“ବର୍ତ୍ତମାନ ସମୟ ପୂର୍ବାହ୍ନ ୧୧. ୪୦ ଅତିକ୍ରମ କରିସାରିଛି, ଏହି ସମୟର ସବୁଠାରୁ ବଡ ଖବର ପବନର ବେଗ ବିଷୟରେ ରହିଛି,” ବୋଲି କଡାଲ୍‌ ଓସାଇ ରେଡିଓ ଷ୍ଟେସନ୍‌ର ଏ.ୟସ୍‌ୱନ୍ତ ଘୋଷଣା କଲେ । “ଗତ ଏକ ସପ୍ତାହ ହେବ, ବା ଏପରି କୁହାଯାଇପାରିବ ଯେ ଏକ ମାସ ବା ଅଧିକ ସମୟ ହେବ, କଚ୍ଚାନ୍‌ କାଥୁ (ଦକ୍ଷିଣା ପବନ) ଶକ୍ତିଶାଳୀ ହୋଇ ରହିଥିଲା । ଏହା ସର୍ବାଧିକ ୪୦-୬୦  ବେଗରେ [ଘଣ୍ଟା ପ୍ରତି କିଲୋମିଟର ବେଗରେ] ବହୁଥିଲା । ଆଜି, ବୋଧହୁଏ ମତ୍ସ୍ୟଜୀବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହା ୧୫ [kmph] ବେଗରେ ବହୁଛି ।’’

ତାମିଲ୍‌ନାଡୁର ରାମନାଥପୂରମ୍‌ ଜିଲ୍ଲାର ପାମ୍ବନ୍‌ ଦ୍ୱୀପରେ ରହୁଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଏହା ହେଉଛି ଏକ ବଡ ଖବର । “ଏହାର ଅର୍ଥ ହେଉଛି ସେମାନେ ନିର୍ଭୟରେ ଆଜି ସମୁଦ୍ରକୁ ଯାଇପାରିବେ,” ବୋଲି ୟସ୍‌ୱନ୍ତ, ଯିଏ ନିଜେ ମଧ୍ୟ ଜଣେ ମତ୍ସ୍ୟଜୀବୀ,  ବର୍ଣ୍ଣନା କରୁଛନ୍ତି । ସେ ମଧ୍ୟ କଡାଲ୍‌ ଓସାଇ (ସମୁଦ୍ରର ଶବ୍ଦ) ରେ ରେଡିଓ ଜକି ଭାବେ କାର୍ଯ୍ୟ କରନ୍ତି, ଏହି ଅଞ୍ଚଳରେ ଏହା ହେଉଛି ଏହି ସମ୍ପ୍ରଦାୟ ପାଇଁ ଅତି ନିକଟରେ ଉପସ୍ଥିତ ଏକ ଷ୍ଟେସନ୍‌ । 

ରକ୍ତ ଦାନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରସାରଣ ପୂର୍ବରୁ, ୟସ୍‌ୱନ୍ତ ପାଣିପାଗ ସମ୍ବନ୍ଧୀୟ ରିପୋର୍ଟ ବିଷୟରେ ଚଞ୍ଚଳ ଗତିରେ କହୁଛନ୍ତି, ଯାହାର ଶେଷ ଧାଡି ଏହିପରି : ‘‘ତାପମାତ୍ରା ହେଉଛି ୩୨ଡିଗ୍ରୀ ସେଲ୍‌ସିଅସ୍‌ । ଏଣୁ ପ୍ରଚୁର ପାଣି ପିଅନ୍ତୁ, ଖରାରେ ବାହାରକୁ ଯାଆନ୍ତୁ ନାହିଁ ।

ଏହା ହେଉଛି ଏକ ଅତ୍ୟାବଶ୍ୟକ ପ୍ରତିଷେଧାତ୍ମକ ପଦକ୍ଷେପ, କାରଣ ପାମ୍ବନରେ ୧୯୯୬ରେ, ଯେତେବେଳେ ୟସ୍‌ୱନ୍ତ ଜନ୍ମ ହୋଇଥିଲେ, ତା’ ତୁଳନାରେ ବର୍ତ୍ତମାନ ଦିନରେ ଅଧିକ ଗରମ ଅନୁଭବ ହେଉଛି । ତାପରେ, ବର୍ଷରେ ପ୍ରାୟ ୧୬୨ ଦିନ ଏହି ଦ୍ୱୀପର ତାପମାତ୍ରା ୩୨ଡିଗ୍ରୀରେ ପହଞ୍ଚୁଛି ବା ଏହାଠୁ ଅଧିକ ହେଉଛି । ଯେତେବେଳେ ତାଙ୍କ ବାପା ଆନ୍ଥୋନୀ ସାମୀ ଭାସ୍‌ – ଏବେ ମଧ୍ୟ ଜଣେ ପୁରା – ସମୟ ମତ୍ସ୍ୟଜୀବୀ- ୧୯୭୩ରେ ଜନ୍ମଗ୍ରହଣ କରିଥିଲେ, ସେତେବେଳେ ଉତ୍ତପ୍ତ ଦିନ ସଂଖ୍ୟା ବାର୍ଷିକ ୧୨୫ରୁ ଅଧିକ ନଥିଲା । ବର୍ତ୍ତମାନ କିନ୍ତୁ, ସେହି ଉତ୍ତପ୍ତ ଦିନଗୁଡିକର ସଂଖ୍ୟା ବର୍ଷକୁ ପ୍ରାୟ ୧୮୦ ଦିନରେ ପହଞ୍ଚିଥିବା ଜଳବାୟୁ ଓ ବିଶ୍ୱ ଉତ୍ତାପନ ପାଇଁ ଉଦ୍ଦିଷ୍ଟ ଏକ ଇଣ୍ଟର୍‌ଆକ୍ଟିଭ୍‌ ଟୁଲ୍‌ର ହିସାବ ମୁତାବକ ଚଳିତ ବର୍ଷ ଜୁଲାଇରେ (ନ୍ୟୁୟର୍କ ଟାଇମ୍‌ସ) ଦ୍ୱାରା ଅନ୍‌ଲାଇନ୍‌ରେ ପ୍ରକାଶିତ ଏକ  ପୋଷ୍ଟରୁ ଜଣାପଡିଛି ।

ଏଣୁ ୟସ୍‌ୱନ୍ତ ଓ ତାଙ୍କ ସହକର୍ମୀମାନେ କେବଳ ପାଣିପାଗ ବିଷୟରେ ନୁହେଁ ବରଂ ଜଳବାୟୁ ଜନିତ ବିଭିନ୍ନ ବଡ ଧରଣର ସମସ୍ୟାଗୁଡିକ ବିଷୟରେ ଜାଣିବା ପାଇଁ ମଧ୍ୟ ପ୍ରବଳ ଚେଷ୍ଟା କରୁଛନ୍ତି । ତାଙ୍କ ବାପା, ସହ ମତ୍ସ୍ୟଜୀବୀମାନେ, ବାସ୍ତବରେ ଦ୍ୱୀପର ଦୁଇଟି ପ୍ରମୁଖ ଟାଉନ୍‌ -ପାମ୍ବନ ଓ ରାମେଶ୍ୱରମରେ ରହୁଥିବା ପାଖାପାଖି ୮୩,୦୦୦ଲୋକ – ପରିବର୍ତ୍ତନ ବିଷୟରେ କିଛି ଉପାଦେୟ କଥା ଶୁଣିବା ପାଇଁ ସେମାନଙ୍କ ଆଡକୁ ଚାହିଁରହିଛନ୍ତି । 

PHOTO • A. Yashwanth
PHOTO • Kadal Osai

ବାପା ଆନ୍ଥୋନୀ ସାମୀ ଓ ସେମାନଙ୍କ ଡଙ୍ଗା (ଡାହାଣ) ସହିତ ଆରଜେ ୟସ୍‌ୱନ୍ତ :‘ଆମେମାନେ ଯାତ୍ରାରେ ବାହାରିବା ପୂର୍ବରୁ ପବନ ଓ ପାଣିପାଗର ସଠିକ୍‌ ଆକଳନ କରିପାରୁଥିଲୁ । କିନ୍ତୁ ବର୍ତ୍ତମାନ ଆମର କୌଣସି ଆକଳନ ଠିକ୍‌ ହେଉନାହିଁ ।’

“୧୦ ବର୍ଷ ବୟସରୁ ମୁଁ ମାଛ ଧରୁଛି,’’ ବୋଲି ଆନ୍ଥୋନୀ ସାମୀ କୁହନ୍ତି। “ସମୁଦ୍ରରେ ନିଶ୍ଚିତ ଭାବେ ବିରାଟ ପରିବର୍ତ୍ତନ ଘଟିଛି [ତାହା ପରଠାରୁ]। ପୂର୍ବରୁ, ଆମେ ଯାତ୍ରାରେ ବାହାରିବା ପୂର୍ବରୁ ପାଣିପାଗ ଓ ପବନର ସଠିକ୍‌ ଆକଳନ କରିପାରୁଥିଲୁ । କିନ୍ତୁ ବର୍ତ୍ତମାନ ଆମେ ସଠିକ୍‌ ଆକଳନ କରିପାରୁନୁ । ପରିବର୍ତ୍ତନ ସୁଦୂର ପ୍ରଭାବୀ ଓ ତୀବ୍ର ହୋଇଥିବାରୁ, ତାହା ଆମର ଜ୍ଞାନ ପାଇଁ ଆହ୍ୱାନ ପାଲଟିଛି । ପୂର୍ବ ଅପେକ୍ଷା ଅଧିକ ଗରମ ମଧ୍ୟ ହେଉଛି । ଏହା ପୂର୍ବରୁ, ସମୂଦ୍ରକୁ ଯିବା ବେଳେ ଏତେ ଉଷ୍ମତା ଅନୁଭବ ହେଉନଥିଲା । ବର୍ତ୍ତମାନ, ତାତି ଯୋଗୁଁ ଆମକୁ ଅଧିକ କଷ୍ଟ ହେଉଛି ।

ବେଳେବେଳେ, ଅଶାନ୍ତ ସମୁଦ୍ର ମରଣଯନ୍ତାରେ ପରିଣତ ହୋଇଯାଏ ବୋଲି ସାମୀ କୁହନ୍ତି । ଯେପରି ଚଳିତ ବର୍ଷ ଜୁଲାଇ ୪ରେ ହୋଇଥିଲା ଯେତେବେଳେ ୟସ୍‌ୱନ୍ତ – ଯିଏ ବେଳେବେଳେ ସୁବିଧା ଦେଖି ନିଜ ବାପାଙ୍କ ଡଙ୍ଗାରେ ମାଛ ଧରିବା ପାଇଁ ଯାଇଥାନ୍ତି –  ଚାରିଜଣ ଲୋକ ସେହି ଅଶାନ୍ତ ସମୁଦ୍ରରେ ହଜିଯାଇଥିବା ଖବର ସହିତ ରାତି ୯ଟା ପରେ ଫେରିଥିଲେ । କଡାଲ୍‌ ଓସାଇ ସେହି ସମୟରେ ବନ୍ଦ ଥିଲା – ଏଥିରେ ପୂର୍ବାହ୍ନ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ – କିନ୍ତୁ ଜଣେ ଆର୍‌ଜେ ( ରେଡିଓ ଜୋକେ) ଦୁଃଖରେ ଥିବା ମତ୍ସ୍ୟଜୀବୀମାନେ ଧ୍ୟାନ ପୂର୍ବକ ଶୁଣିବା ପାଇଁ ଘୋଷଣା କଲେ ।  ଔପଚାରିକ ଭାବେ ଏହା ବନ୍ଦ ଥିଲେ ମଧ୍ୟ ‘‘ଆମ ପରିସରରେ ସବୁବେଳେ ଜଣେ ଆର୍‌ଜେ ଉପସ୍ଥିତ ରୁହନ୍ତି’’, ବୋଲି ଗାୟତ୍ରୀ ଉସ୍‌ମାନ, ରେଡିଓ ଷ୍ଟେସନ୍‌ର ମୁଖ୍ୟ କୁହନ୍ତି । ଅନ୍ୟ କର୍ମଚାରୀମାନେ ନିକଟରେ ରୁହନ୍ତି । “ଏଣୁ ଜରୁରୀକାଳୀନ ପରିସ୍ଥିତିରେ ଆମେ ପ୍ରସାରଣ ଆରମ୍ଭ କରିପାରିବୁ’’। ସେହି ଦିନ, କଡାଲ୍‌ ଓସାଇର କର୍ମଚାରୀମାନେ ଦୟା ପ୍ରଦର୍ଶନ କରିବା ପାଇଁ ଅନିଚ୍ଛୁକ ସେହି ଜରୁରୀକାଳୀନ ପରିସ୍ଥିତରେ ଅବିରତ ପୋଲିସ୍‌, କୋଷ୍ଟ ଗାର୍ଡ, ଜନସାଧାରଣ ଓ ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିବା ପାଇଁ ଅହରହ କାମ କରିଥିଲେ ।

କିଛି ରାତି ଉଜାଗର ରହି ବିତେଇବା ପରେ, କେବଳ ଦୁଇ ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିଲା । “ସେମାନେ ଏକ କ୍ଷତିଗ୍ରସ୍ତ ହୋଇଥିବା ଭଲାମ  [ଦେଶି ଡଙ୍ଗା]କୁ ଧରି ରହିଥିଲେ । ଅନ୍ୟ ଦୁଇଜଣ ମଝି ରାସ୍ତାରେ ଜୀବନର ଆଶା ଛାଡିଦେଲେ, ସେମାନଙ୍କ ହାତରେ ଯନ୍ତ୍ରଣା ହେଉଥିଲା,’’ ବୋଲି ଗାୟତ୍ରୀ କୁହନ୍ତି । ସେମାନଙ୍କ ଦୁଇ ବନ୍ଧୁଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ସ୍ନେହ ଦେବାକୁ କହି ଓ ସେମାନେ ଆଉ ଅଧିକ ସମୟ ଝୁଲି ରହିପାରିବେ ନାହିଁ ବୋଲି କହି ଛାଡି ଚାଲିଗଲେ । ଜୁଲାଇ ୧୦ରେ ତାଙ୍କ ମରଶରୀର କୂଳରେ ଆସି ଲାଗିଥିଲା ।

“ପୂର୍ବର ପରିସ୍ଥିତି ବର୍ତ୍ତମାନ ଆଉ ନାହିଁ,’’ ଏଥିପାଇଁ ୫୪ -ବର୍ଷ-ବୟସ୍କ ଏ.କେ. ସେସୁରାଜ୍‌ ବା କ୍ୟାପ୍‌ଟେନ୍‌ ରାଜ୍‌ ଉଦବେଗ ପ୍ରକାଶ କରନ୍ତି, ତାଙ୍କ ଡଙ୍ଗାର ନାମ ଅନୁସାରେ ତାଙ୍କର ଏହିପରି ନାମକରଣ ହୋଇଛି । ତାଙ୍କୁ ନଅ ବର୍ଷ ହୋଇଥିବା ବେଳେ ସେ ଯେତେବେଳେ ପ୍ରଥମେ ସମୁଦ୍ରକୁ ଯିବାକୁ ଆରମ୍ଭ କରିଥିଲେ, ସେତେବେଳେ ‘ସମୁଦ୍ରର ବ୍ୟବହାର ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଥିଲା’ ବୋଲି ସ୍ପଷ୍ଟ ଭାବେ କୁହନ୍ତି । “ଜାଲରେ ଥରକୁ କେତେ ପରିମାଣର ମାଛ ପଡିବ ଓ ପାଣିପାଗ କିପରି ରହିବ ତାହା ଆମେ ପୂର୍ବରୁ ଜାଣିପାରୁଥିଲୁ। ବର୍ତ୍ତମାନ, ଉଭୟ ବିଷୟରେ ପୂର୍ବାନୁମାନ କରାଯାଇପାରିବ ନାହିଁ ।’’

ଭିଡିଓ ଦେଖନ୍ତୁ ‘କ୍ୟାପ୍ଟେନ୍‌ ରାଜ୍‌’ ଏକ ଅମ୍ବା ଗୀତ ଉପସ୍ଥାପନା କରୁଛନ୍ତି

ପୂର୍ବର ପରିସ୍ଥିତି ବର୍ତ୍ତମାନ ଆଉ ନାହିଁ ’, ଏଥିପାଇଁ ୫୪-ବର୍ଷ-ବୟସ୍କ ଏ.କେ. ସେସୁରାଜ୍‌ ବା ‘କ୍ୟାପ୍‌ଟେନ୍‌ ରାଜ୍‌’ ଉଦେବେଗ ପ୍ରକାଶ କରନ୍ତି । ସେତେବେଳେ ସମୁଦ୍ରର ବ୍ୟବହାର ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଥିଲା ବୋଲି ସ୍ପଷ୍ଟ ଭାବେ କୁହନ୍ତି । ବର୍ତ୍ତମାନ, ଉଭୟ ବିଷୟରେ ପୂର୍ବାନୁମାନ କରାଯାଇପାରିବ ନାହିଁ।

ଏହିପରି ପରିବର୍ତ୍ତନ ଯୋଗୁଁ ରାଜ୍‌ ବିଭ୍ରାନ୍ତ ହୋଇ ପଡିଥିବା ଜଣାପଡୁଛି, କିନ୍ତୁ କଡାଲ୍‌ ଓସାଇ ପାଖରେ ତାଙ୍କ ପ୍ରଶ୍ନର,  ଆଂଶିକ ହେଲେ ମଧ୍ୟ, କିଛି ଉତ୍ତର ରହିଛି । ଏନ୍‌ଜିଓ ନେସାକକାରାଙ୍ଗଲ୍‌ ଦ୍ୱାରା ଅଗଷ୍ଟ ୧୫, ୨୦୧୬ରେ ଏହି ଷ୍ଟେସନ୍‌ ଆରମ୍ଭ ହେବାଠାରୁ, ଏଥିରେ ସମୁଦ୍ର, ପାଣିପାଗର ଢାଞ୍ଚା ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ।

“କଡାଲ୍‌ ଓସାଇରେ ସାମୁଥିରାମ୍‌ ପାଝାଗୁ (ମହାସାଗର ବିଷୟରେ ଜାଣନ୍ତୁ) ଶୀର୍ଷକ ଏକ କାର୍ଯ୍ୟକ୍ରମ ପ୍ରତିଦିନ ପ୍ରସାରିତ ହେଉଛି’’, ବୋଲି ଗାୟତ୍ରୀ କୁହନ୍ତି । “ଏହା ସମୁଦ୍ର ସଂରକ୍ଷଣର ଧାରଣା ଉପରେ ଆଧାରିତ । ଏହା ସହିତ ଜଡିତ ବଡ ସମସ୍ୟାଗୁଡିକ ଦୀର୍ଘ ଦିନ ପର୍ଯ୍ୟନ୍ତ ସମ୍ପ୍ରଦାୟକୁ ପ୍ରଭାବିତ କରିବ ବୋଲି ଆମେ ଜାଣୁ । ସାମୁଥିରମ୍‌ ପାଝଗୁ ହେଉଛି ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ବିଷୟରେ ବିଭିନ୍ନ ଆଲୋଚନା କରିବା ପାଇଁ ଆମର ଏକ ପ୍ରୟାସ । ଆମେ ସମୂଦ୍ରର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାର୍ଯ୍ୟ ଓ ସେଗୁଡିକୁ କିଭଳି ଦୂରେଇ ହେବ ସେ ବିଷୟରେ ଆଲୋଚନା କରିଥାଉ । [ଉଦାହରଣ, ଟ୍ରଲର୍‌ରେ ଅତ୍ୟଧିକ ମାତ୍ରାରେ ମାଛ ଧରିବା ବା ପେଟ୍ରୋଲ୍‌ ଓ ଡିଜେଲ୍‌ ଦ୍ୱାରା ଜଳ କିଭଳି ଭାବେ ଦୂଷିତ ହେଉଛି ଆଦି] । ଆମ କାର୍ଯ୍ୟକ୍ରମକୁ ଲୋକମାନେ କଲ୍‌ କରି ନିଜର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥାନ୍ତି । ବେଳେବେଳେ, ସେମାନେ ନିଜେ କରିଥିବା ଭୁଲ୍‌ଗୁଡିକ ବିଷୟରେ ମଧ୍ୟ କହିଥାନ୍ତି – ଏହାକୁ ପୁଣି ଦୋହରାଇବେ ନାହିଁ ବୋଲି ପ୍ରତିଜ୍ଞା କରିଥାନ୍ତି’’ ।

“ଏହା ଆରମ୍ଭ ହେବା ଦିନ ଠାରୁ, କଡାଲ୍‌ ଓସାଇର ଟିମ୍‌ ଆମ ସମ୍ପର୍କରେ ଅଛି” ବୋଲି, ଏମ୍‌.ଏସ୍‌.ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌,  (ଏମ୍‌ଏସେଏସ୍‌ଆର୍‌ଏଫ୍‌), ଚେନ୍ନାଇରେ କମ୍ୟୁନିକେସନ୍‌ ମ୍ୟାନେଜର୍‌ ଭାବେ କାର୍ଯ୍ୟରତ ଖ୍ରୀଷ୍ଟି ଲୀମା କୁହନ୍ତି, ଯାହା ରେଡିଓ ଷ୍ଟେସନ୍‌କୁ ସହାୟତା ପ୍ରଦାନ କରିଥାଏ । “ସେମାନେ ସେମାନଙ୍କ କାର୍ଯ୍ୟକ୍ରମରେ ଆମର ବିଶେଷଜ୍ଞଙ୍କମାନଙ୍କୁ ନେଉଛନ୍ତି । ମେ ମାସଠାରୁ, କିନ୍ତୁ ଆମେ ସେମାନଙ୍କ ସହିତ ମିଳିତ ଭାବେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ କାମ କରୁଛୁ । କଡାଲ ଓସାଇ ମାଧ୍ୟମରେ ଏହା ସହଜରେ କରିହେବ, ଯେହେତୁ ଏକ ଗୋଷ୍ଠୀ ରେଡିଓ ଭାବେ ଏହା ପାମ୍ବନରେ ବହୁତ ଜନପ୍ରିୟତା ହାସଲ କରିସାରିଛି ।

“ମେ ଓ ଜୁନ୍‌ରେ ଏହି ଷ୍ଟେସନ୍‌ରୁ କଡାଲ୍‌ ଓରୁ ଅତିସାୟମ୍‌, ଅଥାୟି କାପଥୁ ନାମ୍‌ ଅଭାସିୟମ୍‌’ (ସମୁଦ୍ର ଅଦ୍ଭୁତ, ଆମେ ଏହାକୁ ସୁରକ୍ଷିତ ରଖିବା ଉଚିତ) ଶୀର୍ଷକ ଅଧୀନରେ ସ୍ୱତନ୍ତ୍ର ଭାବେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଚାରିଟି ଅଧ୍ୟାୟ ପ୍ରସାରିତ ହୋଇଛି । ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ର କୋଷ୍ଟାଲ୍‌ ସିଷ୍ଟମ ଗବେଷଣା ୟୁନିଟ୍‌ର ବିଶେଷଜ୍ଞମାନେ, ୟୁନିଟ୍‌ ମୁଖ୍ୟ ଭି.ସେଲ୍‌ଭାମ୍‌ଙ୍କ ଅଧୀନରେ ଏହି ଏପିସୋଡ୍‌ରେ ଅଂଶଗ୍ରହଣ କରିଛନ୍ତି । “ଏହିପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆମ ଯେତେବେଳେ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା କରୁ, ସେତେବେଳେ ଆମେ ଅଧିକାଂଶ ସମୟରେ ଉଚ୍ଚ ସ୍ତରରେ କରିଥାଉ ବା ବିଶେଷଜ୍ଞମାନଙ୍କୁ ନେଇଥାଉ,” ବୋଲି ସେଲ୍‌ଭାମ୍‌ କୁହନ୍ତି । “ଏ ବିଷୟରେ ତୃଣମୂଳ ସ୍ତରରେ ଆଲୋଚନା କରାଯିବା ଉଚିତ, ସେମାନଙ୍କ ସହିତ ଯେଉଁମାନେ ପ୍ରତିଦିନ ବାସ୍ତବରେ ଏହାର ପ୍ରଭାବ ଅନୁଭବ କରିଥାନ୍ତି ।’’

PHOTO • Kavitha Muralidharan
PHOTO • Kadal Osai

ବାମ : ପାମ୍ବନ ସ୍ଥିତ କଡାଲ୍‌ ଓସାଇ କାର୍ଯ୍ୟାଳୟ ଯେଉଁଠାରୁ ମାଛ ବେପାରକୁ ନେଇ ଲୋକମାନେ ବ୍ୟସ୍ତଥିବା ଦେଖାଯାଏ । ଡାହାଣ : ଡି. ରେଡିମାର ହେଉଛନ୍ତି ଷ୍ଟେସନର ୧୧ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ, ଯିଏ ଏବେ ମଧ୍ୟ ସମୁଦ୍ର ମଧ୍ୟକୁ ଯାଆନ୍ତି

ମେ ୧୦ରେ ପ୍ରସାରିତ ହୋଇଥିବା ଏକ ଅଧ୍ୟାୟରେ ପାମ୍ବନ ଦ୍ୱୀପରେ ହେଉଥିବା ପ୍ରମୁଖ ପରିବର୍ତ୍ତନ ବିଷୟରେ ଦ୍ୱୀପର ଲୋକମାନେ ଭଲଭାବେ ଜାଣିବା ପାଇଁ ସାହାଯ୍ୟ କରିଥିଲା । ଦୁଇ ଦଶନ୍ଧି ପୂର୍ବରୁ, ରାମେଶ୍ୱରମ ସହରକୁ ଭାରତର ମୁଖ୍ୟଭୂଭାଗ ସହିତ ଯୋଡୁଥିବା ୨,୦୬୫ ମିଟର ପାମ୍ବନ ସେତୁ ନିକଟରେ ପ୍ରାୟ ୧୦୦ ଟି ପରିବାର ରହୁଥିଲେ । ସମୂଦ୍ରର ଜଳପତ୍ତନ ବୃଦ୍ଧି ପାଇବାରୁ ସେମାନେ ବାଧ୍ୟ ହୋଇ ସେହି ସ୍ଥାନ ଛାଡିଦେଲେ ଓ ଅନ୍ୟ ସ୍ଥାନରେ ବସବାସ କରିବାକୁ ଆରମ୍ଭ କଲେ । ଏହି ଅଧ୍ୟାୟରେ, ସେଲ୍‌ଭାମ୍‌ ଶ୍ରୋତାମାନଙ୍କୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହିପରି ଗତିବିଧି କିଭଳି ତ୍ୱରାନ୍ୱିତ ହେଉଛି, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।

ବିଶେଷଜ୍ଞ, ମତ୍ସ୍ୟଜୀବୀ କିମ୍ବା ଷ୍ଟେସନ୍‌ର ରିପୋର୍ଟରମାନେ, ଏମାନଙ୍କ ମଧ୍ୟରୁ କେହି ମଧ୍ୟ ଏହି ସମସ୍ୟାର ଅତ୍ୟଧିକ ସରଳୀକରଣ କରିବାକୁ ପ୍ରୟାସ କରୁନାହାନ୍ତି ଓ ଏହି ପରିବର୍ତ୍ତନ ପାଇଁ ଦାୟୀ ଏକକ-ଘଟଣା ଖୋଜିବା ପାଇଁ ବା ଗୋଟିଏ କାରଣ ବର୍ଣ୍ଣନା କରିବା ପାଇଁ ନିଜେ ବ୍ୟଗ୍ର ହେଉନାହାନ୍ତି । ସେମାନେ ଏହି ସଂକଟ ବୃଦ୍ଧି ପାଇଁ ମାନବୀୟ ଗତିବିଧି ଦାୟୀ ବୋଲି ଇଂଗିତ କରୁଛନ୍ତି। କିଛି ଆବିଷ୍କାର କରିବା ପାଇଁ ସମୁଦ୍ରରେ ଯାତ୍ରା କରିବା ପାଇଁ ବାହାରିଥିବା ସମ୍ପ୍ରଦାୟର ପ୍ରଶ୍ନର ଉତ୍ତର ଅନ୍ୱେଷଣ କରିବା ପାଇଁ କଡାଲ୍‌ ଓସାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

“ପାମ୍ବନ ହେଉଛି ଏକ ଦ୍ୱୀପ ପରିସଂସ୍ଥାନ ଓ ଫଳତଃ ଅଧିକ ଅସୁରକ୍ଷିତ,” ବୋଲି ସେଲ୍‌ଭାମ୍‌ କୁହନ୍ତି । “କିନ୍ତୁ ଏଠାରେ ଥିବା ବାଲୁକା ସ୍ତୁପ ଏହି ଦ୍ୱୀପକୁ ଜଳବାୟୁ ପ୍ରଭାବରୁ ରକ୍ଷା କରିଥାଏ । ଆହୁରି ମଧ୍ୟ, ଶ୍ରୀଲଙ୍କାର ଉପକୂଳ ଦ୍ୱାରା ଏହା ବାତ୍ୟାଠାରୁ ମଧ୍ୟ ସୁରକ୍ଷିତ ଅଟେ,” ବୋଲି ସେ ବାଖ୍ୟା କରନ୍ତି ।

ଏସବୁ ମଧ୍ୟରେ ସାମୁଦ୍ରିକ ସମ୍ପତ୍ତି କ୍ଷତି ହେଉଥିବା କିନ୍ତୁ ବାସ୍ତବତା ଅଟେ ଓ ଏହା ମିଳିତ ଭାବେ ଜଳବାୟୁ ଓ ଅଣ-ଜଳବାୟୁ କାରକଗୁଡିକ କାରଣରୁ ସଂଗଠିତ ହେଉଛି, ବୋଲି ସେ ମତାମତ ଦିଅନ୍ତି । ପୂର୍ବ ତୁଳନାରେ ଜାଲରେ କମ୍‌ ସଂଖ୍ୟକ ମାଛ ପଡିବା ପାଇଁ ଟ୍ରଲର୍‌ ଦ୍ୱାରା ଅତ୍ୟଧିକ ପରିମାଣର ମାଛ ଧରାଯିବା ପ୍ରକ୍ରିୟା ଦାୟୀ ଅଟେ । ସମୁଦ୍ର ଉଷ୍ମ ହେବା ଯୋଗୁଁ ମାଛ ପଲ ମଧ୍ୟ ଭୁଲ୍‌ ଦିଗରେ ଗତି କରୁଛନ୍ତି ।

PHOTO • Kadal Osai
PHOTO • Kavitha Muralidharan

ବାମ : ଏମ୍‌.ସେଲାସ୍‌ ଜଣେ ମହିଳାଙ୍କ ସାକ୍ଷାତକାର ଗ୍ରହଣ କରୁଛନ୍ତି, ଯିଏ ତାଙ୍କ ଭଳି ପାମ୍ବନ ଦ୍ୱୀପର ଏକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଅଟନ୍ତି । ଡାହାଣ : ଗାୟତ୍ରୀ ଉସ୍‌ମାନ, ରେଡିଓ ଷ୍ଟେସନ୍‌ ମୁଖ୍ୟ, ଗୋଷ୍ଠୀ ମଞ୍ଚକୁ ଏକ ସ୍ପଷ୍ଟ ଦିଗ ଦେଖାଉଛନ୍ତି

ଉରାଲ୍‌, ସିରା, ଭେଲାକାମ୍ବନ ଆଦି କିଷମ ... ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲେଣି,” ବୋଲି କଡାଲ୍‌ ଓସାଇର ଆର୍‌ଜେ, ବି.ମଧୁମିତା, ଯିଏ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଅଟନ୍ତି, ମେ ୨୪ ରେ ପ୍ରସାରିତ ହୋଇଥିବା ଏକ ଅଧ୍ୟାୟରେ ଜଣାଇଛନ୍ତି । “କେତେକ ଯେପରି ପାଲ୍‌ ସୁରା, କାଲ୍‌ଭେଟି, କୋମ୍ବନ ସୁରା ଆଦି ଅଛନ୍ତି କିନ୍ତୁ ଏମାନଙ୍କ ସଂଖ୍ୟା ଅତି ନଗଣ୍ୟ । ତେବେ, ଅଦ୍ଭୁତ ଭାବେ, ଏକଦା କେରଳରେ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବା ମାଥି ମାଛଙ୍କ ସଂଖ୍ୟା ବର୍ତ୍ତମାନ ଆମ ପାର୍ଶ୍ୱରେ ଅଧିକ ହୋଇଯାଇଛି ।’’

ସେହି ଅଧ୍ୟାୟରେ ଅନ୍ୟ ଏକ କିଷମ ମନ୍ଦାଇକାଲୁଗୁ,  ଯାହା ଏଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା, ତାହା ଦୁଇ ଦଶନ୍ଧି ପୂର୍ବେ ଟନ୍‌ ଟନ୍‌ ପରିମାଣରେ ଉପଲବ୍ଧ ହେଉଥିଲା ବୋଲି ଲୀନା, ଜଣେ ବୟସ୍କା ମହିଳା କହୁଛନ୍ତି (ତାଙ୍କର ପୂରା ନାମ ଜଣାନାହିଁ) । ତାଙ୍କ ପିଢୀର ଲୋକମାନେ କିଭଳି ଭାବେ ସେ ସମୟରେ ମାଛର ଅଣ୍ଡା ଖାଇବା ପାଇଁ ଏହାର ପାଟିକୁ ଖୋଲୁଥିଲେ ଓ ସେଥିରୁ ଅଣ୍ଡା ବାହର କରୁଥିଲେ, ତାହା ମନେ ପକାନ୍ତି । ତାହା ହେଉଛି ଏଭଳି ଏକ ଧାରଣା ଯାହା ଏମ୍‌.ସେଲାସ୍‌ଙ୍କ ପରି ଆଜିର ଯୁବତୀମାନେ, ସେହି ସମ୍ପ୍ରଦାୟର ହୋଇଥିଲେ ମଧ୍ୟ, ବୁଝିବାକୁ ସମର୍ଥ ହୋଇପାରିବେନି (ଓ କଡାଲ୍‌ ଓସାଇରେ କାମ କରୁଥିବା ଜଣେ ଉପସ୍ଥାପକ ଓ ପ୍ରଯୋଜକ ମଧ୍ୟ, ଯିଏ ଏମ୍‌କମ୍‌ ଡିଗ୍ରୀ ହାସଲ କରିଛନ୍ତି) ।

“୧୯୮୦ ପର୍ଯ୍ୟନ୍ତ ଆମେ କଟ୍ଟାଇ, ସୀଲା, କୋମ୍ବାନ ସୂରା ଓ ଏହିପରି ଅନ୍ୟ ପ୍ରକାରର ମାଛ ପ୍ରଚୁର ପରିମାଣରେ ପାଉଥିଲୁ,” ବୋଲି ଲୀନା କୁହନ୍ତି । “ବର୍ତ୍ତମାନ ଆମେମାନେ ସେହି ମାଛଗୁଡିକୁ ଡିସ୍କୋଭରୀ ଚ୍ୟାନେଲ୍‌ରେ ଖୋଜୁଛୁ । ମୋର ଜେଜେବାପା [ ଯିଏ ଯନ୍ତ୍ର-ବିହୀନ ଦେଶୀ ଡଙ୍ଗା ବ୍ୟବହାର କରୁଥିଲେ], କହୁଥିଲେ ଯେ ଇଂଜିନ୍‌ ଶବ୍ଦରେ ମାଛଗୁଡିକ ଦୂରକୁ ଚାଲିଯାଆନ୍ତି । ଏବଂ ସେଥିରେ ବ୍ୟବହାର ହେଉଥିବା ପେଟ୍ରୋଲ୍‌ ବା ଡିଜେଲ୍‌ ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ ଓ ଏହାଦ୍ୱାରା ମାଛର ସ୍ୱାଦ ପରିବର୍ତ୍ତନ ହୋଇଥାଏ ।’’ ସେ ସମୟରେ ଏପରି ମଧ୍ୟ ହେଉଥିଲା, ଯେତେବେଳେ ମହିଳାମାନେ ଚାଲି ଚାଲି ସମୁଦ୍ର ପାଣି ଭିତରକୁ  ଯାଉଥିଲେ ଓ କୂଳ ପାଖରେ କେବଳ ଜାଲ ପକାଇ ମାଛ ଧରି ପାରୁଥିଲେ । ଏବେ ଆଉ କୂଳରେ ମାଛ ମିଳୁନଥିବାରୁ, ମହିଳାମାନେ ସମୂଦ୍ରକୁ କେବେ କେମିତି ଯାଉଛନ୍ତି ।

ମେ ୧୭ରେ ପ୍ରସାରିତ ହୋଇଥିବା ଏକ ଅଧ୍ୟାୟରେ ମାଛ ଧରିବା ପାଇଁ ପାରମ୍ପରିକ କୌଶଳ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରାଯାଇଥିଲା ଓ ସାମୁଦ୍ରିକ ଜୀବନ ସଂରକ୍ଷିତ କରିବା ପାଇଁ ଉଭୟକୁ କିଭଳି ଭାବେ ପରସ୍ପର ସହିତ ମିଶାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । “କୂଳ ନିକଟରେ ଏକ ପିଞ୍ଜରା କରିବାକୁ ଓ ସେଥିରେ ମତ୍ସ୍ୟ ପ୍ରଜନନ କରିବା ପାଇଁ  ମତ୍ସ୍ୟଜୀବୀମାନଙ୍କୁ ଉତ୍ସାହିତ କରାଯାଉଛି । ସରକାର ଏହି ‘ପିଞ୍ଜରା ସଂସ୍କୃତିକୁ’ ସମର୍ଥନ କରୁଛନ୍ତି, ଯେହେତୁ ଏହା ଦ୍ୱାରା ସାମୁଦ୍ରିକ ସମ୍ପତ୍ତି କ୍ଷୟ ହେବା ଭଳି ସମସ୍ୟାର ସମାଧାନ କରିହେବ,” ବୋଲି ଗାୟତ୍ରୀ କୁହନ୍ତି ।

PHOTO • Kadal Osai

ମତ୍ସଜୀବୀ ସମ୍ପ୍ରଦାୟର ସ୍ୱରରେ ପ୍ରତିଧ୍ୱନିତ ହେଉଛି

ପାମ୍ବନର ମତ୍ସ୍ୟଜୀବୀ ଇନିଗୋ, ୨୮, ଏପରି କରିବା ପାଇଁ ଦୃଢ ନିଶ୍ଚିତ ଅଛନ୍ତି । “ପୂର୍ବରୁ, ମାଛ ସହିତ ଆମ ଜାଲରେ ଡ୍ୟୁଗୋଙ୍ଗ ପଡିଲେ (ଏକ ସମୁଦ୍ର ସ୍ତନ୍ୟପାୟୀ), ଆମେ ଏହାକୁ ପୁଣିଥରେ ସମୁଦ୍ରରେ ଛାଡି ଦେଉନଥିଲୁ । କଡାଲ୍‌ ଓସାଇରେ ଏକ କାର୍ଯ୍ୟକ୍ରମ ପ୍ରସାରିତ ହେବାପରେ କିନ୍ତୁ ଆମେ କିଭଳି ଭାବେ ଜଳବାୟୁ ପରିବର୍ତ୍ତନ ଓ ମାନବୀୟ ଗତିବିଧି ଯୋଗୁଁ ଏହି ପ୍ରଜାତି ପ୍ରାୟତଃ ବିଲୁପ୍ତ ହୋଇଗଲାଣି, ସେ ବିଷୟରେ ଜାଣିବାକୁ ପାଇଲୁ । ଆମେ ନିଜର ଦାମିକା ଜାଲ କାଟି ସେମାନଙ୍କୁ ସମୁଦ୍ର ଭିତରକୁ ପୁଣି ପଠାଇବାକୁ ପ୍ରସ୍ତୁତ ଅଛୁ । କଇଁଛମାନଙ୍କ ପାଇଁ ମଧ୍ୟ ଏପରି କରାଯାଉଛି ।

“ଯଦି ଜଳବାୟୁ ପରିବର୍ତ୍ତନ ଦ୍ୱାରା ମାଛ କିଭଳି ଭାବେ ପ୍ରଭାବିତ ହୋଇଥାଏ, ସେ ବିଷୟରେ କହିବା ପାଇଁ ଆମ ପାଖରେ ଜଣେ ବିଶେଷଜ୍ଞ ଅଛନ୍ତି, ତେବେ ଏହା କେତେ ଦୂର ସତ୍ୟ, ତାହା ଜାଣିବା ପାଇଁ ମତ୍ସ୍ୟଜୀବୀମାନେ ଆମ ସହିତ ଯୋଗାଯୋଗ କରନ୍ତି,” ବୋଲି ଗାୟତ୍ରୀ କୁହନ୍ତି । 

“ଅନ୍ତର୍ଦ୍ଧାନ ହୋଇ ଯାଉଥିବା ମାଛ ପାଇଁ ଆମେ ଭଗବାନ ଓ ପ୍ରକୃତିକୁ ଦାୟୀ କରୁଥିଲୁ । ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ଭାବେ ଆମର ତ୍ରୁଟି ବୋଲି ଆମେ ହୃଦୟଙ୍ଗମ କରିପାରିଲୁ,” ବୋଲି ସେଲାସ୍‌ କୁହନ୍ତି । ତାଙ୍କ ପରି, କେଡାଲ୍‌ ଓସାଇର ସମସ୍ତ କର୍ମଚାରୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର – କେବଳ ଗାୟତ୍ରୀଙ୍କ ବ୍ୟତୀତ । ସେ ହେଉଛନ୍ତି ଜଣେ ଯୋଗ୍ୟ ସାଉଣ୍ଡ ଇଂଜିନିୟର ଯିଏ ଏଠାରେ ଦେଢ ବର୍ଷ ପୂର୍ବେ ଯୋଗଦେଇ ଗୋଷ୍ଠୀ ମଞ୍ଚକୁ ସଠିକ୍‌ ଦିଗରେ ଓ ଉଦ୍ଦେଶ୍ୟମୂଳକ ଭାବେ ପରିଚାଳନା କରିଛନ୍ତି ।

ଅତି ସାଧାରଣ ଦେଖାଯାଉଥିବା କଡାଲ୍‌ ଓସାଇର କାର୍ଯ୍ୟାଳୟ ଦିନ ସାରା ମାଛ ବେପାରକୁ ନେଇ ବ୍ୟସ୍ତ ରହୁଥିବା ଏକ ମାର୍ଗରେ ଅବସ୍ଥିତ । ନୀଳ ରଙ୍ଗର ନାମ ଫଳକ ଉପରେ ନମାଥୁ ମୁନ୍ନେତ୍ରାଥୁକ୍କାନା ଭାନୋଲି (ଆମର ବିକାଶ ପାଇଁ ଏକ ରେଡିଓ) ବୋଲି ଏକ ବାକ୍ୟାଂଶ ଲେଖାହୋଇଛି । ଏହା ଭିତରେ ଅତ୍ୟାଧୁନିକ ରେକର୍ଡିଂ ଷ୍ଟୁଡିଓ ଥିବା ଏକ ଏଫ୍‌ଏମ୍‌ ଷ୍ଟେସନ୍‌ ଅଛି । ସେଠାରେ ପିଲା, ମହିଳା, ମତ୍ସ୍ୟଜୀବୀ ଆଦି ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ବିଭାଗ ରହିଛି ଓ କାର୍ଯ୍ୟକ୍ରମଗୁଡିକ ମଝିରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ଗାଉଥିବା ଗୀତ, ଅମ୍ବା ଗୀତ ବଜାଯାଉଛି । ଷ୍ଟେସନ୍‌ରେ କାର୍ଯ୍ୟରତ ୧୧ଜଣ କର୍ମଚାରୀଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ୟସ୍‌ୱନ୍ତ ଓ ଡି.ରେଡିମେର୍‌ ସମୁଦ୍ରକୁ ଯାଉଛନ୍ତି।

ବହୁ ବର୍ଷ ପୂର୍ବରୁ, ୟସ୍‌ୱନ୍ତଙ୍କ ପରିବାର ଥୁଥୁକୁଡିରୁ ପାମ୍ବନକୁ ସ୍ଥାନାନ୍ତରିତ ହୋଇଛନ୍ତି । “ମାଛ ଧରିବା ସେଠାରେ ଆଉ ଲାଭଜନକ ବିକଳ୍ପ ହୋଇ ରହିନାହିଁ”, ବୋଲି ସେ କୁହନ୍ତି । “ଅଧିକ ପରିମାଣରେ ମାଛ ଧରିବା ପାଇଁ ମୋ ବାପାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଲା ।’’ ରାମେଶ୍ୱରମ୍‌ରେ ସ୍ଥିତି ଅପେକ୍ଷାକୃତ ଉନ୍ନତ, କିନ୍ତୁ “ଗତ କିଛି ବର୍ଷ ହେବ, ଜାଲରେ କମ୍‌ ସଂଖ୍ୟକ ମାଛ ପଡୁଛନ୍ତି’’ । କଡାଲ୍‌ ଓସାଇ ଯୋଗୁଁ ତାଙ୍କର ଏହା ହୃଦୟଙ୍ଗମ ହୋଇପାରିଛି ଯେ, ତାଙ୍କ ପ୍ରଗତିରେ ଯେଉଁ ବାଧକ ସୃଷ୍ଟି ହୋଇଛି, ତାହା କୌଣସି ‘ଗୁଣି ଗାରେଡି’ ଯୋଗୁଁ ନୁହେଁ, ବରଂ ପରିବେଶ ଉପରେ ଆମେ କରିଥିବା ‘ଗୁଣି ଗାରେଡି’ର ଫଳାଫଳ ।

ଲାଭ ପାଇବା ପାଇଁ ଲାଳାୟିତ ରହିବା ନେଇ ସେ ଚନ୍ତିତ ରୁହନ୍ତି । “କିଛି ବୟସ୍କ ବ୍ୟକ୍ତି ସେମାନଙ୍କ ପୂର୍ବପୁରୁଷମାନେ ଜାଲରେ ଗୋଟିଏ ଥରକୁ ପଡୁଥିବା ମାଛ ସଂଖ୍ୟା ବୃଦ୍ଧି କରିବା ପାଇଁ  କିଛି ନକରିବାରୁ ସେମାନେ ଏବେ ମଧ୍ୟ ଗରିବ ହୋଇ ରହିଛନ୍ତି ବୋଲି ବିଶ୍ୱାସ କରନ୍ତି । ସେମାନେ ସର୍ବାଧିକ ଲାଭ ପାଇବାକୁ ଚେଷ୍ଟା କରିବାକୁ ଯାଇ ସମୁଦ୍ରର ଅତ୍ୟଧିକ ଅନ୍ୟାୟ ଉପଯୋଗ କରିଥାନ୍ତି । ଆମ ମଧ୍ୟରୁ କିଛି ଯୁବକ ବର୍ତ୍ତମାନ ଏହା ସହିତ ଯୋଡି ହୋଇ ରହିଥିବା ବିପଦଗୁଡିକୁ ବୁଝିପାରିଛୁ, ଏଣୁ ଆମେମାନେ ଏହି ‘ଗୁଣି ଗାରେଡି’ର ପ୍ରଭାବ ଓଲଟାଇବାକୁ ଚେଷ୍ଟା କରୁଛୁ ।’’

ଲାଭ ପାଇବା ପାଇଁ ଲାଳାୟିତ ରହିବା ନେଇ ସେ ଚନ୍ତିତ ରୁହନ୍ତି । ‘କିଛି ବୟସ୍କ ବ୍ୟକ୍ତି ସେମାନଙ୍କ ପୂର୍ବ ପୁରୁଷମାନେ ଜାଲରେ ଗୋଟିଏ ଥରକରେ ପଡୁଥିବା ମାଛ ସଂଖ୍ୟା ବୃଦ୍ଧି କରିବା ପାଇଁ  କିଛି ନକରିବାରୁ ସେମାନେ ଏବେ ମଧ୍ୟ ଗରିବ ହୋଇ ରହିଛନ୍ତି ବୋଲି ବିଶ୍ୱାସ କରନ୍ତି… ସେମାନେ ସର୍ବାଧିକ ଲାଭ ପାଇବାକୁ ଚେଷ୍ଟା କରିବାକୁ ଯାଇ ସମୁଦ୍ରର ଅତ୍ୟଧିକ ଅନ୍ୟାୟ ଉପଯୋଗ କରିଥାନ୍ତି’

ଭିଡିଓ ଦେଖନ୍ତୁ : ଆର୍‌ଜେ ୟସ୍‌ୱନ୍ତ ପାମ୍ବନକୁ ପାଣିପାଗ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରୁଛନ୍ତି

ଏବେ ମଧ୍ୟ, ଏହି ବିରାଟ ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଶିଖିବା ପାଇଁ ଏକ ସମୃଦ୍ଧ ଉତ୍ସ ହୋଇ ରହିଛି । “ବିଶେଷଜ୍ଞମାନେ ଯାହା ପ୍ରାୟତଃ କରିଥାନ୍ତି’’,  ମଧିୁମିତାଙ୍କ ମତରେ, ତାହା ହେଉଛି ସେମାନେ ଏହାର ଅନୁମୋଦନ କରିବା ପାଇଁ କରିଥାନ୍ତି ଓ ଆମେ ଏଗୁଡିକ କାହିଁକି ବ୍ୟବହାର କରିବା ଉଚିତ, ତାହା ମନେ ପକାଇଥାନ୍ତି । ଆମ ଷ୍ଟେସନ୍‌ ପାରମ୍ପରିକ ଜ୍ଞାନ ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଏ ଓ ପାରମ୍ପରିକ ଜ୍ଞାନକୁ ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ । ଏହାର ଫଳସ୍ୱରୂପ, ଆମ ସମ୍ପ୍ରଦାୟର ଲୋକମାନେ ଆମେ ପ୍ରସାରିତ କରିଥିବା କାର୍ଯ୍ୟକ୍ରମରେ ବେଶେଷଜ୍ଞମାନଙ୍କ ମତାମତ ଗ୍ରହଣ କରି ବ୍ୟବହାର କରିଥାନ୍ତି ।

ପାମ୍ବନର ‘ପାମ୍ବନ ଦେଶୀ ଡଙ୍ଗା ମତ୍ସ୍ୟଜୀବୀମାନଙ୍କ ସଂଗଠନ’ର ସଭାପତି ଏସ୍‌.ପି. ରୟାପ୍ପାନ୍‌ ଏଥିରେ ସହମତି ପ୍ରକାଶ କରନ୍ତି । “ଆମେମାନେ ସବୁବେଳେ ସାମୁଦ୍ରିକ ଜୀବନର ଅତ୍ୟଧିକ ଅନ୍ୟାୟ ଉପଯୋଗ ହେଉଥିବା ବିଷୟ ଓ ଏହାର ବିପଦ ବିଷୟରେ କହିଆସିଛୁ । ବର୍ତ୍ତମାନ, କଡାଲ୍‌ ଓସାଇ ଦ୍ୱାରା ମସ୍ୟଜୀବୀମାନଙ୍କ ମଧ୍ୟରେ ସୃଷ୍ଟି କରାଯାଉଥିବା ସଚେତନତା ଅଧିକ ଗୁରୁତ୍ୱପୂର୍ଣ୍ଣ, ଆମ ଲୋକମାନେ ବର୍ତ୍ତମାନ ବେଳେବେଳେ ଗୋଟିଏ ଡ୍ୟୁଗୋଙ୍ଗ ବା କଇଁଛକୁ ବଞ୍ଚେଇବା ପାଇଁ ବିଦେଶରୁ ଆମଦାନୀ କରି ଆଣିଥିବା ଜାଲକୁ ତ୍ୟାଗ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।’’ ଏବଂ ଶେଷରେ ଏପରି ଏକ ଦିନ ମଧ୍ୟ ଆସିପାରେ, ଯେତେବଳେ ପୁଣି ଥରେ ମଣ୍ଡାୟିକାଲୁଗୁକୁ ଦ୍ୱୀପ ଜଳକୁ ଫେରାଇ ଆଣିବାରେ ତାଙ୍କର ରେଡିଓ ଷ୍ଟେସନ୍‌ ସାହାଯ୍ୟ କରିବ, ଏ ନେଇ ସେଲାସ୍‌ ଓ ମଧୁମିତା ଆଶାବାଦୀ ଅଛନ୍ତି ।

ଅନ୍ୟ ଗୋଷ୍ଠୀ ରେଡିଓ ଷ୍ଟେସନ୍‌ ପରି, ଏଠାରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡିକ କେବଳ ଷ୍ଟେସନ୍‌ଠାରୁ ୧୫ କିଲୋମିଟର ଦୂରତା ମଧ୍ୟରେ ଥିବା ସ୍ଥାନଗୁଡିକରେ  ଶୁଣିହେବ । କିନ୍ତୁ ପାମ୍ବନର ଲୋକମାନେ କଡାଲ୍‌ ଓସାଇକୁ ଗ୍ରହଣ କରିସାରିଛନ୍ତି – “ଆମେ ପ୍ରତିଦିନ ଆମ ଶ୍ରୋତାମାନଙ୍କ ଠାରୁ ୧୦ଖଣ୍ଡ ଚିଠି ପାଉଛୁ,’’ ବୋଲି ଗାୟତ୍ରୀ କୁହନ୍ତି । “ଆମେ ଯେତେବେଳେ ପ୍ରଥମେ ଏଠାରେ କାର୍ଯ୍ୟ ଆରମ୍ଭ କରିଥିଲୁ, ସେତେବେଳେ ଲୋକମାନେ ଆମେମାନେ କିଏ ଓ ଆମେ କେଉଁ ବିକାଶ ବିଷୟରେ କହୁଛୁ, ତାହା ଜାଣିବାକୁ ଚାହୁଁଥିଲେ । ବର୍ତ୍ତମାନ ସେମାନେ ଆମମାନଙ୍କୁ ବିଶ୍ୱାସ କରନ୍ତି ।’’

ଏହା ହେଉଛି କେବଳ ଜଳବାୟୁ, ଯାହା ଉପରୁ ସେମାନଙ୍କ ଭରସା ଉଠିଯାଉଛି ।

ପ୍ରଚ୍ଛଦ ଫଟୋ : ପାମ୍ବନରେ ଜୁନ ୮ରେ ଅନୁଷ୍ଠିତ ହୋଇଥିବା ୟୁଏନ୍‌ ବିଶ୍ୱ ମହାସାଗର ଦିବସ ପାଳନ ଅବସରରେ କଡାଲ୍‌ ଓସାଇ ଲେଖା ହୋଇଥିବା ଫଳକ ଧରିଥିବା ପିଲମାମାନେ ।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।

ଏହି ଆଲେଖ୍ୟକୁ ପୁଣି ଥରେ ପ୍ରକାଶ କରିବାକୁ ଚାହୁଁଛନ୍ତି? ଦୟାକରି [email protected]କୁ ଲେଖନ୍ତୁ ଓ  [email protected] କୁ ସିସି ରଖନ୍ତୁ । 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Other stories by Kavitha Muralidharan