ପୂର୍ଣ୍ଣିମା ଭୂୟାଁ କହିଲେ, “ମୋର ମନେ ଅଛି, ଝଡ ବାତ୍ୟା ଆସିଲା ଏବଂ ପ୍ରବଳ ବର୍ଷା ମୋ ଘର ଉପରେ ବର୍ଷିଲା। ତା ପରେ ମୋ ଆଖି ଆଗରେ ମୋ ଘର ଖଣ୍ଡବିଖଣ୍ଡିତ ହୋଇଗଲା ଏବଂ (ମୁରି ଗଙ୍ଗା) ନଦୀ ଏହାକୁ ବୋହି ନେଇଗଲା। ” ସେ ଆଉ ଥରେ ଖାସିମରାରେ ଥିବା ତାଙ୍କ ଘର ନଷ୍ଟ ହେବା କଥାକୁ ମନେ ପକାଇଲେ।

Gangasagar, West Bengal

୭୦ ବର୍ଷରୁ ଅଧିକ ବୟସ୍କ ଭୂୟାଁ ଏବେ ଆଉ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସାଗର ବ୍ଲକ୍ ଅଧୀନରେ ଥିବା ଛୋଟ ଦ୍ୱୀପ ଘୋରମରାର ଖାସିମରା ଗାଁରେ ରହୁନାହାନ୍ତି।  ତାଙ୍କ ପରିବାର ଘୋରମରାର ସେହି ୧୩ଟି ପରିବାର ମଧ୍ୟରୁ ଅନ୍ୟତମ, ଯାହାଙ୍କୁ ସେଠାରୁ ୪୫ ମିନିଟ୍ ନୌଯାତ୍ରା ସମୟ ଲାଗୁଥିବା ସାଗର ଦ୍ୱୀପର ଗଙ୍ଗାସାଗର ଗାଁରେ୧୯୯୩ ମସିହାରେ ପଶ୍ଚିମବଙ୍ଗ ସରକାର ଖଣ୍ଡେ ଜମି ଦେଇଥିଲେ।

୧୯୭୦ ଦଶକର ମଧ୍ୟଭାଗରୁ, ଘୋରମରାର ଭୂଭାଗର ପ୍ରାୟ ଅଧା ବୁଡିସାରିଛି,  ୧୯୭୫ରେ ୮.୫୧ ବର୍ଗ କିଲୋମିଟରରୁ ୨୦୧୨ରେ ୪.୪୩ ବର୍ଗ କିଲୋମିଟର। ଏ ବାବଦରେ ୨୦୧୪ରେ ପ୍ରକାଶିତ ଇଣ୍ଟରନ୍ୟାସନାଲ ପରସ୍ପେକ୍ଟିଭ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ନାମକ ଏକ ଜର୍ଣାଲରେ ଲେଖା ବାହାରିଛି। ଏହାର କାରଣ ଅନେକ ରହିଛି, ଯେଉଁଠାରେ ଏହି ଦ୍ୱୀପ ରହିଛି, ସେଠାରେ ସୁନ୍ଦରବନ ଅଞ୍ଚଳରେ ନଦୀ ଓ ଉପକୂଳ କ୍ଷୟ, ବନ୍ୟା, ଝଡବାତ୍ୟା, ହେନ୍ତାଳବଣ ନଷ୍ଟ ହେବା, ସମୁଦ୍ରର ଜଳସ୍ତର ବୃଦ୍ଧି ଇତ୍ୟାଦି। ଏହି ପ୍ରକ୍ରିୟା ଦ୍ୱାରା ଘୋରମରାର କେତେ ଲୋକ ବିସ୍ଥାପିତ ହୋଇଛନ୍ତି ତାହା ଯଦିଓ ଅସ୍ପଷ୍ଟ, ଦ୍ୱୀପର କେତେକ ବାସିନ୍ଦା ଅନୁମାନ କରନ୍ତି, ବିଭିନ୍ନ ସମୟରେ ପ୍ରାୟ ୪,୦୦୦ରୁ ଅଧିକ ଲୋକ ସାଗର ଦ୍ୱୀପକୁ ବା କାକଦ୍ୱୀପ ଓ ନମଖାନା ଭଳି ମୁଖ୍ୟ ଭୂମି ଅଞ୍ଚଳକୁ ପଳାଇଯିବାକୁ ବାଧ୍ୟ ହୋଇଛନ୍ତି।

ସେ ଦିନକୁ ଭୂୟାଁ ଭଲ ଭାବେ ମନେ ରଖିଛନ୍ତି,ଯେଉଁଦିନ ତାଙ୍କ ଘର ଭାଙ୍ଗିଗଲା, ଯଦିଓ ତାହା କେଉଁ ମସିହା ଥିଲା ତାହା ସେ ମନେପକାଇପାରୁନାହାନ୍ତି। ସେ କହିଲେ, “ମୁଁ ପଡୋଶୀଙ୍କ ପୋଖରୀରେ ବାସନ ସଫା କରୁଥିଲି,  ଯେଉଁଠାରୁ ମୁଁ ମୋ ଘରକୁ ଦେଖିଲି। ମୋ ସ୍ୱାମୀ ଟାଏଫଏଡରେ ପୀଡିତ ଥିଲେ। ମୋ ପଡୋଶୀ, ଯାହାଙ୍କର ଘର ଆମ ଘରଠାରୁ ବଡ ଥିଲା, ମୋତେ ସ୍ୱାମୀ ଓ ଆମ ପିଲାଙ୍କୁ ତାଙ୍କ ଘରକୁ ନେଇ ଆସିବାକୁ କହିଲେ। ବର୍ଷା ଆରମ୍ଭ ହୋଇସାରିଥିଲା, ଉଚ୍ଚ ଜୁଆର ଉଠୁଥିଲା ଓ ଆମ ଘର ତିଆରି ହୋଇଥିବା ଭୂଇଁ ପାଖକୁ ପହଞ୍ଚି ସାରିଥିଲା ନଦୀ। ବହୁ ସମୟ ଧରି ଆମ ଘର ବର୍ଷା ମାଡକୁ ସହିଗଲା, କିନ୍ତୁ ତା ପରେ ପୂର୍ବ ଦିନରୁ ଗୋଟିଏ ଝଡ ଆସିଲା, ଆହୁରି ଅଧିକ ବର୍ଷିଲା। ଘରଟି (ଭାଙ୍ଗିଗଲା) ଏବଂ  ଉଭେଇ ଗଲା। ନଦୀରେ ଏହିପରି ୧୦-୧୨ ଥର ଆମେ ଆମ ଘର ହରାଇଛୁ। ”

Purnima Bhuyan shifted to Sagar island in 1993
PHOTO • Siddharth Adelkar
Montu Mondal migrated after his house was destroyed
PHOTO • Siddharth Adelkar

୧୦-୧୨ ଥର ଘର ନଷ୍ଟ ହେବା ପରେ ପୂର୍ଣିମା ଭୂୟାଁ (ବାମ) ୧୯୯୩ରେ ସାଗର ଦ୍ୱୀପକୁ ସ୍ଥାନାନ୍ତରିତ ହୋଇଥିଲେ, ଏବଂ ମୋଣ୍ଟୁ ମଣ୍ଡଳ(ଡାହାଣ) ଦୁଇ ଥର ଘର ନଷ୍ଟ ହେବା ପରେ ସ୍ଥାନାନ୍ତରିତ ହୋଇଥିଲେ

ଯେଉଁ ବର୍ଷ ଗୁଡିକରେ ପୂର୍ଣିମାଙ୍କର ଘର ବାରମ୍ବାର ନଦୀ ସ୍ରୋତରେ ଭାସିଯାଉଥିଲା(କେଉଁ ଦଶକରେ ସେ ମନେ ପକାଇପାରୁନାହାନ୍ତି), ସେ କହନ୍ତି, ସେ ସରକାରଙ୍କଠାରୁ କୌଣସି ସହାୟତା ପାଇଁ ନଥିଲେ। କେବଳ ୧୯୯୩ରେ ଘୋରମରାରେ ଘର ନଷ୍ଟ ହୋଇଥିବା ପରିବାରମାନଙ୍କୁ ସାଗର ଦ୍ୱୀପରେ ଗୋଟିଏ ଛୋଟ ଖଣ୍ଡେ ଜମି-ପ୍ରାୟ ୧ ଏକର- ଯୋଗାଇଦେଇଥିଲେ।

ବିକଳ୍ପ ଦେଲେ ଭୂୟାଁ ଆଜି ବି ଘୋରମରାରେ ରହିବାକୁ ଚାହାଁନ୍ତି। ସେ ଲାଜେଇ ଯାଇ କହିଲେ, “ମୁଁ କାହିଁକି ସେ ସ୍ଥାନକୁ ଭଲ ପାଏ ତାହା ଆପଣଙ୍କୁ କହୁଛି। ଲୋକମାନେ ଅଧିକ ସାହାଯ୍ୟକାରୀ। ଯଦି ଗୋଟିଏ ପରିବାର ଘର ହରାଏ, ଅନ୍ୟ ଜଣେ ତୁରନ୍ତ ତାଙ୍କ ଜମିରେ ଘର ତିଆରି କରିବାକୁ କୁହନ୍ତି। ଏଠାରେ ତାହା ହୁଏ ନାହିଁ। ” ଦୁଃଖର କଥା ହେଲା ଖାସିମରା ଗାଁ ସମ୍ପୂର୍ଣ ଭାବେ ବୁଡିଗଲା, ଏବଂ ୨୦୧୧ ଜନଗଣନାରେ ଏହାର ଲୋକସଂଖ୍ୟା ଶୂନ ବୋଲି ଦର୍ଶାଯାଇଥିଲା। ଦ୍ୱୀପର ଅନ୍ୟ ୬ଟି ଗାଁରୁ କେତେକରେ ଲୋକେ ଆଜି ବି ରହନ୍ତି, ଘୋରମରା ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାୟ ୫,୦୦୦(୨୦୧୧ ଜନଗଣନା) (ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ, ଏହି ଜନସଂଖ୍ୟା ମଧ୍ୟ କମିଛି)

ମଣ୍ଟୁ ମଣ୍ଡଳ, ଯିଏ ୧୯୯୩ରେ ଘୋରମରାର ଅନ୍ୟ ପରିବାର ସର ଗଙ୍ଗାସାଗରରେ ପହଞ୍ଚିଥିଲେ, ସେମାନେ ସାଗର ଦ୍ୱୀପରେ ପ୍ରାଥମିକ ଦିନ ମାନଙ୍କରେ କଷ୍ଟକୁ ଭୁଲି ନାହାନ୍ତି। ସରକାରଙ୍କ ଦ୍ୱାରା ତାଙ୍କୁ ଯୋଗାଇ ଦିଆଯାଇଥିବା ଜମିର ମାଟିରେ ଲବଣର ମାତ୍ରା ବହୁ ପରିମାଣରେ ଥିବାରୁ ସେ ସବୁ ଜମିରେ ତୁରନ୍ତ ଚାଷ କରିବା ସମ୍ଭବ ନଥିଲା। ତା ଛଡା, ପିଇବା ଓ ଗାଧୋଇବା ପାଇଁ ମଧୁର ଜଳର ଘୋର ଅଭାବ ଥିଲା। ଏବେ ୬୫ ବର୍ଷ ବୟସ୍କ ମଣ୍ଡଳ, ସେତେବେଳେ ଜୀବିକା ପାଇଁ, ମାଟି ଖୋଳିବା, ଶୁଖୁଆ ବିକ୍ରି କରିବା ଭଳି ଦିନ ମଜୁରୀ କାମ କଲେ। ତାଙ୍କର ୧.୫ ଭିଗା(ପ୍ରାୟ ଅଧା ଏକର) ଜମିରେ, ସେ ଗୋଟିଏ ଘର ତିଆରି କଲେ, ଏବଂ ସମୟ କ୍ରମେ ଧାନ ଚାଷ କରିବାରେ ବି ସକ୍ଷମ ହେଲେ।

people getting down from the boat
PHOTO • Siddharth Adelkar
Ghoramara island
PHOTO • Siddharth Adelkar

ବିପଦପୂର୍ଣ ଭାବେ ବିଛାଯାଇଥିବା ଗୋଟିଏ କାଠ ପଟା ଡଙ୍ଗା ଏବଂ ଘୋରମରା ଦ୍ୱୀପ ମଧ୍ୟରେ ପୋଲ ଭାବେ କାମ କରେ। ଯେଉଁଠି  ମୁରି ଗଙ୍ଗା ନଦୀ ଦ୍ୱାରା ବନ୍ଧ ସବୁ ଭାସିଯାଇଛି।

ସେ ଯେତେବେଳେ ଘୋରମରାରେ ରହୁଥିଲେ, ମଣ୍ଡଳଙ୍କ ଘରକୁ ନଦୀ ଦୁଇ ଥର ନଷ୍ଟ କରିଥିଲା। ସେ କହନ୍ତି, “୧୦-୧୫ ବର୍ଷ ପୂର୍ବରୁ ଘୋରମରାର ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ଯିବାକୁ ପ୍ରାୟ ୨-୩ ଘଣ୍ଟା ସମୟ ଲାଗୁଥିଲା। ଏବେ ସମାନ ଦୂରତା ଅତିକ୍ରମ କରିବାକୁ ଘଣ୍ଟାଏରୁ କମ୍ ସମୟ ଲାଗିବ।”

କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଓସେନୋଗ୍ରାଫିକ୍ ଷ୍ଟଡିଜର ପ୍ରଫେସର ସୁଗତ ହାଜରା କହନ୍ତି, ଯେ “ଘୋରମରାର ବିସ୍ଥାପିତ ଗ୍ରାମବାସୀ ମାନେ ସରକାରଙ୍କ ଦ୍ୱାରା ପରିବେଶଜନିତ ଶରଣାର୍ଥୀ ଭାବେ ଚିହ୍ନିତ ହୋଇନାହାନ୍ତି, କାରଣ ସେମାନେ ଦେଶ ଭିତରେ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ପରିବେଶଜନିତ ବିସ୍ଥାପିତ ଭାବେ ମାନ୍ୟତା ମିଳିବା କଥା, ଏହା ଗୋଟିଏ ଶ୍ରେଣୀ ଯାହାକୁ ସରକାର ସୃଷ୍ଟି କରିବା କଥା ଏବଂ ଏହି ଅସହାୟ ଲୋକମାନେ ଯେପରି ସମ୍ମାନ ଏବଂ ନ୍ୟାୟପୂର୍ଣ ଭାବେ ବଞ୍ଚିବେ ତାହା ନିଶ୍ଚିତ କରିବା କଥା। ”

ସାଗର ଦ୍ୱୀପର ଜଣେ ସମାଜସେବୀ(ଯିଏ ତାଙ୍କ ନାମ ପ୍ରକାଶ କରିବାକୁ ଚାହାନ୍ତି ନାହିଁ)ଙ୍କ କହିବା ଅନୁସାରେ, ୧୯୭୦ରୁ ୧୯୯୦ ମଧ୍ୟରେ ଯେତେବେଳେ ଲୋକେ ଘୋରମରାରୁ ସାଗର ଦ୍ୱୀପକୁ ବିସ୍ଥାପିତ ହେଲେ, ସେତେବେଳେ ବିସ୍ଥାପିତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହେଲା। ସେ କହନ୍ତି, ଘୋରମରାରୁ ଆସିଥିବା ଲୋକଙ୍କୁ ମାଛ ଧରା ଅଞ୍ଚଳ ଦିଆଯିବାକୁ ନେଇ ସ୍ଥାନୀୟ ଲୋକ ମାନେ ଅସନ୍ତୁଷ୍ଟ ଥିଲେ। ମଧୁର ପାଣି ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିଗଲା। ସମୟ ବିତିବା ଅନୁସାରେ ଉତ୍ତେଜନା କମିଲା।

ଭିଡିଓ ଦେଖନ୍ତୁ: ତାଙ୍କ ପାଦତଳେ ଥିବା ଭୂଇଁ ଉଭେଇଯାଉଛି


ମଣ୍ଡଳ ଓ ଭୂୟାଁ ଘୋରମରା ଦ୍ୱୀପର ଲୋକମାନଙ୍କର ଦୟାଶୀଳତାକୁ ମନେ ପକାଉଛନ୍ତି , କିନ୍ତୁ ନୌକାରେ ମାତ୍ର କିଛି ସମୟ ଯାତ୍ରା ଦୂରତାରେ ଥିଲେ ବି ସେମାନେ କେବେ ବି ପୁଣି ଥରେ ସେଠାକୁ ଯାଇନାହାନ୍ତି। ଯେତେବେଳେକି ଯେଉଁମାନେ ଘୋରମରାରେ ରହିଛନ୍ତି, ସେମାନଙ୍କର ଜୀବନ ମଧ୍ୟ କଷ୍ଟସାଧ୍ୟ ରହିଛି। ସେଖ୍ ଦିଲଜାନ୍ ଘୋରମରାରେ ପହଞ୍ଚିବା ସ୍ଥାନରେ ଲୋକଙ୍କୁ ଘରକୁ ନେବା ପାଇଁ ତାଙ୍କର ସାଇକେଲ୍ ରିକ୍ସା ଧରି ଛିଡା ହୋଇଛନ୍ତି। ଏବେ ଦ୍ୱୀପରେ କୌଣସି ଜେଟି ବା ନୌକା ଲାଗିବା ସ୍ଥାନ ନାହିଁ -  ଏହାକୁ ନଦୀ ଧୋଇ ନେଇଛି। ବିପଦପୂର୍ଣ ଭାବେ ବିଛାଯାଇଥିବା ଗୋଟିଏ କାଠ ପଟା ଡଙ୍ଗା ଏବଂ ଘୋରମରା ଦ୍ୱୀପ ମଧ୍ୟରେ ପୋଲ ଭାବେ କାମ କରେ। ନଦୀ ବନ୍ଧର ବହୁ ଭାଗ ମଧ୍ୟ ଭାସିଯାଇଛି, ଯାହା ଫଳରେ ଭୂମିରେ ଚାଲିବା କଷ୍ଟକର ହେଉଛି।

କେତେକ ଟ୍ରିପ୍ କରି ଦିଲଜାନ୍ ଦିନକୁ ୨୦୦-୩୦୦ ଟଙ୍କା ଆୟ କରନ୍ତି। ତାଙ୍କ ଆୟ ବଢାଇବାକୁ ସେ ୪ ବର୍ଷ ପୂର୍ବରୁ ସେ ପାନ ଲଗାଇଥିଲେ, କିନ୍ତୁ ସେଥିରେ ଫେଲ୍ ହେଲେ। ସେ କହିଲେ, “ଚାରା ବର୍ଷକରୁ କମ୍ ସମୟ ମଧ୍ୟରେ ଧୋଇଗଲା। ନଦୀ ଏତେ ଶୀଘ୍ର ଜମିର ଏତେ ପାଖକୁ ଚାଲି ଆସିବ ବୋଲି ମୁଁ ଆଶା କରିନଥିଲି। ”

ଘୋରମରାର ଲୁଣି ମାଟି ଓ ପାଣି କୃଷିର ବିକଳ୍ପକୁ ସୀମିତ କରିଦେଉଛି ଏବଂ ଦ୍ୱୀପର ଅଧିକାଂଶ ଲୋକ ପାନ ଭଳି ଅର୍ଥକାରୀ ଫସଲ ଆଡକୁ ମୁହାଁଉଛନ୍ତି। ବାଲିଆ, କାଦୁଆ ମାଟି, ଯଦିଓ ଲବଣାକ୍ତକୁ ପ୍ରଭାବିତ କରେ, ଏହା ପାନ ବଢିବା ପାଇଁ ଉପଯୋଗୀ।  ଦ୍ୱୀପର ବାସିନ୍ଦା ଭଲ ଫସଲ ହେବା ପାଇଁ ବିନ୍ଦୁବାସିନୀ ଦେବୀଙ୍କୁ ପୂଜା କରନ୍ତି। ତାହା ବି ଦିଲଜାନଙ୍କର ପାନ ଗଛକୁ ବଞ୍ଚାଇ ପାରିଲା ନାହିଁ।

ଜୀବନଧାରଣ ପାଇଁ ସୀମିତ ବିକଳ୍ପ ଥିବା ସତ୍ୱେ, ଘୋରମରାର ବାସିନ୍ଦାଙ୍କୁ ପନିପରିବା ଏବଂ ଖାଦ୍ୟ ଶସ୍ୟ ଭଳି ନିତିଦିନିଆ ଆବଶ୍ୟକୀୟ ଜିନିଷ ଆଣିବାକୁ କାକଦ୍ୱୀପ ସହର(ଅଧା ଘଣ୍ଟା ଯାତ୍ରା)କୁ ଯିବାକୁ ହୁଏ। ଘୋରମରାରେ ଥିବା ଗୋଟିଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଦ୍ୱୀପରେ ରହୁଥିବା ପ୍ରାୟ ୫,୦୦୦ ଲୋକଙ୍କର ମୌଳିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରେ। ତେବେ ଗୁରୁତର ଅସୁସ୍ଥତା ପାଇଁ, ଲୋକଙ୍କୁ କାକଦ୍ୱୀପର ଡାକ୍ତରଖାନାକୁ ଯିବାକୁ ହୁଏ।

portrait
PHOTO • Siddharth Adelkar
paan leaves cultivation
PHOTO • Siddharth Adelkar

କାମ କରିବାର ବିକଳ୍ପ କମ୍ ଥିବାରୁ, ସେଖ୍ ଦିଲଜାନ ଘୋରମରାରେ ପାନ ଗଛ ଲଗାଇଥିଲେ, କିନ୍ତୁ ତାଙ୍କର ଫସଲ ବର୍ଷକରୁ କମ୍ ସମୟ ମଧ୍ୟରେ ପାଣିରେ ଧୋଇଗଲା।

ଦିଲଜାନ କହନ୍ତି, “ମୁଁ ମୋ ସ୍ତ୍ରୀ ଓ ପିଲାଙ୍କ ସହ ଏହି ବୁଡୁଥିବା ଦ୍ୱୀପକୁ ଛାଡି ଯିବାକୁ ପସନ୍ଦ କରିବି। କିନ୍ତୁ ସରକାର ଆମକୁ ଅନ୍ୟ କେଉଁଠି ଜମି ଦେଉନାହାନ୍ତି। ” ୧୯୯୩ ପରେ, ସରକାର ଆଉ ସାଗର ଦ୍ୱୀପରେ ଲୋକଙ୍କୁ ଥଇଥାନ କରିବା ବନ୍ଦ କରିଦେଇଛନ୍ତି, କାରଣ ସେଠାରେ ଜମି ଅଭାବ ଥିବା କୁହାଗଲା।

ସାଗର ଦ୍ୱୀପରେ କାମ ଧନ୍ଦାର ଅଭାବ ବଢିଚାଲିଛି, ଯାହା ଅଧିକାଂଶ ପରିବାରର ଲୋକଙ୍କୁ କାମ ସନ୍ଧାନରେ ପଶ୍ଚିମବଙ୍ଗ ବାହାରକୁ ବିସ୍ଥାପିତ ହେବାକୁ ବାଧ୍ୟ କରୁଛି। ଆଉ ଏକ ଚିନ୍ତାର କାରଣ ହେଉଛି-ପ୍ରତିବର୍ଷ ସାଗର ଦ୍ୱୀପ ବି ବୁଡୁଛି ଏବଂ କ୍ଷୟ ହେଉଛି, ଏବଂ ଏଠାକାର ବାସିନ୍ଦା ପୁଣି ଥରେ ସେମାନଙ୍କର ଜମି ଓ ଘର ହରାଇବାର ଭୟ କରୁଛନ୍ତି।

ଆମେ ଦିଲଜାନଙ୍କ ସହ କଥା ହେବା ବେଳେ, ଯିଏ ଆମକୁ ତାଙ୍କ ରିକ୍ସାରେ ବସାଇ ସେହି ସ୍ଥାନକୁ ନେଇ ଯାଉଥିଲେ, ଯେଉଁଠି ନଦୀ ଭୂଭାଗର ଏକ ବୃହତ୍ ଅଂଶକୁ ଗିଳି ଦେଇଛି, ସେଠାରେ ଆମ ସହ ରଞ୍ଜିତା ପୁରକେତ୍ କଥା ହେଲେ। ଥରେ ଭାସି ଯାଇଥିବା ତାଙ୍କ ଘର ନଦୀ ତଟରୁ ମାତ୍ର କେଇ ମିଟର ଦୂରରେ ରହିଛି। ସେ କହିଲେ, “ମୁଁ ଏହି ଘରକୁ ବି ହରାଇପାରେ। ସରକାର କଣ କରିଛନ୍ତି ? କିଛି ନାହିଁ। ଅତି କମରେ ସରକାର ନଦୀ ବନ୍ଧକୁ ଦୃଢ କରିପାରିଥାନ୍ତେ ! ବହୁ ସଂଖ୍ୟାରେ ସାମ୍ବାଦିକ ଆସନ୍ତି, ଫଟୋ ଉଠାନ୍ତି ଆଉ ତା ପରେ ଉଭେଇ ଯାଆନ୍ତି। କିନ୍ତୁ ଆମ ସ୍ଥିତିରେ କୌଣସି ପରିବର୍ତ୍ତନ ଆସେ ନାହିଁ। ସରକାର ଆମକୁ ଅନ୍ୟ କେଉଁଠାରେ ଜମି ଦେବେ କି? ଏହି ଦ୍ୱୀପ ବୁଡୁଛି ଏବଂ ଆମ ଘର ଓ ଜମି ମଧ୍ୟ ଉଭେଇ ଯାଉଛି। ଏ ନେଇ କାହାରି କିଛି ଚିନ୍ତା ନାହିଁ। ” 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar