ ହତାକୁ ସଫା କରେ, ତା ପରେ (ପାଖରେ ଥିବା ନଳକୂଅରୁ)ପାଣି ଭର୍ତ୍ତି କରେ। ମୁଁ ପରିବାପତ୍ର କିଣେ (ତାଙ୍କ ଗାଁରୁ ଚାରି କିଲୋମିଟର ଦୂର ମୋଖଡ଼ାରୁ), ସେସବୁକୁ କାଟେ ଏବଂ ଖାଦ୍ୟ ପ୍ରସ୍ତୁତ କରେ। ମଧ୍ୟାହ୍ନ ଭୋଜନ ଶେଷରେ ମୁଁ ସଫାସୁତରା କରେ... ଏଥିରେ ହିଁ ପୂରା ଦିନ ବିତିଯାଏ।”

ଯେହେତୁ କୌଣସି ସହାୟକ ବିନା ଦିଘା ସବୁ କାମ କରନ୍ତି, ସେ ମାସକୁ ୧,୫୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ । ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲ୍‌ରେ ଜଣେ ରାନ୍ଧୁଣିଆଙ୍କ ଦରମା ୧,୦୦୦ ଟଙ୍କା–ମାସର ୨୦ଟି କାର୍ଯ୍ୟ ଦିବସ, ପ୍ରତି ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼େ । ତାହେଲେ ହିଁ ଜଣେ ରାନ୍ଧୁଣିଆ ଦିନକୁ ୫୦ ଟଙ୍କା ରୋଜଗାର କରନ୍ତି । ଶିକ୍ଷକ ଓ ମଧ୍ୟାହ୍ନ ଭୋଜନ କର୍ମଚାରୀମାନଙ୍କ ଲଗାତର ଦାବି ପରେ ୨୦୧୯ ଫେବ୍ରୁଆରୀରୁ ଏହି ରାଶି ୧,୫୦୦ ଟଙ୍କାକୁ ବୃଦ୍ଧି ପାଇବାକୁ ସ୍ଥିର ହୋଇଛି । ସାମାନ୍ୟ ହସି ଦିଘା କହନ୍ତି, “ଜାନୁଆରୀ ମାସରେ ମୁଁ ୧୨,୦୦୦ ଟଙ୍କା ପାଇଲି । ମୋର ଆଠ ମାସର ଦରମା ବାକି ରହିଥିଲା ।”

ପାଲଘର ଭଳି ଜିଲ୍ଲାରେ ଚାଷଜମିଗୁଡ଼ିକ ଶୁଷ୍କ ତଥା ଫସଲ ଅମଳ କମ ହୋଇଥାଏ ଏବଂ ଲୋକେ ଅଣ-କୃଷିଭିତ୍ତିକ କାମ ଉପରେ ନିର୍ଭର କରନ୍ତି । ତେଣୁ ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକରେ ରାନ୍ଧୁଣିଆ ରଖିବା କଷ୍ଟକର ନୁହେଁ । କିନ୍ତୁ କୃଷିକାର୍ଯ୍ୟ ଲାଗି ରହିଥିବା ଅଞ୍ଚଳଗୁଡ଼ିକରେ ଜଣେ ରାନ୍ଧୁଣିଆ ରଖିବା ଶିକ୍ଷକମାନଙ୍କ ପାଇଁ କାଠିକର ପାଠ।

PHOTO • Parth M.N.
PHOTO • Parth M.N.

ବାମ: ଜଣେ କୃଷି ଶ୍ରମିକ ଭାବେ ଅଳକା ଗୋରେ ଅଧିକ ଟଙ୍କା ରୋଜଗାର କରିପାରିବେ, କିନ୍ତୁ ସେ ଜିଲ୍ଲା ପରିଷଦ ସ୍କୁଲ୍‌ରେ ରୋଷେଇ କରନ୍ତି କାରଣ ମରୁଡ଼ି ଯୋଗୁଁ କୃଷି କାମ ଆଉ ମିଳୁନାହିଁ । ଡାହାଣ: ସବୁ ଜିଲ୍ଲା ପରିଷଦ ସ୍କୁଲ୍‌ ଭଳି, ଘୋସାଲି ସ୍କୁଲ୍‌ ପିଲାମାନେ ମଧ୍ୟାହ୍ନ ଭୋଜନକୁ ଅପେକ୍ଷା କରିଛନ୍ତି ।

୨୦୧୮ ଜୁଲାଇ ମାସରେ କିଛି ସପ୍ତାହ ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଖାଦ୍ୟ ରାନ୍ଧିଥିଲେ ଅହମ୍ମଦନଗର ଜିଲ୍ଲା ଶେଲଭିହିରେ ଗାଁ ଜିଲ୍ଲା ପରିଷଦ ସ୍କୁଲ୍‌ର ଅଧ୍ୟକ୍ଷ ଅନୀଲ ମୋହିତେ। ସେ କହନ୍ତି, “କୌଣସି ସୂଚନା ନ ଦେଇ ରାନ୍ଧୁଣିଆ କାମ ଛାଡ଼ି ଦେଲେ। ଅନ୍ୟ ଜଣଙ୍କୁ ଖୋଜି ପାଇବା ପର୍ଯ୍ୟନ୍ତ ରୋଷେଇଶାଳ ଦାୟିତ୍ୱରେ ମୁଁ ଥିଲି। ସେହି ସମୟରେ ମୁଁ ମଝିରେ ମଝିରେ ଯାହା ପିଲାମାନଙ୍କୁ ପଢ଼ାଇ ପାରୁଥିଲି । ସେମାନଙ୍କ ଭୋଜନ ତୁଳନାରେ ପାଠପଢ଼ାକୁ ମୁଁ ପ୍ରାଥମିକତା ଦେଇପାରିବି ନାହିଁ। ”

ଶେଲଭିହିରେଠାରୁ ୩୫ କିଲୋମିଟର ଦୂର ବୀରଗାଓଁର ଜିଲ୍ଲା ପରିଷଦ ସ୍କୁଲ୍‌ରେ ଶିକ୍ଷକମାନେ ନିଜ ନିଜ ହାତରୁ ଦେଇ ୧,୦୦୦ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଜଣ ପିଛା ୫୦୦ ଟଙ୍କା ଲେଖାଏଁ କରି ଦୁଇ ଜଣ ରୋଷେଇଆଙ୍କ ଦରମାରେ ଯୋଡୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ରୋଷେଇଆ, ଅଳକା ଗୋରେ କହନ୍ତି ଯେ, ସେ ଜଣେ କୃଷି ଶ୍ରମିକ ଭାବେ କାମ କରି ଦିନକୁ ୧୫୦-୨୦୦ ଟଙ୍କା ଆୟ କରିପାରନ୍ତି । ସେ କହନ୍ତି, “ଏମିତି ଯଦି ମୁଁ ସପ୍ତାହକୁ ତିନି ଦିନ କାମ କରେ ତେବେ ମୋ ଦରମା (ସ୍କୁଲ୍‌ରୁ ମିଳୁଥିବା) ତୁଳନାରେ ଅଧିକ ରୋଜଗାର କରିପାରିବି ।” କିନ୍ତୁ ମରୁଡ଼ି ଯୋଗୁଁ କୃଷି କାମର ଅଭାବ ଥିବାରୁ ସେ ସ୍କୁଲ୍‌ରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ସେ କହନ୍ତି, “ଯେତେବେଳେ ଶିକ୍ଷକମାନେ ଅସ୍ଥାୟୀ ଭାବେ ମୋର ଦରମା ବଢ଼ାଇଲେ, ମୁଁ ରହିଗଲି । କିନ୍ତୁ ଥରେ ବର୍ଷାଋତୁ ଆସିଲେ ଏବଂ ବୁଣାବୁଣି ଆରମ୍ଭ ହେଲେ ମତେ ପୁଣି ଚିନ୍ତା କରିବାକୁ ପଡ଼ିବ। ସ୍କୁଲ୍‌ରେ ହିଁ ମୁଁ ମୋର ପୂରା ଦିନ କାଟେ ଏବଂ ତାପରେ ମୁଁ ଆଉ କୌଣସି କୃଷି କାମ ପାଇପାରିବି ନାହିଁ । ମୋର ତିନିଟି ଝିଅଙ୍କୁ ପୋଷିବାର ଅଛି।”

ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାମାନେ ମଧ୍ୟାହ୍ନ ଭୋଜନ ଉପରେ ଏତେ ଅଧିକ ନିର୍ଭର କରନ୍ତି ଯେ ଏ ସଂପର୍କରେ ଅଭିଯୋଗ କରିପାରନ୍ତି ନାହିଁ । ମଙ୍ଗଳା ବୁରାଙ୍ଗେଙ୍କ ୧୩ ବର୍ଷର ପୁଅ ସୂରଜ ଧୋଣ୍ଡମର୍ଯ୍ୟାଚିମେଟି ଜିଲ୍ଲା ପରିଷଦ ସ୍କୁଲରେ ପଢ଼େ । ସେ କହନ୍ତି, “ଆମର ଅତି ବେଶିରେ ଗୋଟିଏ ଏକର ଚାଷଜମି ଅଛି । ଆମେ ନିଜେ ଖାଇବା ପାଇଁ ଧାନ ଚାଷ କରୁ । କିନ୍ତୁ ଅମଳ ଉପରେ ଭରସା କରିହୁଏ ନାହିଁ । ଏ ବର୍ଷ (୨୦୧୮) ମରୁଡ଼ି ପଡ଼ିଥିବାରୁ ଆମେ କେବଳ ଦୁଇ କୁଇଣ୍ଟାଲ ଅମଳ କରିଥିଲୁ । ଆମକୁ ଯାହା ବି ମିଳେ (ମଧ୍ୟାହ୍ନ ଭୋଜନରେ) ତାହା ଏକ ବୋନସ୍‌ ।”

ସତିକା ଭଳି ସୂରଜର ବି ଦିନ ଆରମ୍ଭ ହୁଏ ସେଇ ସକାଳର ଗୋଟିଏ କପ୍‌ ଚା’ରୁ । ସେ କହେ, “ସେଇ କପେ ଚା’ ଏବଂ ରାତିର ଖାଦ୍ୟ ହିଁ ଯାହା ମୁଁ ଘରେ ପାଏ । ରାତିରେ ଖାଇବା ବେଳେ ଆମକୁ ମନେ ରଖିବାକୁ ହୁଏ ଯେ ଆମ ଘରେ ଥିବା ଖାଦ୍ୟ ଶସ୍ୟ ଯେତେ ଅଧିକ ସମ୍ଭବ ସେତେ ଦିନ ଯାଏଁ ରଖିବାକୁ ହେବ । ବିଶେଷତଃ ସେହି ସମୟରେ, ଯେତେବେଳେ ଖୁବ୍‌ କମ ଅମଳ ହୋଇଥାଏ । ତେଣୁ ମୁଁ ସ୍କୁଲ୍‌ର ମଧ୍ୟାହ୍ନ ଭୋଜନକୁ ଚାହିଁ ରହିଥାଏ ।’’

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.