ସେ କୋହ୍ଲାପୁରର ଏହି ଦୃଢ଼ ନଦୀବନ୍ଧର ଏକ ଛୋଟିଆ ସେତୁ ଉପରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ତଳେ ଶାନ୍ତ ଓ ଅବିଚଳିତ ଭାବରେ ବସିଛନ୍ତି, ଯାହାକୁ କି ସେ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଗଢ଼ିଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଆମେ ତାଙ୍କୁ ଲଗାତର ପ୍ରଶ୍ନ ପଚାରି ଚାଲିଥିଲୁ ଆଉ ସେ ଧୈର୍ଯ୍ୟର ସହିତ ଉତ୍ତର ଦେଇଥିଲେ। କେବଳ ସେତିକି ନୁହେଁ ଆମ ସହିତ ପୋଲ ଉପରେ ଚାଲି ଚାଲି ଯାଇଥିଲେ - ୧୯୫୯ ମସିହାରେ କିପରି ଭାବରେ ଏହି ବନ୍ଧ ଜୀବନଲାଭ କରିଥିଲା ଗୋଟି ଗୋଟି ବୁଝାଇ ଦେଇଥିଲେ।

ଷାଠିଏ ବର୍ଷ ତଳେ, ଗଣପତି ଈଶ୍ୱର ପାଟିଲଙ୍କର ଜଳସେଚନ ଉପରେ ଗଭୀର ଦକ୍ଷତା ଥିଲା, ଏବଂ ସେ ଚାଷ ଓ ଚାଷୀଙ୍କୁ ବୁଝିଥିଲେ। ସେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ବିଷୟରେ କେବଳ ଜାଣନ୍ତି ନାହିଁ - ଏଥିରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏବେ ତାଙ୍କର ବୟସ ୧୦୧ ବର୍ଷ ଆଉ ସେ ହେଉଛନ୍ତି ବଞ୍ଚି ରହିଥିବା ମାତ୍ର କେତେ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଜଣେ।

ସେ କହିଲେ, ‘‘ମୁଁ କେବଳ ଏକ ବାର୍ତ୍ତାବହ ଥିଲି,’’ ୧୯୩୦ ମସିହାଠାରୁ ତାଙ୍କ ଜୀବନର ସରଳତା ଓ ନିଷ୍କପଟତାକୁ ପ୍ରତିଫଳିତ କରି କହିଥିଲେ। ‘‘ଲୁଚିଛପି ଚାଲିଥିବା ବ୍ରିଟିଶ ବିରୋଧୀ ଆନ୍ଦୋଳନ ପାଇଁ ମୁଁ ଏକ କୋରିଅର୍ ଥିଲି।’’ ଏଥିରେ ନିଷିଦ୍ଧ ହୋଇଥିବା କମ୍ୟୁନିଷ୍ଟ ବିପ୍ଳବୀ ଦଳ, ସମାଜବାଦୀ ଦଳ ଏବଂ କଂଗ୍ରେସ ଦଳ (୧୯୪୨ ମସିହା ବେଳକୁ ଭାରତ ଛାଡ଼ ଆନ୍ଦୋଳନ ସମୟରେ)ର ଗୋଷ୍ଠୀ ଅନ୍ତର୍ଭୁକ୍ତ। ସେ ନିଶ୍ଚୟ ଏଥିରେ ଧୂରନ୍ଧର ଥିଲେ - କାରଣ କେବେବି ଧରା ପଡ଼ିନଥିଲେ। ସେ ଆବେଗଭରା ସ୍ୱରରେ କହିଥିଲେ ‘‘ମୁଁ କେବେବି ବନ୍ଦୀଶାଳାକୁ ଯାଇନାହିଁ,’’। ଅନ୍ୟମାନେ ମଧ୍ୟ ଆମକୁ କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ତାମ୍ର ପାତ୍ର (ଲିଖିତ ଉପଢ଼ୌକନ) ଏପରିକି ୧୯୭୨ ମସିହା ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯାଉଥିବା ଭତ୍ତା ଗ୍ରହଣ କରିନଥିଲେ।

PHOTO • P. Sainath

ଗଣପତି ପାଟିଲଙ୍କ ସହିତ ଅଜିତ ପାଟିଲ୍, ତାଙ୍କର ପୂର୍ବ ସହକର୍ମୀ ସ୍ୱର୍ଗତଃ ଶାନ୍ତାରାମ ପାଟିଲ୍‌ (ଲାଲ ନିଶାନ ପାର୍ଟିର ସହ ପ୍ରତିଷ୍ଠାତା)ଙ୍କର ପୁତ୍ର

ଗଣପତି ପାଟିଲ୍‌ ଆବେଗଭରା ସ୍ୱରରେ କହନ୍ତି ‘ମୁଁ କେବେ ବନ୍ଦୀଶାଳାକୁ ଯାଇନଥିଲି’। ଅନ୍ୟମାନେ ମଧ୍ୟ ଆମକୁ କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ତାମ୍ର ପାତ୍ର (ଲିଖିତ ଉପଢ଼ୌକନ) ଏପରିକି ୧୯୭୨ ମସିହା ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯାଉଥିବା ଭତ୍ତା ଗ୍ରହଣ କରିନଥିଲେ।

‘‘ମୁଁ କିପରି ଏହା କରିପାରିଥାନ୍ତି?’’ ସେ କହନ୍ତି ଯେତେବେଳେ ଆମେ ତାଙ୍କୁ କୋହ୍ଲାପୁର ଜିଲ୍ଲାର କଗଲ ତାଲୁକାର ସିଦ୍ଧାନେର୍ଲି ଗାଁରେ ତାଙ୍କ ପୁଅଙ୍କ ବିଷୟରେ ଏହା ପଚାରିଲୁ। ‘‘ଯେତେବେଳେ ଆମ ପେଟ ପୋଷିବା ପାଇଁ ଆମ ପାଖରେ ଜମି ଅଛି କାହିଁକି ଆଉ କଣ ମାଗିବୁ?’’ ତାଙ୍କ ପାଖରେ ସେହି ସମୟରେ ୧୮ ଏକର ଜମି ଥିଲା। ‘‘ତେଣୁ ମୁଁ ମାଗିଲି ନାହିଁ, ଆବେଦନ କଲି ନାହିଁ। ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀ କହୁଥିଲେ ଯେ: ‘‘ଆମେ ଏହି ଦେଶର ସ୍ୱାଧୀନତା ପାଇଁ ଲଢ଼ିଛୁ, ନିଜ ପାଇଁ ପେନ୍‌ସନ ପାଇବାକୁ ନୁହେଁ।’’ ଏବଂ ତାଙ୍କର କ୍ଷୁଦ୍ର ଭୂମିକା ଉପରେ ସେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ - ଲୁଚି ଛପି ବିପ୍ଳବୀ ଗୋଷ୍ଠୀ ପାଇଁ ବାର୍ତ୍ତା ବହନ କାର୍ଯ୍ୟ କରିବା ଅତ୍ୟନ୍ତ ବିପଦଜନକ ଥିଲା, ବିଶେଷକରି ଯୁଦ୍ଧ ସମୟରେ ଯେତେବେଳେ ଉପନିବେଶବାଦୀମାନେ ଚତୁରତାର ସହ ବିପ୍ଳବୀମାନଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଇ ଦେଉଥିଲେ।

ବୋଧହୁଏ ସେହି ବିପଦ ବିଷୟରେ ତାଙ୍କ ମାଆ ସଚେତନ ନଥିବାରୁ, ତାଙ୍କ ମାଆ ଏହି ବାର୍ତ୍ତାବହ କାର୍ଯ୍ୟକୁ ଗ୍ରହଣ କରିନେଇଥିଲେ- ସେ ମଧ୍ୟ ସାର୍ବଜନୀନ ଭାବରେ ଲୋକଙ୍କ ଦୃଷ୍ଟିରେ ପଡ଼ିନଥିଲେ। କଗଲରେ ଥିବା ସିଦ୍ଧାନେର୍ଲି ଗ୍ରାମର ପୈତୃକ ଗୃହକୁ ଆସିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ମାଆଙ୍କ ବ୍ୟତୀତ ତାଙ୍କର ସମୁଦାୟ ପରିବାର ପ୍ଲେଗ୍‌ ରୋଗର ଶିକାର ହୋଇ ମୃତ୍ୟୁବରଣ କଲେ। ସେତେବେଳେ, ଗଣପତି, ମେ ୨୭, ୧୯୧୮ରେ, ସମାନ ତାଲୁକାର କର୍ନୁର ଗ୍ରାମରେ ମାମୁ ଘରେ ଜନ୍ମ ହୋଇଥିଲେ, ତାଙ୍କର ବୟସ ହୋଇଥିଲା ମାତ୍ର ‘‘ସାଢ଼େ ଚାରି ମାସ’’ ସେ କହନ୍ତି।

ସେ ପରିବାରର ସମସ୍ତ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ହେଲେ - ତାଙ୍କ ମାଆ ଭାବିଲେ - କେବେବି ତାଙ୍କ ପୁଅ ବିପଦ ପଡ଼ିବା ପରି କୌଣସି କାମ କରିବାକୁ ପୁଅକୁ ଅନୁମତି ଦେବେ ନାହିଁ। ‘‘କେବଳ ଯେତେବେଳେ ମୁଁ ସାର୍ବଜନୀନ ଭାବରେ କିମ୍ବା କୌଣସି ଶୋଭାଯାତ୍ରାରେ ଭାଗ ନେଉଥିଲି (୧୯୪୫ ମସିହା ବେକଳୁ) ଲୋକେ ମୁଁ ରାଜନୀତିରେ ଜଏନ୍ କରିଥିବା ବିଷୟରେ ଜାଣିବାକୁ ପାଇଲେ।’’ ଏବଂ ସେ ସିଦ୍ଧାନେର୍ଲିରେ ଚାଷ କରୁଥିଲେ ଓ ୧୯୩୦ ଦଶକର ଶେଷ ବେଳକୁ ଓ ୧୯୪୦ ଦଶକର ଆରମ୍ଭ ବେଳକୁ ଲୁଚି ଛପି କର୍ମୀମାନଙ୍କର ବୈଠକ ଆୟୋଜନ କରୁଥିଲେ। ‘‘ମୋ ମାଆ ଓ ମୁଁ ଘରେ ଏକୁଟିଆ ଥିଲୁ - ଆଉ ସମସ୍ତେ ମରିଯାଇଥିଲେ - ଏବଂ ଲୋକଙ୍କର ଆମ ପ୍ରତି ଦୟାଭାବ ଥିଲା ଓ ସେମାନେ ଆମକୁ ଭଲ ପାଉଥିଲେ।’’

PHOTO • Samyukta Shastri
PHOTO • P. Sainath

୧୨ ବର୍ଷ ବୟସରେ ଏସବୁ ଆରମ୍ଭ ହେଲା, ମୋହନଦାସ କରମଚାନ୍ଦ ଗାନ୍ଧିଙ୍କର କଥା ଶୁଣିବା ପାଇଁ ଗଣପତି ପାଟିଲ୍ ସିଦ୍ଧାନେର୍ଲିରୁ ନିପାନି ପର୍ଯ୍ୟନ୍ତ ୨୮ କିଲୋମିଟର ଚାଲି ଚାଲି ଯାଇଥିଲେ

ସେହି ସମୟର ଅନ୍ୟ ହଜାର ହଜାର ଲୋକଙ୍କ ପରି, ଏହିସବୁ ୧୨ ବର୍ଷ ବୟସରୁ ଆରମ୍ଭ ହୋଇଥିଲା, ଗଣପତି ପାଟିଲ୍ ମଧ୍ୟ ତାଙ୍କ ବୟସର ୫ ଗୁଣ ବୟସ୍କ ବ୍ୟକ୍ତିଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଲମ୍ଫ ଦେଇଥିଲେ। ମୋହନଦାସ କରମଚାନ୍ଦ ଗାନ୍ଧିଙ୍କର ଭାଷଣ ଶୁଣିବା ପାଇଁ ବାଳକ ଗଣପତି ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟର ନିପାନିକୁ ସିଦ୍ଧାନେର୍ଲିରୁ ୨୮ କିଲୋମିଟର ରାସ୍ତା ଚାଲି ଚାଲି ଯାଇଥିଲେ। ଏହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ବାଳକ ଗଣପତି କାର୍ଯ୍ୟକ୍ରମ ଶେଷରେ ମଞ୍ଚ ଉପରକୁ ଉଠିଗଲେ ଏବଂ ‘‘ମହାତ୍ମାଙ୍କ ଶରୀରକୁ ସ୍ପର୍ଶ କରିଥିବାରୁ ଖୁବ୍ ଆନନ୍ଦିତ ଅନୁଭବ କରିଥିଲେ।’’

୧୯୪୧ ମସିହା ବେଳକୁ ସେ କଂଗ୍ରେସ ଦଳର ସଦସ୍ୟ ହେଲେ, ଏହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ହୋଇଥିଲା। ସେହି ସମୟରେ ତାଙ୍କର ଅନ୍ୟ ରାଜନୈତିକ ଶକ୍ତି ସହିତ କାର୍ଯ୍ୟ କରିବା ଜାରି ରହିଥିଲା। ୧୯୩୦ ମସିହାଠାରୁ ଯେତେବେଳେ ସେ ନିପାନି ଗଲେ ସେତେବେଳଠାରୁ କଂଗ୍ରେସରେ ଯୋଗ ଦେବା ପର୍ଯ୍ୟନ୍ତ ସେହି ଦଳର ସମାଜବାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ମୁଖ୍ୟ ଯୋଗସୂତ୍ର ଥିଲେ। ୧୯୩୭ ମସିହାରେ ସେ ସମାଜବାଦୀ ନେତା ଏସ.ଏମ୍. ଯୋଶୀ ଏବଂ ଏନ୍. ଜି. ଗୋରେଙ୍କ ଦ୍ୱାରା ଆୟୋଜିତ ବେଲଗାଁଓର ଆପାଚିୱାଡ଼ି ତାଲିମ ଶିବିରରେ ଯୋଗ ଦେଇଥିଲେ, ଯେଉଁଠାରେ ଭବିଷ୍ୟତର ସତାରା ପ୍ରତି ସରକାର ନାଗନାଥ ନାଏକଓ୍ବାଡି ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଗଣପତିଙ୍କୁ ଅନ୍ତର୍ଭୁକ୍ତ କରି ସମସ୍ତେ କିଛି ନା କିଛି ଅସ୍ତ୍ରଶସ୍ତ୍ର ଚାଳନା ତାଲିମ ନେଇଥିଲେ। ଦେଖନ୍ତୁ ‘କ୍ୟାପ୍‌ଟେନ୍‌ ଏଲ୍‌ଡର୍‌ ବ୍ରଦର୍‌’ ଓ ଚକ୍ରବାତ ସେନା ଏବଂ ପ୍ରତି ସରକାରଙ୍କ ଅନ୍ତିମ ଉଚ୍ଛ୍ୱାସ

୧୯୪୨ ମସିହାରେ, ସେ କହନ୍ତି: ‘‘ଭାରତର କମ୍ୟୁନିଷ୍ଟ ଦଳରୁ ବହିଷ୍କୃତ ନେତା ଯେପରିକି ଶାନ୍ତାରାମ ପାଟିଲ, ଯଶବନ୍ତ ଚୌହ୍ୱାନ (କଂଗ୍ରେସ ନେତା ୱାଇ. ବି ଚୌହ୍ୱାନ ନୁହନ୍ତି), ଏସ୍. କେ. ଲିମାଇ, ଡି.ଏସ୍. କୁଲକର୍ଣ୍ଣି ଏବଂ ଅନ୍ୟ ବିପ୍ଳବୀମାନେ ନବଜୀବନ ସଂଗଠନ (ନୂତନ ଜୀବନ ସଂଘ) ଗଠନ କଲେ।’’ ଗଣପତି ପାଟିଲ୍ ସେମାନଙ୍କ ସହିତ ଯୋଗ ଦେଲେ।

ସେହି ସମୟରେ, ଏହି ନେତାମାନେ ଏକ ପୃଥକ ଦଳ ଗଠନ କରିନଥିଲେ, କିନ୍ତୁ ସେମାନେ ସୃଷ୍ଟି କରିଥିବା ଗୋଷ୍ଠୀ ଲାଲ୍ ନିଶାନ (ଲାଲ ପତାକା) ଭାବରେ ପରିଚିତ ହେଲା। (ଏହା ୧୯୬୫ ମସିହାରେ ରାଜନୈତିକ ଦଳ ଭାବରେ ମୁଣ୍ଡ ଟେକିଲା। ପୁଣି ୧୯୯୦ ଦଶକରେ ବିଭାଜିତ ହେଲା)।

ଭିଡିଓ ଦେଖନ୍ତୁ: ଗଣପତି ପାଟିଲ୍ - ସ୍ୱାଧୀନତା ପାଇଁ ବାର୍ତ୍ତାବହ

ସମସ୍ତ ସ୍ୱାଧୀନତା ପୂର୍ବବର୍ତ୍ତୀ ସଂଗ୍ରାମ ଦେଖିଛନ୍ତି ଗଣପତି ପାଟିଲ୍, ସେ କହନ୍ତି ‘‘ବିଭିନ୍ନ ଦଳ ଓ ସାଥୀମାନଙ୍କ ପାଇଁ ବାର୍ତ୍ତା, ଦଲିଲ୍‌ ଏବଂ ସୂଚନା ନେବା ଆଣିବା କରିଥିଲେ।’’ ସେ ଅତ୍ୟନ୍ତ ନମ୍ର ଭାବରେ ନିର୍ଦ୍ଦିଷ୍ଟ କାର୍ଯ୍ୟର ଉଦାହରଣ ଦିଅନ୍ତି, ସେ କହନ୍ତି ଯେ ଏହା ଏକ ମୁଖ୍ୟ ଭୂମିକା ନଥିଲା। କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣକ ହସି ହସି କହନ୍ତି (କିନ୍ତୁ ଆନନ୍ଦରେ) ଯେତେବେଳେ କେହି ଜଣେ ତାଙ୍କ ପୁଅ ଘରେ ମଧ୍ୟାହ୍ନ ଭୋଜନ ବୈଠକ ସମୟରେ କହିଲେ ଯେ ଜଣେ ବାହକ ଭାବରେ ଓ କୋରିଅର୍‌ ଭାବରେ ତାଙ୍କର ପ୍ରତିଭା ୧୨ ବର୍ଷ ବୟସରେ ଆବିଷ୍କୃତ ହୋଇଥିଲା, ଯେତେବେଳେ ସେ ଚୁପ୍‌ଚାପ୍‌ ୫୬ କିଲୋମିଟର ଦୂର ନିପାନି ଚାଲି ଚାଲି ଯାଇ ଫେରିଆସିଥିଲେ।

‘‘ସ୍ୱାଧୀନତା ପରେ,’’ ଗଣପତି କହନ୍ତି, ‘‘ଏହି ଲାଲ୍ ନିଶାନ ଦଳ ପିଜାଣ୍ଟ୍ସ ଆଣ୍ଡ୍ ୱାର୍କର ପାର୍ଟି (ପିଡବ୍ଳୁପି)ରେ ଯୋଗ ଦେଇ କାମଗାର କିଶାନ ପାର୍ଟି (କୃଷକ ଏବଂ ଶ୍ରମିକ ଦଳ) ଗଠନ କରିଥିଲେ।’’ କିମ୍ବଦନ୍ତୀ ପୁରୁଷ ନାନା ପାଟିଲ୍ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ରେ ତାଙ୍କର ସହକର୍ମୀ ଯୋଗ ଦେବା ସହିତ ଏହି ଦଳ ବିଭାଜିତ ହୋଇଥିଲା। ପିଡବ୍ଲୁପି ପୁନଃଗଠିତ ହୋଇଥିଲା ଏବଂ ଲାଲ ନିଶାନ ପୁଣି ଥରେ ସଂଗଠିତ ହୋଇଥିଲା। ୨୦୧୮ ମସିହାରେ ଏଲଏନପି ଗୋଷ୍ଠୀ ଗଣପତି ସିପିଆଇ ସହିତ ହାତ ମିଳାଇଥିଲେ।

୧୯୪୭ ମସିହାରେ ସ୍ୱାଧୀନତା ପରେ ପାଟିଲ୍ କେତେକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ - ଯେପରିକି କୋହ୍ଲାପୁରରେ ଭୂସଂସ୍କାର ଆଣିବା ପାଇଁ ଆନ୍ଦୋଳନ - ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜଣେ ଜମି ମାଲିକ ହେବା ସତ୍ତ୍ୱେ ସେ କୃଷି ଶ୍ରମିକମାନଙ୍କ ପାଇଁ ଉଚିତ ମୂଲ୍ୟ ପାଇଁ ଲଢ଼ିଥିଲେ ଏବଂ ଅନ୍ୟ କୃଷକମାନଙ୍କୁ ସେମାନଙ୍କ ପାଇଁ ଏକ ସମୁଚିତ ସର୍ବନିମ୍ନ ପାରିଶ୍ରମିକ ଗ୍ରହଣ କରିବାକୁ ପ୍ରଭାବିତ କରିଥିଲେ। ସେ ଜଳସେଚନ ପାଇଁ ‘କୋହ୍ଲାପୁର - ପ୍ରକାର ନଦୀବନ୍ଧ ବିକଶିତ କରିଥିଲେ - ଏହା ହେଉଛି ଏ ପ୍ରକାରର ପ୍ରଥମ ନଦୀବନ୍ଧ (ଆମେ ଏହା ଉପରେ ବସିଛୁ) ଏବେବି ଏହା ପ୍ରାୟ ୧୨ଟି ଗ୍ରାମକୁ ଜଳ ଯୋଗାଉଛି, ଏହା ସ୍ଥାନୀୟ କୃଷକମାନଙ୍କ ନିୟନ୍ତ୍ରଣରେ ରହିଛି।

‘‘ଆମ୍ଭେମାନେ ସମବାୟ ଆଧାରରେ ଅର୍ଥ ଯୋଗାଡ଼ କଲୁ ଏବଂ ଏହାକୁ ନିର୍ମାଣ କଲୁ, ପ୍ରାୟ ୨୦ଟି ଗ୍ରାମର କୃଷକଙ୍କୁ ଏଥିରେ ସାମିଲ୍ କରିଥିଲୁ,’’ କହନ୍ତି ଗଣପତି। ଦୁଧଗଙ୍ଗା ନଦୀରେ ରହିଥିବା ପଥର ବନ୍ଧ ୪,୦୦୦ ଏକରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେଉଛି। କିନ୍ତୁ, ସେ ଗର୍ବର ସହ କହନ୍ତି, ଏହା କୌଣସି ବିସ୍ଥାପନ ସହିତ କରାଯାଇଥିଲା। ଆଜି ଏହାକୁ ଏକ ରାଜ୍ୟସ୍ତରୀୟ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ବର୍ଗୀକୃତ କରାଯାଇପାରିବ।

PHOTO • P. Sainath
PHOTO • P. Sainath

ବାମ: ‘ଏହି ପ୍ରକାରର ଏକ ନଦୀବନ୍ଧ’, ଅଜିତ ପାଟିଲ୍ କହନ୍ତି, ‘କମ୍ ଖର୍ଚ୍ଚଯୁକ୍ତ, ସ୍ଥାନୀୟ ଭାବରେ ରକ୍ଷଣାବେକ୍ଷଣ କରାଯାଉଛି ଏବଂ ପରିବେଶ ଓ ପରିସଂସ୍ଥାନ ପାଇଁ କମ୍ କ୍ଷତିକାରକ।’’ ଡାହାଣ: ଗଣପତି ପାଟିଲଙ୍କର ଗାଡ଼ି ହେଉଛି ଏକ ସେନାବାହିନୀର ବଳକା ଜିପ୍ ଯାହାକୁକି ତାଙ୍କର ଜଣେ ନାତି ଉପହାର ଭାବରେ ଦେଇଛନ୍ତି। ତିକ୍ତତାର ବିଷୟ ହେଉଛି ସମ୍ମୁଖ ବମ୍ପରରେ ଏକ ବ୍ରିଟିଶ ପତାକା ଅଙ୍କା ଯାଇଛି

‘‘ନଦୀର ପ୍ରବାହ ସହିତ ଏହି ପ୍ରକାରର ବନ୍ଧ ନିର୍ମାଣ କରାଯାଇଛି,’’ କହନ୍ତି ଅଜିତ୍ ପାଟିଲ, ସେ କୋହ୍ଲାପୁରର ଜଣେ ଇଞ୍ଜିନିୟର ଏବଂ ଗଣପତିଙ୍କର ପୁରୁଣା ସହକର୍ମୀ, ସ୍ୱର୍ଗତଃ ଶାନ୍ତାରାମ ପାଟିଲ୍‌ଙ୍କର (ଲାଲ ନିଶାନ ପାର୍ଟିର ସହପ୍ରତିଷ୍ଠାତା) ପୁଅ। ‘‘ଏଠାରେ କୌଣସି ପାଣିରେ ବୁଡ଼ିଥିବା ଜମି ନଥିଲା କି ନାହିଁ ଏବଂ ନଦୀର ପ୍ରବାହକୁ କୌଣସି ସ୍ଥାନରେ ଅପ୍ରାସଙ୍ଗିକ ଭାବରେ ପ୍ରତିବନ୍ଧିତ କରାଯାଇନାହିଁ। ବର୍ଷ ସାରା ଜଳ ଗଚ୍ଛିତ ହୋଇରହେ ଯାହାକି ଉଭୟ ପାର୍ଶ୍ୱର ଭୂତଳ ଜଳ ସ୍ତର ଧରିରଖେ ଏବଂ ପ୍ରତ୍ୟକ୍ଷ ଭାବରେ ଏହି ଜଳସେଚନ କ୍ଷେତ୍ର ବାହାରେ ଥିବା କୂଅଗୁଡ଼ିକର ଜଳସେଚନ କ୍ଷମତାକୁ ମଧ୍ୟ ବଢ଼ାଇଥାଏ। କମ୍ ଖର୍ଚ୍ଚଯୁକ୍ତ, ସ୍ଥାନୀୟ ଭାବରେ ରକ୍ଷଣାବେକ୍ଷଣ କରାଯାଉଛି ଏବଂ ପରିବେଶ ଓ ପରିସଂସ୍ଥାନ ପାଇଁ କମ୍ କ୍ଷତିକାରକ।’’

ଏବଂ ଆମେ ମଧ୍ୟ ଦେଖୁଛୁ ଯେ ଖରାଦିନେ ମେ ମାସରେ ମଧ୍ୟ ଏହି ନଦୀବନ୍ଧର ଜଳ ସ୍ତର ଯଥେଷ୍ଟ ଅଧିକ ରହୁଛି, ଏବଂ ଜଳ ପ୍ରବାହକୁ ନିୟନ୍ତ୍ରିତ କରିବା ପାଇଁ ନଦୀବନ୍ଧ ବା ବ୍ୟାରେଜ୍‌ର ‘ଦ୍ୱାରଗୁଡ଼ିକ’ ଖୋଲି ଦିଆଯାଇଥାଏ। ଏହି ନଦୀବନ୍ଧର ପଛପଟେ ରହିଥିବା ପାଣିରେ ମଧ୍ୟ ଖୁବ୍ ଭଲ ମାଛ ଚାଷ ହେଉଛି।

ଗର୍ବର ସହ ଗଣପତି ପାଟିଲ୍ କହନ୍ତି, ‘‘୧୯୫୯ ମସିହାରେ ଆମେ ଏହାକୁ କାର୍ଯ୍ୟକ୍ଷମ କଲୁ।’’ ଆମେ ନ ପଚାରିଲା ପର୍ଯ୍ୟନ୍ତ ସେ କହିନଥିଲେ ଯେ - ସେ ଏହି ନଦୀବନ୍ଧରୁ ସିଧାସଳଖ ଭାବରେ ଲାଭବାନ ହେଉଥିବା କିଛି ଏକର ଜମି ଲିଜ୍‌ରେ ନେଇ ଚାଷ କରୁଥିଲେ। ସେ ଏହି ଲିଜ୍‌ ବାତିଲ୍ କଲେ ଏବଂ ଜମିକୁ ଅନୁପସ୍ଥିତ ଥିବା ମାଲିକମାନଙ୍କୁ ଫେରାଇ ଦେଲେ। ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ‘‘ମୁଁ ଏହାକୁ ମୋର ବ୍ୟକ୍ତିଗତ ଲାଭ ପାଇଁ କରିଛି ବୋଲି ଦେଖିବା ଅନୁଚିତ।’’ ଏହି ସ୍ୱଚ୍ଛତା ଏବଂ କୌଣସି ପ୍ରକାରର ସ୍ୱାର୍ଥ କାରଣରୁ ବିବାଦ ନ ଉପୁଜିବା ପାଇଁ ତତ୍ପରତା ଯୋଗୁଁ ସେ ଅଧିକରୁ ଅଧିକ କୃଷକଙ୍କୁ ଏହି ସମବାୟ ଉଦ୍ୟମରେ ଯୋଗ ଦେବା ପାଇଁ ପ୍ରଭାବିତ କରିପାରିଥିଲେ। ସେମାନେ ଏକ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ନେଇ ନଦୀବନ୍ଧ ତିଆରି ଆରମ୍ଭ କଲେ, ୭୫,୦୦୦ ଟଙ୍କାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା ଏବଂ ସେମାନେ ଅବଶିଷ୍ଟ ୨୫,୦୦୦ ଟଙ୍କା ତୁରନ୍ତ ଫେରାଇଦେଲେ। ନିର୍ଦ୍ଧାରିତ ୩ ବର୍ଷ ମଧ୍ୟରେ ସେମାନେ ବ୍ୟାଙ୍କ ଋଣ ସମ୍ପୂର୍ଣ୍ଣ ଭାବରେ ପରିଶୋଧ କରିଦେଲେ। (ଆଜି, ଏହି ଆକାରର ଏକ ପ୍ରକଳ୍ପ ପାଇଁ ୩-୪ କୋଟି ଟଙ୍କା ଆବଶ୍ୟକ ହେବ, ପ୍ରକଳ୍ପ ଶେଷ ହେଲା ବେଳକୁ ମୂଲ୍ୟବୃଦ୍ଧି ଯୋଗୁଁ ଅଧିକ ପରିଶୋଧ କରିବାକୁ ପଡ଼ିବ ଓ ଶେଷରେ ଋଣ ପରିଶୋଧ ହୋଇପାରିବ ନାହିଁ।)

ଆମେ ଏହି ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାରା ଦିନ ସକ୍ରିୟ କରି ରଖିଥିଲୁ, ମେ ମାସର ଉଦୁଉଦିଆ ଖରା ବେଳେ ମଧ୍ୟ ସେ କ୍ଳାନ୍ତ ଅନୁଭବ କରୁନଥିଲେ। ଆମ ସହିତ ହସି ହସି ଚାଲି ଚାଲି ବୁଲିଥିଲେ, ଆମ ମନର ଗୋଟି ଗୋଟି ଉତ୍କଣ୍ଠା ଦୂର କରିଥିଲେ। ଶେଷରେ, ଆମେ ପୋଲରୁ ଓହ୍ଲାଇ ତାଙ୍କ ଗାଡ଼ି ଆଡକୁ ଗଲୁ। ତାଙ୍କ ପାଖରେ ଅଛି ସେନାବାହିନୀର ଏକ ପୁରୁଣା ଜିପ୍ - ଯାହାକୁକି ତାଙ୍କର ଜଣେ ନାତି ଉପହାର ଦେଇଛନ୍ତି। ତିକ୍ତତାର ବିଷୟ ହେଉଛି, ସମ୍ମୁଖ ବମ୍ପରରେ ଏକ ବ୍ରିଟିଶ ପତାକାର ଚିତ୍ର ଅଙ୍କା ଯାଇଛି ଏବଂ ବନେଟ୍‌ର ଗୋଟିଏ ପାର୍ଶ୍ୱରେ ‘USA  C 928635’ ମୁଦ୍ରିତ ହୋଇଛି। ବିଭିନ୍ନ ପିଢ଼ିର କଥା କହୁଛି।

ଅବଶ୍ୟ ଏହି ଜିପ୍‌ରେ ବସିଥିବା ବ୍ୟକ୍ତି ସାରା ଜୀବନ ଏକ ଭିନ୍ନ ପତାକାକୁ ଅନୁସରଣ କରିଛନ୍ତି। ଏବେ ମଧ୍ୟ ଜାରି ରଖିଛନ୍ତି।

PHOTO • Sinchita Maji

ଗଣପତି ପାଟିଲଙ୍କର ପରିବାର ସହିତ, କୋହ୍ଲାପୁର ଜିଲ୍ଲାର କଗଲ ତାଲୁକାର ସିଦ୍ଧାନେର୍ଲି ଗ୍ରାମରେ ତାଙ୍କ ପୁଅଙ୍କ ଘରେ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath