ବର୍ଷା ଋତୁରେ ସ୍କୁଲ୍‌ରେ ପହଞ୍ଚିବା ପାଇଁ ସବୁଦିନ ଜୀବନକୁ ବାଜି ଲଗାଏ ୟଶ ମହାଲୁଙ୍ଗେ। ଅନ୍ୟ ବାଳକ ଓ ବାଳିକାଙ୍କ ଏକ ଦଳ ଏବଂ କେତେକ ପିତାମାତାଙ୍କ ସହିତ ଆଠ ବର୍ଷର ୟଶ, ଅଧା ଭୁଶୁଡ଼ି ପଡ଼ିଥିବା ଏକ ପୋଲର ଖମ୍ବଗୁଡ଼ିକ ଉପରେ ଥିବା ସେହି ଖସଡ଼ା ଓ ଅଣଓସାରିଆ କାନ୍ଥ ଉପରେ ଚାଲେ। ସେହି ସ୍ଥାନରୁ ସିଧା ଖସିଲେ, ଅନେକ ଫୁଟ ତଳେ ଗଛବୁଦା ଓ ପଙ୍କ କାଦୁଅରେ ପଡ଼ିବା କଥା ।

ପ୍ରତିଦିନ ସକାଳ ବେଳା ଦୁଇ ଥର, ସ୍କୁଲ୍‌କୁ ଯିବା ଓ ସ୍କୁଲରୁ ଫେରିବା ବାଟରେ ଏହି ଦଳର ପିଲାମାନେ ଗୋଟିକିଆ ଧାଡ଼ିରେ ଚାଲନ୍ତି । ଗୋଟିଏ ହାତରେ ଛତା ଓ କାନ୍ଧରେ ଓଜନିଆ ବସ୍ତାନି ବୋହୁଥିବା ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ଖାଲି ପାଦରେ ଥାଆନ୍ତି । ବିପଜ୍ଜନକ ଭାବରେ ୩୦ସେକେଣ୍ଡ୍‌ ଚାଲିବା ପରେ ପୋଲର ଅବଶିଷ୍ଟ ଭାଗରେ ଥିବା ନିରାପଦ କଂକ୍ରିଟ୍‌ ଚଟାଣରେ ସେମାନଙ୍କ ପାଦ ପଡ଼େ । ତା ପରେ ସେମାନେ ଏକ କାଦୁଅ ଭର୍ତ୍ତି ପାଦଚଲା ରାସ୍ତାରେ ଚାଲି, ଆୱାରେ ଗାଁରେ ଥିବା ସେମାନଙ୍କ ସ୍କୁଲ୍‌ରୁ ଦୁଇ କିଲୋମିଟର ଦୂର ଔରେ ପଲ୍‌ହେରି ପଲ୍ଲୀର ସେମାନଙ୍କ ଘରେ ପହଞ୍ଚିବା ପାଇଁ ଆଗେଇ ଯାଆନ୍ତି ।

ୟଶ କହେ, “ତଳକୁ ଚାହିଁଲେ ମୋତେ ଡର ଲାଗେ । ମୁଣ୍ଡ ବୁଲାଇ ହେଲା ଭଳି ଲାଗେ । ମୁଁ ବାବାଙ୍କ (ବାପାଙ୍କର) ହାତକୁ ଖୁବ୍‌ ଜୋର୍‌ରେ ଧରେ ।”

୨୦୦୫ ମସିହା ପର୍ଯ୍ୟନ୍ତ ଔରେ ପଲ୍‌ହେରି ଗାଁର ୭୭ ଜଣ (ଆୱାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ତଥ୍ୟ) ବାସିନ୍ଦାଙ୍କୁ ଏଭଳି ବିପଜ୍ଜନକ ରାସ୍ତାରେ ଯିବାକୁ ପଡୁ ନଥିଲା । ଭାତ୍‌ସା ନଦୀର ଏହି ଝରଣା ପାର କରିବା ପାଇଁ ଛୋଟ ପୋଲଟିଏ ରହିଥିଲା । କିନ୍ତୁ ସେହି ବର୍ଷ ଜୁଲାଇ ୨୮ ତାରିଖର ପ୍ରବଳ ବର୍ଷାରେ ୧୯୯୮ରେ ଠାଣେ ଜିଲ୍ଲା ପରିଷଦ ଦ୍ଵାରା ନିର୍ମିତ ଏହି  ପୋଲର କେତେକ ଅଂଶ ଧୋଇ ହୋଇଗଲା । ଭଙ୍ଗା ଅଂଶରେ କେବଳ ଦୁଇଟି ଅଣଓସାରିଆ ପାର୍ଶ୍ଵ କାନ୍ଥ ବା ପୋଲର ଭାର ବହନ ପାଇଁ ଥିବା ପାର୍ଶ୍ଵ ଖମ୍ବ ରହିଗଲା ।

PHOTO • Jyoti Shinoli
PHOTO • Jyoti Shinoli

ବାମ: ଦିନେ ଜଳସ୍ତର ବେଶୀ ନ ଥିବା ବେଳେ ୟଶ (ବାମ) ଏବଂ ଅନିଶ ଝରଣା ପାର କରୁଛନ୍ତି। ଡାହାଣ: ପଲ୍ଲୀର ଏହି ପିଲାମାନଙ୍କ ପାଇଁ ‘ଝରିବା’ର ଅଲଗା ଅର୍ଥ ରହିଛି।

ଶାହାପୁର ସହରରେ ଅଟୋ ରିକ୍ସା ଚଳାଇ ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରୁଥିବା ୟଶର ବାପା ଆନନ୍ଦ ମହାଲୁଙ୍ଗେ କହନ୍ତି, “ସଂପୂର୍ଣ୍ଣ ଧ୍ୟାନ ଦେଇ ଏବଂ ଭାରସାମ୍ୟ ରଖି ଆପଣଙ୍କୁ (ସେ ସବୁ କାନ୍ଥ ଉପରେ) ଚାଲିବାକୁ ପଡ଼ିବ । ପିଲାମାନଙ୍କ ସହ ଜଣେ ବୟସ୍କ ଲୋକଙ୍କୁ ରହିବାକୁ ପଡ଼ିବ । ସେମାନେ ଏକା ଏକା ଏହି ବାଟରେ ଚାଲିପାରିବେ ନାହିଁ ଏବଂ (ସ୍କୁଲ୍‌ରେ ପହଞ୍ଚିବା ଲାଗି) ଅନ୍ୟ କୌଣସି ବାଟ ନାହିଁ । ଏମିତି କି ବୟସ୍କମାନେ ବି ଏକା ଏକା ଯାଆନ୍ତି ନାହିଁ । ଯଦି ଜଳସ୍ତର କମ୍‌ ଥାଏ (ପ୍ରାୟ ଏକରୁ ଦେଢ଼ ଫୁଟ୍‌ ଗଭୀର: ପ୍ରବଳ ବର୍ଷାରେ ଏହା ତିନି ଫୁଟ୍‌ ଉପରକୁ ଉଠିପାରେ) ତେବେ ବେଳେବେଳେ ଆମେ ଆରପଟରେ ପହଞ୍ଚିବା ପାଇଁ ଝରଣା ଭିତରେ ପଶି ଚାଲି ଚାଲି ଯାଉ । ଅନ୍ୟ କୌଣସି ଗାଁର କେହି ଆମ ପଟକୁ ଆସନ୍ତି ନାହିଁ । କାହିଁକି ବା ସେମାନେ ନିଜ ଜୀବନକୁ ବିପନ୍ନ କରି ଆସିବେ ? ଆମ ଗାଁ, ଅନ୍ୟ ସବୁ ଗାଁର ଠିକ୍‌ ଶେଷମୁଣ୍ଡରେ ରହିଛି ।”

ବର୍ଷ ବର୍ଷ ହେଲା ଭଙ୍ଗା ପୋଲର ଧ୍ୱଂସାବଶେଷରୁ ସୃଷ୍ଟ ସିମେଣ୍ଟ ଓ କାଦୁଅ ମିଶା ଆବର୍ଜନା ଉପରେ ଗଛ ଓ ବୁଦା ପଡ଼ି ଢାଙ୍କି ହୋଇଯାଇଛି, ଯାହାକୁ୧୪ ବର୍ଷ ହେଲା ମରାମତି କରାଯାଇ ନାହିଁ । ଏବଂ ଏହି ସବୁ ବର୍ଷରେ ସ୍କୁଲ୍‌, କାର୍ଯ୍ୟକ୍ଷେତ୍ର, ସ୍ଵାସ୍ଥ୍ୟ ସେବା କେନ୍ଦ୍ର, ବଜାର ଏବଂ ଅନ୍ୟ ଅନେକ ସ୍ଥାନରେ ପହଞ୍ଚିବା ପାଇଁ ଏହି ବିପଜ୍ଜନକ ଯାତ୍ରା ଗାଁ ଲୋକମାନଙ୍କର ନିତିଦିନିଆ ଜୀବନର ଅଂଶ ପାଲଟି ଯାଇଛି । ଅନ୍ୟ ଋତୁରେ ମଧ୍ୟ ସେମାନେ ଏହି ଅଣଓସାରିଆ କାନ୍ଥର ଉପଯୋଗ କରନ୍ତି । ଫରକ ଏତିକି ଯେ ଏହା ଭିଜି ନଥାଏ କି ଖସଡ଼ା ହୋଇ ନଥାଏ । ନଚେତ୍‌ ସେମାନେ ଝରଣା ଭିତର ଦେଇ ଯା’ଆସ କରନ୍ତି । ଆନନ୍ଦ କହନ୍ତି, “ବର୍ଷା ହେଉ କି ଗ୍ରୀଷ୍ମ, ଆମକୁ ଏହା ସହିବାକୁ ପଡ଼ିବ”। “ବର୍ଷା ମାସରେ ଆମେ ଅଧିକ ଯତ୍ନବାନ ହୋଇଥାଉ, ଅନ୍ୟ ମାସରେ ଟିକେ କମ୍‌ । ଆମେ କ’ଣ ବା କରିପାରିବୁ ?”

ଗାଁ ଲୋକେ କହନ୍ତି, ଔରେ ପଲ୍‌ହେରିର ସମସ୍ତ ନଅଟି ପରିବାର ଅନ୍ୟ ପଛୁଆ ବର୍ଗ (ଓବିସି) ଅନ୍ତର୍ଭୁକ୍ତ ଏବଂ ଏଠାରୁ ପ୍ରାୟ ୨୦ କିଲୋମିଟର ଦୂର ଠାଣେ ଜିଲ୍ଲା ଶାହାପୁର ତାଲୁକା ଅନ୍ତର୍ଗତ ସେମାନଙ୍କ ଗାଁ ପାଚିୱାରେ ଯେତେବେଳେ ଭାତ୍‌ସା ଜଳସେଚନ ପ୍ରକଳ୍ପ ଯୋଗୁଁ ବୁଡ଼ିଗଲା, ସେମାନେ ୧୯୭୦-୭୧ ମସିହାରେ ଏଠାରେ ଆସି ବସବାସ କଲେ । ଅନ୍ୟ ୧୧୮ ଜଣ ବାସଚ୍ୟୁତ ପରିବାର ସହିତ ସେମାନେ ମଧ୍ୟ ମହାରାଷ୍ଟ୍ର ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତିଙ୍କ ଥଇଥାନ ଆଇନ-୧୯୯୯ ଅନୁସାରେ ଥଇଥାନ କରାଯିବାକୁ ଏ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଏଥିରେ ଏକ ବିକଳ୍ପ ସ୍ଥାନରେ ପୁନର୍ବାସ ବ୍ୟବସ୍ଥା ବି ରହିଛି । ଆଖପାଖ ଗାଁ ଓ ପଲ୍ଲୀକୁ ଯାଇ ସେଠାରେ ଏକ ନୂଆ ଜୀବନ ଆରମ୍ଭ କରିବା ଲାଗି କେତେକ ବାସଚ୍ୟୁତ ପରିବାର ପଳାଇଲେ । (ଦେଖନ୍ତୁ 'ବହୁ ପରିବାର ଉଭେଇ ଗଲେ')

‘ବର୍ଷା ବନ୍ଦ ହେବା ପରେ ଆମେ ଜାଣିଲୁ ଯେ ଆରପଟକୁ ଯିବା ପାଇଁ ପୋଲ ନାହିଁ । କୌଣସି ମତେ ଆମେ ନଦୀ ପାର ହେଲୁ ଏବଂ ଆୱାରେ ଗାଁ ସରପଞ୍ଚଙ୍କୁ ଏକଥା ଜଣାଇଲୁ”

ଭିଡିଓ ଦେଖନ୍ତୁ: ସ୍କୁଲ୍‌ ଯିବାବାଟରେ ରହିଛି ଖସିପଡ଼ିବାର ଆଶଙ୍କା

୨୦୦୫ର ବନ୍ୟା କଥା ମନେ ପକାଇ, ସେ ସମୟରେ ୨୧ ବର୍ଷ ବୟସର ହୋଇଥିବା ଆନନ୍ଦ କହନ୍ତି, “ବହୁ ଦିନ ଧରି ପ୍ରବଳ ବର୍ଷା ହେଉଥିଲା । ପୋଲ ଉପର ଦେଇ ପାଣି ସୁଅ ଛୁଟିଥିଲା । ଜୀବନ ଭୟରେ ଆମେ ଘର ବାହାରେ ପାଦ ପକାଇ ପାରୁ ନଥିଲୁ । ଆମ ଗାଁ ଅବଶିଷ୍ଟ ଜଗତଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଯେତେବେଳେ ବର୍ଷା ଛାଡ଼ିଲା ଆମେ ଜାଣିଲୁ ଯେ ଆରପଟକୁ ଯିବା ପାଇଁ ପୋଲ ନାହିଁ । କୌଣସିମତେ ଆମେ ନଦୀ ପାର ହେଲୁ ଏବଂ ଆୱାରେ ଗାଁ ସରପଞ୍ଚଙ୍କୁ ଏକଥା ଜଣାଇଲୁ । ପରିଷଦ ଅଫିସ୍‌ରୁ ଅଧିକାରୀମାନେ ଆସିଲେ ଏବଂ ପୋଲର ଢାଞ୍ଚା ପରୀକ୍ଷା କରି ଦେଖିଲେ, କିନ୍ତୁ ତା ପରେ ଆଉ କିଛି କଲେନାହିଁ । ସେ ସମୟରୁ ହିଁ ଆମେ ପୋଲ ପୁନର୍ନିମାଣ କରାଯାଉ ବୋଲି ଦାବି କରିଆସୁଛୁ ।”

ଅନ୍ୟ ଗାଁକୁ କିମ୍ବା ଶାହାପୁର ବଜାର, ବସ୍‌ ଷ୍ଟାଣ୍ଡ (ପ୍ରାୟ ୧୦ କିଲୋମିଟର ଦୂର) କିମ୍ବା କାମ କରିବାକୁ ଯିବା ପାଇଁ ବିପଜ୍ଜନକ କାନ୍ଥ ଉପରେ ଚାଲିବା କିମ୍ବା ଝରଣା ସୁଅ ଭିତରେ ପଶି ପାର ହେବା ବ୍ୟତୀତ ଅନ୍ୟ ବିକଳ୍ପ ନଥିବାରୁ ବିଗତ ବର୍ଷଗୁଡ଼ିକରେ ଔରେ ପଲ୍‌ହେରି ଗାଁର ବହୁ ବାସିନ୍ଦା ଦୁର୍ଘଟଣାର ସାମନା କରିଛନ୍ତି ।

୨୦୧୬ ଜୁଲାଇ ମାସରେ ୬୫ ବର୍ଷୀୟ ତୁକାରାମ ଭିଡ଼େ ଏବଂ ତାଙ୍କର ୩୫ ବର୍ଷୀୟ ପୁଅ ରବୀନ୍ଦ୍ର, ଶାହାପୁର ତାଲୁକାର ଏକ ଡାଏରୀରେ ଦେବା ପାଇଁ ପ୍ରତିଟିରେ ୧୦ ଲିଟର କ୍ଷୀର ଥିବା ଦୁଇଟି କେଟ୍‌ଲି ଧରି ଏହି ଖସଡ଼ା ରାସ୍ତା ଦେଇ ଯାଉଥିଲେ । କାନ୍ଥ ଉପରୁ ତୁକାରାମଙ୍କ ଗୋଡ଼ ଖସିଗଲା ଏବଂ ସେ ବୁଦା ଭିତରେ ପଡ଼ିଗଲେ । ତାଙ୍କ ବାମ ଗୋଡ଼ ଭାଙ୍ଗିଗଲା । ସେ କହନ୍ତି, “ମୁଁ ଅଚେତ ହୋଇ ପଡ଼ିଥିଲି । ଗାଁ ଲୋକେ ମୋତେ ଏକ (ହାତ ତିଆରି ) ବାଉଁଶ ଖଟିଆରେ ଆୱାରେ ଗାଁ ଯାଏ ନେଲେ ଏବଂ ତା ପରେ ସେମାନେ ମୋତେ ଏକ ଅଟୋରେ ଶାହାପୁର (ଉପ-ଜିଲ୍ଲା) ହାସପାତାଳକୁ ନେଲେ । ସେଠାରେ ମୁଁ ଛଅ ମାସ ରହିଲି । ଏବେ ମୋ ଗୋଡ଼ ଭିତରେ ଏକ ଲୁହା ରଡ୍‌ ରହିଛି ।

PHOTO • Jyoti Shinoli
PHOTO • Jyoti Shinoli

ବାମ: ୨୦୧୬ରେ, ତୁକାରାମ ଭିଡ଼େ କାନ୍ଥ ଉପରୁ ଖସି ପଡ଼ିଲେ ଏବଂ ତାଙ୍କ ଗୋଡ଼ ଭାଙ୍ଗିଗଲା । ଡାହାଣ: ରାମୁ ଭିଡ଼େ କହନ୍ତି, ‘ ଏ ପର୍ଯ୍ୟନ୍ତ ନଦୀ ପାର ହେବା ବେଳେ କେହି ମରିନାହାନ୍ତି । କିନ୍ତୁ ସେମାନେ (ରାଜ୍ୟ ସରକାର) କ’ଣ କେହି ଜଣେ ମରିବାକୁ ଅପେକ୍ଷା କରିଛନ୍ତି ?’

ତୁକାରାମ ଆହୁରି କହନ୍ତି, “ଯଦି ପୋଲଟିଏ ଥାଆନ୍ତା ଏଭଳି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା । ପ୍ରସବ ପାଇଁ ହାସପାତାଳ ନେବା ବାଟରେ ଆମେ ଆମ ଝିଅମାନଙ୍କ ଜୀବନ ବିପନ୍ନ କରୁ । ଯେତେବେଳେ ବି ଆମ ପିଲାମାନେ ଘର ଛାଡ଼ି ସେହି ବାଟରେ ଯାଆନ୍ତି ଆମକୁ ବାସ୍ତବରେ ପ୍ରାର୍ଥନା କରିବାକୁ ପଡ଼େ ।” ଭାତ୍‌ସା ପ୍ରକଳ୍ପ ଦ୍ଵାରା ବାସଚ୍ୟୁତ ହୋଇ ତାଙ୍କ ପିତାମାତା ଏଠାରେ ବସବାସ କରିବା ବେଳକୁ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା । ଏବେ ସେ କେବଳ ସେମାନଙ୍କର ତିନିଟି ମଇଁଷି ପାଳନ କରନ୍ତି ଏବଂ ରବୀନ୍ଦ୍ର ଡାଏରୀକୁ କ୍ଷୀର ଯୋଗାଣ କରନ୍ତି । ତା ସହିତ ତାଙ୍କ ପରିବାର ଦୁଇ ଏକର ଧାନଚାଷ କରନ୍ତି ।

କଥା ଯୋଡ଼ି ତୁକାରାମ କହନ୍ତି, “ଆମ ପାଖରେ ଆଉ କି ଉପାୟ ଅଛି ? ଆମେ କାମ ନ କରି ଘରେ ବସିପାରିବୁ ନାହିଁ । ଆମକୁ ବିପଦ ବରିନେବାକୁ ହେବ । ପୋଲ ପାଇଁ ଆମର ଦୀର୍ଘଦିନର ଦାବିକୁ ପରିଷଦ କର୍ତ୍ତୃପକ୍ଷ ଗମ୍ଭୀରତାର ସହ ନେଉନାହାନ୍ତି । ଆମ ବସ୍ତିର ବହୁ ଲୋକ ଏବେ ଆହତ କିମ୍ବା ଶଯ୍ୟାଶାୟୀ । ଆମ କଷ୍ଟକୁ ଉପେକ୍ଷା କରି ସେମାନେ ଆମକୁ ପରିହାସ କରୁଛନ୍ତି ।”

ତାଙ୍କ ପଡ଼ିଶାରେ ଏକମହଲାର ସିମେଣ୍ଟ ଘରେ ରହୁଥିବା ୬୮ ବର୍ଷୀୟା ଦ୍ଵାରକାବାଇ ଭିଡ଼େ ୱାକର୍‌ ସହାୟତାରେ ଘର ଭିତରେ ଚଲାବୁଲା କରନ୍ତି । ଗତ ବର୍ଷ ଯାଏ ସେ ତାଙ୍କ ପରିବାରର ଚାରି ଏକର ଚାଷଜମିରେ କାମ କରୁଥିଲେ । ୨୦୧୮ ଫେବ୍ରୁଆରୀରେ ତେଜରାତି ଜିନିଷ କିଣିବା ଲାଗି ଶାହାପୁରକୁ ଯିବା ବାଟରେ ସେ ମଧ୍ୟ ସେହି କାନ୍ଥ ଉପରୁ ଖସିପଡ଼ିଥିଲେ । ମୁଁ ଯେତେବେଳେ ତାଙ୍କୁ ଭେଟିଲି, ସେ ଗୋଟିଏ ଚଉକିରେ ବସି ଝରକା ଦେଇ ବାହାରକୁ ଚାହିଁ ରହିଥିଲେ ।

ତାଙ୍କ ବୋହୂ ତାରା କହନ୍ତି, “ଦୁର୍ଘଟଣା ପରେ ସେ ଆଉ ବେଶୀ କଥା କହନ୍ତିନି । ପ୍ରକୃତରେ ସେ ଡରି ଯାଇଛନ୍ତି । ଅନ୍ୟଥା ସେ ବହୁତ କଥା କହୁଥିଲେ ।” ଦ୍ଵାରକାବାଇଙ୍କ ପରିବାର ଚାରି ଏକର ଜମିରେ ଧାନ ଓ ପରିବା ଚାଷ କରନ୍ତି । ତାଙ୍କ ବଡ଼ପୁଅ ଭିୱାଣ୍ଡିର ଏକ ପଣ୍ୟାଗାରରେ ସୁପରଭାଇଜର ଭାବେ କାମ କରନ୍ତି । ତାରା କହନ୍ତି, “ଜ୍ଵର, ଥଣ୍ଡା ଭଳି ଛୋଟମୋଟ ବେମାରି ପାଇଁ କିମ୍ବା ଜରୁରୀକାଳୀନ ପ୍ରସବ ଲାଗି ତୁରନ୍ତ ଚିକିତ୍ସା ପାଇବାକୁ ଗାଁରେ କୌଣସି ବ୍ୟବସ୍ଥା ନାହିଁ । ଏହା ହିଁ ସବୁଠୁ ବଡ଼ ସମସ୍ୟା ।

PHOTO • Jyoti Shinoli
PHOTO • Jyoti Shinoli

ବାମ:୨୦୧୮ ଫେବ୍ରୁଆରୀରେ ତେଜରାତି ଜିନିଷ କିଣିବା ଲାଗି ଶାହାପୁର ଯିବା ବାଟରେ ଦ୍ଵାରକାବାଇ ସେହି କାନ୍ଥ ଉପରୁ ଖସିପଡ଼ିଥିଲେ । ଡାହାଣ: ଔରେ ପଲ୍‌ହେରିର ସମସ୍ତେ ଆର ପଟକୁ ଯିବା ଲାଗି ଜୀବନ ଓ ଅଙ୍ଗପ୍ରତ୍ୟଙ୍ଗକୁ ବାଜି ଲଗାନ୍ତି

ଔରେ ପଲ୍‌ହେରିର ଅଧିକାଂଶ ପରିବାର ୨ରୁ ୫ ଏକର ଜମି ଚାଷ କରନ୍ତି । ସେମାନଙ୍କୁ ଏହି ଜମିର ମାଲିକାନା ଦିଆଯାଇନାହିଁ । ବର୍ଷାଦିନେ ସେମାନେ ଧାନ ବୁଣନ୍ତି । ଅମଳ ପରେ ସେମାନେ ଭେଣ୍ଡି, କଲରା ଏବଂ ବିନ୍‌ ଭଳି ପନିପରିବା ଚାଷ କରି ଆଖପାଖ ଗାଁରେ ବିକ୍ରି କରନ୍ତି । ପଲ୍ଲୀର କେତେକ ଯୁବକ ଶାହାପୁରରେ ଅଟୋ ରିକ୍‌ସା ଚଲାନ୍ତି କିମ୍ବା ଛୋଟମୋଟ ଜଳଖିଆ ଦୋକାନ ଚଳାନ୍ତି ।

ନିରାପଦ ରାସ୍ତାର ଅଭାବ ହିଁ ଗାଁ ଲୋକଙ୍କ ଜୀବିକା ଅର୍ଜନର ବିକଳ୍ପକୁକମ୍‌ କରି ଦେଇଛି । ଶାହାପୁରରେ ଅଟୋ ରିକ୍‌ସା ଚଳାଉଥିବା ୩୫ ବର୍ଷୀୟ ଜୟୱନ୍ତ ମହାଲୁଙ୍ଗେ କହନ୍ତି, “ସେହି ରାସ୍ତାରେ ଆଲୋକ ନାହିଁ ଏବଂ ଆମେ ଅନ୍ଧାରରେ ବାଟ ଚାଲିପାରିବୁ ନାହିଁ । ସେଇଥିପାଇଁ ଆମେ କାମ କରିବା ପାଇଁ କଲ୍ୟାଣ କିମ୍ବା ଠାଣେ (୫୦-୬୦ କିଲୋମିଟର ଦୂର) ଯାଇପାରୁନାହିଁ । ସବୁଦିନ ସକାଳେ ଯିବା ଏବଂ ସନ୍ଧ୍ୟା ୭ଟା ପରେ ଫେରି ଆସିବା ସମ୍ଭବ ନୁହେଁ । ଏହା (ପାଖାପାଖି) ଦୁଇ ଘଣ୍ଟାର ଲମ୍ବା ଯାତ୍ରା । ଯେଉଁମାନଙ୍କର ସେସବୁ ସହରରେ ରହିବା ବନ୍ଦୋବସ୍ତ ରହିଛି ସେମାନେ ବିଭିନ୍ନ ପଣ୍ୟାଗାରରେ କାମ କରନ୍ତି କିମ୍ବା ସେମାନଙ୍କ ପିଲାମାନଙ୍କୁ ସେଠାକାର କଲେଜରେ ପଢ଼ିବାକୁ ପଠାନ୍ତି ।  ଅନ୍ୟଥା, ଏହା ଅସମ୍ଭବ । ସନ୍ଧ୍ୟା ୭ଟା ପୂର୍ବରୁ ଆପଣଙ୍କୁ ଘରେ ପହଞ୍ଚିବାକୁ ପଡ଼ିବ । ଏହି କାରଣରୁ ଆମ ବୟସର (୩୦-୩୫) କେହି ହେଲେ ୧୦ମ ଶ୍ରେଣୀ ବି ପୂରା କରିନାହାନ୍ତି ।” ତାଙ୍କର ୧୫ ଜଣିଆ ଯୁଗ୍ମ ପରିବାର ସହିତ ସେ ରହନ୍ତି । ତାଙ୍କର ଦୁଇ ସାନଭାଇ ଶାହାପୁର ସହରର ବଜାର କିମ୍ବା ଆଖପାଖ ଗାଁରେ ପରିବା ବିକ୍ରି କରନ୍ତି ଏବଂ ଜଣେ ଜଣେ ମାସକୁ ୪,୦୦୦ଟଙ୍କା ରୋଜଗାର କରନ୍ତି ।

ଜୟୱନ୍ତଙ୍କ ପୁତୁରା ୟଶ ଯାଉଥିବା ଜିଲ୍ଲା ପରିଷଦ ସ୍କୁଲରେ କେବଳ ୭ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ତା ପରେ ମାଧ୍ୟମିକ ସ୍କୁଲ୍‌ରେ ପଢ଼ିବା ପାଇଁ ପିଲାମାନଙ୍କୁ ଶାହାପୁର ସହରକୁ ଯିବାକୁ ହେବ । ଜୟୱନ୍ତ ପଚାରନ୍ତି, “ଆମେ କେମିତି ଉନ୍ନତି କରିବୁ? ଆମ ପିଲାମାନେ କେମିତି ଆଗକୁ ବଢ଼ିବେ ?”

ପରିବାରର ପାଞ୍ଚ ଏକର ଚାଷଜମିରେ କାମ କରୁଥିବା ତାଙ୍କ ମାଆ ୬୫ ବର୍ଷୀୟା ସବିତା କହନ୍ତି, “ଯଦି ଦିନ ଆଲୁଅରେ ଲୋକେ ଗୁରୁତର ଭାବେ ଆହତ ହେଉଛନ୍ତି, ଅନ୍ଧାରରେ କ’ଣ ହେବ ? ବର୍ଷାଦିନେ ଆମ ପିଲାମାନେ ପ୍ରାୟ ସ୍କୁଲ୍‌କୁ ଯାଆନ୍ତିନି । ଏବେ ମୋ ନାତିନାତୁଣୀମାନେ ବି ସେଇଆ କରୁଛନ୍ତି ।

PHOTO • Jyoti Shinoli
PHOTO • Jyoti Shinoli

ବାମ: ପୋଲର ଭୁଶୁଡ଼ି ପଡ଼ିଥିବା ଅଂଶରେ ଶିଉଳି ବଢ଼ିବାରେ ଲାଗିଛି । ଡାହାଣ: ଗାଁ ଲୋକଙ୍କ ନିତିଦିନିଆ ବିପଜ୍ଜନକ ରାସ୍ତାର କିଛି ଅଂଶ

ସେ ଆହୁରି କହନ୍ତି, “୧୯୯୮ରେ ପୋଲ ତିଆରି ହେବା ପୂର୍ବରୁ ଆମେ ବହୁତ ଥର ଆନ୍ଦୋଳନ କରିଥିଲୁ । ୨୦୦୫ରେ ଯେତେବେଳେ ପୋଲ ଭୁଶୁଡ଼ି ପଡ଼ିଲା, ଆମେ ପୁଣି ଠାଣେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଯାଏ ଶୋଭାଯାତ୍ରା ବାହାର କରିଥିଲୁ । ପ୍ରତି ଥର ଗଣିବା ବେଳେ ତାଙ୍କ ଆଙ୍ଗୁଠିକୁ ମୋଡ଼ି ସେ କହନ୍ତି, ତାପରେ ପୁଣି ୨୦୦୭, ୨୦୦୯, ୨୦୧୨, ୨୦୧୬ରେ” । “ଏହା ଭିତରେ ଆମ ପିଲାମାନେ ଜିଲ୍ଲାପାଳଙ୍କୁ ବହୁତ ଚିଠି ଲେଖିଛନ୍ତି । ଆମେ ଏତେ ସବୁ କଲୁ । ତଥାପି ଆପଣ କିଛି ପରିବର୍ତ୍ତନ ଦେଖୁଛନ୍ତି କି ?”

ତାଙ୍କ କଥାରେ ସମ୍ମତି ପ୍ରକାଶ କରି ଜଣେ ୭୦ ବର୍ଷୀୟ ପଡ଼ୋଶୀ ରାମୁ ଭିଡ଼େ ରାଗରେ କହନ୍ତି,“ଏତେ ସବୁ ବର୍ଷ ପରେ ବି ସ୍ଥିତି ଏକାଭଳି ରହିଛି । ନଦୀ ପାର ହେଲା ବେଳେ ଏ ପର୍ଯ୍ୟନ୍ତ କେହି ମରିନାହାନ୍ତି । କିନ୍ତୁ ସେମାନେ (ରାଜ୍ୟ ସରକାର) କ’ଣ କେହି ଜଣେ ମରିଯିବାକୁ ଅପେକ୍ଷା କରିଛନ୍ତି ? ଯେଉଁ ନିମ୍ନମାନର ପୋଲ ଭୁଶୁଡ଼ିଲା ? ସେମାନେ ଆମର ପୁନର୍ବାସ (ଅନ୍ୟ ଏକ ସ୍ଥାନରେ) ” ବି କରାଉ ନାହାନ୍ତି ।” ରାମୁଙ୍କ କଥାରୁ ପାଞ୍ଚ ଦଶନ୍ଧି ଧରି ଥିବା ବିରକ୍ତି ଭାବ ସ୍ପଷ୍ଟ ବାରି ହେଉଥିଲା ।

ବାରମ୍ବାର ଚେଷ୍ଟା କରିବା ସତ୍ତ୍ଵେ ଠାଣେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କୌଣସି ଅଧିକାରୀ ଏହି ସମସ୍ୟା ଉପରେ ମତାମତ ଦେବାକୁ ମିଳି ନଥିଲେ ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟରୁ ଜଣାଯାଏ ଯେ ଏ ବର୍ଷ ଅଗଷ୍ଟ ୧ରୁ ୭ ଯାଏ ଠାଣେ ଜିଲ୍ଲାରେ ୬୪୪ ମି.ମି. ବର୍ଷା ହୋଇଛି । ଏହି ସପ୍ତାହର ହାରାହାରି ବୃଷ୍ଟିପାତ ୨୦୨ ମି.ମି.।  ଅଗଷ୍ଟ ୩ ଓ ୪ରେ ପ୍ରବଳ ବର୍ଷା ଯୋଗୁଁ ଔରେ ପଲ୍‌ହେରିର ଲୋକେ ପାଣିଘେରରେ ଫସି ରହିଥିଲେ ଏବଂ ନଦୀର ପାଣି ଛାଡ଼ିବାକୁ ଦୁଇ ଦିନ ଅପେକ୍ଷା କରିଥିଲେ । ଆନନ୍ଦ କହନ୍ତି, “ବଞ୍ଚିଯାଇଥିବାରୁ ପ୍ରତି ସନ୍ଧ୍ୟାରେ ଆମେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲୁ”। “ଦେଖାଯାଉ ଆସନ୍ତାକାଲି କ’ଣ ହେଉଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli